Press "Enter" to skip to content

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ଜ୍ଞାନେଶ୍ୱରୀ ଟୀକା)

Last updated on February 6, 2021

ହେ ଶ୍ରୋତାବୃନ୍ଦ ! ମୋର ସ୍ପଷ୍ଟ ପ୍ରତିଜ୍ଞା ହେଉଛି କି, ଯଦି ଆପଣମାନେ ପୂର୍ଣ୍ଣ ମନୋଯୋଗପୂର୍ବକ ମୋର ପ୍ରବଚନ ଶୁଣିବେ, ତେବେ ନିଶ୍ଚିତ ରୂପେ ଆପଣମାନଙ୍କୁ ସମସ୍ତ ପ୍ରକାର ସୁଖର ପ୍ରାପ୍ତି ହେବ । ହେଲେ ଏକଥା ମୁଁ ଗର୍ବର ସହିତ କହୁନାହିଁ, କାରଣ ଆପଣମାନେ ତ ସବୁକିଛି ଜାଣନ୍ତି, ତଥାପି ମୁଁ ଆପଣମାନଙ୍କ ଭଳି ଶ୍ରୋତାମାନଙ୍କୁ ଅତ୍ୟନ୍ତ ଆତ୍ମୀୟତା ସହିତ ବିନମ୍ର ନିବେଦନ କରୁଅଛି କି, ଆପଣମାନେ ମୋ କଥାକୁ ଧ୍ୟାନ ଦିଅନ୍ତୁ । ଏହାର ମୁଖ୍ୟ କାରଣ ହେଉଛି, ଯେଉଁଭଳି କୌଣସି ସ୍ତ୍ରୀଙ୍କୁ ଐଶ୍ୱର୍ଯ୍ୟସମ୍ପନ୍ନ ସମର୍ଥ ମାତା-ପିତା ପ୍ରାପ୍ତ ହୋଇଥାନ୍ତି ଏବଂ ସେମାନଙ୍କଠାରୁ ସେ ସମସ୍ତ ପ୍ରକାର ସ୍ନେହ ଆଦର ପାଇବା ସହିତ ତାଙ୍କର ମନୋରଥ ପୂର୍ଣ୍ଣ କରିଥାନ୍ତି, ସେହିଭଳି ମୋତେ ଆପଣମାନଙ୍କର ସହଯୋଗ ମିଳିଛି ଆଉ ଆପଣମାନଙ୍କ ଯୋଗୁଁ ମୋର ସମସ୍ତ ମନୋରଥ ସିଦ୍ଧ ହେବ । ଆପଣମାନଙ୍କର କୃପାଦୃଷ୍ଟିର ବର୍ଷଣ ଯୋଗୁଁ ମୋର ପ୍ରସନ୍ନତାର ବଗିଚା ଫଳଫୁଲରେ ପରିପୂର୍ଣ୍ଣ ହେଉଅଛି ଆଉ ସେହି ବଗିଚାର ଶୀତଳ ଛାୟା ଦେଖି ସଂସାର ତାପରେ ସନ୍ତପ୍ତ ମୋର ଜୀବ ସେହି ଛାୟାରେ ଆଶ୍ରୟ ନେଉଛନ୍ତି ତଥା ସେମାନଙ୍କ ତାପର ମଧ୍ୟ ଉପଶମ ହେଉଅଛି । ଆପଣମାନେ ସୁଖରୂପୀ ଅମୃତର ଗମ୍ଭୀର ଦେହ ଅଟନ୍ତି, ଏଥିପାଇଁ ମୁଁ ମନସନ୍ତୋଷକରି ସୁଖାମୃତ ପାନ କରିପାରିବି । ଏବେ ଏତେ ଉତ୍ତମ ଅବସର ପାଇବାପରେ ବି ଯଦି ମୁଁ ସ୍ନେହପୂର୍ଣ୍ଣ କଥା କହିବାକୁ ଭୟ କରିବି, ତେବେ ଆଉ ମୋତେ ସୁଖ ଶାନ୍ତି କେବେ ମିଳିବ ? ବାସ୍ତବିକତା ହେଉଛି କି, ଯେଉଁଭଳି ନିଜ ସନ୍ତାନର ପାଟିଲାଗୁଥିବା କଥା ଶୁଣି ଆଉ ତାହାର ଅଙ୍କା-ବଙ୍କା ହୋଇ ପଡ଼ୁଥିବା ପାଦକୁ ପ୍ରସନ୍ନତାପୂର୍ବକ ଦେଖି ସେହି ପିଲାଟିର ମାତାପିତା ଆନନ୍ଦିତ ହୋଇଥାନ୍ତି, ସେହିଭଳି ମୁଁ ମଧ୍ୟ ଆପଣଙ୍କଭଳି ସମସ୍ତ ସନ୍ତାନଙ୍କ ଭଲପାଇବା ପାଇବା ନିମନ୍ତେ ଏ ସବୁ କଥା କହୁଅଛି ନଚେତ୍‌ ଯଦି ମୋର ବକ୍ତୃତାର ଯୋଗ୍ୟତା ଦେଖାଯାଏ ତେବେ ତ ତାହା କିଛି ବି ନୁହେଁ କହିଲେ ଚଳେ ତାପରେ ଆପଣମାନେ ତ ସର୍ବଜ୍ଞ ଅଟନ୍ତି । ଏଭଳି ସ୍ଥିତିରେ ଯଦି ମୁଁ ଆପଣମାନଙ୍କଭଳି ଶ୍ରୋତାମାନଙ୍କ ସମ୍ମୁଖରେ ବସି ପ୍ରବଚନ ଦେବି ଆଉ ଆପଣମାନେ ତାହାକୁ ଶୁଣିବେ, ତେବେ ମୋର ଏହି ପ୍ରୟାସ ସ୍ୱୟଂ ସରସ୍ୱତୀଙ୍କ ପୁତ୍ରକୁ ସିଲଟରେ ପାଠଲେଖି ତାଙ୍କୁ ଶିକ୍ଷା ଦେବା ସଦୃଶ ହିଁ ହେବ । ଦେଖନ୍ତୁ, ଖଦ୍ୟୋତ ଯେତେ ବିଶାଳ ହେଉ ନାଁ କାହିଁକି, ତଥାପି ସୂର୍ଯ୍ୟଙ୍କର ମହାତେଜ ସମ୍ମୁଖରେ ତାହା ସମ୍ପୂର୍ଣ୍ଣରୂପେ ନିଷ୍କ୍ରିୟ ଅଟେ । ଏଭଳି ରସ-ପରିପାକ କିପରି ପ୍ରାପ୍ତ ହୋଇପାରିବ ଯାହା ଅମୃତପୂର୍ଣ୍ଣ ଥାଳିରେ ପରଶା ଯାଇପାରିବ ? ଏହା କଣ କେବେ ସମ୍ଭବ ଯେ, ସମସ୍ତଙ୍କୁ ଶୀତଳତା ପ୍ରଦାନ କରୁଥିବା ଚନ୍ଦ୍ରମାଙ୍କୁ ପଙ୍ଖାଦ୍ୱାରା ଆଲଟ କରାଯାଇପାରିବ ? ଅବା ସ୍ୱୟଂ ନାଦ-ତତ୍ତ୍ୱକୁ ଗୀତ ଶ୍ରବଣ କରାଯିବ ? ଅବା ଅଳଂକାରକୁ ଅଳଂକାର ପିନ୍ଧା ଯିବ ? ଯାହା ସ୍ୱୟଂ ସୁଗନ୍ଧ ଅଟେ, ସେ ପୁଣି କେଉଁ ଜିନିଷକୁ ଆଘ୍ରାଣ କରିବ ? ସ୍ନାନ କରିବାପାଇଁ ସ୍ୱୟଂ ସମୁଦ୍ର କେଉଁ ସ୍ଥାନକୁ ଯିବ ? ଏଭଳି କେଉଁ ବିସ୍ତୃତ ସ୍ଥାନ ରହିଛି, ଯେଉଁଠାରେ ସମ୍ପୂର୍ଣ୍ଣ ଆକାଶ ସମାହିତ ହୋଇ ରହିପାରିବ ? ଏହିଭଳି ଭାବେ ଏଭଳି ବକ୍ତୃତ୍ୱ ମୁଁ କେଉଁଠାରୁ ବା ଆଣିପାରିବି ଯଦ୍ଦ୍ୱାରା ଆପଣମାନଙ୍କ ଚିତ୍ତ ସନ୍ତୁଷ୍ଟ ହୋଇଯିବ ଏବଂ ଆପଣମାନଙ୍କୁ ଏତେ ଆନନ୍ଦ ମିଳିବ କି, ଆପଣମାନଙ୍କ ମୁଖରୁ ଏପ୍ରକାର ଧନ୍ୟତାର ଉଦ୍‌ଗାର ହେବ—“ବାହ ! ବକ୍ତୃତ୍ୱ ହେବ ତ ଏହିଭଳି ହେବା ଦରକାର ।” ତଥାପି ଏ ସମ୍ପୂର୍ଣ୍ଣ ବିଶ୍ୱକୁ ପ୍ରକାଶିତ କରୁଥିବା ସୂର୍ଯ୍ୟଙ୍କର ଆରତୀ କଣ ହସ୍ତ ନିର୍ମିତ ବତୀ ଦ୍ୱାରା କରିବା ଉଚିତ ନୁହେଁ ? ଅବା ଅପାର ଜଳରାଶିଥିବା ସମୁଦ୍ରକୁ କଣ ଆଞ୍ଜୁଳାଏ ପାଣି ଦ୍ୱାରା ଅର୍ଘ୍ୟ ପ୍ରଦାନ କରାଯିବା ଉଚିତ ନୁହେଁ ? ଆପଣମାନେ ସମସ୍ତେ ଭଗବାନ୍‌ ଶଙ୍କରଙ୍କର ମୂର୍ତ୍ତି ଅଟନ୍ତି ଏବଂ ଆପଣମାନଙ୍କର ଆରାଧନା କରୁଥିବା ମୁଁ ଭକ୍ତ ଦୁର୍ବଳ ଅଟେ, ବେଲପତ୍ର ଅର୍ପଣ କରିବା ସ୍ଥାନରେ ଏକ ସାଧାରଣ ବୃକ୍ଷର ପତ୍ର ଯେଉଁଭଳି ଶିବଲିଙ୍ଗରେ ଚଢ଼ାଯାଏ, ମୋର ବ୍ୟାଖ୍ୟାନ ଠିକ୍‌ ସେହିଭଳି ଅଟେ । ତଥାରି ଆପଣମାନେ ତାହାକୁ ସାଦରେ ସ୍ୱୀକାର କରିବେ । ବାଳକ ନିଜ ପିତାଙ୍କ ଭୋଜନ ଥାଳିରେ ବାରମ୍ବାର ହାତ ଦିଏ ଆଉ ତାର ପିତାଙ୍କ ମୁଖରେ ଅନ୍ନର ଗ୍ରାସ ଦେବାକୁ ଲାଗେ ଆଉ ପିତା ମଧ୍ୟ ଅତ୍ୟନ୍ତ ପ୍ରସନ୍ନତାର ସହିତ ସେହି ଗ୍ରାସ ଗ୍ରହଣ କରିବାପାଇଁ ନିଜ ମୁଖକୁ ତା ଆଡ଼କୁ ବଢ଼ାଇଦିଅନ୍ତି । ଠିକ୍‌ ସେହିଭଳି ଯଦି ମୁଁ ବାଳସୁଲଭବୁଦ୍ଧି ଏବଂ ସ୍ନେହରେ ନିରର୍ଥକ ଏବଂ ଅତିରିକ୍ତ ଆପଣାପଣ ପ୍ରକଟ କରେ, ତେବେ ମଧ୍ୟ ପ୍ରେମର ସ୍ୱାଭାବିକ ଧର୍ମ ହେଉଛି କି, ତାହାଦ୍ୱାରା ଆପଣମାନେ ସମସ୍ତେ ସନ୍ତୁଷ୍ଟ ହେବେ । ଆପଣମାନଙ୍କ ଭଳି ସନ୍ଥମାନଙ୍କର ଅନ୍ତଃକରଣରେ ନିଜର ଆଶ୍ରିତଙ୍କର ବିଷୟରେ ଆପଣାପଣ କାରଣରୁ ଅତ୍ୟଧିକ ପ୍ରେମ ହୁଏ, ଏଥିପାଇଁ ମୁଁ ସ୍ନେହରେ ଯେଉଁ ଆପଣାପଣ ପ୍ରଦର୍ଶନ କରୁଛି, ତାହା ଆପଣମାନଙ୍କୁ ବୋଝଭଳି ପ୍ରତୀତ ହେବ । ଯେଉଁ ସମୟରେ ଗାଈର ସ୍ତନରେ କ୍ଷୁଧାର୍ତ୍ତ ବାଛୁରୀର ମୁଖ ସହସା ଲାଗିଥାଏ, ସେ ସମୟରେ ଗାଈର ସ୍ତନରେ ଆହୁରି ଅଧିକ ଦୁଗ୍ଧ ପୂର୍ଣ୍ଣ ହୋଇଆସିଥାଏ ତଥା ସେ ବାଛୁରୀକୁ ଦୁଗ୍ଧପାନ କରାଇବାପାଇଁ ଆହୁରି ଅଧିକ ଉତ୍ସୁକ ହୋଇଉଠେ । ଯିଏ ଆମକୁ ପ୍ରିୟ ହୁଏ, ସେ ଯଦି ଥରେ କ୍ରୋଧରେ କିଛି କହିଦିଏ, ତେବେ ମଧ୍ୟ ତାହାପ୍ରତି ଭଲପାଇବା ଦ୍ୱିଗୁଣିତ ହୋଇଯାଇଥାଏ । ଏଥିପାଇଁ ମୁଁ ମଧ୍ୟ ଏହା ବିଚାରକରି ଏସବୁ କଥା କହୁଛି କି, ମୋଭଳି ବାଳକର ନିରର୍ଥକ ବାର୍ତ୍ତାଦ୍ୱାରା ଆପଣମାନଙ୍କର ସୁଷୁପ୍ତ କୃପାଳୁତା ଜାଗି ଉଠିଛି । କେହି କଣ ରନ୍ଧନ କରିବାପାଇଁ ଚନ୍ଦ୍ରକୁ ପାଳକୁଟା ଦ୍ୱାରା ଘୋଡ଼ାଇରଖି ଚେଷ୍ଟା କରିଥାଏ ? ଅବା କଣ ବାୟୁ ପ୍ରବାହିତ ହେବାପାଇଁ କୌଣସି ମାର୍ଗ ନିର୍ମାଣ କରାଯାଇଥାଏ ? ଅଥବା ଆକାଶକୁ କଣ କେବେ ସୀମାରେ ବନ୍ଧାଯାଇପାରେ । ଯେଉଁଭଳି ଜଳକୁ ପତଳା କରିବାକୁ ପଡ଼ିନଥାଏ ଅବା ଲବଣୀକୁ ମନ୍ଥିବାପାଇଁ କେହି ସେଥିରେ ମନ୍ଥନବାଡ଼ିକୁ ପକାଇନଥାନ୍ତି, ସେହିଭଳି ଗୀତାର ଯେଉଁ ଅର୍ଥକୁ ଦେଖି ମୋର ଦୁର୍ବଳ ବ୍ୟାଖ୍ୟାନ ଲଜ୍ଜିତ ହୋଇ ସ୍ୱତଃ ପଛକୁ ଘୁଞ୍ଚିଯାଇଥାଏ, କେବଳ ଏତିକି ନୁହେଁ, ଯେଉଁ ବେଦ ଶବ୍ଦ ବ୍ରହ୍ମ ଅଟନ୍ତି, ସେହି ଶବ୍ଦର ଗତି ସମାପ୍ତ ହୋଇଯିବାପରେ ଯେଉଁ ଗୀତାର୍ଥରୂପୀ ଶେଯ ଉପରେ ସ୍ତବ୍ଧ ହୋଇ ଶୋଇଯାଏ, ସେହି ଗୀତାର୍ଥକୁ ଦେଶୀଭାଷାରେ କହିବାପାଇଁ ମୋଠାରେ ଭଲା ସେଭଳି ଯୋଗ୍ୟତା କେଉଁଠାରୁ ଆସିବ । କିନ୍ତୁ ମୋଭଳି ଦୁର୍ବଳ ମଧ୍ୟ ଏଭଳି ଯେଉଁ ସାହସ ବାନ୍ଧିଛି, ତାହାର କାରଣ ହେଉଛି କି, ମୁଁ ସହଜରେ କେମିତି ଆପଣମାନଙ୍କର ପ୍ରେମପାତ୍ର ହୋଇପାରିବି । ଏଥିପାଇଁ ଚନ୍ଦ୍ରମାଙ୍କଠାରୁ ମଧ୍ୟ ଆହୁରି ଶୀତଳ ଏବଂ ଅମୃତଠାରୁ ମଧ୍ୟ ଅଧିକ ଜୀବନଦାତା ଆପଣମାନଙ୍କର ଯେଉଁ ଅବଧାନ ରହିଛି, ତାହାର ଦାନକରି ଆପଣମାନେ ମୋର ମନୋରଥ ପୋଷଣ କରନ୍ତୁ, କାହିଁକି ନାଁ ଯେମିତି ଆପଣମାନଙ୍କ କୃପାଦୃଷ୍ଟିର ବର୍ଷଣ ହେବ, ସେମିତି ମୋର ସମସ୍ତ ମନୋରଥ ସିଦ୍ଧ ହୋଇଯିବ । ହେଲେ ଯଦି ମୋତେ ଆପଣମାନଙ୍କର ଏହି କୃପାଭାବ ପ୍ରାପ୍ତ ହେବନାହିଁ ଆଉ ଆପଣମାନେ ଉଦାସୀନ ରହିବେ ତେବେ ମୋର ଜ୍ଞାନାଙ୍କୁର ମଧ୍ୟ ଶୁଖିଯିବ । ଶୁଣନ୍ତୁ, ବକ୍ତାଙ୍କ ବକ୍ତୃତ୍ୱର ସ୍ୱାଭାବିକ ଭୋଜନ ଶ୍ରୋତାମାନଙ୍କର ସାବଧାନତା ହିଁ ଅଟେ ଆଉ ଯଦି ତାଙ୍କୁ ଏହି ଭୋଜନ ପ୍ରାପ୍ତ ହେଉଥାଏ, ତେବେ ସିଦ୍ଧାନ୍ତ ପ୍ରତିପାଦକ ଶବ୍ଦର ଭାବ ବଢ଼ିଯାଏ । ଯେମିତି ଏହି ଶବ୍ଦ ବାହାରିଥାଏ, ସେମିତି ଅର୍ଥର ପ୍ରତିପତ୍ତି ହୁଏ, କାହିଁକି ନାଁ ଅର୍ଥ ତ ଶବ୍ଦସମୂହକୁ ବାଟ ଦେଖାଇଥାଏ ଏବଂ ଯେଉଁ ସମୟରେ ଅର୍ଥର ପ୍ରତିପତ୍ତି ହୁଏ, ସେହି ସମୟରେ ଉଦ୍ଦିଷ୍ଟ ଅର୍ଥର ପରମ୍ପରା ସୃଷ୍ଟି ହୋଇଯାଏ ଏବଂ ବୁଦ୍ଧି ଉପରେ ଯେଉଁଭଳି ଭାବସମୂହର ପୁଷ୍ପବୃଷ୍ଟି ହେବାକୁ ଲାଗେ । ଯେଉଁ ସମୟରେ ଏପ୍ରକାର ବକ୍ତା ଏବଂ ଶ୍ରୋତାଙ୍କ ମେଳର ଅନୁକୂଳ ବାୟୁ ପ୍ରବାହିତ ହେବାରେ ଲାଗିଥାଏ, ସେତେବେଳେ ହୃଦୟାକାଶରେ ବକ୍ତୃତ୍ୱର ରସ-ମେଘର ସଞ୍ଚାର ହୁଏ, ହେଲେ ଯଦି ଶ୍ରୋତାଗଣ ଉଦାସୀନତା କାରଣରୁ ଉତ୍ତମରୂପେ ଧ୍ୟାନ ଦେବେନାହିଁ, ତେବେ ବକ୍ତୃତ୍ୱ-ରସର ପ୍ରସ୍ତୁତ ମେଘ ମଧ୍ୟ ବିଚ୍ଛୁରିତ ହୋଇଯିବ, ଏକଥା ଠିକ୍‌ ଯେ, ଚନ୍ଦ୍ରକାନ୍ତମଣି ପସୀଜତୀ ଅଟେ, ହେଲେ ତାହାକୁ ପସୀଜନରେ ପ୍ରବୃତ୍ତ କରାଇବାର ସାମର୍ଥ୍ୟ କେବଳ ଚନ୍ଦ୍ରମାଙ୍କଠାରେ ହିଁ ରହିଥାଏ । ଏହିଭଳି ଭାବେ ଯେପର୍ଯ୍ୟନ୍ତ ଯୋଗ୍ୟ ଶ୍ରୋତା ମିଳି ନାହାଁନ୍ତି, ସେପର୍ଯ୍ୟନ୍ତ କୌଣସି ବକ୍ତା କେବେ ବକ୍ତା ହୋଇପାରିନଥାନ୍ତି । ହେଲେ କଣ କେବେ ଚାଉଳକୁ ଭୋଜନ କରୁଥିବା ବ୍ୟକ୍ତିଙ୍କୁ ଏହି ବିନମ୍ର ନିବେଦନ କରିବାପାଇଁ ପଡ଼ିଥାଏ କି, ମୋତେ ମିଠା ମନେକରି ଭୋଜନ କର ? ଅବା କଣ କେବେ କଣ୍ଢେଇମାନଙ୍କୁ ନିଜକୁ ନଚାଉଥିବା ସୂତ୍ରଧରଙ୍କୁ ଏହି ଅନୁନୟ-ବିନୟ କରିବାପାଇଁ ପଡ଼ିଥାଏ କି ଆମକୁ ନଚାଅ ଆଉ ପୁନଃ କଣ୍ଢେଇମାନଙ୍କୁ ନଚାଉଥିବା ବ୍ୟକ୍ତି ବା ସେହି ସୂତ୍ରଧର କଣ୍ଢେଇମାନଙ୍କୁ ସ୍ୱୟଂ ସେମାନଙ୍କ ଭଲପାଇଁ ନଚାଇଥାଏ ଅବା ଲୋକମାନଙ୍କ ମଧ୍ୟରେ ନିଜ ଜ୍ଞାନର ମହତ୍ତ୍ୱର ପ୍ରସିଦ୍ଧି କରିବାପାଇଁ ନଚାଇଥାଏ ? ପୁଣି ଆମେମାନେ ଏହି ପ୍ରଶ୍ନର ବ୍ୟର୍ଥ ମୀମାଂସା କାହିଁକି କରିବା ? ଯେମିତି ବକ୍ତା ଏହିଭଳି କହିଲେ, ସେହିଭଳି ଶ୍ରୀସଦ୍‌ଗୁରୁ କହିଲେ ଆରେ, ଏସବୁ କଥାର କି ମାନେ ଅଛି ? ମୋତେ ତୁମର ଅଭିପ୍ରାୟ ଜଣାଅଛି । ଅଧୁନା ତୁମେ ଏକଥା କୁହ କି, ଶ୍ରୀକୃଷ୍ଣ କଣ କହିଲେ । ଏହା ଶୁଣି ଶ୍ରୀନିବୃତ୍ତିନାଥଙ୍କ ଶିଷ୍ୟ ଅତ୍ୟନ୍ତ ପ୍ରସନ୍ନତାପୂର୍ବକ ଏବଂ ଉଲ୍ଲାସର ସହିତ କହିଲେ କି, ଠିକ୍‌ ଅଛି ମହାରାଜ ! ଶୁଣନ୍ତୁ, ଶ୍ରୀକୃଷ୍ଣ କଣ କହିଲେ । (୧–୩୩)
ଶ୍ଳୋକ—୧
ଶ୍ରୀଭଗବାନ୍‌ କହିଲେ—“ହେ ଅର୍ଜ୍ଜୁନ ! ମୁଁ ତୁମକୁ ସେହି ଗୂଢ଼ ରହସ୍ୟକୁ ପୁନଃ କହୁଛି ଯାହା ମୋ ଅନ୍ତଃକରଣର ସବୁଠାରୁ ଗଭୀରତମ ସ୍ଥାନର ସମସ୍ତ ଜ୍ଞାନର ଆଦି ବୀଜ ଅଟେ । ଅଧୁନା ଯଦି ତୁମେ ଏହା ବିଚାର କର କି, ହୃଦୟକୁ ଉନ୍ମୁକ୍ତ କରି ଏହି ରହସ୍ୟ ପ୍ରକଟ କରିବାର ଏଭଳି କେଉଁ ପ୍ରସଙ୍ଗ ଆସିଛି, ତେବେ ହେ ବୁଦ୍ଧିମାନ୍‌ ଅର୍ଜ୍ଜୁନ ! ଶୁଣ । ତୁମେ ଆସ୍ଥାର ମୂର୍ତ୍ତି ଅଟ । ମୁଁ ଯାହାକିଛି କହିବି, ତୁମେ କଦାପି ତାହାର ଅବଜ୍ଞା କରିବନାହିଁ । ଏଥିପାଇଁ ମନର ଗୂଢ଼ତା ନଷ୍ଟ ହୋଇଯାଉ ଆଉ ଯାହା କହିବାଯୋଗ୍ୟ କଥା ନୁହେଁ, ତାହା ମଧ୍ୟ କହିବାକୁ ପଡ଼ୁ ନାଁ କାହିଁକି, ହେଲେ ତଥାପି ମୋର ଏହି ଲାଳସା ରହିଛି କି, ମୋ ଅନ୍ତଃକରଣରେ ଯାହାକିଛି ଅଛି, ସେସବୁ ଥରେ ତୁମ ଅନ୍ତଃକରଣରେ ସମାହିତ ହୋଇଯାଉ । ସ୍ତନରେ ଦୁଗ୍ଧ ପରିପୂର୍ଣ୍ଣ ହୋଇରହେ, ହେଲେ ସ୍ୱୟଂ ସେହି ଦୁଗ୍ଧ ସ୍ତନକୁ ସ୍ୱାଦିଷ୍ଟ ଲାଗେନାହିଁ । ହେଲେ ଯେତେବେଳେ କେହି ଏକନିଷ୍ଠ ବ୍ୟକ୍ତି ମିଳିଯାନ୍ତି, ସେତେବେଳେ ସହଜରେ ଏହି ଅଭିଳାଷା ହୁଏ କି, ତାହାର ରସାସ୍ୱାଦନର ଲାଳସା ପୂର୍ଣ୍ଣ ହେଉ । ଯଦି ଶସ୍ୟ ମଧ୍ୟରୁ ଧାନକୁ ବାହାର କରାଯାଏ ଏବଂ ପ୍ରସ୍ତୁତ ହୋଇଥିବା ଭୂମିରେ କିଛି ବୀଜକୁ ରୋପଣ କରିଦିଆଯାଏ, ତେବେ କଣ ଆପଣ କହିପାରିବେ କି ସେହି ବୀଜ ନିରର୍ଥକରେ ବାହାର କରିଦିଆଗଲା ? ଏଥିପାଇଁ ଯାହାଙ୍କ ମନ ଉତ୍ତମ ଏବଂ ବୁଦ୍ଧି ଶୁଦ୍ଧ ଅଟେ ତଥା ଯିଏ ଅନିନ୍ଦକ ଏବଂ ଏକନିଷ୍ଠ ଅଟନ୍ତି, ତାଙ୍କୁ ନିଜ ମନର କଥା ପ୍ରସନ୍ନତା ପୂର୍ବକ କହିଦେବା ଆବଶ୍ୟକ ଏବଂ ଏହି ଅବସରରେ ମୋତେ ଏହି ଗୁଣସହ ଯୁକ୍ତ ହୋଇ ତୁମ ବ୍ୟତିରେକ ଆଉକେହି ଦେଖାଯାଉନାହାଁନ୍ତି, ଯେଉଁଥିପାଇଁ ତୁମଠାରେ କୌଣସି ରହସ୍ୟ ଲୁଚାଇବା ଉଚିତ ନୁହେଁ । ବାରମ୍ବାର ଏହି ‘ଗୁପ୍ତ’ ଶବ୍ଦ ଶୁଣି ଶୁଣି ତୁମ ମନରେ ଆଶ୍ଚର୍ଯ୍ୟ ହେଉଥିବ, ଏଥିପାଇଁ ଅଧୁନା ମୁଁ ତୁମକୁ ବିଜ୍ଞାନସହିତ ଜ୍ଞାନର କଥା ସ୍ପଷ୍ଟଭାବରେ କହୁଅଛି । ଯଦି ଅନେକ ଶୁଦ୍ଧ ଏବଂ ଅଶୁଦ୍ଧ ବସ୍ତୁସମୂହ ଏକରେ ମିଳିତ ହୋଇଯାଆନ୍ତି, ତେବେ ଯେଉଁଭଳି ସେଗୁଡ଼ିକୁ ପରଖି କରି ଏବଂ ବାଛି ପୃଥକ୍‌ ପୃଥକ୍‌ ସ୍ଥାନରେ ରଖିବା ଆବଶ୍ୟକ ହୁଏ, ସେହିଭଳି ମୁଁ ଜ୍ଞାନ ଏବଂ ବିଜ୍ଞାକୁ ପରଖି ସେଗୁଡ଼ିକୁ ପୃଥକ୍‌ ପୃଥକ୍‌ ଭାବେ ତୁମ ସମ୍ମୁଖରେ ରଖିବାପାଇଁ ଚାହୁଁଛି ଅଥବା ଯେଉଁଭଳି ରାଜହଂସ ତାର ଥଣ୍ଟରେ ନୀର ଆଉ କ୍ଷୀରକୁ ପୃଥକ୍‌ ପୃଥକ୍‌ କରିଦିଏ, ସେହିଭଳି ମୁଁ ମଧ୍ୟ ଜ୍ଞାନ ଏବଂ ବିଜ୍ଞାନକୁ ପୃଥକ୍‌ ପୃଥକ୍‌ କରି ତୁମକୁ କହିବାପାଇଁ ଚାହୁଁଛି । ପୁଣି ଯେଉଁଭଳି ବାୟୁ ପ୍ରବାହରେ ପଡ଼ିରହିଥିବା ଧୂସ ଉଡ଼ିଯାଏ ଏବଂ କେବଳ ଶସ୍ୟ ଦାନାଗୁଡ଼ିକ ଅବଶିଷ୍ଟ ରହିଯାନ୍ତି, ସେହିଭଳି ଯେତେବେଳେ ବୁଦ୍ଧିମତାର ସହିତ ଜ୍ଞାନ ଏବଂ ବିଜ୍ଞାନର ପରଖ ତଥା ପୃଥକତ୍ୱ ହୋଇଯାଏ, ସେତେବେଳେ ଜୀବନ-ମରଣଯୁକ୍ତ ସଂସାର ଏହି ନାମ-ରୂପଧାରୀ ସଂସାର ସହିତ ମିଳିତ ହୁଏ ଆଉ ସେହି ପରମ ଜ୍ଞାନ ଆମକୁ ମୋକ୍ଷରୂପୀ ଲକ୍ଷ୍ମୀଙ୍କର ସିଂହାସନରେ ବସାଇଦେଇଥାଏ ।” (୩୪—୪୬)
ଶ୍ଳୋକ—୨
