Last updated on February 6, 2021
ଆଧ୍ୟାତ୍ମିକ ବ୍ୟାଖ୍ୟା :–
କୂଟସ୍ଥ ଦ୍ୱାରା ଅନୁଭବ ହେଉଅଛି—ଏ ସମୟରେ ମୁଁ ତୁମକୁ ଜ୍ଞାନ-ବିଜ୍ଞାନ ସମ୍ବନ୍ଧରେ କହୁଅଛି, ଯାହାକୁ ଜାଣି ଉତ୍ତମ ରୂପେ ସହଜରେ ମଙ୍ଗଳମୟ ମୋକ୍ଷପଦ ଲାଭ କରିପାରିବ ।
ଅଷ୍ଟମ ଅଧ୍ୟାୟରେ ସାଧନା ଦ୍ୱାରା କେଉଁଭଳି କ୍ରମମୁକ୍ତି ପ୍ରାପ୍ତ ହୋଇପାରେ, ଏହା ଭଗବାନ୍ କହିଛନ୍ତି । ସପ୍ତମ ଅଧ୍ୟାୟରେ ଅନୁଭବ ସହିତ ଜ୍ଞାନ, ଯାହାକୁ ଜାଣିନେବାପରେ କିଛି ଜାଣିବାପାଇଁ ବାକି ରହେନାହିଁ, ତାହା ସେ ଅର୍ଜ୍ଜୁନଙ୍କୁ କହିଛନ୍ତି । ଭଗବାନ୍ ଅର୍ଜ୍ଜୁନଙ୍କୁ କହିଛନ୍ତି କି, ସେହି ଜ୍ଞାନ ମଧ୍ୟ ଦୁର୍ଲ୍ଲଭ ଅଟେ । ଏହି ସ୍ୱାନୁଭବ ଜ୍ଞାନକୁ ସମସ୍ତେ ବୁଝିପାରନ୍ତି ନାହିଁ, ଏହି କାରଣରୁ ଶାସ୍ତ୍ର କହିଛନ୍ତି କି, ଉପଯୁକ୍ତ ଅଧିକାରୀଙ୍କୁ ହିଁ ଜ୍ଞାନ ପ୍ରଦାନ କରିବା ଆବଶ୍ୟକ, ଅନୁପଯୁକ୍ତଙ୍କୁ ନୁହେଁ । ଗୁହ୍ୟ ବିଷୟ ଶ୍ରବଣ କରିବାର ବିଶେଷ ଅଧିକାରୀ ସେ ଅଟନ୍ତି, ଯାହାଙ୍କଠାରେ ଗୁରୁଙ୍କ ପ୍ରତି ଅଚଳା ଭକ୍ତି ରହିଥାଏ, ଯିଏ ଗୁରୁଙ୍କ ବାକ୍ୟରେ ଦୋଷ ଖୋଜିବାର ଇଚ୍ଛା କରିନଥାଏ । ଏଥିପାଇଁ ଭଗବାନ୍ ଅର୍ଜ୍ଜୁନଙ୍କୁ ବିଶେଷ ଅଧିକାରୀ ମନେକରି ତାଙ୍କ ସମ୍ମୁଖରେ ଗୁହ୍ୟରୁ ଗୁହ୍ୟତର କଥା ପ୍ରକଟ କରିବାପାଇଁ ଉଦ୍ୟତ ହୋଇଛନ୍ତି ।
ଭଗବାନଙ୍କର ଯେଉଁ ଈଶ୍ୱରୀୟ ମାୟାଶକ୍ତି ଜଗଦାଦିରୂପେ ଉତ୍ପନ୍ନ ହୋଇଛି, ତାହାର ମୂଳତତ୍ତ୍ୱ ମଧ୍ୟ ଅତିଶୟ ରହସ୍ୟମୟ ଅଟେ । ସେହି ତତ୍ତ୍ୱକୁ ନ ବୁଝିପାରିବା କାରଣରୁ ସଂସାରର ଅସଂଖ୍ୟ ଜୀବ ମୋହପାଶରେ ଆବଦ୍ଧ ହେଉଛନ୍ତି । ସତ୍ସଙ୍ଗ, ଶାସ୍ତ୍ରାବଲୋକନ ଏବଂ ସାଧୁ ସନ୍ଥଙ୍କ କୃପାରୁ ଆମ ଚିତ୍ତରେ ଏହି ଶ୍ରୁତ୍ୟୁକ୍ତ ପ୍ରଶ୍ନ ଉଠିଥାଏ—
“କିଂ କାରଣଂ ବ୍ରହ୍ମ କୁତଃ ସ୍ମ ଜାତା, ଜୀବାମ କେନ କ୍ୱ ଚ ସଂପ୍ରତିଷ୍ଠାଃ ।
ଅଧିଷ୍ଠିତା କେନ ସୁଖଂତରେଷୁ ବର୍ତ୍ତାମହେ ବ୍ରହ୍ମବିଦୋ ବ୍ୟବସ୍ଥାମ୍ ।।”—(ଶ୍ୱେତା.ଉପ.)
ଏହି ଶ୍ରୁତିଉକ୍ତ ଜ୍ଞେୟବସ୍ତୁକୁ ଜାଣିବାପାଇଁ ଯେଉଁ ମନର ଉଦ୍ୟୋଗ ରହିଛି, ତାହା ‘ଜ୍ଞାନ’ ବୋଲାଏ ଆଉ ଜୀବଭୂତା କ୍ଷେତ୍ରଜ୍ଞରୂପା ଯେଉଁ ପ୍ରକୃତି ରହିଛି—ଯାହା ପ୍ରାଣଶକ୍ତିରୂପେ ପ୍ରାଣୀମାନଙ୍କଠାରେ ପ୍ରାଣଧାରଣାର କାରଣ ହୁଏ, ଯାହା ଅନ୍ତଃପ୍ରବିଷ୍ଟ ହୋଇ ଏହି ଜଗତ୍କୁ ବିଧୃତ କରୁଅଛି, ସେହି ପରମାତ୍ମାଙ୍କର ଉତ୍କୃଷ୍ଟ ପ୍ରକୃତି କ୍ଷେତ୍ରଜ୍ଞ, ଜୀବାତ୍ମା ଅଟେ, ତାହାକୁ ଜାଣିବା ହେଉଛି ଗୁହ୍ୟତର ଜ୍ଞାନ । ଶାସ୍ତ୍ର ଏବଂ ଗୁରୁଙ୍କ ଉପଦେଶ ଦ୍ୱାରା ଯେଉଁ ଆତ୍ମବୋଧ ବିକଶିତ ହୁଏ, ତାହା ପ୍ରଥମୋକ୍ତ ଜ୍ଞାନ ଅଟେ । ପଶ୍ଚାତ୍ ସାଧନର ସହାୟତାରେ ସେହି ବସ୍ତୁର ଅନୁଭବର ନାମ ବିଜ୍ଞାନ ଅଟେ । କ୍ରିୟା ଦ୍ୱାରା ନାଡୀ ଏବଂ ତା ସହିତ ପ୍ରାଣ ଶୁଦ୍ଧ ହୋଇଯିବାପରେ ତଥା ତା ସହ ଚିତ୍ତ ସ୍ଥିର ହୋଇଯିବାପରେ ଭଗବାନଙ୍କର ପରା ଏବଂ ଅପରା ଉଭୟ ପ୍ରକୃତିର ପରିଚୟ ପ୍ରାପ୍ତ ହୁଏ । ତାହାକୁ ଜାଣିନେବାପରେ ଜୀବ କୃତାର୍ଥ ହୋଇଯାଏ । ଏଥର ତା ଅପେକ୍ଷା ମଧ୍ୟ ରହସ୍ୟଜନକ ଗୁହ୍ୟତମ ଜ୍ଞାନ କଥା କହିବାର ଅଛି, ଏଥିପାଇଁ ନିଜର ଶିଷ୍ୟ ଅର୍ଜ୍ଜୁନଙ୍କୁ ଆଶ୍ୱାସନା ଦେଇଛନ୍ତି । ଏହି ଗୁହ୍ୟତମ କଥା କାହାକୁ କୁହାଯାଏ ? ସାଧନ ଦ୍ୱାରା ଯେଉଁ ଶିଷ୍ୟର ଚିତ୍ତ ଶୁଦ୍ଧ ହୋଇଯାଇଛି ଆଉ ଅଜ୍ଞାନ ମଧ୍ୟ ନିବୃତ୍ତ ହେବାକୁ ଚାହୁଁଛି । ଯାହାର ଚିତ୍ତ ଶୁଦ୍ଧ ହୋଇଯାଇଛି, ସେ ସହଜରେ ସଂଯମଶୀଳ ଏବଂ ସରଳ ହେବ । ସେ ପ୍ରକୃତିର ରହସ୍ୟକୁ ଉଦ୍ଘାଟନ କରିଛନ୍ତି, ଏଥର ତାଙ୍କ ସମ୍ମୁଖରେ ଆତ୍ମାର ରହସ୍ୟ ସମ୍ପର୍କରେ କହିବା । ଏହି ଉଚ୍ଚ ଅଧିକାର ଉତ୍ପନ୍ନ ନହେବାଯାଏ ଗୁହ୍ୟତମ ଜ୍ଞାନ ବିଷୟରେ କଥା ହୋଇପାରିବା ନାହିଁ, କହିଲେ ବି ବିପରୀତ ଫଳ ହୁଏ, ଏହି କାରଣରୁ ଅନଧିକାରୀକୁ ରହସ୍ୟ କଥା କହିବାପାଇଁ ଶାସ୍ତ୍ର ନିଷେଧ କରିଛନ୍ତି । ଶ୍ରୀମଦାଚାର୍ଯ୍ୟ ଶଙ୍କର କହିଛନ୍ତି—“ବାସୁଦେବଃ ସର୍ବମିତି” “ଆତ୍ମୈବେଦଂ ସର୍ବମ୍” “ଏକମେବାଦ୍ୱିତୀୟମ୍” “ଅଥ ୟେଽନ୍ୟଥାଽତୋ ବିଦୁରନ୍ୟରାଜାନଃ ତେ କ୍ଷୟଲୋକା ଭବନ୍ତି”—“ବାସୁଦେବ ହିଁ ସବୁକିଛି ଅଟନ୍ତି, ଏ ସବୁ ଆତ୍ମା ଅଟେ, ସେହି ଆତ୍ମା ଏକ ଏବଂ ଅଦ୍ୱିତୀୟ ଅଟେ, ଯେଉଁ ସାଧାରଣ ରାଜାମାନେ ଏହି ଆତ୍ମାରେ ଭେଦ-ଦୃଷ୍ଟି କରନ୍ତି ସେମାନେ ପୁନରାବୃତ୍ତିକୁ ପ୍ରାପ୍ତ ହୋଇଥାନ୍ତି ।”—ଏହି ଅଦ୍ୱୈତ ବ୍ରହ୍ମଜ୍ଞାନ ବ୍ୟତିରେକ ଅନ୍ୟ କୌଣସି ଉପାୟ ମୋକ୍ଷପ୍ରାପ୍ତିର ସାଧନ ହୋଇପାରେ ନାହିଁ । ଏହି ଅନୁଭବଯୁକ୍ତ ଜ୍ଞାନ କଥା ଭଗବାନ୍ ଅର୍ଜ୍ଜୁନଙ୍କୁ ଏଥର ଶୁଣାଇବେ । ସେ କହୁଛନ୍ତି କି, ଆତ୍ମା ସମ୍ବନ୍ଧରେ ଏହି ଜ୍ଞାନ ପ୍ରାପ୍ତ କଲେ ଆଉ ସଂସାର ବନ୍ଧନ ରହେନାହିଁ ।
ଯସ୍ମାତ୍ପରଂ ନାପରମସ୍ତି କିଞ୍ଚିତ୍
ଯସ୍ମାନ୍ନାଣୀୟୋ ନ ଜ୍ୟାୟୋଽସ୍ତି କଶ୍ଟିତ୍ ।
ବୃକ୍ଷ ଇବ ସ୍ତବ୍ଧୋ ଦିବି ତିଷ୍ଠତ୍ୟେକଃ
ତେନେଦଂ ପୂର୍ଣ୍ଣଂ ପୁରୁଷେଣ ସର୍ବମ୍ ।।୩/୯।।
ତତୋ ଯଦୁତ୍ତରତରଂ ତଦରୂପମନାମୟମ୍ ।
ଯ ଏତଦ୍ ବିଦୁରମୃତାସ୍ତେ ଭବନ୍ତ୍ଥେତରେ ଦୁଃଖମେବାପି ଯନ୍ତି ।।୩/୧୦।।
ସର୍ବାନନଶିରୋଗ୍ରୀବଃ ସର୍ବଭୂତଗୁହାଶୟଃ ।
ସର୍ବବ୍ୟାପୀ ସ ଭଗବାନ୍ ତସ୍ମାତ୍ ସର୍ବଗତଃ ଶିବଃ ।।୩/୧୧।।
ଯୋ ଦେବୋଽଗ୍ନୌ ଯୋଽପ୍ସୁ ଯୋ ବିଶ୍ୱଂ ଭୁବନମାବିବେଶ ।
ଯ ଔଷଧୀଷୁ ଯୋ ବନସ୍ପତିଷୁ ତସ୍ମୈ ଦେବାୟ ନମୋ ନମଃ ।।୨/୧୭।।–ଶ୍ୱେତାଶ୍ୱତର ଉ.
ଯାହାଙ୍କଠାରୁ ଉତ୍କୃଷ୍ଟ ଅନ୍ୟ କୌଣସି ବସ୍ତୁ ନାହିଁ, ଯାହାଙ୍କଠାରୁ ଛୋଟ ଅବା ବଡ଼ କୌଣସି ବସ୍ତୁ ନାହିଁ, ସେହି ପରମାତ୍ମା ବୃକ୍ଷ ସମ ନିଶ୍ଚଳ ଭାବରେ ଆକାଶ (ଚିତ୍)ରେ ବିରାଜମାନ କରୁଛନ୍ତି । ସେ ହିଁ ଏକମାତ୍ର ଅଟନ୍ତି ଆଉ କିଛି ନାହିଁ, ସେହି ପୁରୁଷଙ୍କ ଦ୍ୱାରା ଏହି ଅଖିଳ ଭବନ ପରିବ୍ୟାପ୍ତ ହୋଇଛି । ଯିଏ ଜଗତ୍ର କାରଣ (ମୂଳ ପ୍ରକୃତି) ଅଟନ୍ତି, ତାଙ୍କଠାରୁ ମଧ୍ୟ ସେ ଶ୍ରେଷ୍ଠ ଅଟନ୍ତି । ଯିଏ ସର୍ବୋପାଧିରହିତ ତଥା ତାପତ୍ରୟରହିତ ଅଟନ୍ତି, ସେହି କ୍ଲେଶଶୂନ୍ୟ ଅର୍ଥାତ୍ ଶାନ୍ତିପୂର୍ଣ୍ଣ ପୁରୁଷଙ୍କୁ ଯିଏ ଜାଣନ୍ତି, ସେ ମୁକ୍ତି ପ୍ରାପ୍ତ କରନ୍ତି ଏବଂ ଅନ୍ୟମାନେ ଅର୍ଥାତ୍ ଯିଏ ତାଙ୍କୁ ଜାଣନ୍ତି ନାହିଁ, ସେ ସଂସାରର ଦୁଃଖକୁ ପ୍ରାପ୍ତ ହୁଅନ୍ତି । ସମସ୍ତ ଜୀବଙ୍କର ମୁଖ, ମସ୍ତକ ଏବଂ ଗ୍ରୀବା ଯାହାଙ୍କର ମୁଖମଣ୍ଡଳ ଅଟେ, ଅର୍ଥାତ୍ ଜୀବମାନଙ୍କଠାରେ ଯିଏ ବିରାଜିତ ଅଟନ୍ତି, ଯିଏ ସମସ୍ତ ପ୍ରାଣୀଗଣଙ୍କର ବୁଦ୍ଧିରୂପୀ ଗୁହାରେ ଅବସ୍ଥିତ ଅଟନ୍ତି, ସେ ସର୍ବବ୍ୟାପୀ ଏବଂ ସର୍ବ ଐଶ୍ୱର୍ଯ୍ୟ ଯୁକ୍ତ ଅଟନ୍ତି । ସେ ସର୍ବତ୍ର ବିରାଜମାନ ଏବଂ ଶିବ-ସ୍ୱରୂପ ଅଟନ୍ତି । ଯେଉଁ ଦେବତା ଅଗ୍ନିରେ, ଜଳରେ, ଔଷଧିରେ ଏବଂ ବନସ୍ପତିସମୂହରେ ତଥା ସମସ୍ତ ନିଖିଳ ଭୁବନରେ ପ୍ରବିଷ୍ଟ ହୋଇଛନ୍ତି, ସେହି ଦେବତାଙ୍କୁ ବାରମ୍ବାର ନମସ୍କାର ।
ଉକ୍ତ ଜ୍ଞାନ କେବଳ ପୁସ୍ତକ ପଢ଼ିଲେ ହୁଏନାହିଁ । ଏହି ଜ୍ଞାନକୁ ପ୍ରାପ୍ତ କରିବାପାଇଁ ଧାରଣା-ଧ୍ୟାନ ଏବଂ ସମାଧି-ସାଧନାର ଆବଶ୍ୟକତା ରହିଛି । ଅନ୍ୟ ଉପାୟରେ ଚିତ୍ତର ମଳ ଦୂର ହୁଏନାହିଁ । ଚିତ୍ତର ମଳ ଦୂର ନହେଲେ ପ୍ରକୃତ ଶୁଦ୍ଧା ଭକ୍ତିର ଉଦୟ ହେବନାହିଁ ଏବଂ ଶୁଦ୍ଧା ଭକ୍ତି ବିନା କୌଣସି ଜ୍ଞାନ ପ୍ରାପ୍ତ କରିପାରିବ ନାହିଁ । ଯାହାଙ୍କୁ ଜ୍ଞାନପ୍ରାପ୍ତି ନହୋଇଛି, ତାଙ୍କୁ ଭଗବତ୍ପ୍ରାପ୍ତି ମଧ୍ୟ ହୁଏନାହିଁ, ଅତଃ ସଂସାରରୁ ମୁକ୍ତି ମିଳେନାହିଁ ।।୧।।
ରାଜବିଦ୍ୟା—ଗୁପ୍ତ, ବିରାଟ ବିଦ୍ୟା ଅଟେ, ଅତ୍ୟନ୍ତ ଗୁପ୍ତ ଅଟେ, ଯେଉଁଠାକୁ ଯିବାପରେ ମନ ବ୍ରହ୍ମରେ ଅବସ୍ଥାନ କରି ପବିତ୍ର ହୋଇଯାଏ—ଚକ୍ଷୁ ସମ୍ମୁଖରେ କୂଟସ୍ଥକୁ ନିରୋଧ କରି ରଖି ସହଜ ଫଳପ୍ରାପ୍ତି ବିନା ଇଚ୍ଛାରେ ଧର୍ମ ହୁଏ । ଅର୍ଥାତ୍ ଯେଉଁ କ୍ରିୟା ଗୁରୁବକ୍ତ୍ରଗମ୍ୟ ଅଟେ ତଥା ସୁନ୍ଦର ସୁଖ ଦ୍ୱାରା—କଳିଯୁଗରେ କରାଯାଏ ।
–ପ୍ରାଣର ଚଞ୍ଚଳତା ଦ୍ୱାରା ସମସ୍ତ ଇନ୍ଦ୍ରିୟ ଏବଂ ମନ ଚଞ୍ଚଳ ରହିଥାନ୍ତି । ଚଞ୍ଚଳ ଇନ୍ଦ୍ରିୟସମୂହ ନିରନ୍ତର ଗୋଟିଏ ବିଷୟରୁ ଅନ୍ୟ ଏକ ବିଷୟକୁ ଦୌଡ଼ି ଥାଏ । ଯେତେସମୟ ପର୍ଯ୍ୟନ୍ତ ବିଷୟ ସମ୍ମୁଖରେ ରହିଥାଏ ଏବଂ ମନ ଇନ୍ଦ୍ରିୟମାନଙ୍କ ଦ୍ୱାରା ସେହି ବିଷୟସମୂହ ଦିଗରେ ଦୌଡ଼ିଥାଏ, ସେପର୍ଯ୍ୟନ୍ତ ମନକୁ ବିଶ୍ରାମ ନାହିଁ, ଶାନ୍ତି ନାହିଁ । ହେଲେ ଏହି ବିଷୟ ମଧ୍ୟ ଆତ୍ମାରୁ ପୃଥକ୍ ସ୍ୱତନ୍ତ୍ର ବସ୍ତୁ ନୁହେଁ । ଅଜ୍ଞାନ ନିବୃତ୍ତ ହେବା କାରଣରୁ ଆତ୍ମାକୁ ହିଁ ମନ ବିଷୟ ଆକାରରେ ଦେଖିଥାଏ । ଚଞ୍ଚଳ ମନ ସ୍ୱରୂପ ବୋଧରେ ବାଧକ ଅଟେ । ଅତଃ ମନ ସ୍ଥିର ହେଲେଯାଇ ଇନ୍ଦ୍ରିୟସମୂହ ବିଷୟଗ୍ରହଣରୁ ନିବୃତ୍ତ ହୋଇଥାନ୍ତି । ବିଷୟସମୂହରୁ ନିବୃତ୍ତ ମନ ଯେତେବେଳେ ଆତ୍ମାକାରରେ ସ୍ଥିତ ହୁଏ, ସେତେବେଳେ ପରମ ଶାନ୍ତିମୟ ଅବସ୍ଥା ଉଦିତ ହୁଏ । ଏହି ଅବସ୍ଥା ହିଁ ପ୍ରକୃତ ଜ୍ଞାନର ଅବସ୍ଥା ଅବା ସ୍ୱ-ସ୍ୱରୂପାବସ୍ଥା ଅଟେ । ସ୍ୱରୂପରେ ସ୍ଥିତ ହେବାପରେ ଜୀବ ବ୍ରହ୍ମରୂପ ହୋଇଯାଏ, ଅଭୟ ପରମ ପଦ ପ୍ରାପ୍ତ କରିଥାଏ ।
ଯାହାଦ୍ୱାରା ଏହି ଅବସ୍ଥା ପ୍ରାପ୍ତ ହୁଏ, ଅବା ଏହାଙ୍କ ସମୀପରେ ପହଞ୍ଚିପାରେ, ତାହା ଧର୍ମ ଅଟେ । ଏଥିପାଇଁ ଧର୍ମତତ୍ତ୍ୱ ବଡ଼ ରହସ୍ୟମୟ ଅଟେ । ଧର୍ମତତ୍ତ୍ୱ ଲୌକିକ ଏବଂ ଅଲୌକିକ ଭେଦରେ ଦୁଇପ୍ରକାରର ଅଟେ ଏବଂ ଉଭୟ ରହସ୍ୟମୟ ଅଟେ । କୌଣସି ଏକ ପୁଣ୍ୟ କର୍ମ ଦ୍ୱାରା ଜୀବ ସୁକୃତି ସଞ୍ଚୟ କରିଥାଏ, ସେହି ସୁକୃତି ଯେପର୍ଯ୍ୟନ୍ତ ଫଳୀଭୂତ (କାର୍ଯ୍ୟକାରୀ) ହୋଇନାହିଁ ସେପର୍ଯ୍ୟନ୍ତ ତାହା ସଞ୍ଚିତ ରହିଥାଏ, ଅନ୍ୟ ଜନ୍ମରେ ଜୀବର ଦେହ-ମନ-ପ୍ରାଣରେ ସର୍ବତ୍ର ସେହି ପୁଣ୍ୟର ଛାପ ଲାଗିରହିଥାଏ, ସେହି ପୂର୍ବକୃତ ପୁଣ୍ୟ ସେହି ଜୀବକୁ ଦୈବୀ ସମ୍ପତ୍ତି ସହ ଯୁକ୍ତ କରିଦେଇଥାଏ । ଏହା କିପରି ହୁଏ, କିଏ କରେ, ଏହା ଜୀବବୁଦ୍ଧିର ଅଗୋଚର ଅଟେ । ହେଲେ କୌଣସି ଅଦୃଷ୍ଟ ଶକ୍ତିର ନିୟନ୍ତ୍ରଣରେ ଧର୍ମର ଏହି ଅମୋଘ ଫଳ ଫଳୀଭୂତ ହୁଏ । ଦୁଷ୍କୃତିର ଫଳ ମଧ୍ୟ ଏହିଭଳି ନିୟମରେ ସଂଘଟିତ ହୁଏ । ଏଥିପାଇଁ ଯେଉଁ କର୍ମ ଜୀବକୁ ଅନେକ ଦିନ ପରେ ମଧ୍ୟ ସୁଖ-ଦୁଃଖର ଭାଗୀ କରାଇଥାଏ, କଣ ତାହା ଏକ ଅସାଧାରଣ ବ୍ୟକ୍ତିର ଖେଳ ନୁହେଁ । ଏଥିପାଇଁ ଧର୍ମ ଅତିଶୟ ଗୁହ୍ୟ ଏବଂ ରହସ୍ୟମୟ ଅଟେ । ଏହା ତ ସାଧାରଣ ପୁଣ୍ୟ-ପାପର କଥା ଅଟେ, ଅତଃ ଅବିଦ୍ୟାର ବିଷୟ ଅଟେ । ଏବଂ ଯେଉଁ ଅଧ୍ୟାତ୍ମ ବିଦ୍ୟା ରହିଛି, ଯେଉଁ ବିଦ୍ୟା ସହାୟତାରେ ଜୀବ ଅଲୌକିକ ଶକ୍ତିସାମର୍ଥ୍ୟ ପ୍ରାପ୍ତ କରିଥାଏ, ଜଡ଼ତ୍ୱର ପ୍ରଭାବକୁ ଅତିକ୍ରମ କରି ଚିନ୍ମୟ ଭାବରେ ଅନୁରଞ୍ଜିତ ହୁଏ, ସେହି ସାଧନା ଏବଂ ତାହାର ଫଳ କଣ ଆହୁରି ଗୁହ୍ୟତର, ଦୁର୍ଲ୍ଲଭତର ରହସ୍ୟ ନୁହେଁ ? ହେଲେ ଆତ୍ମଜ୍ଞାନ ସମ୍ମୁଖରେ ଏ ସମସ୍ତ ମଧ୍ୟ ଅତି ତୁଚ୍ଛ ଅଟେ । ଏଥିପାଇଁ ଆତ୍ମଜ୍ଞାନ ସର୍ବଶ୍ରେଷ୍ଠ ଅଟେ ଆଉ ଏଥିପାଇଁ ତାହା ଗୁହ୍ୟତମ ଅଟେ । ଏହାଦ୍ୱାରା ପ୍ରତ୍ୟକ୍ଷାବଗମ ହୁଏ ଏବଂ ଏହାର ସାଧନା ମଧ୍ୟ କଷ୍ଟସାଧ୍ୟ ନୁହେଁ, ବରଂ ସୁଖସାଧ୍ୟ ଅଟେ—ଏହା ଭଗବାନ୍ କହିଛନ୍ତି । ଅନେକଙ୍କର ଏହି ଧାରଣା ରହିଛି କି, ଆତ୍ମଜ୍ଞାନପ୍ରାପ୍ତିର ଉପାୟ ନିମନ୍ତେ ଯେଉଁ ଭକ୍ତି ରହିଛି, ତାହାର କଥା ଏଠାରେ ଭଗବାନ୍ କହିବେ । ତାଙ୍କ ବିଚାରରେ ଭକ୍ତି ବ୍ରହ୍ମବିଦ୍ୟା ବୋଲାଏନାହିଁ । ତାଙ୍କ ମତରେ ବ୍ରହ୍ମବିଦ୍ୟାରୁ ଭକ୍ତି ପୃଥକ୍ ବସ୍ତୁ ଅଟେ । ହେଲେ ଏହା ଠିକ୍ ନୁହେଁ । ଯଦ୍ଦ୍ୱାରା ଭଗବତ୍ ପ୍ରାପ୍ତି ହୁଏ, ଆତ୍ମଦର୍ଶନ ପ୍ରାପ୍ତ ହୁଏ, ତାହା ବ୍ରହ୍ମବିଦ୍ୟା ଅଟେ । ଏହି କାରଣରୁ ଭକ୍ତି ମଧ୍ୟ ବ୍ରହ୍ମବିଦ୍ୟା ଅନ୍ତର୍ଗତ ଅଟେ । ଶୁଦ୍ଧ ଜ୍ଞାନମାର୍ଗ ଅବା ଯୋଗମାର୍ଗ ହିଁ ବ୍ରହ୍ମବିଦ୍ୟାର ମାର୍ଗ ନୁହେଁ । ଯାହାଦ୍ୱାରା ପରମାନନ୍ଦରୂପ ବ୍ରହ୍ମଙ୍କର ପ୍ରତ୍ୟକ୍ଷାନୁଭବ ହୁଏ, ତଦନୁରୂପ ସାଧନ-ଭଜନରେ ପ୍ରବୃତ୍ତି ହେବା ହିଁ ଭକ୍ତିର ଲକ୍ଷଣ ଅଟେ । ଭଗବାନଙ୍କ ଭଜନରେ ସୁଖ ଏବଂ ଶାନ୍ତିବୋଧ ହେଉଥିବାରୁ ତାହା ଜ୍ଞାନ, ଯୋଗ ଅବା କର୍ମ ଦ୍ୱାରା ହେଉ, ସେହି ଭକ୍ତି-ଲକ୍ଷଣରେ ଯୁକ୍ତ ବ୍ରହ୍ମବିଦ୍ୟା ଅଟେ । ଭାଗବତରେ ଲେଖା ଯାଇଛି—
ତଚ୍ଛଦ୍ଦଧାନା ମୁନୟୋ ଜ୍ଞାନବୈରାଗ୍ୟଯୁକ୍ତୟା ।
ପଶ୍ୟନ୍ତ୍ୟାତ୍ମନି ଚାତ୍ମାନଂ ଭକ୍ତ୍ୟା ଶ୍ର ତଗୃହୀତୟା ।।
ଯିଏ ଶ୍ରଦ୍ଧାଳୁହୋଇ ସାଧନାରେ ପ୍ରବୃତ୍ତ ହୋଇଥାନ୍ତି, ସେହି ମନନଶୀଳ ପୁରୁଷ ଶାସ୍ତ୍ରାନୁମୋଦିତ ଭକ୍ତି ଦ୍ୱାରା ତଥା ତା ସହିତ ଯଦି ଜ୍ଞାନ ଏବଂ ବୈରାଗ୍ୟ ମିଳିତ ହୁଏ ତେବେ ସେ ପ୍ରକାର ସାଧନା ଦ୍ୱାରା ସେହି ବିଶ୍ୱାତ୍ମା ଭଗବାନଙ୍କୁ ନିଜ ଚିତ୍ତରେ ଅନୁଭବ କରିଥାନ୍ତି । ବ୍ରହ୍ମ ଅର୍ଥାତ୍ ପରମାତ୍ମାଙ୍କୁ ଜୀବାତ୍ମା ସହିତ ଅଭେଦ ଭାବରେ ଅନୁଭବ କଲେ ହିଁ ଜୀବ ବ୍ରହ୍ମଙ୍କ ସହ ଯୋଗଯୁକ୍ତ ହୁଏ । ଏହି ଯୋଗଯୁକ୍ତ ଅବସ୍ଥାରେ ସବୁକିଛି ଚିତ୍ତରେ ପରମାନନ୍ଦ ଦ୍ୱାରା ପରିବ୍ୟାପ୍ତ ଥିବା କଥା ଜଣାଯାଏ ଆଉ ସେହି ଆନନ୍ଦରେ ଆମର ବୁଦ୍ଧି ମିଳିତ ହୋଇ ଏକ ହୋଇଯାଏ । ଏଥିରୁ ଜୀବକୁ ଆନନ୍ଦ ମିଳିଥାଏ, ଅତଃ ଭଗବାନଙ୍କୁ ମଧ୍ୟ ଆନନ୍ଦ ମିଳିଥାଏ । କାହିଁକି ନାଁ ସେ ସମୟରେ ଉଭୟେ ଏକ ହୋଇଯାନ୍ତି ଆଉ ଉଭୟଙ୍କର ଆନନ୍ଦ ଜଣଙ୍କର ଆନନ୍ଦ ହୋଇଯାଏ । ଏହା ବସ୍ତୁତଃ ଭାଗବତୋକ୍ତ ‘ହରିତୋଷଣଂ’ ଅଟେ । ଉତ୍ତମ ରୀତିରେ ଧର୍ମ ଅନୁଷ୍ଠିତ ହେଲେ ତାହାର ଫଳ ହୁଏ—ଭଗବାନଙ୍କର ସନ୍ତୋଷ ଏବଂ ଭକ୍ତର ଆନନ୍ଦ । ଏହା ପ୍ରକୃତ ଆତ୍ମଜ୍ଞାନ ଅଟେ ।
ଅତଃ ଆତ୍ମଜ୍ଞାନ ଦ୍ୱାରା ତାଙ୍କର ପ୍ରତ୍ୟକ୍ଷ ଅନୁଭବ କରାଯାଏ । ଭଗବାନ୍ କହୁଛନ୍ତି କି, ସେହି ଆତ୍ମଜ୍ଞାନ କ୍ଲେଶସାଧ୍ୟ ନୁହେଁ । ଆତ୍ମଜ୍ଞାନ ଦ୍ୱାରା ପରମାନନ୍ଦର ଉପଲବ୍ଧି ସୁଖ-ସାଧ୍ୟ ତ ଅଟେ, ହେଲେ ଯିଏ ଆତ୍ମଜ୍ଞାନର ପ୍ରାପ୍ତି ନିମନ୍ତେ ଉପଯୁକ୍ତ ନୁହଁନ୍ତି, ସେ ଯଦି ତାହାର ପ୍ରାପ୍ତି ନିମନ୍ତେ ଚେଷ୍ଟା କରନ୍ତି, ତେବେ ତାଙ୍କ ପାଇଁ ତାହା ସୁଖସାଧ୍ୟ ହେବନାହିଁ । ଧ୍ୟାନ ଦ୍ୱାରା ଚିତ୍ତର ଶୁଦ୍ଧି ହେଲେ ଅଜ୍ଞାନର ନିବୃତ୍ତି ହୁଏ, ତତ୍ପଶ୍ଚାତ୍ ଧ୍ୟେୟ ବସ୍ତୁର ପ୍ରତ୍ୟକ୍ଷ ଅନୁଭବ ହୁଏ । ଏହା ପ୍ରକୃତ ଜ୍ଞାନ ଅଟେ । ଯେଉଁ ବିଦ୍ୟା ଦ୍ୱାରା ସାଧକ ଏହି ଧ୍ୟେୟବସ୍ତୁକୁ ଜାଣନ୍ତି ସେହି ବିଦ୍ୟା ଶ୍ରେଷ୍ଠ ବିଦ୍ୟା ଅଟେ ଆଉ ଗୁହ୍ୟ ବିଦ୍ୟାସମୂହ ମଧ୍ୟରେ ତାହା ସର୍ବଶ୍ରେଷ୍ଠ ଅଟେ ।
ଯୋନିମୁଦ୍ରାରେ ଜ୍ୟୋତିର୍ମୟ କୂଟସ୍ଥ ମଣ୍ଡଳ ଦୃଶ୍ୟ ହୁଏ, ତନ୍ମଧ୍ୟରେ କେତେ ଦେବତା, ଋଷି, ମୁନି ବସିଥିବାର ଦେଖାଯାଏ । ସେହି କୂଟସ୍ଥର କୃଷ୍ଣବର୍ଣ୍ଣ କାରଣବାରି ଭିତରେ ପୁରୁଷୋତ୍ତମ ନାରାୟଣଙ୍କର ଦର୍ଶନ ହୁଏ । କ୍ରିୟାଭ୍ୟାସ କରିକରି ଯିଏ ଦେବତା ହୋଇଯାଇଛନ୍ତି, ସେ ସମସ୍ତ ନରଦେବତା ତାଙ୍କୁ ପ୍ରତ୍ୟକ୍ଷ ଅନୁଭବ କରିପାରନ୍ତି । ସେ ଦେଖନ୍ତି କି, ଆଜ୍ଞାଚକ୍ରର ତ୍ରିକୁଟୀ ଭିତରେ ଜ୍ୟୋତିର୍ମୟ ସନକାଦି ଋଷିଗଣ, ନାରଦାଦି ଦେବର୍ଷିଗଣ ସମସ୍ତେ ତାଙ୍କର ସ୍ତବନ କରୁଛନ୍ତି । ତୁମେ ମଧ୍ୟ ମୁକ୍ତ ହେଲେ ତାଙ୍କଠାରେ ନିଜକୁ ଦେଖିପାରିବ । ଏହା ଅତ୍ୟନ୍ତ ରହସ୍ୟମୟ ସାଧନା ଅଟେ । ଗୁରୁ ଏହାକୁ ସହଜରେ କାହାକୁ ପ୍ରଦାନ କରନ୍ତି ନାହିଁ । ଅତ୍ୟନ୍ତ ରହସ୍ୟମୟ ହୋଇଥିବା କାରଣରୁ ଏହାକୁ ରାଜବିଦ୍ୟା ଏବଂ ରାଜଗୁହ୍ୟ କୁହାଯାଏ ତଥାପି ଏହି ସାଧନା ବହୁତ କଠିନ ନୁହେଁ । ଏହାର ଫଳ ପ୍ରତ୍ୟକ୍ଷ ଏବଂ ସ୍ଥାୟୀ ଅଟେ । ସଦ୍ଗୁରୁଙ୍କଠାରୁ ଏହି ସାଧନାକୁ ଜାଣି ସାଧନ କଲେ ସାଧକ କୃତାର୍ଥ ହୋଇପାରିବେ, ହେଲେ ସୌଭାଗ୍ୟ ଉଦୟ ନହେବାଯାଏ କାହାରିକୁ ସଦ୍ଗୁରୁଙ୍କର ପ୍ରାପ୍ତି ହୋଇନଥାଏ ।
ପ୍ରାଣାୟାମରୂପୀ ଆତ୍ମକର୍ମ ଦ୍ୱାରା ପ୍ରାଣ ସ୍ଥିର ହେବାପରେ ମନ ଅବରୋଧ ହୋଇଯାଏ । ସେହି ଅବସ୍ଥାରେ ଯାହା ବୋଧ ହୁଏ, ତାହା ସାଧାରଣ ବୁଦ୍ଧି ନିମନ୍ତେ ଗମ୍ୟ ନୁହେଁ । ସେହି ବୁଦ୍ଧିର ଉଦୟ ହେଲେ ଅନେକ ଗୁହ୍ୟରୁ ଗୁହ୍ୟତର ବିଷୟସମୂହର ସନ୍ଧାନ ମିଳିଥାଏ । ଏହି ସାଧନାରେ ପରିପକ୍ୱ ହେଲେ ଯେଉଁ ପରାବସ୍ଥାର ପ୍ରକାଶ ହୁଏ ଏବଂ ସେଥିରୁ ଯେଉଁ ଜ୍ଞାନ ପ୍ରାପ୍ତି ହୁଏ ତାହା ପରାବୁଦ୍ଧି ଅଟେ । ବ୍ରହ୍ମ ସେହି ବୁଦ୍ଧିଦ୍ୱାରା ଗମ୍ୟ ଅଟନ୍ତି । ସେ ସମୟରେ ଏହି ଅନନ୍ତ ଦୃଶ୍ୟ ଏକ ମଧ୍ୟରେ ଲୟ ହୋଇ ଏକ ହୋଇଯାଏ । ହୃଦୟ, ପ୍ରାଣ ଏବଂ ମନ—ଏ ତ୍ରୟ କ୍ରିୟାର ଅଧିଷ୍ଠାନ କ୍ଷେତ୍ର ଅଟେ, ଏ ତ୍ରୟର ବିଭିନ୍ନ କାର୍ଯ୍ୟ ଏବଂ ଶକ୍ତିସମୂହ ଯେତେବେଳେ ବ୍ରହ୍ମରେ ସ୍ଥିତିଲାଭ କରନ୍ତି, ଯେତେବେଳେ ସାଧକ ବ୍ରହ୍ମ ମୟ ହୋଇଯାଏ । ସେତେବେଳେ ମନ ନିଶାସକ୍ତଙ୍କ ଭଳି ନିଶ୍ଚେଷ୍ଟ ହୋଇଯାଏ । ସେ ଜାଗ୍ରତ ରହିଥାଏ, ଦେଖିଥାଏ, ସବୁକିଛି କରିଥାଏ, ହେଲେ କିଛି ବି ତା ମନକୁ ସ୍ପର୍ଶ କରିପାରେ ନାହିଁ । ଏହି ଅବସ୍ଥାରେ ଯିଏ ରହନ୍ତି, ତାଙ୍କୁ ହିଁ ଅମରପଦ ପ୍ରାପ୍ତ ହୁଏ । ଏହି ଅବସ୍ଥାରେ ଯିଏ ସର୍ବଦା ଅବସ୍ଥାନକରେ, ତାକୁ ଆତ୍ମାକାରରେ ଅବସ୍ଥିତ ବୋଲି ବୁଝିବା ଆବଶ୍ୟକ । ଏହି ଅବସ୍ଥାକୁ ପ୍ରାପ୍ତ ନକରି ‘ଅଦ୍ୱୟ ଜ୍ଞାନତତ୍ତ୍ୱ କଣ ଅଟେ’—ଏହା ବୁଝିହୁଏ ନାହିଁ । ଏ ଅବସ୍ଥାରେ ଅବସ୍ଥିତ ସାଧକ କ୍ଷିତି, ଆପ୍, ତେଜ, ମରୁତ୍ ଏବଂ ବ୍ୟୋମ ଭିତରେ ଯେଉଁ ନିରଞ୍ଜନ ବ୍ରହ୍ମ ଅବସ୍ଥାନ କରନ୍ତି, ତାହାର ଅନୁଭବ କରିପାରେ । ସେ ସମୟରେ ସାଧକ ମଧ୍ୟ ବ୍ରହ୍ମରୂପ ହୋଇଯାଏ—“ବ୍ରହ୍ମମୟୀଙ୍କ ପୂଜାର ପୂଜାରୀ ବ୍ରହ୍ମମୟ” ହୋଇଥାନ୍ତି । ସ୍ୱୟଂ ବ୍ରହ୍ମମୟ ନହେଲେ ଏପରି ବୋଧ ହେବା ସମ୍ଭବ ନୁହେଁ । ବ୍ରହ୍ମ ଇନ୍ଦ୍ରିୟ ବୋଧଗମ୍ୟ ପଦାର୍ଥ ନୁହେଁ, ସେ ନିଜବୋଧମାତ୍ର ଅଟନ୍ତି । ଯିଏ ଏହି ଅବସ୍ଥାକୁ ପ୍ରାପ୍ତ ହୁଅନ୍ତି, ସେ କୃତକୃତ୍ୟ ହୋଇଯାନ୍ତି । ଶ୍ୱେତାଶ୍ୱତର ଉପନିଷଦ୍ରେ ଲେଖାଅଛି—
ଯଥୈବ ବିମ୍ବଂ ମୃଦୟୋପଲିପ୍ତଂ ତେଜୋମୟଂ ଭ୍ରାଜତେ ତତ୍ସୁଧାତମ୍ ।
ତଦ୍ୱାତ୍ମତତ୍ତ୍ୱଂ ପ୍ରସମୀକ୍ଷ୍ୟ ଦେହୀ ଏକଃ କୃତାର୍ଥୋ ଭବତେ ବୀତଶୋକଃ ।।
ଯଦାତ୍ମତତ୍ତ୍ୱେନ ତୁ ବ୍ରହ୍ମତତ୍ତ୍ୱଂ ଦୀପୋପମେନେହ ଯୁକ୍ତଃ ପ୍ରପଶ୍ୟେତ୍ ।
ଅଜଂ ଧ୍ରୁବଂ ସର୍ବତତ୍ତ୍ୱୈ ର୍ବିଶୁଦ୍ଧଂ ଜ୍ଞାତ୍ୱା ଦେବଂ ମୁଚ୍ୟତେ ସର୍ବପାଶୈଃ ।। ୨/୧୪—୧୫ ।।
ଯେଉଁଭଳି ମୃତ୍ତିକା ଦ୍ୱାରା ଅନୁଲିପ୍ତ ବର୍ଣ୍ଣ ଉତ୍ତମରୂପେ ପ୍ରକ୍ଷାଳିତ ହେବାପରେ ତେଜୋମୟ ରୂପ ଧାରଣ କରିଥାଏ, ସେହିଭଳି ଦେହୀ ଆତ୍ମତତ୍ତ୍ୱର ଦର୍ଶନକରି ଦ୍ୱିତୀୟରହିତ (ଅର୍ଥାତ୍ ଏକ) ହୋଇ ଶୋକହୀନ ଏବଂ କୃତାର୍ଥ ହୋଇଯାଏ । (ଜୀବ ଶୋକରହିତ ଅବସ୍ଥାକୁ କିପରି ପ୍ରାପ୍ତ ହୁଏ ? ଏ ସମ୍ପର୍କରେ କୁହାଯାଇଛି)—ଯେତେବେଳେ ଜୀବ ଦୀପସଦୃଶ ପ୍ରକାଶଯୁକ୍ତ ଆତ୍ମତତ୍ତ୍ୱ ଯୁକ୍ତ ହୋଇ ନିଜ ଆତ୍ମାରେ ବ୍ରହ୍ମତତ୍ତ୍ୱର ଦର୍ଶନ କରେ, ସେତେବେଳେ ଅଜ, ଧ୍ରୁବ, ସର୍ବ ତତ୍ତ୍ୱରେ ବିଶୁଦ୍ଧ ଅବା ତତ୍ତ୍ୱାତୀତ ବ୍ରହ୍ମଙ୍କୁ ଅବଗତ ହୋଇ ସର୍ବପାଶରୁ ମୁକ୍ତ ହୋଇଯାଏ ।
ଶ୍ରୀ ବିଷ୍ଣୁ ଧର୍ମରେ ମଧ୍ୟ ଏ କଥା ମିଳେ—
ପଶ୍ୟତ୍ୟାତ୍ମାନମନ୍ୟନ୍ତୁ ଯାବଦ୍ୱୈ ପରମାତ୍ମନଃ ।
ତାବତ୍ ସ ଭ୍ରାମ୍ୟତେ ଜନ୍ତୁର୍ମୋହିତୋ ନିଜକର୍ମଣା ।।
ସଂକ୍ଷୀଣାଶେଷକର୍ମା ତୁ ପରଂ ବ୍ରହ୍ମ ପ୍ରପଶ୍ୟତି ।
ଅଭେଦେନାତ୍ମନଃ ଶୁଦ୍ଧଂ ଶୁଦ୍ଧତ୍ୱାଦକ୍ଷୟୋ ଭବେତ୍ ।।
ଜନ୍ତୁ ଅର୍ଥାତ୍ ଅଜ୍ଞ ଜୀବ ଯେପର୍ଯ୍ୟନ୍ତ ନିଜକୁ ପରମାତ୍ମାଙ୍କଠାରୁ ଅନ୍ୟ ଅବା ପୃଥକ୍ ଦେଖେ, ସେପର୍ଯ୍ୟନ୍ତ ନିଜ କର୍ମଫଳରେ ବିମୋହିତ ହୋଇ ସଂସାରରେ ପରିଭ୍ରମଣ କରିଥାଏ । ହେଲେ ଯିଏ ନିଃଶେଷରୂପେ କର୍ମକ୍ଷୟ କରିବାପୂର୍ବକ ନିଜ ସହିତ ଅଭିନ୍ନରୂପେ ବିଶୁଦ୍ଧ ପରଂବ୍ରହ୍ମଙ୍କୁ ଦେଖନ୍ତି, ସେ ସ୍ୱୟଂ ଶୁଦ୍ଧ ହୋଇଯାନ୍ତି ଆଉ ତାଙ୍କର ମୃତ୍ୟୁଭୟ ଦୂର ହୋଇଯାଏ ।