ଯେଉଁ ଜ୍ଞାନ ସମସ୍ତ ବିଦ୍ୟା ମଧ୍ୟରେ ସର୍ବଶ୍ରେଷ୍ଠ ଆଚାର୍ଯ୍ୟପଦରେ ବିରାଜମାନ ହୋଇସାରିଛି, ଯାହା ସମସ୍ତ ରହସ୍ୟ-ଜ୍ଞାନର ଶ୍ରେଷ୍ଠତାକୁ ପ୍ରମାଣ କରୁଛି, ଯାହା ସମସ୍ତ ପବିତ୍ର ବସ୍ତୁର ରାଜା ଅଟେ, ଯେଉଁ ଜ୍ଞାନ—ଧର୍ମର ନିଜଧାମ ଅଟେ, ଯେଉଁ ଜ୍ଞାନ ଉତ୍ତମୋତ୍ତମ ଅଟେ, ଯାହାକୁ ପାଇଯିବା ପରେ ଜୀବନ ଏବଂ ମୃତ୍ୟୁ ନିମନ୍ତେ କୌଣସି ସ୍ଥାନ ଅବଶେଷ ରହିଯାଏ ନାହିଁ, ଯେଉଁ ଜ୍ଞାନ ଗୁରୁମୁଖରୁ କିଞ୍ଚିତ୍‌ ଉଦିତ ହୋଇଥିବାଭଳି ଜଣାଯାଏ, ହେଲେ ବାସ୍ତବରେ ଯିଏ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ସ୍ୱୟମ୍ଭୂ ହୋଇଥାନ୍ତି ଆଉ ଯିଏ ତାଙ୍କୁ ସ୍ୱତଃ ପ୍ରାପ୍ତ କରିଥାନ୍ତି, ଏହା ବ୍ୟତିରେକ ଆତ୍ମସୁଖରୂପୀ ସୋପାନରେ ଚଢ଼ିବାମାତ୍ରେ ଯେଉଁ ଜ୍ଞାନର ପ୍ରାପ୍ତି ହୁଏ ଏବଂ ପୁନଃ ସଦ୍ୟଃ ଭୋକ୍ତା, ଭୋଗ୍ୟ ତଥା ଭୋଗର ତ୍ରିପୁଟୀର ନାଶ ହୋଇଯିବା କାରଣରୁ ଭୋଗକାରୀଙ୍କ ଭୋକ୍ତୃତ୍ୱ ମଧ୍ୟ ସେଥିରେ ବିଲୀନ ହୋଇଯାଏ, ହେଲେ ସେହି ଲୟଯୁକ୍ତ ସ୍ଥିତିର ଏ ସ୍ଥାନର ସୀମାରେ ଯାହାଙ୍କ କାରଣରୁ ହୃଦୟ ପରମ ସୁଖରେ ପୂର୍ଣ୍ଣ ହୋଇଯାଏ, ସେହି ଜ୍ଞାନ ଯଦିଓ ସୁଲଭ ତଥା ସହଜ ଅଟେ, ତଥାପି ତାହା ସାକ୍ଷାତ୍‌ ପରବ୍ରହ୍ମ ଅଟେ । ଏହି ଜ୍ଞାନର ଏକ ବିଶେଷ ଲକ୍ଷଣ ଏହା ମଧ୍ୟ ଅଟେ କି, ଯେତେବେଳେ ଥରେ ତାହା ପ୍ରାପ୍ତ ହୋଇଯାଏ, ସେତେବେଳେ ଆଉ କଦାପି ଦୂର କରିହୁଏନାହିଁ କି ତାହାର ମଧୁରତା କମିଯାଏ ନାହିଁ ।
ହେ ପାର୍ଥ ! ହୋଇପାରେ କି ତୁମେ ତୁମର ତର୍କ ବୁଦ୍ଧି ଲଗାଇ ଏ ବିଷୟରେ ଏହି ଶଙ୍କା ଉତ୍ପନ୍ନ କରିପାର କି ଯଦି ଏହା ଏତେ ଅନୁପମ ଏବଂ ଦୁର୍ଲ୍ଲଭ ବସ୍ତୁ ଅଟେ, ତେବେ ଏହା ଆଜିପର୍ଯ୍ୟନ୍ତ ସବୁ ଲୋକଙ୍କ ଅଧୀନରୁ ବାହାରେ କିପରି ରହିଗଲା, ଯେଉଁ ଲୋକମାନେ ନିଜ ଧନର ବୃଦ୍ଧି ନିମନ୍ତେ ପ୍ରଜ୍ଜ୍ୱଳିତ ଅଗ୍ନିକୁ ଡ଼େଇଁପଡ଼ିବାର ସାହସ କରନ୍ତି, ସେମାନେ ଅନାୟାସରେ ପ୍ରାପ୍ତ ଏହି ଆତ୍ମସୁଖର ମାଧୁର୍ଯ୍ୟରୁ କାହିଁକି ବଞ୍ଚିତ ରହନ୍ତି, ଯେଉଁ ଆତ୍ମସୁଖ ପବିତ୍ର, ରମଣୀୟ ଏବଂ ସୁଖରୁ ପ୍ରାପ୍ତ ହେବାଯୋଗ୍ୟ ଅଟେ ତଥା ଯାହା ଧର୍ମର ଅନୁକୂଳ ହେବା ବ୍ୟତିରେକ ଆତ୍ମତତ୍ତ୍ୱର ମଧ୍ୟ ଉପଲବ୍ଧି କରାଇଦିଏ ଏବଂ ଯେଉଁଥିରେ ସମସ୍ତ ସୁଖର ସମାବେଶ ହୋଇଛି, ତାହା ଲୋକମାନଙ୍କ ଅଧୀନରୁ କିପରି ବାହାରେ ରହିଲା ! ତୁମମାନଙ୍କ ମନରେ ଏଭଳି ଶଙ୍କାସମୂହ ଉତ୍ଥିତ ହେବା ସ୍ୱାଭାବିକ ଅଟେ, ହେଲେ ତୁମେ ଏହି ଶଙ୍କାକୁ ନିଜ ମନ ମଧ୍ୟକୁ ଆସିବାକୁ ଦିଅନାହିଁ । (୪୭—୫୬)
ଶ୍ଳୋକ—୩
ଦେଖ, ଦୁଗ୍ଧ ଅତ୍ୟନ୍ତ ପବିତ୍ର ଏବଂ ସ୍ୱାଦିଷ୍ଟ ହୁଏ ଏବଂ ସେହି ଦୁଗ୍ଧ ଗାଈର ସ୍ତନରେ ଅତ୍ୟନ୍ତ ପତଳା ଚର୍ମଯୁକ୍ତ ଥଳି ମଧ୍ୟରେ ପୂର୍ଣ୍ଣ ରହିଥାଏ । ତଥାପି ସ୍ତନରେ ଲାଗିଥିବା କୀଟ କଣ ଦୁଗ୍ଧକୁ ପରିତ୍ୟାଗକରି ତାହାର ରକ୍ତର ପାନ କରିନଥାଏ ? ଭ୍ରମର ଆଉ ଗୋବରପୋକ—ଉଭୟେ କମଳପୁଷ୍ପ ନିକଟରେ ରହନ୍ତି, ହେଲେ କମଳ-ପରାଗର ପାନ କେବଳ ଭ୍ରମର ହିଁ କରିଥାଏ ଆଉ ଗୋବରପୋକ ଭାଗରେ କେବଳ କାଦୁଅ ହିଁ ଆସିଥାଏ । ଏହିଭଳି ଯଦାକଦା କୌଣସି ଭାଗ୍ୟହୀନର ଗୃହରେ ସହସ୍ର ମୋହରରେ ପୂର୍ଣ୍ଣ ହୋଇଥିବା କଳସ ପଡିରହିଥାଏ, ହେଲେ ସେ ଅଭାଗା ସେହି ଗୃହରେ ରହି ମଧ୍ୟ କ୍ଷୁଧାରେ ମରିଥାଏ ଅଥବା ଦରିଦ୍ରତାରେ ରହି ନିଜର ଜୀବନ ଅତିବାହିତ କରିଥାଏ । ସେହିଭଳି ହୃଦୟରେ ସ୍ଥିତ ସମସ୍ତ ସୁଖର ଭଣ୍ଡାର ମୋଭଳି ଆତ୍ମାରାମ ମଧ୍ୟରେ ଥାଉଁ ଥାଉଁ ମାୟାରେ ମୋହିତ ବ୍ୟକ୍ତିମାନଙ୍କର ବାସନା ବିଷୟଭୋଗ ଦିଗରେ ଧାବିତ ହୁଏ । ଯେଉଁଭଳି ଅପାର ମୃଗଜଳ ଦେଖି ମୁଖର ଅମୃତକୁ ଉଦ୍‌ଗାର କରିଦିଆଯାଏ ଅଥବା ଗଳାରେ ବନ୍ଧା ଯାଇଥିବା ପାରସ ପଥରକୁ ଭାଙ୍ଗି ଫୋପାଡ଼ି ଦିଆଯାଏ ଏବଂ ତା ସ୍ଥାନରେ ଏକ ଶାମୁକାକୁ ବାନ୍ଧିଦିଆଯାଏ, ଠିକ୍‌ ସେହିଭଳି ‘ମୁଁ ଆଉ ମୋର’ ଭିତରେ ପଡ଼ି ସେହି ବିଚରା ଜୀବ ମୋର ନିକଟତର ହେବାପରେ ବି ମୋ ପାଖରେ ପହଁଞ୍ଚିପାରନ୍ତି ନାହିଁ ଆଉ ଏଥିପାଇଁ ଜନ୍ମ-ମରଣର ଉଭୟ କୂଳ ମଧ୍ୟରେ ଡୁବିଯାନ୍ତି ନହେଲେ ତ ମୁଁ ଏଭଳି ଅଟେ ଯେ ନିତ୍ୟ ନେତ୍ର ସମ୍ମୁଖରେ ରହିଥାଏ । ମୁଁ ସେହି ସୂର୍ଯ୍ୟଭଳି ନୁହେଁ ଯିଏ କେବେ ତ ଦୃଷ୍ଟିଗୋଚର ହୁଅନ୍ତି ପୁଣି କେବେ ମେଘ ଦ୍ୱାରା ଆଚ୍ଛାଦିତ ହୋଇ ଲୁଚି ଯାଆନ୍ତି ଅଥବା ରାତ୍ରି ସମୟରେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ, ଏହା ତାଙ୍କଠାରେ ଥିବା ଅବଗୁଣ ଅଟେ, ହେଲେ ମୁଁ ତ ନେତ୍ର ସମ୍ମୁଖରେ ଚମକୁଥାଏ ଏବଂ ନିର୍ମଳ ଅଟେ । (୫୭—୬୩)
ଶ୍ଲୋକ—୪
ଯଦି ତୁମେ ମୋ ବିସ୍ତାର କଥା ପଚାର ତେବେ କଣ ଏକଥା ଠିକ୍‌ ନୁହେଁ କି, ଏ ଯେଉଁ ସମଗ୍ର ସଂସାର ରହିଛି, ତାହା ମୁଁ ହିଁ ଅଟେ ? ଯେଉଁଭଳି ଦୁଗ୍ଧ ନିଜ ପ୍ରକୃତି ଅନୁସାରେ ଏକତ୍ରିତ ହୋଇ ଦହିରୂପ ଧାରଣ କରିନିଏ ଅଥବା ବୀଜ ବୃକ୍ଷ ରୂପରେ ପ୍ରକଟ ହୁଏ ଅଥବା ଯେଉଁଭଳି ସ୍ୱର୍ଣ୍ଣର ଆଭୂଷଣ ନିର୍ମିତ ହୁଏ, ଠିକ୍‌ ସେହିଭଳି ଏହି ସମଗ୍ର ସଂସାର ଏକମାତ୍ର ମୋର ବିସ୍ତାର ଅଟେ । ମୋର ଅବ୍ୟକ୍ତ ତତ୍ତ୍ୱ ହିଁ ଏକତ୍ରିତ ହୋଇ ଏହି ନାମରୂପଯୁକ୍ତ ବିଶ୍ୱର ଆକାର ଧାରଣ କରିଥାଏ ଏବଂ ମୁଁ ଅମୂର୍ତ୍ତ ରୂପରେ ତତ୍‌କ୍ଷଣାତ୍‌ ତ୍ରିଭୁବନର ବିସ୍ତାର କରିଥାଏ । ଯେଉଁଭଳି ଜଳର ଫେଣ ଦୃଶ୍ୟରୂପରେ ଦୃଷ୍ଟିଗୋଚର ହୁଏ, ସେହିଭଳି ମହତ୍‌ ଆଦି ସମସ୍ତ ଜୀବ ମୋଠାରେ ପ୍ରତିଭାତ ହୁଅନ୍ତି । ହେଲେ ଯେଉଁଭଳି ସେହି ଫେଣକୁ ଦେଖିଲେ ଜଳ ଦୃଷ୍ଟିଗୋଚର ହୁଏନାହିଁ ଅଥବା ସ୍ୱପ୍ନାବସ୍ଥାରେ ଦୃଷ୍ଟିଗୋଚର ହେଉଥିବା ନାନାପ୍ରକାରର ଆକାର ଜାଗ୍ରତ ଅବସ୍ଥାରେ ଦୃଷ୍ଟିଗୋଚର ହୋଇନଥାଏ, ସେହିଭଳି ଯଦ୍ୟପି ପ୍ରତ୍ୟେକ ଜୀବ ମୋଠାରେ ଭାସମାନ ହୋଇଥାନ୍ତି, ତଥାପି ଏ ଜୀବମାନଙ୍କ ମଧ୍ୟରେ ମୁଁ ନିବାସ କରିନଥାଏ । ଏହି ତତ୍ତ୍ୱର ନିରୂପଣ ପୂର୍ବରୁ ମଧ୍ୟ ଥରେ ତୁମକୁ କହିସାରିଛି । ଅତଃ ଥରେ କହିଥିବା କଥାର ପୁନର୍ବିସ୍ତାର କରିବା ଉଚିତ ନୁହେଁ, ଏଥିପାଇଁ ଏଠାରେ ଏତିକି ମାତ୍ର କହିବା ଯଥେଷ୍ଟ ଅଟେ, ହେଲେ ତୁମର ଦୃଷ୍ଟି ମୋ ସ୍ୱରୂପରେ ପ୍ରବିଷ୍ଟ ହୋଇ ବିସ୍ତୃତ ହେବା ଆବଶ୍ୟକ । (୬୪—୭୦)
ଶ୍ଳୋକ—୫