ବୃହଦାରଣ୍ୟକରେ ମଧ୍ୟ ଏହିଭଳି ଭେଦଦର୍ଶନର ଅଶୁଭ ଫଳ ବର୍ଣ୍ଣିତ ଅଛି—“ଯ ଏବଂ ବେଦାହଂ ବ୍ରହ୍ମାସ୍ମୀତି, ସ ଇଦଂ ସର୍ବଂ ଭବତୀତି, ତସ୍ୟ ହ ନ ଦେବାଶ୍ଚ ନାଭୂତ୍ୟା ଈଶତେ । ଆତ୍ମା ହ୍ୟେଷାଂ ସ ଭବତି । ଅଥ ଯୋଽନ୍ୟାଂ ଦେବତାମୁପାସ୍ତେଽନ୍ୟୋଽସାବନ୍ୟୋଽହମସ୍ମୀତି, ନ ସ ବେଦ, ଯଥା ପଶୁରେବ ସ ଦେବାନାମ୍”—ଯିଏ ଏହିଭଳି ଜାଣନ୍ତି କି, ମୁଁ ହିଁ ବ୍ରହ୍ମ ଅଟେ, ସେହିଁ ସର୍ବମୟ ହୋଇଥାନ୍ତି । ଦେବତାମାନେ ମଧ୍ୟ ତାଙ୍କର ଅନିଷ୍ଟ କରିବାପାଇଁ ସମର୍ଥ ହୋଇପାରନ୍ତି ନାହିଁ, କାରଣ ସେ ସେମାନଙ୍କର ମଧ୍ୟ ଆତ୍ମସ୍ୱରୂପ ହୋଇଯାନ୍ତି । (ଆତ୍ମାର ଅନିଷ୍ଟ କରିବାରେ କାହାରି ପ୍ରବୃତ୍ତି ହୋଇନଥାଏ) ଆଉ ଯେଉଁମାନେ ମୁଁ ଅନ୍ୟ ଅଟେ, ଆମର ଉପାସ୍ୟ ଦେବତା ଅନ୍ୟ କେହି ଅଟନ୍ତି, ଏହି ଭାବରେ ଅନ୍ୟ ଦେବତାଙ୍କର ଉପାସନା କରନ୍ତି, ସେମାନେ ଜାଣନ୍ତି ନାହିଁ । ସେହି ଅଜ୍ଞ ଲୋକେ, ଯେଉଁଭଳି ଗୃହସ୍ଥ ନିମନ୍ତେ ପଶୁ ହୁଏ, ସେହିଭଳି, ଦେବତାମାନଙ୍କ ସମ୍ମୁଖରେ ପଶୁତୁଲ୍ୟ ହୋଇଥାନ୍ତି । ଭଗବାନଙ୍କ ସ୍ୱରୂପରେ ଦ୍ୱୈତଭାବ ନାହିଁ । କ୍ରିୟାର ପରାବସ୍ଥାରେ ଯାହାଙ୍କର ଦ୍ୱୈତଭାବ ଦୂର ହୋଇଯାଏ, ତାଙ୍କୁ ହିଁ ଯଥାର୍ଥରେ ଅଦ୍ୱୈତ ଜ୍ଞାନ ପ୍ରାପ୍ତ ହୁଏ । ଏହା ଆତ୍ମଜ୍ଞାନ ଅଟେ । ସାଧନା ଦ୍ୱାରା ଭଗବାନଙ୍କ ବିଶୁଦ୍ଧ ସ୍ୱରୂପର ପ୍ରତ୍ୟକ୍ଷ ଅନୁଭବ ନ ହେବାଯାଏ କାହରି ଅଜ୍ଞାନ ନିବୃତ୍ତି ହୋଇନଥାଏ । ପ୍ରାଣାୟାମ ଦ୍ୱାରା ଚଞ୍ଚଳ ଚିତ୍ତ ନିରୁଦ୍ଧ ନହେବାଯାଏ ଭଗବାନଙ୍କ ସ୍ୱରୂପ (ଜ୍ଞାନ) କାହାରି ବୋଧଗମ୍ୟ ବିଷୟ ହୋଇନଥାଏ । ଅତଃ ଉଚ୍ଚ ସାଧକଙ୍କ ନିମନ୍ତେ ଏହା ସୁଖସାଧ୍ୟ ହେବାପରେ ମଧ୍ୟ ଅଯୋଗୀ ପୁରୁଷଙ୍କ ନିମନ୍ତେ ନିଶ୍ଚିତରୂପେ ସୁଖସାଧ୍ୟ ନୁହେଁ ।।୨।।
ଯେଉଁ ପୁରୁଷ ବ୍ରହ୍ମରେ ଅବସ୍ଥାନ କରନ୍ତି ନାହିଁ, ସେ କ୍ରିୟା କରନ୍ତି ନାହିଁ—ଅତଃ ମୋତେ ପ୍ରାପ୍ତ କରିପାରନ୍ତି ନାହିଁ । ନପାଇ ଆତ୍ମାରୁ ନିବୃତ୍ତ ହୋଇ ଅନ୍ୟ ବସ୍ତୁରେ ଆସକ୍ତିପୂର୍ବକ ଦୃଷ୍ଟି ରଖିବାପୂର୍ବକ ବିଷୟଭୋଗରେ ଅର୍ଥାତ୍ ଫଳାକାଂକ୍ଷା ସହିତ କର୍ମ କରି ଫଳଭୋଗ କରନ୍ତି—ତାଙ୍କ ଦ୍ୱାରା ଭୋଗ ନିମନ୍ତେ ମୃତ୍ୟୁ ଏବଂ ଜନ୍ମ ହୁଏ ।
ଦ୍ରଷ୍ଟା ଏବଂ ଦୃଶ୍ୟର ସମ୍ବନ୍ଧ ଯେତେବେଳେ ସଂଘଟିତ ହୁଏ, ସେତେବେଳେ ତାହା ଦ୍ରଷ୍ଟାର ଭୋଗ ବୋଲାଏ । ଯେତେବେଳେ ଏହି ଜଗତ ଆଦି ବିଷୟସମୂହ ସହ ‘ମୁଁ’ର ସମ୍ବନ୍ଧ ହୁଏ, ସେତେବେଳେ ଜଗତଆଦି ବିଷୟ ‘ମୁଁ’ର ଭୋଗ ରୂପରେ ସମ୍ବନ୍ଧିତ ହୁଏ । ସେଥିରେ କିଛି ବିଷୟ ସୁଖରୂପରେ ଆଉ କିଛି ଦୁଃଖରୂପରେ ପ୍ରକାଶିତ ହୁଏ । ଚିତ୍ତରେ ଏମାନଙ୍କର ସଂସ୍କାର ନିହିତ ରହିଥାଏ, ଏହାଦ୍ୱାରା ଦୁଃଖ ପ୍ରତି ଦ୍ୱେଷ ଏବଂ ସୁଖ ପ୍ରତି ଆସକ୍ତି ହୁଏ । ଏହି ଆସକ୍ତି ଏବଂ ଦ୍ୱେଷଭାବ କାରଣରୁ ଜୀବର ବନ୍ଧନ ହୁଏ । ଯଦିଓ ପୁରୁଷ (ଆତ୍ମା)ରେ କେବଳ ଦ୍ରଷ୍ଟୃତ୍ୱ ଭାବ ରହିଛି, ତଥାପି ତାହା ବୁଦ୍ଧିର ପ୍ରତିସଂବେଦୀ ହୋଇଥିବା କାରଣରୁ ବୁଦ୍ଧିର ବନ୍ଧନରୁ ନିଜକୁ ବନ୍ଧନଗ୍ରସ୍ତ ମନେକରିଥାଏ । ଜ୍ଞାନେନ୍ଦ୍ରିୟ ଏବଂ କର୍ମେନ୍ଦ୍ରିୟ ଦ୍ୱାରା ଯେଉଁଭଳି ବିଷୟ ଗ୍ରହଣ କରାଯାଏ, ଚିତ୍ତରେ ସେହିଭଳି ଧାରଣା ସୃଷ୍ଟି ହୁଏ । ସେହି ଧାରଣା ଦ୍ୱାରା ସୁଖ-ଦୁଃଖର ସଂସ୍କାର ଉତ୍ପନ୍ନ ହୁଏ । ଏହାଦ୍ୱାରା କିଛି ବିଷୟର ତ୍ୟାଗ ଏବଂ କିଛି ବିଷୟର ଗ୍ରହଣ କରିବାର ପ୍ରବୃତ୍ତି ଜାତ ହୁଏ । ବ୍ୟୁତ୍ଥିତ ଚିତ୍ତରେ ଏହି ସଂସ୍କାର ଜାଗ୍ରତ ହୋଇ ଗ୍ରହଣ ଏବଂ ତ୍ୟାଗ ବୁଦ୍ଧିକୁ ପ୍ରବୃତ୍ତ କରିଥାଏ । ମଳିନ ବୁଦ୍ଧିରେ ଦ୍ରଷ୍ଟା ଏବଂ ଦୃଶ୍ୟର ଭେଦଜ୍ଞାନ ହୁଏ ଆଉ ସେହି ବୁଦ୍ଧିରେ ନିଶ୍ଚୟାତ୍ମିକା ବୃତ୍ତି ହେବା କାରଣରୁ ଭେଦ-ଜ୍ଞାନ ତିରୋହିତ ହୁଏନାହିଁ । ଅତଃ ସଂସାର ପ୍ରବାହ ଅବିରାମ ଗତିରେ ଚାଲିଥାଏ । ଏହି ଚିତ୍ତରେ ଧର୍ମସାଧନ କରାଯିବାପରେ ମଧ୍ୟ ତାହା ଧର୍ମର ବିମୁଖ ହୁଏ, ଯଥାର୍ଥ ଭଗବନ୍ମୁଖୀ ପ୍ରବୃତ୍ତିର ଉଦୟ ହୋଇନଥାଏ । ଏହି ଅବସ୍ଥାରେ ସାଂସାରିକ ବିଷୟଭୋଗ ହେୟ ମନେହୁଏନାହିଁ ବରଂ ଉପାଦେୟ ଭଳି ବୋଧ ହୁଏ । ସତ୍ସଙ୍ଗ ଏବଂ ଶୁଦ୍ଧ ବୁଦ୍ଧିର ପ୍ରଭାବରୁ ଦ୍ରଷ୍ଟା ଏବଂ ଦୃଶ୍ୟର ପାର୍ଥକ୍ୟ ନିଶ୍ଚିତ ହୋଇଯିବାପରେ ମନୋଯୋଗର ହ୍ରାସ ତ ହୁଏ, ହେଲେ ପୂର୍ବସଞ୍ଚିତ ବିଷୟଜ୍ଞାନର ସଂସ୍କାର ପ୍ରାଣ ମଧ୍ୟରେ ନିହିତ ଥାଏ ଏଥିପାଇଁ ଚଞ୍ଚଳ ପ୍ରାଣର ଗମନାଗମନ ସହିତ ସେ ସମସ୍ତ ସଂସ୍କାର ମନରେ ଏବଂ ସେଠାରୁ ଇନ୍ଦ୍ରିୟମାନଙ୍କ ମଧ୍ୟରେ ପୁନରାବର୍ତ୍ତନ କରିଥାଏ । ଅତଃ ଚିତ୍ତକୁ ଶୁଦ୍ଧ କରିବାକୁ ହେଲେ ପ୍ରାଣକୁ ଶୁଦ୍ଧ କରିବାପାଇଁ ପଡ଼ିବ । କ୍ରିୟା ଦ୍ୱାରା ପ୍ରାଣର ଏ ସମସ୍ତ ସଂସ୍କାର କ୍ଷୀଣ କରାଯାଏ । ପ୍ରାଣ ମଧ୍ୟରୁ କୌଣସି ପ୍ରକାର ଚିନ୍ତନର ସଂସ୍କାର ନଷ୍ଟ ହୋଇଗଲେ ତାହା ଆଉ ମନକୁ ଆସିପାରେ ନାହିଁ । ଏହି କାରଣରୁ ଶୁଦ୍ଧ ପ୍ରାଣରେ ବିଷୟାସକ୍ତି ହୁଏନାହିଁ, ସେ ସମୟରେ ଚିତ୍ତର ସ୍ପନ୍ଦନ ମଧ୍ୟ ରହେନାହିଁ । ଏପ୍ରକାରର ନିରୁଦ୍ଧ ଚିତ୍ତ ହିଁ ଜୀବର ଜନ୍ମମରଣର ବାଧକ ହୁଏ । ପ୍ରାଣକୁ ଶୁଦ୍ଧ କରିବା ଅବା ଚିତ୍ତକୁ ସ୍ପନ୍ଦନରହିତ କରିବା ହିଁ ସାଧନାର ଏକମାତ୍ର ଉଦ୍ଦେଶ୍ୟ ଅଟେ । ଯିଏ କ୍ରିୟାସାଧନ କରେନାହିଁ, ତାଙ୍କର ଚିତ୍ତ ଏକାଗ୍ର ହୋଇ ଆତ୍ମାରେ ସ୍ଥିତ ହୋଇପାରେ ନାହିଁ, ଅତଃ ତାହା ଆତ୍ମା ସହିତ ଯୋଗଯୁକ୍ତ ନ ହୋଇପାରିବା କାରଣରୁ ବିଷୟାନ୍ତରରେ ମନକୁ ସ୍ଥିତ କରାଇବାପାଇଁ ଚେଷ୍ଟା କରିଥାଏ, ଏହିଭଳି ଭାବରେ ଶ୍ରଦ୍ଧା-ଭକ୍ତିଶୂନ୍ୟ ଜୀବ ପରମାନନ୍ଦ ଲାଭରୁ ବଞ୍ଚିତ ହୋଇ ବାରମ୍ବାର ଆବାଗମନ ଚକ୍ରରେ ପଡ଼ିଥାଏ । ଜୀବର ପ୍ରାଣପ୍ରବାହ ବହିର୍ମୁଖ ହୋଇଥିବା କାରଣରୁ ଜୀବର ବିଷୟାସକ୍ତି ଦୂର ହୁଏନାହିଁ, ଏହିକାରଣରୁ ତାହାର ଅଜ୍ଞାନାନ୍ଧକାର ତଦ୍ବତ୍ ରହିଥାଏ ।
ନ ସାମ୍ପରାୟଃ ପ୍ରତିଭାତି ବାଳଂ
ପ୍ରମାଦ୍ୟନ୍ତଂ ବିତ୍ତମୋହେନ ମୂଢ଼ମ୍ ।
ଅୟଂ ଲୋକୋ ନାସ୍ତି ପର ଇତି ମାନୀ
ପୁନଃ ପୁନର୍ବଶମାପଦ୍ୟତେ ମେ ।।କଠ.ଉପ।।
ବିବେକହୀନ ମନୁଷ୍ୟ ସମ୍ମୁଖରେ ସାମ୍ପରାୟ ପ୍ରତିଭାତ ହୁଏନାହିଁ । ପରଲୋକରେ ସଦ୍ଗତି ପ୍ରାପ୍ତି ନିମିତ୍ତ ସାଧନାବିଶେଷକୁ ‘ସାମ୍ପରାୟ’ କହନ୍ତି । ଯିଏ ପ୍ରମାଦୀ ଅର୍ଥାତ୍ ପୁତ୍ରଧନାଦିରେ ଆସକ୍ତି ଚିତ୍ତ ହୁଏ, ଯିଏ ଚିତ୍ତଜନିତ ମୋହରୁ ବିମୂଢ଼ ହେଉଥାଏ, ଏପ୍ରକାର ମନୁଷ୍ୟ ସମ୍ମୁଖରେ ମଧ୍ୟ ସମ୍ପରାୟ ପ୍ରକଟ ହୁଏନାହିଁ । ଆଉ ଯିଏ ଏହିଭଳି ମାନିଥାନ୍ତି କି, ଏହା ପରିଦୃଶ୍ୟମାନ ଜଗତ ଅଟେ ଆଉ ଅପ୍ରତ୍ୟକ୍ଷ କୌଣସି ଲୋକ ନାହିଁ, ସେହି ଅଭିମାନଗ୍ରସ୍ତ ଜୀବ ବାରମ୍ବାର ମୃତ୍ୟୁରୂପୀ ମୋର ବଶ୍ୟତାକୁ ପ୍ରାପ୍ତ ହୋଇଥାନ୍ତି ଅର୍ଥାତ୍ ସେମାନଙ୍କର ଜନ୍ମମରଣଜନିତ ଦୁଃଖପ୍ରବାହର ମଧ୍ୟ ଅନ୍ତ ହୁଏନାହିଁ । ସେ ହିଁ ଆତ୍ମପ୍ରବଞ୍ଚିତ ଜୀବ ଅଟନ୍ତି । ସେ ଆସ୍ତିକ୍ୟବୁଦ୍ଧିରେ ଯୁକ୍ତ ହେବାପରେ ମଧ୍ୟ ଆତ୍ମଜ୍ଞାନର ପ୍ରାପ୍ତି ମାର୍ଗ ନଜାଣି ଏହି ଜନ୍ମମରଣ ସଂକଳ୍ପ ସୁଖଦୁଃଖର ଅଗ୍ନିମୟୀ ଜ୍ୱାଳାରେ ନିରନ୍ତର ଦଗ୍ଧ ହୋଇଥାନ୍ତି ।।୩।।
ଯେତେବେଳେ ଏହି ଜଗତ୍ କୌଣସି କଥାକୁ ବୁଝିପାରେ ନାହିଁ—ସେ ସମୟରେ ମୁଁ ଏ ସମସ୍ତ ମଧ୍ୟରେ ବିଦ୍ୟମାନ ଥାଏ—ମୋଠାରେ ସମସ୍ତେ ବିଦ୍ୟମାନ ଥାନ୍ତି—ମୁଁ ସମସ୍ତଙ୍କଠାରେ ରହେନାହିଁ ଅର୍ଥାତ୍ ମୋଠାରେ ସେମାନେ ଅବସ୍ଥାନ କରନ୍ତି, ହେଲେ ମୁଁ ସେମାନଙ୍କ ଭିତରେ ଅବସ୍ଥାନ କରେନାହିଁ । ଯେଉଁଭଳି ସବୁ ଆତ୍ମାରେ ଅବସ୍ଥାନ ତ କରନ୍ତି—ହେଲେ ଆତ୍ମାକୁ ନ ଦେଖୁଥିବା କାରଣରୁ ତାଙ୍କର ଅବସ୍ଥାନ କରିବା ସମ୍ଭବ ହୁଏନାହିଁ । କାହିଁକି ନାଁ ଦୃଷ୍ଟି ଅନ୍ୟବସ୍ତୁରେ ରହିଥାଏ—ଶ୍ୱାସରେ ଦୃଷ୍ଟି ରହେନାହିଁ ।
–ଯେତେବେଳେ ଜୀବର ଜଗତ୍ ଦୃଷ୍ଟି ରହିଥାଏ, ସେତେବେଳେ ଜୀବ ସମୂହ ମଧ୍ୟରେ ଆତ୍ମାରୂପେ ଅବସ୍ଥିତ ମୋତେ କେହି ବି ଜାଣିପାରନ୍ତି ନାହିଁ । ମୋ ସହିତ ସମ୍ବନ୍ଧଯୁକ୍ତ ହୋଇଥିବା କାରଣରୁ ବସ୍ତୁସମୂହ ଚୈତନ୍ୟବାନ୍ ଅବା ଅସ୍ତିତ୍ୱବାନ୍ ଜଣାଯାଏ । ସମସ୍ତ ଚରାଚର ଭୂତ ଆତ୍ମାକୁ ଆଶ୍ରୟ କରି ଯେତେବେଳେ ପ୍ରକାଶିତ ହେଉଛି, ତେବେ ମୋର (ଆତ୍ମାର) ଭିତରେ ସବୁ ଅବସ୍ଥାନ କରିଥାଏ, ଏହା କୁହାଯାଇପାରେ କି, ହେଲେ ମୁଁ ସମସ୍ତଙ୍କ ଭିତରେ ଅବସ୍ଥାନ କରେନାହିଁ । କାହିଁକି ? ଯଦି ମୁଁ ବସ୍ତୁମାତ୍ରର ଆଶ୍ରୟ ଅଟେ, ତେବେ ମଧ୍ୟ ସେ ସବୁ ମୋଠାରେ ଆଶ୍ରିତ ରୂପେ ଅବସ୍ଥାନ କରିବେ, କାହିଁକି ନାଁ କାରଣ କାର୍ଯ୍ୟ ଭିତରେ ବ୍ୟାପ୍ତ ରହିଥାଏ । ଏହା ସତ୍ୟ ତ ଅଟେ, ହେଲେ ମୁଁ ଆକାଶ ସମ ଅପରିଚ୍ଛିନ୍ନ ଅଟେ, ଅତଃ କୌଣସି ବସ୍ତୁ ମୋର ଅବଲମ୍ବନ ଅଥବା ମୁଁ କୌଣସି ବସ୍ତୁର ଆଶ୍ରୟ ହୋଇପାରିବି ନାହିଁ । ଦୁଗ୍ଧ ଦହି ହେବାପରେ ଯଦି କୁହ କି, ଦହିରେ ଦୁଗ୍ଧ ରହିଛି, ତେବେ ଏହା ସେ ପ୍ରକାର ନୁହେଁ । ରଜ୍ଜୁରେ ସର୍ପ ବୋଧ ହେଲେ ସର୍ପ ଯେଉଁଭଳି ରଜ୍ଜୁରେ ରହିନଥାଏ, ମୁଁ ମଧ୍ୟ ସେହିଭଳି ନିଜର କାର୍ଯ୍ୟରୂପ ଏହି ଜଗତରେ ଅବସ୍ଥାନ କରିନଥାଏ । ଏଥିରୁ ବୁଝିହୁଏ କି, ରଜ୍ଜୁରେ ସର୍ପ ସମ ଜଗତ୍ ସତ୍ୟ ନୁହେଁ, ତାହା ମନଃକଳ୍ପିତ ମାତ୍ର ଅଟେ । ସମଗ୍ର ଚରାଚର ବିଶ୍ୱ ଏପ୍ରକାର କେବଳ ପ୍ରକଟରୂପେ ପ୍ରତୀତ ହୁଏ । ଯେପର୍ଯ୍ୟନ୍ତ ଦୃଶ୍ୟ ହୁଏ କି, ସବୁ ବସ୍ତୁ ରହିଛି, ସେପର୍ଯ୍ୟନ୍ତ ସେହି କୂଟସ୍ଥ ଚୈତନ୍ୟ ହିଁ ସର୍ବତ୍ର ପ୍ରତିବିମ୍ବିତ ହୁଏ । କୂଟସ୍ଥକୁ ଛାଡ଼ି ଯଦି କୌଣସି ବସ୍ତୁର ସତ୍ତା ରହିଥାଏ, ତେବେ ବୁଝାଯାଏ କି, ଏ ସମସ୍ତ ବସ୍ତୁ ଆତ୍ମାନିରପେକ୍ଷ ମଧ୍ୟ ହୋଇପାରେ, ହେଲେ ଏଭଳି ହେବା ସମ୍ଭବ ନୁହେଁ, ଯେଉଁଭଳି ସ୍ୱର୍ଣ୍ଣକୁ ଛାଡ଼ି ସ୍ୱର୍ଣ୍ଣବଳୟର ଅସ୍ତିତ୍ୱ ସମ୍ଭବ ନୁହେଁ । ଅତଃ ସମସ୍ତ ବସ୍ତୁର ଯେତେବେଳେ କୂଟସ୍ଥ ଚୈତନ୍ୟ ବିନା ଅସ୍ତିତ୍ୱ ନାହିଁ, ତେବେ ତାହା ଭିତରେ କୂଟସ୍ଥ ଅବସ୍ଥାନ କରିବା କିପରି ସମ୍ଭବ ହୋଇପାରିବ ? ଆତ୍ମାକୁ ନେଇ ତ ମୁଁ, ତୁମେ ଏବଂ ଏହି ଅନନ୍ତ ଜଗତ୍ ରହିଛି । ସମୁଦ୍ରର ଅନନ୍ତ ତରଙ୍ଗର ଯେଉଁଭଳି ସମୁଦ୍ର ଏକମାତ୍ର ଆଶ୍ରୟ ଅଟେ, ସମୁଦ୍ର ନରହିଲେ, ସେ ସମସ୍ତ ରହେନାହିଁ, ସେହିଭଳି ମୁଁ, ତୁମେ ଏବଂ ଅନନ୍ତ ଜଗତ ଆତ୍ମା ବିନା ଅବସ୍ଥାନ କରିପାରେ ନାହିଁ । ସମୁଦ୍ର ବିନା ଯେଉଁଭଳି ତରଙ୍ଗର ପୃଥକ୍ ସତ୍ତା ନଥାଏ, ସେହିଭଳି ଆତ୍ମା ବିନା ମୁଁ, ତୁମେ ଅଥବା ଆଉ କାହାର ମଧ୍ୟ କୌଣସି ଅସ୍ତିତ୍ୱ ନାହିଁ ।
ସେ ଅବ୍ୟକ୍ତ ମୂର୍ତ୍ତି ଅଟନ୍ତି ଅର୍ଥାତ୍ ଚକ୍ଷୁ ଆଦି ଇନ୍ଦ୍ରିୟସମୂହର ଅଗୋଚରରେ, ସେହି ସୂକ୍ଷ୍ମ ଜ୍ଞେୟ ଆତ୍ମାକୁ ଅବଗତ ହୋଇଯିବାପରେ ଜ୍ଞାତା ଏବଂ ଜ୍ଞେୟ ଏକ ହୋଇଯାନ୍ତି । ଅତଃ ଦ୍ରଷ୍ଟା ଏବଂ ଦୃଶ୍ୟ ଉଭୟଙ୍କ ମଧ୍ୟରେ ଦୃଶ୍ୟ ଦ୍ରଷ୍ଟା ଭିତରେ ବିଲୀନ ହୋଇଯାଏ । ଦୃଶ୍ୟ ପଦାର୍ଥର ଅଭାବରେ ଦ୍ରଷ୍ଟା ନିମନ୍ତେ ପୃଥକ୍ ଦୃଶ୍ୟ ଜ୍ଞାନ ହେବା ସମ୍ଭବ ନୁହେଁ । ଅତଃ ମୁଁ, ତୁମେ ଏବଂ ଏହି ଅନନ୍ତ ଜଗତ୍ ଆତ୍ମାରୂପୀ ସମୁଦ୍ରରେ ବୁଦ୍ବୁଦ୍ ସମ ଫୁଟି ଉଠିଥାଏ ଏବଂ ବୁଦ୍ବୁଦ୍ ସମ ସେଥିରେ ଡ଼ୁବି ଯାଇଥାଏ । ଏହି ବୁଦ୍ବୁଦ୍ର ଉଠିବା-ଡ଼ୁବିବା ହିଁ ଜଗତ୍-ଲୀଳା ଅର୍ଥାତ୍ ସୃଷ୍ଟି, ସ୍ଥିତି ଏବଂ ଲୟର ଚକ୍ର ଅଟେ ।
ଏହି ପ୍ରକାଶର କାରଣଭୂତ ବ୍ରହ୍ମ ପ୍ରାଣରୂପରେ ସମସ୍ତଙ୍କ ଭିତରେ ଅବସ୍ଥାନ କରି ଭୂତଜାତ ବସ୍ତୁମାତ୍ରକୁ ପ୍ରକାଶିତ କରୁଛନ୍ତି । ପ୍ରାଣ ନ ରହିଲେ କିଛି ବି ରହେନାହିଁ । ଏଥିପାଇଁ ବ୍ରହ୍ମାଣ୍ଡ ପ୍ରାଣରୂପୀ ସୂତ୍ରରେ ଗୁନ୍ଥା ହୋଇଛି । ଆମେ ବସ୍ତୁମାତ୍ରର ନାମରୂପକୁ ଦେଖିପାରୁ, କିନ୍ତୁ ଅବ୍ୟକ୍ତ ପ୍ରାଣ-ସୂତ୍ରର କୌଣସି ସନ୍ଧାନ ଆମକୁ ମିଳେନାହିଁ । ବ୍ୟକ୍ତ ପ୍ରାଣ ଶ୍ୱାସକୁ ଆମେ ଦେଖିଥାଉ ସତ, ହେଲେ ସେଥିରେ ଲକ୍ଷ୍ୟ ନ ରହୁଥିବା କାରଣରୁ ଆମର ଦୃଷ୍ଟି ଭ୍ରମ ଦୂର ହୁଏନାହିଁ । ପ୍ରାଣ ଅବ୍ୟକ୍ତ ରୂପେ ସ୍ଥିର ଅଟେ ଆଉ ଏହି ସ୍ଥିରତ୍ୱରେ ଲକ୍ଷ୍ୟ ନ ରହିବା କାରଣରୁ ଆତ୍ମା ଯିଏ ସମସ୍ତଙ୍କର ସର୍ବସ୍ୱ ଅଟେ, ବୋଧଗମ୍ୟ ହୁଏନାହିଁ । ବାହ୍ୟ ବସ୍ତୁରେ ଲକ୍ଷ୍ୟ ରହିଥାଏ, ଶ୍ୱାସରେ ଦୃଷ୍ଟି ରହିନଥାଏ, ଏହି କାରଣରୁ ଏହି ଜଗଦାଦି ଅନନ୍ତ ତରଙ୍ଗକୁ ଦେଖି ଆମେ ବାରମ୍ବାର ମୁଗ୍ଧ ହେଉଅଛୁ । ହେଲେ ଏହି ଚାଞ୍ଚଲ୍ୟ ଏବଂ ତରଙ୍ଗ ଯାହାଙ୍କର ରହିଛି, ସେହି ପ୍ରାଣରେ ଲକ୍ଷ୍ୟ ରହିଲେ ପ୍ରାଣର ଚାଞ୍ଚଲ୍ୟ ଅର୍ଥାତ୍ ଶ୍ୱାସ ସ୍ଥିର ହୋଇଯିବ । ତରଙ୍ଗ-ଚାଞ୍ଚଲ୍ୟ ଯେତେବେଳେ ଆତ୍ମ ସମୁଦ୍ରରେ ଗୋପନ କରିବ, ସେତେବେଳେ ଏହି ଜଗତ୍ ବ୍ୟାପାର ମଧ୍ୟ ମନଠାରୁ ଦୂର ହୋଇଯିବ । କ୍ରିୟାର ପରାବସ୍ଥାରୂପୀ ପରମ ଅବ୍ୟକ୍ତ ଭାବ ଦ୍ୱାରା ପରମାତ୍ମା ଚରାଚରରେ ବ୍ୟାପ୍ତ ଅଟନ୍ତି—ସେ ସର୍ବଦା ନିଃସଙ୍ଗ ଅଟନ୍ତି, ସେ ପୁଣି ଘଟସ୍ଥ ହୋଇ ଦେହାଦି ସମସ୍ତ ପଦାର୍ଥ ସହିତ ସଂଯୁକ୍ତ ହୋଇଯାନ୍ତି । ଯଦିଓ ସେ ଘଟସ୍ଥ ହୋଇ ଘଟରୂପରେ ନିଜକୁ ପ୍ରକଟ କରିଥାନ୍ତି ତଥାପି ଘଟ ସେହି ସଦ୍ବସ୍ତୁ ନୁହେଁ । ଅପରିଚ୍ଛିନ୍ନ ମହାକାଶ ଘଟ ଦ୍ୱାରା ପରିଚ୍ଛିନ୍ନ ହେବାପରେ ଘଟାକାଶ ଉପାଧି ଧାରଣ କରିଥାଏ । ଏହି ଘଟସ୍ଥ ଆକାଶର ସଂଯୋଗ ହିଁ ପ୍ରାଣର ବ୍ୟକ୍ତାବସ୍ଥା ଅଟେ । ପ୍ରାଣର ଏହି ବ୍ୟକ୍ତାବସ୍ଥାରେ ହିଁ ଏହାର ସ୍ପନ୍ଦନ ଅନୁଭୂତ ହୁଏ । ସ୍ପନ୍ଦନରୁ ବାସନା ଏବଂ ବାସନାରୁ ଜନ୍ମ-ମୃତ୍ୟୁରୂପ ସଂସାର ଚକ୍ରର ଖେଳ ଆରମ୍ଭ ହୁଏ । ଅସ୍ପନ୍ଦିତ ଅବ୍ୟକ୍ତ ସ୍ଥିର ଭାବ ହିଁ ମହାପ୍ରାଣ ଅଟେ—‘ସ ଉ ପ୍ରାଣସ୍ୟ ପ୍ରାଣଃ’ ଏହା ଜ୍ଞେୟ ପଦାର୍ଥ ଅଟେ । ‘ଏତଜ୍ଜେୟଂ ନିତ୍ୟମେବାତ୍ମସଂସ୍ଥଂ, ନାତଃ ପରଂ ବେଦିତବ୍ୟଂ ହି କିଞ୍ଚିତ୍’ । କ୍ରିୟାର ପରାବସ୍ଥା ହିଁ ସେହି ଜ୍ଞେୟ ପଦାର୍ଥ ଅଟେ, ହେଲେ ଏହି ମହାଭାବ କୂଟସ୍ଥ ଚୈତନ୍ୟରୂପରେ ଯେତେବେଳେ ଘଟସ୍ଥ ହୋଇ ବିମ୍ବିତ ହୁଏ, ସେତେବେଳେ ତାହା ଧ୍ୟେୟ ହୁଏ ଆଉ ସାକାର ମଧ୍ୟ ହୁଏ ।।୪।।
ମୋର ରୂପ ଈଶ୍ୱର ଅଟେ—ତାଙ୍କଠାରୁ ଅନ୍ୟ ଦିଗରେ ଦୃଷ୍ଟି ପକାଇବା ।–ଏହା ଉପରେ ଲକ୍ଷ୍ୟ କର—ଯେମିତି ସେପରି ନହୁଏ, ଅର୍ଥାତ୍ ଅନ୍ୟ ଦିଗକୁ ଦୃଷ୍ଟି ଦିଅନାହିଁ—ସମସ୍ତଙ୍କ ଭିତରେ ରହି ମଧ୍ୟ –ସବୁ ଅବସ୍ଥାରେ ମଧ୍ୟ ସର୍ବଭୂତରେ ବିଦ୍ୟମାନ ରହିଥାଏ, ତଥାପି ମୋଠାରେ ନୁହେଁ, ଆତ୍ମା ଚଞ୍ଚଳ ମନରେ ଯୁକ୍ତ ହୋଇ ଅନ୍ୟ ଦିଗରେ ଦୃଷ୍ଟି ପକାଏ ।
ଏହି ଶ୍ଳୋକର ଉପଦେଶ ପୂର୍ବୋକ୍ତ ଶ୍ଳୋକର ବିରୁଦ୍ଧ ଅଟେ, ଏପରି ମନରେ ଆସିପାରେ । ‘ସର୍ବଭୂତ ମୋଠାରେ ଅବସ୍ଥିତ ନୁହଁନ୍ତି, ମୁଁ ଭୂତସମୂହରେ ଅବସ୍ଥାନ କରେନାହିଁ, ତଥାପି ମୁଁ ଭୂତଗଣଙ୍କର ଉତ୍ପାଦକ ଏବଂ ପାଳକ ଅଟେ’—ଏ କଥା କିପରି ସଙ୍ଗତ ହୋଇପାରିବ ? ଭୂତଗଣ ଯଦି ଅଛନ୍ତି, ତେବେ ତାଙ୍କୁ ପ୍ରକାଶିତ ଆଉ ପାଳନ କିଏ କରୁଅଛି ? ଯଦି ଭୂତଗଣଙ୍କର ହେବା ଠିକ୍ ଅଟେ ଆଉ ସେମାନେ ତୁମଠାରେ ନାହାଁନ୍ତି, ତେବେ ପୁଣି ରହନ୍ତି କେଉଁଠାରେ ? ବସ୍ତୁତଃ ଏକ ଆତ୍ମା ହିଁ ସତ୍ୟ ଅଟନ୍ତି, ଆଉ ଯାହାକିଛି ପ୍ରତୀତ ହେଉଅଛି, ତାହା ପରମାର୍ଥିକ ସତ୍ୟ ନୁହେଁ । କନକରେ କୁଣ୍ଡଳର ସ୍ୱରୂପ ବୋଧ ହେବାପରି ଏହି ଦୃଶ୍ୟ ଜଗତ୍ରେ ପ୍ରତିଷ୍ଠିତ ହେଲାଭଳି ପ୍ରତିଭାତ ହୁଏ । ରଜ୍ଜୁରେ ସର୍ପଭ୍ରମ ହେବାପରେ ମଧ୍ୟ ବସ୍ତୁତଃ ସର୍ପତ୍ୱ ରଜ୍ଜୁରେ ରହିପାରେନାହିଁ । ଅତଃ ରଜ୍ଜୁରେ ଯେଉଁ ସର୍ପ ଦେଖାଯାଏ, ତାହା କେବଳ କଳ୍ପିତ ସର୍ପ ଅଟେ, ବାସ୍ତବିକ ନୁହେଁ । ସର୍ପବିଷୟକ ଅଜ୍ଞାନ ତିରୋହିତ ହୋଇଗଲେ ଯେତେବେଳେ ରଜ୍ଜୁ ଜ୍ଞାନ ପ୍ରକାଶିତ ହୁଏ, ସେତେବେଳେ ସେଥିରେ ସର୍ପବୋଧ ରହିପାରେ ନାହିଁ, ଏହିଭଳି ବ୍ରହ୍ମଜ୍ଞାନର ଉଦୟ ହେଲେ ବ୍ରହ୍ମଙ୍କଠାରେ ନାନାପ୍ରକାର କଳ୍ପନା ଅଥବା ଭ୍ରାନ୍ତିର ବିନାଶ ହୁଏ । ଅତଃ ସଂସାର ଯାହା ଆପାତ-ଦୃଷ୍ଟିରେ ସତ୍ୟବୋଧ ହେଉଅଛି, ତାହା ସତ୍ୟ ନୁହେଁ । ସେପର୍ଯ୍ୟନ୍ତ ଏକ ସଂସାର ସତ୍ୟ ଅଟେ, ଯେପର୍ଯ୍ୟନ୍ତ ଆତ୍ମଜ୍ଞାନ ପ୍ରକାଶିତ ହୋଇନାହିଁ । ଶ୍ରୁତି କହନ୍ତି—
ଯଦେବେହ ତଦମୁତ୍ର ଯଦମୁତ୍ର ତଦନ୍ୱିହ ।
ମୃତ୍ୟୋଃ ସ ମୃତ୍ୟୁମାପ୍ନୋତି ଯ ଇହ ନାନେବ ପଶ୍ୟତି ।।
ମନସୈବେଦମାପ୍ତବ୍ୟଂ ନେହ ନାନାସ୍ତି କିଞ୍ଚନ ।
ମୃତ୍ୟୋଃ ସ ମୃତ୍ୟୁଂ ଗଚ୍ଛତି ଯ ଇହ ନାନେବ ପଶ୍ୟତି ।। (କଠ—୨/୧୧)
ଯତ୍—ଯେଉଁ ଆତ୍ମଚୈତନ୍ୟ, ଇହ—ଏହି ଦେହସ୍ଥ ଅନ୍ତଃକରଣରେ ଅବା ଇହଲୋକରେ ପ୍ରକାଶିତ ଅଟେ, ତତ୍ ଏବ—ସେହି ଆତ୍ମଚୈତନ୍ୟ ହିଁ, ଅମୁତ୍ର—ସେଠାରେ ଅର୍ଥାତ୍ ପରଲୋକରେ ମଧ୍ୟ ବିଦ୍ୟମାନ ଅଟନ୍ତି, ଅଥବା ପ୍ରତ୍ୟକ୍ଷ ଦୃଶ୍ୟମାନ କାର୍ଯ୍ୟୋପାଧି ଦେହାଦିରେ ଯେଉଁ ଚୈତନ୍ୟ ବିଦ୍ୟମାନ ଅଛନ୍ତି, ଅଦୃଶ୍ୟ କାରଣୋପାଧି ମାୟାରେ ମଧ୍ୟ ସେହି ଏକ ଚୈତନ୍ୟ ଅନୁସ୍ୟୂତ ରହିଥାନ୍ତି । ଯେଉଁମାନେ ଏହି ଚୈତନ୍ୟରେ ନାନାପ୍ରକାର ପୃଥକ୍ ପୃଥକ୍ ଭାବସମୂହକୁ ଦେଖନ୍ତି, ସେମାନେ ମୃତ୍ୟୁ ପରେ ମୃତ୍ୟୁକୁ ପ୍ରାପ୍ତ ହୋଇଥାନ୍ତି । ଏକମାତ୍ର ବିବେକଯୁକ୍ତ ଏବଂ ଧ୍ୟାନସମାହିତ ମନ ଦ୍ୱାରା ହିଁ ବ୍ରହ୍ମ ଏବଂ ଆତ୍ମାର ଏକତ୍ୱ ବୋଧ ପ୍ରାପ୍ତ ହୁଏ । ଏକମାତ୍ର ବିବେକଯୁକ୍ତ ଏବଂ ଧ୍ୟାନସମାହିତ ମନଦ୍ୱାରା ହିଁ ବ୍ରହ୍ମ ଏବଂ ଆତ୍ମାର ଏକତ୍ୱବୋଧ ପ୍ରାପ୍ତ ହୁଏ । ବ୍ରହ୍ମରେ କୌଣସି ପ୍ରକାର ଭେଦ ଅଥବା ନାନାତ୍ୱ ନାହିଁ । ଯିଏ ଏପ୍ରକାର ଭେଦ ଅବା ନାନାତ୍ୱକୁ ଦେଖନ୍ତି, ସେ ମୃତ୍ୟୁ ପରେ ମୃତ୍ୟୁକୁ ଅର୍ଥାତ୍ ବାରମ୍ବାର ଜନ୍ମ-ମରଣକୁ ପ୍ରାପ୍ତ ହୋଇଥାନ୍ତି ।
ଏହା ମୂଢ଼ ମାନଙ୍କର ଧାରଣା ଯେ, ମୁଁ ପ୍ରାଣୀଗଣଙ୍କର ଦେହାଦିକୁ ଆଶ୍ରୟ କରି ରହିଥାଏ । ପ୍ରଥମେ ବିଚାର କରି ଦେଖ କି, ଏହି ଦେହ ଆଉ ଦୃଶ୍ୟ ଜଗତ ଅଛି କି ନାହିଁ, ଯଦି ଏମାନେ ନାହାଁନ୍ତି, ତେବେ ଏମାନଙ୍କୁ ଅବଲମ୍ବନ କରି ରହିବା ଅଥବା ଏମାନଙ୍କ ସହିତ ଆତ୍ମାର ସଂଶ୍ଳିଷ୍ଟ ହେବା କିପରି ସମ୍ଭବ ହୋଇପାରିବ ? ଏଥିପାଇଁ ଭଗବାନ୍ କହୁଛନ୍ତି କି, ଏହି ଦୃଶ୍ୟମାନ୍ ଜଗତ୍ ଅଜ୍ଞାନୀଙ୍କ ପାଇଁ ବିଦ୍ୟମାନ ହେବାପରେ ମଧ୍ୟ ଜ୍ଞାନୀଙ୍କ ନିମିତ୍ତ ଅସ୍ତିତ୍ୱ ରଖିନଥାଏ । ଯେଉଁ ବସ୍ତୁ କେତେବେଳେ ଅଛି ଆଉ କେତେବେଳେ ନାହିଁ—ତାହା ନାହିଁ ଏପରି ବୁଝିବା ଠିକ୍ । ସମୁଦ୍ର ତରଙ୍ଗ ଭଳି ପୃଥକ୍ ଦେଖାଯିବାପରେ ମଧ୍ୟ ସମୁଦ୍ର ଦୃଷ୍ଟିରେ ସେଥିରେ ଅଭେଦ ରହିଛି । ଏହି ଜଗତକୁ ଯିଏ ପ୍ରତି ମୁହୂର୍ତ୍ତରେ ଭେଦାଭେଦ ରୂପେ ଦେଖାଇପାରେ, ତାହା ଯାଦୁଗରର ଯାଦୁ ବ୍ୟତିରେକ ଆଉ କଣ ହୋଇପାରେ ? ଏହା ଭଗବତ୍ ଲୀଳା ଅବା ମାୟା ଅଟେ । ଏହା ଭଗବାନଙ୍କର ଅଘଟଣଘଟଣାପଟୀୟସୀ ଶକ୍ତି ଅର୍ଥାତ୍ ଐଶ୍ୱର୍ଯ୍ୟ ଯୋଗ ଅଟେ । ଅତଃ ଦୃଶ୍ୟ ଜଗତ୍ ଅବା ଏହି ଭୂତଗ୍ରାମ ଯାହା ସମୁଦ୍ରରେ ତରଙ୍ଗବତ୍ ତାଙ୍କମଧ୍ୟରେ ପ୍ରତୀତ ହେଉଅଛି, ତାହାର କୌଣସି ବି ସତ୍ତା ନାହିଁ । ସ୍ୱପ୍ନର ଆଶ୍ରୟ ବସ୍ତୁ ସତ୍ୟ ଅଟେ, ଏହାଦ୍ୱାରା ଯେତେବେଳେ ସ୍ୱପ୍ନର ଅନୁଭବ ହୁଏ, ସେତେବେଳେ ପ୍ରକୃତ ସତ୍ତା ସହିତ ତଦାଶ୍ରିତ ବସ୍ତୁ ମଧ୍ୟ ସତ୍ୟ ବୋଲାଏ—ଏହି କାରଣରୁ “ଭୂତଭୃନ୍ନ ଚ ଭୂତସ୍ଥୋ ମମାତ୍ମା ଭୂତଭାବନଃ” କୁହାଯାଇଛି, ହେଲେ ଜାଗ୍ରତ ହେବାପରେ ଯେତେବେଳେ ଦେଖାଯାଏ କି, ସ୍ୱପ୍ନର ଆଶ୍ରୟ ତ ସତ୍ୟ ଅଟେ, କିନ୍ତୁ ସ୍ୱପ୍ନ ସତ୍ୟ ନୁହେଁ, ଅତଃ ଭୂତଗଣଙ୍କ ପ୍ରକାଶ ଏବଂ ପ୍ରତିପାଳନ ସବୁ ସ୍ୱପ୍ନ ପ୍ରସଙ୍ଗ ମାତ୍ର ଅଟେ । ଅବଶ୍ୟ ଯେପର୍ଯ୍ୟନ୍ତ ‘ଇନ୍ଦ୍ରଂ ସର୍ବଂ’ର ପ୍ରତୀତୀ ହେଉଥାଏ, ସେପର୍ଯ୍ୟନ୍ତ ଆଶ୍ରୟବସ୍ତୁ ସହିତ ଜଗଦାଦିର ଆଧାର ଏବଂ ଆଧେୟରୂପ ସମ୍ବନ୍ଧ ସ୍ୱୀକାର କରିବାପାଇଁ ପଡ଼ିଥାଏ, ସେବେଠାରୁ କୁହାଯାଏ—
ଯ ଏକୋଽବର୍ଣ୍ଣୋ ବହୁଧା ଶକ୍ତିଯୋଗାଦ୍
ବର୍ଣ୍ଣାନନେକାନ୍ ନିହିତାର୍ଥୋ ଦଧାତି ।
ବିଚୈତି ଚାନ୍ତେ ବିଶ୍ୱମାଦୌ ସ ଦେବଃ
ସ ନୋ ବୁଦ୍ଧୟା ଶୁଭୟା ସଂଯୁନକ୍ତୁ ।।୪—୧।।
ତଦେବାଗ୍ନିସ୍ତଦାଦିତ୍ୟସ୍ତଦ୍ବାୟୁସ୍ତଦୁ ଚନ୍ଦ୍ରମାଃ ।
ତଦେବ ଶୁକ୍ରଂ ତଦ୍ବ୍ରହ୍ମ ତଦାପସ୍ତତ୍ ପ୍ରଜାପତିଃ ।।୨।।
ତ୍ୱଂ ସ୍ତ୍ରୀ ତ୍ୱଂ ପୁମାନସି ତ୍ୱଂ
କୁମାର ଉତ ବା କୁମାରୀ ।
ତ୍ୱଂ ଜୀର୍ଣ୍ଣୋ ଦଣ୍ଡେନ ବଞ୍ଚସି
ତ୍ୱଂ ଜାତୋ ଭବସି ବିଶ୍ୱତୋମୁଖଃ ।।୩।।
ନୀଳଃ ପତଙ୍ଗୋ ହରିତୋ ଲୋହିତାକ୍ଷ—
ସ୍ତଡ଼ିଦ୍ଗର୍ଭ ଋତବଃ ସମୁଦ୍ରାଃ ।
ଅନାଦିମତ୍ତ୍ୱଂ ବିଭୁତ୍ୱେନ ବର୍ତସେ
ଯତୋ ଜାତାନି ଭୁବନାନି ବିଶ୍ୱାଃ ।।୪।।
ସୂକ୍ଷ୍ମାତିସୂକ୍ଷ୍ମଂ କଲିଳସ୍ୟ ମଧ୍ୟେ
ବିଶ୍ୱସ୍ୟ ସ୍ରଷ୍ଟାରମନେକରୂପମ୍ ।
ବିଶ୍ୱସ୍ୟୈକଂ ପରିବେଷ୍ଟିତାରଂ
ଜ୍ଞାତ୍ୱା ଶିବଂଶାନ୍ତିମତ୍ୟନ୍ତମେତି ।।୧୪।।
ସ ଏବ କାଳେ ଭୁବନସ୍ୟାସ୍ୟ ଗୋପ୍ତା
ବିଶ୍ୱାଧିପଃ ସର୍ବଭୂତେଷୁ ଗୂଢ଼ା ।
ଯସ୍ମିନ୍ ଯୁକ୍ତା ବ୍ରହ୍ମର୍ଷୟୋ ଦେବତାଶ୍ଚ
ତମେବ ଜ୍ଞାତ୍ୱା ମୃତ୍ୟୁପାଶାଂଚ୍ଛିନତ୍ତି ।।୧୫।।
ଏଷ ଦେବୋ ବିଶ୍ୱକର୍ମା ମହାତ୍ମା
ସଦା ଜନାନାଂ ହୃଦୟେ ସନ୍ନିବିଷ୍ଟଃ ।
ହୃଦା ମନୀଷା ମନସାଭିକ୍ଲୃପ୍ତୋ
ଯ ଏତଦ୍ୱିଦୁରମୃତାସ୍ତେ ଭବନ୍ତି ।।୧୭।।
ଯଦା ତମସ୍ତନ୍ନ ଦିବା ନ ରାତ୍ରି-
ର୍ନ ସନ୍ନ ଚାସଚ୍ଛିବ ଏବ କେବଳଃ ।
ତଦକ୍ଷରଂ ତତ୍ସବିତୁର୍ବରେଣ୍ୟଂ
ପ୍ରଜ୍ଞା ଚ ତସ୍ମାତ୍ ପ୍ରସୃତା ପୁରାଣୀ ।।୫—୧୮।। (ଶ୍ୱେତା. ଉ.)
ଯେଉଁ ଅଦ୍ୱିତୀୟ ବର୍ଣ୍ଣରହିତ ପ୍ରଚ୍ଛନ୍ନାଭିପ୍ରାୟ (ସ୍ୱାର୍ଥ-ନିରପେକ୍ଷ) ପରମାତ୍ମା ନାନାପ୍ରକାରର ଶକ୍ତିସମୂହର ଯୋଗ ଦ୍ୱାରା ବିଷୟାଦିର ସୃଷ୍ଟି କରିଥାନ୍ତି, ଯାହାଙ୍କଠାରୁ ସାରା ଜଗତ୍ ପ୍ରଥମେ ଉତ୍ପନ୍ନ ହୁଏ ଆଉ ଶେଷକାଳରେ ଯାହାଙ୍କଠାରେ ପ୍ରତିଗମନ କରିଥାଏ, ସେହି ଦେବତା ଆମକୁ ଶୁଭ ବୁଦ୍ଧି ପ୍ରଦାନ କରନ୍ତୁ ।
ସେ ଅଗ୍ନି ଅଟନ୍ତି, ସେ ଆଦିତ୍ୟ ଅଟନ୍ତି, ସେ ବାୟୁ ଅଟନ୍ତି, ସେ ଚନ୍ଦ୍ରମା ଅଟନ୍ତି, ସେ ଆପ୍ ଅଟନ୍ତି, ସେ ପ୍ରଜାପତି ଅଟନ୍ତି, ସେ ହିଁ ଅପରବ୍ରହ୍ମ ଏବଂ ସେହିଁ ପରବ୍ରହ୍ମ ଅଟନ୍ତି ।
ତୁମେ ସ୍ତ୍ରୀ ଅଟ, ତୁମେ ପୁରୁଷ ଅଟ, ତୁମେ କୁମାର ଅଟ ଆଉ ତୁମେ ହିଁ କୁମାରୀ ଅଟ । ତୁମେ ଜରାଗ୍ରସ୍ତ ହୋଇ ଦଣ୍ଡକୁ ହାତରେ ଧରି ଚାଲିଥାଅ, ତୁମେ ବିଶ୍ୱତୋମୁଖ ହୋଇ ଜନ୍ମ ଗ୍ରହଣ କରିଥାଅ ।
ତୁମେ ନୀଳ ପତଙ୍ଗ ଅଟ, ଲୋହିତଚକ୍ଷୁ ଶୁକ ଆଦି ଅଟ, ତୁମେ ତଡ଼ିଦ୍ଗର୍ଭ ମେଘମାଳା ଅଟ, ତୁମେ ଋତୁ ଏବଂ ସାଗରସମୂହ ଅଟ । ଅନାଦି ସ୍ୱରୂପ ତୁମେ ବ୍ୟାପକ ରୂପେ ଅବସ୍ଥାନ କରିଥାଅ, ଯାହାଠାରୁ ସମସ୍ତ ଭୁବନ ଉତ୍ପନ୍ନ ହୋଇଛି ।
ତୁମେ ସୂକ୍ଷ୍ମଠାରୁ ମଧ୍ୟ ସୂକ୍ଷ୍ମ ଅଟ । ଅବିଦ୍ୟାରୂପୀ ଗହନ ଭିତରେ ତୁମେ ସ୍ଥିତ ଅଟ । ତୁମେ ବିଶ୍ୱର ସ୍ରଷ୍ଟା ଅଟ, ତୁମର ଅନେକ ରୂପ ରହିଛି । ବିଶ୍ୱର ଏହି ଅଦ୍ୱିତୀୟ ପରିବେଷ୍ଟିତା ଶିବସ୍ୱରୂପକୁ ଜାଣିନେବାପରେ ଅତ୍ୟନ୍ତ ଶାନ୍ତି ପ୍ରାପ୍ତ ହୁଏ ।
ସେହିଁ କାଳ ମଧ୍ୟରେ (ଅର୍ଥାତ୍ ସ୍ଥିତିକାଳରେ) ଏହି ଭୁବନର ରକ୍ଷକ ଅଟନ୍ତି, ସେ ବିଶ୍ୱାଧିପ ଅଟନ୍ତି ଆଉ ସମସ୍ତ ଭୂତଙ୍କ ମଧ୍ୟରେ ଗୂଢ଼ ରୂପରେ ବିଦ୍ୟମାନ ଅଟନ୍ତି । ଯାହାଙ୍କଠାରେ ବ୍ରହ୍ମର୍ଷିଗଣ ଏବଂ ଦେବଗଣ ମଧ୍ୟ ଯୁକ୍ତ ହୋଇ ରହିଥାନ୍ତି, ତାଙ୍କୁ ଜାଣିନେବାପରେ ହିଁ ମୃତ୍ୟୁପାଶକୁ ଚ୍ଛେଦନ କରିପାରିବା ।
ଏହି ମହାତ୍ମା ବିଶ୍ୱକର୍ମା ଈଶ୍ୱର ସର୍ବଦା ସମସ୍ତଙ୍କ ହୃଦୟରେ ସନ୍ନିବିଷ୍ଟ ହୋଇ ରହିଥାନ୍ତି । ସଂଶୟରହିତ ବୁଦ୍ଧି ଏବଂ ମନନ ଦ୍ୱାରା ଯିଏ ଧ୍ୟାନ କରନ୍ତି, ତାଙ୍କ ସମ୍ମୁଖରେ ସେ ପ୍ରକାଶିତ ହୋଇଥାନ୍ତି । ଏହିଭଳି ଭାବରେ ଯିଏ ତାଙ୍କୁ ଜାଣନ୍ତି, ସେ ଅମୃତ ହୋଇଯାନ୍ତି ଅର୍ଥାତ୍ ମୋକ୍ଷଲାଭ କରନ୍ତି ।
ଯେତେବେଳେ ଅତମଃ ଅର୍ଥାତ୍ ଜ୍ଞାନର ପ୍ରକାଶ ହୁଏ, ସେତେବେଳେ ଦିନ ହୋଇନଥାଏ କି ରାତ୍ରି ହୋଇନଥାଏ, ସତ୍ ରହିନଥାଏ କି ଅସତ୍ ମଧ୍ୟ ରହିନଥାଏ । ସେତେବେଳେ କେବଳ ତାଙ୍କର ମଙ୍ଗଳମୟ ରୂପ ପ୍ରକାଶିତ ହୁଏ । ସେ ଜଗତ୍ର ପ୍ରସବିତାର ବରଣୀୟ ଅଟନ୍ତି, ଅକ୍ଷର ପୁରୁଷ ଅଟନ୍ତି, ଯାହାଙ୍କଠାରୁ ଏହି ପୁରାତନ ପ୍ରଜ୍ଞା ପ୍ରସୃତ ହୋଇଛି ।
ଏହି ଅପରିଚ୍ଛିନ୍ନ ଆତ୍ମା ସହ କୌଣସି ପରିଚ୍ଛିନ୍ନ ବସ୍ତୁର ସଂଯୋଗ ହେବା ଅସମ୍ଭବ ହୁଏ । ଆଉ ସେ ଯେତେବେଳେ “ସର୍ବାତ୍ମାନଂ ସର୍ବଗତଂ ବିଭୁତ୍ୱାତ୍” ଅଟନ୍ତି, ତେବେ ତାଙ୍କଠାରୁ ଅନ୍ୟ ବସ୍ତୁ ଉତ୍ପନ୍ନ ହେବା ସମ୍ଭବ ନୁହେଁ । ଏଥିପାଇଁ ଶ୍ରୁତି କହିଥାଏ କି, ଯଦି ମୋହବଶ ଅନ୍ୟ କୌଣସି ବସ୍ତୁକୁ ଦେଖୁଛ, ତେବେ ମଧ୍ୟ ତାହା ଅନ୍ୟ କୌଣସି ପୃଥକ୍ ବସ୍ତୁ ନୁହେଁ, ତାହାକୁ ତାଙ୍କରି ପ୍ରକାଶମାତ୍ରରୂପରେ ବୁଝିବାପାଇଁ ଚେଷ୍ଟା କର । “ତଦେବାଗ୍ନିସ୍ତଦାଦିତ୍ୟସ୍ତଦ୍ବାୟୁସ୍ତଦୁ ଚନ୍ଦ୍ରମାଃ ।”
ଦେବତାଙ୍କଠାରୁ ନେଇ ମନୁଷ୍ୟ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ଉଦ୍ଭିଦ ଆଦି ସମସ୍ତ ପ୍ରାଣୀ ପ୍ରାଣସୂତ୍ରରେ ମାଳା ସମାନ ତାଙ୍କରିଠାରେ ଗ୍ରଥିତ ଅଟନ୍ତି । ପ୍ରାଣ ହିଁ ସେହି ସୂତ୍ର ଅଟେ, ସେହି ସୂତ୍ରରୂପୀ ପ୍ରାଣରେ ଲକ୍ଷ୍ୟ ନ ରହୁଥିବା କାରଣରୁ ଜୀବ ତାହାକୁ ଧରିପାରିନଥାଏ । ଯେପର୍ଯ୍ୟନ୍ତ ଜଗତ୍ ଦୃଷ୍ଟି ଅବରୁଦ୍ଧ ହୁଏନାହିଁ, ଆତ୍ମାର ସ୍ୱପ୍ରକାଶ ଭାବ ଅନୁଭବରେ ଆସିପାରେ ନାହିଁ । ଏଥିପାଇଁ ହେ ସାଧକ ! ତୁମ ଦୃଷ୍ଟି ସର୍ବଦା ଜାଗ୍ରତ ରହିବା ଆବଶ୍ୟକ । ଆତ୍ମାରେ ଲକ୍ଷ୍ୟ ନରହିଲେ, ବାହ୍ୟ ବସ୍ତୁରେ ଲକ୍ଷ୍ୟ ରହିବ । ବାହ୍ୟ ବସ୍ତୁରେ ଲକ୍ଷ୍ୟ ରହିଲେ, ମନ ସେଥିରେ ବାନ୍ଧି ହୋଇଯିବ । ଏଥିପାଇଁ ଜଗତ୍ ଦୃଷ୍ଟିକୁ ଅବରୁଦ୍ଧ କର । ମନ ଲଗାଇ କ୍ରିୟା କଲେଯାଇ ସାଧକଙ୍କର ଆତ୍ମଲକ୍ଷ୍ୟରେ ସ୍ଥିତି ହୁଏ, ସେତେବେଳେ ସଂସାରଚକ୍ରରୂପୀ ତାଙ୍କର ଘୋର ମୂର୍ତ୍ତି ଦୃଷ୍ଟିଗୋଚର ହୁଏନାହିଁ । ଗୁରୁଙ୍କ ଉପଦେଶ ଅନୁସାରେ ପ୍ରାଣପଣେ ସାଧନ ଅଭ୍ୟାସ କର । ବର୍ତ୍ତମାନ ପର୍ଯ୍ୟନ୍ତ କରୁଛ କଣ ? କେବଳ କ୍ଷିପ୍ତ ଏବଂ ଅନ୍ଧଙ୍କଭଳି ଦୁଇହାତରେ ନରକକୁ ଅଣ୍ଡାଳୁଛ ! ! ଏଇ ମୁହୂର୍ତ୍ତରେ ବି ଜାଗ୍ରତ ହୋଇ ସାଧନ କର, ଗୁରୁଙ୍କ କୃପାରୁ ଏକ ଏଭଳି ଅବସ୍ଥାର ସନ୍ଧାନ ମିଳିବ, ଯେଉଁ ଅବସ୍ଥାରେ ସ୍ଥିତ ହେଲେ ବାହାର ଲୋକ ଦେଖିବେ କି ତୁମେ ସଂସାରୀ ବାନା ଧାରଣ କରି ସଂସାର ଚଳାଉଅଛ, ସଂସାରର ସମସ୍ତ ସମ୍ବନ୍ଧ ତୁମ ସହିତ ଜଡ଼ିତ ହୋଇଛି, ହେଲେ ତୁମର ମନ ଆତ୍ମସ୍ଥ ହୋଇ ଅହଙ୍କାରଶୂନ୍ୟ ହୋଇଯାଇଛି । ଏଭଳି ଅବସ୍ଥାରେ ସାଧକ ସମସ୍ତଙ୍କଠାରେ ରହିବାପରେ ମଧ୍ୟ ସମସ୍ତଙ୍କ ସହିତ ଅସଂଯୁକ୍ତ (ପୃଥକ୍) ରହିଥାଏ—ଏହା ଯୁକ୍ତାବସ୍ଥା ଅଟେ ।
ଏହି ଯୁକ୍ତାବସ୍ଥା କିପରି ପ୍ରାପ୍ତ ହୋଇପାରେ ? ଯାହାକିଛି ବି ଅଛି, ସେ ସବୁ ଭଗବତ୍-ରୂପ ଅଟେ । ‘ଈଶାବାସ୍ୟମିଦଂ ସର୍ବମ୍’—ସମସ୍ତ ବସ୍ତୁ ବ୍ରହ୍ମରୂପ ଅଟେ, ହେଲେ ଅଜ୍ଞାନୀଙ୍କ ସମ୍ମୁଖରେ ସେ ବିଭିନ୍ନ ରୂପରେ ପ୍ରତୀତ ହୋଇଥାନ୍ତି । ବଦ୍ଧ ଜୀବଙ୍କର ଜଗତ୍ ଦୃଷ୍ଟି ହୁଏ, ବ୍ରହ୍ମ ଦୃଷ୍ଟି ହୋଇନଥାଏ । ଏଥିପାଇଁ ସାଧକଙ୍କୁ ପ୍ରଯତ୍ନ କରିବାପାଇଁ ପଡ଼ିବ ଯଦ୍ଦ୍ୱାରା ବ୍ରହ୍ମଦୃଷ୍ଟି ହେବ ଏବଂ ଜଗତ୍ ଦୃଷ୍ଟି ରହିବନାହିଁ । ହେଲେ ମନକୁ ଆତ୍ମାରେ ନ ରଖିଲେ ତ ତାହା ଅନ୍ୟ ବସ୍ତୁ ଦେଖିବ । ଅନ୍ୟ ବସ୍ତୁ ଦେଖିଲେ ବ୍ରହ୍ମଦର୍ଶନ ହେବନାହିଁ । ଏପରି କାହିଁକି ହୁଏ ? ଏହାର କାରଣ ହେଉଛି କି, ମନ ସ୍ୱଭାବତଃ ଚଞ୍ଚଳ ଅଟେ ଅତଃ ଅନ୍ୟ ଦିଗରେ ତାହାର ଦୃଷ୍ଟି ନିଶ୍ଚିତରୂପେ ରହିବ ଆଉ ସେତେବେଳେ ତାଙ୍କ ସମ୍ମୁଖରେ ଅନେକ ଦୃଶ୍ୟ ପଦାର୍ଥ ରହିବ । ଯଦି ସାଧକ ସାଧନ ଦ୍ୱାରା ମନର ଚାଞ୍ଚଲ୍ୟକୁ ଦୂର କରି ସ୍ଥିର ହୋଇପାରିଲେ ତାହାର ଅନ୍ୟ ବସ୍ତୁରୁ ଦୃଷ୍ଟି ଦୂର ହୋଇଯିବ ଆଉ ସେତେବେଳେ ତା ସମ୍ମୁଖରେ ଏକ ବ୍ରହ୍ମଙ୍କ ବ୍ୟତିରେକ ଅନ୍ୟ କୌଣସି ବସ୍ତୁର ଅସ୍ତିତ୍ୱ ରହିବନାହିଁ । ମନ ଚଞ୍ଚଳ ହେଲେ ବୋଧ ମଧ୍ୟ ଚଞ୍ଚଳ ହୋଇଯିବ, ଏହି କାରଣରୁ ଏକ ବସ୍ତୁ ଅନେକ ବସ୍ତୁରୂପରେ ପ୍ରତୀତ ହୁଏ । ହେଲେ ଶ୍ରୁତିରେ ଅନେକ ବସ୍ତୁର ନିଶେଧ ଦେଖିବାକୁ ମିଳିଥାଏ, ଅତଃ ଅନେକ ପଦାର୍ଥ ସତ୍ୟ ନୁହେଁ । ସତ୍ୟ କେବଳ ଏତିକି ଯେ, ସେ ଏକ ପରମାତ୍ମା ଅଟନ୍ତି । ଏହି ଏକତ୍ୱଦର୍ଶନ ସେତେବେଳେ ହୁଏ, ଯେତେବେଳେ ମନର ଚଞ୍ଚଳତା ରହେନାହିଁ, ଅତଃ ମନର ବିକ୍ଷେପକୁ ରୋକିବା ହେଉଛି ସର୍ବପ୍ରଧାନ ସାଧନା ।।୫।।
ବାୟୁ ଭଳି ସର୍ବବ୍ୟାପକ ଏବଂ ସର୍ବଭୂତରେ ମୁଁ ବିଦ୍ୟମାନ ।
ବାୟୁ ଆକାଶରେ ସର୍ବତ୍ର ପ୍ରବାହିତ ହେବାପରେ ବି ଯେଉଁଭଳି ଅସୀମ ଆକାଶକୁ ଲିପ୍ତ କରେନାହିଁ, ସେହିଭଳି ଭୂତସମୂହ ଆତ୍ମାରେ ସଞ୍ଚରଣ କରିଥାନ୍ତି, ତଥାପି ଆତ୍ମା ସେମାନଙ୍କ ସମୂହରୁ ନିର୍ଲିପ୍ତ ରହିଥାଏ । ଏପରି କାହିଁକି ହୁଏ ? ଏହାର କାରଣ ହେଉଛି କି, ଯଦିଓ ମୁଁ ସର୍ବତ୍ର ବିଦ୍ୟମାନ, ହେଲେ ଚାଞ୍ଚଲ୍ୟ କାରଣରୁ ଜୀବ ମୋତେ ଲକ୍ଷ୍ୟ କରିପାରେ ନାହିଁ । ଏଥିପାଇଁ ମୋଠାରେ ଅବସ୍ଥାନ କରିବାପରେ ମଧ୍ୟ ତାହାର ରହିବା ସମ୍ଭବ ନୁହେଁ । ଆକାଶ ବିନା ବାୟୁ ସଞ୍ଚରଣ କରିପାରିବ ନାହିଁ, ହେଲେ ନିରବୟବ ହୋଇଥିବା କାରଣରୁ ଆକାଶରୂପୀ ଆଧାରରେ ରହିବାପରେ ବି ବାୟୁ ତା ସହିତ ମିଶିଯାଇ ନଥାଏ । ଯେଉଁଭଳି ବାୟୁ ସର୍ବତ୍ର ବିଦ୍ୟମାନ ଅଟେ, ସେହିଭଳି ଅନନ୍ତ ଜୀବାତ୍ମା ବ୍ରହ୍ମାଣ୍ଡରେ ବ୍ୟାପ୍ତ ହୋଇ ଅବସ୍ଥିତ ଅଟନ୍ତି, ଆକାଶରେ ବାୟୁ ରହିବା ପରେ ବି ଯେଉଁଭଳି ଆକାଶରେ ମିଶିପାରି ନଥାଏ, ସେହିଭଳି ଦେହାଦି ଆତ୍ମା ସହିତ ଯୁକ୍ତ ହେବାପରେ ବି ଆତ୍ମା ସହିତ ମିଶି ନଥାନ୍ତି । ବାୟୁ ଆକାଶରେ ସର୍ବତ୍ରଗାମୀ ହେବାପରେ ବି ଯେଉଁଭଳି ପୃଥକ୍ ଭାବରେ ରହିଥାଏ, ସେହିଭଳି ଏହି ଭୂତସମୂହ ନିର୍ଲିପ୍ତ ଆତ୍ମଚୈତନ୍ୟରେ ଅବସ୍ଥିତ ହେବାପରେ ମଧ୍ୟ ତା ସହିତ ସଂଶ୍ଳିଷ୍ଟ ହୋଇନଥାଏ ।
ତୁରୀୟ ବ୍ରହ୍ମ ହିଁ ନିର୍ଗୁଣ ବ୍ରହ୍ମ ଅଟନ୍ତି, ସେ ଶାନ୍ତ ଅଟନ୍ତି, ନିଜ ମଧ୍ୟରେ ସ୍ତବ୍ଧ ଏବଂ ମଗ୍ନ ରହନ୍ତି । ସେ ସମୟରେ ତାଙ୍କଠାରେ କୌଣସି ବିଷୟର ସ୍ଫୁରଣ ଅବା ସୃଷ୍ଟି ହୋଇନଥାଏ । ଯଦିଓ ତାଙ୍କ ପ୍ରକୃତି ତାଙ୍କରିଠାରେ ସ୍ୱତଃ ବିଦ୍ୟମାନ ହୁଏ, ତଥାପି ତୁରୀୟାବସ୍ଥାରେ ସେ ବ୍ରହ୍ମରେ ରହିଥାନ୍ତି, ତାଙ୍କର କୌଣସି କାର୍ଯ୍ୟ ଦେଖାଯାଇ ନଥାଏ । ଏହି ନିଃସଙ୍ଗ ବ୍ରହ୍ମ ଯେତେବେଳେ ମାୟାକୁ ଅଙ୍ଗୀକାର କରନ୍ତି, ସେତେବେଳେ ସେ ସଗୁଣ ବ୍ରହ୍ମ ଅବା ମହେଶ୍ୱରୀ ହୋଇଥାନ୍ତି । ସେତେବେଳେ ତାଙ୍କ ଭିତରେ ସୃଷ୍ଟିର ଇଚ୍ଛା ଉଦୟ ହୁଏ । ସେତେବେଳେ “ସ ଐକ୍ଷତ ଏକୋଽହଂ ବହୁ ସ୍ୟାମ୍”—ସେହି ଈକ୍ଷଣରୁ ବ୍ରହ୍ମଶକ୍ତି ପ୍ରାଣ ସ୍ପନ୍ଦିତ ହୋଇଉଠିଥାଏ । ସେତେବେଳେ ଯେଉଁ ପ୍ରକୃତି ତାଙ୍କ ସହିତ ଅଙ୍ଗାଙ୍ଗୀ ଭାବରେ ମିଳିତହୋଇ ଏକ ହୋଇଯାଇଥିଲା, ତାହା ଯେପରି ତାଙ୍କଠାରୁ ପୃଥକ୍ ହୋଇଯାଇଥାଏ । ଏହା ଶିବଶକ୍ତିରୂପରେ ପ୍ରକାଶ ଭାବ ଅଟେ, ଏହା ସେହି ସଦ୍ବସ୍ତୁର ପ୍ରକୃତିପୁରୁଷ ରୂପରେ ପରିଣାମ ଅଟେ । ଶେଷରେ ଅସଂଖ୍ୟ ପରିଣାମ ଏବଂ ଅସଂଖ୍ୟ ଜୀବ ହୋଇଯାନ୍ତି । ହେଲେ ମୂଳତଃ ଏହି ଅସଂଖ୍ୟ ସେହି ଏକଙ୍କର ପରିଣାମମାତ୍ର ଅଟେ । ଜ୍ଞାନ ଦୃଷ୍ଟିରେ ସେହି ଏକଙ୍କୁ ଅନୁଭବ କଲେ ବହୁତ୍ୱର ବିକାଶ ରୁଦ୍ଧ ହୋଇଯାଏ, ସେତେବେଳେ ଯିଏ ଏକ ଥିଲେ, ସେ ଏକ ରହିଯାନ୍ତି । ଏହି କାରଣରୁ ମଧ୍ୟାବସ୍ଥାରେ ଅସଂଖ୍ୟ ପରିଣାମ ଏବଂ ଅସଂଖ୍ୟ ଜୀବଙ୍କର ଉତ୍ପତ୍ତି ହୁଏ, ତାହାକୁ ଜ୍ଞାନୀମାନେ ମାୟା କହନ୍ତି ।
ଅସ୍ମାନ୍ ମାୟୀ ସୃଜତେ ବିଶ୍ୱମେତତ୍
ତସ୍ମିଂଶ୍ଚାନ୍ୟୋ ମାୟୟା ସଂନିରୁଦ୍ଧଃ ।।୪/୯।।
ମାୟାଂ ତୁ ପ୍ରକୃତି ବିଦ୍ୟାନ୍ମାୟିନନ୍ତୁ ମହେଶ୍ୱରମ୍ ।
ତସ୍ୟାବୟବଭୂତୈସ୍ତୁ ବ୍ୟାପ୍ତଂ ସର୍ବମିଦଂ ଜଗତ୍ ।।୪/୧୦।।
ଯୋ ଯୋନିଂ ଯୋନିମଧିତିଷ୍ଠତ୍ୟେକୋ ଯସ୍ମିନ୍ନିଦଂ ସଂଚ ବିଚୈତି ସର୍ବମ୍ ।
ତମୀଶାନଂ ବରଦଂ ଦେବମୀଡ଼୍ୟଂ ନିଚାୟ୍ୟୈମାଂ ଶାନ୍ତିମତ୍ୟନ୍ତମେତି ।।୪/୧୧।। (ଶ୍ୱେତାଶ୍ୱତର)
ମାୟାଧୀଶ୍ୱର ପରମେଶ୍ୱର ଏହି ବିଶ୍ୱକୁ ଅକ୍ଷରବ୍ରହ୍ମଙ୍କଠାରୁ ସୃଷ୍ଟି କରିଛନ୍ତି, ଅନ୍ୟ ଅର୍ଥାତ୍ ଜୀବ ସେହି ବିଶ୍ୱରେ ମାୟା ଦ୍ୱାରା ବଦ୍ଧ ହୋଇଯାଇଛି ।
ମାୟାକୁ ପ୍ରକୃତି ବୋଲି ଜାଣ ଏବଂ ମାୟୀକୁ ମହେଶ୍ୱର ବୋଲି ବୁଝ । ତାଙ୍କର ଅଙ୍ଗଭୂତ ବସ୍ତୁସମୂହ ଦ୍ୱାରା ଏହି ସମସ୍ତ ଜଗତ୍ ବ୍ୟାପ୍ତ ହୋଇଅଛି ।
ଯେଉଁ ଅଦ୍ୱିତୀୟ ଦେବତା ପ୍ରତ୍ୟେକ କାରଣର ଅଧିଷ୍ଠାତା ଅଟନ୍ତି, ଯାହାଙ୍କଠାରୁ ଏ ସମସ୍ତ ଉତ୍ପନ୍ନ ହୋଇଛି ଆଉ ଯାହାଙ୍କ ନିକଟକୁ ଫେରିଯାଏ, ସେହି ନିୟନ୍ତା, ବରଦ ଏବଂ ପୂଜ୍ୟ ଦେବତାଙ୍କୁ ଦର୍ଶନ କରି ସାଧକ ଅତ୍ୟନ୍ତ ଶାନ୍ତି ପ୍ରାପ୍ତ କରିଥାନ୍ତି ।
ଏହି ଶିବ-ଶକ୍ତିଯୁକ୍ତ ଈଶ୍ୱର ଭାବ ସମ୍ମୁଖରେ ଭୀତ ଏବଂ ବ୍ୟାକୁଳ ଜୀବ ପରିତ୍ରାଣ ପାଇଁ ଆକୁଳ ଚିତ୍ତରେ ପ୍ରାର୍ଥନା କରିଥାଏ—
ଅଜାତ ଇତ୍ୟୈବଂ କଶ୍ଚିଦ୍ ଭୀରୁଃ ପ୍ରତିପଦ୍ୟତେ ।
ରୁଦ୍ର ଯତ୍ତେ ଦକ୍ଷିଣଂ ମୁଖଂ ତେନ ମାଂ ପାହି ନିତ୍ୟମ୍ ।।ଶ୍ୱେତା. ୪/୨୧।।
ହେ ରୁଦ୍ର, ତୁମେ ଜନ୍ମମରଣାଦି ଦୁଃଖରୁ ରହିତ ଅଟ, ଅତଃ ଜରାମରଣ ଯୋଗୁଁ କାତର ହୋଇ ଜୀବ ତୁମର ଶରଣାପନ୍ନ ହୁଏ । ଅତଃ କୃପା କରି ନିଜ ଅନୁକୂଳ ଦକ୍ଷିଣ ମୁଖ ଦ୍ୱାରା ମୋର ରକ୍ଷା କର ।।୬।।
ସମସ୍ତ ଭୂତ ଅଷ୍ଟପ୍ରକୃତି ଅନ୍ତର୍ଭୁକ୍ତ ଅଟନ୍ତି—କୌଣସି କର୍ମ ସମ୍ପନ୍ନ ହୋଇଯିବାପରେ ଅନ୍ୟ ଏକ କର୍ମରେ ପ୍ରବୃତ୍ତ ହୋଇଯାନ୍ତି ।
ଭଗବତ୍ ପ୍ରକୃତିରୁ ଜଗତ୍ ଉତ୍ପନ୍ନ ହୋଇଛି । ଜଗତ୍ ବିନଷ୍ଟ ହେବାପରେ ସମସ୍ତ ପଦାର୍ଥ ମୂଳ କାରଣରୂପା ପ୍ରକୃତି ଭିତରେ ଲୀନ ହୋଇଯାଏ । ଯେତେବେଳେ ଜଗତ୍ ଆଦି ବସ୍ତୁସମୂହର ସୃଷ୍ଟି ଏବଂ ଲୟ ହୁଏ, ସେତେବେଳେ ତାହାକୁ ନିତାନ୍ତ ଅସତ୍ କିପରି କହିପାରିବା ? ଜଗଦାଦିର ସୃଷ୍ଟି ଏବଂ ଲୟର କାରଣ ହେଉଛି ମାୟା । ମାୟା ଦ୍ୱାରା ହିଁ ଏହି ଜଗତ୍ ବାରମ୍ବାର ସୃଷ୍ଟ ଏବଂ ଧ୍ୱଂସ ପ୍ରାପ୍ତ ହେଉଅଛି । ଏହି ମାୟା ଅନିର୍ବଚନୀୟ ଅଟେ, ଏହାକୁ ନାଁ ତ ସତ୍ କହିପାରିବା ଆଉ ନାଁ ଅସତ୍ । ଘଟ ମୃତ୍ତିକାରୁ ଉତ୍ପନ୍ନ ହୋଇଛି ଏବଂ ତାହା ମୃତ୍ତିକାରେ ଲୀନ ହୋଇଯାଏ, ସେହିଭଳି ଏହି ଜଗତ୍ ଅନିର୍ବଚନୀୟ ମାୟାରୁ ଉତ୍ପନ୍ନ ହୁଏ ଏବଂ ସେଥିରେ ଲୟ ହୋଇଯାଏ । ଯଦି ମାୟା ହିଁ ଜଗତ୍ର ଉତ୍ପତ୍ତିର ହେତୁ ଅଟେ ତେବେ ପୁଣି ଭଗବାନଙ୍କୁ ହେତୁ କାହିଁକି କୁହାଯାଇଛି ? ହଁ, ମାୟା ହେତୁ ବା କାରଣ ତ ଅଟେ, ହେଲେ ତାହା ନିମିତ୍ତ କାରଣ ଅଟେ । ନିମିତ୍ତ କାରଣ ନହେଲେ ଜଗତରୂପୀ ପରିଣାମ ହୋଇପାରିବ ନାହିଁ । ଜଗତରୂପ ଯେଉଁ ବିକୃତି ରହିଛି, ତାହାର ଉପାଦାନର ହେତୁ ମଧ୍ୟ ମାୟା ଅଟେ । ହେଲେ ମାୟା ସ୍ୱୟଂ ସତ୍ୟ ନୁହେଁ, ଅତଃ ତାହାର ପରିଣାମସ୍ୱରୂପ ଏହି ଜଗଦାଦି ଭାବ ମଧ୍ୟ ଅସତ୍ୟ ଅଟେ । ହେଲେ ଯାହାର ଅବଲମ୍ବନ କରି ଏହି ମାୟିକ ପରିଣାମ ହୁଏ, ସେହି ମୂଳ କାରଣ ନିତ୍ୟ ସତ୍ୟ ଅଟେ, ସେହି ସତ୍ୟ ବସ୍ତୁ ହିଁ ଜଗତର ବିବର୍ତ୍ତର କାରଣ ଅଟେ । ରଜ୍ଜୁରେ ସର୍ପଭ୍ରମ ହୁଏ, ଏହି ସର୍ପ ବୋଧ ଭ୍ରମଜ୍ଞାନ ଅଟେ ଅତଃ ମିଥ୍ୟା ଅଟେ, ହେଲେ ଯେଉଁ ରଜ୍ଜୁକୁ ଆଶ୍ରୟକରି ଏହି ସର୍ପଜ୍ଞାନ ହୁଏ, ସେହି ରଜ୍ଜୁ ସତ୍ୟ ଅଟେ । ଧରିନିଅ ରଜ୍ଜୁ ବିବର୍ତ୍ତିତ ହୋଇ ସର୍ପରୂପତାକୁ ପ୍ରାପ୍ତ ହୁଏ । ଏହିଭଳି ଭଗବାନଙ୍କୁ ହିଁ ସର୍ବକାରଣ କୁହାଯାଏ କାହିଁକି ନାଁ ମାୟା ମଧ୍ୟ ଭଗବାନଙ୍କର ଶକ୍ତି ଅଟେ ଏବଂ ତାଙ୍କଠାରୁ ଅଭିନ୍ନ ଅଟେ । ଯଦି ତାଙ୍କଠାରୁ ମାୟା ଭିନ୍ନ ହୋଇଥାନ୍ତା ତେବେ ଜଗତର ନିମିତ୍ତ କାରଣ ମଧ୍ୟ ସତ୍ୟ ହୋଇଥାନ୍ତା ଏବଂ ବ୍ରହ୍ମ ବ୍ୟତିରେକ ଏହି ପ୍ରକୃତି ମଧ୍ୟ ପରମ ସତ୍ୟ ରୂପେ ପରିଗଣିତ ହୋଇଥାନ୍ତା । ହେଲେ ଶ୍ରୁତି ଅନୁସାରେ—“ନେହ ନାନାସ୍ତି କିଞ୍ଚନ”—ନାନାତ୍ୱ ନାହିଁ, ଅତଃ ନିମିତ୍ତ କାରଣ ମଧ୍ୟ ତାଙ୍କଠାରୁ ଅଭିନ୍ନ ଅଟେ । ଯେଉଁଭଳି ସମୁଦ୍ରର ଜଳ ତରଙ୍ଗରୂପରେ, ଅଥବା ସ୍ୱର୍ଣ୍ଣ କୁଣ୍ଡଳରୂପରେ ବିବର୍ତ୍ତିତ ହୁଏ, ହେଲେ ସମୁଦ୍ରରୁ ତରଙ୍ଗ କିମ୍ବା ସ୍ୱର୍ଣ୍ଣରୁ କୁଣ୍ଡଳ କୌଣସି ପୃଥକ୍ ବସ୍ତୁ ନୁହେଁ, ସେହିଭଳି ବ୍ରହ୍ମରୁ ମାୟା କୌଣସି ପୃଥକ୍ ବସ୍ତୁ ନୁହେଁ । ଯଦି ତାହାର ପ୍ରତୀତୀ ହେଉଅଛି, ତେବେ ସେହି ବ୍ରହ୍ମ ହିଁ ତଦ୍ରୂପରେ ପ୍ରତୀତ ହେଉଛନ୍ତି, ଅନ୍ୟ କେହି ନୁହେଁ । ଶ୍ରୀରାମତାପନୀ ଉପନିଷଦରେ ଲେଖା ଅଛି—
ଜାଗ୍ରତ୍ସ୍ୱପ୍ନସୁଷୁପ୍ତ୍ୟାଦିପ୍ରପଞ୍ଚଂ ଯତ୍ପ୍ରକାଶତେ ।
ତଦ୍ ବ୍ରହ୍ମାହମିତି ଜ୍ଞାତ୍ୱା ସର୍ବବନ୍ଧୈଃ ପ୍ରମୁଚ୍ୟତେ ।।
ଜାଗ୍ରତ, ସ୍ୱପ୍ନ ଏବଂ ସୁଷୁପ୍ତି ଭିତରେ ଯେଉଁ ପ୍ରପଞ୍ଚ ପ୍ରକାଶିତ ହେଉଅଛି, ସେ ସବୁ ମଧ୍ୟ ବ୍ରହ୍ମସ୍ୱରୂପ ମୁଁ ଅଟେ, ଏହା ଅବଗତ ହୋଇ ବନ୍ଧନରୁ ମୁକ୍ତି ପ୍ରାପ୍ତ ହୁଏ ।
ପ୍ରକୃତି ଅର୍ଥାତ୍ କ୍ଷିତ୍ୟପ୍ତେଜୋମରୁଦ୍ୟୋମ, ମନ, ବୁଦ୍ଧି ଏବଂ ଅହଂକାର—ଏହି ଅଷ୍ଟ ପ୍ରକୃତି ରହିଛି । ଦେହାନ୍ତ ହେବାପରେ ମଧ୍ୟ ଜୀବ ଏହି ଅଷ୍ଟ ପ୍ରକୃତିରୁ ପୃଥକ୍ ହୋଇନଥାଏ । ଏହି ଅଷ୍ଟ ପ୍ରକୃତି ଅଣୁରୂପରେ ଦେହୀର ଅନୁଗମନ କରି ପୁଣି ଜୀବରୂପରେ ଉତ୍ପନ୍ନ ହୁଏ । ଜୀବାବସ୍ଥାରେ ଜୀବ ଶତଶତ କଳ୍ପନା କରେ, କଳ୍ପନା ଅନୁସାରେ କର୍ମ ସମ୍ପନ୍ନ ହୋଇଯିବାପରେ ପୁଣି ଅନ୍ୟ କର୍ମମାନଙ୍କରେ ପ୍ରବୃତ୍ତ ହୋଇଯାଏ । କଳ୍ପନା ପରିତ୍ୟାଗର ସମୟ ହେଉଛି ଜୀବର ମୃତ୍ୟୁ, ହେଲେ ସେହି ପରିତ୍ୟାଗ ସାମୟିକ ଅଟେ । ପୁଣି ଜୀବର ଅଦୃଷ୍ଟ କାରଣରୁ ଭୋଗର ସମୟ ଉପସ୍ଥିତ ହେଲେ କଳ୍ପନା ଅନୁସାରେ ଜୀବର ଜନ୍ମହୁଏ । ଏହିଭଳି ଜୀବର ବାରମ୍ବାର ଜନ୍ମ ଏବଂ ମୃତ୍ୟୁ ହେଉଥାଏ । କ୍ରିୟାର ପରାବସ୍ଥାରେ ଜୀବର ଏହି କଳ୍ପନା ନିବୃତ୍ତ ହୋଇଯାଏ, ତାହାକୁ ହିଁ କଳ୍ପକ୍ଷୟ କହିଥାନ୍ତି । ହେଲେ କ୍ରିୟାର ପରାବସ୍ଥାରେ ପୂର୍ଣ୍ଣ ସ୍ଥିତି ନ ହେଲେ ଜୀବ ବାଧ୍ୟ ହୋଇ ସେଠାରୁ ଅବତରଣ କରେ, ସେତେବେଳେ ପୁଣି ତାହାର ସାଂସାରିକ ପ୍ରବୃତ୍ତିର ଉଦୟ ହୁଏ—ଏହା ହେଉଛି “କଳ୍ପାଦୌ ବିସୃଜାମ୍ୟହମ୍” ଏହା ଭଗବାନଙ୍କ ପ୍ରକୃତିର ଖେଳ ଅଟେ ଆଉ ସେହି ପ୍ରକୃତି ବଶରେ ସମସ୍ତ ଜୀବ ଅଛନ୍ତି । କାହିଁକି ନାଁ ତତ୍ତ୍ୱତୀତ କ୍ରିୟାର ପରାବସ୍ଥାରେ କିଛି ବି ରହେନାହିଁ, ଅତଃ ଏହି ଜୀବଭାବ ଏବଂ ତାହାର ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି ଏହି ତିନିଗୋଟି ଅବସ୍ଥା ହିଁ ପ୍ରପଞ୍ଚ ଅଟେ । ଜୀବ ପଞ୍ଚତତ୍ତ୍ୱରେ ରହି ଦେହାଦିରେ ଅଭିମାନ କରିଥାଏ, ହେଲେ ତତ୍ତ୍ୱାତୀତ ଅବସ୍ଥାରେ ପ୍ରପଞ୍ଚ ନଥାଏ । ସେ ହିଁ ବ୍ରହ୍ମସ୍ୱରୂପ ଅଟେ ଆଉ ସେଥିରୁ ଏହି ପ୍ରପଞ୍ଚ ପ୍ରକାଶିତ ହୁଏ । କ୍ରିୟା କରିକରି କ୍ରିୟାର ପରାବସ୍ଥାରେ ସେହି ନିର୍ମଳ ବ୍ରହ୍ମଙ୍କର ଜ୍ଞାନ ହୁଏ, ସେତେବେଳେ ମୁଁ ବ୍ରହ୍ମ ଅଟେ—ଏହିଭଳି ଜ୍ଞାନ ହେବାରୁ ଜୀବ ସମସ୍ତ ବନ୍ଧନରୁ ବିମୁକ୍ତ ହୋଇଯାଏ କାହିଁକି ନାଁ ବ୍ରହ୍ମରେ ଲୀନ ହେବାରୁ ଅନ୍ୟ ବସ୍ତୁ ରହେନାହିଁ । ବସ୍ତୁ ଦ୍ୱାରା ହିଁ ଆକୃଷ୍ଟ ହୋଇ ମନ ବଦ୍ଧ ହୋଇଯାଏ, ଯେତେବେଳେ କୌଣସି ବସ୍ତୁ ହିଁ ନାହିଁ, ସବୁକିଛି ବ୍ରହ୍ମ ହୋଇଗଲା, ସେତେବେଳେ କିଏ କାହାକୁ ବନ୍ଧନ କରିବ ? ଚିତ୍ତ ଅନ୍ୟମନସ୍କ ହେଲେ ହିଁ ମାୟାରେ ମୁଗ୍ଧ ହୁଏ, ଏଥିପାଇଁ କ୍ରିୟା ଅଧିକାଧିକ କରିବାକୁ ପଡ଼ିଥାଏ, କ୍ରିୟା କଲେ ନିଶା ହୋଇଯାଏ, ତାପରେ ପୁଣି ଚିତ୍ତ ଅନ୍ୟ ବସ୍ତୁ ଦିଗକୁ ଯାଏନାହିଁ, ଅତଃ ପୁଣି କଳ୍ପ ଅବା କଳ୍ପନାର ସୃଷ୍ଟି ହୁଏନାହିଁ । ଏହିଭଳି ଭାବରେ ଯେତେବେଳେ ଚିତ୍ତ ଚିତ୍ତରେ ରହିଥାଏ, ଅନ୍ୟତ୍ର କେଉଁଆଡ଼କୁ ବି ଯାଏନାହିଁ, ସେତେବେଳେ ତାହା ‘ଚିନ୍ମାତ୍ର’ ହୋଇଯାଏ । ଏହି ଚିନ୍ମାତ୍ର ରୂପ ହିଁ ଭଗବଦ୍ରୂପ ଅଟେ, ଏହା କ୍ରିୟାର ପରାବସ୍ଥା ଅଟେ । ଏହାକୁ ଚିତ୍ତରେ ରଖିବା ଅବା ମନରେ ରଖିବା କୁହାଯାଏ । କ୍ରିୟାର ପରାବସ୍ଥାରେ ଚିତ୍ତରେ ଚିତ୍ତ ମିଳିତ ହୋଇଯାଏ, ଏହି ଅବସ୍ଥାରେ ଯିଏ ରହନ୍ତି ସେ ସଦାଶିବ ଅଟନ୍ତି । ସେତେବେଳେ ଭିତରେ ଭିତରେ ଶ୍ୱାସ ଚାଲିଥାଏ ଆଉ ଭ୍ରୂମଧ୍ୟରେ ଦୃଷ୍ଟି ରହିଥାଏ, ପ୍ରାଣ ଏବଂ ଅପାନ ସମାନରୂପରେ ଅବସ୍ଥିତି କରନ୍ତି, ବାୟୁ ନାସିକା ଭିତରେ ବିଚରଣ କରିଥାଏ । ଏହା ନିଷ୍କଳ ଅବସ୍ଥା ଅଟେ । କ୍ରିୟାରତ ହେଲେ ଏହି ଅବସ୍ଥା ସ୍ୱତଃ ଆସିଥାଏ । ସର୍ବଦା ଚିତ୍ସ୍ୱରୂପ କୂଟସ୍ଥରେ ରହିରହି ବ୍ରହ୍ମ ହୋଇଯାଏ । ସବୁକିଛି ବ୍ରହ୍ମ ହୋଇଯିବାପରେ ବ୍ରହ୍ମ ଅଦ୍ୱିତୀୟ ହୋଇଯାନ୍ତି । ଏହାକୁ ଜାଣିବାର ନାମ କୈବଲ୍ୟ ଅଟେ । ସର୍ବଦା କ୍ରିୟା କଲେ କୈବଲ୍ୟ ପଦ ପ୍ରାପ୍ତ ହୁଏ । ଯାହାଙ୍କୁ କୈବଲ୍ୟ ପଦ ପ୍ରାପ୍ତ ହୁଏ, ତାଙ୍କପାଇଁ ପୁଣି ସୃଷ୍ଟି ଅଥବା ଲୟ ରହେନାହିଁ । ଏହି ଅବସ୍ଥାକୁ ପ୍ରାପ୍ତ ସାଧକ ଜୀବନ୍ମୁକ୍ତ ପୁରୁଷ ବୋଲାନ୍ତି ।।୭।।
ଏହି ପ୍ରକୃତିରେ ଅଟକିରହି ବାରମ୍ବାର ଇଚ୍ଛା କରନ୍ତି—ଏହି କାରଣରୁ ବାରମ୍ବାର ଜନ୍ମ-ମୃତ୍ୟୁ ହୁଏ—ହେଲେ ପଞ୍ଚଭୂତର ଯେଉଁ ପଞ୍ଚ ଇନ୍ଦ୍ରିୟ ରହିଛନ୍ତି, ସେହି ଭୂତ ସେହି ଇନ୍ଦ୍ରିୟମାନଙ୍କ ଅଧୀନରେ ରହିଛନ୍ତି—ସମସ୍ତ ଇନ୍ଦ୍ରିୟଙ୍କୁ—ପ୍ରକୃତି ଅର୍ଥାତ୍ ଶରୀର ମଧ୍ୟରେ ରହି, ଶରୀର ଯାହା ସ୍ୱୟଂ ଅବଶ ଅଟେ ତାହାକୁ ଅଧୀନରେ ରଖିବା ଦୁଷ୍କର ଅଟେ—ଅତଃ ଇନ୍ଦ୍ରିୟସମୂହ ସେହି ଘରର ଅଟନ୍ତି, ସେମାନେ ମଧ୍ୟ ଅଧୀନରେ ରହନ୍ତି ନାହିଁ—ହେଲେ କ୍ରିୟା କରି ଅବସ୍ଥାନ କରନ୍ତି ।
–ଭଗବାନ୍ ନିର୍ଲିପ୍ତ ଏବଂ ନିର୍ବିକାର ହୋଇ କିପରି ଜଗତ୍ର ସୃଷ୍ଟି କରନ୍ତି, ଏଥିରେ ତାଙ୍କର କି ପ୍ରୟୋଜନ ରହିଛି—ଏପ୍ରକାର ପ୍ରଶ୍ନ ମନରେ ଉଠିବା ସ୍ୱାଭାବିକ ଅଟେ । ଏଥିପାଇଁ ଭଗବାନ୍ ଅର୍ଜ୍ଜୁନଙ୍କ ସଂଶୟ ଦୂର କରିବାପାଇଁ କହୁଛନ୍ତି, ଦେଖ, ପ୍ରଳୟକାଳରେ ସମସ୍ତ ଭୂତ ପ୍ରକୃତିରେ ବିଲୀନ ହୋଇଯାନ୍ତି, ସେହି ପ୍ରକୃତିର ମୁଁ ଅଧୀଶ୍ୱର ଅଟେ, ମୋର ଇଚ୍ଛା-ଅନିଚ୍ଛା କିଛି ନାହିଁ, କାହିଁକି ନାଁ ମୁଁ ସ୍ୱୟଂ ପୂର୍ଣ୍ଣ ଅଟେ, ମୋର କୌଣସି ଅଭାବ ରହିପାରେ ନାହିଁ । ଅତଃ ଅଭାବର ପୂର୍ତ୍ତି ନିମନ୍ତେ ଜଗତର ସୃଷ୍ଟି କରିବାର କୌଣସି କାରଣ ନାହିଁ । ମୁଁ ଚିରମୁକ୍ତ ସ୍ୱଭାବ ଅଟେ, ମୋର ବନ୍ଧନ ହୋଇପାରିବ ନାହିଁ, ତେବେ ମୁକ୍ତି ନିମନ୍ତେ ମୁଁ କାହିଁକି ଜନ୍ମଗ୍ରହଣ କରିବି ? ତେବେ ସୃଷ୍ଟି ହୁଏ କାହିଁକି, ଏହା ପ୍ରଶ୍ନ ଅଟେ । ନିଜ ପ୍ରକୃତି ସମ୍ବନ୍ଧରେ ମୁଁ ଯାହା କହିଲି, ସେହି ପ୍ରକୃତି ମୋର ମାୟା ଅଟେ । ତା ମଧ୍ୟରେ ଅନେକ ଅଘଟିତ ଘଟଣାସମୂହ ହେଉଥାଏ, ହେଲେ ମୁଁ ତାହାର ପ୍ରଭୁ ଅଟେ, ମୁଁ ହିଁ ତାହାର ଆଶ୍ରୟ ଅଟେ, ଅତଃ ସେଥିରେ ଯେଉଁ ଖେଳ ହୁଏ, ତାହା ମୋ ଶକ୍ତିଦ୍ୱାରା ହିଁ ହୁଏ । ଏହି କାରଣରୁ ଜଣାଯାଏ କି, ଯେପରି ମୁଁ ହିଁ ସବୁକିଛି କରୁଛି, ହେଲେ ମୋର କୌଣସି ପ୍ରୟୋଜନ ନ ହେବା କାରଣରୁ ମୁଁ ସେ ସମସ୍ତ ଖେଳରୁ ସର୍ବଦା ନିଃସଙ୍ଗ ରହିଥାଏ । ଏ ସମସ୍ତ ପ୍ରକୃତିର ଖେଳ ମିଥ୍ୟା ହେବାପରେ ମଧ୍ୟ ସତ୍ୟବତ୍ ପ୍ରତୀତ ହୁଏ । ଏହାର କାରଣ ହେଉଛି କି, ମାୟା ମିଥ୍ୟା ହେବାପରେ ମଧ୍ୟ ସତ୍ୟସ୍ୱରୂପ ମୋତେ ଆଶ୍ରୟକରି ରହିଥାଏ, ଏହି କାରଣରୁ ତାହାକୁ କେହି ଅସତ୍ୟ ମନେକରିପାରନ୍ତି ନାହିଁ । ଏହି ମାୟା ଦର୍ପଣରେ ମୋର ଯେଉଁ ପ୍ରତିବିମ୍ବ ପଡ଼ିଥାଏ, ତାହା ସ୍ୱରୂପତଃ ଅସତ୍ୟ ହେବାପରେ ବି ସତ୍ୟବତ୍ ଭାସିତ ହୁଏ । ଏହି ପ୍ରତିବିମ୍ବକୁ ନେଇ ମାୟାର ଖେଳ । ସେଥିରେ କେତେଥର ସୃଷ୍ଟି ସ୍ଥିତି ଆଉ ଲୟ ହୁଏ । ପ୍ରତିବିମ୍ବ ହେବାପରେ ମଧ୍ୟ ତାହା ଚୈତନ୍ୟର ପ୍ରତିବିମ୍ବ ଅଟେ, ସେହି ଚେତନମୟ ପ୍ରତିବିମ୍ବ ହିଁ ଅନେକ ରୂପରେ ଖେଳ କରିଥାଏ, ଏହି ଖେଳର ଯେପରି ଅନ୍ତ ନାହିଁ, କେତେବେଳେ ଆରମ୍ଭ ହୋଇଛି, ଏହା କେହି କହିପାରନ୍ତି ନାହିଁ । କାହିଁକି ନାଁ ଏହି ପ୍ରକୃତି ଅନିର୍ବଚନୀୟତା ସଦ୍ସଦ୍ରୂପା ଏବଂ ଅନାଦି ଅଟେ । ଏହି ପ୍ରକୃତି ଯେତେବେଳେ ପୁରୁଷର ବକ୍ଷଃସ୍ଥଳରେ ଶୋଇଯାଏ, ସେତେବେଳେ ଜଗତ୍ର ପ୍ରଳୟ ହୋଇଯାଏ । ହେଲେ ପ୍ରକୃତି ପୁଣି ଜାଗ୍ରତ ହୁଏ । ଏହି ପ୍ରକୃତିର ଜାଗରଣ ସହିତ ତାହାର ସମସ୍ତ ଖେଳଣାମାନ ମଧ୍ୟ ଜାଗ୍ରତ ହୋଇଉଠେ । ପୁରାତନ କର୍ମ କାରଣରୁ ଭୂତଗଣଙ୍କର ଯେଉଁ ସ୍ୱଭାବର ସୃଷ୍ଟି ହୁଏ, ସେହି ସ୍ୱଭାବ ବଶରେ ବାଧ୍ୟ ହୋଇ ଖେଳିବାକୁ ଆସନ୍ତି । ସେସବୁ ପୁରାତନ କର୍ମ ଅନୁସାରେ କର୍ମରେ ଆବଦ୍ଧ ହୋଇ ତତ୍ତତ୍ ରୂପରେ ସୃଷ୍ଟ ହୋଇଥାନ୍ତି । ଅତଃ ଏପ୍ରକାର ସୃଷ୍ଟି ମଧ୍ୟ ଯେଉଁଭଳି ମାୟାମୟ ଏବଂ ମିଥ୍ୟା ଅଟେ, ସେହିଭଳି ଆମର ସୃଷ୍ଟିସଂକଳ୍ପ ଏବଂ ରଚନା ମଧ୍ୟ ମାୟାମୟ ଏବଂ ମିଥ୍ୟା ଅଟେ । ମୁଁ ଏ ସମସ୍ତ କାର୍ଯ୍ୟର ସାକ୍ଷୀମାତ୍ର ଅଟେ, ମୋ ଅଧିଷ୍ଠାନ ବଶରେ ପ୍ରକୃତିରେ ଏପ୍ରକାର ସୃଷ୍ଟିର ବିକାଶ ହୁଏ । ଯେଉଁଭଳି ସ୍ୱପ୍ନଦ୍ରଷ୍ଟା ପୁରୁଷଙ୍କୁ ଆଶ୍ରୟ କରି ସ୍ୱପ୍ନ ଉତ୍ପନ୍ନ ହୁଏ, ସେହିଭଳି ମୋତେ ଆଶ୍ରୟ କରି ମାୟାରେ ସୃଷ୍ଟି ପରିକଳ୍ପିତ ହୁଏ । ସ୍ୱପ୍ନାବସ୍ଥାରେ ଯେଉଁଭଳି ଦ୍ରଷ୍ଟା ପୁରୁଷଙ୍କର ମିଥ୍ୟା କଳ୍ପନା ରହିଛି, ସେହିଭଳି ଜଗଦାଦି ରଚନା ଦ୍ରଷ୍ଟା ପୁରୁଷଙ୍କ ମାୟାଦ୍ୱାରା କଳ୍ପିତ ମାତ୍ର ଅଟେ ।
ଭୂତଗ୍ରାମ ମାୟାକୁ ବଶୀଭୂତ କରିପାରେ ନାହିଁ, ଏହି ମାୟା ହିଁ ଜୀବର ଇଚ୍ଛା ଅବା କଳ୍ପନା ଅଟେ । ଏହାର ଅଧୀନସ୍ଥ ହୋଇ ପ୍ରକୃତି ଭିତରେ ଜୀବ ଅଟକି ରହିଥାଏ ଆଉ ତାହାର ଫଳସ୍ୱରୂପ ବାରମ୍ବାର ଜନ୍ମମୃତ୍ୟୁର ଅଭିନୟ ହୁଏ । ପଞ୍ଚ ଇନ୍ଦ୍ରିୟ, ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା ଏବଂ ତ୍ୱକ୍—ଏହି ପଞ୍ଚଭୂତ କ୍ଷିତି, ଅପ୍, ତେଜ, ମରୁତ୍ ଏବଂ ବ୍ୟୋମର ବଶୀଭୂତ ଅଟନ୍ତି, ଅତଃ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧାଦି ଦ୍ରଷ୍ଟାର ଦୃଶ୍ୟ ହୋଇ ଅବିରତ ଘୂରିବୁଲନ୍ତି । ପ୍ରକୃତିରୂପୀ ଏହି ଶରୀର ସ୍ୱୟଂ ଅବଶ ଅଟେ, ପଞ୍ଚଭୂତସମୂହର କ୍ରୀଡ଼ାଗୃହ ଅଟେ, ପଞ୍ଚ ଇନ୍ଦ୍ରିୟ ସେହି କ୍ରୀଡ଼ାଗୃହର ଝରକା ଏବଂ ଦ୍ୱାର ସ୍ୱରୂପ ଅଟନ୍ତି । ପଞ୍ଚଭୂତର ଚାଞ୍ଚଲ୍ୟତା କାରଣରୁ ଶରୀର ଚଞ୍ଚଳ, ଶରୀରର ଚାଞ୍ଚଲ୍ୟ କାରଣରୁ ଇନ୍ଦ୍ରିୟମାନେ ଚଞ୍ଚଳ ଏବଂ ଇନ୍ଦ୍ରିୟମାନଙ୍କର ଚାଞ୍ଚଲ୍ୟତା କାରଣରୁ ମନ ଚଞ୍ଚଳ ହୋଇ ୫x୫ = ୨୫ ତତ୍ତ୍ୱରେ ଘୂରିବୁଲି ବ୍ୟାକୁଳ ହେଉଅଛି । (ପରିବ୍ରାଜକ ଶ୍ରୀକୃଷ୍ଣାନନ୍ଦ ସ୍ୱାମୀ ଏହି ତତ୍ତ୍ୱ ତାଙ୍କର ନିମ୍ନଲିଖିତ ସଙ୍ଗୀତରେ ଉତ୍ତମରୂପେ ବର୍ଣ୍ଣନା କରିଛନ୍ତି ।)
(ମନ କରିସ୍ନେ ଗଣ୍ଡଗୋଲ—
ଓରେ, ପାଞ୍ଚ ହାୱା ପାଞ୍ଚ ଛାବା ଘରେ
ପାଞ୍ଚ ଭୂତେ ତୁଲେଛେ ରୋଲ,–
ଯଦି ପାଞ୍ଚେ ପାଞ୍ଚେ ପୈଚିସେର ମାନୁଷ
ଦେଖବି ତବେ ଦୁଆର ଖୋଲ ।
ଛେଡ଼େ ଖୁଁଟୀ ନାଟୀ ମୟଲା ମାଟି ମନ୍ଟା ଖାଁଟି କୋ ତୋଲ,
ଦେଖ ପାଞ୍ଚ ପଥେ ଏକ ରଙ୍ଗେର ମାନୁଷ କର୍ତେଛେ ଲୀଲା କେବଲ ।
ଓରେ କାଲୋ ଘଲୋ ଯତ ବଲ ପୁରୁଷ ମେୟେ ସେଇ ସକଲ—
ଯେମନ ନାନା ବୁଲି ବାଜାୟ ଢ଼ୁଲୀ ବାଜେ କିନ୍ତୁ ଏକଇ ଢ଼ୋଲ ।।
ଅର୍ଥାତ୍ ଆରେ ମନ, ଗଡ଼ବଡ଼ କର ନାହିଁ । ଆରେ ପଞ୍ଚ ବାୟୁ ପଞ୍ଚ ଭୂତଙ୍କ ଘରେ କୋଳାହଳ କରୁଛନ୍ତି । ଯଦି ୫x୫=୨୫ର ମନୁଷ୍ୟ ଦେଖିବାକୁ ଅଛି, ତେବେ ଦ୍ୱାର ଖୋଲିଦିଅ । ଆରେ ମନ, ସମସ୍ତପ୍ରକାର ମଇଳା, ଅପରିଷ୍କାରକୁ ଛାଡ଼ି ନିଜକୁ ଶୁଦ୍ଧ କର । ଦେଖ, ପାଞ୍ଚ ମାର୍ଗରେ କେବଳ ଗୋଟିଏ ରଙ୍ଗର ମନୁଷ୍ୟ ଲୀଳା କରୁଛନ୍ତି । ଆରେ, କଳା ଧଳା ଯେତେକୁହ ସ୍ତ୍ରୀ ପୁରୁଷ ସବୁ ସେ ହିଁ ଅଟନ୍ତି । ଢ଼ୋଲକବଜାଇବା ଲୋକ ଯେତେପ୍ରକାରେ ଢ଼ୋଲ ବଜାଉ ନାଁ କାହିଁକି, ସେ ଗୋଟିଏ ଢ଼ୋଲକୁ ବଜାଇଥାଏ ।)
ହେଲେ ଏହି ଭୂତଗ୍ରାମ ଏବଂ ଇନ୍ଦ୍ରିୟାଦି ଇନ୍ଦ୍ରଜାଲର ଦୃଶ୍ୟ ସମ ଅଦ୍ଭୁତ ତଥା ମିଥ୍ୟା ଅଟେ । ଯିଏ ମନଲଗାଇ ପ୍ରତିଦିନ ସାଧନାଭ୍ୟାସ କରନ୍ତି ତାଙ୍କର ପ୍ରାଣ ଯାହା ସମସ୍ତ ପ୍ରପଞ୍ଚର ମୂଳ ଅଟେ, ସ୍ଥିର ହୋଇଯାଏ । ପ୍ରାଣର ସ୍ଥିରତା ସହିତ ମନ ଏବଂ ତା ସହିତ ଇନ୍ଦ୍ରିୟସମୂହ ସ୍ଥିର ହୋଇ ଦେବଙ୍କ ଦେବ ସେହି ପରମାତ୍ମାଙ୍କର ଆରତୀ କରନ୍ତି । ସେତେବେଳେ ଜଣଙ୍କ ଭିତରେ ବହୁତ୍ୱର ପରିସମାପ୍ତି ହୁଏ ଏବଂ ଏହି ଇନ୍ଦ୍ରଜାଲରୂପୀ ବିଶ୍ୱ ଖେଳର ଅବସାନ ହୋଇଯାଇଥାଏ । ସେହି ଏକ ଦେବତା ସ୍ତ୍ରୀ, ପୁରୁଷ, ପଶୁ, ପକ୍ଷୀ, କୀଟ, ସ୍ଥାବର-ଜଙ୍ଗମାଦି ରୂପେ ପ୍ରକାଶିତ ହେଉଛନ୍ତି । ଏହି ଖେଳରେ ବହୁତ୍ୱର ଖେଳ ତ ରହିଛି ହେଲେ ଅଭିନେତା ଅନେକ ନୁହଁନ୍ତି ।।୮।।
ପ୍ରକୃତି ଏବଂ ଇନ୍ଦ୍ରିୟସମୂହକୁ ବଶକରି ସମସ୍ତ କର୍ମ ହେଉଛି—ହେଲେ ମୁଁ ସେ ସମସ୍ତ କର୍ମରୁ ପୃଥକ୍ ଅଟେ—ସେହି କର୍ମ ମୋତେ ଆବଦ୍ଧ କରିପାରନ୍ତି ନାହିଁ—କାହିଁକି ନାଁ ମୁଁ ନିଜ ଆତ୍ମାରେ ଅବସ୍ଥାନ କରେ ମସ୍ତକ ଉପରେ ଆରୂଢ଼—ଅଥବା ଆରୂଢ଼ ସମ ଅନ୍ୟ ଦିଗରେ ଦୃଷ୍ଟି ନ ଥିବା କାରଣରୁ ଅନ୍ୟ ବସ୍ତୁରେ ଆସକ୍ତି ନଥାଏ—ମୁଁ ଆତ୍ମାରେ ହିଁ ଅବସ୍ଥାନ କରେ ଏହି କାରଣରୁ ଆତ୍ମାରେ ଆସକ୍ତ ରହିଥାଏ ।
–ମାୟା ଯେତେବେଳେ ତୁମର ଅଟେ ଏବଂ ତା ଦ୍ୱାରା ଯେତେବେଳେ କୌଣସି କର୍ମ ହୁଏ, ତେବେ ଅନ୍ୟାନ୍ୟ ଜୀବମାନଙ୍କ ଭଳି ତୁମର ବନ୍ଧନ କାହିଁକି ହେବନାହିଁ ? ଏଥିପାଇଁ ଭଗବାନ୍ କହୁଛନ୍ତି—ଦେଖ ଧନଞ୍ଜୟ ! କର୍ମବନ୍ଧନର ହେତୁ କଣ ଜାଣ କି ? ଆସକ୍ତି ଏବଂ କର୍ତ୍ତୃତ୍ୱର ଅଭିମାନ ହିଁ କର୍ମବନ୍ଧନର ହେତୁ ଅଟେ । ମୁଁ ଉଦାସୀନ ହୋଇଥିବା କାରଣରୁ କୌଣସି କର୍ମର କର୍ତ୍ତା ହୋଇପାରି ନାହିଁ । ଅତଃ କର୍ତ୍ତୃତ୍ୱାଭିମାନରୂପ ବିକାର ମୋଠାରେ ହେବା ସମ୍ଭବ ନୁହେଁ । ଅନାସକ୍ତ ହୋଇଥିବା କାରଣରୁ କର୍ମର ଶୁଭାଶୁଭ ଫଳ ପ୍ରତି ମୋର ଆସକ୍ତି ମଧ୍ୟ ରହେନାହିଁ । ଅତଃ ମାୟାଯୁକ୍ତ ହେବାପରେ ବି ମୁଁ ମାୟାର କାର୍ଯ୍ୟରେ ଆବଦ୍ଧ ନୁହେଁ । ଫଳାସକ୍ତିର ଅଭାବ ହିଁ ମୁକ୍ତିର କାରଣ ଅଟେ, ଅନ୍ୟଥା କର୍ମ ଅଭିନିବେଶଯୁକ୍ତ ମୂଢ଼ ପୁରୁଷକୁ ରେଶମ ପୋକ ଭଳି ଆବଦ୍ଧ କରିପକାଏ । ମୁଁ ପର୍ଜନ୍ୟ ସମ ନୁହେଁ । ଯେଉଁଭଳି ପର୍ଜନ୍ୟ ବୃକ୍ଷ ଆଦି ଉପରେ ସମଭାବରେ ବାରିବର୍ଷଣ କରେ, କିନ୍ତୁ ବୀଜର ପ୍ରକୃତି ଅନୁସାରେ ମିଠା ଅବା ତିକ୍ତ ଫଳ ହୁଏ, ସେଥିପାଇଁ ପର୍ଜନ୍ୟ ଉତ୍ତରଦାୟୀ ହୋଇନଥାଏ, ସେହିଭଳି ଭଗବାନ୍ ଜୀବର ସୁଖ-ଦୁଃଖର ଉତ୍ପାଦକ ନୁହଁନ୍ତି । ସୁଖ-ଦୁଃଖ ଜୀବର ନିଜ-ନିଜ କର୍ମାନୁସାରେ ହୁଏ । ଜୀବର କର୍ମଫଳର ଉତ୍ପତ୍ତି ନିମନ୍ତେ ତାଙ୍କର ପ୍ରଭାବ ଅବଶ୍ୟ ସ୍ୱୀକାର କରିବାପାଇଁ ପଡ଼ିବ । ବୀଜ ଭିତରେ ଯେଉଁ ଶକ୍ତି ଥାଉ ନାଁ କାହିଁକି, ପର୍ଜନ୍ୟ ଦୃଷ୍ଟି ବିନା କୌଣସି ବୀଜ ଅଙ୍କୁରିତ ହୋଇପାରେ ନାହିଁ, ସେହିଭଳି ତାହାର ଅଧିଷ୍ଠାନ ବିନା ମାୟା ଏକା କିଛି କରିପାରେ ନାହିଁ । ହେଲେ ସେ ଉଦାସୀନବତ୍ ସାକ୍ଷୀ-ସ୍ୱରୂପ ଅଟନ୍ତି, ଏଥିପାଇଁ ମାୟାର କାର୍ଯ୍ୟ ଦ୍ୱାରା ସେ ବଦ୍ଧ ହୋଇପାରନ୍ତି ନାହିଁ । ଅତଃ ଏଠାରେ ଏକ ପ୍ରଶ୍ନ ମନରେ ଉଠିପାରେ କି ଏପ୍ରକାର ଉଦାସୀନ ଭଗବାନଙ୍କ ଭଜନ କରି ଜୀବକୁ କଣ ଲାଭ ହେବ ?—ଲାଭ ହେବ । ଯେଉଁଭଳି ଅଗ୍ନି ନିକଟକୁ ଗଲେ ଅଗ୍ନିର ଇଚ୍ଛା ନଥିଲେ ମଧ୍ୟ ଅଗ୍ନିର ସ୍ୱତଃ ସ୍ଫୁରିତ ତେଜ ଅଗ୍ନିସେବୀର ଶୈତ୍ୟନିବାରଣ କରିଦିଏ, ସେହିଭଳି ଭଗବତ୍ ଉପାସନା ଦ୍ୱାରା ଉପାସକଙ୍କୁ କଲ୍ୟାଣର ପ୍ରାପ୍ତି ହୁଏ । ଯେଉଁଭଳି ତଟସ୍ଥିତ ବ୍ୟକ୍ତି ପ୍ରାର୍ଥନା ନ କଲେ ମଧ୍ୟ ସମୁଦ୍ରର ବାୟୁ ତାହାର ତାପ ନିବାରଣ କରିଦିଏ, ସେହିଭଳି ଭଗବାନଙ୍କଠାରେ ସ୍ଥିତ ତାଙ୍କର ସ୍ୱାଭାବିକ ତାପ-ପ୍ରଶମିନୀ ଶକ୍ତି ତାଙ୍କର ଭକ୍ତସେବକଙ୍କର ତ୍ରିତାପ-ଜ୍ଜ୍ୱାଳାକୁ ନିବାରଣ କରିଥାଏ । ଏଥିପାଇଁ ସାଧକଙ୍କ ଇଚ୍ଛାର ଆବଶ୍ୟକତା ପଡ଼େନାହିଁ କିମ୍ବା ଭଗବାନଙ୍କୁ ମଧ୍ୟ ସଂକଳ୍ପ କରିବାର ପ୍ରୟୋଜନ ହୁଏନାହିଁ । ଏହିଭଳି ନିର୍ବିକାର ଭଗବାନ୍ ଭକ୍ତୋପାସକଙ୍କର କଲ୍ୟାଣ କରିଥାନ୍ତି ।
ଜଗତ୍ର ଯାହାକିଛି କର୍ମ ରହିଛି, ସେ ସବୁ ପ୍ରକୃତିର ବଶରେ ଥିବା ଇନ୍ଦ୍ରିୟମାନଙ୍କ ଦ୍ୱାରା ହୁଏ, କିନ୍ତୁ ଆତ୍ମାକୁ ସେ ସମସ୍ତ କର୍ମ ଲିପ୍ତ କରିପାରନ୍ତି ନାହିଁ । ଆକାଶ ସମ ନିରବୟବ ଆତ୍ମାକୁ କଦାପି କେହି ଲିପ୍ତ କରିପାରେ ନାହିଁ । ତାହା ଏମାନଙ୍କଠାରୁ ସର୍ବଦା ପୃଥକ୍ ଅଟେ । ଏ ସବୁ ସେତେବେଳେ ବୁଝିହୁଏ ଯେତେବେଳେ ଅଭ୍ୟାସ ପ୍ରଭାବରେ ଯୋଗୀର ପ୍ରାଣ ଊର୍ଦ୍ଧ୍ୱ (ସହସ୍ରାରରେ) ସ୍ଥିତି ଲାଭ କରେ । ବାହ୍ୟ ଶ୍ୱାସ ରହେନାହିଁ ଅତଃ ଅନ୍ୟ ଦିଗରେ ଦୃଷ୍ଟି ଅବା ଆସକ୍ତି ହୁଏନାହିଁ । ଏଥିପାଇଁ କର୍ମ କରିବାପରେ ମଧ୍ୟ ସେ ସମୟରେ ସେହି କର୍ମ ଯୋଗୀକୁ ବଦ୍ଧ କରିନଥାଏ । ଏହା ପ୍ରାଣରେ ପ୍ରାଣର ମିଳନ ଅଟେ । ବାହ୍ୟ ଶ୍ୱାସ ଚଞ୍ଚଳ ପ୍ରାଣ ଅଟେ, ତାହା ଯେତେବେଳେ ସ୍ଥିର-ଶ୍ୱାସ-ଅବ୍ୟକ୍ତରେ ମିଳିତ ହୋଇଯାଏ, ସେତେବେଳେ ଉଭୟେ ଏକ ହୋଇଯାନ୍ତି । ଏହିଭଳି ଭାବେ ଏକ ହୋଇଯିବାପରେ ଆଉ ଜଗତ୍ ଦୃଷ୍ଟି ରହେନାହିଁ । ଯେତେବେଳେ କିଛି ବି ରହେନାହିଁ, ସେତେବେଳେ ଆସକ୍ତି ଆସିବ କୁଆଡ଼ୁ ? ଯେଉଁ ପ୍ରାଣ ଚଞ୍ଚଳ ହୋଇ ଜଗତ୍ର ସୃଷ୍ଟି କରିଥିଲା, ସେହି ଚାଞ୍ଚଲ୍ୟର ଅଭାବ ହେବାରୁ ଯୋଗୀଙ୍କ ସମ୍ମୁଖରେ ଜଗତ୍ ସମ୍ପର୍କିତ ଅସ୍ତିତ୍ୱ ସୁଦ୍ଧା ରହେନାହିଁ । କର୍ତ୍ତୃତ୍ୱ-ଭୋକ୍ତୃତ୍ୱ ନ ରହିବାରୁ ଜଗତ୍ ଥାଇ ମଧ୍ୟ ନଥାଏ । ଏହା ଗୁଣାତୀତ ଭାବ ଅଟେ । ଏହି ଅବସ୍ଥାରେ ରହିଲେ ଗୁଣ-କର୍ମ ଯୋଗୀକୁ ସ୍ପର୍ଶ କରିପାରେ ନାହିଁ । ଯେତେବେଳେ ସ୍ପର୍ଶ ସୁଦ୍ଧା କରିପାରନ୍ତି ନାହିଁ, ତେବେ ପୁଣି ତାଙ୍କୁ ବଦ୍ଧ କିପରି କରିପାରିବେ ?