ଯଦି କାର୍ଯ୍ୟକାରଣଯୁକ୍ତ କଳ୍ପନାର ପରିତ୍ୟାଗ କରି ତୁମେ ମୋର ସେହି ସ୍ୱରୂପର ବିଚାର କରିବ ଯାହା ପ୍ରକୃତି (ମହାମାୟା)—ର ମଧ୍ୟ ଅତୀତ ଅଟେ, ତେବେ ଏହି ସିଦ୍ଧାନ୍ତ ମିଥ୍ୟା ପ୍ରତୀତ ହେବ କି, ସମସ୍ତ ଜୀବଙ୍କର ଅସ୍ତିତ୍ୱ ମୋଠାରେ ହିଁ ଅବସ୍ଥାନ କରେ, କାରଣ ସବୁକିଛି ମୁଁ ହିଁ ଅଟେ ଏବଂ ମୋଠାରୁ ପୃଥକ୍‌ ଅନ୍ୟ କିଛି ବି ନାହିଁ । ହେଲେ ଯେତେବେଳେ ପ୍ରଥମ ସଂକଳ୍ପ କାରଣରୁ ପରଂବ୍ରହ୍ମରେ ଜ୍ଞାନ ଏବଂ ଅଜ୍ଞାନର ସନ୍ଧିକାଳ ଉତ୍ପନ୍ନ ହେଲା, ସେତେବେଳେ ବୁଦ୍ଧିର ଜ୍ଞାନରୂପୀ ନେତ୍ରରେ ଅନ୍ଧକାର ଆଚ୍ଛାଦିତ ହୋଇଗଲା ଏବଂ ଏଥିପାଇଁ ଯେଉଁ ପରଂବ୍ରହ୍ମ ବିକାର ଏବଂ ଆକାର-ଶୂନ୍ୟ ଥିଲେ, ତାଙ୍କଠାରେ ଅବିଦ୍ୟାରୂପୀ ସନ୍ଧ୍ୟା କାରଣରୁ ଜୀବମାତ୍ରେ ପରଂବ୍ରହ୍ମଙ୍କଠାରୁ ଭିନ୍ନ ପ୍ରତିଭାତ ହେବାରେ ଲାଗିଲେ, କିନ୍ତୁ ଯେତେବେଳେ ସଂକଳ୍ପଜନିତ ଅବିଦ୍ୟାରୂପୀ ସନ୍ଧ୍ୟାର ଅବସାନ ହୋଇଯାଏ, ସେତେବେଳେ ଯେଉଁଭଳି ଶଙ୍କା ଦୂର ହୋଇଯିବାମାତ୍ରେ ପୁଷ୍ପମାଳାର ସମ୍ବନ୍ଧର ସେହି ସର୍ପାଭାସ ସମାପ୍ତ ହୋଇଯାଏ, ଯାହା କିଛି କିଛି ଅନ୍ଧକାର ଏବଂ କିଛି କିଛି ପ୍ରକାଶ ରହିବା ସମୟରେ ଉତ୍ପନ୍ନ ହୁଏ, ସେହିଭଳି ଜୀବମାନଙ୍କ ସମ୍ବନ୍ଧରେ ହେଉଥିବା ପ୍ରତିଭାତର ବିନାଶ ହୋଇଯାଏ ଏବଂ କେବଳ ପରଂବ୍ରହ୍ମ ହିଁ ନିଜର ଅଖଣ୍ଡ ଏବଂ ଶୁଦ୍ଧ ସ୍ୱରୂପରେ ରହିଯାନ୍ତି । ଯଦି ବାସ୍ତବିକ ଦୃଷ୍ଟିରେ ଦେଖାଯାଏ ତେବେ କଣ ଭୂମି ମଧ୍ୟରୁ ମାଟିର ଘଟ ଇତ୍ୟାଦିର ଅଙ୍କୁର ବାହାରିଥାଏ ? ବାସ୍ତବରେ ଘଟାଦିର ସୃଷ୍ଟି ତ କୁମ୍ଭାରର କଳ୍ପନାରୂପୀ ଗର୍ଭରୁ ହୁଏ । ଅଥବା କଣ ସମୁଦ୍ର ଜଳରେ ତରଙ୍ଗର କୌଣସି ଭିନ୍ନ ସ୍ଥାନ ହୁଏ ? ତରଙ୍ଗ ତ ବାସ୍ତବରେ ବାୟୁ ପ୍ରବାହିତ ହେବାରୁ ଉତ୍ପନ୍ନ ହୁଏ । ଏହିଭଳି କଣ ତୁଳା ଫଳରେ ବସ୍ତ୍ରର ବାକ୍ସ ପୂର୍ଣ୍ଣ ହୋଇ ରହିଥାଏ ? ତାହା ତ କେବଳ ପରିଧାନ କରିବା ବ୍ୟକ୍ତିଙ୍କ ଦୃଷ୍ଟିରେ କପାରୁ ପ୍ରସ୍ତୁତ ବସ୍ତ୍ର ବୋଲାଇଥାଏ । ଯଦି ସ୍ୱର୍ଣ୍ଣରେ ଅଳଙ୍କାର ନିର୍ମାଣ କରାଯାଏ, ତେବେ ମଧ୍ୟ ତାହାର ସ୍ୱର୍ଣ୍ଣପଣ ନଷ୍ଟ ହୋଇନଥାଏ । ସେଥିରେ କେବଳ ବାହ୍ୟତଃ ଅଳଙ୍କାରତା ରହିଥାଏ ଏବଂ ତାହା ମଧ୍ୟ କେବଳ ଅଳଙ୍କାର ଧାରଣକାରୀଙ୍କ ଦୃଷ୍ଟିରେ ହିଁ ହୁଏ । ପ୍ରତିଧ୍ୱନି ଦ୍ୱାରା ଯେଉଁ ଶବ୍ଦ ବାହାରିଥାଏ ଅଥବା ଦର୍ପଣରେ ଯେଉଁ ରୂପ ଦେଖାଯାଇଥାଏ, ତାହା ଆମଦ୍ୱାରା କଥିତ କଥା ଅଥବା ଆମର ରୂପ ହୁଏ ନାଁ ସ୍ୱୟଂ ସେହି ପ୍ରତିଧ୍ୱନିର ଅବା ସେହି ଦର୍ପଣର ଅଙ୍ଗ ହୁଏ ? ଏହିଭଳି ଭାବରେ ଯିଏ ମୋର ଶୁଦ୍ଧ ସ୍ୱରୂପ ଉପରେ ଜୀବମାନଙ୍କ ସୃଷ୍ଟିର ଆରୋପ କରେ, ବାସ୍ତବରେ ସେହି ଜୀବ-ସୃଷ୍ଟି ସ୍ୱୟଂ ତାହାର ସଂକଳ୍ପ ଅବା ବିଚାରରେ ହୁଏ । ହେଲେ ଯେଉଁ ସମୟରେ ସେହି କଳ୍ପନାକାରୀ ପ୍ରକୃତି (ମାୟା)—ର ଅବସାନ ହୋଇଯାଏ, ସେ ସମୟରେ ଭୂତାଭାସ ମୂଳତଃ ମିଥ୍ୟା ହୋଇଥିବା କାରଣରୁ ମୋର କେବଳ ଅଖଣ୍ଡ ଶୁଦ୍ଧ ସ୍ୱରୂପ ହିଁ ଅବଶେଷ ରହିଥାଏ । ଯେଉଁ ସମୟରେ ଆମର ମୁଣ୍ଡ ଘୂରାଇଦିଏ, ସେ ସମୟରେ ଆଖପାଖର ଚଟାଣ, ଗିରି-କନ୍ଦର ସବୁକିଛି ଘୁରିଲା ଭଳି ଦେଖାଯାଏ । ଠିକ୍‌ ସେହିପରି ନିଜର କଳ୍ପନା କାରଣରୁ ଅବିକୃତ, ଶୁଦ୍ଧ, ବୁଦ୍ଧ ପରଂବ୍ରହ୍ମଙ୍କଠାରେ ମଧ୍ୟ ଭୂତମାତ୍ରର ଆଭାସ ହୁଏ, କିନ୍ତୁ ଯଦି ସେହି କଳ୍ପନାକୁ ହଟାଇଦିଆଯାଏ, ତେବେ ସ୍ପଷ୍ଟରୂପେ ଜଣାପଡ଼େ–ଏ କଥା ସ୍ୱପ୍ନରେ ମଧ୍ୟ ସତ୍ୟ ମନେକରିବା ଯୋଗ୍ୟ ନୁହେଁ କି ମୁଁ କେବଳ ଜୀବ ଅଟେ ଏବଂ ପ୍ରତ୍ୟେକ ଜୀବ ମୋଠାରେ ଅବସ୍ଥାନ କରନ୍ତି । ଏଥିପାଇଁ ପ୍ରାୟତଃ ଲୋକମାନେ ଏହା କୁହନ୍ତି କି କେବଳ ମୁଁ ହିଁ ଏହି ଜୀବମାତ୍ରଙ୍କୁ ଧାରଣ କରିଥାଏ ଅଥବା ଏହି ଜୀବମାତ୍ରେ ମୋଠାରେ ଅବସ୍ଥାନ କରନ୍ତି । ଅତଃ ଏସବୁ ସଂକଳ୍ପରୂପୀ କଥାର ପ୍ରକୋପ କାରଣରୁ ଉତ୍ପନ୍ନ ହେଉଥିବା ଭ୍ରମିଷ୍ଟ ସ୍ଥିତିରେ ମୁଖରୁ ବାହାରୁଥିବା ବଡ଼ପଣ ଅଟେ । ଏଥିପାଇଁ ହେ ପ୍ରିୟତ୍ତମ ! ତୁମେ ଏକଥା ଉତ୍ତମରୂପେ ଜାଣିଯାଅ କି, ମୋତେ ବିଶ୍ୱର ଆତ୍ମା ମନେକରିବା ମିଥ୍ୟା ଭୂତମାତ୍ରର ମିଥ୍ୟା କଳ୍ପନା ଅଟେ । ଯେଉଁଭଳି ସୂର୍ଯ୍ୟଙ୍କ ରଶ୍ମି କାରଣରୁ କିଛି ନରହିବାପରେ ବି ମୃଗତୃଷ୍ଣା ଭାସମାନ ହୁଏ, ସେହିଭଳି ଭୂତଗଣ ମଧ୍ୟ ମୋଠାରେ ଭାସମାନ ହୋଇଥାନ୍ତି । କେବଳ ଏତିକି ନୁହେଁ ବରଂ ସେମାନେ ମୋତେ ମଧ୍ୟ ନିଜଠାରେ ଭାସିତ କରାଇଥାନ୍ତି । ଏହିଭଳି ଭାବରେ ମୁଁ ଭୂତଭାବନ ଅଟେ, ହେଲେ ଯେଉଁଭଳି ପ୍ରଭା ଏବଂ ସୂର୍ଯ୍ୟ ଉଭୟ ଏକ ଅଟନ୍ତି, ସେହିଭଳି ମୁଁ ମଧ୍ୟ ଭୂତମାତ୍ରଙ୍କ ସହିତ ଏକରୂପ ଅଟେ । ତତ୍ତ୍ୱତଃ ଏହାକୁ ଐଶ୍ୱର୍ଯ୍ୟଯୋଗ କହନ୍ତି । ଅଧୁନା ତୁମେ ଏ କଥାକୁ ଭଲଭାବରେ ବୁଝିଯାଇଥିବ, ନୁହେଁ ? ବର୍ତ୍ତମାନ ତୁମେ କୁହ କି, ଏଥିରେ କଣ ଭେଦ-ଭାବ କରିବାପାଇଁ ସ୍ଥାନ ଅଛି ? ଏଥିପାଇଁ ଏହି ସିଦ୍ଧାନ୍ତ ଠିକ୍‌ ଯେ, ଜୀବମାତ୍ରକେ ମୋଠାରୁ ଭିନ୍ନ ନୁହଁନ୍ତି ଆଉ ତୁମେ ମୋତେ ଜୀବମାନଙ୍କଠାରୁ କଦାପି ଭିନ୍ନ ବୋଲି ମନେକରନାହିଁ । (୭୧—୮୮)
ଶ୍ଳୋକ—୬
ଆକାଶ ଯେତେ ବିସ୍ତୃତ ହୋଇଛି, ପବନର ମଧ୍ୟ ସେତିକି ବିସ୍ତୃତି ରହିଛି ଆଉ ପଙ୍ଖା ଇତ୍ୟାଦି ହଲାଇବାଦ୍ୱାରା ପବନର ପୃଥକ୍‌ ରୂପେ ପ୍ରତୀତି ହୁଏ ନଚେତ୍‌ ପବନ ସର୍ବଦା ଆକାଶ ସହିତ ଏକାକାର ହୋଇ ରହିଥାଏ । ଏହିଭଳି ଭାବରେ ଯଦି କଳ୍ପନା କରାଯାଏ ତେବେ ଭୂତମାନଙ୍କର ମଧ୍ୟ ମୋଠାରେ ପ୍ରତୀତି ହୁଏ ନଚେତ୍‌ ନିର୍ବିକଳ୍ପ ଅବସ୍ଥାରେ ଭୂତମାତ୍ର ରହିନଥାନ୍ତେ ଆଉ କେବଳ ମୁଁ ହିଁ ନିଜର ଅବିକୃତ ରୂପରେ ରହିଥାନ୍ତି । ଏଥିପାଇଁ ‘ନାଁ’ ଏବଂ ‘ହଁ’—ଉଭୟେ କେବଳ କଳ୍ପନାର କଥା ଅଟେ । ଯେଉଁ ସମୟରେ କଳ୍ପନାର ବିନାଶ ହୋଇଯାଏ, ସେ ସମୟରେ ନାମରୂପଯୁକ୍ତ ବିଶ୍ୱର ମଧ୍ୟ ଅବସାନ ହୋଇଯାଏ ଏବଂ ଯେଉଁ ସମୟରେ କଳ୍ପନା ଉତ୍ପନ୍ନ ହୁଏ, ସେ ସମୟରେ ଏ ସବୁକିଛି ବି ରହିନଥାଏ । କଳ୍ପନାର ଅବସାନ ହୋଇଯିବାପରେ ‘ହଁ’ ଏବଂ ‘ନାଁ’ରୂପ କଥା ନିମନ୍ତେ କେଉଁଠାରେ କୌଣସି ଆଧାର ମଧ୍ୟ ରହିଯାଏ ନାହିଁ । ଏଥିପାଇଁ ଏହି ଐଶ୍ୱର୍ଯ୍ୟଯୋଗ ତୁମେ ପୁନର୍ବାର ଠିକ୍‌ ଭାବରେ ବୁଝିଯାଅ । ସର୍ବପ୍ରଥମେ ତୁମେ ଏହି ଜ୍ଞାନରୂପୀ ସମୁଦ୍ରରେ ତରଙ୍ଗାକାର ହୋଇଯାଅ । ତାପରେ ଯେତେବେଳେ ତୁମେ ଦେଖିବ, ସେତେବେଳେ ତୁମକୁ ଏକଥାର ଜ୍ଞାନ ହେବ କି, ସ୍ୱୟଂ ତୁମେ ଏ ସମସ୍ତ ଚରାଚର ଜଗତ୍‌ ଅଟ ।”
ଶ୍ରୀଦେବ କହନ୍ତି କି—“ହେ ପାର୍ଥ ! ତୁମକୁ ଏହି ଜ୍ଞାନର ପ୍ରକାଶ ପ୍ରାପ୍ତ ହେଲା ନାଁ ନାହିଁ ? ତୁମର ଦ୍ୱୈତରୂପୀ ସ୍ୱପ୍ନର ଅନ୍ତ ହୋଇଗଲା ନାଁ ନାହିଁ ? ଅଧୁନା ଯଦି କୌଣସି ସମୟରେ ବୁଦ୍ଧିକୁ କଳ୍ପନାର ନିଦ୍ରା ଆସିଯାଏ, ତେବେ ଏହି ଅଭେଦ-ଜ୍ଞାନ ଦୂର ହୋଇଯିବ, କାହିଁକି ନାଁ ସେ ସମୟରେ ତୁମେ ପୁଣି ସ୍ୱପ୍ନଯୁକ୍ତ ଅବସ୍ଥାରେ ପହଞ୍ଚି ଯିବ । ଏଥିପାଇଁ ଅଧୁନା ମୁଁ ତୁମକୁ ସେହି ରହସ୍ୟ-ଜ୍ଞାନ ସ୍ପଷ୍ଟ ରୂପେ କହୁଅଛି, ଯଦ୍ଦ୍ୱାରା ଏହି ଅବିଦ୍ୟାରୂପୀ ନିଦ୍ରାର ବର୍ଣ୍ଣଚିହ୍ନ ମଧ୍ୟ ରହିବନାହିଁ ଏବଂ ତୁମର ଆତ୍ମଜ୍ଞାନଯୁକ୍ତ ଜାଗରଣ ସତତ ବଜାୟ ରହିବ । ଏଥିପାଇଁ ହେ ଧନୁର୍ଦ୍ଧର ଧନଞ୍ଜୟ ! ତୁମେ ଧୈର୍ଯ୍ୟପୂର୍ବକ ମୋ କଥା ଆଡ଼କୁ ଧ୍ୟାନ ଦିଅ । ତୁମେ ଏକଥା ଭଲଭାବରେ ବୁଝିଯାଅ କି ମାୟା (ପ୍ରକୃତି) ହିଁ ସମସ୍ତ ପ୍ରାଣୀଙ୍କର ଉତ୍ପତ୍ତି ଏବଂ ସଂହାର କରିଥାଏ । (୮୯—୯୭)
ଶ୍ଳୋକ—୭
ଯାହାକୁ ଲୋକେ ପ୍ରକୃତି ନାମରେ ଡ଼ାକନ୍ତି, ତାହା ଦୁଇପ୍ରକାର, ସେ ସମ୍ପର୍କରେ ମୁଁ ପୂର୍ବରୁ କହିସାରିଛି । ସେଥିରେ ପ୍ରଥମ ପ୍ରକାର ଅପରା ପ୍ରକୃତି ଅଟେ, ଯାହା ଆଠଗୋଟି ଭିନ୍ନ ଭିନ୍ନ ରୂପରେ ବ୍ୟକ୍ତ ହୁଏ ଏବଂ ଦ୍ୱିତୀୟ ପ୍ରକାର ପରା ପ୍ରକୃତି ଅଟେ ଯାହା ଜୀବରୂପରେ ବ୍ୟକ୍ତ ହୁଏ । ଏହି ପ୍ରକୃତିବିଷୟକ କିଛି କଥା ମୁଁ ତୁମକୁ ପୂର୍ବରୁ କହିସାରିଛି । ଏଥିପାଇଁ ବାରମ୍ବାର ତାହାର ବର୍ଣ୍ଣନା କଲେ କୌଣସି ଲାଭ ନାହିଁ । ମହାପ୍ରଳୟ ସମୟରେ ମୋର ଏହି ପ୍ରକୃତିରେ ନିରାକାର ଅଭେଦ କାରଣରୁ ହିଁ ସମସ୍ତ ଭୂତ ଏକରୂପରେ ବିଲୀନ ହୋଇଯାନ୍ତି । ଗ୍ରୀଷ୍ମଋତୁରେ ଯେତେବେଳେ ଭୀଷଣ ଉତ୍ତାପ ହୁଏ, ସେତେବେଳେ ବୀଜ ସହିତ ଘାସ ଜମିରେ ସାମଗ୍ରିକରୂପେ ବିଲୀନ ହୋଇଯାଏ ଅଥବା ବର୍ଷାଋତୁରେ ଦୃଷ୍ଟିଗୋଚର ହେଉଥିବା ମେଘ ସେ ସମୟରେ ଆକାଶରେ ହିଁ ଲୟ ହୋଇଯାଏ । ଯେଉଁ ସମୟରେ ଶରଦ୍‌ଋତୁର ନିର୍ମଳ ଶାନ୍ତିର ଗୁପ୍ତ ଭଣ୍ଡାର ଉନ୍ମୁକ୍ତ ହୋଇଯାଏ, ଆକାଶରେ ପ୍ରବାହିତ ବାୟୁ ଶେଷରେ ସେହି ଆକାଶରେ ବିଲୟ ହୋଇଯାଏ ଏବଂ ଜଳର ତରଙ୍ଗସମୂହ ଜଳରେ ଲୁପ୍ତ ହୋଇଯାଏ । ସ୍ୱପ୍ନରେ ଦୃଷ୍ଟ ଦୃଶ୍ୟ ଜାଗ୍ରତ ହେବାପରେ ମନ ମଧ୍ୟରେ ସମାହିତ ହୋଇଯାଏ । ଠିକ୍‌ ସେହିଭଳି ପ୍ରକୃତିରେ ଉତ୍ପନ୍ନ ହୋଇଥିବା ସମସ୍ତ ଜଗତ୍‌ କଳ୍ପାନ୍ତରେ ପ୍ରକୃତିରେ ସମାହିତ ହୋଇଯାଏ । ତତ୍‌ପଶ୍ଚାତ୍‌ ଯେଉଁ ଲୋକମାନେ ଏହା କୁହନ୍ତି କି ନୂତନ କଳ୍ପର ଆରମ୍ଭରେ, ମୁଁ ହିଁ ପୁନର୍ବାର ଉତ୍ପନ୍ନ କରିଥାଏ, ବର୍ତ୍ତମାନ ମୁଁ ତା ସମ୍ବନ୍ଧରେ ସ୍ପଷ୍ଟ ବିବେଚନା କରୁଅଛି । ତୁମେ ମନୋଯୋଗପୂର୍ବକ ଶ୍ରବଣ କର । (୯୮—୧୦୫)
ଶ୍ଳୋକ—୮
ହେ କିରିଟଧାରୀ ! ଯେଉଁଭଳି ସୂତା ସବୁ ବୁଣାଯିବା କାରଣରୁ ସ୍ୱୟଂ ବସ୍ତ୍ରର ରୂପ ଧାରଣ କରିଥାଏ, ଠିକ୍‌ ସେହିଭଳି ମୁଁ ମଧ୍ୟ ନିଜର ଏହି ପ୍ରକୃତିକୁ ସହଜ ଲୀଳା ରୂପରେ ଧାରଣ କରିଥାଏ । ପୁନଃ ଯେଉଁଭଳି ସୂତାକୁ ବୁଣିବା କାରଣରୁ ସେଥିରୁ ଛୋଟ ଛୋଟ ଚାରିଖଣ୍ଡ ବସ୍ତ୍ର ପ୍ରସ୍ତୁତ ହୁଏ, ସେହିଭଳି ମୋ ପ୍ରକୃତିରୁ ହିଁ ନାମରୂପଯୁକ୍ତ ପଞ୍ଚଭୌତିକ ସୃଷ୍ଟି ଉତ୍ପନ୍ନ ହୁଏ । ଯେଉଁଭଳି ଖଟାର ସଙ୍ଗ କାରଣରୁ ଦୁଗ୍ଧ ଜମିବାରେ ଲାଗେ ଅର୍ଥାତ୍‌ ଦହିରେ ପରିଣତ ହୋଇଯାଏ, ସେହିଭଳି ମୂଳ ପ୍ରକୃତିରେ ସୃଷ୍ଟିର ଭାବ ପ୍ରତିବିମ୍ବିତ ହେବାକୁ ଲାଗେ । ଯେତେବେଳେ ବୀଜକୁ ଜଳର ସାନ୍ନିଧ୍ୟ ପ୍ରାପ୍ତ ହୁଏ, ସେତେବେଳେ ସେଥିରୁ ଅଙ୍କୁର ବାହାରିବାରେ ଲାଗେ ଏବଂ ସେଥିରୁ ଯେଉଁ ଶାଖା ପ୍ରଶାଖା ବାହାରିଥାଏ, ସେସବୁ ବୃକ୍ଷର ରୂପ ଧାରଣ କରିନିଏ । ଠିକ୍‌ ସେହିଭଳି ମୋଠାରେ ପ୍ରକୃତିଜନିତ ଭୂତ-ସୃଷ୍ଟିର ବିସ୍ତାର ହୁଏ । ପ୍ରାୟତଃ ଲୋକମାନେ କହନ୍ତି କି, ରାଜା ଅମୁକ ନଗର ନିର୍ମାଣ କରିଛନ୍ତି ଏବଂ ଏକ ଦୃଷ୍ଟିରେ ଲୋକମାନଙ୍କର ଏହି କଥନ ଠିକ୍‌ ମଧ୍ୟ ହୁଏ, ହେଲେ ଯଦି ବାସ୍ତବ ଦୃଷ୍ଟିରେ ଦେଖାଯାଏ, ତେବେ କଣ କେହି ଏ କଥା କହିପାରେ କି ସେହି ନଗର ନିର୍ମାଣ କରିବାରେ ରାଜାଙ୍କର କେବେ ହାତ ଲାଗିଥିଲା ? ଠିକ୍‌ ସେହିଭଳି ମୁଁ ମଧ୍ୟ ପ୍ରକୃତିକୁ ସ୍ୱୀକାର କରିଥାଏ, ଯେଉଁଭଳି ସ୍ୱପ୍ନାବସ୍ଥାରେ ରହୁଥିବା ବ୍ୟକ୍ତି ଜାଗ୍ରତ୍‌ ଅବସ୍ଥାରେ ପ୍ରବେଶ କରିଥାଏ । ଯେଉଁ ସମୟରେ ସ୍ୱପ୍ନର ସ୍ଥିତିରେ ରହୁଥିବା ବ୍ୟକ୍ତି ଜାଗ୍ରତ୍‌-ଅବସ୍ଥାକୁ ଆସିଥାଏ, ସେ ସମୟରେ କଣ ତା ପାଦକୁ କେବେ କୌଣସି କଷ୍ଟ କରିବାପାଇଁ ପଡ଼େ ? ଅଥବା ତାହାକୁ ସ୍ୱପ୍ନରେ ଚାଲି କଣ କୌଣସି ପ୍ରବାସ କରିବାକୁ ପଡ଼େ ? ଏ ସମସ୍ତ କଥା କହିବାର ଅଭିପ୍ରାୟ କଣ ? ଏହା କହିବାର ତାତ୍ପର୍ଯ୍ୟ ହେଉଛି କି, ଏହି ସୃଷ୍ଟିର ରଚନା କରିବା ସମୟରେ ମୋତେ କୌଣସି ପ୍ରକାର କ୍ରିୟା କରିବାପାଇଁ ପଡ଼ିନଥାଏ । ଯେଉଁଭଳି ରାଜାଙ୍କ ଆଶ୍ରିତ ହୋଇ ପ୍ରଜା ରହିଥାନ୍ତି, ତଥାପି ପ୍ରଜାଙ୍କ ମଧ୍ୟରୁ ସମସ୍ତ ଲୋକ ସ୍ୱେଚ୍ଛାନୁସାରେ ନିଜର ସମସ୍ତ କ୍ରିୟାକର୍ମ କରିଚାଲନ୍ତି, ସେହିଭଳି ପ୍ରକୃତିର ସ୍ୱୀକାରମାତ୍ର ମୋଠାରେ ଆସିଥାଏ, ଅବଶିଷ୍ଟ ବ୍ୟବହାର ସ୍ୱୟଂ ସେହି ପ୍ରକୃତିର ହୁଏ । ତା ସହିତ ମୋର କୌଣସି ପ୍ରତ୍ୟକ୍ଷ ସମ୍ବନ୍ଧ ନଥାଏ । ଦେଖ, ଯେତେବେଳେ ପୂର୍ଣ୍ଣିମାର ଚନ୍ଦ୍ର ଦେଖାଦିଏ, ସେତେବେଳେ ସମୁଦ୍ରରେ ଅପାର ଲହରୀ ଉଠେ । ହେ କିରିଟୀ ! କଣ ସେହି ଲହରୀ ପାଇଁ ଚନ୍ଦ୍ରମାଙ୍କୁ ଶ୍ରମ କରିବାକୁ ପଡ଼ିଥାଏ ? ଲୁହା ଯଦିଓ ଜଡ଼ ହୁଏ, ତଥାପି ଯେତେବେଳେ ଚୁମ୍ବକ ନିକଟକୁ ଆସିଥାଏ, ସେତେବେଳେ ତାହା ଗତିଶୀଳ ହୋଇଯାଏ, କିନ୍ତୁ କଣ କେବେ ଲୁହାକୁ ଗତିଶୀଳ କରିବାପାଇଁ ଚୁମ୍ବକକୁ କୌଣସି ପ୍ରକାରର ଶ୍ରମ କରିବାପାଇଁ ପଡ଼ିଥାଏ ? ବାସ୍‌, ଏହିଭଳି ଭାବେ ଯେମିତି ମୁଁ ନିଜ ପ୍ରକୃତିକୁ ଅଙ୍ଗୀକାର କରେ, ଅର୍ଥାତ୍‌ ମୂଳ ମାୟାକୁ ଧାରଣ କରେ, ସେମିତି ଭୂତ-ସୃଷ୍ଟି ସ୍ୱତଃ ଅସ୍ତିତ୍ୱରେ ଆସିବାକୁ ଲାଗେ ।
ହେ ପାଣ୍ଡବ ! ଯେଉଁଭଳି ବୀଜ ମଧ୍ୟରୁ ଶାଖା ଏବଂ ପଲ୍ଲବାଦି ଉତ୍ପନ୍ନ କରିବାରେ ଭୂମି ସହାୟକ ହୁଏ, ସେହିଭଳି ଏହି ସମସ୍ତ ସୃଷ୍ଟି ପ୍ରକୃତିର ସହଯୋଗରେ ପ୍ରକଟ ହୁଏ ଅଥବା ଯେଉଁଭଳି ବାଲ୍ୟ, ଯୁବା ଇତ୍ୟାଦି ଅବସ୍ଥାସମୂହର ମୁଖ୍ୟ କାରଣ ଶରୀର ସଙ୍ଗ ଅଟେ, ଅଥବା ଯେଉଁଭଳି ମେଘମାଳା ଆକାଶରେ ଆସିବା ପାଇଁ ବର୍ଷାଋତୁ ମୂଳ କାରଣ ହୁଏ, ଅଥବା ଯେଉଁଭଳି ନିଦ୍ରା ସ୍ୱପ୍ନର ମୂଳ କାରଣ ହୁଏ, ଠିକ୍‌ ସେହିଭଳି ହେ ନରେନ୍ଦ୍ର ! ଏ ସମସ୍ତ ସୃଷ୍ଟିର ସମର୍ଥ କାରଣ ପ୍ରକୃତି ହିଁ ଅଟେ । ସ୍ଥାବର, ଜଙ୍ଗମ, ସ୍ଥୂଳ ଏବଂ ସୂକ୍ଷ୍ମ ସମସ୍ତ ଭୂତଗ୍ରାମର ମୂଳ କାରଣ ସେହି ପ୍ରକୃତି ହିଁ ଅଟେ । ଏଥିପାଇଁ ଭୂତ-ସୃଷ୍ଟିକୁ ଉତ୍ପନ୍ନ କରିବା ଅଥବା ତାହାର ପାଳନ କରିବା ଆଦିର କ୍ରିୟାସମୂହର ସମ୍ପର୍କ ମୋଠାରେ ଆଦୌ ନଥାଏ । ଜଳରେ ଯେଉଁ ଚନ୍ଦ୍ରକିରଣ ପଡ଼ିଥାଏ, ତାହା ଲହରୀ ସଦୃଶ ସୁଦୀର୍ଘ ପ୍ରତୀତ ହୁଏ, କିନ୍ତୁ ତାହାର ଏହି ଲହରୀ ଚନ୍ଦ୍ରମା ଦ୍ୱାରା ହୋଇନଥାଏ । ଠିକ୍‌ ସେହିଭଳି ସମସ୍ତ କର୍ମ ମୋପର୍ଯ୍ୟନ୍ତ ପହଁଞ୍ଚିବାପରେ ମଧ୍ୟ ମୋଠାରୁ ପୃଥକ୍‌ ଏବଂ ଦୂରରେ ରହିଥାଏ । (୧୦୬—୧୨୩)
ଶ୍ଳୋକ—୯