ଆତ୍ମା ମନ-ବାଣୀର ଅଗୋଚର ଅଟେ ଅତଃ ଅବ୍ୟକ୍ତ ଅଟେ, ଦେହ-ଇନ୍ଦ୍ରିୟ-ମନୋବୁଦ୍ଧିରେ ଯୁକ୍ତ ଭାବ ହିଁ ବ୍ୟକ୍ତାବସ୍ଥା ଅଟେ । ସମୁଦ୍ରର ଅସୀମ ଜଳରାଶିରୁ ଯେଉଁଭଳି ବୁଦ୍ବୁଦ୍ ଉଠିଥାଏ, ସେହିଭଳି ଅସୀମ ଅବ୍ୟକ୍ତାବସ୍ଥାର ଭିତରୁ ବ୍ୟକ୍ତାବସ୍ଥା ବାରମ୍ବାର ଉତ୍ପନ୍ନ ହୁଏ । ବୁଦ୍ବୁଦାକାରରେ ପରିଣାମସ୍ୱରୂପ ବ୍ୟକ୍ତାବସ୍ଥା ପ୍ରକୃତିର ଅଧୀନ ଅଟେ । ଅବ୍ୟକ୍ତ ଭାବ ପ୍ରକୃତି ବଶରେ ନାହିଁ । ଏହି କାରଣରୁ ସେଠାରେ ବନ୍ଧନ ଅଥବା ମୋକ୍ଷ ନାହିଁ । ଅବ୍ୟକ୍ତ ପ୍ରାଣଶକ୍ତି ଦେହେନ୍ଦ୍ରିୟର ଆକାରରେ ପରିଣତ ହୋଇ ଯେଉଁ ଆତ୍ମସମୁଦ୍ରରେ ଜଳବିମ୍ବରୂପେ ଖେଳିଥାଏ, ତାହା ଜୀବର ଜୀବନ ଅବା ଚଞ୍ଚଳ ଶ୍ୱାସ ଅଟେ । ସେହି ଚଞ୍ଚଳ ଶ୍ୱାସକୁ ସାଧନା ଦ୍ୱାରା ଯିଏ ସହସ୍ରାରରେ ସ୍ଥିର କରିପାରେ, ସେ ସମ୍ୟକ୍ ଭାବରେ ବୁଝିପାରେ କି ଏହି ଅବ୍ୟକ୍ତାବସ୍ଥା କଣ ?।।୯।।
ମୁଁ ବୁଦ୍ଧିପୂର୍ବକ ଏହି ଶରୀରରେ ଅର୍ଥାତ୍ ପ୍ରକୃତିରେ ଦୃଷ୍ଟି ରଖିବାପୂର୍ବକ ଚର ଏବଂ ଅଚରରେ ଅବସ୍ଥାନ କରେ, ଏହି କାରଣରୁ ଜଗତ୍ ବିପରୀତ ରାସ୍ତାରେ ଚାଲୁଛି—ଏହାର କାରଣ ହେଉଛି, ଡ଼ାଳ-ପତ୍ର ନିମ୍ନକୁ ଅଛି ଆଉ ମୂଳ ଊର୍ଦ୍ଧ୍ୱକୁ ଅଛି ।
ପୂର୍ବ ଶ୍ଳୋକରେ କୁହାଯାଇଛି କି, ଭଗବାନ୍ ପ୍ରାଣୀଗଣଙ୍କର ସୃଷ୍ଟି ମଧ୍ୟ କରନ୍ତି ଆଉ ଉଦାସୀନ ରହନ୍ତି । ହେଲେ ଏ ଦୁଇ କଥା ପରସ୍ପର ବିରୁଦ୍ଧ ପ୍ରତୀତ ହୋଇପାରେ । ଏହି ଆଶଙ୍କାର ନିବାରଣାର୍ଥେ ଭଗବାନ୍ କହୁଛନ୍ତି—“ମୟା ସର୍ବତୋ ଦୃଶିମାତ୍ର-ସ୍ୱରୂପେଣାବିକ୍ରିୟାତ୍ମନାଽଧ୍ୟକ୍ଷେଣ ମମ ମାୟା ତ୍ରିଗୁଣାତ୍ମିକାଽବିଦ୍ୟାଲକ୍ଷଣା ପ୍ରକୃତିଃ ସୂୟତ ଉତ୍ପାଦୟତି ସଚରାଚରଂ ଜଗତ୍ । ତଥା ଚ ମନ୍ତ୍ରବର୍ଣ୍ଣଃ—“ଏକୋ ଦେବଃ ସର୍ବଭୂତେଷୁ ଗୂଢ଼ଃ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା । କର୍ମାଧ୍ୟକ୍ଷଃ ସର୍ବଭୂତାଧିବାସଃ ସାକ୍ଷୀ ଚେତା କେବଳୋ ନିର୍ଗୁଣଶ୍ଚ ।”—ଶ୍ୱେତାଶ୍ୱତରୋପନିଷତ୍ (ଶଙ୍କର) ।” ମୁଁ ସର୍ବତ୍ର ଏକମାତ୍ର ଜ୍ଞାନସ୍ୱରୂପରେ ବିରାଜମାନ ଅଟେ, ମୋଠାରେ କୌଣସି ପ୍ରକାର ବିକାର ନାହିଁ, ମୁଁ ଅଧ୍ୟକ୍ଷରୂପେ ପ୍ରେରଣା ଦିଏ, ଏପ୍ରକାର ମୋର ମାୟା ଅଟେ—ତ୍ରିଗୁଣାତ୍ମିକା ଅବିଦ୍ୟାଲକ୍ଷଣା ପ୍ରକୃତି—ଏହି ଚରାଚର ଜଗତକୁ ପ୍ରସବ କରିଥାଏ । ବେଦରେ ଏପ୍ରକାର ଏକ ମନ୍ତ୍ର ରହିଛି—ସେହି ଏକ ଅଦ୍ୱିତୀୟ ଦେବତା ସମସ୍ତ ପ୍ରାଣୀଙ୍କଠାରେ ଗୂଢ଼ ଭାବରେ ଅବସ୍ଥିତ ଅଟନ୍ତି, ସେ ସର୍ବବ୍ୟାପକ ଏବଂ ସର୍ବ ଜୀବଙ୍କର ଅନ୍ତରାତ୍ମା ଅଟନ୍ତି, ସେ ଯାବତୀୟ କର୍ମମାନଙ୍କର ଅଧ୍ୟକ୍ଷ ଅଟନ୍ତି, ସର୍ବଭୂତ ତାଙ୍କୁ ଆଶ୍ରୟକରି ବିଦ୍ୟମାନ ହେଉଛନ୍ତି, ସେ ସାକ୍ଷୀ ଚୈତନ୍ୟସ୍ୱରୂପ ଏକ ଏବଂ ପ୍ରାକୃତିକ ଗୁଣ ସମ୍ବନ୍ଧରୁ ରହିତ ଅଟନ୍ତି । ତୈତ୍ତିରୀୟ ବ୍ରାହ୍ମଣରେ ଉଲ୍ଲେଖ ଅଛି—“ଯୋଽସ୍ୟାଧ୍ୟକ୍ଷଃ ପରମେ ବ୍ୟୋମନ୍”—ଏହି ପରିଦୃଶ୍ୟମାନ୍ ପ୍ରପଞ୍ଚର ଯିଏ ଅଧ୍ୟକ୍ଷ ଅଟନ୍ତି, ସେ ପରମ ଆକାଶରେ ବିରାଜମାନ କରନ୍ତି । ମାୟାବଶ ବ୍ରହ୍ମଚୈତନ୍ୟର ବିପର୍ଯ୍ୟୟ ଜ୍ଞାନରେ ଜୀବଭାବ ବିକାଶକୁ ପ୍ରାପ୍ତ ହୁଏ । ହେଲେ ଭଗବାନଙ୍କର ଅଧ୍ୟକ୍ଷତା ନ ରହିବାରୁ ଏହି ଚରାଚରାତ୍ମକ ବ୍ୟକ୍ତ ଏବଂ ଅବ୍ୟକ୍ତ ଜଗତ୍ ନାନା ଅବସ୍ଥାରେ ପରିବର୍ତ୍ତିତ ହୋଇପାରିବ ନାହିଁ । ଏଥିପାଇଁ ବ୍ରହ୍ମଙ୍କୁ ଜଗତ୍ର କାରଣ କଳ୍ପିତ କରାଯାଏ । ହେଲେ ବର୍ତ୍ତମାନ ଅନ୍ୟପକ୍ଷରେ କୌଣସି ସତ୍ୟ ବସ୍ତୁ ନାହିଁ, ଏକମାତ୍ର ସେହିଁ ସତ୍ୟ ଅଟନ୍ତି, ତେବେ ପରମାର୍ଥତଃ ତାଙ୍କର କୌଣସି ଭୋଗ ସହିତ ସମ୍ବନ୍ଧ ହୋଇପାରେ ନାହିଁ ଆଉ ତାଙ୍କ ବ୍ୟତିରେକ ଯେତେବେଳେ କୌଣସି ଭୋକ୍ତା ଅବା ଚେତନ ସତ୍ତା ସୁଦ୍ଧା ନାହିଁ, ତେବେ ଏହି ଜଗତକୁ କିଏ ଉତ୍ପନ୍ନ କଲେ ? ଏଥିରୁ ବୁଝାଯାଉଛି କି, ଏହି ସୃଷ୍ଟି, ସ୍ଥିତି ଏବଂ ପ୍ରଳୟ କେବଳ ମିଥ୍ୟା ମାୟା ମାତ୍ର ଅଟେ । ତେବେ ଆମକୁ ଏପ୍ରକାର ସତ୍ୟବୋଧ କାହିଁକି ହେଉଛି ? ଏହାର ଉତ୍ତର ଦେବାପୂର୍ବକ ଭଗବାନ୍ କହୁଛନ୍ତି—“ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ ।”—ଅଜ୍ଞାନ ଦ୍ୱାରା ଜ୍ଞାନ ଆବୃତ୍ତ ହୋଇ ରହିଛି, ଏହି କାରଣରୁ ଜୀବ ମୋହକୁ ପ୍ରାପ୍ତ ହୋଇଥାନ୍ତି । ଆତ୍ମାର ଚୈତନ୍ୟଭାବ ଦେହେନ୍ଦ୍ରିୟାଦିରେ ଲିପ୍ତ ହୋଇ ଦେହେନ୍ଦ୍ରିୟକୁ ମଧ୍ୟ ଚେତନବତ୍ ଦେଖାଇଥାଏ । ଦେହେନ୍ଦ୍ରିୟାଦିର ଚୈତନ୍ୟରେ ଯାହାର ଦୃଷ୍ଟି ରହିଛି, ସେ ଏ କଥାକୁ ବିଚାର ନକରି କି, ଚୈତନ୍ୟ କାହାର ଅଟେ, କେବଳ ଏହି ଜଡ଼ ଚେତନାତ୍ମକ ଦୃଶ୍ୟ ଜଗତ୍କୁ ହିଁ ଦେଖିଥାଏ । ଯେଉଁଠାରୁ ଚୈତନ୍ୟ ଆସୁଛି, ସେହି ମୂଳ କେନ୍ଦ୍ରରେ ଲକ୍ଷ୍ୟ କରିପାରିନଥାଏ, ଅତଃ ବିପରୀତ ମାର୍ଗରେ ଚାଲିଥାଏ । ଜଗତ୍ଦର୍ଶନ ହୁଏ କିନ୍ତୁ ବ୍ରହ୍ମଦର୍ଶନ ହୁଏନାହିଁ । ସେ ଚୈତନ୍ୟ ସ୍ୱରୂପ ଅଟନ୍ତି, ସେହି ଚୈତନ୍ୟକୁ ଏହା ବିପରୀତ ଭାବରେ ଦେଖିଥାଏ । ବୃକ୍ଷର ମୂଳ ଥାଏ ନିମ୍ନରେ, ଶାଖାପ୍ରଶାଖା ଥାଏ ଉପରେ । ହେଲେ ଏଠାରେ ମୂଳ ଉପରକୁ ଅଛି କାହିଁକି ନାଁ ମସ୍ତକର ମହାରନ୍ଧ୍ରରେ ସେହି ପରମ କାରଣର କାରଣ ବିଦ୍ୟମାନ ଥାନ୍ତି, ସେହି ଶକ୍ତି ନାନାପ୍ରକାର ଦେହେନ୍ଦ୍ରିୟାଦି ରୂପେ ପରିଣତ ହୋଇଛନ୍ତି । ମୂଳ ସ୍ଥାନରେ ଏକମାତ୍ର ଚିଦ୍ରୂପରେ ଶିବ ଏବଂ ଶକ୍ତି ଏକାକାର ହୋଇ ମିଳିତ ହୋଇଛନ୍ତି । ସେ ମସ୍ତକରୁ ଅସଂଖ୍ୟ ପ୍ରବାହିକାମାନଙ୍କ ଭିତର ଦେଇ ଅବତରଣ କରିକରି ପୂର୍ଣ୍ଣତଃ ସ୍ଥୂଳ ଭୂତମୟ ବ୍ୟାପାରରେ ପରିଣତ ହୋଇଯାଇଛନ୍ତି । ସେହି ଏକଙ୍କୁ ଯଦି ପ୍ରାପ୍ତ କରିବାର ଅଛି, ତେବେ ବିବିଧ ନାଡ଼ୀମାନଙ୍କ ମଧ୍ୟଦେଇ ଶେଷରେ ସହସ୍ରାରରେ ପରମ ବ୍ୟୋମରେ ଆସି ଏକାକାର ହେବାକୁ ପଡ଼ିବ । ସେତେବେଳେ ସବୁ ଏକାକାର ହୋଇଯିବ । ସେ ଯେଉଁ ଅଧ୍ୟକ୍ଷ ଅଧି+ଅକ୍ଷ, ଅକ୍ଷିସ୍ଥ ପୁରୁଷ ଅଟନ୍ତି, ଏହି ପୁରୁଷ ସମସ୍ତଙ୍କ ଭିତରେ ସବୁକିଛି ଅଟନ୍ତି, ସେ ନ ରହିଲେ କିଛି ବି ରହେନାହିଁ, ପୁଣି ପ୍ରାକୃତ ବ୍ୟାପାରର ଶୁଭାଶୁଭ କର୍ମସମୂହର ସେ ଭୋକ୍ତା ନୁହଁନ୍ତି କେବଳ ଦ୍ରଷ୍ଟା ମାତ୍ର ଅଟନ୍ତି । ପ୍ରକୃତି ସବୁକିଛି ନିର୍ମାଣ କରିଥାଏ ପୁଣି ବିଗାଡ଼ି ମଧ୍ୟ ଦେଇଥାଏ, ହେଲେ ଏହି ଅଧ୍ୟକ୍ଷ ପୁରୁଷ ରହିବାରୁ ପ୍ରକୃତିର ସବୁକିଛି କରିବା ସମ୍ଭବ ହେଉଛି । ବସ୍ତୁତଃ ଏହି ପ୍ରକୃତି ମଧ୍ୟ ସେ ହୋଇଯାଇଛନ୍ତି, ଏହା ହେଉଛି ତାଙ୍କର ଅବତରଣ ଅବା ଜଗଦ୍ରୂପରେ ପରିଣାମକୁ ପ୍ରାପ୍ତ ହେବା ।।୧୦।।
ମୂର୍ଖମାନେ ଏହା ବିଶେଷ ଭାବରେ ସ୍ଥିର କରିନେଇଛନ୍ତି କି ମୁଁ ମନୁଷ୍ୟ ଅଟେ, ମୋର ଯେଉଁ ପରମଭାବ ଅର୍ଥାତ୍ କ୍ରିୟାର ସ୍ଥିତି ରହିଛି, ତାକୁ ନଜାଣି—ମୁଁ ପରମ ପଦାର୍ଥ ବ୍ରହ୍ମସ୍ୱରୂପ ଅଟେ । ମୋର ବିନାଶ ମଧ୍ୟ ନାହିଁ, ଜନ୍ମ ମଧ୍ୟ ନାହିଁ ! ! !
ପ୍ରାଣ ଚଞ୍ଚଳ ହୋଇ ଦେହାଦିରୂପେ ପରିଣାମକୁ ପ୍ରାପ୍ତ ହେଉଅଛି, ଅତଃ ପ୍ରାଣର କାର୍ଯ୍ୟ—ଦେହେନ୍ଦ୍ରିୟାଦିର ସ୍ୱଭାବ ମଧ୍ୟ—ଅତ୍ୟନ୍ତ ଚଞ୍ଚଳ ଅଟେ । ଏହି ଚଞ୍ଚଳ ସ୍ୱଭାବ କାରଣରୁ ଦେହେନ୍ଦ୍ରିୟାଦିରେ ନାନାପ୍ରକାର ବିକାର ଏବଂ ନାନା ପରିଣାମ ଉତ୍ପନ୍ନ ହୁଏ, ଯେଉଁ ଉତ୍ସରୁ ପ୍ରାଣର ଏହି ପ୍ରବାହ ବହିର୍ମୁଖ ହୁଏ, ସେହି ଉତ୍ସର କେନ୍ଦ୍ର ଅତ୍ୟନ୍ତ ସ୍ଥିର ଏବଂ ଚିର ନିର୍ମଳ ଅଟେ । ଏହି ପରମସ୍ଥିରାବସ୍ଥା ହିଁ ଆତ୍ମାର ପରମ ଭାବ ଅବା ସ୍ୱରୂପ ଅଟେ ଆଉ ଏହି ଅବସ୍ଥାର ଆରମ୍ଭ କି ଶେଷ ନାହିଁ । ଏହାକୁ କେହି ଜାଣିପାରନ୍ତି ନାହିଁ, ହେଲେ ଏହାଠାରୁ ଉତ୍ପନ୍ନ ପ୍ରାଣର ବେଗ ନାନାପ୍ରକାରର ଆକାରରେ ନିଜକୁ ପ୍ରକଟ କରି ଜଗଦ୍ବ୍ୟାପାରକୁ ସମ୍ପନ୍ନ କରିଥାଏ, ମୂର୍ଖଲୋକମାନେ ଏହି ଆକାରଯୁକ୍ତ ଜୀବଭାବକୁ ବାସ୍ତବ ମନେକରି ଏହି ନାମରୂପକୁ ପ୍ରାଣପଣେ ଧରିରଖିଥାନ୍ତି, ସତେଯେପରି ଏହି ନାନାରୂପ ନ ରହିଲେ କିଛି ବି ରହିବନାହିଁ । ଶିଶୁ ଯେଉଁଭଳି ମାତାଙ୍କର ସ୍ତନ୍ୟପୀୟୂଷ-ପ୍ରବାହକ ସ୍ତନକୁ ବାସ୍ତବ ମନେକରି ଛାଡ଼ିନଥାଏ, ତାହାର ମୂଳ ଉତ୍ସ ଆଡ଼କୁ ଲକ୍ଷ୍ୟ କରିନଥାଏ, ସେହିଭଳି ଜୀବ ତାର ମୂଳ ଅବ୍ୟକ୍ତ ଉତ୍ସର ଧାରଣା କରିପାରେ ନାହିଁ, ସମ୍ମୁଖରେ ଯେଉଁ ନାମରୂପମୟ କାର୍ଯ୍ୟକାରଣର ସଂଘାତରୂପ ଦେହ-ପ୍ରକୃତିକୁ ଦେଖିଥାଏ, ତାହାଠାରୁ ପୃଥକ୍ ଅବ୍ୟକ୍ତାବସ୍ଥାକୁ କଦାପି ବୁଝିପାରେ ନାହିଁ । ସମସ୍ତ ରୂପ ମଧ୍ୟରେ ଯେଉଁ ଅରୂପ ମହେଶ୍ୱର ଅବସ୍ଥାନ କରନ୍ତି, ସେ ଆମକୁ ଦୃଶ୍ୟ ହୁଅନ୍ତି ନାହିଁ କାରଣ ଆମେ ଅଜ୍ଞାନାନ୍ଧ ଅଟୁ । କ୍ରିୟା ଦ୍ୱାରା କ୍ରିୟାର ପରାବସ୍ଥାର ପରିସ୍ଥିତି ଅବଗତ ହୋଇଗଲେ, ଜଣାଯାଏ କି ତାହା ଆମର ‘ମୁଁ’ ଅଟେ, ସେହି ପରମ ପଦାର୍ଥ ବ୍ରହ୍ମସ୍ୱରୂପ ଆତ୍ମା ଅଟନ୍ତି, ତାଙ୍କର ଜନ୍ମ ବି ନାହିଁ କି ବିନାଶ ମଧ୍ୟ ନାହିଁ ।।୧୧।।
ସିଏ ନଷ୍ଟକର୍ମା ଅଟେ, ଯିଏ ଆତ୍ମାରେ ଅବସ୍ଥାନକରି କୂଟସ୍ଥର ଦର୍ଶନ କରେନାହିଁ, ଆଖିରେ ଦେଖେ, ଅନ୍ୟ ବସ୍ତୁରେ ଲୋଭ କରେ—କ୍ରିୟା କରେନାହିଁ, ଧୃଷ୍ଟତା କରେ । (କୂଟସ୍ଥ ହିଁ ପୁରୁଷ, ଜ୍ୟୋତି ପ୍ରକୃତି ଅଟେ) ।
ଯିଏ ଅତ୍ୟନ୍ତ ସଂସାରାସକ୍ତ ତଥା ଧୂର୍ତ୍ତ ଅଟେ, ସେମାନଙ୍କ ମଧ୍ୟରୁ ବି କେହିକେହି ମୋତେ ପାଇବାପାଇଁ ଆଶା କରନ୍ତି । ସେମାନଙ୍କର ଧାରଣା ଯେ, ଯେତେ କୁକର୍ମ କରୁପଛକେ ଅବା ଅନ୍ୟାନ୍ୟ ଜୀବମାନଙ୍କ ପ୍ରତି ଯେତେ ନିର୍ମମ ବ୍ୟବହାର କରୁପଛକେ, ଯିଏ ପ୍ରତିଦିନ ଅଳ୍ପ ଜପ କରନ୍ତି ଅବା ଭଗବାନଙ୍କ ପ୍ରତିମା ସମ୍ମୁଖରେ କିଛି ଭୋଗ ଲଗାଇଥାନ୍ତି—ତାହାର ମହତ୍ତ୍ୱ କାରଣରୁ ନିଜର କଳୁଷିତ କର୍ମଜନିତ ଯମଦଣ୍ଡକୁ ଫାଙ୍କିଦେଇପାରିବେ ବା ସେଥିରୁ ରକ୍ଷାପାଇଯିବେ । ହେଲେ ସେମାନେ ଜାଣନ୍ତି ନାହିଁ କି ଯମରାଜ, ତାଙ୍କର କର୍ମଚାରୀ ନୁହଁନ୍ତି, ଯିଏ କୌଣସି ପ୍ରକାରେ ପ୍ରଭୁଙ୍କ ତୋଷାମତରେ ସନ୍ତୁଷ୍ଟ ହୋଇ ନିଜ କର୍ତ୍ତବ୍ୟ-ସମ୍ପାଦନରୁ ବିମୁଖ ହୋଇଯିବେ । ଯମ ମୁଁ ନିଜେ ଅଟେ—“ଯମଃ ସଂଯମତାମହମ୍”—ଧର୍ମାଧର୍ମର ଫଳପ୍ରଦାନରୂପ ନିଗ୍ରହାନୁଗ୍ରହକାରୀଙ୍କ ମଧ୍ୟରେ ମୁଁ ଯମରାଜ ଅଟେ । ସେହି ଲୋକମାନଙ୍କର ସମସ୍ତ ଚେଷ୍ଟା ନିଷ୍ଫଳ ହୁଏ, ସେମାନେ ଯମଦଣ୍ଡରୁ ମୁକ୍ତ ହେବେ ଏହି ବ୍ୟର୍ଥ ଆଶା କରିଛନ୍ତି । ସେମାନଙ୍କର କର୍ମ ମଧ୍ୟ ନିଷ୍ଫଳ ଅଟେ, କାହିଁକି ନାଁ ସେମାନେ ମଦ୍ବିମୁଖ ଅଟନ୍ତି । ମୋତେ ଚାହାଁନ୍ତି ନାହିଁ, କିନ୍ତୁ ମୋ ପ୍ରଦତ୍ତ ଧନାଦି ପ୍ରତି ସେମାନଙ୍କର ବିଶେଷ ଲୋଭ ରହିଥାଏ, ସେହି ଲୋଭକୁ ଚରିତାର୍ଥ କରିବାପାଇଁ ସେମାନେ ବେଳେବେଳେ ମୋର ଅଥବା ଅନ୍ୟ ଦେବତାଙ୍କର ପୂଜା କରନ୍ତି, ଯାଗଯଜ୍ଞ କରନ୍ତି । ମୋ ପ୍ରତି ମମତ୍ୱ ଅଭାବରୁ ସେମାନଙ୍କ ତପସ୍ୟା ଅବା କ୍ରିୟା ଆଦି ମଧ୍ୟ ବ୍ୟର୍ଥ ଅଟେ ଏବଂ ଯାହାଙ୍କୁ ଶାସ୍ତ୍ରଜ୍ଞାନ ରହିଛି, ବହୁତ ଅଧ୍ୟୟନ କରିଛନ୍ତି, ହେଲେ କୁତର୍କର ଆଶ୍ରୟ ନିଅନ୍ତି, ସେମାନେ ଇଚ୍ଛାନୁସାରେ ଅନ୍ୟାୟ କାର୍ଯ୍ୟ କରିବେ ଆଉ ତାହାକୁ ଶୁଭ କର୍ମ ତଥା ଶାସ୍ତ୍ରାନୁମୋଦିତ କର୍ମ ପ୍ରମାଣିତ କରିବାପାଇଁ କୁତର୍କ ଦ୍ୱାରା ଚେଷ୍ଟା ମଧ୍ୟ କରିବେ । ସେମାନଙ୍କର ପରିଣାମ ଅତ୍ୟନ୍ତ ଶୋକପୂର୍ଣ୍ଣ ହୁଏ, ସେମାନଙ୍କର ଭବିଷ୍ୟତ ଅତ୍ୟନ୍ତ ଅନ୍ଧକାରମୟ ହୁଏ । ଯଦି ସେମାନଙ୍କୁ କୁହାଯାଏ କି ଅମୁକ ସ୍ଥାନକୁ ଜଣେ ଉତ୍ତମ ସାଧୁମହାତ୍ମା ଆସିଛନ୍ତି, ତେବେ ଏହାଶୁଣି ସେମାନେ ପ୍ରମାଣିତ କରିବାପାଇଁ ଚେଷ୍ଟା କରିବେ କି, ସେହି ପୁରୁଷ ସାଧୁ କି ଭଗବଦ୍ଭକ୍ତ ନୁହଁନ୍ତି । ଯଦି ଶେଷରେ କୌଣସି ତ୍ରୁଟି ନପାଆନ୍ତି ତେବେ କହିବେ କି, “ସେ ପ୍ରକାର ପେଟ ଭରି ଯିଏ ଦୁଇବେଳା ଭୋଜନ କରନ୍ତି, ସେ ପୁଣି କେମିତିକା ସାଧୁ ? ଯିଏ ଉପବାସ କରନ୍ତି ନାହିଁ, ଫୁଙ୍କିକରି ଅଗ୍ନିକୁ ବାହାର କରିପାରନ୍ତି ନାହିଁ, ସେ ପୁଣି କି ସାଧୁ?” ଏଭଳି ଲୋକେ ମୋର ଭକ୍ତର ମଧ୍ୟ ଅବଜ୍ଞା କରନ୍ତି ଆଉ ମୋର ମଧ୍ୟ ଅବଜ୍ଞା କରନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ଭଗବାନଙ୍କୁ ମଧ୍ୟ ମାନିବାକୁ ଚାହାଁନ୍ତି ନାହିଁ । କିଛି ଲୋକ କୌଣସି ବ୍ୟକ୍ତିବିଶେଷଙ୍କର ସାଧାରଣ ଐଶ୍ୱର୍ଯ୍ୟ ଦେଖି ତାହାକୁ ହିଁ ଭଗବାନ୍ କହିବାପାଇଁ ପ୍ରସ୍ତୁତ ହୋଇଯାନ୍ତି । ଏ ସମସ୍ତ ଅଳ୍ପଜ୍ଞ ପୁରୁଷଙ୍କୁ ସେମାନଙ୍କର ମାହାତ୍ମ୍ୟ ଜ୍ଞାତ ନାହିଁ । ଭଗବାନ୍ ଅବତୀର୍ଣ୍ଣ ହେବାପରେ ବି ଯଦି ତାଙ୍କୁ କେବଳ ଲୀଳାପୁରୁଷ ମାତ୍ର ମନେକରାଯାଏ ତେବେ ଏହି ଜ୍ଞାନ ବ୍ୟର୍ଥ ଅଟେ । ସେ ଦୃଶ୍ୟ ହୁଅନ୍ତି, ତଥାପି ଦୃଶ୍ୟମାନ୍ ରୂପମାତ୍ର ହିଁ ତାଙ୍କର ସ୍ୱରୂପ ନୁହେଁ । ତାଙ୍କର ରୂପ କୌଣସି ଆକୃତି ନୁହେଁ, ହେଲେ ସମସ୍ତ ଆକୃତିମଧ୍ୟରେ ଯେଉଁ ସଚ୍ଚିଦାନନ୍ଦ-ସ୍ୱରୂପ ପ୍ରତିଭାତ ହୁଅନ୍ତି, ତାହା ତାଙ୍କର ରୂପ ଅଟେ । ଯିଏ ନିଜ ଭିତରେ ଏହି ସଚ୍ଚିଦାନନ୍ଦରୂପ ସମ୍ବନ୍ଧରେ ଅବଗତ ହୋଇଥାନ୍ତି, ସେମାନେ ମଧ୍ୟ ତଦ୍ରୂପ ହୋଇଯାନ୍ତି । ଯେଉଁ ଲୋକମାନେ ଦେହ ଭିନ୍ନ ଆଉ କିଛି ଦେଖିପାରନ୍ତି ନାହିଁ, ଦେହ ମଧ୍ୟରେ ଯେଉଁ କୂଟସ୍ଥ ବ୍ରହ୍ମ ଏବଂ ତାଙ୍କର ଜ୍ୟୋତି ସର୍ବଦା ବୀକିର୍ଣ୍ଣ ହେଉଛି, ତାହାକୁ ଦେଖିବା ଅବା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ, ଯିଏ ସମସ୍ତ ଇନ୍ଦ୍ରିୟକୁ କିଛି ସାଂସାରିକ ଲାଭର ପ୍ରତ୍ୟାଶାରେ ନିଯୁକ୍ତ କରନ୍ତି, ବ୍ରହ୍ମମାର୍ଗର କ୍ରିୟା କହିବାପରେ ମଧ୍ୟ ହଠକାରିତାର ବଶରେ ଆସି ଯିଏ ସେଥିରେ ପ୍ରବିଷ୍ଟ ହେବାକୁ ଚାହାଁନ୍ତି ନାହିଁ, ଅଥବା ସେଥିପାଇଁ କିଛି ପରିଶ୍ରମ କରିବାକୁ ଚାହାଁନ୍ତି ନାହିଁ, ସେ ସମସ୍ତ ମୂଢ଼ ବିକ୍ଷିପ୍ତ ଚିତ୍ତଯୁକ୍ତ ଲୋକମାନେ ଭଗବାନଙ୍କୁ ପ୍ରୀତି କରିପାରନ୍ତି ନାହିଁ, ସେମାନଙ୍କୁ ରାକ୍ଷସ ଅବା ଅସୁର ବୋଲି ଜାଣିବା ଆବଶ୍ୟକ ।।୧୨।।
ଯାହାଙ୍କୁ ଏପ୍ରକାର ଜ୍ଞାନ ହୋଇଯାଇଛି—ଯିଏ ସର୍ବଂ ବ୍ରହ୍ମମୟଂ ଜଗତ୍ ଏବଂ ବ୍ରହ୍ମରେ ପ୍ରକୃତି ଅର୍ଥାତ୍ ପଞ୍ଚତତ୍ତ୍ୱର କ୍ରିୟା—ଏହାର ଆଶ୍ରୟ ନେଇ ରହନ୍ତି । ସମସ୍ତ ଭୂତଙ୍କର ଆଦି ଯେଉଁ ବ୍ରହ୍ମ ଅଛନ୍ତି, ଅର୍ଥାତ୍ ଷଷ୍ଠଚକ୍ର-ଅବିନାଶୀଙ୍କୁ ଅବଗତ ହୋଇଯାଆନ୍ତି —
–ଉତ୍ତମ ରୀତିରେ ପଞ୍ଚତତ୍ତ୍ୱର କ୍ରିୟା କରି ଯିଏ ଦେହାଦିରୂପ ପ୍ରକୃତିର ମାୟାଆବରଣକୁ ଦୂରକରି ଯଥାର୍ଥ ‘ମୁଁ’କୁ ବୁଝିଯାଇଛନ୍ତି, ସେ ହିଁ ମହାତ୍ମା ଅଟନ୍ତି । ଏ ସମସ୍ତ ମହାତ୍ମାଗଣ ଶ୍ରେଷ୍ଠତମ ପରବ୍ରହ୍ମକୁ ଆଶ୍ରୟକରି ରହିଥାନ୍ତି ତଥା ସର୍ବଜୀବଙ୍କର ପରମଆଶ୍ରୟରୁ ବିଚ୍ୟୁତ ହେବାକୁ ଯେପରି ନପଡ଼େ, ଏଥିପାଇଁ ତାଙ୍କର ଦୈବୀ ପ୍ରକୃତିର ଆଶ୍ରୟ ନେଇଥାନ୍ତି । ପ୍ରାଣ ହିଁ ଭଗବାନଙ୍କ ପ୍ରକୃତି ଅଟେ, ତାହାର ଅବଲମ୍ବନକରି ଏହି ଜଗତ୍ କ୍ରୀଡ଼ା ପରିଚାଳିତ ହୁଏ । ଯେପର୍ଯ୍ୟନ୍ତ ପ୍ରାଣ ଚଞ୍ଚଳ ହୋଇ ବହିର୍ମୁଖୀ ରହିଥାଏ, ସେପର୍ଯ୍ୟନ୍ତ ସେ ରଜ-ତମରେ ଅଭିଭୂତ ହୋଇ ରାକ୍ଷସୀ ଏବଂ ଆସୁରୀ ଭାବସମୂହଦ୍ୱାରା ମନକୁ ଅନୁପ୍ରାଣିତ କରିଥାଏ, ହେଲେ ଯିଏ କ୍ରିୟା କରି ମହାତ୍ମା ହୁଅନ୍ତି, ସେ ଜଗତର ସ୍ଥିର ପ୍ରାଣରୂପୀ ଆଦି କାରଣକୁ ଆଶ୍ରୟ କରି ରହିଥାନ୍ତି । ଏହା ଦୈବୀପ୍ରକୃତି ଅଟେ । ଏହି ସ୍ଥିର ପ୍ରାଣ ହିଁ ଆତ୍ମା ଅଟେ । ଶ୍ରଦ୍ଧାର ସହିତ ଷଟ୍ଚକ୍ରରେ କ୍ରିୟା କଲେ ଷଷ୍ଠଚକ୍ର-ସ୍ଥିତ ମହାଶକ୍ତି ଉଦ୍ବୁଦ୍ଧ ହୋଇଥାଏ । ସେହିଁ ଅବିନାଶୀ ବ୍ରହ୍ମ ଅଟନ୍ତି । ସେହି ଅବ୍ୟକ୍ତ ଅଚଞ୍ଚଳ ମହାସ୍ଥିରରୂପ ହିଁ ପରବ୍ରହ୍ମ ଅଟନ୍ତି, ବାସୁଦେବ ଅଟନ୍ତି । ମହାତ୍ମାଗଣ ଏହି ସର୍ବମୟ ବାସୁଦେବଙ୍କୁ ହିଁ ଭଜନ୍ତି । ଏ ପ୍ରକାର ମହାତ୍ମା ତିନି ଶ୍ରେଣୀରେ ବିଭକ୍ତ—(୧) ଯିଏ ଏହି ଦୁର୍ଲ୍ଲଭ ଅବସ୍ଥାକୁ ଆସ୍ୱାଦନ କରିଛନ୍ତି, ତଥା ଏହି କାରଣରୁ ଜଗତ୍ର ଅନ୍ୟ ସମସ୍ତ କାର୍ଯ୍ୟକୁ ତୁଚ୍ଛ ମନେକରି ତାଙ୍କ ଆରାଧନାରେ ତତ୍ପର ରହନ୍ତି (୨) ଯିଏ ଶୁଦ୍ଧ ଚିତ୍ତ ହୋଇ ଆତ୍ମସଂସ୍ଥିତ ହୋଇଯାଇଛନ୍ତି, ଯାହାଙ୍କର ଚିତ୍ତ ସ୍ୱଭାବତଃ ଏକାଗ୍ର ହୋଇ ନିରୁଦ୍ଧ ହୋଇଯାଇଛି, ବୁଦ୍ଧି ସାରବସ୍ତୁକୁ ଅବଲୋକନ କରୁଥିବାରୁ ଯାହାଙ୍କର ଜ୍ଞାନଦୀପ୍ତି ପୂର୍ଣ୍ଣ ପରିସ୍ଫୁଟିତ ହୋଇଯାଇଛି, ତାହା ତାଙ୍କର ଦୁର୍ଲ୍ଲଭତର ଅବସ୍ଥା ଅଟେ ଆଉ (୩) ଦୁର୍ଲ୍ଲଭତମ ଅବସ୍ଥା ହେଉଛି ତାହା, ଯେତେବେଳେ ତାଙ୍କୁ ଆତ୍ମା ବ୍ୟତିରେକ ଅନ୍ୟ କୌଣସି ବସ୍ତୁର ଜ୍ଞାନ ରହେନାହିଁ । ସେତେବେଳେ ଜୀବଭାବ ପରମାତ୍ମଭାବରେ ବିଲୀନ ହୋଇଯାଏ ଏହା ଇନ୍ଦ୍ରିୟସମୂହର ଅଗୋଚର ଅବ୍ୟକ୍ତାବସ୍ଥା ଅବା କ୍ରିୟାର ପରାବସ୍ଥା ଅଟେ । ଏହା ଏକ ବିଚିତ୍ର ଅବସ୍ଥା ଅଟେ, ଯାହା ସମ୍ବନ୍ଧରେ କିଛି କହିବାର କୌଣସି ଉପାୟ ନାହିଁ, ସେ ସମୟରେ ଏହା ମଧ୍ୟ କହିପାରିବା ନାହିଁ ଯେ, ବ୍ରହ୍ମ ଅଛନ୍ତି । ଯାହାଙ୍କୁ ପାଇବାପରେ ସବୁକିଛି ପ୍ରାପ୍ତ ହୋଇଯାଏ, ତାହା କାରଣବାରିର ସ୍ୱରୂପ ଅଟେ । ତା ମଧ୍ୟରେ ସମଗ୍ର ବିଶ୍ୱ ସଂସାର ଥାଏ ବି ପୁଣି ନଥାଏ ବି । ଯେଉଁ ପ୍ରାଣାଗ୍ନିର ତେଜରେ ଏହି ବିଶ୍ୱ-ସଂସାର ଉତ୍ପନ୍ନ ହୁଏ, ସେହି ପ୍ରାଣ ଯେତେବେଳେ କ୍ରିୟାର ପରାବସ୍ଥାରେ ଊର୍ଦ୍ଧ୍ୱକୁ ଅର୍ଥାତ୍ ମସ୍ତକକୁ ଗମନ କରେ ସେତେବେଳେ ସମସ୍ତ ସାଂସାରିକ ବିଷୟ ନିବୃତ୍ତ ହୋଇଯାଏ । ପ୍ରାଣ ରହିଲେ ହିଁ ଅନ୍ତର ଏବଂ ବାହ୍ୟ ବିଷୟସମୂହର ଉତ୍ପତ୍ତି ହୁଏ । ଏପ୍ରକାର ଜଗତ୍-ଦୃଷ୍ଟି ଭବରୋଗ ଅଟେ । କାରଣବାରି ବ୍ରହ୍ମ ଅଟନ୍ତି, ସେଥିରେ ଅବସ୍ଥାନ କରିବା ହେଉଛି ଭବରୋଗର ଔଷଧି । ଏହି ଅବସ୍ଥା ପ୍ରାପ୍ତ କରିବାପାଇଁ କ୍ରିୟାରୂପୀ ଔଷଧ ସେବନ କଲେ କ୍ରିୟାର ପରାବସ୍ଥା ପ୍ରାପ୍ତ ହୁଏ ଆଉ କ୍ରିୟାର ପରାବସ୍ଥାରେ ଅନ୍ତର ଏବଂ ବାହ୍ୟ ବିଷୟସମୂହଦ୍ୱାରା ଚିତ୍ତ ପ୍ରତ୍ୟାବୃତ୍ତ ହୋଇ ବ୍ରହ୍ମରେ ପ୍ରକୃଷ୍ଟରୂପେ ଲୀନ ହୋଇଯାଏ । କ୍ରିୟାର ପରାବସ୍ଥା ହିଁ ସଦ୍ଭାବ ଅବା ଆଦିଭାବ ଅଟେ, ତାହାର କଦାପି ବିନାଶ ହୁଏନାହିଁ ।।୧୩।।
ମୋର କୀର୍ତ୍ତନ ଅର୍ଥାତ୍ କ୍ରିୟା — ଆଖି, କାନ ବନ୍ଦ କରି ଦୃଢ଼ ହୋଇ ମୋତେ ଓଁକାର-କ୍ରିୟା ଦ୍ୱାରା ନମସ୍କାର କରେ, ଗୁରୁବାକ୍ୟରେ ବିଶ୍ୱାସ କରି ସର୍ବଦା ସ୍ଥିର ରହିଥାଏ — ଊର୍ଦ୍ଧ୍ୱରେ ଅବସ୍ଥାନକରି କରିବାକୁ ହୋଇଥାଏ ।
–ଭଗବାନଙ୍କ ଭଜନ ପାଇଁ ଆମେ ଯେଉଁମାର୍ଗ ଅବଲମ୍ବନ କରୁ ପଛକେ ସେଥିରେ ଆମର ଶ୍ରଦ୍ଧା ରହିବା ଆବଶ୍ୟକ । ଏହି ମାର୍ଗ ଅତିଶୟ ଦୁର୍ଗମ ଅଟେ । ଏଥିପାଇଁ ଶ୍ରଦ୍ଧାର ସହିତ ସେହି ଲକ୍ଷ୍ୟ ପ୍ରତି ତଥା ସେଠାରେ ପହଞ୍ଚିବାର ଉପାୟ ବାରମ୍ବାର ଆଲୋଚନା କରିବା ଆବଶ୍ୟକ ଅଟେ । ଏହା ବିନା ବହିର୍ମୁଖ ଚିତ୍ତ ଅନ୍ତର୍ମୁଖ ହୁଏନାହିଁ । ଏଥିପାଇଁ ଆଉ ଏକ ଦିଗକୁ ଯେଉଁଠାରେ ସାଧକଙ୍କୁ ବିକ୍ଷେପ ରହିତ ହେବାପାଇଁ ପଡ଼ିଥାଏ, ସେହିଭଳି ଚିତ୍ତ ସଂଯମ ନିମନ୍ତେ ଦୃଢ଼ ବ୍ରତ ଅବଲମ୍ବନ କରିବାପାଇଁ ପଡ଼ିଥାଏ । ବାଣୀ ଦ୍ୱାରା ବାରମ୍ବାର ଭଗବଦ୍ ଚିନ୍ତନ ସମ୍ବନ୍ଧି ଆଲୋଚନା ନିଶ୍ଚିତରୂପେ ବହୁତ ଭଲ ହୋଇଥାଏ, ହେଲେ ଏହି ସାଧନା ବହିଃରଙ୍ଗ ଅଟେ । ଏହାଦ୍ୱାରା ମନକୁ ଅନ୍ତର୍ମୁଖ କରିବା କଠିନ ହୁଏ ଏଥିପାଇଁ କିଛି କିଛି ଅନ୍ତରଙ୍ଗ ସାଧନା ମଧ୍ୟ ଆବଶ୍ୟକ । ଭଗବଦ୍ ଆଲୋଚନା ବାରମ୍ବାର କରିବା ଭଳି, ପ୍ରାଣାୟାମ ସହିତ ଅନୁଲୋମ ବିଲୋମରେ ଯେଉଁ ଭଗବତ୍ ସ୍ମରଣ ହୁଏ, ତା ଦ୍ୱାରା ମନର ବହିର୍ମୁଖ ଭାବ ଆହୁରି ସହଜରେ ନିବାରିତ ହୋଇଯାଏ । ମନ ଅନ୍ତର୍ମୁଖ ହେଲେ ନିରୁଦ୍ଧ ହୁଏ ଆଉ ନିରୁଦ୍ଧ ଚିତ୍ତରେ ଆତ୍ମଚୈତନ୍ୟର ସ୍ୱରୂପ-ସାକ୍ଷାତ୍କାର ହୁଏ । ଏହି ଅବସ୍ଥାର ପ୍ରାପ୍ତି ନିମନ୍ତେ ପ୍ରଣତ ହେବାପାଇଁ ପଡ଼ିଥାଏ । ପ୍ରକୃଷ୍ଟ ରୂପେ ନତ ହେବା ହିଁ ପ୍ରଣତ ଭାବ ଅଟେ । ମନକୁ ନତ କେଉଁଠାରେ କରାଯିବ ?—ଆତ୍ମା ସମ୍ମୁଖରେ । ଏପ୍ରକାର ପ୍ରଣତ ଚିତ୍ତ ହିଁ ଆତ୍ମାରେ ଅବସ୍ଥାନ କରିବାରେ ସମର୍ଥ ହୁଏ । ଉପାସନାର ଅର୍ଥ ଏବଂ ଉଦ୍ଦେଶ୍ୟ ମଧ୍ୟ ଏହା ଅଟେ । ଉପ ଅର୍ଥାତ୍ ସମୀପରେ, ଆସ ଧାତୁର ଅର୍ଥ ହେଉଛି ସ୍ଥାପନା—ନିଜକୁ ଭଗବାନଙ୍କ ପାଖରେ ସ୍ଥାପିତ କରିବା ହିଁ ଉପାସନାର ଲକ୍ଷ୍ୟ ଅଟେ । ଏହିଭଳି ପ୍ରଣତ ହେବାର ଉପାୟ ହେଉଛି ଗୁରୁପଦିଷ୍ଟ ଓଁକାର-କ୍ରିୟା । ଏହି ଓଁକାର କ୍ରିୟାର ସାଧନା ଦ୍ୱାରା ହୃଦୟଗ୍ରନ୍ଥି ଚ୍ଛିନ୍ନ ହୋଇଯାଏ, ପରମାକାଶ ପ୍ରକାଶିତ ହୁଏ । ପ୍ରାଣବାୟୁ ଊର୍ଦ୍ଧ୍ୱ ଅର୍ଥାତ୍ ମସ୍ତକରେ ସ୍ଥିର ହୋଇ ଆତ୍ମାକାଶରେ ସ୍ଥିରହୁଏ । ଯୋଗୀମାନେ ଯୋଗାଭ୍ୟାସଜନିତ ଧାରଣା ଦ୍ୱାରା କୂଟସ୍ଥକୁ ଭେଦକରି ପୁରୁଷୋତ୍ତମଙ୍କର ଜ୍ଞାନ ପ୍ରାପ୍ତ କରନ୍ତି । କ୍ରିୟାର ପରାବସ୍ଥାରେ ହିଁ ବ୍ରହ୍ମସ୍ୱରୂପର ଅନୁଭବ ହୁଏ, ସେଥିରେ ଅବସ୍ଥାନ କଲେ ବ୍ରହ୍ମ ଅଥବା ଆତ୍ମାର ସମସ୍ତ ଶକ୍ତି ଅନୁଭବ ହୁଏ । ଏପ୍ରକାର ଅନୁଭବ ହେଉଥିଲେ ପ୍ରତ୍ୟେକ ଅନୁଭବରେ ତାଙ୍କ ମହିମାର କୀର୍ତ୍ତନ ହୁଏ । ସୁଷୁମ୍ନା ମାର୍ଗରେ ସ୍ଥିତ ସ୍ତମ୍ଭସ୍ୱରୂପ ବାୟୁ ଯାହା ଏହି ଶରୀରକୁ ଧାରଣ କରି ରହିଥାଏ, ସେଥିରେ ଯିଏ ଅବସ୍ଥାନ କରେ ତଥା ଶରୀରର ନବଦ୍ୱାର (ଦୁଇ ଆଖି, ଦୁଇ କାନ, ନାସିକା, ମୁଁହ, ଲିଙ୍ଗ, ଗୁହ୍ୟଦ୍ୱାର ଏବଂ ମନ)ରେ ବ୍ରହ୍ମଙ୍କର ସ୍ୱରୂପ ଅନୁଭବ କରିଥାଏ, ତାଙ୍କର ନିରନ୍ତର ଭଗବତ୍ସେବା ହୁଏ ଏବଂ ତାଙ୍କର ଭଗବତ୍ସମୀପରେ ଅବସ୍ଥାନ ହୋଇଥାଏ ।।୧୪।।
କେହି କେହି ଯୋନି ମୁଦ୍ରା ଏବଂ କ୍ରିୟା ଉଭୟ କରନ୍ତି — ଉଭୟ ଏକ ଅଟେ — ଅନେକ ପ୍ରକାରର କ୍ରିୟା, ଅର୍ଥାତ୍ ଏସମସ୍ତର ଉଦ୍ଦେଶ୍ୟ ଏକ ଅଟେ ।
–ଯେଉଁମାନେ ମହାତ୍ମା ହୋଇଯାଇଛନ୍ତି, ସେମାନେ ସାଧନ ବଳରେ ଏହି ଅବସ୍ଥାକୁ ପ୍ରାପ୍ତ କରିଛନ୍ତି । ପୂର୍ବ ଶ୍ଳୋକରେ ମଧ୍ୟ ଅନେକ ସାଧନା କଥା କୁହାଯାଇଛି, ଏଠାରେ ବିଶେଷ କରି ଜ୍ଞାନଯଜ୍ଞ କଥା କୁହାଯାଉଅଛି । ଯେଉଁଭଳି ଯଜ୍ଞ ସମୟରେ ହବି ପ୍ରକ୍ଷେପ କରିବାକୁ ପଡ଼ିଥାଏ ଆଉ ଫଳସ୍ୱରୂପ ଅଗ୍ନିରୁ ସୁନ୍ଦର ଜ୍ୟୋତି ଫୁଟି ବାହାରିଥାଏ, ସେହିଭଳି ଆତ୍ମକ୍ରିୟାରୂପ ଯେଉଁ ଯଜ୍ଞ ରହିଛି, ସେଥିରେ ମନ ଏବଂ ଇନ୍ଦ୍ରିୟଗଣଙ୍କୁ ହବିରୂପେ ପ୍ରକ୍ଷେପ କଲେ ଜ୍ଞାନାଗ୍ନି ପ୍ରଜ୍ଜ୍ୱଳିତ ହୋଇଉଠେ । ଏହି ଜ୍ଞାନାଗ୍ନିର ଅନେକ ରୂପ ରହିଛି—ପ୍ରଥମତଃ ନିଜବୋଧରୂପ—ମୁଖ୍ୟ ଆତ୍ମସାକ୍ଷାତ୍କାର ଅଟେ । ଏହା ସ୍ୱରୂପ ସ୍ଥିତି ଅଟେ । ଯେଉଁ ଅବସ୍ଥାର ଉଦୟ ହେଲେ ଏକ ‘ମୁଁ’ ବ୍ୟତିରେକ ଆଉ କିଛି ବି ରହେନାହିଁ ।
ପଞ୍ଚଭୂତାତ୍ମକଂ ବିଶ୍ୱଂ ମରିଚିଜଳସନ୍ନିଭମ୍ ।
କସ୍ୟାପ୍ୟହୋ ନମସ୍କୁର୍ଯ୍ୟାମହମେକୋ ନିରଞ୍ଜନଃ ।।
ଆତ୍ମୈବ କେବଳଂ ସର୍ବଂ ଭେଦାଭେଦୋ ନ ବିଦ୍ୟତେ ।
ଅସ୍ତି ନାସ୍ତି କଥଂ ବ୍ରୂୟାଂ ବିସ୍ମୟଃ ପ୍ରତିଭାତି ମେ ।।
ଯୋ ବୈ ସର୍ବାତ୍ମକୋ ଦେବୋ ନିଷ୍କଳୋ ଗଗନୋପମଃ ।
ସ୍ୱଭାବନିର୍ମଳଃ ଶୁଦ୍ଧଃ ସ ଏବାହଂ ନ ସଂଶୟଃ ।। (ଅବଧୂତ ଗୀତା)
ମରିଚିକାରେ ଯେଉଁଭଳି ଭାବେ ଜଳ-ଭ୍ରମ ହୁଏ, ସେହିଭଳି ଏହି ପଞ୍ଚଭୂତାତ୍ମକ ବିଶ୍ୱ ମଧ୍ୟ ବସ୍ତୁତଃ ନଥାଏ, କେବଳ ବୋଧମାତ୍ର ହୁଏ । ଯେଉଁଠାରେ ଏକମାତ୍ର ନିରଞ୍ଜନ ‘ଅହଂ’ ବିଦ୍ୟମାନ ଅଟନ୍ତି, ସେଠାରେ ଅନ୍ୟ କିଏ ଅଛି ଯେ ତାଙ୍କୁ ନମସ୍କାର କରିବେ ? ସବୁକିଛି କେବଳ ଆତ୍ମା ହିଁ ଅଟନ୍ତି, ଭେଦାଭେଦ ନାହିଁ, ଅତଏବ ବିଶ୍ୱ ଅଛି ନାଁ ନାହିଁ—ଏହା କିପରି କୁହାଯାଇପାରିବ ? ଏସବୁ କିଭଳି ବିସ୍ମୟଜନକ ବୋଧ ହୁଏ ! ସେହି ସର୍ବାତ୍ମକ ଦେବ ଯିଏ ନିଷ୍କଳ ଏବଂ ଗଗନ ସଦୃଶ ଅଟନ୍ତି, ଯିଏ ସ୍ୱଭାବତଃ ନିର୍ମଳ ଏବଂ ଶୁଦ୍ଧ ଅଟନ୍ତି, ସେ ମୁଁ ଅଟେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ସମସ୍ତଙ୍କ ଭିତରେ ପରବ୍ୟୋମସ୍ୱରୂପ ସେହି ଆତ୍ମଦେବ ବିଦ୍ୟମାନ କରନ୍ତି, ସେ ହିଁ ବିଶ୍ୱେଶ୍ୱର ଅଟନ୍ତି । କ୍ରିୟାର ପରାବସ୍ଥାରେ ବ୍ରହ୍ମସ୍ୱରୂପରେ ତାଙ୍କର ଅନୁଭବ ହୁଏ । କ୍ରିୟାର ପରାବସ୍ଥାରେ ଏକ ବିଚିତ୍ର ଦଶା ହୁଏ, ସେ ନିଷ୍କଳ ସ୍ୱରୂପ ଅଟନ୍ତି, ସେ ସମୟରେ ବାହାରର ବାୟୁ ବାହାରେ ରହିଥାଏ, ଦୃଷ୍ଟି ଭ୍ରୂମଧ୍ୟରେ ତଥା ପ୍ରାଣ ଏବଂ ଅପାନର ଗତି ସମାନ ହୋଇଯାଇଥାଏ ଅର୍ଥାତ୍ ନିଃଶ୍ୱାସ ନାକ ଭିତରେ ରହିଥାଏ, ବାହାରକୁ ଆସେନାହିଁ । ବ୍ରହ୍ମପରବ୍ୟୋମରୂପ ଅଟନ୍ତି, ଗଗନ ସମ ସ୍ୱଭାବ ହୋଇଥିବା କାରଣରୁ ଗଗନୋପମ ବୋଲାନ୍ତି, ହେଲେ ସେ ଗଗନ ଅପେକ୍ଷା ଦଶଗୁଣା ଅଧିକ ନିର୍ମଳ ଅଟନ୍ତି । ସେଠାକୁ ଗଲେ ମନର କୌଣସି ବାସନା ରହେନାହିଁ, ମନ ମନରେ ଲୀନ ହୋଇ ଏକ ହୋଇଯାଏ, ଅତଃ ସେହି ଅବସ୍ଥା ଅତ୍ୟନ୍ତ ବିଶୁଦ୍ଧ ଅଟେ, ସଂସାରର କୌଣସି ଭାବନା ତାହାକୁ ସ୍ପର୍ଶ କରିପାରନ୍ତି ନାହିଁ । ସେହି ବ୍ରହ୍ମ ହିଁ ‘ମୁଁ’ ଅଟେ, ସେ ସମୟରେ ‘ମୁଁ’ ମଧ୍ୟ ରହେନାହିଁ । କଥାକୁ ବୁଝାଇବାପାଇଁ ‘ମୁଁ’ କହିବାକୁ ପଡ଼ିଥାଏ, ସେହି ‘ମୁଁ’ ବ୍ରହ୍ମ ଅଟେ, ଏଥିରେ କୌଣସି ସନ୍ଦେହ ନାହିଁ । ଯେତେବେଳେ କିଛି ବି ରହେନାହିଁ, ସେତେବେଳେ ସେଠାରେ ‘ଏକ’ କହିବାବାଲା କେହି ବି ରହେନାହିଁ, ଅତଃ ସଂଶୟ ହେବ କାହାକୁ ? ଏହା ଆତ୍ମସାକ୍ଷାତ୍କାର ଅବା ଜ୍ଞାନାଗ୍ନିର ସର୍ବୋତ୍ତମ ସ୍ୱରୂପ ଅଟେ ।