ଯେଉଁଭଳି ସମୁଦ୍ରରେ ଉଠୁଥିବା ଜଳର ତରଙ୍ଗକୁ ଲବଣରେ ପ୍ରସ୍ତୁତ ବନ୍ଧ ରୋକିପାରେ ନାହିଁ, ସେହିଭଳି ଯେଉଁ କର୍ମର ଅନ୍ତ ମୋଠାରେ ହୁଏ, ସେହି କର୍ମ ମଧ୍ୟ ମୋତେ ବାନ୍ଧିବାରେ ସମର୍ଥ ହୋଇପାରେ ନାହିଁ । ଯଦି ଧୂମ୍ରକଣାରୁ ନିର୍ମିତ ପିଞ୍ଜରା ବାୟୁକୁ ଏହା କହି ରୋକିପାରେ କି, ବାସ୍‌, ରହିଯାଅ ଅବା ସୂର୍ଯ୍ୟମଣ୍ଡଳରେ ଯଦି ଅନ୍ଧକାରର ପ୍ରବେଶ ହୋଇପାରୁଛି, ତେବେ ଏ କର୍ମ ମଧ୍ୟ ମୋପାଇଁ ବନ୍ଧନକାରକ ହୋଇପାରିବ । ଯେଉଁଭଳି ଭୀଷଣ ବୃଷ୍ଟିଧାରାରେ ପର୍ବତର ହୃଦୟ ବିଦୀର୍ଣ୍ଣ ହୁଏନାହିଁ, ସେହିଭଳି ପ୍ରକୃତି ଦ୍ୱାରା କୃତ ଯେକୌଣସି କର୍ମ ମୋତେ ବାନ୍ଧିପାରନ୍ତି ନାହିଁ । ଯଦି ବାସ୍ତବରେ ଦେଖାଯାଏ ତେବେ ଏହି ପ୍ରକୃତି ଯିଏ ନାମ-ରୂପ ଆଦି ବିକାର ଉତ୍ପନ୍ନ କରେ, ତାହାର ଆଧାର ମୁଁ ହିଁ ଅଟେ । ହେଲେ ମୁଁ ସବୁବେଳେ ଉଦାସୀନ ରହେ, ଏହି କାରଣରୁ ନାଁ ତ ମୁଁ କୌଣସି କର୍ମ କରେ ଆଉ ନାଁ କରାଇଥାଏ । ଯଦି ଘରେ ପ୍ରଜ୍ଜ୍ୱଳିତ ପ୍ରଦୀପ ରଖିଦିଆଯାଏ, ତେବେ ନାଁ ତ କେହି କାହାଦ୍ୱାରା କୌଣସି କର୍ମ କରାନ୍ତି ଆଉ ନାଁ କାହାରିକୁ କୌଣସି କର୍ମ କରିବାରୁ ନିବୃତ୍ତ କରିଥାନ୍ତି । ସେ ତ ଏହା ମଧ୍ୟ ଦେଖନ୍ତି ନାହିଁ କି, କିଏ କଣ କରୁଛି । ଯେଉଁଭଳି ସେହି ପ୍ରଦୀପ ଉଦାସୀନ ଅବା ତଟସ୍ଥ ଭାବରେ ଗୋଟିଏ ସ୍ଥାନରେ ପଡ଼ିରହିଥାଏ, ତଥାପି ଘରେ ରହୁଥିବା ବ୍ୟକ୍ତିମାନଙ୍କ କ୍ରିୟାର କାରଣ ହୁଏ, ସେହିଭଳି ଯଦିଓ ମୁଁ ଜୀବମାତ୍ର ମଧ୍ୟରେ ରହିଥାଏ, କିନ୍ତୁ ଜୀବମାତ୍ରଙ୍କ କର୍ମ ସହିତ ମୋର କିଛି ବି ସମ୍ବନ୍ଧ ରହିନଥାଏ । ହେ ସୁଭଦ୍ରାପତି ! ଏହି ଗୋଟିଏ ପ୍ରକାର ବିଚାର ମୁଁ ଭିନ୍ନ-ଭିନ୍ନ ପ୍ରକାରରେ ବାରମ୍ବାର ତୁମକୁ କେଉଁପର୍ଯ୍ୟନ୍ତ କହିବି ! ତୁମେ କେବଳ ଏତିକି ଜାଣିନିଅ କି—(୧୨୪—୧୩୦)
ଶ୍ଳୋକ—୧୦
ଯେଉଁଭଳି ସୂର୍ଯ୍ୟ ସମସ୍ତ ପ୍ରାଣୀଗଣଙ୍କର କ୍ରିୟାକଳାପର କେବଳ ନିମିତ୍ତ ହୋଇଥାନ୍ତି, ସେହିଭଳି ହେ ପାଣ୍ଡୁସୁତ ! ମୁଁ ମଧ୍ୟ ଜଗତ୍‌ର ଉତ୍ପତ୍ତିର ତଟସ୍ଥରୂପେ ନିମିତ୍ତମାତ୍ର ହୁଏ । ଏହାର କାରଣ ହେଉଛି କି, ମୁଁ ଯେଉଁ ମୂଳ ପ୍ରକୃତିକୁ ଧାରଣ କରିଛି, ସେଥିରୁ ଏହି ସ୍ଥାବର, ଜଙ୍ଗମ ଜଗତ୍‌ର ଉତ୍ପତ୍ତି ହୁଏ ଏବଂ ଏହି ଦୃଷ୍ଟିରୁ ବିଚାର କଲେ ମୁଁ ହିଁ ଏହି ଜଗତ୍‌ର ଉତ୍ପତ୍ତିର କାରଣ ବୋଲାଏ । ଅଧୁନା ତୁମେ ଏହି ଦିବ୍ୟ ଜ୍ଞାନର ଆଲୋକରେ ମୋର ଏହି ଐଶ୍ୱର୍ଯ୍ୟଯୋଗର ତତ୍ତ୍ୱକୁ ଦେଖ । ସେହି ତତ୍ତ୍ୱ ହେଉଛି, ଭୂତମାତ୍ରକେ ମୋଠାରେ ଅବସ୍ଥାନ କରିଛନ୍ତି, ହେଲେ ମୁଁ ଭୂତମାତ୍ରଙ୍କ ମଧ୍ୟରେ ଅବସ୍ଥାନ କରେନାହିଁ ଅଥବା ଏ ସମସ୍ତ ଭୂତମାତ୍ର ମଧ୍ୟ ମୋଠାରେ ଅବସ୍ଥାନ କରନ୍ତି ନାହିଁ ତଥା ମୁଁ ମଧ୍ୟ ଏମାନଙ୍କ ମଧ୍ୟରେ ନାହିଁ । ହେ ପାର୍ଥ ! ଏହି ପ୍ରମୁଖ କଥାକୁ ତୁମେ କଦାପି ଭୁଲନାହିଁ । ଏହି ଗୂଢ଼ ଜ୍ଞାନ ହିଁ ମୋର ସର୍ବସ୍ୱ ଅଟେ ଏବଂ ଆଜି ଏହି କଥା ମୁଁ ତୁମକୁ ସମ୍ପୂର୍ଣ୍ଣରୂପେ ସ୍ପଷ୍ଟ ଶବ୍ଦରେ କହୁଅଛି । ଏବେ ତୁମେ ଅତ୍ରତତ୍ର ଘୂରିବୁଲୁଥିବା ଇନ୍ଦ୍ରିୟସମୂହର ଦ୍ୱାର ବନ୍ଦ କରି ନିଜ ହୃଦୟରେ ଏହି ରହସ୍ୟର ମାଧୁର୍ଯ୍ୟକୁ ଉପଭୋଗ କର । ହେ ପାର୍ଥ ! ଯେଉଁ ସମୟ ପର୍ଯ୍ୟନ୍ତ ଏହି ରହସ୍ୟ ହାତକୁ ଆସିନାହିଁ, ସେ ସମୟ ପର୍ଯ୍ୟନ୍ତ ଏହି ନାମ-ରୂପଯୁକ୍ତ ସଂସାରରେ ମୋର ସତ୍ୟ ସ୍ୱରୂପର ଠିକ୍‌ ସେହିଭଳି ଜ୍ଞାତ ହୋଇନଥାଏ, ଯେଉଁଭଳି ଧୂସରେ ଲୁଚିରହିଥିବା ଶସ୍ୟ ଜଣାପଡ଼ିନଥାଏ । ସାଧାରଣତଃ ଏପରି ଜଣାଯାଏ କି, ତର୍କ ମାର୍ଗରୁ ହିଁ ମର୍ମ ଜଣାପଡ଼ିଥାଏ । ହେଲେ ଯଥାର୍ଥରେ ବିନା ଅନୁଭୂତିରେ ଏହି ମର୍ମର ଜ୍ଞାନ ମଧ୍ୟ ବ୍ୟର୍ଥ ଅଟେ, କାରଣ ମୃଗତୃଷ୍ଣାର ଆର୍ଦ୍ରତା କାରଣରୁ ଭୂମି କଦାପି ଆଦ୍ର ହୋଇନଥାଏ । ଯଦି ଜଳରେ ଜାଲ ବିଛାଇଦିଆଯାଏ, ତେବେ ଏଭଳି ଜଣାଯାଏ କି ଚନ୍ଦ୍ରବିମ୍ବ ସେହି ଜାଲରେ ଆସି ପଡ଼ିଛି । କିନ୍ତୁ ଯେତେବେଳେ ସେହି ଜାଲକୁ ଜଳରୁ କୂଳକୁ ନିଆଯାଏ, ସେତେବେଳେ ସେଥିରେ ଥିବା ଚନ୍ଦ୍ରମା କେଉଁଆଡ଼େ ଚାଲିଯାଏ ? ଏହିଭଳି ଭାବରେ ଲୋକମାନେ ବ୍ୟର୍ଥରେ ବାଚାଳାମି କରି ଅନୁଭବ ଆଖିରେ ଧୂଳି ଦେଇଥାନ୍ତି ତଥା ଅନୁଭବ ନ ହେବାପରେ ମଧ୍ୟ ବାଚାଳତାପୂର୍ବକ କହିଉଠନ୍ତି କି, ଆମକୁ ଅନୁଭବ ହୋଇଯାଇଛି, ହେଲେ ଯେଉଁ ସମୟରେ ଯଥାର୍ଥ-ବୋଧର ଅବସର ଆସେ, ସେ ସମୟରେ ସେମାନଙ୍କର ସେହି ଅନୁଭବର ଠିକଣା ସୁଦ୍ଧା ମିଳେନାହିଁ । (୧୩୧—୧୩୯)
ଶ୍ଳୋକ—୧୧
ଅଧିକ କଣ କହିବି, ଯଦି କେବେ ତୁମକୁ ପ୍ରକୃତରେ ସଂସାରର ଭୟ ଜଣାପଡ଼ିଥାଏ, ଏବଂ ମୋ ପ୍ରତି ତୁମର ବିଶୁଦ୍ଧ ଅନୁରାଗ ହୁଏ, ତେବେ ତୁମପାଇଁ ଏହା ସମୀଚୀନ ଅଟେ କି ତୁମେ ଏହି ତତ୍ତ୍ୱ-ବିଚାରକୁ ଉତ୍ତମରୂପେ ପ୍ରଯତ୍ନପୂର୍ବକ ସ୍ମରଣ ରଖ । ନଚେତ୍‌ ଯେଉଁଭଳି ଆଖିରେ ପରଳ ମାଡ଼ିଗଲେ ଧବଳ ଚନ୍ଦ୍ରମା ମଧ୍ୟ ହଳଦିଆ ଜଣାପଡ଼ନ୍ତି, ସେହିଭଳି ମୋର ନିର୍ମଳ ସ୍ୱରୂପ ମଧ୍ୟ ଦୋଷଯୁକ୍ତ ପ୍ରତୀତ ହେବାରେ ଲାଗେ ଅଥବା ଯେଉଁଭଳି ଜ୍ୱର କାରଣରୁ ମୁଖର ସ୍ୱାଦ ପରିବର୍ତ୍ତିତ ହୋଇଯିବାରୁ ଦୁଗ୍ଧ ମଧ୍ୟ ଅସ୍ୱାଦ ଲାଗେ, ଠିକ୍‌ ସେହିଭଳି ମୁଁ ମନୁଷ୍ୟ ନ ହୋଇ ବି ଲୋକମାନେ ମୋତେ ମନୁଷ୍ୟ ମାନିନିଅନ୍ତି । ଏଥିପାଇଁ ହେ ଧନଞ୍ଜୟ ! ମୁଁ ବାରମ୍ବାର ତୁମକୁ କହୁଛି କି, ତୁମେ ଏହି ରହସ୍ୟ ଜ୍ଞାନକୁ ଭୁଲନାହିଁ, କାରଣ ଏହି ରହସ୍ୟ ବିନା କେବଳ ସ୍ଥୂଳ ଦୃଷ୍ଟି କୌଣସି କାମକୁ ନୁହେଁ । ମୋତେ ସ୍ଥୂଳ ଦୃଷ୍ଟିରେ ଦେଖିବା ହିଁ ବାସ୍ତବରେ ଅଜ୍ଞାନ ଅଟେ, କାହିଁକି ନାଁ ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଅମୃତର ପାନ କରିନିଏ, ତେବେ ତାହାଦ୍ୱାରା ସେହି ବ୍ୟକ୍ତି କଦାପି ଅମର ହୋଇପାରେ ନାହିଁ । ସାଧାରଣତଃ ମୂଢ଼ଜନମାନେ ମୋତେ ସ୍ଥୂଳ ଦୃଷ୍ଟିରେ ଦେଖନ୍ତି ଆଉ ସେହି ରୂପରେ ମୋତେ ଜାଣନ୍ତି ମଧ୍ୟ, କିନ୍ତୁ ଯେଉଁଭଳି ସେହି ହଂସର ଅନ୍ତ ହୁଏ, ଯିଏ ଜଳରେ ପ୍ରତିବିମ୍ବିତ ହେଉଥିବା ନକ୍ଷତ୍ରସମୂହକୁ ଭୁଲରେ ରତ୍ନ ମନେକରି ତାହାକୁ ପାଇବା ପାଇଁ ଆଶା କରିଥାଏ, ଠିକ୍‌ ସେହିଭଳି ଏହି ବାହ୍ୟ ଜ୍ଞାନ ମଧ୍ୟ ଯଥାର୍ଥ ଜ୍ଞାନର ପ୍ରାପ୍ତି ମାର୍ଗରେ ବହୁତ ବଡ଼ ବାଧକ ହୋଇଥାଏ । ଯଦି ଆମେ ମୃଗତୃଷ୍ଣାକୁ ଗଙ୍ଗା ମନେକରି ତା ନିକଟକୁ ଯାଉ ତେବେ ତା ଦ୍ୱାରା ଭଲା କେଉଁ ଫଳର ପ୍ରାପ୍ତି ହୋଇପାରିବ ? ଯଦି ଆମେ ବବୁଲବୃକ୍ଷକୁ ହିଁ କଳ୍ପବୃକ୍ଷ ମନେକରି ତାହାର ସେବା କରିବା ତେବେ ଏହାଦ୍ୱାରା କଣ ଲାଭ ହେବ ? ଯଦି ଆମେ ବିଷଧର ସର୍ପକୁ ନୀଳମଣିର ହାର ମନେକରି ହାତରେ ଧରିବା ଅଥବା ଧଳା ପଥରକୁ ହିଁ ରତ୍ନ ମନେକରି ତାହାକୁ ଏକ ଭଣ୍ଡାରରେ ରଖିଦେବା ଅଥବା ଜଳୁଥିବା ଅଙ୍ଗାରକୁ ରତ୍ନ ମନେକରି ଥଳିରେ ରଖିଦେବା ଆଉ ଭାବିବା କି ଏହା ତ ଗୁପ୍ତ ଧନର ଭଣ୍ଡାର ଅଟେ ଅଥବା ଯଦି କୌଣସି ସିଂହ କୌଣସି କୂପରେ ନିଜର ଛାଇ ଦେଖି ବାସ୍ତବ ସିଂହ ଏବଂ ଛାଇ ମଧ୍ୟରେ କୌଣସି ପାର୍ଥକ୍ୟ ନକରି ସେହି କୂପରେ ଲମ୍ଫ ଦିଏ, ତେବେ ତାହାର କି ପରିଣାମ ହେବ ? ଏହିଭଳି ଭାବରେ ଯେଉଁ ବ୍ୟକ୍ତି ନିଜ ଚିତ୍ତରେ ଏ କଥାର ନିଶ୍ଚୟ କରିନିଏ କି ମୁଁ ପରମାତ୍ମା ବାସ୍ତବରେ ସାକାର ହୋଇ ସଂସାରରେ ଅବତାର ନେଇଥାଏ ଏବଂ ଏହା ଜାଣି ଏହି ସାଂସାରିକ ପ୍ରପଞ୍ଚରେ ଲୀନ ହୋଇଯାଏ, ସେମାନଙ୍କ ବିଷୟରେ ଏହା ଜାଣିନେବା ଆବଶ୍ୟକ କି ସେମାନେ ଜଳରେ ପଡ଼ୁଥିବା ପ୍ରତିବିମ୍ବକୁ ହିଁ ଚନ୍ଦ୍ରମା ମନେକରି ତାହାର ସଂଗ୍ରହ କରିଥାନ୍ତି ।
ଏହିଭଳି ଭାବରେ ବୁଦ୍ଧିର ଭ୍ରମ କେବଳ ବ୍ୟର୍ଥରେ ହୁଏ । ଯେପରି ଜଣେ କାଞ୍ଜି ପିଏ ଆଉ ପରିଣାମରେ ଅମୃତକୁ ଦେଖିବାକୁ ଚାହେଁ, ଠିକ୍‌ ସେହିଭଳି ଆଉ ଏକ କଥା ରହିଛି କି, ଏହି ବିନାଶୀ ନାମ-ରୂପଧାରୀ ସ୍ଥୂଳ ରୂପରେ ଶ୍ରଦ୍ଧାଯୁକ୍ତ ଚିତ୍ତରେ ପୂର୍ଣ୍ଣ ଭରସା ରଖାଯାଏ ଆଉ ସେତେବେଳେ ସେଥିରେ ମୋର ଅବିନାଶୀ ରୂପ ଦେଖାଯାଏ । ଭଲା ଏପ୍ରକାର ଚେଷ୍ଟା ଦ୍ୱାରା ମୁଁ କିପରି ଦେଖାଯିବି ? କଣ ପୂର୍ବ ଦିଗ ଆଡ଼କୁ ଯାଉଥିବା ରାସ୍ତାରେ ଚାଲି କେହି କେବେ ପଶ୍ଚିମ ସମୁଦ୍ରର ଆରପାରିରେ ପହଁଞ୍ଚିପାରନ୍ତି ? ଅଥବା ହେ ସୁଭଟ ! କଣ ଧୂସକୁ କୁଟିଲେ ସେଥିରୁ କେବେ ଶସ୍ୟ ଦାନା ମିଳିପାରେ ? ଏହିଭଳି ଯେଉଁ ସ୍ଥୂଳ ବିଶ୍ୱର ଆକାର କେବଳ ବିକାର ଦ୍ୱାରା ନିର୍ମିତ ଅଟେ, ତାହାକୁ ଅବଗତ ହୋଇ ମୋର କେବଳ, ନିରାକାର ଏବଂ ନିର୍ଗୁଣ ସ୍ୱରୂପକୁ ଭଲା କିପରି ଜାଣିହେବ ? କଣ ଫେଣ ପିଇଲେ, ଜଳ ପାନ କରିବାର ଫଳ ପ୍ରାପ୍ତି ହୋଇପାରେ ? ଏହିଭଳି ମନରେ ମୋହ ଉତ୍ପନ୍ନ ହେବା କାରଣରୁ ଲୋକମାନେ ଭ୍ରମବଶତଃ ଏହା କଳ୍ପନା କରିନିଅନ୍ତି କି, ଏହି ବିଶ୍ୱ ମୁଁ ପରମାତ୍ମା ହିଁ ଅଟେ ଏବଂ ସେତେବେଳେ ଏହା ମାନିନିଅନ୍ତି କି ଏହି ସ୍ଥାନର ଯେଉଁ ଜନ୍ମ-ମୃତ୍ୟୁ ଆଦି କର୍ମ ରହିଛି, ସେ ସବୁ ମୋଠାରେ ମଧ୍ୟ ପ୍ରଯୁକ୍ତ ଅଟେ । ଏହିଭଳି ଭାବରେ ସେମାନେ ମୋଭଳି ଅନାମର ନାମକରଣ କରିପକାନ୍ତି, କ୍ରିୟାହୀନ କର୍ମର ଏବଂ ବିଦେହ ଉପରେ ଦେହ-ଧର୍ମର ଆରୋପ କରିପକାନ୍ତି । ସେମାନେ ମୋଭଳି ନିରାକାରକୁ ଆକାର ମାନି ନିଅନ୍ତି, ମୋଭଳି ଉପାଧିହୀନ ଉପରେ ଉପଚାର ବିଧିର ଆରୋପ କରିପକାନ୍ତି, ମୁଁ ନିଷ୍କ୍ରିୟ ହେବାପରେ ମଧ୍ୟ ମୋ ଉପରେ ବ୍ୟବହାରର, ବର୍ଣ୍ଣହୀନ ହେବାପରେ ମଧ୍ୟ ବର୍ଣ୍ଣର, ନିର୍ଗୁଣ ହେବାପରେ ମଧ୍ୟ ଗୁଣର, ହସ୍ତ-ପଦ ନ ଥିବା ପରେ ମଧ୍ୟ ହସ୍ତ-ପଦର, ଅପରିମିତ ହେବାପରେ ମଧ୍ୟ ପରିମିତର, ସର୍ବବ୍ୟାପୀ ହେବାପରେ ମଧ୍ୟ ଏକଦେଶୀୟ ହେବାର ଆରୋପ କରିଥାନ୍ତି । ଯେଉଁଭଳି ସୁଷୁପ୍ତ ବ୍ୟକ୍ତି ସ୍ୱପ୍ନାବସ୍ଥାରେ ନିଜ ଶଯ୍ୟାରେ ଶୋଇବାପରେ ବି ଅରଣ୍ୟକୁ ଦେଖିଥାଏ, ସେହିଭଳି ସେମାନେ ମୋଭଳି ଶ୍ରବଣହୀନ ଉପରେ ଶ୍ରବଣ, ନେତ୍ରହୀନ ଉପରେ ନେତ୍ର, ଗୋତ୍ରରହିତ ଉପରେ ଗୋତ୍ର ଏବଂ ରୂପହୀନ ଉପରେ ରୂପର ଆରୋପ କରିଥାନ୍ତି । ଯଦିଓ ମୋଠାରେ ଇଚ୍ଛା, ତୃପ୍ତି, ବସ୍ତ୍ର, ଭୂଷଣ ଏହଂ କାରଣ ଇତ୍ୟାଦି କିଛି ବି ନାହିଁ, ତଥାପି ସେମାନେ ମୋଠାରେ ଏସମସ୍ତକୁ ଆରୋପ କରିଥାନ୍ତି । ଯଦିଓ ମୁଁ ସ୍ୱୟଂସିଦ୍ଧ ଅଟେ, ତଥାପି ସେମାନେ ମୋର ମୂର୍ତ୍ତିର ନିର୍ମାଣ କରିଥାନ୍ତି, ମୁଁ ସ୍ୱୟମ୍ଭୂ ଅଟେ ତଥାପି ମୋର ପ୍ରାଣ-ପ୍ରତିଷ୍ଠା କରିଥାନ୍ତି ଏବଂ ମୁଁ ନିତ୍ୟ ନିରନ୍ତର ତଥା ସର୍ବବ୍ୟାପକ ଅଟେ, ତଥାପି ସେମାନେ ମୋର ଆବାହନ ଏବଂ ବିସର୍ଜନ କରିଥାନ୍ତି । ଯଦିଓ ମୁଁ ସର୍ବଦା ସ୍ୱୟଂସିଦ୍ଧ ଅଟେ ତଥାପି ସେମାନେ ନିଜ ବୁଦ୍ଧିରେ ମୋର ବିକାରହୀନ ଏକରୂପ ସହିତ ବାଲ୍ୟାବସ୍ଥା, ଯୁବାବସ୍ଥା ଏବଂ ବୃଦ୍ଧାବସ୍ଥାର ସମ୍ବନ୍ଧ ସ୍ଥାପନ କରିପକାନ୍ତି । ଯଦିଓ ମୁଁ ଦ୍ୱୈତହୀନ ଅଟେ, ତଥାପି ସେମାନେ ମୋଠାରେ ଦ୍ୱୈତଭାବର ଆରୋପ କରିଥାନ୍ତି । ମୋଭଳି ଅକର୍ତ୍ତାକୁ କର୍ତ୍ତା ଏବଂ ଅଭୋକ୍ତାକୁ ଭୋଗର ଉପଭୋଗକାରୀ ବୋଲି ମନେକରନ୍ତି । ଯଦିଓ ମୋର କୌଣସି କୁଳ ନାହିଁ, ତଥାପି ସେମାନେ ମୋ କୁଳର ନିରୂପଣ କରିଥାନ୍ତି । ମୁଁ ଅବିନାଶୀ ହେବାପରେ ମଧ୍ୟ ମୋର ମୃତ୍ୟୁର କଳ୍ପନା କରି ଦୁଃଖୀ ହୋଇଥାନ୍ତି ଏବଂ ଯଦିଓ ମୁଁ ସମସ୍ତଙ୍କ ଭିତରେ ସମାନ ରୂପରେ ବିଦ୍ୟମାନ ଅଟେ, ତଥାପି ମୋ ବିଷୟରେ ଶତ୍ରୁ ଏବଂ ମିତ୍ର ଇତ୍ୟାଦି ଭାବସମୂହର ସମ୍ଭାବନା କରିଥାନ୍ତି, ଯଦିଓ ମୁଁ ଆତ୍ମାନନ୍ଦର ସାକ୍ଷାତ୍‌ ଭଣ୍ଡାର ଅଟେ, ହେଲେ ତଥାପି ସେମାନେ ବୁଝନ୍ତି କି ମୁଁ ବିଭିନ୍ନ ପ୍ରକାର ସୁଖର ଲାଳସା କରିଥାଏ । ଯଦିଓ ମୁଁ ସର୍ବତ୍ର ସମଭାବରେ ରହିଥାଏ, ତଥାପି ସେମାନେ ମୋତେ ଏକଦେଶୀୟ ମନେକରନ୍ତି ଏବଂ ଏହା ମାନନ୍ତି କି ମୁଁ ଅମୁକ ସ୍ଥଳ-ବିଭାଗରେ ଅବସ୍ଥାନ କରିଥାଏ ଏବଂ ଯଦିଓ ମୁଁ ସମସ୍ତ ଜଡ଼-ଜଙ୍ଗମର ଆତ୍ମା ଅଟେ, ତଥାପି ସେମାନେ ମୋ ବିଷୟରେ ଏହା କୁହନ୍ତି କି ମୁଁ ଜଣଙ୍କର ପକ୍ଷ ନିଏ ଆଉ ଅନ୍ୟ ଉପରେ କୋପ କରି ତାକୁ ମାରିପକାଏ । କହିବାର ଅଭିପ୍ରାୟ ହେଉଛି, ଏପ୍ରକାରର ଯେଉଁ ଅନେକ ମନୁଷ୍ୟ-ଧର୍ମ ରହିଛି, ତାହାକୁ ସେମାନେ ‘ମୁଁ’ କହିଥାନ୍ତି ଏବଂ ସେ ସବୁକୁ ମୋଠାରେ ଆରୋପ କରିଥାନ୍ତି । ଏହିଭଳି ଭାବରେ ସେମାନଙ୍କ ଜ୍ଞାନର ସ୍ୱରୂପ ସତ୍ୟର ସମ୍ପୂର୍ଣ୍ଣ ବିପରୀତ ହୁଏ । ସେମାନେ ଯେଉଁସମୟରେ କୌଣସି ମୂର୍ତ୍ତିକୁ ନିଜ ସମ୍ମୁଖରେ ଦେଖନ୍ତି, ସେ ସମୟରେ ତାହାକୁ ଦେବତା କହନ୍ତି, କିନ୍ତୁ ଯେଉଁ ସମୟରେ ସେହି ମୂର୍ତ୍ତି ଖଣ୍ଡିତ ହୋଇଯାଇଥାଏ, ସେ ସମୟରେ ଏହା କହି ତାହାକୁ ଫିଙ୍ଗି ଦିଅନ୍ତି କି ସେ ଦେବତା ନୁହଁନ୍ତି । କହିବାର ଅଭିପ୍ରାୟ ହେଉଛି, ସେମାନେ ନାନାପ୍ରକାରରେ ଏହା ମାନୁଥାଆନ୍ତି କି ମୁଁ ସାକାର ମନୁଷ୍ୟ ଅଟେ । ଏହିଭଳି ଭାବରେ ସେମାନଙ୍କର ଏହି ବିପରୀତ ଜ୍ଞାନ ହିଁ ପ୍ରକୃତ ଜ୍ଞାନକୁ ଅନ୍ଧକାର ମଧ୍ୟରେ ରଖିଥାଏ ଏବଂ ପ୍ରକୃତ ଜ୍ଞାନ ସେମାନଙ୍କ ଦୃଷ୍ଟି ସମ୍ମୁଖକୁ ଆସିନଥାଏ । (୧୪୦—୧୭୧)
ଶ୍ଳୋକ—୧୨
ଏଥିପାଇଁ ଏଭଳି ବ୍ୟକ୍ତିମାନଙ୍କର ଜନ୍ମ ନେବା ବ୍ୟର୍ଥ ସିଦ୍ଧ ହୁଏ, ବର୍ଷାଋତୁ ବ୍ୟତିରେକ ଅନ୍ୟ ଋତୁମାନଙ୍କରେ ଯେଉଁ ମେଘ ଦୃଷ୍ଟିଗୋଚର ହୁଏ ଅଥବା ମୃଗତୃଷ୍ଣାର ଯେଉଁ ତରଙ୍ଗ ଉଠିବାର ଦୃଷ୍ଟିଗତ ହୁଏ, ସେ ସମସ୍ତ ଦୂରରୁ ଦେଖିବାଯୋଗ୍ୟ ହୁଏ । ଯଦି ସେମାନଙ୍କ ସମୀପକୁ ଯାଇ ତାଙ୍କର ପରୀକ୍ଷା କରାଯାଏ, ତେବେ ଉଭୟେ ନିଃସାର ଏବଂ ବ୍ୟର୍ଥ ସିଦ୍ଧ ହୁଏ । ବାଳକମାନଙ୍କର ଖେଳିବା ନିମନ୍ତେ ମାଟିର ଯେଉଁ ଘୋଡ଼ାସବାର ଆଦି ଖେଳଣା ପ୍ରସ୍ତୁତ କରାଯାଏ ଅଥବା ଯାଦୁଗରଙ୍କ ଦ୍ୱାରା ଯେଉଁ ଅଳଙ୍କାର ଇତ୍ୟାଦି ପ୍ରସ୍ତୁତ କରାଯାଏ ଅଥବା ଆକାଶରେ ବାଦଲଦ୍ୱାରା ନିର୍ମିତ ଯେଉଁ ଗନ୍ଧର୍ବ ନଗର ଦେଖାଯାଏ, ସେ ସମସ୍ତ ବାସ୍ତବରେ କିଛି ନ ହେବାପରେ ମଧ୍ୟ ଦ୍ରଷ୍ଟାଙ୍କପାଇଁ ଦୃଶ୍ୟ ହୋଇଥାନ୍ତି । ସରପତ ବୃକ୍ଷ ସିଧା ବଢ଼ିଥାଏ ସତ ହେଲେ ସେଥିରେ ଫଳ ହୋଇନଥାଏ ଆଉ ତାର କାଣ୍ଡ ମଧ୍ୟ ଭିତରୁ ପୋଲା ହୋଇଥାଏ ଅଥବା ଛେଳିର ଗଳାରେ ଯେଉଁ ସ୍ତନ ବାହାରିଥାଏ, ତାହା କେବଳ ଦେଖିବାପାଇଁ ଥାଏ, ଠିକ୍‌ ସେହିଭଳି ମୂର୍ଖ ବ୍ୟକ୍ତିମାନଙ୍କର ଜୀବନ । ସେମାନଙ୍କ ଦ୍ୱାରା କୃତ କର୍ମ ଶୀତଳ ଫଳ ସଦୃଶ ନେବାଦେବା କାମରେ ଆସିନଥାଏ ଆଉ କେବଳ ଧିକ୍କାର କରିବା ଯୋଗ୍ୟ ହୁଏ । ଏପ୍ରକାର ଲୋକ ଯେଉଁ ଜ୍ଞାନ ପ୍ରାପ୍ତ କରନ୍ତି, ତାହା ମାଙ୍କଡ଼ ଦ୍ୱାରା ଭଙ୍ଗା ଯାଇଥିବା ନଡ଼ିଆଭଳି ଅଥବା ଅନ୍ଧ ଧରିଥିବା ମୋତିଭଳି ନିଷ୍ଫଳ ହୁଏ । ଯାହାବିହେଉ, ସେମାନେ ଶିକ୍ଷା କରିଥିବା ଶାସ୍ତ୍ର ଛୋଟ ବାଳିକା ହାତରେ ଦେଇଥିବା ଶସ୍ତ୍ର ଭଳି ଅଥବା ଅପବିତ୍ର ମନୁଷ୍ୟମାନଙ୍କର ବୀଜମନ୍ତ୍ର ଭଳି କେବଳ ନିରର୍ଥକ ସିଦ୍ଧ ହୁଏ, ଏହିଭଳି