ଦ୍ୱିତୀୟ ପ୍ରକାରର ବୋଧ ହେଉଛି ଅପୂର୍ବ ଜ୍ୟୋତିର୍ମଣ୍ଡଳ, ତନ୍ମଧ୍ୟରେ ନୀଳ ଆକାଶ ସମ ଶ୍ୟାମସୁନ୍ଦର ରୂପ—ତାର ଚତୁର୍ପାର୍ଶ୍ୱରେ ନକ୍ଷତ୍ର ଝିଲ୍ମିଲ୍ କରୁଥାନ୍ତି, ଯାହାକୁ ଦେଖି ବସ୍ତୁତଃ ମନ ମୁଗ୍ଧ ହୋଇଯାଏ । ରତ୍ନମୟ, ମଣିମୟ ସିଂହାସନ ଉପରେ ପୁରୁଷୋତ୍ତମ ବିରାଜମାନ ଅଟନ୍ତି । କେତେ ଋଷି, ମୁନି, ଦେବତା, କେତେ ଅପୂର୍ବଦର୍ଶନ ଜ୍ୟୋତିର୍ମୟ ଜୀବ ତାଙ୍କର ସ୍ତବନକୀର୍ତ୍ତନ କରନ୍ତି, ତାଙ୍କୁ ମୁଗ୍ଧ ନେତ୍ରରେ ଦେଖନ୍ତି—ଏପ୍ରକାରର ବୋଧ ହୁଏ ।
ତୃତୀୟ ପ୍ରକାରର ବୋଧ ହେଉଛି, ଯେଉଁଥିରେ ଅନାହତ ନାଦର ଅପୂର୍ବ ଝଙ୍କାର ମନ-ଇନ୍ଦ୍ରିୟକୁ ମୁଗ୍ଧ କରି ମନକୁ କୌଣସି ଅନନ୍ତଙ୍କ ସହ ଏକାକାର କରିଦେଇଥାଏ ।
ଏ ସମସ୍ତ ଅନୁଭବ ପରେ ଯୋଗୀଙ୍କର ତ୍ରିତାପ-ଜ୍ଜ୍ୱାଳା ଦୂର ହୋଇଯାଇଥାଏ, ଯୋଗୀଙ୍କ ଭିତରେ ବିଶୋକା ଜ୍ୟୋତି ଜାଗ୍ରତ ହୋଇଯାଏ । ହେଲେ ପ୍ରାଣର ପ୍ରଚ୍ଛର୍ଦନ-ବିଧାରଣ (ଅର୍ଥାତ୍ ପ୍ରାଣାୟାମ)ଦ୍ୱାରା ମୁଖ୍ୟତଃ ଏହି ବିଷୟବତୀ ପ୍ରବୃତ୍ତି ଉତ୍ପନ୍ନ ହୁଏ, ଏହି ବିଷୟବତୀ ପ୍ରବୃତ୍ତି ଉତ୍ପନ୍ନ ହେଲେ ଚିତ୍ତ ସ୍ଥୈର୍ଯ୍ୟ ଲାଭ କରିଥାଏ । ଯୋଗଦର୍ଶନରେ ଉଲ୍ଲେଖ ଅଛି—“ବିଷୟବତୀ ବା ପ୍ରବୃତ୍ତିରୂତ୍ପନ୍ନା ମନସଃ ସ୍ଥିତିନିବନ୍ଧନୀ ।” ବିଷୟବତୀ ପ୍ରବୃତ୍ତି କଣ, ଏ ସମ୍ପର୍କରେ କହୁଅଛି । ଶବ୍ଦ-ସ୍ପର୍ଶାଦି ବିଷୟମାନଙ୍କର ପ୍ରତ୍ୟକ୍ଷ ସ୍ୱରୂପା ସୂକ୍ଷ୍ମ ବୃତ୍ତି ହିଁ ବିଷୟବତୀ ପ୍ରବୃତ୍ତି ଅଟେ । ହେଲେ ଏହା ଲୌକିକ ବୃତ୍ତି ନୁହେଁ, ଦିବ୍ୟ ଶବ୍ଦସ୍ପର୍ଶାଦିର ଅନୁଭବ ହିଁ ଏହି ପ୍ରବୃତ୍ତି ଅଟେ । ନାସିକାଗ୍ରରେ ଚିତ୍ତର ଧାରଣା କାରଣରୁ ଯେଉଁ ଦିବ୍ୟ ଗନ୍ଧର ଜ୍ଞାନ ହୁଏ, ତାହା ଗନ୍ଧ ପ୍ରବୃତ୍ତି ଅଟେ । ଜିହ୍ୱାଗ୍ରରେ ଧାରଣା କାରଣରୁ ଦିବ୍ୟ ରସ ସମ୍ବନ୍ଧରେ ଜ୍ଞାନ ହୁଏ । ଏହାକୁ ପ୍ରବୃତ୍ତି କହିବାର କାରଣ ହେଉଛି କି, ସାଧରଣତଃ ଯେଉଁ ଶବ୍ଦ, ଗନ୍ଧ ଆଦିର ବୃତ୍ତି ଉଦୟ ହୁଏ, ସେଥିରୁ ଏହା ପ୍ରକୃଷ୍ଟ ହୁଏ ଏବଂ ଏଥିପାଇଁ ଏହାକୁ ‘ପ୍ରବୃତ୍ତି’ କହନ୍ତି । ଏହି ପ୍ରବୃତ୍ତିର ଉଦୟ ହେଲେ ସାଧକଙ୍କୁ ଆନନ୍ଦ ପ୍ରାପ୍ତ ହୁଏ, ସାଧନାରେ ବିଶ୍ୱାସ ଉତ୍ପନ୍ନ ହୁଏ, ଯୋଗାଭ୍ୟାସରେ ଦୃଢ଼ ଶ୍ରଦ୍ଧା ହୁଏ ତଥା ବାହ୍ୟ ବିଷୟସମୂହରେ ବୈରାଗ୍ୟ ଉତ୍ପନ୍ନ ହୁଏ । ପତଞ୍ଜଳିଙ୍କ ମତରେ ତଦନନ୍ତର “ବିଶୋକା ବା ଜ୍ୟୋତିଷ୍ମତୀ ।”—ପୂର୍ବୋକ୍ତ ବିଷୟବତୀ ପ୍ରବୃତ୍ତି ଉତ୍ପନ୍ନ ହେଲେ ବିଶୋକା ତଥା ଜ୍ୟୋତିଷ୍ମତୀ ପ୍ରବୃତ୍ତିର ଉଦୟ ହୁଏ । ଏହାଦ୍ୱାରା ମଧ୍ୟ ଚିତ୍ତ ସ୍ଥିତି ପ୍ରାପ୍ତ କରିଥାଏ । ଏହି ପରମ ସୁଖମୟ ଭାବ ଦ୍ୱାରା ଚିତ୍ତରୁ ସମସ୍ତ ପ୍ରକାର ଦୁଃଖ ଉପଗତ ହୋଇଯାଏ । ଏହି କାରଣରୁ ଏହାକୁ ‘ବିଶୋକା’ କହନ୍ତି ଏବଂ ଜ୍ଞାନାଲୋକର ଆଧିକ୍ୟ କାରଣରୁ ଏହାକୁ ‘ଜ୍ୟୋତିଷ୍ମତୀ’ ମଧ୍ୟ କହନ୍ତି ।
ଚିତ୍ତ ସ୍ଥିର ହେଲେ ଆକାଶ ସମ ସ୍ଥିର, ଶୁଭ୍ର, ସ୍ୱଚ୍ଛ ଜ୍ୟୋତି ଅବା ପ୍ରକାଶର ଅନୁଭବ ହୁଏ । ସୁଷୁମ୍ନାର ମୁଖ ଖୋଲିବାଦ୍ୱାରା ଏସବୁ ଲକ୍ଷଣ ପ୍ରକଟ ହୁଏ । ଶ୍ରୁତି କହନ୍ତି, “ଅଙ୍ଗୁଷ୍ଠମାତ୍ରୋ ରବିତୁଲ୍ୟରୂପଃ” ଏହି ଆକାଶ-ସଦୃଶ ଜ୍ୟୋତିରେ ଆତ୍ମଭାବନା କଲେ ପରମାନନ୍ଦ ପ୍ରାପ୍ତ ହୁଏ । ଯିଏ ଯୋଗାରୂଢ଼ ହୋଇଥାନ୍ତି, ସେମାନଙ୍କଠାରେ ହିଁ ଏହା ପୂର୍ବଲକ୍ଷଣ ରୂପେ ପ୍ରକଟ ହୁଏ ।
ଏହା ଦ୍ୱିତୀୟ ପ୍ରକାରର ଜ୍ଞାନାଗ୍ନିର ପ୍ରକାଶ ଅଟେ । ପ୍ରାଣାୟାମ-ଅଭ୍ୟାସ ଏବଂ ଯୋନିମୁଦ୍ରାରେ ନାନାପ୍ରକାର ଜ୍ଞାନାଗ୍ନି ପ୍ରଜ୍ଜ୍ୱଳିତ ହୁଏ । ପ୍ରଥମ ପ୍ରକାରର ଜ୍ଞାନରେ ଏକତ୍ୱର ଅନୁଭବ ହୁଏ, ଦ୍ୱିତୀୟ ପ୍ରକାର ଦ୍ୱାରା ପୃଥକ୍ ବୋଧ ଏବଂ ନାନାପ୍ରକାର ବିଷୟସମୂହର ବୋଧ ହୁଏ ଅର୍ଥାତ୍ ଯାହା ଜାଣିବା ଅବା କରିବା ଇଚ୍ଛାରେ ହୁଏ, ସେ ସବୁ ଜଣାଯାଏ ଏବଂ କରାଯାଏ । ହେଲେ ଏହି ଜ୍ଞାନ ମଧ୍ୟ କୌଣସି ବାହ୍ୟ ବିଷୟକ ଜ୍ଞାନ ନୁହେଁ, ଏହା ମଧ୍ୟ ଅନ୍ତର୍ମୁଖ ଜ୍ଞାନ ଅଟେ । ଏହାର ପରିଣାମ ହେଉଛି ସମସ୍ତଙ୍କ ଭିତରେ ବ୍ରହ୍ମ ବୋଧ । ଶେଷରେ ବ୍ରହ୍ମଙ୍କ ଭିତରେ ସମସ୍ତଙ୍କର ପ୍ରକାଶ ହୁଏ । ଏପ୍ରକାର ଜ୍ଞାନ ଯାହା ବାହ୍ୟନାଡ଼ୀ-ମୁଖ ଦ୍ୱାରା ସାଧକଙ୍କୁ ହୁଏ, ତାହାକୁ ହିଁ ଭଗବାନ୍ ଉତ୍ତର ଗୀତାରେ ଅର୍ଜ୍ଜୁନଙ୍କୁ କହିଛନ୍ତି—
ଇଡ଼ାପିଙ୍ଗଳୟୋର୍ମଧ୍ୟେ ସୁଷୁମ୍ନା ସୂକ୍ଷ୍ମରୂପିଣୀ ।
ସର୍ବଂ ପ୍ରତିଷ୍ଠିତଂ ଯସ୍ମିନ୍ ସର୍ବଗଂ ସର୍ବତୋମୁଖମ୍ ।।
ଇଡ଼ା ଏବଂ ପିଙ୍ଗଳା ମଧ୍ୟରେ ସୂକ୍ଷ୍ମରୂପିଣୀ ସୁଷୁମ୍ନା ବିରାଜମାନ ଅଟନ୍ତି । ତାଙ୍କରିଠାରେ ହିଁ ସମସ୍ତ ତଥା ସର୍ବତୋମୁଖୀ ବ୍ରହ୍ମ ପ୍ରତିଷ୍ଠିତ ରହନ୍ତି ।
ନାନାନାଡ଼ୀପ୍ରସବଗଂ ସର୍ବଭୂତାନ୍ତରାତ୍ମନି ।
ଊର୍ଦ୍ଧ୍ୱମୂଳମଧଃଶାଖଂ ବାୟୁମାର୍ଗେଣ ସର୍ବଗମ୍ ।।
ଦ୍ୱିସପ୍ତତିସହସ୍ରାଣି ନାଡ୍ୟଃ ସ୍ୟୁର୍ବାୟୁଗୋଚରାଃ ।
ଅଧଶ୍ଚୋର୍ଦ୍ଧ୍ୱଂ ଗତାସ୍ତାସ୍ତୁ ନବଦ୍ୱାରାଣି ରୋଧୟନ୍ ।
ବାୟୁନା ସହ ଜୀବୋର୍ଦ୍ଧ୍ୱଂ ଜ୍ଞାନୀ ମୋକ୍ଷମବାପ୍ନୁୟାତ୍ ।।
ଶରୀର ଭିତରେ ୭୨ ହଜାର ନାଡ଼ୀ ବିଦ୍ୟମାନ ଅଛନ୍ତି, ଏହି ନାଡ଼ୀସମୂହ ଊର୍ଦ୍ଧ୍ୱ ଏବଂ ଅଧୋଦିଗରେ ପ୍ରସାରିତ ହୋଇ ରହିଛନ୍ତି । ଇନ୍ଦ୍ରିୟରୂପୀ ନବଦ୍ୱାରର ଅବରୋଧ କରି ବାୟୁ ସହିତ ଜୀବକୁ ଊର୍ଦ୍ଧ୍ୱଗାମୀ କରାଇଲେ ମୋକ୍ଷ ପ୍ରାପ୍ତି ହୁଏ ।।୧୫।।
(ଅହଂ କ୍ରତୁ ଏବଂ ଅହଂ ଯଜ୍ଞ) ମୁଁ ତ କର୍ତ୍ତା ଅଟେ—ଯଜ୍ଞ କରିବାପାଇଁ ଯଜ୍ଞକର୍ତ୍ତା—ଯଜ୍ଞକର୍ମ ବି ତ ମୁଁ ହିଁ ଅଟେ—କ୍ରିୟାର ପରାବସ୍ଥା ମଧ୍ୟ ମୁଁ ଅଟେ—ଔଷଧୀ ମଧ୍ୟ ମୁଁ ଅଟେ, କାରଣ ଏହା ମଧ୍ୟରେ ବ୍ରହ୍ମ ବିଦ୍ୟମାନ ଅଟନ୍ତି, ବ୍ରହ୍ମଙ୍କଠାରେ ଅବସ୍ଥାନ କରିବାଜନିତ ଔଷଧୀଠାରୁ ବଡ଼ ଆଉ କିଛି ବି ନାହିଁ । ମୁଁ ମନ୍ତ୍ର ଅଟେ ଅର୍ଥାତ୍ ନିଜ ମଧ୍ୟରେ ରହିବାଦ୍ୱାରା ମନ ପ୍ରାଣକୁ ପ୍ରାପ୍ତ କରିଥାଏ, ଏହାର ଉପାୟ ଗୁରୁମୁଖରୁ ଜାଣିହୁଏ । ହୋମର ଘୃତ ମୁଁ ଅଟେ—ମୁଁ ହିଁ ଅଗ୍ନି ଅଟେ—ମୋତେ ହିଁ ହୋମ କରେ ।
–(୧) କ୍ରତୁ ବେଦବିହିତ ଯଜ୍ଞ ଯାହା ସୋମରସ ସାଧ୍ୟ ଅଟେ । କ୍ରିୟାବାନ୍ ଲୋକ ଯେଉଁମାନେ ସୁରାପାନ କରନ୍ତି, ତାହା ସୋମରସ ଅଟେ । “ସୋମଧାରା କ୍ଷରେତ୍ ଯା ତୁ ବ୍ରହ୍ମରନ୍ଧ୍ରାତ୍ ବରାନନେ”—(ଆଗମସାର) । କ୍ରିୟା କରୁକରୁ ବ୍ରହ୍ମରନ୍ଧ୍ରରୁ ସୁଧାଧାରା କ୍ଷରିତ ହୁଏ, ତାହାକୁ ପାନକରି ଯୋଗୀ ଉନ୍ମତ୍ତ ହୋଇଯାନ୍ତି । ତାଙ୍କର ଦେହ-ବୋଧ ପର୍ଯ୍ୟନ୍ତ ରହେନାହିଁ । ଏହି ସୁଧା ଶରୀର ଏବଂ ମନର ପ୍ରତ୍ୟେକ ଅଣୁକୁ ତୃପ୍ତି ପ୍ରଦାନ କରିଥାନ୍ତି । ସେତେବେଳେ ଆଉ ବାହ୍ୟରସସମୂହ ପ୍ରତି ଚିତ୍ତର ଲୋଲୁପତା ରହେନାହିଁ । ସହସ୍ରାରରେ ସ୍ଥିତ ତ୍ରିକୋଣମଣ୍ଡଳ ଭିତରେ ଏହି ସୁଧାରସ ସଞ୍ଚିତ ରହିଥାଏ । ଏହି ତ୍ରିକୋଣର ତିନିଗୋଟି ମୁଖରେ କ୍ରମଶଃ ଇଡ଼ା, ପିଙ୍ଗଳା ଏବଂ ସୁଷୁମ୍ନା ସମ୍ମିଳିତ ହୋଇଛନ୍ତି । ଇଡ଼ା ହିଁ ଚନ୍ଦ୍ରନାଡ଼ୀ ଅବା ମନ ଅଟେ । ଉପରୋକ୍ତ ରସ ଇଡ଼ା-ନାଡ଼ୀରେ ପ୍ରବାହିତ ହେଲେ ମନକୁ ପୁଷ୍ଟିଦାନ କରିଥାଏ ଆଉ ଏହି ରସ ଯେତେବେଳେ ପିଙ୍ଗଳାରେ ପ୍ରବାହିତ ହୁଏ, ସେତେବେଳେ ତାହାକୁ ସୂର୍ଯ୍ୟଦେବ ଗ୍ରହଣ କରନ୍ତି, ତତ୍ପଶ୍ଚାତ୍ ତାହା ବୃଷ୍ଟିରୂପରେ ପୃଥିବୀପୃଷ୍ଠରେ ପଡ଼ିଥାଏ ଅର୍ଥାତ୍ କ୍ଷେତ୍ରରୂପ ଏହି ଦେହର ତା ଦ୍ୱାରା ପୁଷ୍ଟି ହୁଏ । ସୁଷୁମ୍ନାରେ ଯେଉଁ ଅଂଶ ପ୍ରବାହିତ ହୁଏ ତାହା ଅମୃତ ଅଟେ, କୁଣ୍ଡଳିନୀ ସେହି ଅମୃତର ପାନ କରେ, ତାହା ଆଉ ବାହାରକୁ ଆସେ ନାହିଁ । ସାଧକ ଯେତେବେଳେ ସାଧନର ସହାୟତାରେ ଏହି ପରମଶକ୍ତିକୁ ଚୈତନ୍ୟଯୁକ୍ତ କରିପାରେ, ସେତେବେଳେ ତାହା ସହସ୍ରାରରେ ପରମ ଶିବଙ୍କ ସହିତ ଯୁକ୍ତ ହୋଇଯାଏ, ତାପରେ ଜୀବ ଭାବର ଅବସାନ ହୋଇଯାଏ । କୁଳକୁଣ୍ଡଳିନୀ ଅବା ସୁଷୁମ୍ନାସ୍ଥିତ ଶକ୍ତି ଶରୀର ଭିତରେ ମୂଳାଧାରରେ ସୁପ୍ତାବସ୍ଥାରେ ପଡ଼ିଥାଏ, କ୍ରିୟାସାଧନ ଦ୍ୱାରା ତାହାକୁ ଜାଗ୍ରତ କରିବାପାଇଁ ପଡ଼ିଥାଏ । ଏହି ଶକ୍ତି ଜାଗ୍ରତ ହେଲେ ଅତି ସୂକ୍ଷ୍ମରୂପରେ ଶରୀର ଭିତରେ ମେରୁଦଣ୍ଡସ୍ଥ ପଞ୍ଚତତ୍ତ୍ୱରେ ସ୍ଥିତି ଲାଭ ହୁଏ ଅର୍ଥାତ୍ ତତ୍ତ୍ୱ-ତତ୍ତ୍ୱରେ ପ୍ରବେଶ କରିବାର ଶକ୍ତି ସାଧକଙ୍କୁ ପ୍ରାପ୍ତ ହୁଏ ।
(୨) ଯଜ୍ଞ ହିଁ ବିଷ୍ଣୁ ଅଟନ୍ତି ଯିଏ ସମସ୍ତ ବିଶ୍ୱରେ ଅନୁପ୍ରବିଷ୍ଟ ହେଉଛନ୍ତି । ଏହା ସ୍ଥିର ପ୍ରାଣ ଅଟେ, ଏହା ନରହିଲେ, ଦେହେନ୍ଦ୍ରିୟ ତଥା ସାରା ବିଶ୍ୱ ଅଚଳ ହୋଇଯାଏ ଅର୍ଥାତ୍ ବିଲୁପ୍ତ ହୋଇଯାଏ । ଏହାକୁ ଅବଲମ୍ବନକରି ଅନନ୍ତ ଚାଞ୍ଚଲ୍ୟମୟ ଏହି ବିରାଟ୍ ବିଶ୍ୱ ଚକ୍ରାକାରରେ ସର୍ବଦା ପରିଭ୍ରମଣ କରିଥାଏ ତଥାପି କେନ୍ଦ୍ରଚ୍ୟୁତ ହୋଇପାରେ ନାହିଁ । ଏହା ଜୀବର ଚୈତନ୍ୟସତ୍ତା ଅଟେ । ପ୍ରଜ୍ଜ୍ୱଳିତ ଅଗ୍ନିସମ ଏହା ଆଜ୍ଞାଚକ୍ରରେ ସର୍ବଦା ଦୀପ୍ତିଯୁକ୍ତ ହୋଇ ରହିଥାଏ । ଏହା ଜଠରସ୍ଥ ଅଗ୍ନିରୂପରେ ଅନ୍ନାଦି ସମସ୍ତ ଭୁକ୍ତ ଦ୍ରବ୍ୟସମୂହକୁ ପାକ କରି ଶରୀରରେ ସର୍ବତ୍ର ଜୀବନ ସଞ୍ଚାର କରିଥାଏ । ଏହା ନାଭିମଣ୍ଡଳରେ ସମାନ-ବାୟୁ ରୂପେ ଅବସ୍ଥାନ କରି ପ୍ରାଣ ଏବଂ ଅପାନର ଗତିକୁ ସଂଯମିତ କରି ରହିଥାଏ, ଏଥିପାଇଁ ବିଷ୍ଣୁଙ୍କୁ ପାଳନକର୍ତ୍ତା କହନ୍ତି ।
(୩) ସ୍ୱଧା—ସମସ୍ତ ପ୍ରାଣୀଗଣଙ୍କର ଅନ୍ନ । ‘ସର୍ବପ୍ରାଣୀସାଧାରଣମନ୍ନମ୍’—(ଶଙ୍କର) ବିଭିନ୍ନ ଅନ୍ନ ଦ୍ୱାରା ଜୀବର ସ୍ଥୂଳ ଏବଂ ସୂକ୍ଷ୍ମ ଶରୀର ପୁଷ୍ଟ ହୁଏ । ସ୍ୱଧା ହେଉଛନ୍ତି ଅଗ୍ନିଙ୍କର ପତ୍ନୀ—ଏହା ତେଜରୂପା ଓଜଃଧାତୁ ଅଟେ, ଏହି ଧାତୁର ଅପକ୍ଷୟଦ୍ୱାରା ଜୀବର ଶରୀର ଏବଂ ତା ସହିତ ମନ ଶୁଖିଯାଏ । ଏହାକୁ ବ୍ରହ୍ମତେଜ ମଧ୍ୟ କହନ୍ତି । ସାଧନ କଲେ ପ୍ରାଣ ଊର୍ଦ୍ଧ୍ୱଗାମୀ ହୁଏ, ସେତେବେଳେ ଯେଉଁ ତେଜଃ ଅବା ଜ୍ଞାନ ପ୍ରସ୍ଫୁଟିତ ହୁଏ ତାହା ସ୍ୱଧା ଅଟେ ।
(୪) ଔଷଧୀ—ତ୍ରୟୋଦଶ ଶ୍ଳୋକର ବ୍ୟାଖ୍ୟାରେ କୁହାଯାଇଛି କି, ‘ଜଗତ୍-ଦୃଷ୍ଟି ହିଁ ଭବରୋଗ ଅଟେ । ଜଗତ୍ = ଯାହା ଗମନ କରେ ଅର୍ଥାତ୍ ଚଞ୍ଚଳ । ଏହି ଚାଞ୍ଚଲ୍ୟ ଦୂରହୁଏ ପ୍ରାଣ ସ୍ଥିର ହେଲେ । ପ୍ରାଣ ସ୍ଥିର ହେବାପରେ ବ୍ରହ୍ମରେ ସ୍ଥିତି ହୁଏ, ଏହାଠାରୁ ବଳି ଭବରୋଗର ଅନ୍ୟ କୌଣସି ଔଷଧୀ ନାହିଁ ।’
(୫) ମନ୍ତ୍ର—ଅର୍ଥାତ୍ ମନର ଯାହା ଦ୍ୱାରା ତ୍ରାଣ ହୁଏ । ମନର ତ୍ରାଣ ହୁଏ ନିଜ ମଧ୍ୟରେ ଅବସ୍ଥାନ କଲେ । ନିଜ ମଧ୍ୟରେ ରହିବାର ଉପାୟ ହେଉଛି କ୍ରିୟା କରିବା । “ନିଃଶ୍ୱାସଶ୍ୱାସରୂପେଣ ମନ୍ତ୍ରୋଽୟଂ ବର୍ତ୍ତତେ ପ୍ରିୟେ ।” “ପ୍ରଚ୍ଛର୍ଦ୍ଦନବିଧାରଣାଭ୍ୟାଂ ବା ପ୍ରାଣସ୍ୟ” ।
(୬) ଆଜ୍ୟ—ଘୃତ, ଏହାଦ୍ୱାରା ହବନ କରାଯାଏ, ଏହାଦ୍ୱାରା ହିଁ ହବନ କାର୍ଯ୍ୟ ସମ୍ପାଦନ ହୁଏ, ଯଜ୍ଞେଶ୍ୱର ପ୍ରସନ୍ନ ହୋଇଥାନ୍ତି । ହବନର ଅର୍ଥ ହେଉଛି ପ୍ରକ୍ଷେପ ଅବା ତ୍ୟାଗ । କେଉଁଭଳି ତ୍ୟାଗ କରିବେ ? ଆମେ ବାହ୍ୟ ତତ୍ତ୍ୱସମୂହରେ ପଡ଼ି ତତ୍ତ୍ୱାତୀତଙ୍କୁ ଭୁଲିଯାଇଛୁ, ଅହଂଜ୍ଞାନ ଅବା ଦେହାଭିମାନକୁ ନେଇ ଜଗତ୍ ସହିତ ବାନ୍ଧି ହୋଇଯାଇଛୁ ତଥା ଏତେବଡ଼ ସଂସାର ପ୍ରସାରିତ କରିରଖିଛୁ । ଏହା ଆତ୍ମଶକ୍ତି ଅଟେ ହେଲେ ବିପରୀତ ଦିଗରେ କାର୍ଯ୍ୟ କରୁଛି, ଗତାନୁଗତିକ ଭାବରେ ଜଗତ୍-ଚକ୍ରର ଅନୁବର୍ତ୍ତନ କରିଥାଏ ଆଉ ସେଥିରୁ ଯେଉଁ ସାମାନ୍ୟ ସୁଖ ପ୍ରାପ୍ତ ହେଉଛି, ତାହାକୁ ହିଁ ଲୋଲୁପ ସମ ଗ୍ରାସ କରିବାପାଇଁ ଉଦ୍ୟତ ଅଟେ—ଏହି ଅଜ୍ଞାନପାଶ, ଏହି ଅଭିମାନ, ଏହି ଦେହାତ୍ମବୋଧକୁ ଏକତ୍ରିତ କରିବାପାଇଁ ପଡ଼ିବ ଏବଂ ବ୍ରହ୍ମାଗ୍ନିରେ ଶିବଶକ୍ତି ସମରସ ଭିତରେ ଏହାକୁ ପାକ କରିବାପାଇଁ ପଡ଼ିବ । ଏହାର ଫଳ କଣ ହେବ ? ‘ତ୍ୟାଗାତ୍ ଶାନ୍ତିରନନ୍ତରମ୍’ ।
ଯେଉଁ ଅହଂରୁ ବୃତ୍ତି ଉଠି ଅଜ୍ଞାନ ମାର୍ଗରେ ଚାଲିଚାଲି ଏହି ବିଶ୍ୱସଂସାରର ରଚନା କରିଥାଏ, ତାହାକୁ ହିଁ ଏକତ୍ରିତ କରିକରି ପୁଣି ସେହି ‘ସର୍ବାତୀତୋଽହଂ’ ଭିତରେ ଏହି ‘ଦେହୋଽହଂ’—ବୁଦ୍ଧିକୁ ଡ଼ୁବାଇ ଦେବାକୁ ହେବ । ଏହି ‘ଦେହୋଽହଂ’ ବୁଦ୍ଧିର ମୂଳ କାରଣ ପ୍ରାଣର ବହିର୍ମୁଖୀ ଭାବ ଅଟେ । କ୍ରିୟା ଦ୍ୱାରା ପ୍ରାଣକୁ ଊର୍ଦ୍ଧ୍ୱରେ ରଖିଲେ ସାଧାରଣ ଜ୍ୟୋତିର ଦର୍ଶନ ମିଳେ । ସେଥିରେ ଲକ୍ଷ୍ୟ ସ୍ଥିର କଲେ ଆତ୍ମସଂଯମ-ଅଗ୍ନି ପ୍ରଜ୍ଜ୍ୱଳିତ ହୁଏ, ସେହି ପ୍ରଜ୍ଜ୍ୱଳିତ ଅଗ୍ନିରେ ଇନ୍ଦ୍ରିୟମାନଙ୍କୁ ହୋମକଲେ ପରମ ସ୍ଥିର ଭାବର ଉଦୟ ହୁଏ, ତାହା ଆତ୍ମସାକ୍ଷାତ୍କାର ଅଟେ । ଯେଉଁଭଳି ଦୁଗ୍ଧ ମନ୍ଥନ କଲେ ଘୃତ ଉତ୍ପନ୍ନ ହୁଏ, ସେହିଭଳି ଚଞ୍ଚଳ ପ୍ରାଣକୁ ମନ୍ଥନ କଲେ ସ୍ଥିର ପ୍ରାଣରୂପୀ ଘୃତ ସେଥିରୁ ଉତ୍ପନ୍ନ ହୁଏ । ଜ୍ଞାନସଙ୍କଳିନୀ ତନ୍ତ୍ରରେ ଉଲ୍ଲେଖ ଅଛି—
ନ ହୋମଂ ହୋମ ଇତ୍ୟାହୁଃ ସମାଧୌ ତତ୍ତୁ ଭୂୟତେ ।
ବ୍ରହ୍ମାଗ୍ନୌ ହୂୟତେ ପ୍ରାଣୋ ହୋମକର୍ମସ୍ତଦୁଚ୍ୟତେ ।।
ବ୍ରହ୍ମାଗ୍ନିରେ ପ୍ରାଣଙ୍କୁ ହୋମ କରିବା ହିଁ ପ୍ରକୃତ ହୋମ କର୍ମ ଅଟେ, ଅନ୍ୟ ହୋମ ହୋମ ନୁହେଁ ।
(୭) ଅଗ୍ନି—ଏହି ଆତ୍ମା ହିଁ ଅଗ୍ନି ଅଟେ । ଏହା ସମସ୍ତଙ୍କର ‘ଅହଂ’ ଅଟେ, ଯାହା ନରହିଲେ କୌଣସି ବସ୍ତୁର ଅସ୍ତିତ୍ୱ ରହେନାହିଁ । ଏହା ସମସ୍ତଙ୍କର ଏକମାତ୍ର ପ୍ରିୟତମ ଅଭୀଷ୍ଟ ବସ୍ତୁ ଅଟେ । ଏହି ‘ମୁଁ’ ହିଁ ବିଶ୍ୱରୂପେ ବିବିଧ ନାମରୂପେ ନିଜକୁ ପ୍ରକାଶିତ କରୁଅଛି । ଏହି ଅଗ୍ନି ସମସ୍ତଙ୍କ ମଧ୍ୟରେ ବିଦ୍ୟମାନ, ହେଲେ ସର୍ବତ୍ର ଏହାର ସ୍ୱରୂପ ପ୍ରକାଶିତ ହୁଏନାହିଁ । ଏହାର ସ୍ୱରୂପ ପ୍ରକାଶିତ ହେଲେ ଯେଉଁ ବସ୍ତୁ ଭିତରୁ ଏହାର ପ୍ରକାଶ ହୁଏ, ତାହାକୁ ଏହା ଭସ୍ମ କରିଦିଏ । ଏହି କାରଣରୁ ଅଗ୍ନିର ନାମ ‘ସ୍ୱୟୋନିଭୂକ୍’ ଅଟେ । ଏହି ଆତ୍ମା ଅନନ୍ତ ନାମ-ରୂପ ଭିତରେ ବିଦ୍ୟମାନ ଅଟନ୍ତି, ଯେତେବେଳେ କୌଣସି ବିଶେଷ ନାମରୂପଯୁକ୍ତ ବସ୍ତୁ ଦ୍ୱାରା ଏହାର ପ୍ରକାଶ ହୁଏ, ସେତେବେଳେ ସେହି ବସ୍ତୁ ପୂର୍ବରୁ ନାମ-ରୂପ ରହେନାହିଁ, ନାମ ଏବଂ ରୂପ ଦୂରହୋଇ ସେହି ଅଗ୍ନି ଅବା ଆତ୍ମା ରୂପେ ବିଦ୍ୟମାନ ରହିଥାଏ ।
(୮) ହୋମ—ହବନ କାର୍ଯ୍ୟ ମଧ୍ୟ ‘ଆତ୍ମା’ ଅର୍ଥାତ୍ ‘ମୁଁ’ ଅଟେ । ‘ମୁଁ’ ନ ରହିଲେ ହୋମ କିପରି ହେବ ? ଆମେ ଯେଉଁ କ୍ରିୟା କରୁ, ତାହା ମଧ୍ୟ ଆତ୍ମା ରହିବାରୁ ହୁଏ । ପ୍ରାଣର ଯେଉଁ ବହିର୍ମୁଖ ବୃତ୍ତି ମନ ରୂପେ ପରିକଳ୍ପିତ ହୁଏ, ଆତ୍ମକ୍ରିୟା ଦ୍ୱାରା ପ୍ରାଣ ସ୍ଥିର ହେଲେ ସେହି ମନ ନିଜ କାରଣ—ସ୍ଥିର ପ୍ରାଣ ଭିତରେ ବିଲୀନ ହୋଇଯାଏ । ଏହି ସାଧନା ସଦ୍ଗୁରୁଙ୍କ ଉପଦେଶ ଦ୍ୱାରା ଅବଗତ ହୁଏ । ଏହି ସଦ୍ଗୁରୁଙ୍କ ଉପଦେଶରୁ ପ୍ରାପ୍ତ କ୍ରିୟା ହିଁ ଯଥାର୍ଥ ହୋମକର୍ମ ଅଟେ । ଆତ୍ମା ଅବସ୍ଥାନ କରିବାରୁ ହିଁ କ୍ରିୟା କରିବା ସମ୍ଭବ ହୁଏ, ଅତଃ ଆତ୍ମା ହିଁ ସବୁକିଛି ଅଟେ ।।୧୬।।
ପିତାମହ ବ୍ରହ୍ମା ମୁଁ ଅଟେ—ଜଗତ୍କୁ ଅର୍ଥାତ୍ ଚଳାୟମାନ ବସ୍ତୁର, ଯାହା ମୋଠାରୁ ଉତ୍ପନ୍ନ ହୋଇଛି, ମୁଁ ରକ୍ଷା କରେ ଏବଂ ମୁଁ ହିଁ ସମସ୍ତଙ୍କ ପିତାମହ ଅଟେ, ଯାହାକି ଗୁରୁବକ୍ତ୍ରଗମ୍ୟ ଅଟେ—ଜାଣିବା ବସ୍ତୁ ମୁଁ ଅଟେ—ମୋ ସମ ପବିତ୍ର କିଛି ବି ପୃଥିବୀରେ ନାହିଁ—ମୋ କାରଣରୁ ଏହି ଶରୀର ଓଁକାର ରୂପ ଅଟେ—ଋକ୍, ସାମ, ଯଜୁ—ତିନିଗୋଟି ଏକତ୍ରିତ ହୋଇ ଅଥର୍ବ ହୋଇଛନ୍ତି । ଏଠାରେ ଚତୁର୍ଦ୍ଦିଗରେ ମୋର ରୂପ ରହିଛି ।
–ମୁଁ ଜଗତ୍ର ମାତା-ପିତା ଅଟେ କାହିଁକି ନାଁ ମୋଠାରୁ ହିଁ ସମଗ୍ର ଚରାଚର ଜୀବ ଉତ୍ପନ୍ନ ହୋଇଛନ୍ତି । ମୁଁ ହିଁ ଜଗତ୍ର ଆଧାରଭୂତ ଏକମାତ୍ର ଶକ୍ତି ଅଟେ, ଯାହାର ଅବଲମ୍ବନ କରି ଏହି ବିଶାଳ ବିଶ୍ୱ ପ୍ରକାଶିତ ହେଉଅଛି । ଏହି କାରଣରୁ ମୁଁ ବିଶ୍ୱର ଜନନୀରୂପ ଅଟେ । ମୁଁ ଜଗତ୍ର ରକ୍ଷାକର୍ତ୍ତା ବିଧାତା ଅଟେ । ‘ମୁଁ’ ନ ରହିଲେ କଣ କିଛି ରହିପାରେ ? ଏହି ଅହଂ ଅଭିମାନ ଅବା ଅହଂକାର ଦ୍ୱାରା ହିଁ ଜଗତ୍ର ସୃଷ୍ଟି ହୁଏ, ଏହି କାରଣରୁ ମୁଁ ଜଗତ୍ର ଜନୟିତା ଅର୍ଥାତ୍ ପିତା ଅଟେ । ମୁଁ ପିତାମହ ଅର୍ଥାତ୍ ସମସ୍ତଙ୍କର ପ୍ରଭୁଙ୍କର ପ୍ରଭୁ ଅଟେ ଅର୍ଥାତ୍ ଜଗତ୍ର ମୂଳ କାରଣ ଅଟେ । କୂଟସ୍ଥକୁ ଦେଖୁଦେଖୁ ଯେଉଁ ଉତ୍ତମ ପୁରୁଷ ଦେଖାଯାନ୍ତି, ତାଙ୍କୁ ପରମାତ୍ମା କହନ୍ତି । କୂଟସ୍ଥ ଭିତରେ ଅନ୍ଧକାର ଅପେକ୍ଷା କିଛି ହାଲୁକା (କ୍ଷୀଣ ଅନ୍ଧକାର) ଦେଖାଯାଏ—ତାହା ଭଲଭାବରେ ଦେଖାଯାଏ ନାହିଁ, ତାହାର କୌଣସି ଚିହ୍ନ ମଧ୍ୟ ନାହିଁ । ତା ସମ୍ମୁଖରେ ଷଡ଼ ଐଶ୍ୱର୍ଯ୍ୟଯୁକ୍ତ ବ୍ୟକ୍ତ ସ୍ୱରୂପ ବିଦ୍ୟମାନ, ଯାହା ସ୍ୱତଃ ନିର୍ମିତ ହୋଇଛି, ଯାହାକୁ କୂଟସ୍ଥ ଭିତରେ ଦେଖିପାରୁ କିମ୍ବା ନଦେଖି ପାରୁ ମଧ୍ୟ । ଅତ୍ୟନ୍ତ ସୂକ୍ଷ୍ମ ହୋଇଥିବାରୁ ତାହା ଇନ୍ଦ୍ରିୟାଦି ନିମନ୍ତେ ଗ୍ରାହ୍ୟ ନୁହେଁ, ଚିତ୍ତ ଦ୍ୱାରା ମଧ୍ୟ ତାହାର ଧାରଣା କରାଯାଇପାରେ ନାହିଁ ତଥାପି ତାହା ସ୍ୱତଃ ପ୍ରକାଶିତ ହୁଏ ।
ଏହି ଅବସ୍ଥା ସୃଷ୍ଟି ପୂର୍ବର ଅବସ୍ଥା ଅଟେ, ସେ ସମୟରେ ‘ମାୟା’ ଅବା ପ୍ରକୃତି ତାଠାରୁ ପୃଥକ୍ ହୋଇନଥାଏ । ତତ୍ପଶ୍ଚାତ୍—“ଅପ ଏବ ସସର୍ଜାଦୌ ତାସୁ ବୀଜମବାସୃଜତ୍”—ପ୍ରଥମେ ଜଳ ସୃଷ୍ଟିର ଯାହାକୁ କାରଣବାରି କହନ୍ତି (କୂଟସ୍ଥ ଭିତରେ ଯେଉଁ କୃଷ୍ଣ ବର୍ଣ୍ଣ ଦେଖାଯାଏ)ତା ମଧ୍ୟରେ ବୀଜ (ନକ୍ଷତ୍ର-ସ୍ୱରୂପ)ର ସୃଜନ କରିଥାଏ ।
ତଦଣ୍ଡମଭବଦ୍ଧୈମଂ ସହସ୍ରାଂଶୁସମପ୍ରଭମ୍ ।
ତସ୍ମିନ୍ ଯଜ୍ଞେ ସ୍ୱୟଂ ବ୍ରହ୍ମା ସର୍ବଲୋକପିତାମହଃ ।।–ମନୁ.।।
ସେହି ସ୍ୱର୍ଣ୍ଣ ସଦୃଶ ଅଣ୍ଡା ସୂର୍ଯ୍ୟଙ୍କ ସମ ପ୍ରଭାବିଶିଷ୍ଟ ଥିଲା, ସେଥିରୁ ପୁରୁଷୋତ୍ତମ ଉତ୍ପନ୍ନ ହେଲେ ଯିଏ ସମସ୍ତ ଲୋକଙ୍କର ପିତାମହ ଅଟନ୍ତି ।
ଆପୋ ନାରା ଇତି ପ୍ରୋକ୍ତା ଆପୋ ବୈ ନରସୂନବଃ ।
ତା ଯଦସ୍ୟାୟନଂ ପୂର୍ବଂ ତେନ ନାରାୟଣଃ ସ୍ମୃତଃ ।।–ମନୁ.।।
ଜଳକୁ ନାରା କହନ୍ତି, ଜଳ ଅର୍ଥାତ୍ କୂଟସ୍ଥ—ସେଥିରେ ନରାକୃତି ଏବଂ ନରାକୃତି ନୁହେଁ—ଏପ୍ରକାରର ଏକ ପୁରୁଷ ରହିଛନ୍ତି, ସେ ହିଁ ପୁରୁଷୋତ୍ତମ ଅଟନ୍ତି । କୂଟସ୍ଥ ଦ୍ୱାରା ହିଁ ତାଙ୍କର ଆଗମନ ହୁଏ, ସେହି ଦ୍ୱାରଦେଇ ଗମନ କଲେ ପୁରୁଷୋତ୍ତମଙ୍କର ଅନୁଭବ ହୁଏ । କୂଟସ୍ଥର କଳା ବର୍ଣ୍ଣ ଭିତରେ ତାଙ୍କର ସ୍ଥିତି ରହିଛି । ଏହି କାରଣରୁ ତାଙ୍କର ନାମ ନାରାୟଣ ଅଟେ । ସମସ୍ତଙ୍କର ବାସ୍ତବିକ ‘ମୁଁ’ ସେହି ଉତ୍ତମ ପୁରୁଷଙ୍କର ରୂପ ଅଟେ ଯାହା ଶରୀର ସମ ଅଟେ । ଏଥିପାଇଁ ଅର୍ଜ୍ଜୁନ କହିଛନ୍ତି—“ଦୃଷ୍ଟ୍ୱେଦଂ ମାନୁଷଂ ରୂପଂ” ଅର୍ଥାତ୍ ଯିଏ ଅଙ୍ଗୁଷ୍ଠମାତ୍ର ଜ୍ୟୋତିସ୍ୱରୂପ ଭ୍ରୂ ମଧ୍ୟରେ ପରିଦୃଶ୍ୟ ହୋଇଥାନ୍ତି ଏବଂ ଯିଏକି କେଶର ଏକ ସହସ୍ରଭାଗରୁ ଏକ ଭାଗ ଭଳି ସୂକ୍ଷ୍ମ ଅଟନ୍ତି ତାହା ଜୀବ ଅଟେ ଏହା ସୁଷୁମ୍ନା ମଧ୍ୟରେ ସୂତ୍ରରୂପେ ଆତଯାତ ହୁଏ ଏବଂ ସୂକ୍ଷ୍ମ ନକ୍ଷତ୍ର ସମ ଜ୍ୟୋତିରେ ଦେଖାଯାଏ । ଏହା ଋକ୍, ଯଜୁ ଏବଂ ସାମ ଅଟେ—ଏହା ସୃଜନ, ସ୍ଥିତି ଏବଂ ମୃତ୍ୟୁ ଅଟେ—ଏହାକୁ ଅବଲମ୍ବନକରି ଏହି ସାଢ଼େ ତିନି ହାତର ଶରୀର ଏବଂ ଏହି ଅଖିଳ ବିଶ୍ୱ ରହିଛି । ଏହି କାରଣରୁ କୁହାଯାଏ କି ବେଦରୁ ବିଶ୍ୱ ଉତ୍ପନ୍ନ ହୁଏ । ମନୁ କହିଛନ୍ତି—“ଦୁଦୋହ ଯଜ୍ଞସିଦ୍ଧ୍ୟର୍ଥଂ ଋକ୍ଯଜୁଃସାମଲକ୍ଷଣମ୍ ।” ଅର୍ଥାତ୍ କ୍ରିୟାରୂପ ଯଜ୍ଞର ସିଦ୍ଧି ନିମନ୍ତେ ଋକ୍, ଯଜୁଃ ଏବଂ ସାମ ଲକ୍ଷଣରୂପ—ସୃଜନ, ସ୍ଥିତି ଏବଂ ମୃତ୍ୟୁଲକ୍ଷଣରୂପ ଏହି ସାଢ଼େ ତିନିହାତ ପ୍ରମାଣ ଅବୟବର ସୃଷ୍ଟି କରିଛନ୍ତି । ଏହି ଶରୀର ହିଁ ଓଁକାର ରୂପ ଅଟେ ।
ଋକ୍—ଋକ୍ ଅର୍ଥାତ୍ ସ୍ତୁତି କରିବା, କ୍ରିୟା ଅର୍ଥାତ୍ ପ୍ରାଣାୟାମ ଦ୍ୱାରା ସ୍ତବ, ଯାହାକୁ କରିବାଦ୍ୱାରା ମନ ପ୍ରସନ୍ନ ହୋଇଯାଏ । ବାମ ଶ୍ୱାସ, ଦକ୍ଷିଣ ଶ୍ୱାସ ଏବଂ ମଧ୍ୟ ଶ୍ୱାସ ଏତ୍ରୟ ବ୍ରହ୍ମରୂପୀ ସୁଷୁମ୍ନା ଅଟେ ଯାହା ମୃଣାଳ-ତନ୍ତୁ ସମ ସୂକ୍ଷ୍ମ ବାୟୁ ଅଟେ । ତାହା ଋକ୍ ଅଟେ ଅର୍ଥାତ୍ ନିଜକୁ ନିଜେ ଜାଣିବାର ମନ୍ତ୍ର ଅଟେ, ଏହି ଚଞ୍ଚଳ ମନକୁ ଅନ୍ୟ ଦିଗକୁ ଯିବାକୁ ନଦେଇ କ୍ରିୟାର ପରାବସ୍ଥାରେ ସ୍ଥିରତ୍ୱ ପ୍ରଦାନ କରିଥାଏ ଏବଂ ନିଜ ବୋଧସ୍ୱରୂପକୁ ଅନୁଭବ କରାଇ ଦେଇଥାଏ । ଏହା ବେଦମନ୍ତ୍ର ଗାୟତ୍ରୀ ଅଟେ ଯାହାର ବାରମ୍ବାର ଗାନ କଲେ କ୍ରିୟାର ପରାବସ୍ଥା ପ୍ରାପ୍ତ ହୁଏ ଏବଂ ଏହା ଦ୍ୱାରା ମନର ଚାଞ୍ଚଲ୍ୟରୂପ ବିଷମ ଦୁଃଖରୁ ମୁକ୍ତି ମିଳିଯାଇଥାଏ ।
ଯଜୁଃ—ଯଜ୍ ଅର୍ଥାତ୍ ପୂଜନ କରିବା—ଦକ୍ଷିଣ ଦିଗରେ ବାୟୁକୁ ଗ୍ରହଣକରି ଓଁକାର କ୍ରିୟା ଦ୍ୱାରା ବାୟୁର ଯେଉଁ ସ୍ଥିତି ହୁଏ, ସେ ସମୟରେ ମୂଳାଧାରଦେଇ ବ୍ରହ୍ମରନ୍ଧ୍ର ପର୍ଯ୍ୟନ୍ତ ସ୍ଥିର ରହେ, କେବେ ଶ୍ୱେତ ବର୍ଣ୍ଣ ଏବଂ ପୁଣି କେବେ କୃଷ୍ଣ ବର୍ଣ୍ଣ ଦୃଷ୍ଟହୁଏ, ତାହା ଶୁକ୍ଳ ତଥା କୃଷ୍ଣ ଯଜୁଃ ଅଟେ ।
ସାମ—ପଶ୍ଚିମ ଦିଗରେ ବାୟୁକୁ ଚାଳନକଲେ ଓଁକାର ଧ୍ୱନି ଶୁଣାଯାଏ, ଏହି ବେଦକୁ ଜାଣିଗଲେ ସାଧକ ବ୍ରାହ୍ମଣ ହୋଇଯାନ୍ତି । ତାପରେ ସର୍ବଜ୍ଞ, ସର୍ବବ୍ୟାପୀ ଏବଂ ସର୍ବଶକ୍ତିମାନ୍ ହୋଇଯାନ୍ତି ।।୧୭।।
ମୁଁ ଗତି—ମୁଁ ଭରଣ-ପୋଷଣ-କର୍ତ୍ତା— ନିଜ ଦୃଷ୍ଟିରେ ମୁଁ ହିଁ ଏକ ପୁରୁଷ ଅଟେ—ମୋଠାରେ ହିଁ ସମସ୍ତେ ଅବସ୍ଥାନ କରନ୍ତି—ସମସ୍ତଙ୍କ ସ୍ମରଣଯୋଗ୍ୟ ମୁଁ ଅଟେ ଅର୍ଥାତ୍ ସମସ୍ତଙ୍କୁ ମୋର ସ୍ମରଣ କରିବା—ଚିତ୍ତ ଅଟେ—ସୁନ୍ଦର ଦେହ ହୋଇଥିବା କାରଣରୁ ମୋଠାରୁ ପ୍ରକାଶ ପ୍ରକୃଷ୍ଟରୂପେ ବିକିରିତ ହେଉଅଛି ଅର୍ଥାତ୍ ଉତ୍ପତ୍ତି ମୋର ମନରୁ ତଥା ତହିଁରେ ଲୟ ଉତ୍ତମରୂପେ ହେଉଅଛି—ନିଧାନଂ—ସମସ୍ତଙ୍କର ବିଶେଷରୂପେ ସ୍ଥିତି-ସ୍ୱରୂପରେ ରହିବା ସ୍ଥାନ—ସବିଶେଷ ଉତ୍ପତ୍ତିସ୍ଥାନ ଅର୍ଥାତ୍ ବୀଜ ବ୍ରହ୍ମ ଅଟନ୍ତି । ତାଙ୍କର ବିନାଶ ହୁଏନାହିଁ ।
–ଜୀବ ଯେଉଁସବୁ ଶୁଭାଶୁଭ କର୍ମ କରେ, ତଦନୁସାରେ ତାହାର ଗତି ହୁଏ । ସେ ପ୍ରତ୍ୟେକ କର୍ମର କର୍ମଫଳରୂପରେ ରହି ଜୀବର ଶୁଭାଶୁଭ ଗତିକୁ ବିଧାନ କରୁଛନ୍ତି । ସେ ଭରଣ-ପୋଷଣ କର୍ତ୍ତା ଅଟନ୍ତି । ଜୀବର ନିଜନିଜ କର୍ମ ଦ୍ୱାରା କର୍ମଫଳ ଉତ୍ପନ୍ନ ହୋଇ ପୁଣି ସେହି କର୍ମ କରୁଥିବା ଜୀବର ଅଦୃଷ୍ଟରୂପରେ ସଂଯୁକ୍ତ ହୋଇଯାଏ । ଏହାଦ୍ୱାରା ଜୀବର ଭରଣ-ପୋଷଣ ହୁଏ , ଜୀବର କର୍ମାନୁସାରେ ବାରିବର୍ଷଣ ହୁଏ, କର୍ମାନୁସାରେ କ୍ଷେତ୍ରରେ ଶସ୍ୟାଦି ଉତ୍ପନ୍ନ ହୁଏ ଏବଂ କର୍ମାନୁସାରେ ଜୀବକୁ ପୁତ୍ରବୈଭବ ଆଦିର ପ୍ରାପ୍ତି ହୁଏ—ଏହାର ବ୍ୟବସ୍ଥାପକ ସେ ହିଁ ଅଟନ୍ତି । ସେ ପ୍ରଭୁ ଅଟନ୍ତି, ତାଙ୍କରି ଆଦେଶରେ ସୂର୍ଯ୍ୟ-ଚନ୍ଦ୍ର ନିୟମପୂର୍ବକ ସ୍ୱ-ସ୍ୱ କର୍ମ କରୁଛନ୍ତି, ତାଙ୍କରି ଆଦେଶରେ ମେଘ ଯଥାସମୟରେ ବାରିବର୍ଷଣ କରୁଛନ୍ତି, କର୍ମ ଯଥାସମୟରେ ଫଳୋତ୍ପାଦନରେ ସମର୍ଥ ହେଉଛନ୍ତି । ସେ ହିଁ ଜୀବର କୃତ-ଅକୃତ କର୍ମମାନଙ୍କର ଦ୍ରଷ୍ଟା ଅଟନ୍ତି । ଦେହ ବିନା କର୍ମଫଳ ଭୋଗ ହୁଏନାହିଁ । ପ୍ରପଞ୍ଚର ଅଧିଷ୍ଠାନ ଏହି ଦେହରୂପୀ ପୁରରେ ଜୀବ ବାସ କରିଥାଏ, ଏହି ଦେହର ପ୍ରକାଶ ମୋଠାରୁ ହୁଏ, ଏହି କାରଣରୁ ଏହା ନିବାସ ଅଟେ । ସେ ଜୀବର ଆଶ୍ରୟ ଅଟନ୍ତି । ସ୍ଥିର ପ୍ରାଣକୁ ଅବଲମ୍ବନ କରି ଜୀବର ବହିର୍ମୁଖ ପ୍ରାଣବୃତ୍ତି ପ୍ରବାହିତ ହୁଏ । ଅତଃ ସେ ହିଁ ଜୀବର ଆଶ୍ରୟ ତଥା ଏକମାତ୍ର ସ୍ମରଣଯୋଗ୍ୟ ଅଟନ୍ତି । ଯିଏ ତାଙ୍କୁ ସ୍ମରଣ କରନ୍ତି, ତାଙ୍କୁ ସମସ୍ତ ବିପତ୍ତିରୁ ସେହି ଶରଣାଗତ-ବତ୍ସଳ ରକ୍ଷା କରନ୍ତି, କ୍ରିୟା କଲେ କଣ ଶାରୀରିକ ମାନସିକ ସବୁ ପ୍ରକାର ବିପତ୍ତିରୁ ପରିତ୍ରାଣ ମିଳିଥାଏ । ଅତଃ ଜୀବର ଏହି ପ୍ରକାରର ଆଶ୍ରୟ ଅନ୍ୟକେହି ନାହାଁନ୍ତି । ଜୀବ ନାନାପ୍ରକାର ଶୋକ ଏବଂ ଦୁଃଖର ସନ୍ତାପସମୂହଦ୍ୱାରା ସର୍ବଦା ସନ୍ତ୍ରସ୍ତ ରହିଥାଏ । ଏସମସ୍ତ ସନ୍ତାପର ମୂଳ ହେଉଛି, ଦେହାତ୍ମବୋଧ । ଦେହଚିନ୍ତା ଭଳି ଜୀବର ଅନ୍ୟ କୌଣସି ବିଷମ ଜ୍ୱର ନାହିଁ । ଶ୍ରୀଶଙ୍କରାଚାର୍ଯ୍ୟ କହିଛନ୍ତି—“ସଂସାରମୂଳଂ ହି କିମସ୍ତି ? ଚିନ୍ତା” ଏହି ଚିନ୍ତା ହିଁ ମନକୁ ସତତ ଉତ୍କ୍ଷିପ୍ତ କରିଥାଏ । ଏହି ଚଞ୍ଚଳଭାବ ହିଁ ମନ ନାମରେ ପ୍ରସିଦ୍ଧ ଅଟେ । ଯେଉଁଠାରେ ଚାଞ୍ଚଲ୍ୟ ନାହିଁ, ଅର୍ଥାତ୍ ମନ ନାହିଁ, ସେଠାରେ ସଂସାର ମଧ୍ୟ ନାହିଁ । ଚିରସ୍ଥିର ଆତ୍ମା ଏହି କାରଣରୁ ଜୀବର ଏକମାତ୍ର ଗତି ଅଟେ । ଯେଉଁ ସାଧକ ପ୍ରାଣପଣେ ଚେଷ୍ଟା କରି ପ୍ରାଣାୟାମାଦି ଯୋଗକ୍ରିୟା ଦ୍ୱାରା ମନର ଚଞ୍ଚଳତା ନିବାରଣ କରିବାରେ ସମର୍ଥ ହୋଇଥାନ୍ତି, ସେ ତାଙ୍କର ପରମାଶ୍ରୟର ସନ୍ଧାନ ପାଇପାରନ୍ତି । ଯିଏ ଏହି ଆଶ୍ରୟ ପ୍ରାପ୍ତ କରନ୍ତି, ତାଙ୍କୁ ଆଉ ଜନ୍ମଜରାମରଣରୂପୀ କ୍ଳେଶସମୂହର ଅଧୀନ ହେବାକୁ ପଡ଼ିନଥାଏ । ସେ ସୁହୃତ୍ ଅଟନ୍ତି, ସେ ମୋର କଲ୍ୟାଣକାମୀ ଅଟନ୍ତି । ମୁଁ ନ ଚାହିଁଲେ ବି ଯିଏ ମୋତେ ଚାହାଁନ୍ତି, ମୁଁ ନ ଡ଼ାକିଲେ ମଧ୍ୟ ଯିଏ ମୋ ସମୀପକୁ ଆସନ୍ତି, ସଂସାରର ଧୂଳିଖେଳରେ ଅନ୍ଧହୋଇ ଉନ୍ମତ୍ତ ଭାବରେ ଆମେ ଦିନଯାପନ କରୁଛୁ ତଥାପି ଯେଉଁ ଗୁରୁ କର୍ଣ୍ଣଧାର ହୋଇ ପରିତ୍ରାଣର ଉପାୟ ଆମକୁ କହିଥାନ୍ତି, ତାଙ୍କ ଅପେକ୍ଷା ଜୀବର ହିତାର୍ଥୀ ଅଥବା ପରମ ସୁହୃଦ୍ ଆଉ କିଏ ହୋଇପାରେ ? ସୃଷ୍ଟି, ସ୍ଥିତି ଏବଂ ପ୍ରଳୟର କର୍ତ୍ତା ସେ ଅଟନ୍ତି । ପ୍ରଳୟ ପରେ ମଧ୍ୟ ଜୀବସମୂହ ସୂକ୍ଷ୍ମ ବୀଜରୂପରେ ତାଙ୍କରିଠାରେ ଅବସ୍ଥାନ କରନ୍ତି । ସମାଧି କାଳର ନିଶ୍ଚଳ ସ୍ଥିତି ମଧ୍ୟ ତାଙ୍କରିଠାରେ ନିହିତ । କ୍ରିୟାର ପରାବସ୍ଥା ତାଙ୍କରି ଅଟେ । ସମାଧି ଭଙ୍ଗ ପରେ ଜୀବର ଯେତେବେଳେ ପୁଣି ସଂସାର-ପ୍ରବୃତ୍ତି ହୁଏ, ସେହି ଉତ୍ପତ୍ତିର ସ୍ଥାନ ଏବଂ ସର୍ବଜୀବ ତଥା ସର୍ବଭାବର ବୀଜ ସ୍ୱରୂପ ସେ ଅଟନ୍ତି । ସେହି ବ୍ରହ୍ମରୂପୀ ବୀଜର କେବେ ନାଶ ହୁଏନାହିଁ ।।୧୮।।
ଇଚ୍ଛା ଦ୍ୱାରା ଅର୍ଥାତ୍ ମନରେ ବିଚାର କର ଅବା ନ କର ସୃଷ୍ଟି ହୁଏ—ଯେତେବେଳେ ବ୍ୟକ୍ତିଙ୍କର ଏପ୍ରକାର କ୍ଷମତା ହୁଏ—ସେତେବେଳେ ଅମରପଦରେ ଲକ୍ଷ୍ୟ ହୁଏ । ସେ ହିଁ ବ୍ରହ୍ମ ଅଟନ୍ତି !!! ମୃତ୍ୟୁ ହେବା ମୋର ରୂପ ଅଟେ—କାହିଁକି ନାଁ ଜୀବିତ ରହିଲେ ମୃତ୍ୟୁ ନ ହେବାଯାଏ ମୁକ୍ତି ହୁଏନାହିଁ । ଶୁଭ ମଧ୍ୟ ମୁଁ ଅଟେ, ଅଶୁଭ ମଧ୍ୟ ମୁଁ ଅଟେ ।
ମୁଁ ହିଁ ତପସ୍ୟା-ରୂପୀ ତାପ ଅଟେ, ଏହି ତାପ ଦ୍ୱାରା ହିଁ ମୁଁ ଜୀବର କର୍ମବାରିର ଶୋଷଣ କରିଥାଏ । କଷ୍ଟସହିଷ୍ଣୁ ହେବା ହିଁ ତପସ୍ୟାର ଉଦ୍ଦେଶ୍ୟ ଅଟେ, ହେଲେ “ତପୋ ନ ପରଂ ପ୍ରାଣାୟାମାତ୍ ତତୋ ବିଶୁଦ୍ଧିର୍ମଳାନାଂ ଦୀପ୍ତିଶ୍ଚ ଜ୍ଞାନସ୍ୟେତି”—ପ୍ରାଣାୟାମ ଅପେକ୍ଷା ଶ୍ରେଷ୍ଠ ତପସ୍ୟା ଅନ୍ୟ କିଛି ନାହିଁ କାରଣ ପ୍ରାଣାୟାମରେ ଏହି ଶୋଷଣ କାର୍ଯ୍ୟ ହୁଏ । ମନ ବହୁଧା ବିକ୍ଷିପ୍ତ ହୋଇ ବିଷୟସମୂହରେ ଦୌଡ଼ିଥାଏ, ମଳଯୁକ୍ତ ମନର ହିଁ ଏହା କାର୍ଯ୍ୟ ଅଟେ । ପ୍ରାଣାୟାମ ଦ୍ୱାରା ଏହି ମଳର ବିଶୁଦ୍ଧି ହୁଏ ଏବଂ ଜ୍ଞାନର ଦୀପ୍ତି ହୁଏ । କାହାକାହା ମନରେ ଏହି ସନ୍ଦେହ ଆସିପାରେ କି ପ୍ରାଣାୟାମ ଦ୍ୱାରା ଜ୍ଞାନର ଦୀପ୍ତି କେଉଁପ୍ରକାର ହେବ ? ଅଜ୍ଞାନ ନାଶ ନହେବାଯାଏଁ କଣ ଜ୍ଞାନ ହୋଇପାରିବ ? ଠିକ୍ ଅଛି, ଅଜ୍ଞାନ ପୁଣି କିଭଳି ବସ୍ତୁ ? ଅନାତ୍ମବସ୍ତୁରେ ଆତ୍ମବୋଧ ଅର୍ଥାତ୍ ଦେହର ‘ମୁଁ’ ଜ୍ଞାନ ହିଁ ଅଜ୍ଞାନ ଅଟେ । ଦେହ ସହିତ ‘ମୁଁ’ ଏପ୍ରକାର ଜଡ଼ିତ ହୋଇଯାଇଛି ଯେ, ତାହା ବିଯୁକ୍ତ ନହେବାଯାଏ ଦେହରୁ ‘ମୁଁ’ ପୃଥକ୍ ଅଟେ—ଏହି ଜ୍ଞାନର ଉଦୟ ସମ୍ଭବ ନୁହେଁ । ପ୍ରାଣାୟାମ ଦ୍ୱାରା ଏହି ଶରୀରରୁ ‘ମୁଁ’ପଣର ଜ୍ଞାନ ନଷ୍ଟ ହୋଇଯାଏ, ଏଥିପାଇଁ ପ୍ରାଣାୟାମ ଜ୍ଞାନୋତ୍ପାଦକ କ୍ରିୟା ଅଟେ । ଅତଃ ପ୍ରାଣାୟାମ ହିଁ ସର୍ବଶ୍ରେଷ୍ଠ ତପସ୍ୟା ଅଟେ । ତପସ୍ୟା ମଧ୍ୟ ଭଗବାନଙ୍କର ରୂପ ଅଟେ । ଏହି ପ୍ରାଣାୟାମରୂପୀ ତପସ୍ୟାର ତାପରେ ଅଜ୍ଞାନରୂପୀ ବାରି ଶୁଷ୍କ ହୋଇଯାଏ—ଏହା ‘ନିଗୃହ୍ଣାମି’ ଅଟେ ତଥା କ୍ରିୟାର ପରାବସ୍ଥାରୂପ ଶାନ୍ତିବାରି-ବର୍ଷଣ ହେବାରେ ଲାଗିଥାଏ—ଏହା ‘ଉତ୍ସୃଜାମି’ ଅଟେ । ସେହି ଅବସ୍ଥାର ଭୋଗ କରିକରି ସାଧକଙ୍କର ଅମୃତପଦରେ ଲକ୍ଷ୍ୟ ହୋଇଯାଏ ଏବଂ ଶେଷରେ ସାଧକ ସ୍ୱୟଂ ଅମୃତ ହୋଇଯାନ୍ତି । ଏହା ପ୍ରକୃତ ଜୀବନ ଅଟେ । ଏହି ଜୀବନ ମୋର ଶକ୍ତି ଅବା ରୂପ ଅଟେ ଏବଂ ମୃତ୍ୟୁ ମଧ୍ୟ ମୋର ରୂପ ଅଟେ । ଦେହ ଛାଡ଼ି ଚାଲିଗଲେ ତ ମୃତ୍ୟୁ ହୁଏନାହିଁ, ‘ମୁଁ’ ତ ରହିଯାଏ, ଅତଃ ଏହି ଦେହ ନଷ୍ଟ ହୋଇଯିବା ମୃତ୍ୟୁ ନୁହେଁ । ତେବେ ମୃତ୍ୟୁ କଣ ?—‘ଯସ୍ୟ ପୁନର୍ନ ଜନ୍ମ,’ ଯାହାର ପୁଣିଥରେ ଜନ୍ମ ହୁଏନାହିଁ, ଯାହାର ପୁନରାବୃତ୍ତି ହୁଏନାହିଁ । ଜୀବିତ ରହିବା ଅବସ୍ଥାରେ ମଧ୍ୟ ଏଭଳି ମୃତ୍ୟୁ ହୋଇପାରେ—ଏହା କ୍ରିୟାର ପରାବସ୍ଥା ଅଟେ । ଏହି ‘ମୁଁ’ ଯେତେବେଳେ କ୍ରିୟା କରି ଆତ୍ମସ୍ଥ ହୋଇଯାଏ, ସେତେବେଳେ ନିଜକୁ ସତ୍ସ୍ୱରୂପରେ ଅବଗତ ହୋଇପାରେ, ଏହା ‘ଶୁଭ ମୁଁ’ ଅଟେ । ଯେତେବେଳେ କ୍ରିୟା ନକରି ସଂସାର ଚିନ୍ତାରେ ମନ ମଗ୍ନ ହୋଇଯାଏ, ସେତେବେଳେ ଦେହରେ ଆତ୍ମବୁଦ୍ଧି ହୁଏ, ହେଲେ ଦେହ ଚିରସ୍ଥାୟୀ ନୁହେଁ, ଏଥିପାଇଁ ଦେହରେ ଆତ୍ମବୁଦ୍ଧି ମଧ୍ୟ ଅସତ୍ ଅଟେ, ଏହା ‘ଅଶୁଭ ମୁଁ’ ଅଟେ । ଏହି ‘ମୁଁ’ର ଅନନ୍ତ ରୂପ ରହିଛି—ସର୍ବାତ୍ମକ ରୂପରେ ଏହି ‘ମୁଁ’ ସର୍ବତ୍ର ପ୍ରକାଶିତ ଅଟେ ।
ସୂକ୍ଷ୍ମାତିସୂକ୍ଷ୍ମଂ କଲିଳସ୍ୟ ମଧ୍ୟେ ବିଶ୍ୱସ୍ୟ ସ୍ରଷ୍ଟାରମନେକରୂପମ୍ ।
ବିଶ୍ୱସ୍ୟୈକଂ ପରିବେଷ୍ଟିତାର ଜ୍ଞାତ୍ୱା ଶିବଂ ଶାନ୍ତିମତ୍ୟନ୍ତମେତି ।।
ଗୁଣାନ୍ୱୟୋ ଯଃ ଫଳକର୍ମକର୍ତ୍ତା କୃତସ୍ୟ ତସ୍ୟୈବ ସ ଚୋପଭୋକ୍ତା ।
ସ ବିଶ୍ୱରୂପସ୍ତ୍ରିଗୁଣସ୍ତ୍ରିବର୍ତ୍ମା ପ୍ରାଣାଧିପଃ ସଞ୍ଚରତି ସ୍ୱକର୍ମଭିଃ ।।
ଅଙ୍ଗୁଷ୍ଠମାତ୍ରୋ ରବିତୁଲ୍ୟରୂପଃ ସଙ୍କଳ୍ପାହଙ୍କାରସମନ୍ୱିତୋ ଯଃ ।
ବୁଦ୍ଧେର୍ଗୁଣୋନାତ୍ମଗୁଣେନ ଚୈବ ଆରାଗ୍ରମାତ୍ରୋଽହ୍ୟପରୋଽପି ଦୃଷ୍ଟଃ ।।–ଶ୍ୱେତା. ଉପ.।।
ଜଗତ୍ ସୃଷ୍ଟିର ପ୍ରାରମ୍ଭରେ ବୁଦ୍ବୁଦାବସ୍ଥାର ପୂର୍ବରୁ ସୂକ୍ଷ୍ମାତିସୂକ୍ଷ୍ମ କଲିଳାବସ୍ଥା ହୁଏ, ତନ୍ମଧ୍ୟରେ ଅବସ୍ଥାନ କରି ସେ ଅନନ୍ତ ରୂପରେ ପ୍ରକାଶମାନ ଅଟନ୍ତି, ଅର୍ଥାତ୍ କ୍ରିୟାର ପରାବସ୍ଥାରୂପ ଅତ୍ୟନ୍ତ ସୂକ୍ଷ୍ମାବସ୍ଥାରୁ ହିଁ ସେହି ଅସୀମ ବ୍ୟକ୍ତ ଜଗତ୍ ପ୍ରକାଶିତ ହୋଇଛି । ସେହି ସୂକ୍ଷ୍ମାତିସୂକ୍ଷ୍ମ ଜଗତ୍ର ଅଦ୍ୱିତୀୟ ଭୋଗବିଧାତା ଆନନ୍ଦମୟ ଶିବସ୍ୱରୂପକୁ ଅବଗତ ହୋଇଯିବାପରେ ଆତ୍ୟନ୍ତିକ ଶାନ୍ତି ପ୍ରାପ୍ତ ହୁଏ । ଜ୍ଞାନ ଏବଂ କର୍ମଜନିତ ବାସନାତ୍ମକ ଗୁଣସମୂହ ସହିତ ଯାହାର ଅନ୍ୱୟ ଅର୍ଥାତ୍ ସମ୍ବନ୍ଧ ରହିଛି, ସେ ‘ଗୁଣାନ୍ୱୟ’-ପଦବାଚ୍ୟ ଅଟନ୍ତି । ସେ ଫଳ ଉଦ୍ଦେଶ୍ୟ କାରଣରୁ ବିହିତ କର୍ମର କର୍ତ୍ତା ଅଟନ୍ତି ତଥା ଅଧର୍ମ ଏବଂ ସ୍ୱକୃତ କର୍ମଫଳର ଉପଭୋକ୍ତା ଅଟନ୍ତି । ସେ ହିଁ ସତ୍ତ୍ୱ, ରଜ, ତମଗୁଣସମୂହ ଅନୁସାରେ ଧର୍ମ-ଅଧର୍ମ ଏବଂ ଜ୍ଞାନରୂପୀ ତ୍ରିବିଧ ମାର୍ଗରେ ଗମନ କରିବାପୂର୍ବକ ପ୍ରାଣାଧିରୂପରେ ସଂସାରର ପରିଭ୍ରମଣ କରିଥାନ୍ତି ।
ଅଙ୍ଗୁଷ୍ଠପ୍ରମାଣ ହୃଦୟଗୁହାରେ ରହିଥିବା କାରଣରୁ ଜୀବ ଅଙ୍ଗୁଷ୍ଠମାତ୍ର ଅଟେ, ତାହାର ରବିତୁଲ୍ୟରୂପ ରହିଛି ଅର୍ଥାତ୍ ସୂର୍ଯ୍ୟ ସମ ସେ ଜ୍ୟୋତିର୍ମୟ ଅଟନ୍ତି ଏବଂ ସେ ସଂକଳ୍ପ ଏବଂ ଅହଂକାରାଦି ଧର୍ମସମୂହରେ ଯୁକ୍ତ ଅଟନ୍ତି ତଥା ବୁଦ୍ଧି ଏବଂ ଦେହ ଧର୍ମରେ ଯୁକ୍ତ ହୋଇ ଅନ୍ୟ କୌଣସି ବସ୍ତୁ ରୂପରେ ଦୃଷ୍ଟ ହୋଇଥାନ୍ତି ଅର୍ଥାତ୍ ଜୀବ ପରମାତ୍ମାଙ୍କଠାରୁ ପୃଥକ୍ ଜଣାଯାଆନ୍ତି ।।୧୯।।
ଏହି ଓଁକାରସ୍ୱରୂପ ଶରୀର ଭିତରେ—ତିନିଗୋଟି ବିଦ୍ୟାକୁ ଜାଣିବା—ମୋର ସ୍ୱରୂପ ଅଟେ, ଜିହ୍ୱାଗ୍ରନ୍ଥି—ହୃଦୟଗ୍ରନ୍ଥି—ମୂଳାଧାରଗ୍ରନ୍ଥି-ଭେଦ ପୂର୍ଣ୍ଣଚନ୍ଦ୍ରଙ୍କ ଦୃଷ୍ଟି ତାହା ମଧ୍ୟ ମୋର ରୂପ ଅଟେ—ଯେଉଁଠାକୁ ଗଲେ ପବିତ୍ର ହୁଏ, ସେହି ଯଜ୍ଞ ହିଁ ଯଜ୍ଞ ଅଟେ—ଯେଉଁଠାକୁ ଯିବାର ନାମ ସଦ୍ଗତି ଅଟେ—ସେହି ପୁଣ୍ୟ ଦ୍ୱାରା—ନିଜର ଶୁଭ କର୍ମ କରି ଇନ୍ଦ୍ରିୟ ଅର୍ଥାତ୍ ଚକ୍ଷୁ ଯାହା ସମସ୍ତଙ୍କଠାରେ ରହିଛି, ସେହି କୂଟସ୍ଥସ୍ୱରୂପ ସ୍ୱୟଂ ହୋଇ ତନ୍ମଧ୍ୟରେ ନକ୍ଷତ୍ର ଦର୍ଶନ କରିବାପୂର୍ବକ ନାନାପ୍ରକାର ଦିବ୍ୟ ରୂପସମୂହର ଦର୍ଶନ ଏବଂ ଆନନ୍ଦ ଭୋଗ, ଏହି ଦେହରେ ହୁଏ ।
–ଓଁକାରସ୍ୱରୂପ ଏହି ଦେହ ଅଟେ (ଦେଖନ୍ତୁ ପ୍ରଥମ ଖଣ୍ଡ) । ଶରୀର ଭିତରେ କୂଟସ୍ଥ ଏବଂ କୂଟସ୍ଥ ଭିତରେ ଉତ୍ତମ ପୁରୁଷ ଅବସ୍ଥାନ କରନ୍ତି । ତତ୍ପଶ୍ଚାତ୍ ସାଧକ ଶୁଦ୍ଧ ନିର୍ମଳ ରଶ୍ମି, ଯେଉଁଥିରେ କୌଣସି ରଙ୍ଗ ଦେଖିପାରେ ନାହିଁ । ତାହାକୁ ଅବଗତ ହୋଇ ସମସ୍ତ ବିଦ୍ୟାର ତାତ୍ପର୍ଯ୍ୟକୁ ଜାଣିପାରେ । ତତ୍ପଶ୍ଚାତ୍ ଏକ ବିଦ୍ୟୁତ୍ଶକ୍ତି ଏହି ଶରୀରରେ ଉତ୍ପନ୍ନ ହୁଏ, ଯାହା ଅନିର୍ବଚନୀୟ ଶକ୍ତି ଅଟେ । ସେହି ଶକ୍ତିରୂପା ବ୍ରହ୍ମସ୍ୱରୂପିଣୀ ଗାୟତ୍ରୀ ଅଟନ୍ତି । ତାଙ୍କର ଉତ୍ପତ୍ତି ପୂର୍ବରୁ ଓଁକାରଧ୍ୱନି ଏହଂ ଅନାହତ ଶବ୍ଦ ଶୁଣିବାକୁ ମିଳିଥାଏ । ସେତେବେଳେ ଅନ୍ନ (ମନ) ବ୍ରହ୍ମସ୍ୱରୂପ ହୋଇଯାଏ । ପ୍ରାଣ ନରହିଲେ କୌଣସି ଭୂତ ରହିପାରିବେ ନାହିଁ, ପ୍ରାଣ ଅନ୍ନବ୍ରହ୍ମରେ ଏକତ୍ରିତ ହୋଇଗଲେ ସମସ୍ତ ଭୂତ ବ୍ରହ୍ମରେ ଏକତ୍ରିତ ହୋଇଯାନ୍ତି, ଏହି ଜ୍ଞାନର ନାମ ବେଦ ଅଟେ । ବେଦକୁ ତ୍ରୟୀ କହନ୍ତି, ଉକ୍ତ ପ୍ରକାର ଜ୍ଞାନ ହେଲେ ଏହାକୁ ତ୍ରୟୀବିଦ୍ୟା ବୋଲାଯାଏ । ପ୍ରାଣ, ଅପାନ ଏବଂ ବ୍ୟାନର କ୍ରିୟା ତ୍ରୟୀବିଦ୍ୟା ଅଟେ । କ୍ରିୟାର ପରାବସ୍ଥାରେ ଯେଉଁ ସ୍ଥିତି ରହିଛି, ଯାହାକୁ ତୁରୀୟ ଅବସ୍ଥା କହନ୍ତି ଏବଂ ଯାହା ବ୍ୟାନର କ୍ରିୟା ଦ୍ୱାରା ହୁଏ ତାହାକୁ ଅବଗତ ହେବାର ନାମ ବେଦ ଅଟେ । ପ୍ରାଣସ୍ୱରୂପ ଗାୟତ୍ରୀରେ ଅର୍ଥାତ୍ ଓଁକାର-କ୍ରିୟାରେ ତ୍ରାଣ ପାଇଥାଏ, ଏଥିପାଇଁ ଏହି କ୍ରିୟାର ନାମ ଗାୟତ୍ରୀ ଅଟେ । ଯେଉଁ ଅବସ୍ଥାରେ ତିନିଲୋକ ମିଳିତ ହୋଇ ଏକ ହୋଇଯାନ୍ତି, ତାହା ବ୍ରହ୍ମରୂପ ଅଟେ । ‘ଭୂର୍ଭୁବସ୍ୱଃ’ ଏହା ତ୍ରିପଦା ଗାୟତ୍ରୀ ଅଟେ । ଯେତେବେଳେ ମସ୍ତକରେ ବାୟୁ ସ୍ଥିର ହେବ ସେତେବେଳେ ପ୍ରଥମ ପଦ ହେବ । ଯେତେବେଳେ ବାୟୁରେ ବାୟୁ ସ୍ଥିରରୂପରେ ପ୍ରତିଷ୍ଠିତ ହେବ, ସେତେବେଳେ ଗାୟତ୍ରୀର (କ୍ରିୟାର) ଦ୍ୱିତୀୟ ପଦ ହେବ ଏବଂ ସମସ୍ତଙ୍କଠାରେ ବ୍ରହ୍ମ ଦର୍ଶନ କରିବା ତୃତୀୟ ପଦ ହେବ । ମସ୍ତକରେ, ବାହୁରେ ବାୟୁ ସ୍ଥିର ହେଲେ ବ୍ରହ୍ମଦର୍ଶନ ହୁଏ । ଏହା ବାସ୍ତବରେ କରାଙ୍ଗନ୍ୟାସ ଅଟେ । ଆମେ ହାତ ଦ୍ୱାରା ବାହୁ ଚକ୍ଷୁ ଏବଂ ସର୍ବାଙ୍ଗ ସ୍ପର୍ଶମାତ୍ର କରିଥାଉ, ହେଲେ ଏପ୍ରକାର ହାତଦ୍ୱାରା ଶରୀରର ସ୍ଥାନମାନଙ୍କୁ ସ୍ପର୍ଶ କଲେ ଅଙ୍ଗନ୍ନ୍ୟାସ ହୋଇନଥାଏ । କ୍ରିୟା ଦ୍ୱାରା ଯେତେବେଳେ ମସ୍ତକରେ, ବାହୁରେ ବାୟୁ ସ୍ଥିର ହୋଇଯିବ, ସେତେବେଳେ ବ୍ରହ୍ମଦର୍ଶନ ହେବ, ତାହାକୁ ଗାୟତ୍ରୀଙ୍କର ତିନିପଦ କୁହାଯାଏ । ଦୁଃଖର କଥା ହେଉଛି, ବର୍ତ୍ତମାନ ଆମେ ନ୍ୟାସର ବାସ୍ତବିକ ଉଦ୍ଦେଶ୍ୟକୁ ନ ବୁଝି କେବଳ ସ୍ଥାନସମୂହକୁ ହିଁ ସ୍ପର୍ଶ କରିଥାଉ । ଯେଉଁ ପ୍ରାଣାୟାମ ଦ୍ୱାରା ଅନିଳ ସ୍ଥିର ହେଲେ ପରମା ସ୍ଥିତି ପ୍ରକାଶିତ ହୁଏ, ତାହା ଅମୃତ ଅଟେ । ସେହି ଅମୃତ ପାନ ଦ୍ୱାରା କୃତାର୍ଥ ହୋଇ ସାଧକ ପରମାନନ୍ଦରୂପ ବ୍ରହ୍ମଙ୍କଠାରେ ଲୀନ ହୋଇଯାନ୍ତି । କ୍ରିୟାର ପରାବସ୍ଥାର ପରାବସ୍ଥାରେ ଏହା ଅନୁଭବ ହୁଏ ।
ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟାପିହିତଂ ମୁଖମ୍ ।
ତତ୍ତ୍ୱଂ ପୂଷନ୍ନପାବୃଣୁ ସତ୍ୟଧର୍ମାୟ ଦୃଷ୍ଟୟେ ।।
ପୂଷନ୍ନେକର୍ଷେ ଯମସୂର୍ଯ୍ୟପ୍ରାଜାପତ୍ୟ ବ୍ୟୂହ
ରଶ୍ମୀନ୍ ସମୂହ, ତେଜୋ ଯତ୍ତେ ରୂପଂ
କଲ୍ୟାଣତମଂ ତତ୍ତେ ପଶ୍ୟାମି,
ଯୋଽସାବସୌ ପୁରୁଷଃ ସୋଽହମସ୍ମି ।।ଇଶୋପନି.।।
ଦୁଗ୍ଧ ମଧ୍ୟରେ ଘୃତ ଦୃଶ୍ୟ ହୁଏନାହିଁ, ହେଲେ ଦୁଗ୍ଧକୁ ମନ୍ଥନ କରିବାଦ୍ୱାରା ଯେଉଁଭଳି ଘୃତ ଉତ୍ପନ୍ନ ହୁଏ, ସେହିଭଳି ଦେହର ପ୍ରତ୍ୟେକ ଅଣୁ ମଧ୍ୟରେ ବ୍ରହ୍ମ ବିରାଜମାନ କରନ୍ତି, ପ୍ରାଣାୟାମରୂପୀ ମନ୍ଥନ ଦ୍ୱାରା ସେହି ବ୍ରହ୍ମଙ୍କର ଅନୁଭବ ହୁଏ । ଯେଉଁଭଳି ପାଷାଣରେ କାଞ୍ଚନ ଲିପ୍ତ ରହିଥାଏ, ଅଗ୍ନି ଦ୍ୱାରା ସେହି ମିଶ୍ରଣକୁ ନ ତରଳାଇଲେ ଅର୍ଥାତ୍ ଗ୍ରନ୍ଥିଭେଦ ନ କଲେ ଯେଉଁଭଳି ପାଷାଣରୁ ସୁବର୍ଣ୍ଣ ବାହାରି ନଥାଏ, ସେହିଭଳି ମୃତ୍ତିକା-ସ୍ୱରୂପ ଏହି ଦେହ ଅଟେ, ଏହାର ତିନିଗୋଟି ଗ୍ରନ୍ଥି ରହିଛି—ଜିହ୍ୱା, ହୃଦୟ, ନାଭି ଅବା ମୂଳାଧାର—ପ୍ରାଣାୟାମ ଦ୍ୱାରା ଏସମସ୍ତ ଗ୍ରନ୍ଥିର ଭେଦ ନକଲେ ସର୍ବ ଜ୍ୟୋତିର ଜ୍ୟୋତି ସେହି ବ୍ରହ୍ମସ୍ୱରୂପ ଅଗ୍ନି ପ୍ରକାଶିତ ହୋଇନଥାନ୍ତି । କୂଟସ୍ଥ ଭିତରେ ସୁନ୍ଦର ଜ୍ୟୋତିବିଶିଷ୍ଟ ଆକାଶମଣ୍ଡଳ ରହିଛନ୍ତି, ସେହି ଆକାଶମଣ୍ଡଳ ଭିତରେ ପ୍ରଦୀପ ବର୍ତ୍ତିକା ସମ ଆଲୋକ ପ୍ରଜ୍ଜ୍ୱଳିତ ହୁଏ, ତନ୍ମଧ୍ୟରେ ତ୍ରିଲୋକ ଅବସ୍ଥିତ । ଏହିଭଳି ଦର୍ଶନ କରିକରି ସମଗ୍ର ଚରାଚର ବ୍ରହ୍ମରୂପ ବୋଧ ହୁଏ । ସମସ୍ତ ବ୍ରହ୍ମ ହୋଇଯିବାପରେ ଆଉ କିଛି ଅପବିତ୍ର ରହେନାହିଁ । ଯେଉଁ କ୍ରିୟା ଦ୍ୱାରା ଏହି ପବିତ୍ର ଭାବର ଉଦୟ ହୁଏ, ତାହା ପ୍ରକୃତ ଯଜ୍ଞ ଅଟେ । ସେହି ଯଜ୍ଞର ଉଦ୍ଦେଶ୍ୟ ସଦ୍ଗତି ଅର୍ଥାତ୍ ବ୍ରହ୍ମଗତି ଅବା କ୍ରିୟାର ପରାବସ୍ଥାର ପ୍ରାପ୍ତି ଅଟେ । ଯିଏ ଆଠପ୍ରହର କ୍ରିୟାରେ ଲାଗିରହିଥାନ୍ତି ସେ ‘ସୁର’ ଅଟନ୍ତି । ଏହି ଦେବତ୍ୱ ଅବା ସୁରତ୍ୱ କାହା ଶକ୍ତି ଯୋଗୁଁ ହୁଏ ? ଆମ ଭିତରେ ଯେଉଁ କୂଟସ୍ଥ ଅବସ୍ଥାନ କରିଥାଏ, ତାହାର ଶକ୍ତି ଅଟେ, ସେହି କୂଟସ୍ଥ ମୁଁ ଅଟେ । ସେ ସବୁଠାରୁ ଶ୍ରେଷ୍ଠ ଅଟନ୍ତି, ଏହି କାରଣରୁ ସୁରେନ୍ଦ୍ର ଅଟନ୍ତି । ସେହି ସୁରେନ୍ଦ୍ରଲୋକରେ ଅର୍ଥାତ୍ ଜ୍ୟୋତିର୍ମୟ କୂଟସ୍ଥମଣ୍ଡଳରେ ନାନାପ୍ରକାର ଦିବ୍ୟ ଦର୍ଶନ ଏବଂ ଦିବ୍ୟ ଶ୍ରବଣ ପ୍ରାପ୍ତ ହୁଏ ତଥା ପରମାନନ୍ଦ ଭୋଗ ହୁଏ ।
ଅନାହତଂ ଚ ଯତ୍ ଶବ୍ଦଂ ତସ୍ୟ ଶବ୍ଦସ୍ୟ ଯତ୍ପରମ୍ ।
ତତ୍ପରଂ ବିନ୍ଦତେ ଯସ୍ତୁ ସ ଯୋଗୀ ଛିନ୍ନସଂଶୟଃ ।।–ଧ୍ୟାନବିନ୍ଦୁ ।
ଅନାହତରେ ଏପ୍ରକାର ଶବ୍ଦ ହୁଏ । ସେହି ଶବ୍ଦ ହୃଦୟସ୍ଥ ଦ୍ୱାଦଶ ପଦ୍ମ-ମଧ୍ୟସ୍ଥିତି ଅଟେ । ଏଠାରେ ଜୀବାତ୍ମା ନିବାସ କରିଥାଏ । ଏହି ଶବ୍ଦକୁ ଶୁଣିବାପରେ ଯେଉଁ ସ୍ଥିରତ୍ୱ ବୋଧ ହୁଏ, ସେହି ସ୍ଥିରତ୍ୱର ଊର୍ଦ୍ଧ୍ୱରେ ଯେଉଁ ଧାମ ପ୍ରକାଶିତ ହୁଏ, ଯେଉଁଠାରେ ଚନ୍ଦ୍ର-ସୂର୍ଯ୍ୟ ନଥାନ୍ତି ତଥାପି ସବୁକିଛି ଦେଖାଯାଏ—ସେହି ପରମ ଧାମ ଯାହା ସମ୍ମୁଖରେ ପ୍ରକାଶିତ ହୁଏ, ସେହି ଯୋଗୀଙ୍କର ସମସ୍ତ ସଂଶୟ ଛିନ୍ନ ହୋଇଯାଏ ଅର୍ଥାତ୍ ପ୍ରକୃତ ଜ୍ଞାନର ଉଦୟ ହୁଏ ।।୨୦।।
ପୁଣ୍ୟକ୍ଷୟ ହେଲେ ସେମାନେ ସ୍ୱର୍ଗଲୋକରୁ ମର୍ତ୍ତ୍ୟଲୋକକୁ ପୁନଃ ଆସିଥାନ୍ତି,—ଏପ୍ରକାର ଧର୍ମ ଅର୍ଥ କାମ ତ୍ରୟର ଧର୍ମ କରି ଯେଉଁ ଯେଉଁ କାମନା କରନ୍ତି, ତାହାକୁ ପ୍ରାପ୍ତ କରନ୍ତି ।
–ବିକ୍ଷେପଶୂନ୍ୟ ଅବସ୍ଥା ହିଁ ପୁଣ୍ୟ ଅଟେ, ତଦ୍ବିପରୀତ ଅବସ୍ଥା ପାପ ଅଟେ । କ୍ରିୟାର ପରାବସ୍ଥା ନିସ୍ତରଙ୍ଗ ଭାବ ଅଟେ, ସେଠାରେ ବିକ୍ଷେପ ଅବା ଚାଞ୍ଚଲ୍ୟ ନାହିଁ । ତାହା ଦ୍ରଷ୍ଟାଙ୍କ ସ୍ୱରୂପ ଅବସ୍ଥାନ ଅଟେ । ହେଲେ ଏହି ପୁଣ୍ୟମୟ ଅବସ୍ଥା ସମସ୍ତ ସାଧକଙ୍କ ଭାଗ୍ୟରେ ଚିରସ୍ଥାୟୀ ହୋଇନଥାଏ । ଯାହାଙ୍କ ଚିତ୍ତ ଗମ୍ଭୀର ଧ୍ୟାନ-ଯୁକ୍ତ ହୋଇ ସମାଧିସ୍ତରରେ ଯାଇ ଉପନୀତ ହୁଏ, ଯାହାଙ୍କର ଚିତ୍ତ ଚାଞ୍ଚଲ୍ୟଶୂନ୍ୟ ହୋଇଯାଇଛି, ସେମାନଙ୍କୁ ଆଉ ଦେହାଭିମାନ ଆସେ ନାହିଁ, ସେମାନେ ତ୍ରିଗୁଣମୟୀ ମାୟାର ଅଧିକାର-ସୀମାକୁ ପାର କରି ବହୁତ ଉଚ୍ଚକୁ ପହଞ୍ଚିଯାନ୍ତି । ସେମାନଙ୍କ କଥା ଏଠାରେ କୁହାଯାଉନାହିଁ, ହେଲେ ଯେଉଁ ଲୋକମାନେ ସାଧନାଭ୍ୟାସରେ ପାରଦର୍ଶୀ ଏବଂ ଇଚ୍ଛୁକ ଅଟନ୍ତି ତଥାପି ପୁରାକୃତ ପାପସମୂହ ଅଧୀନରେ କିଛି ଅନ୍ତରାୟ ସେମାନଙ୍କ ଗନ୍ତବ୍ୟପଥରେ ବିଘ୍ନ ଉପସ୍ଥିତ କରିଥାଏ, ସେମାନେ ଯୋଗଫଳର ପ୍ରାପ୍ତିରୁ ବଞ୍ଚିତ ହୋଇଯାନ୍ତି । ଧ୍ୟାନଭଗ୍ନ ହେବାପରେ ସାଂସାରିକ ପ୍ରବୃତ୍ତି ବୃଦ୍ଧିପାଇ ପୁଣି ତାଙ୍କୁ ଅବିଦ୍ୟା ମୁଖରେ ପକାଇଦିଏ, ସେତେବେଳେ ପୁଣିଥରେ ଦେହାଭିମାନ ଫେରିଆସେ ଏବଂ ଗୋଟିଏ ଦୁଇଟି ନିମ୍ନସ୍ତରର ସିଦ୍ଧି ଆସି ସେମାନଙ୍କୁ ବଞ୍ଚିତ କରିପକାଏ । ଯେଉଁମାନେ ଉଚ୍ଚକୋଟୀର ଯୋଗୀ ଅଟନ୍ତି ଅର୍ଥାତ୍ ଯେଉଁମାନେ ଯୋଗାରୂଢ଼ ଅଟନ୍ତି, ସେମାନଙ୍କର ଜିହ୍ୱାଗ୍ରନ୍ଥି, ହୃଦୟଗ୍ରନ୍ଥି ଏବଂ ମୂଳାଧାରଗ୍ରନ୍ଥି ଭେଦ ହୋଇଯାଏ । ଗ୍ରନ୍ଥିଭେଦ ହେବାରୁ ସାଧକଙ୍କର ଆଜ୍ଞାଚକ୍ରର ଉପରେ ସହସ୍ରାରରେ ସ୍ଥିତି ହୁଏ । ଏହାପରେ ତାଙ୍କର ଆଉ ପତ୍ତନ ହେବାର ଆଶଙ୍କା ରହେନାହିଁ । ହେଲେ ଯିଏ ଏତେ ଉଚ୍ଚ ଅଧିକାର ପ୍ରାପ୍ତ କରିପାରନ୍ତି ନାହିଁ, ସେ ଆଜ୍ଞାଚକ୍ର (ସ୍ୱର୍ଗ) ପର୍ଯ୍ୟନ୍ତ ଉଠି ପୁଣି ନିମ୍ନକୁ ଓହ୍ଲାଇ ଆସନ୍ତି । ସ୍ୱର୍ଗ ପର୍ଯ୍ୟନ୍ତ ଯାଇ ସେଠାରେ ବହୁତ ସମୟ ପର୍ଯ୍ୟନ୍ତ ରହି ଯୋଗୈଶ୍ୱର୍ଯ୍ୟଜନିତ ଆନନ୍ଦଲାଭ ତ କରିଥାନ୍ତି, ହେଲେ ତାହା ଗୁଣାତୀତ ଅବସ୍ଥାର ଆନନ୍ଦ ହୋଇନଥାଏ କି ତାହା ଚିରସ୍ଥାୟୀ ହୋଇନଥାଏ । ଯୋଗୈଶ୍ୱର୍ଯ୍ୟରେ ଆସକ୍ତି କାରଣରୁ ପୁନଃ ତାଙ୍କର ଅଧୋଗତି ହୁଏ, ନାଭିର ନିମ୍ନଭାଗରେ ତାଙ୍କର ମନ ବିଚରଣ କରିଥାଏ । ଏହି ଅବସ୍ଥାରେ ମୃତ୍ୟୁ ହେଲେ କାମନାଶୂନ୍ୟ ନ ହୋଇଥିବା କାରଣରୁ ସାଧକଙ୍କୁ ଆଉଥରେ ଜନ୍ମଗ୍ରହଣ କରିବାପାଇଁ ପଡ଼ିଥାଏ । ଯୋଗଦର୍ଶନରେ ଋଷି ଯୋଗର ନୂତନ ଅନ୍ତରାୟର ବର୍ଣ୍ଣନା କରିଛନ୍ତି—“ବ୍ୟାଧିସ୍ତ୍ୟାନସଂଶୟପ୍ରମାଦାଳସ୍ୟା ବିରତି-ଭ୍ରାନ୍ତିଦର୍ଶନାଲବ୍ଧଭୂମିକତ୍ୱାନବସ୍ଥିତତ୍ୱାନି ବିକ୍ଷେପାସ୍ତେଽନ୍ତରାୟାଃ”—(ସମାଧିପାଦ, ଯୋଗଦର୍ଶନ) । (୧) ବ୍ୟାଧିଶରୀରଗତ ଧାତୁସମୂହର ବୈଷମ୍ୟ କାରଣରୁ ଇନ୍ଦ୍ରିୟାଦିର ବିକଳତା ତଥା ତା ସହିତ ଶାରୀରିକ ଅସୁସ୍ଥତା । ଶରୀରରେ ପୀଡ଼ା ହେଲେ ଯୋଗର ପ୍ରାପ୍ତି ନିମିତ୍ତ ସମ୍ୟକ୍ ପ୍ରଯତ୍ନ ହୋଇପାରେ ନାହିଁ, ଆହାର ସଂଯମ ଏବଂ ଇନ୍ଦ୍ରିୟସମୂହର ଅସଂଯମ ଦ୍ୱାରା ସମସ୍ତ ପୀଡ଼ା ଉତ୍ପନ୍ନ ହୁଏ, ଯିଏ ଏ ବିଷୟରେ ଯେତେ ଅଧିକ ସାବଧାନ ହୋଇଥାନ୍ତି, ତାଙ୍କୁ ଅସ୍ୱାସ୍ଥ୍ୟର କଷ୍ଟ ସେତେ କମ୍ ଭୋଗ କରିବାପାଇଁ ପଡ଼ିଥାଏ । (୨) ସ୍ତ୍ୟାନ—ଚିତ୍ତର ଅବସାଦ । ମନରେ ପର୍ଯ୍ୟାପ୍ତ ଶ୍ରଦ୍ଧା-ଭକ୍ତି ରହିବାପରେ ମଧ୍ୟ ସାଧନରେ ଚିତ୍ତ ଏକାଗ୍ର ହେବାପାଇଁ ଚାହିଁ ନଥାଏ । ଏହି ରାକ୍ଷସୀ ଅନେକ ସାଧକଙ୍କୁ ଖାଇଯାଏ । ସାଧନ ଅପ୍ରୀତିକର ଜାଣିବାପରେ ଚେଷ୍ଟା କରୁଥିବା ସାଧକ ଦିନେ ନାଁ ଦିନେ ତା କବଳରୁ ରକ୍ଷା ପାଇଯାଏ । (୩) ସଂଶୟ– ସାଧନାରେ ସିଦ୍ଧି ମିଳିବ ନାଁ ନାହିଁ ଏହି ସନ୍ଦେହ, ନିଜ ସାମର୍ଥ୍ୟ ପ୍ରତି ସନ୍ଦେହ, ମୋ ଦ୍ୱାରା ଏହି କାମ ଶେଷ ପର୍ଯ୍ୟନ୍ତ ହୋଇପାରିବ କି ନାଁ ଏହି ସନ୍ଦେହ ତଥା ଭଗବାନଙ୍କ କରୁଣା ପ୍ରତି ସନ୍ଦେହର ସେହି ଚେଷ୍ଟାଶୀଳତା ଉପରେ ଦୟା କରନ୍ତି ଅଥବା କରନ୍ତି ନାହିଁ । ଗୁରୁ ଏବଂ ଶାସ୍ତ୍ର ପ୍ରତି ଯାହାଙ୍କର ଶ୍ରଦ୍ଧା ରହିଥାଏ, ତାଙ୍କ ମନରେ ଏପ୍ରକାର ସଂଶୟ ପ୍ରାୟତଃ ଉପସ୍ଥିତ ହୁଏନାହିଁ । (୪) ପ୍ରମାଦ—ଯିଏ ଆତ୍ମବିସ୍ମୃତ ଅଟେ ଏବଂ ସାଧନ କରିବା ସମୟରେ କୌଣସି ଏକ ବିଷୟରେ ଆସକ୍ତି କାରଣରୁ ସାଧନାର ଚେଷ୍ଟାରେ ଶିଥିଳତା କରିଥାନ୍ତି, ସାଧନାରେ ତାଙ୍କର ସେହିଭଳି ଉଦ୍ୟମ ରହେନାହିଁ ବରଂ ବାହ୍ୟ ବିଷୟସମୂହରେ ମଗ୍ନ ରହିଥାନ୍ତି—ଏହାକୁ ପ୍ରମାଦ କହନ୍ତି । ଏହିଭଳି ରାଜା ଭରତ ହରିଣ ପ୍ରତି ଆସକ୍ତ ହୋଇ ତପସ୍ୟାରେ ଶିଥିଳତା ପ୍ରଦର୍ଶିତ କରିଥିଲେ । ଏହି କାରଣରୁ ଆତ୍ମସ୍ମୃତିକୁ ଜାଗ୍ରତ କରିବାପାଇଁ ମନୋଯୋଗ ଦେବାର ବିଶେଷ ଆବଶ୍ୟକତା ରହିଛି । (୫) ଆଳସ୍ୟ—ଆହାର ଆଦିରେ ଅନିୟମିତତା କାରଣରୁ ଶରୀର ଏବଂ ମନର ଜଡ଼ତା । ଏହାଦ୍ୱାରା ଶରୀର ଏବଂ ମନ ପରିଶ୍ରମ କରିବାକୁ ଚାହେଁନାହିଁ । ଗରିଷ୍ଠ ଭୋଜନ ଏବଂ ଅଧିକ ଶୋଇବା ଦ୍ୱାରା ଆଳସ୍ୟ ଉତ୍ପନ୍ନ ହୁଏ । ଅନେକ ବୁଦ୍ଧିମାନ୍ ଏବଂ ଶ୍ରେଷ୍ଠ ବ୍ୟକ୍ତି ଏହି ଆଳସ୍ୟରେ ବଶୀଭୂତ ହୋଇ ନିଜ ଜୀବନରେ ଉନ୍ନତି କରିବାରୁ ବଞ୍ଚିତ ହୋଇଯାଇଛନ୍ତି । (୬) ଅବିରତି—ବିଷୟ-ଭୋଗରୁ ଆସକ୍ତି ଦୂର ନହେବା । ମନକୁ ସର୍ବଦା ଅନାବଶ୍ୟକ ଚିନ୍ତାରୁ ଦୂର ରଖିବା, ବିଷୟସମୂହର ହେୟତ୍ୱକୁ ବିଚାର କରିବା ତଥା ମନକୁ ଅନ୍ତତଃ ପ୍ରତିଟି ଶ୍ୱାସର ଜପରେ ଅଭ୍ୟସ୍ତ କରାଇବାଦ୍ୱାରା ଅବିରତି କମ୍ କରାଯାଇପାରିବ । (୭) ଭ୍ରାନ୍ତିଦର୍ଶନ—ଯାହା ସତ୍ୟ ନୁହେଁ ତାହାକୁ ସତ୍ୟ ମନେକରିବା, ସାମାନ୍ୟକୁ ଅସାମାନ୍ୟ ବୁଝିବା ତଥା ଅବିବେକବଶ ସାମ୍ପ୍ରଦାୟିକ ସଂସ୍କାର ଦ୍ୱାରା ବୁଦ୍ଧିକୁ ସଂସ୍କାରବଦ୍ଧ କରି ଆତ୍ମ ପ୍ରସାଦ ପ୍ରାପ୍ତ କରିବା । ଚିତ୍ତକୁ ଉଦାର କରାଇବା ତଥା ଶାସ୍ତ୍ରୋଜ୍ଜ୍ୱଳା ବୁଦ୍ଧି ଦ୍ୱାରା ବିଚାର କରି ସମସ୍ତ ବିଷୟ ବୁଝିବାପାଇଁ ଚେଷ୍ଟା କଲେ ଭ୍ରାନ୍ତିଦର୍ଶନ ଦୂର ହୋଇଯାଏ । (୮) ଅଲବ୍ଧଭୂମିକତ୍ୱ–ଠିକ୍ ସ୍ଥାନରେ ନ ପହଞ୍ଚିପାରିବା । ଯଥେଷ୍ଟ ସାଧନ କରିବାପରେ ମଧ୍ୟ କିଛି ପ୍ରତ୍ୟକ୍ଷ ଲାଭ ନକରିପାରିବା । ଏହା ପୂର୍ବକର୍ମ-ଜନିତ ଅନ୍ତରାୟ ଅଟେ । ଏଥିପାଇଁ ଧୈର୍ଯ୍ୟପୂର୍ବକ ସାଧନାରେ ସ୍ଥିର ହୋଇ ଚାଲିବାକୁ ହେବ । (୯) ଅନବସ୍ଥିତତ୍ୱ–ସାଧନା ଦ୍ୱାରା କୌଣସି ଭୂମିକାକୁ ପ୍ରାପ୍ତ କରି ମଧ୍ୟ ସେଥିରେ ସ୍ଥିତିଲାଭ ନ କରିପାରିବା ।
ଉପରୋକ୍ତ ବିଷୟ ଯୋଗରେ ବିଘ୍ନ ଅଟେ । ଏ ସମସ୍ତ ଅନ୍ତରାୟକୁ ଦୂର କରିବାପାଇଁ ଯେଉଁ ଉପାୟ କୁହାଯାଇଛି, ତାହାର ସମ୍ୟକ୍ ପାଳନ କଲେ ବିଘ୍ନ ଦୂର ହୋଇଯାଇପାରେ । ଯିଏ ସମ୍ୟକ୍ ଚେଷ୍ଟା କରୁଥିବା ଉଦ୍ୟମୀ ପୁରୁଷ ଅଟନ୍ତି, ସେ ଦିନେ ନାଁ ଦିନେ ନିଶ୍ଚିତରୂପେ ସଫଳତା ପ୍ରାପ୍ତ କରିବେ ଆଉ ଯିଏ ଚେଷ୍ଟା କରନ୍ତି ନାହିଁ, ସେମାନଙ୍କ ପାଇଁ ଏହି ମାର୍ଗରେ ପାଦ ରଖିବା ବିଡ଼ମ୍ବନା ମାତ୍ର ହେବ ।।୨୧।।
ଯିଏ ସର୍ବଦା ଆତ୍ମାରେ ଅବସ୍ଥାନ କରନ୍ତି, ଅନ୍ୟ ଦିଗକୁ ଦୃଷ୍ଟି ନଦେଇ—ପ୍ରତ୍ୟହ ସ୍ଥିର ରହନ୍ତି—ତାଙ୍କର ସମାଧିର କଲ୍ୟାଣ ଯେଉଁଭଳି ହୁଏ ତାହାକୁ ମୁଁ ସ୍ୱତଃ ମନେମନେ ଉଦୟ କରାଇଦେଇଥାଏ ।
–ଯିଏ ସମସ୍ତ ଚିନ୍ତା ଛାଡ଼ି କେବଳମାତ୍ର ଆତ୍ମାରେ ସଦା ଅଭିନିବିଷ୍ଟ ଚିତ୍ତ ହେବା ନିମନ୍ତେ ସମସ୍ତ ପୁରୁଷାର୍ଥକୁ ବିନିଯୋଗ କରିଦିଅନ୍ତି, ସେମାନଙ୍କର ଦେହାଦିର ରକ୍ଷା ତଥା ସଂସାରର ପ୍ରତିପାଳନ କେଉଁଭଳି ହେବ, ଜୀବର ମନରେ ଏଭଳି ଆଶଙ୍କା ଉଠିବା ସ୍ୱାଭାବିକ ଅଟେ । ହେଲେ ଭଗବାନ୍ କହୁଛନ୍ତି, ଏଥିପାଇଁ କୌଣସି ଚିନ୍ତା ନାହିଁ । ଯିଏ ଦେହର ଚିନ୍ତା ନକରି, ପରିବାରର ଚିନ୍ତା ନକରି କେବଳ ଆତ୍ମକର୍ମରେ ମଗ୍ନ ରହନ୍ତି, ଅନ୍ୟ କୌଣସି ଚିନ୍ତା ଦିଗକୁ ଯାହାଙ୍କ ମନ ଯାଏନାହିଁ, ତାଙ୍କୁ ପୁଣି ନିଜ ସଂସାରର ଚିନ୍ତା କିପରି ହୋଇପାରିବ, ଏଥିପାଇଁ ସେମାନଙ୍କୁ ବିଶେଷ କ୍ଲେଶ ଅବା ଅଭାବ ହୋଇନଥାଏ । ଭଗବାନ୍ ହିଁ ସେମାନଙ୍କର ବ୍ୟବସ୍ଥା କରିଦିଅନ୍ତି । ଭଗବାନ୍ ଏହିଭଳି ଭକ୍ତବତ୍ସଳ ଅଟନ୍ତି !! ଏଠାରେ ଯୋଗକ୍ଷେମ ବିଷୟରେ ଆହୁରି କିଛି ବିଚାର କରିବାର ଅଛି । ଧରିନିଅନ୍ତୁ କେହି ଜଣେ ଆତ୍ମନିଷ୍ଠ ପୁରୁଷ ଅଟନ୍ତି, ପ୍ରତିଦିନ ନିୟମିତ ଭାବରେ ଅନେକ ସମୟ ପର୍ଯ୍ୟନ୍ତ ଉତ୍ସାହପୂର୍ବକ ସାଧନା କରନ୍ତି, ଏଭଳି ସାଧକ ମଧ୍ୟ ବେଳେବେଳେ ନାନାପ୍ରକାରର ବାଧାବିଘ୍ନାଦିର ସମ୍ମୁଖୀନ ହୋଇ ବ୍ୟାକୁଳ ହୋଇଉଠନ୍ତି, ସେମାନଙ୍କର ଯୋଗାଭ୍ୟାସରେ ମଧ୍ୟ ଶିଥିଳତା ଆସି ଉପସ୍ଥିତ ହୋଇପାରେ, ସେମାନଙ୍କ ପାଇଁ ଭଗବାନ୍ ଯେଉଁପ୍ରକାରର ଯୋଗକ୍ଷେମ ବହନ କରନ୍ତି, ସେ ବିଷୟରେ କୁହାଯାଇଛି । ଯୋଗ ଅର୍ଥାତ୍ ଐକାନ୍ତିକା ଏବଂ କ୍ଷେମ ଅର୍ଥାତ୍ ବିଘ୍ନନିବାରଣ ଶକ୍ତି ଭଗବତ୍ କୃପା ଦ୍ୱାରା ଯତ୍ନଶୀଳ ସାଧକଙ୍କୁ ପ୍ରାପ୍ତହୁଏ । ହେଲେ ସେମାନଙ୍କର ସ୍ମରଣ ରହିବା ଦରକାର କି, ଅନନ୍ୟ ଚିତ୍ତରେ, ସେତେବେଳେ ଯୋଗ-ଧାରଣ ପ୍ରାପ୍ତ ହେବ ତଥା ସେମାନଙ୍କର ବିଭିନ୍ନପ୍ରକାର ବାଧାବିଘ୍ନ ଦୂରହେବ, ଯେତେବେଳେ ଯୋଗଧାରଣ ଦ୍ୱାରା ପ୍ରାଣ, ମନ ଏବଂ ବୁଦ୍ଧି ସମସ୍ତେ ନିଜର କାର୍ଯ୍ୟ ତ୍ୟାଗକରି ଆତ୍ମସ୍ଥ ହୋଇଯିବେ, ଏହା ଅଟକି ଯିବା ବା ଅବରୋଧ ଭାବ ବୋଲାଏ । ଆମର ମନପ୍ରାଣ ସାଧାରଣତଃ ବିଷୟସମୂହରେ ଆବଦ୍ଧ ରହିଥାନ୍ତି, ପ୍ରକୃତ ସାଧକଙ୍କର ମନପ୍ରାଣ ଭଗବାନଙ୍କଠାରେ ସନ୍ନିରୁଦ୍ଧ ହୋଇଥାନ୍ତି । ଏହି ନିରୋଧ ହିଁ ଯୋଗ ଅଟେ । ଏହା ଅପ୍ରାପ୍ତ ବସ୍ତୁ ଅଟେ, ଭଗବତ୍ କୃପାରୁ ସାଧକ ଏହାକୁ ପ୍ରାପ୍ତ ହୋଇପାରନ୍ତି । ସେ ଆତ୍ମସଂସ୍ଥ ହୋଇ ଅବିଚ୍ଛେଦରୂପରେ ବ୍ରହ୍ମାନନ୍ଦଙ୍କର ଭୋଗକରି କୃତକୃତ୍ୟ ହୋଇଯାନ୍ତି । ହେଲେ ଅବିଚ୍ଛେଦରୂପେ ଯୋଗଯୁକ୍ତ ହେବା କୌଣସି ସାଧାରଣ କଥା ନୁହେଁ । ଅନେକ ଦିନ ଧରି ଅନେକ ପରିଶ୍ରମ କରି ସାଧକ ଏହାକୁ ପ୍ରାପ୍ତ କରିଥାନ୍ତି । ଏଥିରେ ବିଘ୍ନ ମଧ୍ୟ ହୁଏ । ସେହି ବିଘ୍ନସମୂହ ଦ୍ୱାରା ଚିତ୍ତ ଚଳାୟମାନ ମଧ୍ୟ ହୋଇପାରେ, ଅତଃ ଅନେକ ଚେଷ୍ଟା ଏବଂ ଅନେକ ସାଧନାର ଫଳସ୍ୱରୂପ ଯେଉଁ ସମାଧି ଉତ୍ପନ୍ନ ହୁଏ ଅବା ଆସନ୍ନ ହୁଏ, ତାହାକୁ ଯଦି ବିଘ୍ନରାଶି ଆସି ନଷ୍ଟ କରିଦେଲେ ନିମ୍ନଗାମୀ ହେବାର ସମ୍ଭାବନା ରହେ ତେବେ ଭଗବାନ୍ ସମାଧିରୂପୀ କଲ୍ୟାଣ ପ୍ରାପ୍ତିର ଉପାୟ ସାଧକଙ୍କ ମନରେ ଜାଗ୍ରତ କରିଦିଅନ୍ତି । ଶରଣାଗତ ସାଧକଙ୍କ ପ୍ରତି ଭଗବାନଙ୍କର ଯେଉଁ କରୁଣା ହୁଏ, ତାହାରି ସ୍ମରଣ ଏଠାରେ ଭଗବାନ୍ କରାଉଛନ୍ତି, ଯଦ୍ଦ୍ୱାରା ଆମକୁ ଭଗବାନଙ୍କ ଏ କଥାରେ ଅବିଶ୍ୱାସ ନହେଉ ଆଉ ଆମେ ଭକ୍ତି ବିନମ୍ର ଚିତ୍ତରେ ଏକଥାକୁ ସ୍ମରଣ କରି ଅଭୟ ହୋଇପାରୁ । ପାତଞ୍ଜଳି ଦର୍ଶନର ସମାଧିପଦରେ ଏକ ସୂତ୍ର ରହିଛି—“ଈଶ୍ୱରପ୍ରଣିଧାନଦ୍ୱା” । ପ୍ରଣିଧାନ ଶବ୍ଦର ଅର୍ଥ ହେଉଛି ଭଗବଦ୍ଭକ୍ତି ଅବା ଭଗବଦାଶ୍ରୟ । ଭଗବାନଙ୍କୁ ନିଜର ଆଶ୍ରୟରୂପ ବୋଲି ମନେକରିବାରେ ଜୀବର ସର୍ବୋତ୍ତମ କଲ୍ୟାଣ ନିହିତ । ଭଗବାନଙ୍କ ପ୍ରତି ଏହି ମମତ୍ୱ ନହେଲେ କେହି ତାଙ୍କ ସହିତ ଯୋଗଲାଭ କରିପାରନ୍ତି ନାହିଁ । ଭଗବାନଙ୍କୁ ପାଇବାପାଇଁ ମନର ତୀବ୍ର ସଂବେଗ ଆବଶ୍ୟକ, ସେତେବେଳେଯାଇ ତାଙ୍କ ସହିତ ମିଳନ ଆସନ୍ନ ହେବ । ଏଥିପାଇଁ ଈଶ୍ୱର-ପ୍ରଣିଧାନ ଆବଶ୍ୟକ । ଏହି ସୂତ୍ରର ଭାଷ୍ୟରେ ବ୍ୟାସଦେବ କହିଛନ୍ତି—“ପ୍ରଣିଧାନାଦ୍ ଭକ୍ତିବିଶେଷାତ୍ ଆବର୍ଜିତ ଈଶ୍ୱରସ୍ତମନୁଗ୍ରହ୍ଣାତି ଅଭିଧ୍ୟାନମାତ୍ରେଣ ତଦଭିଧ୍ୟାନାଦପି ଯୋଗିନ ଆସନ୍ନତମଃ ସମାଧିଲାଭଃ ଫଳଂ ଚ ଭବତୀତି ।” ଭକ୍ତିବିଶେଷ କାରଣରୁ ଆବର୍ଜିତ ଅଥବା ଅଭିମୁଖୀକୃତ ହୋଇ ଈଶ୍ୱର ସେହି ଯୋଗୀଙ୍କ ପ୍ରତି ଅଭିଧ୍ୟାନ ଦ୍ୱାରା ଅନୁଗ୍ରହ କରିଥାନ୍ତି । ତାଙ୍କର ଏହି ଅଭିଧ୍ୟାନ ଦ୍ୱାରା ଯୋଗୀଙ୍କୁ ସମାଧିଲାଭ ଏବଂ ତାହାର ଫଳ କୈବଲ୍ୟ ଆସନ୍ନ ହୁଏ । ଭକ୍ତିପୂର୍ବକ ଯିଏ ତାଙ୍କୁ ଚାହାଁନ୍ତି, ସେ ତ ତାଙ୍କର ଭଜନ କରିବେ ନିଶ୍ଚୟ । ଭଜନ ଦ୍ୱାରା ଚିତ୍ତ ଈଶ୍ୱରମୁଖୀ ହୁଏ ଏବଂ ଏହା ବୁଝିହୁଏ କି, ଈଶ୍ୱର ହିଁ ମୋର ପ୍ରଭୁ ଅଟନ୍ତି ତଥା ମୁଁ ଯାହାକିଛି ବି କରୁଛି ସବୁ ତାଙ୍କରି ଶକ୍ତି ଦ୍ୱାରା ହେଉଅଛି, ଏହା ବୁଝିପାରିଲେ କର୍ମ ଈଶ୍ୱରାର୍ପିତ ହୋଇଯାଏ । ହଠପୂର୍ବକ ଶରୀରର ଜୋର୍ ଦ୍ୱାରା ନୁହେଁ ବରଂ ଈଶ୍ୱରାର୍ପିତଚିତ୍ତରେ ଯେଉଁ ଯୋଗୀ ସାଧନ କରନ୍ତି, ସେମାନଙ୍କ ଚିତ୍ତ ଈଶ୍ୱରମୁଖୀ ହୋଇଥିବା କାରଣରୁ ଈଶ୍ୱରଙ୍କ ଚିତ୍ତ ମଧ୍ୟ ତଦଭିମୁଖୀ ହୁଏ । ଭକ୍ତ ଆଡ଼କୁ ଭଗବାନଙ୍କର ଦୃଷ୍ଟି ପଡ଼ିବାମାତ୍ରେ ସାଧକଙ୍କର ସମସ୍ତ ବିଘ୍ନ ବିନଷ୍ଟ ହୋଇଯାଏ, ସାଧନାର ଫଳ ସମାଧି ଅବା ଆତ୍ମା ସହିତ ମିଳନ ମଧ୍ୟ ସେହି ସାଧକଙ୍କୁ ଶୀଘ୍ର ପ୍ରାପ୍ତ ହୋଇଯାଇଥାଏ । ସୂଚାରୁରୂପେ ସାଂସାରିକ କର୍ମ କଲେ ଯେଉଁଭଳି କର୍ମୀକୁ ସାଂସାରିକ ସୁଖ ପ୍ରାପ୍ତ ହୁଏ, ସେହିଭଳି ଈଶ୍ୱର-ପ୍ରଣିଧାନରୂପ କର୍ମଦ୍ୱାରା ସାଧକଙ୍କୁ ପାରମାର୍ଥିକ ସୁଖ ଅବା ଜ୍ଞାନର ପ୍ରାପ୍ତି ହୁଏ । ଏହି ଜ୍ଞାନ ସମାଧିଜନିତ ପ୍ରଜ୍ଞା ଅଟେ, ବୈଷୟିକ ଜ୍ଞାନ ନୁହେଁ । ସମସ୍ତ କର୍ମମଧ୍ୟରେ ପ୍ରାଣକର୍ମ ହିଁ ଶ୍ରେଷ୍ଠ ଅଟେ । ମନଃସଂଯୋଗପୂର୍ବକ ସେ ପ୍ରାଣକର୍ମ କଲେ ସାଧକଙ୍କର ପ୍ରାଣ ନିଜର ପ୍ରାଣର ପ୍ରାଣଙ୍କୁ ଆକର୍ଷିତ କରିଥାଏ । ସେହି ପ୍ରାଣର ପ୍ରାଣ ହିଁ ଆତ୍ମା ଅଟେ, ତାହା ଚିର, ସ୍ଥିର ଚିଦାନନ୍ଦମୟ ଅଟେ । ‘ସ ଉ ପ୍ରାଣସ୍ୟ ପ୍ରାଣଃ’।।୨୨।।
ଯିଏ ଆତ୍ମା ବ୍ୟତିରେକ ଅନ୍ୟ ଦେବତାଙ୍କର ଭଜନ କରନ୍ତି, ଶ୍ରଦ୍ଧାପୂର୍ବକ ଆତ୍ମାକୁ ବିଶେଷରୂପେ ସ୍ଥିର କରି—ସେ ମୋର ହିଁ ଭଜନ କରିଥାନ୍ତି—କାରଣ ତାଙ୍କ ଦୃଷ୍ଟି ମନରେ କିଛି ସମୟ ପର୍ଯ୍ୟନ୍ତ ସେହି ଦେବତାଙ୍କଠାରେ ରହିଥାଏ—ହେଲେ ବିଶେଷରୂପେ ବୁଦ୍ଧି ସ୍ଥିର ରଖିବାପୂର୍ବକ ସର୍ବଦା ରହିପାରେନାହିଁ—ବିଧି ଅର୍ଥାତ୍ ବିଶେଷରୂପେ ବୁଦ୍ଧିରେ ରହିବାର ନାମ ବିଧି ଅଟେ ।
–ଯେତେବେଳେ ଆତ୍ମା ବିନା ଆଉ କିଛି ବି ନାହିଁ, ସେତେବେଳେ ଯାହାର ବି ପୂଜା କରାଯାଉ ତାହା ଆତ୍ମାର ହିଁ ପୂଜା ହେବ । ପୂଜା ତ ଠିକ୍ ହେବ କିନ୍ତୁ ଅବିଧିପୂର୍ବକ ହେବ । ଅବିଧି ହିଁ ଅଜ୍ଞାନ ଅଟେ । ଆତ୍ମା ବ୍ୟତିରେକ ଅନ୍ୟ ଦେବତାଙ୍କର ପୂଜା ଗୌଣ ପୂଜା ଅଟେ । ଅଜ୍ଞାନର ପୂଜା ଅଟେ । ମନ ଭିତରେ ଯେପର୍ଯ୍ୟନ୍ତ ସୁଖ-ଐଶ୍ୱର୍ଯ୍ୟ ଆଦିର କାମନା ରହିଥାଏ, ସେପର୍ଯ୍ୟନ୍ତ ଜୀବ ଗୁଣରେ ପଡ଼ିରହେ, ତ୍ରିଗୁଣାତୀତ ଭାବକୁ ଗ୍ରହଣ କରିପାରେ ନାହିଁ । ମନର ଚାଞ୍ଚଲ୍ୟ-ବିକ୍ଷେପାଦି ଗୁଣର ଖେଳ ଅଟେ, ଏହି ଚଞ୍ଚଳତା (ଅଜ୍ଞାନ)ରେ ବଶୀଭୂତ ହୋଇ ଯିଏ ପାର୍ଥିବ ବସ୍ତୁ ପ୍ରାପ୍ତି ନିମନ୍ତେ ଦେବତାନ୍ତରର ଉପାସନା କରନ୍ତି, ସେମାନଙ୍କର ସେହି ଭଜନର ଅନ୍ତିମ ଫଳ କ୍ରିୟାର ପରାବସ୍ଥା ସମ ଶାନ୍ତିପ୍ରଦ ହୁଏନାହିଁ । କାମନା ରହିଥିଲେ ବୁଦ୍ଧି ସ୍ଥିର ରହେନାହିଁ ଏବଂ ବୁଦ୍ଧି ସ୍ଥିର ନହେଲେ ଆତ୍ମଦର୍ଶନ ହୁଏନାହିଁ । ଯଦି କହିବା କି ଫଳକାମନା କରି ଯେତେବେଳେ ଅନ୍ୟ ଦେବତାଙ୍କର ଉପାସନା କରନ୍ତି ସେତେବେଳେ ମନ ସେହି ଦେବତାଙ୍କଠାରେ ରହିଥାଏ, ଅତଃ ସେହି ଦେବତାଙ୍କଠାରେ କିଛି ସମୟ ପାଇଁ ତ ମନ ନିଶ୍ଚିତ ଭାବରେ ସ୍ଥିର ହୋଇଯାଏ । ଏହା ଠିକ୍ ଅଟେ, କିଛି ସ୍ଥିରତା ତ ନିଶ୍ଚୟ ଆସିଥାଏ, ତା ବିନା କାମ୍ୟ ଫଳର ପ୍ରାପ୍ତି କିପରି ହେବ ? ହେଲେ ତାଙ୍କର ବୁଦ୍ଧି ବିଶେଷରୂପେ ସ୍ଥିର ହୁଏନାହିଁ କାହିଁକି ନାଁ ତାଙ୍କର ମନ ଚଞ୍ଚଳ ହୋଇଥିବା କାରଣରୁ ତାଙ୍କ ବାସନାର ଅନ୍ତ ହୁଏନାହିଁ, ଏହି କାରଣରୁ ମନକୁ ମଧ୍ୟ ସେ ଗୋଟିଏ ସ୍ଥାନରେ ସ୍ଥିର କରି ରଖିପାରନ୍ତି ନାହିଁ । ମନର ଏହି ଚଞ୍ଚଳ ଭାବ ହିଁ ଅଜ୍ଞାନ ଅଟେ । ହେଲେ ଲକ୍ଷ୍ୟ ଯେତେବେଳେ ସ୍ଥିର ହୋଇଯାଏ, ସେତେବେଳେ ବୁଦ୍ଧି ମଧ୍ୟ ସ୍ଥିର ହୋଇଯାଏ । ସ୍ଥିରବୁଦ୍ଧିଯୁକ୍ତ ଅସଂମୂଢ଼ ହୋଇଥାନ୍ତି, ଏଥିପାଇଁ ସେମାନେ ଚିରସ୍ଥିର ସୁନିର୍ମଳ ଆତ୍ମାକୁ ଛାଡ଼ି ଅନ୍ୟ ବିଷୟରେ ମନକୁ ଲଗାନ୍ତି ନାହିଁ । ତାଙ୍କରି ଆରାଧନା ବିଧିପୂର୍ବକ ଆରାଧନା ଅଟେ, ଅନ୍ୟ ଆରାଧନା ଅବିଧିପୂର୍ବକ ଅଟେ ।।୨୩।।
ମୁଁ ସମସ୍ତ ଯଜ୍ଞର ଭୋକ୍ତା ଅଟେ—ଯଜ୍ଞ ଅର୍ଥାତ୍ କର୍ମ, ମୁଁ ହିଁ ପ୍ରକୃଷ୍ଟ ରୂପେ ବିଦ୍ୟମାନ, ଯେଉଁମାନେ କ୍ରିୟା କରନ୍ତି ନାହିଁ—ଅର୍ଥାତ୍ ପଞ୍ଚତତ୍ତ୍ୱରେ ନ ରହି, ଷଷ୍ଠଚକ୍ରରେ ରହନ୍ତି ନାହିଁ—ସେମାନେ ମୋତେ ସର୍ବତୋଭାବେନ ଜାଣିପାରନ୍ତି ନାହିଁ ।
–ମୁଁ ଅର୍ଥାତ୍ ଆତ୍ମା ହିଁ ସମସ୍ତ କର୍ମର କର୍ତ୍ତା ଏବଂ ଫଳଦାତା ଅଟେ । ଯଦିଓ ଇନ୍ଦ୍ରିୟସମୂହ କର୍ମ କରନ୍ତି, କିନ୍ତୁ ଯଦି ଆତ୍ମା ନ ଥାନ୍ତା ତେବେ ସେମାନେ କୌଣସି କର୍ମ କରିପାରନ୍ତେ ନାହିଁ, ଏଥିପାଇଁ ସମସ୍ତ ଯଜ୍ଞର ଅଧିପତି ଆତ୍ମା ଅଟନ୍ତି । ଯାହାକିଛି ହେଉଅଛି, ଯାହାକିଛି ହେବ, ସବୁ ଆତ୍ମାର ଆଶ୍ରୟରେ ରହି ହୁଏ । ଏଥିପାଇଁ ସେ ପ୍ରଭୁ ଅଟନ୍ତି । ଯାହାକିଛି ଜଗତ୍ରେ ଜୀବରୂପରେ ଉତ୍ପନ୍ନ ହୁଏ, ସବୁ ‘ମୁଁ’ର ପ୍ରକାଶ ଅଟେ । ଜୀବ ନିଜ ଭିତରେ ଏହି ‘ଅହଂ’ ତତ୍ତ୍ୱକୁ ନ ଜାଣିବା କାରଣରୁ ଅଜ୍ଞାନାନ୍ଧ ହୋଇ ପରିଭ୍ରମଣ କରିଥାଏ । କୂଟସ୍ଥ ଅକ୍ଷର ଅବ୍ୟକ୍ତ ଅଟେ । ଜ୍ଞାନସଂକଳିନୀ ତନ୍ତ୍ରରେ ଉଲ୍ଲେଖ ଅଛି—‘ଅବ୍ୟାକ୍ତାଜ୍ଜାୟତେ ପ୍ରାଣଃ’ । ଏହି ସ୍ଥିର ପ୍ରାଣ ହିଁ ମହେଶ୍ୱର ଅଟେ । ଏହି ସ୍ଥିର ପ୍ରାଣ ସର୍ବବ୍ୟାପୀ ଅଟେ, ଏହି କାରଣରୁ ସେ ସର୍ବଗତ ଶିବ ଅଟନ୍ତି । ପ୍ରାଣ ଚଞ୍ଚଳ ହେବାରୁ ହିଁ ତାହାର କ୍ରିୟା ହୁଏ, ଏହି କ୍ରିୟା ହିଁ ଶ୍ୱାସ-ପ୍ରଶ୍ୱାସରୂପୀ ପ୍ରାଣଯଜ୍ଞ ଅଟେ । ଏହି ପ୍ରାଣଯଜ୍ଞ ଦ୍ୱାରା ମନ ତଥା ମନର ସଂକଳ୍ପ ଦ୍ୱାରା ଏହି ବିଶ୍ୱର ପ୍ରକାଶ ହୁଏ । ଯେଉଁଭଳି ତିଳ ମଧ୍ୟରେ ତେଲ ରହିଥାଏ, ଦହି ଭିତରେ ଘୃତ ରହିଥାଏ ଏବଂ କାଷ୍ଠ ଭିତରେ ଅଗ୍ନି ରହିଥାଏ, ସେହିଭଳି ଦେହେନ୍ଦ୍ରିୟାଦିର ପ୍ରତ୍ୟେକ ଅଣୁ ଭିତରେ ସେହି ଆତ୍ମା ବ୍ୟାପ୍ତ ହୋଇଛନ୍ତି । କାଷ୍ଠର ପ୍ରତ୍ୟେକ ଅଣୁ ଭିତରେ ଅଗ୍ନି ରହିଥିବାପରେ ମଧ୍ୟ ଯେଉଁଭଳି ବିନା ଘର୍ଷଣରେ ଅଗ୍ନିର ପ୍ରକାଶ ହୋଇନଥାଏ, ସେହିଭଳି ପ୍ରାଣାୟାମ ଅବା ଶ୍ୱାସପ୍ରଶ୍ୱାସର ଘର୍ଷଣ ବିନା ସେହି ଆତ୍ମାଗ୍ନିର ପ୍ରକାଶ ହୋଇନଥାଏ । ଅଗ୍ନିରୁ ଯେଉଁଭଳି ସ୍ଫୁଲିଙ୍ଗ ପ୍ରକଟ ହୁଏ, ସେହିଭଳି ଅଖଣ୍ଡ ଚୈତନ୍ୟରୁ ଦୃଷ୍ଟି-ପ୍ରସବିନୀ ମହାଶକ୍ତିରୂପ ପ୍ରାଣର ଉତ୍ପତ୍ତି ହୁଏ । ଯୋଗବାସିଷ୍ଠରେ ଉଲ୍ଲେଖ ଅଛି—“ଚିତ୍ତକାରଣମର୍ଥାନାଂ ତସ୍ମିନ୍ନସ୍ତି ଜଗତ୍ତ୍ରୟମ୍”—ଚିତ୍ତ ହିଁ ସମସ୍ତ ବିଷୟମାନଙ୍କର ହେତୁ ଅଟେ, ତାଙ୍କଠାରେ ଯେଉଁଭଳି ତିନିଜଗତ ଗୁନ୍ଥି ହୋଇ ରହିଛନ୍ତି । ଅତଃ ଏହି ମନ ଯେପର୍ଯ୍ୟନ୍ତ ରହିବ ସେପର୍ଯ୍ୟନ୍ତ ସଂସାର ରହିବ । ଏହା ମନ ପ୍ରାଣର ଚଞ୍ଚଳତାରୁ ଉତ୍ପନ୍ନ ହୁଏ । ଅତଃ ପ୍ରାଣର ଚଞ୍ଚଳତା ଦୂର ନହେବାଯାଏ ଜଗଦ୍ଦର୍ଶନ ମଧ୍ୟ ଦୂର ହେବନାହିଁ, ଆବାଗମନର ମଧ୍ୟ ଅନ୍ତ ହେବନାହିଁ । ‘ମୁଁ’ ହିଁ ସବୁକିଛି ଅଟେ ଆଉ ସବୁର ମୂଳ ‘ମୁଁ’ ଅଟେ, ଏହି ‘ମୁଁ’ର ସନ୍ଧାନ କରିବାପାଇଁ ପଞ୍ଚତତ୍ତ୍ୱରେ ଅର୍ଥାତ୍ ପ୍ରକୃତିରେ ମନକୁ ପ୍ରବୃତ୍ତ କରି ପଡ଼ିରହିଲେ କାମ ଚଳିବନାହିଁ । ପ୍ରାଣକ୍ରିୟାର ସହାୟତାରେ ମନକୁ ଷଷ୍ଠଚକ୍ରକୁ ଉନ୍ମୁଖ କରିବାପାଇଁ ପଡ଼ିବ । ଷଷ୍ଠଚକ୍ର ଦିଗକୁ ମନ ଗତି କରିବାମାତ୍ରେ ମନକୁ ଅସୀମ ସ୍ଥିରତା ପ୍ରାପ୍ତ ହୁଏ, ସେଠାରେ ପ୍ରାଣର ସେହି ଅସୀମ ସ୍ଥିରତାର ଅନୁଭବ କରିବାରୁ ଆତ୍ମସାକ୍ଷାତ୍କାର ହୁଏ । କୂଟସ୍ଥରେ ଅବସ୍ଥାନ କରିବା ହିଁ ଆତ୍ମାକୁ ଅବଗତ ହେବାର ମୂଳ ଅଟେ । ଯିଏ କ୍ରିୟା କରି ଷଷ୍ଠଚକ୍ରରେ ସ୍ଥିତିପ୍ରାପ୍ତ କରିପାରନ୍ତି ନାହିଁ, ସେମାନେ କେବଳ ପ୍ରକୃତିକୁ ଅର୍ଥାତ୍ ଆତ୍ମାର କାର୍ଯ୍ୟକୁ ହିଁ ଦେଖିପାରନ୍ତି, ହେଲେ ସର୍ବତୋଭାବେନ ଆତ୍ମା କଣ, ଏହା ଜାଣିପାରନ୍ତି ନାହିଁ ।।୨୪।।
ଦେବତାଙ୍କର ଭଜନ କଲେ ଦେବତା ପ୍ରାପ୍ତି ହୁଏ—ପିତୃଲୋକଙ୍କର ଭଜନ କଲେ ପିତୃଲୋକ ପ୍ରାପ୍ତି ହୁଏ—ଭୂତଲୋକର ଭଜନ କଲେ ଭୂତଲୋକ ପ୍ରାପ୍ତି ହୁଏ—ମୋର ଭଜନ କଲେ ମୋତେ ପ୍ରାପ୍ତି ହୁଏ ।
–ଯିଏ ଦେବବ୍ରତ ଅଟନ୍ତି, ସେ ମରିଯିବାପରେ ଦେବଲୋକକୁ ପ୍ରାପ୍ତ ହୋଇଥାନ୍ତି । ଦେବତାମାନେ ଏହି ଲୋକସମୂହର ଅଧିନାୟକ ଅଟନ୍ତି, ଇନ୍ଦ୍ରିୟମାନଙ୍କର ଅଧିଷ୍ଠାତା ଅଟନ୍ତି, ତାଙ୍କର ଉପାସନା କଲେ ମୃତ୍ୟୁ ପରେ ତାଙ୍କର ସାଲୋକ୍ୟ-ପ୍ରାପ୍ତି ତ ହେବ, ତତ୍ସହିତ ଜୀବିତ ଥିବା ଅବସ୍ଥାରେ ମଧ୍ୟ ଉପାସକ ତାଙ୍କ ଦ୍ୱାରା ପ୍ରଦତ୍ତ ଐଶ୍ୱର୍ଯ୍ୟର ଭୋଗ କରିପାରିବେ । ସାଧକଙ୍କୁ ସେହି ଇନ୍ଦ୍ରିୟସମୂହର ବିଶିଷ୍ଟ ଶକ୍ତିସମୂହ ମଧ୍ୟ ପ୍ରାପ୍ତ ହେବ । ସେହି ଦେବୋପାସକମାନେ ସାତ୍ତ୍ୱିକ, ରାଜସିକ ଏବଂ ତାମସିକ ଭେଦରେ ତିନିପ୍ରକାର ହୋଇଥାନ୍ତି । ଯେଉଁ ଉପାସକଙ୍କର ଯେଉଁ ଗୁଣ ପ୍ରବଳ ହୁଏ, ସେ ଦେବଲୋକରେ ନିଜର ସେହି ଗୁଣ ଅନୁସାରେ ବିଶିଷ୍ଟ ସ୍ଥାନ ପ୍ରାପ୍ତ କରିଥାନ୍ତି । ଯିଏ ଶ୍ରଦ୍ଧାପୂର୍ବକ ଶ୍ରାଦ୍ଧତର୍ପଣାଦି ଦ୍ୱାରା ପିତୃଗଣଙ୍କର ଆରାଧନା କରନ୍ତି, ସେ ପିତୃଲୋକକୁ ପ୍ରାପ୍ତ ହୋଇଥାନ୍ତି । ଏ ସମସ୍ତ ପିତୃଗଣ ସ୍ଥୂଳଭୂତାଦିର ପିତୃସ୍ଥାନୀୟ ଅଟନ୍ତି, ଏହି ତନ୍ମାତ୍ରାଗଣ ଅଧିଷ୍ଠାତ୍ରୀ ଦେବତା ଅଟନ୍ତି । ଯିଏ ଏହାଙ୍କର ଉପାସକ ଅଟନ୍ତି, ତାଙ୍କୁ ତନ୍ମାତ୍ରା ଦ୍ୱାରା ସୂକ୍ଷ୍ମଲୋକରେ ଗତି ପ୍ରାପ୍ତ ହୁଏ । ଯେଉଁମାନେ ସ୍ଥୂଳଭୂତର ଉପାସନା କରନ୍ତି, ସେମାନେ ଜରାମରଣସଂକୁଳ ଏହି ସ୍ଥୂଳ ଭୌତିକ ଜଗତକୁ ଭୋଗ ନିମନ୍ତେ ଫେରିଆସନ୍ତି । ସେମାନଙ୍କୁ ଏହି ସ୍ଥୂଳ ଭୋଗାଦି ପ୍ରତି ଏଭଳି ଆସକ୍ତି ହୁଏ କି, ସେମାନେ ମରଣ-ମୂର୍ଚ୍ଛା ଭଙ୍ଗ ହେବାରୁ ଏହି ସ୍ଥୂଳ ବସ୍ତୁସମୂହର ପ୍ରାପ୍ତି ନିମନ୍ତେ ଆକୁଳ ହୋଇଯାନ୍ତି । ସବୁ ଛାଡ଼ିବା ପରେ ଯିଏ ଆତ୍ମଚୈତନ୍ୟର ଉପାସନା କରନ୍ତି, ତାଙ୍କର ମୃତ୍ୟୁ ସମୟରେ ବ୍ରହ୍ମନାଡ଼ୀ ଦୀପ୍ତିମନ୍ତ ହୋଇଉଠେ, ଏମାନେ ସେହି ବ୍ରହ୍ମରାଶିଙ୍କ ଦ୍ୱାରା ଉଦ୍ଭାସିତ ମାର୍ଗରେ ପ୍ରୟାଣ କରି ବ୍ରହ୍ମଲୋକକୁ ଗମନ କରିଥାନ୍ତି ଏବଂ ସେଠାରେ ବ୍ରହ୍ମସାଯୁଜ୍ୟ ଲାଭ କରି ଅନନ୍ତ ବ୍ରହ୍ମ-ଚୈତନ୍ୟ ସହିତ ଏକ ହୋଇଯାନ୍ତି । ମଦ୍ଯାଜୀ ଅର୍ଥାତ୍ ଯିଏ ‘ଅହଂ’ ପଦବାଚ୍ୟ ଆତ୍ମାର ଉପାସନା କରନ୍ତି, ସେ ପରମାନନ୍ଦରୂପ ଆତ୍ମା ହୋଇଯାନ୍ତି । କବୀରଙ୍କ ମତରେ—“ତୁ ତୁ କରତେ ତୁ ଭୟା ମୁଝମେଁ ରହା ସମାୟ”।।୨୫।।
ବେଲପତ୍ର, ଫୁଲ, ଫଳ ଯିଏ ଗୁରୁବାକ୍ୟରେ ବିଶ୍ୱାସ କରି ମୋତେ ଦେଇଥାଏ, ସେ ସବୁକୁ ମୁଁ ଗ୍ରହଣ କରିଥାଏ, ହେଲେ ଉତ୍ତମରୂପେ ସମାଧିସ୍ଥ ହୋଇ ଦେଲେ, ମୁଁ ଗ୍ରହଣ କରେ । ମିଥ୍ୟାକୁ ସତ୍ୟଜ୍ଞାନ ଭଳି ପ୍ଲୀହା ଝାଡ଼ିବା ସମୟରେ କହିଥାଏ—‘କୁହ ନାହିଁ’ ପୁଣି ‘କୁହ ନାହିଁ’ କିନ୍ତୁ ଯାହା କୁହେ, ତାହା ମିଥ୍ୟା ବୋଲି ଜାଣିବାପରେ ବି ସତ୍ୟ ଉଦ୍ଦେଶ୍ୟରେ କହିଥାଏ ସେହିଭଳି ଏ ଜଗତ୍ର ସମସ୍ତ କର୍ମ (ପୂଜା-ଅର୍ଚ୍ଚନା) ମିଥ୍ୟା ଜାଣିବାପରେ ବି ସତ୍ୟ ଉଦ୍ଦେଶ୍ୟରେ କହିଥାଏ ଏବଂ କରିଥାଏ ।
–ଫଳ-ଫୁଲ ଯାହାକିଛି ବି ଦିଅ ସେ ଗ୍ରହଣ କରିବେ, ହେଲେ ଶୁଦ୍ଧ ଚିତ୍ତରେ ଏହା ଦେବା ଦରକାର । ଚିତ୍ତକୁ ଶୁଦ୍ଧ କରିବାପାଇଁ ହେଲେ ଚିତ୍ତର ଅବରୋଧ କରିବାକୁ ପଡ଼ିବ । ମନରେ ଅନେକ କଳ୍ପନା ରହିଲେ ଚିତ୍ତ ଶୁଦ୍ଧ ହୁଏନାହିଁ । କଳ୍ପନାଶୂନ୍ୟ ଚିତ୍ତ ଯେତେବେଳେ ଏକାଗ୍ର ହୋଇ ଲକ୍ଷ୍ୟାଭିମୁଖ ହୁଏ, ସେତେବେଳେ ସେଥିରେ ଅନ୍ୟ ବାସନାର ତରଙ୍ଗ ଉଠିନଥାଏ । ସେହି ଚିତ୍ତର ଲକ୍ଷ୍ୟ ହୁଏ ଏକମାତ୍ର ଆତ୍ମା, ଅନ୍ୟ କୌଣସି ସାଂସାରିକ ବସ୍ତୁ ନୁହେଁ । ଏହାର ନାମ ‘ନିରୋଧ ଅବସ୍ଥା’ ଅଟେ । ମନର ଏହି ନିରୋଧ ଅବସ୍ଥାରେ ଧ୍ୟେୟ ବସ୍ତୁ ବ୍ୟତିରେକ ଅନ୍ୟ କୌଣସି ପ୍ରତ୍ୟୟ ଉଦିତ ହୁଏନାହିଁ । ହେଲେ ଏହି ଅବସ୍ଥାରେ କଣ ‘ପତ୍ରଂ ପୁଷ୍ପଂ ଦେବା ସମ୍ଭବ କି ? ନାଁ । ସେତେବେଳେ ପ୍ରଯତାତ୍ମା ହୋଇ ‘ପତ୍ରଂ ପୁଷ୍ପଂ’ ଅର୍ପଣ କରିବା କଥା କାହିଁକି କୁହାଯାଇଛି, ଏ ସମ୍ପର୍କରେ କୁହାଯାଉଛି । ନିରୋଧ ଅବସ୍ଥାରେ ଚିତ୍ତ ଆତ୍ମମୟ ହୋଇ ଆତ୍ମା ହୋଇଯାଏ । ଅତଃ ସେଠାରେ ସବୁକିଛି ସ୍ୱତଃ ଅର୍ପଣ ହୋଇଯାଏ । ହେଲେ ସମାଧିଭଗ୍ନ ହୋଇଯିବାପରେ ମଧ୍ୟ ଯୋଗୀଙ୍କର ସ୍ମୃତି ଜାଗ୍ରତ ରହିଥାଏ, ଅତଃ ସେ ଦେଖିଥାନ୍ତି କି, ସମାଧି ଅବସ୍ଥାରେ ଏକ ଆତ୍ମା ହିଁ ଥିଲା ଏବଂ ବର୍ତ୍ତମାନ ଜାଗ୍ରତାବସ୍ଥାରେ ସେହି ଆତ୍ମା ହିଁ ସବୁକିଛି ହୋଇଯାଇଛି । ଏହି କାରଣରୁ ସେହି ଆତ୍ମଚୈତନ୍ୟର ପ୍ରସନ୍ନତା ନିମନ୍ତେ ଯୋଗୀ ଫଳ-ଫୁଲ-ଜଳ-ଦୁଗ୍ଧ ସ୍ୱୟଂ ଗ୍ରହଣ କରିବାପରେ ବି ବିଚାର କରିଥାନ୍ତି କି, ଏହାଦ୍ୱାରା ସେହି ଆତ୍ମଚୈତନ୍ୟଙ୍କୁ ହିଁ ତୃପ୍ତି ମିଳୁଅଛି । ଏହା ବ୍ୟତିରେକ ଅନ୍ୟ କିଏ ଅଛନ୍ତି ଯିଏ ତୃପ୍ତିଲାଭ କରିବେ ? ଯିଏ ଏତେ ଉନ୍ନତ ନୁହଁନ୍ତି, କିନ୍ତୁ ସାଧୁ ପ୍ରକୃତିର ଲୋକ ଅଟନ୍ତି, ଈଶ୍ୱର ପରାୟଣ ଅଟନ୍ତି, ପ୍ରତିଦିନ ଧ୍ୟାନ-ସଂନ୍ଧ୍ୟା ପୂଜା-ପାଠ କରନ୍ତି, ଭଗବାନଙ୍କଠାରେ ପ୍ରୀତି ରଖନ୍ତି ଏବଂ ବିଶ୍ୱାସ କରନ୍ତି କି ସେ ସର୍ବମୟ ଅଟନ୍ତି, ସେ ଭକ୍ତିପୂର୍ବକ ନିଜ ପ୍ରାଣର ଦେବତାଙ୍କୁ ଯେଉଁ ନୈବେଦ୍ୟ ଆଦି ଅର୍ପଣ କରିଥାନ୍ତି ଏହାକୁ ମଧ୍ୟ ସେ ଗ୍ରହଣ କରିଥାନ୍ତି । ସେମାନେ କୁହନ୍ତି, ହେ ପ୍ରଭୁ ! ଯଦିଓ ତୁମକୁ ମୁଁ ଠିକ୍ ଠିକ୍ ଅନୁଭବ କରିପାରେ ନାହିଁ ତଥାପି ତୁମ କଥାରେ ମୋର ବିଶ୍ୱାସ ଅଛି । ତୁମେ କହିଥାଅ—
ସର୍ବତଃ ପାଣିପାଦଂ ତତ୍ ସର୍ବତୋଽକ୍ଷିଶିରୋମୁଖମ୍ ।
ସର୍ବତଃ ଶ୍ରୁତିମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି ।।’
ଏଥିପାଇଁ ଭକ୍ତ ଯେତେବେଳେ କାନ୍ଦିକରି କହେ—“ହେ ପ୍ରଭୁ ! ତୁମେ ଏହି କ୍ଷୁଦ୍ର ଉପହାରକୁ ଗ୍ରହଣ କର” ସେ ଏହା ଶୁଣିନିଅନ୍ତି ଆଉ ଗ୍ରହଣ ମଧ୍ୟ କରନ୍ତି । ଏହା ତାଙ୍କର ତାଙ୍କ ଭକ୍ତ ପ୍ରତି ସ୍ନେହ ଏବଂ ବାତ୍ସଲ୍ୟ ଅଟେ । ହେଲେ ଦେବାର ଅଛି, କେବଳ ଏଥିପାଇଁ ଯେଉଁମାନେ ଭଗବାନଙ୍କର ପ୍ରତିମା ସମ୍ମୁଖରେ ଦ୍ରବ୍ୟାଦି ଏକତ୍ରିତ କରିଦିଅନ୍ତି ଏବଂ ମନ୍ତ୍ର ପାଠକରି ଅଶ୍ରଦ୍ଧା ସହିତ ନୈବେଦ୍ୟ ଅର୍ପଣ କରନ୍ତି ତଥା ଯଦି ପୁରୋହିତ ମନେ ମନେ ବିଚାର କରନ୍ତି କି, ଆଜି ଏହାକୁ ଯଥେଷ୍ଟ ଲାଭ ହୋଇଛି ଏବଂ ଯଜମାନ ବୁଝନ୍ତି କି ‘ଏତିକି ଦ୍ରବ୍ୟ ମୁଁ ଭଗବାନଙ୍କୁ ଦେଉଛି, ଏହି ସ୍ଥାନକୁ ଛାଡ଼ି ଭଗବାନ୍ ଆଉ କେଉଁଆଡ଼େ ଯିବେ, ତେବେ ଉଭୟେ ଭ୍ରାନ୍ତଧାରଣାରେ ରହିଥାନ୍ତି । ଭଗବାନ୍ ଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ, ଦ୍ରବ୍ୟ ସହିତ ଯେଉଁ ଭକ୍ତି ମିଳିତ ହୋଇ ରହିଥାଏ, ଅର୍ପଣ ମନ୍ତ୍ର ସହିତ ଯେଉଁ ପ୍ରାଣ ଅର୍ପିତ ହୁଏ ଯାହାଦ୍ୱାରା ଦେବତା ଏବଂ ମନ୍ତ୍ର ଚୈତନ୍ୟଯୁକ୍ତ ହୋଇଥାନ୍ତି, ସେହି ଭକ୍ତି-ପ୍ରାଣ-ସମନ୍ୱିତ ଭାବ ହିଁ ତାଙ୍କ ପାଇଁ ଗ୍ରାହ୍ୟ ଅଟେ । ଯିଏ ଭଗବାନଙ୍କ ସମ୍ମୁଖରେ ଛିଡ଼ାହୋଇ ଦର୍ଶକଙ୍କୁ ଠକିଥାନ୍ତି, ସେ ସ୍ୱୟଂ ଜାଣନ୍ତି କି ଆମେ ମିଥ୍ୟା କହୁଛୁ ଏବଂ ଯାହାଙ୍କୁ କହନ୍ତି, ସେ ମଧ୍ୟ ଜାଣନ୍ତି କି ଭଗବାନ୍ କିଛି ଗ୍ରହଣ କରନ୍ତି ନାହିଁ, ହେଲେ ଏକ ରୀତି ଚାଲିଆସୁଛି—‘ଠାକୁରଙ୍କ ଭୋଗ ଦୁଇ ପାଞ୍ଚ ଚୱନ୍ନୀ’—ଏହି ଭାବରେ ଦେଲେ ସେ ତାହାକୁ ଗ୍ରହଣ କରନ୍ତି ନାହିଁ । ଭଗବାନଙ୍କ ଶ୍ରଦ୍ଧାଳୁ ଭକ୍ତ ସର୍ବଭୂତସ୍ଥିତ ଭଗବାନଙ୍କର ପୂଜା କରି ନିଜ ହୃଦୟକୁ ପବିତ୍ର କରିଥାନ୍ତି । ଏହି କାରଣରୁ ସେମାନେ ପୀଡ଼ିତଙ୍କର ସେବା କରି, ଅଭାବଗ୍ରସ୍ତଙ୍କର ଅଭାବକୁ ଦୂର କରି, ନିଜର ଧନ-ଐଶ୍ୱର୍ଯ୍ୟ ଏବଂ ସାମର୍ଥ୍ୟକୁ ସଫଳ କରିଥାନ୍ତି । ଭକ୍ତ ଜାଣନ୍ତି କି, ବୈଭବର ସୀମା ନାହିଁ ତଥାପି ସେମାନେ ଦରିଦ୍ରର ବେଶ ଧାରଣକରି ଲୋକମାନଙ୍କ ଦ୍ୱାରରେ ହାତ ପାତିଥାନ୍ତି, ଉଦ୍ଦେଶ୍ୟ ହେଉଛି, ଭକ୍ତର ଧନକୁ ସଫଳ କରିବା ଏବଂ ତାହାର ଚିତ୍ତକୁ ପବିତ୍ର କରିବା, ନଚେତ୍ ଭଗବାନଙ୍କର କଣ ଅଭାବ ଅଛି । ଯିଏ ତାଙ୍କୁ ଜାଣନ୍ତି, ସେ ଲୋକମାନଙ୍କ ଦୃଷ୍ଟିରେ ଅତ୍ୟନ୍ତ ଅଭାବଗ୍ରସ୍ତ ହୋଇ ବି ବସ୍ତୁତଃ ରାଜା ଅଟନ୍ତି । ଏଥିପାଇଁ ପ୍ରେମୀ ଭକ୍ତ ଗାଇଉଠନ୍ତି—
ବିଭବ କୌନ ? ଛାୟ ଛାୟ ଦେୟ ଭୁବନ ସିନ୍ଧୁ ସାରେ ।
ଦୈନ୍ୟ କୌନ ? ଭୀଖ ମାଁଗତୁ ହେ ଦୀନନ ଦୀନ ଦ୍ୱାରେ ।।୨୬।।’
ଯାହାକିଛି ଭୋଜନ କରୁଛ, ଯାହା ଦେଉଛ ତଥା ଯାହା କ୍ରିୟା କରୁଛ, ସବୁ ମୋଠାରେ ଅର୍ପଣ କରିଦିଅ ଅର୍ଥାତ୍ ବ୍ରହ୍ମ ହିଁ କରୁଛନ୍ତି ବ୍ରହ୍ମଙ୍କର କର୍ମ—ମୁଁ କରୁନାହିଁ—ଏହାର ନାମ ଅର୍ପଣ ଅଟେ—ସେହି ବ୍ରହ୍ମ ମୁଁ ଅଟେ ଏହା ସର୍ବଦା ଅବଗତ ହୋଇ ଅର୍ଥାତ୍ ସ୍ୱତଃ ଏଭଳି ଜ୍ଞାନ ନହୋଇ କ୍ରିୟା କରିଚାଲିଲେ, ଏପ୍ରକାର ଅର୍ପଣ ହୋଇନଥାଏ—କିଏ କାହାକୁ ଅର୍ପଣ କରନ୍ତି—ବ୍ରହ୍ମ ବ୍ରହ୍ମଙ୍କୁ ଅର୍ପଣ କରନ୍ତି । ଅର୍ଥାତ୍ ସ୍ୱରୂପସ୍ଥିତି ।
–ଶ୍ରୀମଦ୍ଭାଗବତରେ ଉଲ୍ଲେଖ ଅଛି—
କାୟେନ ବାଚା ମନସେନ୍ଦ୍ରିୟୈର୍ବା ବୁଦ୍ଧ୍ୟାତ୍ମନା ବାଽନୁସୃତସ୍ୱଭାବାତ୍ ।
କରୋତି ଯଦ୍ଯତ୍ ସକଳଂ ପରସ୍ମୈ ନାରାୟଣାୟୈତି ସମର୍ପୟେତ୍ତତ୍ ।। (ସ୍କନ୍ଧ ୧୧)
କାୟ, ମନ, ବାକ୍ୟ, ଇନ୍ଦ୍ରିୟ, ବୁଦ୍ଧି ଏବଂ ଆତ୍ମା ଦ୍ୱାରା ଅବା ସ୍ୱଭାବବଶତଃ ଯେଉଁ କର୍ମ କରାଯାଏ ସେ ସବୁକୁ ପରମ ପୁରୁଷ ନାରାୟଣଙ୍କୁ ସମର୍ପଣ କର । କେବଳ ପୂଜା ଅର୍ଚ୍ଚନା ନୁହେଁ, ଲୌକିକ କର୍ମ ଆହାର-ବିହାର ଆଦି ମଧ୍ୟ ନାରାୟଣଙ୍କଠାରେ ସମର୍ପଣ କରି କରିବା ଆବଶ୍ୟକ । ସକାମୀ ପୁରୁଷ କର୍ମଫଳ ଆଶାକୁ ତ୍ୟାଗକରି କର୍ମ କରିବାରେ ଉତ୍ସାହ ପାଏନାହିଁ । ନିଷ୍କାମୀ ଅର୍ଥାତ୍ ଭଗବଦ୍ ଅର୍ପିତଚିତ୍ତର ବିଶେଷତା ହେଉଛି କି, ସେ କର୍ମଫଳର ଆଶାକୁ ତ୍ୟାଗ କରିବାପରେ ମଧ୍ୟ କର୍ମ କରିପାରେ । ଏହିଭଳି ଭାବେ କର୍ମ କରିବାରେ ମଧ୍ୟ ତାଙ୍କର ଉଦ୍ୟମ ଅବା ଉତ୍ସାହର ଅଭାବ ହୁଏନାହିଁ, କାହିଁକି ନାଁ ସେ ଜାଣନ୍ତି କି, ସବୁକିଛି ଭଗବାନଙ୍କର ଅଟେ ଆଉ ସବୁକିଛି ଭଗବାନ୍ ଅଟନ୍ତି । ଭଗବାନ୍ ହିଁ ଏସମସ୍ତ ଅଟନ୍ତି, ଏହି ଦୃଷ୍ଟି ସ୍ଫୁଟିତ ହେବା ଆବଶ୍ୟକ । ନଚେତ୍, କେବଳ ମୁଖରେ ‘ଅର୍ପଣ କଲି କହିଲେ ଅର୍ପଣ ହୁଏନାହିଁ । ଏହି ଶରୀର ମଧ୍ୟରେ ଯେଉଁ ନାରାୟଣ ଅଛନ୍ତି, ତାଙ୍କର ଅନୁଭବ କରିବା ଆବଶ୍ୟକ ଏବଂ ସେ ହିଁ ମୋର ସର୍ବସ୍ୱ ଅଟନ୍ତି, ଏହା ବୋଧ ହେବା ଆବଶ୍ୟକ । ଏକମାତ୍ର ସେ ହିଁ ଚରାଚର ଜଗତ୍ରେ ବ୍ୟାପ୍ତ ଅଟନ୍ତି, ଏହା ଦେଖିବାପାଇଁ ଆଖି ଏବଂ ବୁଝିବାପାଇଁ ପ୍ରଜ୍ଞାର ଆବଶ୍ୟକତା ରହିଛି । ଆମ ଭିତରେ ସେହି ପୁରୁଷୋତ୍ତମ ନାରାୟଣ ଅବସ୍ଥାନ କରନ୍ତି, ଏହାକୁ ଠିକ୍ଭାବରେ ଅବଗତ ହୋଇପାରିଲେ ନିଜକୁ ମନୁଷ୍ୟ ତାଙ୍କଠାରୁ ପୃଥକ୍ ବୋଧ କରିନଥାଏ ।’
ଯେତେବେଳେ କର୍ତ୍ତୃତ୍ୱ ଅଭିମାନ ରହେନାହିଁ, ସେତେବେଳେ ତାଙ୍କୁ ସର୍ବସ୍ୱ ଅର୍ପଣ କରିବା ବ୍ୟତିରେକ ଅନ୍ୟ କୌଣସି ଦିଗ ହିଁ ନାହିଁ । ସମସ୍ତଙ୍କ ଭିତରେ ‘ମୁଁ’ ରହିଥାଏ, ଏହି ‘ମୁଁ’ ମଧ୍ୟ ସେହି ଏକ ଅଖଣ୍ଡ ଅନନ୍ତ ‘ମୁଁ’ର ଅନ୍ତର୍ଗତ ଅଟେ, ଏଭଳି ଧାରଣା ନହେଲେ କେହି ଯଥାର୍ଥ ନିଷ୍କାମୀ ହୋଇପାରେ ନାହିଁ । ଏକ ଅନାଦି ‘ଅହଂ’ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଅଟନ୍ତି, ଏହାଙ୍କୁ ଅବଗତ ହେବାରେ ମୁଖ୍ୟ ବାଧା ହେଉଛି ନିଜର କାମ-ସଂକଳ୍ପ । ଏହା ହେଉଛି ଜୀବର ଅଜ୍ଞାନ ଅବା ହୃଦ୍ରୋଗ । କାମସଂକଳ୍ପ ପୂର୍ଣ୍ଣତଃ ନିବୃତ୍ତ ହୋଇଗଲେ ଜୀବ ଏହା ବୁଝିପାରେ କି ସେ ନିଜେ ଅମୃତ ସ୍ୱରୂପ ଅଟେ । କଠୋପନିଷଦ୍ରେ ଉଲ୍ଲେଖ ଅଛି ।
ଯଦା ସର୍ବେ ପ୍ରମୁଚ୍ୟନ୍ତେ କାମା ଯେଽସ୍ୟ ହୃଦି ଶ୍ରିତାଃ ।
ଅଥ ମର୍ତ୍ୟୌଽମୃତୋ ଭବତ୍ୟତ୍ର ବ୍ରହ୍ମ ସମୁଶ୍ନୁତେ ।।
ଅନ୍ତଃକରଣରେ ଅବସ୍ଥିତ ସମସ୍ତ କାମନା ଯେତେବେଳେ ବିନଷ୍ଟ ହୋଇଯାଏ, ସେତେବେଳେ ମନୁଷ୍ୟ ଜନ୍ମ-ମୃତ୍ୟୁର ଊର୍ଦ୍ଧ୍ୱକୁ ଉଠିଯାଏ ଏବଂ ପରଲୋକକୁ ନଯାଇ ଏହିଠାରେ ବ୍ରହ୍ମସ୍ୱରୂପତାକୁ ପ୍ରାପ୍ତ ହୁଏ ।
ଯଦା ସର୍ବେ ପ୍ରଭିଦ୍ୟନ୍ତେ ହୃଦୟସ୍ୟେହ ଗ୍ରନ୍ଥୟଃ ।
ଅଥ ମର୍ତ୍ୟୌଽମୃତୋ ଭବତ୍ୟୈତାବଦନୁଶାସନମ୍ ।।କଠ.ଉପ.।।
ଯେତେବେଳେ ଏହି ଜୀବନରେ ହିଁ ହୃଦୟର ସମସ୍ତ ଗ୍ରନ୍ଥି ଉନ୍ମୁକ୍ତ ହୋଇଯାଏ, ସେତେବେଳେ ମରଣଧର୍ମଶୀଳ ଜୀବ ଅମୃତତ୍ୱକୁ ପ୍ରାପ୍ତ କରିଥାଏ, ଏପର୍ଯ୍ୟନ୍ତ ଅନୁଶାସନ ରହିଛି । ଆତ୍ମଦର୍ଶନ ପରେ ଆଉ କୌଣସି ଉପଦେଶର ଆବଶ୍ୟକତା ହୁଏନାହିଁ ।
ଏହି ଅବସ୍ଥାରେ ଦେହାଭିମାନଯୁକ୍ତ ‘ମୁଁ’ ରହେନାହିଁ, ଅତଃ ସମସ୍ତ କର୍ମ ବ୍ରହ୍ମକର୍ମ ଭଳି ପ୍ରତୀତ ହୁଏ । ଏଥିପାଇଁ ଅଭିମାନାତ୍ମକ ‘ମୁଁ’ ସହିତ ସମସ୍ତ କର୍ମସମୂହର ସଂସର୍ଗ ଦୂର ହୋଇଯାଇଥାଏ । ସେହି ‘ମୁଁ’ ସେତେବେଳେ ସେହି ପରମ ‘ମୁଁ’ ସହିତ ଏକତ୍ରିତ ହୋଇଯାଇଥାଏ । ତତ୍ପଶ୍ଚାତ୍ ଦ୍ୱିତୀୟ ବସ୍ତୁ ଅବା ଦୃଶ୍ୟର ଅଭାବରେ ‘ମୁଁ’ର ଆଉ କୌଣସି କାର୍ଯ୍ୟ ରହିଯାଏ ନାହିଁ । କ୍ରିୟା କରିକରି ଏପ୍ରକାର ଜ୍ଞାନ ହେଲେ ହିଁ ବାସ୍ତବିକ ଅର୍ପଣ ହୁଏ । ସେତେବେଳେ କେବଳ ଏକ ‘ମୁଁ’ ରହିଯାଏ, ଅତଃ ସେ ସମୟରେ ଯଦି କିଛି ଅର୍ପଣ ହୁଏ, ତେବେ ସେହି ‘ମୁଁ’କୁ ହିଁ ଅର୍ପଣ କରାଯାଏ । ଏହା ବ୍ରହ୍ମାର୍ପଣ ଅବା ସ୍ୱରୂପସ୍ଥିତି ଅଟେ।।୨୭।।
ଏହିଭଳି କରିବାଦ୍ୱାରା ଶୁଭ ଏବଂ ଅଶୁଭ ଫଳରୁ ମୁକ୍ତ ହୋଇଯାଏ—ଅର୍ଥାତ୍ ଫଳାକାଂକ୍ଷା ସହିତ କର୍ମ କରି ବନ୍ଧନକୁ ପ୍ରାପ୍ତ ହୁଅନ୍ତି ନାହିଁ—କୌଣସି ବସ୍ତୁ ଦିଗକୁ ଦୃଷ୍ଟି ଯିବା ସତ୍ତ୍ୱେ ମଧ୍ୟ ସେଥିରେ ସମାଧିସ୍ଥ ହୋଇ ଇଚ୍ଛା ନ କରିବା—ସ୍ଥିର ରହି—ବିଶେଷରୂପେ ମୁକ୍ତ ହୋଇ ଅର୍ଥାତ୍ ସ୍ଥିର ହୋଇ ମୋର ଉପାସନା କରନ୍ତି ଅର୍ଥାତ୍ ମସ୍ତକ ଉପରେ ଅବସ୍ଥାନ କରିଥାନ୍ତି ।
–ଯେଉଁମାନେ ତ୍ୟାଗ-କୌଶଳ ଜାଣନ୍ତି, ସେମାନଙ୍କୁ ଅବଗତ ହୋଇପାରେ କି, କ୍ରିୟାର ପରାବସ୍ଥାରେ କେଉଁଭଳି ନିଜର ‘ମୁଁ’ ଭାବ ନିମ୍ନଗାମୀ ହୋଇଯାଏ । ଧରିନିଅ ସେହି ମହାନ୍ ‘ମୁଁ’ ରେ ଏହି କ୍ଷୁଦ୍ର ‘ମୁଁ’ ଲମ୍ଫପ୍ରଦାନ କରି ନିଜକୁ ବିଲୀନ କରିଦେଇଥାଏ । ଅତଃ ‘ଅହଂ-ମମ’ ବୁଦ୍ଧି ରହେନାହିଁ । ପ୍ରଥମେ ଦେହାଭିମାନଯୁକ୍ତ ‘ମୁଁ’ ଦେହେନ୍ଦ୍ରିୟାଦି ସହିତ ମିଳିତ ହୋଇ କର୍ମ ମଧ୍ୟ କରୁଥିଲା ଏବଂ କର୍ମଫଳ ମଧ୍ୟ ଭୋଗ କରୁଥିଲା । ଅଧୁନା ସେହି ‘ମୁଁ’ ଯେତେବେଳେ ମହାନ୍ ‘ମୁଁ’ ଭିତରେ ଡ଼ୁବି ଗଲା, ସେତେବେଳେ ଦେହ ସହିତ ସଂଯୋଗ ନ ରହିବା କାରଣରୁ ତାହାକୁ ଦେହାଦି ସହିତ ପୁନଃ ଫଳଭୋଗ କରିବାପାଇଁ ପଡ଼ିଲା ନାହିଁ । ଏହା ସନ୍ନ୍ୟାସ ଅଟେ—ସଂ=ସମ୍ୟକ୍, ନ୍ୟାସ ଅର୍ଥାତ୍ ତ୍ୟାଗ । ଏହି ତ୍ୟାଗ ଦ୍ୱାରା ପରମ ‘ମୁଁ’ ସହିତ ଏହି ‘ମୁଁ’ର ଯୋଗଯୁକ୍ତ ଅବସ୍ଥା ହୁଏ । ଯାହାଙ୍କୁ ଏପ୍ରକାର ଅବସ୍ଥା ପ୍ରାପ୍ତ ହୁଏ, ତାଙ୍କର ଦେହାଭିମାନ ରହେନାହିଁ । ଏହି ଦେହାଭିମାନର ପାଶ ହିଁ ତ ଆମକୁ ଆବଦ୍ଧ କରି ରଖିଥାଏ । ଦେହାଭିମାନ ନ ରହିଲେ ‘ବିମୁକ୍ତି’ ଅର୍ଥାତ୍ ବିଶେଷ ଭାବରେ ମୁକ୍ତି ହୁଏ । ଦେହରେ ଅହଂଜ୍ଞାନ ଯେପର୍ଯ୍ୟନ୍ତ ରହିଛି, ସେପର୍ଯ୍ୟନ୍ତ ଫଳଭୋଗ କରିବା ପାଇଁ ପଡ଼ିଥାଏ । କ୍ରିୟାର ପରାବସ୍ଥାରେ ସର୍ବକର୍ମ ସମର୍ପିତ ହୋଇଯିବାପରେ ସାଧକ ‘ମୁଁ’ ହୋଇଯାଏ । ଦେହାଭିମାନର ଅଭାବରେ ସାଧକ ସମସ୍ତ କର୍ମ କରିବାପରେ ବି କିଛି କର୍ତ୍ତୃତ୍ୱ ରହିନଥାଏ । କ୍ରିୟାର ପରାବସ୍ଥାରେ ଯେତେବେଳେ ଅନ୍ୟ କୌଣସି ବସ୍ତୁ ଦିଗକୁ ଦୃଷ୍ଟି ରହେନାହିଁ, ସେତେବେଳେ ସାଧକଙ୍କୁ ସାମୟିକ ମୁକ୍ତି ପ୍ରାପ୍ତ ହୁଏ, ହେଲେ ଯେତେବେଳେ ମସ୍ତିଷ୍କ ଉପରେ ଶ୍ୱାସ ଆରୋହଣ କରି ଦୀର୍ଘକାଳ ପର୍ଯ୍ୟନ୍ତ ଅଟକି ରହିଥାଏ, ସେତେବେଳେ ସେ ବିଶେଷରୂପେ ମୁକ୍ତ ହୋଇଯାନ୍ତି । ଏହି ସ୍ଥିର ଭାବ ଯାହାଙ୍କର କଦାପି ବିଚଳିତ ହୁଏନାହିଁ, ସେ ଇନ୍ଦ୍ରିୟସମୂହ ଦ୍ୱାରା ବିଷୟର ସ୍ପର୍ଶ ପ୍ରାପ୍ତ କଲେ ମଧ୍ୟ ତାଙ୍କ ମନରେ କୌଣସି ବୈଷୟିକ ସଂକଳ୍ପର ଉଦୟ ହୋଇନଥାଏ । ସେ ସମୟରେ ଇନ୍ଦ୍ରିୟସମୂହ ଦ୍ୱାରା କରାଯାଇଥିବା କୌଣସିଟି ଶୁଭାଶୁଭ କର୍ମ ତାଙ୍କୁ ସେହି ଚିରସ୍ଥିର ଅଟଳ ଆସନରୁ କଦାପି ନିମ୍ନଗାମୀ କରାଇନଥାଏ ।।୨୮।।
ସର୍ବଭୂତରେ ମୁଁ ସମାନରୂପେ ବିରାଜମାନ କରୁଛି ଯେଉଁଭଳି—ମାଳାରେ ସମାନ ରୂପେ ସୂତ୍ର ଗୁନ୍ଥି ହୋଇରହିଥାଏ—ମୁଁ କାହାରିକୁ ହିଂସା କରେନାହିଁ, କି କାହାରିକୁ ଭଲପାଏନାହିଁ—ଯିଏ ଭକ୍ତିପୂର୍ବକ ମୋର ଭଜନ କରନ୍ତି ଅର୍ଥାତ୍ କ୍ରିୟା କରନ୍ତି—ତାଙ୍କୁ ମୁଁ ଭଜନ କରିଥାଏ—ଅର୍ଥାତ୍ ତା ମଧ୍ୟରେ ଥାଇ ବି ମୁଁ କ୍ରିୟା କରିଥାଏ ।
–ଭକ୍ତ ଉପରେ ଭଗବାନ୍ ଦୟା କରନ୍ତି, ଅଭକ୍ତଙ୍କର ବିନାଶ କରନ୍ତି ତେବେ ତ ଭକ୍ତି ଏବଂ ଅଭକ୍ତିର ଫଳସମୂହ ମଧ୍ୟରେ ବିଷମ ତାରତମ୍ୟ ରହିଥାଏ । ହେଲେ ତୁମେ ଯାହା କହୁଛ କି ତୁମେ ସର୍ବଭୂତରେ ସମାନ ଅଟ, ତୁମର ଦ୍ୱେଷ୍ୟ ଅବା ପ୍ରିୟ କେହି ନାହାଁନ୍ତି, ଏହା କିପରି ସମ୍ଭବ ହୋଇପାରିବ ? ବସ୍ତୁତଃ ଭଗବାନ୍ ସମସ୍ତଙ୍କ ପାଇଁ ସମାନ ଅଟନ୍ତି, ଭଗବାନଙ୍କର ଭଲ ଲାଗିବା ଅବା ନ ଲାଗିବାର କାରଣ ଜୀବମାନଙ୍କର ନିଜନିଜ କର୍ମସମୂହର ପ୍ରତିକ୍ରିୟା ଅଟେ । ଶାନ୍ତ ଏବଂ ଦୁଷ୍ଟ ସବୁପ୍ରକାରର ଜୀବଙ୍କ ହୃଦୟରେ ଭଗବାନ୍ ବିରାଜମାନ କରନ୍ତି, ଏଥିରେ କୌଣସି ବୈଷମ୍ୟ ନାହିଁ । ହେଲେ ଜୀବର ପ୍ରକୃତିର ତାରତମ୍ୟ ବଶତଃ ଭଗବାନଙ୍କର ଶାନ୍ତ ଯୁଦ୍ଧ ଆନନ୍ଦମୟ ଭାବ ବା ଭୀଷଣ ଭାବ ପ୍ରକାଶିତ ହୁଏ । ଏହାଦ୍ୱାରା ଭଗବାନଙ୍କର ବୈଷମ୍ୟ ପ୍ରମାଣିତ ହୁଏନାହିଁ । ସ୍ଫଟିକ ସ୍ୱଭାବତଃ ସ୍ୱଚ୍ଛ ଏବଂ ନିର୍ମଳ ହେଲେ ରକ୍ତ କୁସୁମ ସନ୍ନିଧାନରେ ଯେଉଁଭଳି ରକ୍ତାଭ ଦେଖାଯାଏ, ବସ୍ତୁତଃ ସ୍ଫଟିକ ରକ୍ତବର୍ଣ୍ଣ ହୋଇନଥାଏ, ସେହିଭଳି ଯେଉଁ ଜୀବ ତାଙ୍କ ସହିତ ଯେଉଁପ୍ରକାର ସମ୍ବନ୍ଧ ରଖିବ, ସେ ମଧ୍ୟ ତାଙ୍କ ସମ୍ମୁଖରେ ତଦ୍ରୂପ ସମ୍ବନ୍ଧ ଅବା ଭାବ ନେଇ ପ୍ରକାଶିତ ହେବେ । ଯିଏ ତାଙ୍କ ସହିତ ପ୍ରେମ ସମ୍ବନ୍ଧ ସ୍ଥାପନ କରିବେ, ତାଙ୍କ ସମ୍ମୁଖରେ ସେ ଭକ୍ତପକ୍ଷପାତୀ ପରମ ପ୍ରେମିକ ରୂପେ ପ୍ରକାଶିତ ହେବେ, ଯିଏ ତାଙ୍କୁ ଦ୍ୱେଷଭାବରେ ଦେଖିବେ, ସେହି ଦ୍ୱେଷ୍ଟାର ଆଖିରେ ତାଙ୍କର ଦୁଷ୍ଟବିମର୍ଦ୍ଦନ ଭୀଷଣ ଭାବରେ ପ୍ରକଟିତ ହେବ ।
ମେଘ ବାରି ବର୍ଷଣ କରି ଅମୃତବୃକ୍ଷ ଏବଂ ବିଷବୃକ୍ଷ ଉଭୟକୁ ସମ ଭାବରେ ପୋଷଣ କରିଥାଏ, ଏଥିରେ ମେଘର ପକ୍ଷପାତ ନାହିଁ, କ୍ଷେତ୍ରର ଏବଂ ବୀଜର ଉତ୍କର୍ଷାପକର୍ଷ ଉପରେ ଏସବୁ ନିର୍ଭର କରିଥାଏ । ଯଦି କୁହ କି, କ୍ଷେତ୍ର ଏବଂ ବୀଜର ସ୍ରଷ୍ଟା ମଧ୍ୟ ସେ ଅଟନ୍ତି, ସେ ସୃଷ୍ଟିକାଳରେ ଏପ୍ରକାର ବିଷମ ଗୁଣଯୁକ୍ତ ପଦାର୍ଥସମୂହର ସୃଷ୍ଟି କାହିଁକି କରିଛନ୍ତି?—ଏହି ନାନାତ୍ୱ ଅଥବା ଭେଦ ତାଙ୍କର ଗୁଣମୟୀ ପ୍ରକୃତିର ଖେଳ ଅଟେ, ତାଙ୍କର ପ୍ରକୃତି ଯେତେବେଳେ ତାଙ୍କ ମଧ୍ୟରେ ବିଲୀନ ହୋଇଯାଇଥାଏ, ସେତେବେଳେ ପ୍ରକୃତିର ସେହି ସାମ୍ୟାବସ୍ଥାରେ କୌଣସି ଗୁଣର ସ୍ଫୁରଣ ହୁଏନାହିଁ, କିନ୍ତୁ ପ୍ରକୃତିର ବୈଷମ୍ୟାବସ୍ଥାରେ ଯେତେବେଳେ ପ୍ରକୃତିମଧ୍ୟସ୍ଥ ଗୁଣମୟୀ ଶକ୍ତି ନୃତ୍ୟ କରିକରି ବହିର୍ମୁଖୀ ହୋଇଯାଏ, ସେତେବେଳେ ତନ୍ମଧ୍ୟରେ ବିଚିତ୍ର ଗୁଣ ଏବଂ ତଜ୍ଜନିତ ବିଚିତ୍ର କର୍ମ, ସାଗରରେ ତରଙ୍ଗ ଭଳି ସ୍ଫୁରିତ ହୁଏ । ଏହି ଶକ୍ତି ତାଙ୍କର ସ୍ୱଶକ୍ତି ଅଟେ ଏବଂ ଶକ୍ତିର ଏହି ଖେଳର ଦର୍ଶକ ମଧ୍ୟ ସ୍ୱୟଂ ସେ ହିଁ ଅଟନ୍ତି । ଯେତେବେଳେ ଦ୍ରଷ୍ଟା ଜୀବ ସ୍ୱରୂପ ବିସ୍ମୃତ ହୋଇ ଶକ୍ତିର ଖେଳକୁ ‘ମୁଁ ହିଁ ଖେଳୁଛି’ ଏହିଭଳି ଅଭିମାନ କରିଥାଏ, ସେତେବେଳେ ତାହାର କର୍ମ ଉତ୍ପନ୍ନ ହୁଏ ଏବଂ ତଜ୍ଜନିତ ଜନ୍ମ-ମୃତ୍ୟୁର ବିଭିନ୍ନ ଭୋଗରେ ତାହାକୁ ସନ୍ତ୍ରସ୍ତ ହେବାପାଇଁ ପଡ଼ିଥାଏ । ଜୀବ ଯେତେବେଳେ ନାନାପ୍ରକାର କ୍ଳେଶକୁ ଭୋଗକରି ଆତ୍ମସ୍ଥ ହେବାପାଇଁ ସାଧନା ଆରମ୍ଭ କରେ, ସେତେବେଳେ ଧୀରେ ଧୀରେ ପୁଣି ତାହାର ପୂର୍ବାବସ୍ଥା ଫେରିଆସେ । ସେତେବେଳେ ଭଗବାନଙ୍କର ମାୟାଶକ୍ତି ସ୍ୱଭାବତଃ ସଙ୍କୁଚିତ ହୋଇଯାଏ, ନାନାତ୍ୱର ହ୍ରାସ ହୋଇଯାଏ । ସେତେବେଳେ ଜୀବର ବିଚିତ୍ର ଏବଂ ବିବିଧ କ୍ରିାୟାରୂପ ସ୍ୱପ୍ନଦର୍ଶନର ଅବସାନ ହୋଇଯାଏ ସେତେବେଳେ ଜୀବ ଜାଗିଉଠେ । ଏହି ଜାଗ୍ରତ ଭାବ ହିଁ ଜୀବର ସ୍ୱ-ସ୍ୱରୂପରେ ଅବସ୍ଥାନ ଅଟେ । ସେତେବେଳେ ଭଗବତ୍ ଶକ୍ତି ଅବା ପ୍ରକୃତ ଭଗବତ୍ ସ୍ୱରୂପ ସହିତ ମିଳିତ ହୋଇ ଏକ ହୋଇଯାଏ । ଏହା ଜୀବର ସ୍ୱପ୍ନଦର୍ଶନ ତ ଅଟେ ହେଲେ ଏହି ସ୍ୱପ୍ନ ଦର୍ଶନ ସହଜରେ ଦୂର ହୋଇନଥାଏ, ଏଥିପାଇଁ ଭଜନର ଆବଶ୍ୟକତା ରହିଛି । ଯେଉଁ ଆତ୍ମା ଚିରସ୍ଥିର ନିର୍ମଳ ଏବଂ ଅବିନାଶୀ ଅଟେ, ଚଞ୍ଚଳ ହୋଇଥିବାରୁ ତାହାକୁ ମଧ୍ୟ ଜନ୍ମ-ମୃତ୍ୟୁର ଅଭିନୟ କରିବାପାଇଁ ପଡ଼ିଥାଏ ତଥା ତଜ୍ଜନିତ ବିବିଧ ଦଶା ଏବଂ ସନ୍ତାପ ମଧ୍ୟ ଭୋଗ କରିବାପାଇଁ ପଡ଼ିଥାଏ । ଆତ୍ମାର ଏହି ଚଞ୍ଚଳ ଭାବ ହିଁ ଯେଉଁଭଳି ତାହାର ଚିରସ୍ଥିର କୂଟସ୍ଥଭାବକୁ ଆଚ୍ଛାଦିତ କରି ରଖିଥାଏ । ଏହା ହେଉଛି, ଆତ୍ମାର ପ୍ରକୃତିଭାବ ପ୍ରାପ୍ତ ହେବା ଅବା ଗୁଣଯୁକ୍ତ ହେବା । ପ୍ରକୃତିର ଏହି ସଚଞ୍ଚଳ ନୃତ୍ୟମୟ ଭାବକୁ ଯେପର୍ଯ୍ୟନ୍ତ ସ୍ଥିର କରାଯାଏ ନାହିଁ, ସେପର୍ଯ୍ୟନ୍ତ ଆତ୍ମାର କୌଣସି ସନ୍ଧାନ ମିଳେନାହିଁ । ପ୍ରକୃତି ଯେତେବେଳେ ନିଜର ନୃତ୍ୟକୁ ରୋକି ସ୍ଥିର ହୋଇଯାଏ, ସେତେବେଳେ ତାହା ଆତ୍ମାରେ ଲୀନ ହୋଇଯାଏ, ସେତେବେଳେ ସେ ଆଉ ପୃଥକ୍ ଭାବରେ ଦେଖାଯାଏ ନାହିଁ । ଏହି ସ୍ଥିର ଭାବ ଯେପର୍ଯ୍ୟନ୍ତ ଆସିବ ନାହିଁ, ସେପର୍ଯ୍ୟନ୍ତ ଜନ୍ମ-ମୃତ୍ୟୁ, ସୁଖ-ଦୁଃଖର ଅଭିନୟ ବାରମ୍ବାର ହୋଇଚାଲିଥିବ । ଆତ୍ମା ପ୍ରକୃତି ଭାବକୁ ପ୍ରାପ୍ତ ହୋଇ ପ୍ରାଣତ୍ୱଭାବକୁ ପ୍ରାପ୍ତ ହୁଏ, ଏହା ଜୀବଭାବ ଅଟେ । ଏହି ଜୀବଭାବରୁ ଯିଏ ମୁକ୍ତ ହେବାପାଇଁ ଚାହେଁ, ତାହାକୁ ପ୍ରଥମେ ପ୍ରାଣକୁ ସ୍ଥିର କରିବାପାଇଁ ପଡ଼ିବ । ଆତ୍ମଚୈତନ୍ୟ ପ୍ରକୃତ ଭାବକୁ ପ୍ରାପ୍ତ ହୋଇ ଯେଉଁ ପ୍ରାଣରୂପରେ ପ୍ରକାଶିତ ହେଉଅଛି, ସେହି ପ୍ରାଣ ହିଁ ସାଧନାର ପ୍ରଧାନ ଅବଲମ୍ବନ ଅଟେ । ଏହାର ଆଶ୍ରୟ ନନେଲେ କଦାପି ଆତ୍ମସ୍ୱରୂପ ସମୀପରେ ପହଁଚିବା ସମ୍ଭବ ନୁହେଁ । ପ୍ରାଣ ହିଁ ବସ୍ତୁତଃ ସୂତ୍ରାତ୍ମା ଅଟେ । ସୂତ୍ର ଯେଉଁଭଳି ମାଳା ଭିତରେ ଅନ୍ତର୍ନିହିତ ରହିଥାଏ, ସେହିଭଳି ଆତ୍ମା ପ୍ରାଣରୂପରେ ଭୂତସମୂହରେ ବ୍ୟାପ୍ତ ହୋଇରହିଥାଏ ଏବଂ ସମସ୍ତ ଜୀବଙ୍କୁ ଚୈତନ୍ୟ ସମ୍ପାଦନ କରିଥାଏ । ଯେ କେହି ଏହି ପ୍ରାଣର ଉପାସନା କରନ୍ତି, ତାଙ୍କର ପ୍ରାଣ ସ୍ଥିର ହୋଇଯାଏ ଏବଂ ସେହି ସ୍ଥିର ପ୍ରାଣରେ ଆତ୍ମଚୈତନ୍ୟ ସ୍ୱରୂପର ଉପଲବ୍ଧି ହୁଏ । ଏହି ଆତ୍ମଚୈତନ୍ୟ ସର୍ବତ୍ର ସମଭାବରେ ବିରାଜମାନ ଅଟେ, ଯିଏ ଭକ୍ତିର ସହିତ ଭଜନ ଅବା କ୍ରିୟା କରିଥାନ୍ତି, ତାଙ୍କ ସମ୍ମୁଖରେ ସେ ନିଜର ସଚ୍ଚିଦାନନ୍ଦମୟ ନିତ୍ୟ ଚୈତନ୍ୟଭାବକୁ ପ୍ରକାଶିତ କରିଥାନ୍ତି । ଆତ୍ମା ସ୍ନେହବଶତଃ ଅବା ଦ୍ୱେଷବଶତଃ କାହା ସମ୍ମୁଖରେ ନିଜର ସ୍ୱରୂପକୁ ପ୍ରକଟ କରିଥାଏ ଅବା ଗୋପ୍ୟ ରଖିଥାଏ, ଏଭଳି କଥା ନୁହେଁ । ଚାଞ୍ଚଲ୍ୟ ଏବଂ ସ୍ଥିରତ୍ୱ ସେଥିରେ ସ୍ୱତଃ ସିଦ୍ଧଭାବରେ ବିଦ୍ୟମାନ ଅଟେ । ଯିଏ ସାଧନଶକ୍ତି ବଳରେ ପ୍ରାଣକୁ ସ୍ଥିର କରିଥାନ୍ତି, ତାଙ୍କୁ ସେହି ସ୍ଥିର ପ୍ରାଣରେ ବ୍ରହ୍ମଙ୍କର ସଚ୍ଚିଦାନନ୍ଦମୟ ନିତ୍ୟ ଚିନ୍ମୟ ଭାବ ଉପଲବ୍ଧ ହୁଏ । ଯିଏ ସାଧନା କରନ୍ତି ନାହିଁ, ତାଙ୍କ ସମ୍ମୁଖରେ ଏହି ଭାବର ପ୍ରକାଶ ଅବରୁଦ୍ଧ ହୁଏ । ଚଞ୍ଚଳ ପ୍ରାଣ ଭିତରେ ସ୍ୱତଃ ଏହି ଭାବର ସ୍ଫୁରଣ ହୋଇପାରେ ନାହିଁ, ଏଥିପାଇଁ ପ୍ରାଣକୁ ସ୍ଥିର କରିବା ଆବଶ୍ୟକ ଅଟେ । ପ୍ରାଣ ସ୍ଥିର ହେଲେ ଆତ୍ମାର ସଚ୍ଚିଦାନନ୍ଦଭାବର ସ୍ୱତଃ ପ୍ରକାଶ ଆବରଣହୀନ ହୋଇଯାଏ । ଯିଏ ଭଗବାନଙ୍କର ଭକ୍ତ ଅଟନ୍ତି, ସେ ଏହା ଜାଣନ୍ତି ଏବଂ ଜାଣିବା କାରଣରୁ ହିଁ ଭଜନରୁ କଦାପି ନିବୃତ୍ତ ହୁଅନ୍ତି ନାହିଁ । ଆତ୍ମଚୈତନ୍ୟ ହିଁ ପ୍ରାଣରୂପେ ବିଦ୍ୟମାନ ଅଟନ୍ତି, ଅଭକ୍ତମାନେ ଏହାକୁ ବିଶ୍ୱାସ କରିପାରନ୍ତି ନାହିଁ, ଏହି କାରଣରୁ ସେମାନେ ପ୍ରାଣର ଉପାସନା ନକରି କେବଳ ବିଷୟଭୋଗ ନିମନ୍ତେ ଆକୁଳ ରହନ୍ତି, ଏହାର ଫଳସ୍ୱରୂପ ବିବିଧ ଦୁଃଖ ଜ୍ଜ୍ୱାଳାରେ ଦଗ୍ଧ ହୋଇ ଭସ୍ମ ହେଉଥାନ୍ତି ଆଉ ଶାନ୍ତିର ମୁଖ କଦାପି ଦେଖିପାରନ୍ତି ନାହିଁ ।।୨୯।।
ଅନନ୍ତ ବ୍ରହ୍ମରେ ଅବସ୍ଥାନ ନକରି—ଯିଏ ଦୁଷ୍ଟ ଆଚରଣ କରିଥାଏ—ସେ ଯଦି ସ୍ୟାତ୍ ଅନନ୍ୟଚିତ୍ତ ହୋଇ ଆତ୍ମାରେ ଅବସ୍ଥାନ କରେ—ତାଙ୍କୁ ସାଧୁ ବୋଲି ଭାବିବା ଠିକ୍ ଅଟେ, ସମ୍ୟକ୍ରୂପେ ବ୍ୟବସିତ ଅର୍ଥାତ୍ ଫଳାକାଂକ୍ଷା ସହିତ କର୍ମକଲେ ମଧ୍ୟ—
–ଅତ୍ୟନ୍ତ ପାପାସକ୍ତ ବ୍ୟକ୍ତିକୁ ମଧ୍ୟ ଅଭୟ ପ୍ରଦାନ କରି ଭଗବାନ୍ କହୁଛନ୍ତି—ହେ ଜୀବ, ତୁମେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଗର୍ହିତ କର୍ମ କରିଛ, ଏ ସମୟରେ କଣ ତୁମକୁ ନିଜର କୃତ କର୍ମ ପାଇଁ ପଶ୍ଚାତାପ ହେଉଅଛି ? ତୁମପାଇଁ କୌଣସି ଉପାୟ ନାହିଁ, ତୁମର ରକ୍ଷାକାରୀ ଆଉ କେହି ନାହାଁନ୍ତି, ଏଥର କଣ ତୁମେ ମୋର ଶରଣାପନ୍ନ ହୋଇପାରିବ ? ଯଦି ମୋର ଶରଣାପନ୍ନ ଏବଂ ଅନନ୍ୟ ଭଜନଶୀଳ ହୋଇପାରିବ ତେବେ ତୁମକୁ ଆଉ କୌଣସି ଭୟ ରହିବନାହିଁ । ଏଥିରୁ ଜଣାଯାଉଛି କି, ଭଜନଶୀଳ ହେବା ଆବଶ୍ୟକ, କାରଣ ଯିଏ ଭଜନଶୀଳ ହୋଇଥାନ୍ତି ସେ ଅଭୟ ପ୍ରାପ୍ତ କରିଥାନ୍ତି । ଅତଃ ଭଗବଦ୍ ଭଜନ ହିଁ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ଅଟେ ।
ବସ୍ତୁତଃ ଯାହାଙ୍କର ଚିତ୍ତ ଆତ୍ମାରେ ରମଣ କରେନାହିଁ, ସେ ଦୁଷ୍ଟ କର୍ମ କରିବ ତ ନିଶ୍ଚିତ । ହେଲେ ଏପ୍ରକାର ଦୁଷ୍ଟବୁଦ୍ଧି ଜୀବର କଦାପି ଉଦ୍ଧାର ହେବନାହିଁ, ଏଭଳି କଥା ନୁହେଁ । କେହି ଚାହାଁନ୍ତି ଯେଉଁଭଳି କୁକର୍ମୀ ହେଉପଛକେ, ଦିନେ ନାଁ ଦିନେ ତାକୁ ଜାଗ୍ରତ ହେବାକୁ ପଡ଼ିବ, ସତ୍ୟପଥ ଗ୍ରହଣ କରି ଚାଲିବାକୁ ପଡ଼ିବ, ଏହା ଈଶ୍ୱରୀୟ ନିୟମ ଅଟେ । ଯଦି କୁହ କି ଅତ୍ୟନ୍ତ କୁକର୍ମୀ ତାଙ୍କର ଭଜନ କିପରି କରିବ ? କଣ ସେ ଇଚ୍ଛା ହେବାପରେ ମଧ୍ୟ ସହଜରେ ଭଗବାନଙ୍କଠାରେ ମନଲଗାଇ ପାରିବେ ? ଅନନ୍ୟ ଭକ୍ତିର ହେବା ତ ଦୂର କଥା, ସେଥିପାଇଁ ସାଧାରଣରୂପେ ମଧ୍ୟ ଭଜନ କରିବା ଦୁରୂହ ଅଟେ । ଠିକ୍ ଅଛି, ପ୍ରଥମେ ପ୍ରଥମେ ସେ ଏଭଳି କରିପାରିବ ନାହିଁ ଆଉ ଏହା ମଧ୍ୟ ଠିକ୍ କି, ସେ ଅନନ୍ୟ ଭଜନଶୀଳ ହୋଇପାରିବ ନାହିଁ ତଥାପି ଯଦି କୌଣସି ପ୍ରକାରେ ତାହାର ମନ ଭଗବାନଙ୍କ ଦିଗକୁ ଆକର୍ଷିତ ହୁଏ, ତେବେ ସେ ସମ୍ପୂର୍ଣ୍ଣରୂପେ ନିରାଶ୍ରୟ ହୋଇରହିବ ନାହିଁ । ଯେଉଁଭଳି, ଧରିନିଅ କୌଣସି ଦୁରାଚାରୀ କୁକର୍ମ କରି କୁତ୍ସିତ ରୋଗରେ ପୀଡ଼ିତ ଅଟେ । ସେହିଭଳି ଅବସ୍ଥାରେ ତା ପାଇଁ ଏକ ସଦ୍ବୈଦ୍ୟଙ୍କର ଆଶ୍ରୟ ନେବା ବ୍ୟତିରେକ ଅନ୍ୟ କି ଉପାୟ ରହିଛି ? ତା ଶରୀର ମଧ୍ୟରେ ନିଦାରୁଣ ରୋଗର ଯାତନା ହିଁ ତାହାକୁ ଚିକିତ୍ସକଙ୍କ ଦ୍ୱାରରେ ପହଞ୍ଚାଇ ଦେଇଥାଏ । ମନୁଷ୍ୟ ଯେତେବେଳେ ନିଜର କୃତ ପାପସମୂହର ଜ୍ଜ୍ୱାଳାରେ ଦଗ୍ଧ ହେବାରେ ଲାଗେ, ସେତେବେଳେ ଯେଉଁ ନିରାଶ୍ରୟଙ୍କର ଆଶ୍ରୟ ଅଛନ୍ତି, ଯିଏ ଭଗବାନ୍ ଅଟନ୍ତି, ଯିଏ ଜୀବମାନଙ୍କର ଆତ୍ମା ଅଟନ୍ତି, ସେ ଆତ୍ମାର ଶରଣ ଗ୍ରହଣ କରିବାରେ କଣ ସେ ଉପେକ୍ଷା କରିପାରେ ? ଯିଏ ତାଙ୍କର ଶରଣ ପଶନ୍ତି, ଶରଣାଗତବତ୍ସଳ କଦାପି ତାଙ୍କ ଆବେଦନର ଉପେକ୍ଷା କରିପାରନ୍ତି ନାହିଁ । ହେଲେ ବାସ୍ତବିକ ଶରଣାଗତ ହେବାପାଇଁ ପଡ଼ିବ, ମନ ଲଗାଇ କ୍ରିୟା କରିକରି ମନକୁ ନିଶ୍ଚଳ କରିବାପାଇଁ ପଡ଼ିବ । ଏପରି ବିଚାର କରିବା ଉଚିତ ନୁହେଁ କି, କୁକର୍ମରେ ରତ ପୁରୁଷ ତାଙ୍କର ଶରଣାପନ୍ନ ହେବାମାତ୍ରେ ତାଙ୍କର ବୈକୁଣ୍ଠର ପାର୍ଷଦ ହୋଇଯିବେ । ହେଲେ ତାଙ୍କର ମନ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଓଲଟା ରାସ୍ତା ବା ବିପରୀତମାର୍ଗକୁ ଯାଉଥିଲା, ସେ ସେହି ମାର୍ଗରୁ ହଟିଯିବ । ତାହାର ଚିତ୍ତର ଗତି ପରିବର୍ତ୍ତିତ ହୋଇଯିବ । ଏହିଭଳି ସୁମାର୍ଗ ଗ୍ରହଣ କରି ଯିଏ ପରିଚାଳିତ ହେବା ଆରମ୍ଭ କରିଥାନ୍ତି, ତାଙ୍କର ମନ ଧୀରେଧୀରେ ଉନ୍ନତ ହୁଏ ଏବଂ ଆଗକୁ ଯାଇ ତାଙ୍କର ଚିତ୍ତ ଅନନ୍ୟଭାବରେ ଆତ୍ମାରେ ରମଣ କରିଥାଏ । ଏଥିପାଇଁ ଦୁରାଚାରୀ ବ୍ୟକ୍ତି ମଧ୍ୟ ଯେତେବେଳେ ଆତ୍ମନିଷ୍ଠ ହୋଇ ଭଜନ ଆରମ୍ଭ କରିଦିଏ ଏବଂ ଭଜନରୁ ଆନନ୍ଦ ପ୍ରାପ୍ତ କରିଥାଏ, ସେତେବେଳେ ତାହାର ଗଣନା ସାଧୁମାନଙ୍କ ମଧ୍ୟରେ ହେବା ଆବଶ୍ୟକ । କାହିଁକି ନାଁ ସେହି ଆତ୍ମନିଷ୍ଠ କ୍ରିୟାବାନ୍ ବ୍ୟକ୍ତି ଶୀଘ୍ର ହିଁ ଦୁଷ୍କୃତିରୁ ମୁକ୍ତ ହୋଇଯିବ ଏବଂ ପୁନଃ କୁକର୍ମରେ ତାହାର ଆସକ୍ତି ଅବା ପ୍ରବୃତ୍ତି ରହିବନାହିଁ । କର୍ମ ସେତେବେଳେ ଅଶୁଭ କର୍ମ ହୁଏ, ଯେତେବେଳେ ସେ ଜୀବକୁ ଜନ୍ମ-ମୃତ୍ୟୁ ପାଶରେ ଆବଦ୍ଧ କରିଥାଏ । ଏହି ଜନ୍ମମୃତ୍ୟୁର ଚକ୍ରରେ ଘୂରିବୁଲିବା ହିଁ ପାପର ଫଳ ଅଟେ । ଶୁଭାଶୁଭ ବାସନା ଦ୍ୱାରା ହିଁ ଜୀବ ଏହି କର୍ମ ଚକ୍ରରେ ଜଡ଼ିତ ହୋଇଯାଏ । ଭଗବାନଙ୍କଠାରୁ ଉଦାସୀନ ହୋଇ ରହିବା ଅପେକ୍ଷା ସକାମ ଭାବରେ ମଧ୍ୟ ତାଙ୍କର ଭଜନ କରିବା ଉତ୍ତମ ଅଟେ, କିନ୍ତୁ ଯେପର୍ଯ୍ୟନ୍ତ ସକାମ ଭାବ ରହିଥାଏ, ସେପର୍ଯ୍ୟନ୍ତ ଆତ୍ମାଭିମୁଖ ଲକ୍ଷ୍ୟ ହୋଇନଥାଏ, ସେପର୍ଯ୍ୟନ୍ତ ଯଥାର୍ଥରୂପେ ଅଗ୍ରସର ମଧ୍ୟ ହୋଇପାରେ ନାହିଁ । କିନ୍ତୁ ଯେଉଁ ଆତ୍ମନିଷ୍ଠ ବ୍ୟକ୍ତି ପ୍ରତିଦିନ ନିୟମିତ ରୂପେ କ୍ରିୟା କରିଥାନ୍ତି, ସେ ଯଦି ପୂର୍ବ ପ୍ରକୃତି ଦ୍ୱାରା ଅବଶ ହୋଇ ମଝିରେ ମଝିରେ କୁକର୍ମ ମଧ୍ୟ କରିପକାନ୍ତି ତେବେ ମଧ୍ୟ ତାଙ୍କୁ କୌଣସି ଭୟ ନଥାଏ, ସେ ଶୀଘ୍ର ହିଁ ଅଶୁଭ ସଂସର୍ଗ ତ୍ୟାଗ କରିବାରେ ସମର୍ଥ ହୁଅନ୍ତି । ଏହାର କାରଣ ହେଉଛି କି, ଯିଏ ବ୍ୟାକୁଳ ପ୍ରାଣରେ ପ୍ରତିଦିନ ନିୟମିତ ରୂପେ ସାଧନ କରନ୍ତି ତାଙ୍କୁ ଭଜନାନନ୍ଦଙ୍କ ରସ ନିଶ୍ଚିତରୂପେ ମିଳିବ । ଭଜନାନନ୍ଦଙ୍କ ରସ ପାଇବାରୁ ବିଷୟାନନ୍ଦରୁ ବିରସ ଜଣାଯିବ । ପ୍ରାଚୀନ ଇତିହାସରେ ମଧ୍ୟ ଦେଖାଯାଏ କି, ରତ୍ନାକର ଦୁରାଚାରୀ ହେବାପରେ ବି ସାଧୁସଙ୍ଗର ମହିମାଦ୍ୱାରା ଯେତେବେଳେ ନିଜର ବାସ୍ତବିକ ଦୁରାବସ୍ଥା ସମ୍ପର୍କରେ ଅବଗତ ହେଲେ, ସେତେବେଳେ ସେ ସାଧୁଙ୍କ ଶରଣାପନ୍ନ ହୋଇ ଭଜନରେ ଚିତ୍ତକୁ ଲଗାଇବାପାଇଁ ଚେଷ୍ଟା କଲେ । ନିରନ୍ତର ଚେଷ୍ଟା ଏବଂ ଅନେକ ଦିନର ପରିଶ୍ରମ ଦ୍ୱାରା ତାଙ୍କର ଚିତ୍ତ ଶାନ୍ତ ହୋଇଗଲା ଆଉ ତାଙ୍କର ବିଷୟାଭିମୁଖୀ ପ୍ରବୃତ୍ତି ବନ୍ଦ ହୋଇଗଲା । ତାଙ୍କର ମନ ନିଶ୍ଚଳ ହୋଇ ଆତ୍ମାରେ ପ୍ରତିଷ୍ଠିତ ହୋଇଗଲା । ଏହିଭଳି ଡ଼ାକୁ ରତ୍ନାକର ମହାମୁନି ବାଲ୍ମିକୀ ହୋଇଗଲେ । ଅନନ୍ୟ ଭଜନର ଏହା ହିଁ ଫଳ ଅଟେ ।
ଅତିପାପପ୍ରସକ୍ତୋଽପି ଧ୍ୟାୟନ୍ନିମିଷମଚ୍ୟୁତମ୍ ।
ଭୂୟସ୍ତପସ୍ୱୀ ଭବତି ପଙ୍କ୍ତିପାବନପାବନଃ ।।
ଅତ୍ୟନ୍ତ ପାପାସକ୍ତ ବ୍ୟକ୍ତି ମଧ୍ୟ ଯଦି ଅନନ୍ୟଚିତ୍ତରେ ନିମେଷମାତ୍ର ମଧ୍ୟ ଭଗବାନଙ୍କର ଧ୍ୟାନ ଅବା ଚିନ୍ତନ କରିଥାଏ ତେବେ ସେ ତପସ୍ୱୀ ହୋଇଯାଏ ଏବଂ ସେହି ବ୍ୟକ୍ତି ଯେଉଁ ପଂକ୍ତି ଅବା ଲୋକଙ୍କର ମଣ୍ଡଳିରେ ରହିଥାଏ, ତାଙ୍କୁ ମଧ୍ୟ ପବିତ୍ର କରିଦେଇଥାଏ ।।୩୦।।
ଶୀଘ୍ର ସେ ଧର୍ମାତ୍ମା ହୋଇଯିବ ଅର୍ଥାତ୍ କ୍ରିୟା କରିବ—ତଥା କ୍ରିୟାର ପରାବସ୍ଥାରେ ରହି ଶାନ୍ତିପଦକୁ ପ୍ରାପ୍ତ କରିବ । ମୁଁ ପ୍ରତିଜ୍ଞା କରି କହୁଛି, ଯେକେହି ଗୁରୁବାକ୍ୟରେ ବିଶ୍ୱାସ କରିବେ ଏବଂ ସର୍ବଦା ଉତ୍ତମ ରୂପେ କ୍ରିୟା କରିବେ ତାଙ୍କର କଦାପି ବିନାଶ ହେବନାହିଁ ।
–ପୂର୍ବ ଶ୍ଳୋକରେ କୁହାସରିଛି କି, ଦୁରାଚାରୀ ମଧ୍ୟ ଯଦି ଭଗବାନଙ୍କର ଭଜନ କରେ ତେବେ ସେ ସାଧୁ ରୂପେ ଗଣ୍ୟ ହୁଏ, କାହିଁକି ନାଁ ସେ ଉତ୍ତମ ମାର୍ଗ ଗ୍ରହଣ କରିଛି, ହେଲେ ସାଧୁମାର୍ଗର ଅବଲମ୍ବନ କରି ମଧ୍ୟ ସେ ଧର୍ମାତ୍ମା ହୋଇପାରିବ, ଏହା ବୁଝିହେଉନାହିଁ । କାରଣ ପାପ ପ୍ରବୃତ୍ତିର ସଂସ୍କାର ମଧ୍ୟ ଖୁବ୍ ପ୍ରବଳ ହୁଏ । ସେ ଇଚ୍ଛା ନ କଲେ ମଧ୍ୟ ପୂର୍ବ ସଂସ୍କାର ତାକୁ ପାପ କର୍ମର ପ୍ରେରଣା ନିଶ୍ଚିତରୂପେ ଦେବେ, ସେ ବାଧ୍ୟ ହୋଇ ଅନ୍ୟାୟ କରିବ ଏବଂ ଅଶୁଭ ଚିନ୍ତା କରିବ । ଏଥିପାଇଁ ଭଗବାନ୍ ଉତ୍ସାହିତ କରି କହନ୍ତି କି ପୂର୍ବାଭ୍ୟସ୍ତ ଦୁଷ୍କର୍ମ ତାକୁ ଆଉ ବିନାଶ ମାର୍ଗରେ ନେଇପାରିବ ନାହିଁ, ସେ ଶୀଘ୍ର ଧର୍ମାତ୍ମା ହୋଇଯିବ ଅର୍ଥାତ୍ କ୍ରିୟା କରି ଧର୍ମଶୀଳ ହୋଇଯିବ । ଧର୍ମ କଣ? “ଧାରଣାତ୍ ଧର୍ମମିତ୍ୟାହୁଃ”—ପ୍ରାଣର ଅବିରତ ଚାଞ୍ଚଲ୍ୟରେ ମନ ସତତ ଉତ୍କ୍ଷିପ୍ତ ହେଉଅଛି, ଚଞ୍ଚଳ ମନ ପାଇଁ ଅକରଣୀୟ କିଛି ବି ରହେନାହିଁ, ସେହି ଚଞ୍ଚଳ ମନ କ୍ରିୟାଭ୍ୟାସ ଦ୍ୱାରା ସ୍ଥିର ହୋଇଯିବ ଅବା ଅଟକି ଯିବ—ଏହି ଯୋଗଧାରଣା ହିଁ ଧର୍ମ ଅଟେ ଏବଂ ମନର ଚାଞ୍ଚଲ୍ୟବିକ୍ଷେପ ହିଁ ଅଧର୍ମ ଅଟେ । ଏହି ଯୋଗଧାରଣାରୂପ ସ୍ଥିରାବସ୍ଥା ହିଁ ବାସ୍ତବିକ ଧାର୍ମିକ ଅବସ୍ଥା ଅଟେ । ଯାହାର ଏଭଳି ଅବସ୍ଥା ହୁଏ, ସେ ଅନନ୍ୟଭାକ୍ ହୋଇ ଶାଶ୍ୱତ ଶାନ୍ତିପଦ ପ୍ରାପ୍ତ କରିଥାଏ । ଏଥିପାଇଁ ଭଗବାନ୍ କହିଛନ୍ତି, ପ୍ରତିଜ୍ଞା କରି ଏ କଥା କୁହାଯାଇପାରିବ କି, ‘ଯେ କେହି ଗୁରୁବାକ୍ୟରେ ବିଶ୍ୱାସ କରି ଭକ୍ତିପୂର୍ବକ କ୍ରିୟା କରିବେ, ସେ ବିନାଶକୁ ପ୍ରାପ୍ତ ହେବନାହିଁ ।’ ଦେହରେ ଆତ୍ମବୋଧ ହିଁ ଯଥାର୍ଥରେ ମୃତ୍ୟୁ ଅଟେ । ଯିଏ ଉତ୍ତମ କ୍ରିୟାବାନ୍ ଅଟନ୍ତି, ସେ କ୍ରିୟା କରି କ୍ରିୟାର ପରାବସ୍ଥାକୁ ନିଶ୍ଚିତରୂପେ ପ୍ରାପ୍ତ କରିବେ । ଏହି ଅବସ୍ଥା ପ୍ରାପ୍ତ ହେଲେ ଆଉ ଦେହାତ୍ମବୋଧ ରହିବନାହିଁ, ଅତଃ ତାହାର ଜନ୍ମ-ମରଣର ଖେଳ ମଧ୍ୟ ବନ୍ଦ ହୋଇଯିବ ।।୩୧।।
ଆତ୍ମାକୁ ଜାଗ୍ରତ କରି—ଯେ କୌଣସି ପାପଯୋନି ହୋଇଥାଉ—ସ୍ତ୍ରୀ-ବୈଶ୍ୟ-ଶୂଦ୍ର—ସେମାନେ ମଧ୍ୟ ପରମଗତିକୁ ପ୍ରାପ୍ତ ହୋଇଥାନ୍ତି—ଅର୍ଥାତ୍ କ୍ରିୟାର ପରବର୍ତ୍ତୀ ସ୍ଥିତିକୁ ପ୍ରାପ୍ତ ହୁଅନ୍ତି ।
–ଯେଉଁ ସାଧକ ଆତ୍ମସ୍ଥ ହେବାପାଇଁ ପ୍ରଯତ୍ନ କରନ୍ତି, ସେ ଯେଉଁ ଯୋନିରେ ଉତ୍ପନ୍ନ ହୁଅନ୍ତୁ ନାଁ କାହିଁକି, ମୁକ୍ତି ପ୍ରାପ୍ତ କରିଥାନ୍ତି । କ୍ରିୟା ସାଧନରେ ସମସ୍ତଙ୍କୁ ଅଧିକାର ରହିଛି, କ୍ରିୟା କରିବାରେ ହିଁ କ୍ରିୟା ପରବର୍ତ୍ତୀ ସ୍ଥିତି ଯାହା ଶାନ୍ତିପଦ ଅଟେ, ତାହା ସମସ୍ତଙ୍କୁ ପ୍ରାପ୍ତ ହୋଇପାରେ । ଏଥିରେ ଅନ୍ତ୍ୟଜ ଜାତି, ସ୍ତ୍ରୀ, ଶୂଦ୍ର, ବୈଶ୍ୟ ଭେଦରେ କୌଣସି ତାରତମ୍ୟ ନଥାଏ । ଯେକେହି ଆତ୍ମାର ଆଶ୍ରୟ ନେଇ ଗୁରୁଙ୍କର ଉପଦେଶ ଅନୁସାରେ ସାଧନ କରିବେ, ସେ ନିଶ୍ଚିତ ଭାବରେ ପରମପଦକୁ ପ୍ରାପ୍ତ ହେବେ । ଅନୁଗୀତାରେ ଉଲ୍ଲେଖ ଅଛି କି, “ସ୍ୱଧର୍ମନିରତ ବ୍ରାହ୍ମଣ ଏବଂ କ୍ଷତ୍ରିୟଙ୍କ କଥା ତ ଦୂରେ ଥାଉ, ପାପନିରତ, ସ୍ତ୍ରୀ, ବୈଶ୍ୟ ଏବଂ ଶୂଦ୍ର ମଧ୍ୟ ଏହି ଆତ୍ମଦର୍ଶନରୂପୀ ଧର୍ମର ଆଶ୍ରୟ କରି ଅନାୟାସରେ ପରମଗତି ପ୍ରାପ୍ତ କରିବାରେ ସମର୍ଥ ହୋଇଥାନ୍ତି । ଛଅମାସ ଯୋଗସାଧନ କଲେ ହିଁ ଯୋଗଫଳ ପ୍ରାପ୍ତ ହୁଏ, ଏଥିରେ ସନ୍ଦେହ ନାହିଁ” ଚାଞ୍ଚଲ୍ୟ ହିଁ ମନର ମଳ ଅଟେ । ଏହି ମଳ ଦୂର ନ ହେବାଯାଏଁ ମନ ଶୁଦ୍ଧ ହୁଏନାହିଁ, ଚିତ୍ତ ନିଶ୍ଚଳ ହେଲେ ହିଁ ପରମପଦ ସାକ୍ଷାତ୍କାର ରୂପ ବିମଳ ଜ୍ଞାନ ସମୁଦିତ ହୁଏ ଏବଂ ସାଧକ କୃତାର୍ଥ ହୋଇଯାଏ । ପ୍ରାଣାୟାମ ଦ୍ୱାରା ଏହି ମଳର ବିଶୁଦ୍ଧି ହୁଏ, ତତ୍ପଶ୍ଚାତ୍ ଶୁଦ୍ଧ ହୃଦୟ ସାଧକ ଜୀବନ୍ମୁକ୍ତ ଅବସ୍ଥା ପ୍ରାପ୍ତକରି ପରମାତ୍ମାଙ୍କ ସ୍ୱରୂପର ସାକ୍ଷାତ୍କାର କରିଥାନ୍ତି ଅର୍ଥାତ୍ ପରମବ୍ରହ୍ମଙ୍କ ସହିତ ଅଭିନ୍ନଭାବରେ ଅବସ୍ଥାନ କରନ୍ତି ।।୩୨।।
ବ୍ରାହ୍ମଣ ପୁଣ୍ୟବାନ୍, ଉତ୍ତମ ରାଜର୍ଷି—ସେମାନଙ୍କ କଥା ଆଉ କଣ କହିବା ? ଏହି ଚଳମାନ ଜଗତ ଅନିତ୍ୟ ଅଟେ—ଗୋଟିଏ ବି ବସ୍ତୁରେ ସୁଖ ନାହିଁ—ଆତ୍ମଚିନ୍ତା ଏବଂ କ୍ରିୟାକୁ ଛାଡ଼ି—ଏହାକୁ ପ୍ରାପ୍ତ କରି କ୍ରିୟା କରିଚାଲ ।
–ଜ୍ଞାନ-ଭକ୍ତିରେ ଅଧିକାର ଅନ୍ୟ ଯୋନିମାନଙ୍କର ନାହିଁ, କେବଳ ମନୁଷ୍ୟଜନ୍ମରେ ଅଛି । ଏହି କାରଣରୁ ପୁରୁଷାର୍ଥକ ସାଧନ ମନୁଷ୍ୟ-ଜନ୍ମ ଅତ୍ୟନ୍ତ ଦୁର୍ଲ୍ଲଭ ଅଟେ । ପୁଣ୍ୟଶୀଳ ଏବଂ ଭକ୍ତିମାନ୍ ବ୍ରାହ୍ମଣ ତଥା ରାଜର୍ଷି-ଶରୀର ପ୍ରାପ୍ତ କରିବା ଆହୁରି ଅଧିକ ଦୁର୍ଲ୍ଲଭତର ଅଟେ । ମନୁଷ୍ୟ ଦେହ ପ୍ରାପ୍ତ କରିବା ଦୁର୍ଲ୍ଲଭ କାହିଁକି ? କାହିଁକି ନାଁ ଏହି ଦେହ ଦ୍ୱାରା ସାଧନ କରାଯାଇଥାଏ, ଚେଷ୍ଟା କଲେ ଯୋଗାଭ୍ୟାସ ଦ୍ୱାରା ଏହି ଶରୀରରେ ସୁଷୁମ୍ନା ଉନ୍ମୁକ୍ତ ହୋଇପାରେ, ସୁଷୁମ୍ନା ଉନ୍ମୁକ୍ତ ହେଲେ ମୋକ୍ଷଦ୍ୱାରର ଅର୍ଗଳା ଖୋଲିଯାଏ । ମନୁଷ୍ୟଦେହରେ ଯେକେହି ସାଧନ କରିବେ, ସେ ମୁକ୍ତିର ଆସ୍ୱାଦନ କରିପାରିବେ । ଯେଉଁ ଲୋକମାନେ ଦୃଢ଼ତାପୂର୍ବକ ସାଧନ-ସମରରେ ବିନିଯୋଗ ହୋଇଯାନ୍ତି ତଥା ଯେଉଁମାନେ ଏହି ଦେହ ଦ୍ୱାରା କ୍ରିୟାର ପରାବସ୍ଥାରୂପୀ ବ୍ରହ୍ମାନନ୍ଦ ରସର ଅନୁଭବ କରନ୍ତି, ସେମାନଙ୍କ କଥା କହିବାର କି ପ୍ରୟୋଜନ ? ହେଲେ ସାଧନରେ ଅଧିକ ବିଳମ୍ବ କରନାହିଁ, କାରଣ ସାଧନ ନିମନ୍ତେ ଉପଯୁକ୍ତ ମାନବ ଦେହ ବ୍ୟତିରେକ ଦୁର୍ଲ୍ଲଭ ଦେହ ଆଉ ନାହିଁ, ହେଲେ ଦେହ କ୍ଷଣଭଙ୍ଗୁର ଅଟେ, ଆଜି ଅଛି ତ କାଲି ନାହିଁ, ଏହାର କିବା ଭରସା ? ଅତଃ ବିଳମ୍ବ ନକରି ସାଧନାରେ ଲାଗିଯାଅ । ଏକ ଆତ୍ମଚିନ୍ତନ ବ୍ୟତିରେକ ଯେକୌଣସି ସାଂସାରିକ ବସ୍ତୁରେ ସୁଖ ନାହିଁ । ଯଦି ଜନ୍ମ-ମରଣ-ସଂକଳ୍ପ ଦୁଃଖଦାବାଗ୍ନି-ଜର୍ଜରିତ ଦେହ ପ୍ରାପ୍ତ କରି ସାଧନା କରିବ ତେବେ ବାସ୍ତବିକ ସୁଖ ଏବଂ ଶାନ୍ତି ଲାଭ କରିବ ।।୩୩।।
ଆତ୍ମାରେ ଅବସ୍ଥାନ କର ଗୁରୁବାକ୍ୟରେ ବିଶ୍ୱାସ କରି—କ୍ରିୟା କର—ଓଁକାରର କ୍ରିୟା କର—ଅଚଳ ରୁହ—ମୋର ହୋଇଯିବ ଯଦି କ୍ରିୟା କରିଚାଲିବ ।
–ବିଷୟ ହିଁ ମନକୁ ବିଭ୍ରାନ୍ତ କରି ଆକର୍ଷିତ କରିଥାନ୍ତି, ମନ ଯଦି ବିଷୟସମୂହରୁ ନିବୃତ୍ତ ହୋଇଯାଏ, ତେବେ ସେହି ମନ ଆଉ କେଉଁଠାରେ ଅବସ୍ଥାନ କରିବ ?—ସେହି ମନ ଆତ୍ମାକାରରେ ଆକାରିତ ହୋଇଯିବ । ଏଥିପାଇଁ ମନ ଲଗାଇ କ୍ରିୟା କର, ମନ ଲଗାଇ କ୍ରିୟା କଲେ ମନ ବିଷୟସମୂହ ଆଡ଼କୁ ଧାବିତ ହେବନାହିଁ, ବରଂ ଅଚଳ ରହିବ । ସମସ୍ତ ବସ୍ତୁରେ ‘ମୁଁ’ ଜଡ଼ିତ ହୋଇରହିଛି, ଏହି ‘ମୁଁ’ କୁ ମୁକ୍ତକରି ଆଣିବାପାଇଁ ପଡ଼ିବ ଏବଂ ଓଁକାର-କ୍ରିୟା ଦ୍ୱାରା ସେହି ଆତ୍ମାରେ ପ୍ରତିଷ୍ଠିତ କରାଇବାକୁ ପଡ଼ିବ । ହେଲେ ଯଦି କ୍ରିୟା କରିବନାହିଁ, ତେବେ ଏହି ଆତ୍ମପ୍ରତିଷ୍ଠା ପ୍ରାପ୍ତ ହେବନାହିଁ, ‘ମୁଁ’ ହୋଇପାରିବ ନାହିଁ, ଆତ୍ମାରୂପ ଭଗବାନଙ୍କୁ ସର୍ବତ୍ର ଅବଗତ ହୋଇପାରିବ ନାହିଁ । କ୍ରିୟା କରିବାର ନାମ ହେଉଛି, ‘ମତ୍ପରାୟଣ’ ହେବା । ଉତ୍ତମ ରୂପେ କ୍ରିୟା କଲେ ଏକ ବିଚିତ୍ର ଅବସ୍ଥା ପ୍ରାପ୍ତ ହୁଏ, ସେହି ଅବସ୍ଥାରେ କୌଣସି ସଂଶୟ ରହେନାହିଁ, ପ୍ରଶ୍ନ ମଧ୍ୟ ରହିନଥାଏ, ଯାହା ଆବଶ୍ୟକ ହୁଏ ତାହା ନମାଗିଲେ ବି ଆସି ଉପସ୍ଥିତ ହୋଇଯାଏ । ସମଗ୍ର ଜଗତ୍ ସେତେବେଳେ ବ୍ରହ୍ମମୟ ହୋଇଯାଏ, ଯେଉଁ ବସ୍ତୁ ଦେଖାଯାଏ, ସେଥିରେ ବ୍ରହ୍ମସତ୍ତାର ଉପଲବ୍ଧି ହୁଏ । ଏହା ହେଉଛି ଶାନ୍ତିପଦ ! ସୁଷୁମ୍ନାର କ୍ରିୟା କରୁକରୁ ଊର୍ଦ୍ଧ୍ୱ ଅର୍ଥାତ୍ ମସ୍ତକରେ ସ୍ଥିତି ହୋଇଯାଏ, ସେତେବେଳେ ମନ ଆଉ ଅନ୍ୟ ଦିଗକୁ ଧାବିତ ହୁଏନାହିଁ । ଏହା ହିଁ କ୍ରିୟାର ପରାବସ୍ଥା ଅଟେ, ଏହି ଅବସ୍ଥା ପ୍ରାପ୍ତ ହେଲେ ସାଧକ ବ୍ରହ୍ମସଂଲୀନ ହୋଇଯାନ୍ତି । ସେ ‘ସର୍ବଂ ବ୍ରହ୍ମମୟଂ ଜଗତ୍’ ହୋଇଯାନ୍ତି ।
ଯଥା ନଦ୍ୟଃ ସ୍ୟନ୍ଦମାନାଃ ସମୁଦ୍ରେଽସ୍ତଂ ଗଚ୍ଛନ୍ତି ନାମରୂପେ ବିହାୟ ।
ତଥା ବିଦ୍ୱାନ୍ନାମରୂପାଦ୍ୱିମୁକ୍ତଃ ପରାତ୍ପରଂ ପୁରୁଷମୁପୈତି ଦିବ୍ୟମ୍ ।।ମୁଣ୍ଡକ।।
ଗଙ୍ଗା ଆଦି ନଦୀସମୂହ ପ୍ରବାହିତ ହୋଇ ଯେଉଁଭଳି ନିଜ ନିଜ ନାମ ଏବଂ ରୂପର ପରିତ୍ୟାଗକରି ସମୁଦ୍ରରେ ଅସ୍ତମିତ ହୋଇଯାନ୍ତି, ସେହିଭଳି ବିଦ୍ୱାନ୍ ପୁରୁଷ ମଧ୍ୟ ନାମରୂପରେ ବିମୁକ୍ତ ହୋଇ ପରାତ୍ପର ଚିନ୍ମୟ ପରମପୁରୁଷଙ୍କୁ ପ୍ରାପ୍ତ ହୋଇଥାନ୍ତି ।।୩୪।।
।। ଇତି ଶ୍ରୀ ଶ୍ୟାମାଚରଣ-ଆଧ୍ୟାତ୍ମିକଦୀପିକା-ନାମକ ଗୀତାର ନବମ ଅଧ୍ୟାୟର ଆଧ୍ୟାତ୍ମିକ ବ୍ୟାଖ୍ୟା ସମାପ୍ତ ।।
Be First to Comment