ଭାବରେ ସେମାନଙ୍କର ସମସ୍ତ ଜ୍ଞାନ-ସଂଗ୍ରହ ଏବଂ କର୍ମ-ସଂଗ୍ରହ—ଉଭୟେ ନିରର୍ଥକ ହୁଏ, କାରଣ ସେମାନଙ୍କ ଚିତ୍ତରେ ସ୍ଥିରତାର ସର୍ବଥା ଅଭାବ ଥାଏ । ସଦ୍‌ବୁଦ୍ଧିକୁ ମଧ୍ୟ ଗ୍ରାସ କରୁଥିବା, ବିବେକର ଚିହ୍ନବର୍ଣ୍ଣ ସୁଦ୍ଧା ନ ରଖୁଥିବା ଏବଂ ଅଜ୍ଞାନରୂପୀ ଅନ୍ଧକାରରେ ବିଚରଣ କରୁଥିବା ତାମସିକ ରାକ୍ଷସୀ ପ୍ରକୃତି (ମାୟା) କବଳରେ ସେହି ଲୋକମାନେ ଫଶି ରହନ୍ତି ଆଉ ଏଥିପାଇଁ ସେମାନଙ୍କ ଚିତ୍ତର ବୁଦ୍ଧି ସମ୍ପୂର୍ଣ୍ଣରୂପେ ନିଷ୍କ୍ରିୟ ହୋଇଯାଏ ଏବଂ ସେମାନେ ତମୋଗୁଣୀ ରାକ୍ଷସୀ ମୁଖରେ ଯାଇ ପତିତ ହୋଇଥାନ୍ତି । ସେହି ତାମସୀ ରାକ୍ଷସୀଙ୍କ ମୁଖରେ ଆଶାରୂପୀ ଲାଳ ମଧ୍ୟରେ ହିଂସାରୂପୀ ଜିଭ ବୁଡ଼ି ରହିଥାଏ ଯାହା ଅସନ୍ତୋଷରୂପୀ ମାଂସର ଖଣ୍ଡକୁ ନିରନ୍ତର ଚୋବାଇଥାଏ । ଏହି ହିଂସାରୂପୀ ଜିହ୍ୱା ଓଠକୁ ଚାଟିବାସହିତ ଅନର୍ଥରୂପହୋଇ କାନ ପର୍ଯ୍ୟନ୍ତ ବାହାରକୁ ବାହାରିଥାଏ । ଏହି ତାମସୀ ରାକ୍ଷସୀ ଦୋଷସମୂହ ପ୍ରମାଦରୂପୀ ପର୍ବତକନ୍ଦର ସହ ସମ୍ମୁଖୀନ ନହୋଇ ବିଚରଣ କରିଥାଏ, ତାହାର ଦ୍ୱେଷରୂପୀ ଦାନ୍ତ ଜ୍ଞାନକୁ ଚୋବାଇ ପେଶି ଦେଇଥାଏ । ଯେଉଁଭଳି ଭାବରେ ଅଗସ୍ତି ଋଷିଙ୍କର କୁମ୍ଭର ଆବରଣ ଥିଲା ସେହିଭଳି ଭାବରେ ସ୍ଥୂଳ ବୁଦ୍ଧିଯୁକ୍ତ ମୂଢ଼ଜନମାନଙ୍କ ପାଇଁ ତାହା ତ୍ୱଚା ଏବଂ ଅସ୍ଥିର ଆବରଣ ସମ ହୁଏ । ଏହିଭଳି ଭାବରେ ଏହି ତାମସୀ ମାୟା ରାକ୍ଷସୀର ମୁଖରେ ଯେଉଁଲୋକମାନେ ଭୂତଙ୍କୁ ପ୍ରଦତ୍ତ ବଳିସମ ପଡ଼ିଥାନ୍ତି, ସେମାନେ ଭ୍ରାନ୍ତି (ଅଜ୍ଞାନ)—ରୂପୀ କୁଣ୍ଡରେ ଡ଼ୁବିଯାଇ ନଷ୍ଟ ହୋଇଯାନ୍ତି । ଏହିପ୍ରକାରେ ତମୋଗୁଣର ଗର୍ତ୍ତ ମଧ୍ୟରେ ପତିତ ଲୋକମାନଙ୍କ ସହାୟତା ପାଇଁ ବିଚାରର ହାତ ପହଁଞ୍ଚିପାରି ନଥାଏ । ଏପ୍ରକାରର ଲୋକମାନଙ୍କ ବିଷୟରେ ତ କିଛି କହିବା ଉଚିତ ନୁହେଁ, କାରଣ ଏକଥା ଆଦୌ ଜଣାପଡ଼ି ନଥାଏ କି, ସେମାନେ ଗଲେ କୁଆଡ଼େ । ଏଥିପାଇଁ ଏହି ମୂଢ଼ଜନଙ୍କର ଏହି ବ୍ୟର୍ଥ କଥା ବର୍ତ୍ତମାନ ବନ୍ଦ କରାଯାଉଛି, କାହିଁକି ନାଁ ବ୍ୟର୍ଥ ବିସ୍ତାରଦ୍ୱାରା ବାଣୀକୁ ହିଁ କଷ୍ଟ ହେବ ।” ଦେବଙ୍କର ଏପ୍ରକାର କଥା ଶୁଣି ପାଣ୍ଡୁପୁତ୍ର ଅର୍ଜ୍ଜୁନ କହିଲେ—“ହେ ମହାରାଜ ! ଆପଣ ଯାହାକିଛି କହୁଛନ୍ତି, ସେ ସବୁ ସମ୍ପୂର୍ଣ୍ଣରୂପେ ଠିକ୍‌ ଅଟେ ।” ଏହାଶୁଣି ଶ୍ରୀକୃଷ୍ଣ କହିଲେ—“ହେ ପାଣ୍ଡୁପୁତ୍ର ! ଅଧୁନା ମୁଁ ସାଧୁମାନଙ୍କର ସ୍ଥିତି ସମ୍ପର୍କରେ କହୁଅଛି, ଧ୍ୟାନପୂର୍ବକ ଶ୍ରବଣ କର । (୧୭୨—୧୮୭)
ଶ୍ଳୋକ—୧୩
ନିରନ୍ତର ପବିତ୍ର ସ୍ଥାନରେ ନିବାସ କରିବାର ସଂକଳ୍ପ ମୁଁ କ୍ଷେତ୍ର ସନ୍ନ୍ୟାସୀ ଯାହାଙ୍କର ବିଶୁଦ୍ଧ ମନରେ ନିବାସ କରିଥାଏ, ଯାହାଙ୍କୁ ବୈରାଗ୍ୟ କଦାପି ସୁପ୍ତାବସ୍ଥାରେ ମଧ୍ୟ ତ୍ୟାଗକରି କେଉଁଆଡ଼େ ବି ଯାଏନାହିଁ, ଯାହାଙ୍କର ଶ୍ରଦ୍ଧାଯୁକ୍ତ ଶୁଦ୍ଧ ଭାବନାସମୂହରେ ଧର୍ମର ସାମ୍ରାଜ୍ୟ ରହିଥାଏ, ଯାହାଙ୍କ ମନରେ ନିରନ୍ତର ବିବେକର ଆର୍ଦ୍ରତା ରହିଥାଏ, ଯିଏ ଜ୍ଞାନରୂପୀ ଗଙ୍ଗାରେ ସ୍ନାନ କରିସାରିଥାନ୍ତି, ଯିଏ ପୂର୍ଣ୍ଣତାରୂପୀ ଭୋଜନ କରି ତୃପ୍ତ ହୋଇସାରିଥାନ୍ତି, ଯିଏ ଶାନ୍ତି କାଳରେ ଯେଉଁଭଳି ନୂତନ ପଲ୍ଲବ ସଦୃଶ ଅଙ୍କୁରିତ ହୋଇଥାନ୍ତି, ଯିଏ ସେହି ପରଂବ୍ରହ୍ମଙ୍କଠାରୁ ବାହାରିଥିବା ଅଙ୍କୁର ସମ ହୋଇଥାନ୍ତି, ଯାହାଙ୍କଠାରେ ଜଗତର ପରିଣତି ହୁଏ, ଯିଏ ଧୈର୍ଯ୍ୟମଣ୍ଡପର ଖମ୍ବ ସଦୃଶ ପ୍ରତୀତ ହୁଅନ୍ତି, ଯିଏ ଆନନ୍ଦରୂପୀ ସମୁଦ୍ରରେ ଡ଼ୁବାଇ ପୂର୍ଣ୍ଣ କୁମ୍ଭ ସମାନ ହୋଇଥାନ୍ତି, ଯାହାଙ୍କର ଭକ୍ତି ପ୍ରତି ଏତେ ପ୍ରଗାଢ଼ ଅନୁରାଗ ହୁଏ କି ତା ସମ୍ମୁଖରେ ମୁକ୍ତିକୁ ମଧ୍ୟ ‘ପଛକୁ ଚାଲିଯା’ ଏଭଳି କହିଥାନ୍ତି, ଯାହାଙ୍କର ସହଜ ଆଚରଣରେ ମଧ୍ୟ ନିରନ୍ତର ଜୀବିତ ରୂପେ ବିହାର କରିବାପୂର୍ବକ ଜଣାଯାଇଥାନ୍ତି, ଯାହାଙ୍କର ସମସ୍ତ ଇନ୍ଦ୍ରିୟ ଶାନ୍ତିରୂପୀ ଅଳଙ୍କାରକୁ ଧାରଣ କରିଥାଏ ଏବଂ ଯାହାଙ୍କର ଚିତ୍ତ ଏତେ ବ୍ୟାପକ ହୁଏ କି, ସେ ମୋଭଳି ସର୍ବବ୍ୟାପକଙ୍କୁ ମଧ୍ୟ ଚତୁର୍ଦ୍ଦିଗରେ ଆଚ୍ଛାଦିତ କରିନେଇଥାନ୍ତି, ଏହିଭଳି ଭାବରେ ଯେଉଁ ମହାନୁଭବ ମୋର ସେହି ସତ୍ୟ-ସ୍ୱରୂପକୁ ପୂର୍ଣ୍ଣରୂପରେ ଜାଣିଯାନ୍ତି, ଯାହା ଦୈବୀ ସମ୍ପତ୍ତିର ସୌଭାଗ୍ୟ ଅଟେ ଏବଂ ଦିନକୁଦିନ ବୃଦ୍ଧିପାଇ ପ୍ରେମତଃ ମୋର ଭଜନ କରନ୍ତି, ହେଲେ ଯାହାଙ୍କର ମନୋଧର୍ମ ଦ୍ୱୈତଭାବର କଦାପି ସ୍ପର୍ଶ ସୁଦ୍ଧା କରେନାହିଁ, ହେ ପାଣ୍ଡବ ! ସେହି ଲୋକମାନେ ମଦ୍‌ରୂପ ହୋଇ ରହିଥାନ୍ତି । ସେମାନେ ମୋର ସେବା ତ କରିଥାନ୍ତି, ହେଲେ ସେହି ସେବାରେ ଯେଉଁ ଏକ ବିଲକ୍ଷଣତା ଥାଏ, ତାହା ମଧ୍ୟ ମନୋଯୋଗପୂର୍ବକ ଶ୍ରବଣ କର । (୧୮୮—୧୯୬)
ଶ୍ଳୋକ—୧୪
ଏପ୍ରକାରର ଭକ୍ତ ପ୍ରାୟଶ୍ଟିତ୍ତର କାର୍ଯ୍ୟ ଏଇଥିପାଇଁ ବନ୍ଦ କରିଦିଅନ୍ତି ଆଉ କୀର୍ତ୍ତନ କରିବାପୂର୍ବକ ଭକ୍ତିର ଆବେଶରେ ନୃତ୍ୟ କରିବାକୁ ଲାଗନ୍ତି । ତାଙ୍କ ପ୍ରାୟଶ୍ଟିତ୍ତର କାର୍ଯ୍ୟ ଏଥିପାଇଁ ବନ୍ଦ ହୋଇଯାଏ କାରଣ ସେମାନଙ୍କ ଠାରେ ତିଳେମାତ୍ର ପାପ ନଥାଏ । ଏମାନେ ଯମ ଏବଂ ଦମ ଇତ୍ୟାଦିକୁ ତେଜହୀନ କରିଦିଅନ୍ତି । ତୀର୍ଥମାନଙ୍କର ଚିହ୍ନବର୍ଣ୍ଣ ପର୍ଯ୍ୟନ୍ତ ଲୁଚାଇ ଦିଅନ୍ତି ଆଉ ଯମଲୋକର ସମ୍ପୂର୍ଣ୍ଣ କ୍ରିୟାକଳାପକୁ ବନ୍ଦ କରିଦିନ୍ତି । କାହିଁକି ନାଁ ଯମ କୁହେ କି, ଏମାନେ ତ ପୂର୍ବରୁ ଇନ୍ଦ୍ରିୟମାନଙ୍କୁ ଅଧୀନ କରିରଖିଛନ୍ତି ତେବେ ବର୍ତ୍ତମାନ ଆଉ ମୁଁ କାହାର ନିୟମନ କରିବି ? ଏହିଭଳି ଭାବରେ ଏମାନଙ୍କର ମନୋନିଗ୍ରହକୁ ଦେଖି ଦମ କହିଥାଏ କି, ମୁଁ ବର୍ତ୍ତମାନ କାହାର ଦମନ କରିବି ? ତୀର୍ଥ କହୁଛନ୍ତି ଏମାନଙ୍କ ଶରୀରର ଅବୟବରେ ଏତେ ଦୋଷ ବି ନାହିଁ, ଯାହା ଔଷଧକୁ ବି ମିଳିପାରିବ । ତେବେ ଆମେ ଆମର ପବିତ୍ର ଗୁଣଦ୍ୱାରା ଏମାନଙ୍କର କେଉଁ ମଳକୁ ଦୂର କରିବା । ଏହିଭଳି ଭାବରେ ସେହି ଲୋକମାନେ କେବଳ ମୋ ନାମର ଉଦ୍‌ଘୋଷରେ ହିଁ ଜଗତ୍‌ର ଦୁଃଖସମୂହର ଅନ୍ତ କରି ସମଗ୍ର ସଂସାରକୁ ମହାସୁଖ (ଆତ୍ମସୁଖ)ରେ ପରିପୂର୍ଣ୍ଣ କରିଦିଅନ୍ତି । ସେମାନେ ବିନା ପ୍ରଭାତରେ ହିଁ ଜ୍ଞାନରୂପୀ ଦିବସର ଉଦୟ କରାଇଦିଅନ୍ତି । ଅମୃତ ବିନା ଅମର କରିଦିଅନ୍ତି ଏବଂ ଯୋଗ ବିନା ନେତ୍ରକୁ କୈବଲ୍ୟର ଦର୍ଶନ କରାଇଦିଅନ୍ତି, କିନ୍ତୁ ସେମାନେ ଏହା ଭେଦ କରନ୍ତି ନାହିଁ କି ଏ ରାଜା ଅଟେ ଆଉ ଏ ରଙ୍କ ଅଟେ । ସେମାନେ ଏହା ବିଚାର କରନ୍ତି ନାହିଁ କି ଏ ଛୋଟ ଅଟେ ଆଉ ଏ ବଡ଼ ଅଟେ । ତେବେ ସମଗ୍ର ଜଗତ ପାଇଁ ଆନନ୍ଦର ଦ୍ୱାର ସମାନଭାବରେ ଖୋଲା ରଖିଥାନ୍ତି । ବୈକୁଣ୍ଠକୁ ତ କେତେବେଳେ କିଏ ଯାଉଥିବେ, ହେଲେ ସେମାନେ ସମଗ୍ର ସଂସାରକୁ ବୈକୁଣ୍ଠରେ ପରିଣତ କରିପକାନ୍ତି । ଏହିଭଳି ଭାବରେ ସେମାନେ ଏକମାତ୍ର ନାମ-କୀର୍ତ୍ତନର ଉଦ୍‌ଘୋଷରେ ସମଗ୍ର ବିଶ୍ୱକୁ ପ୍ରକାଶମୟ କରିଦିଅନ୍ତି । ସେମାନେ ସୂର୍ଯ୍ୟ ସଦୃଶ ତେଜସ୍ୱୀ ହୋଇଥାନ୍ତି, ହେଲେ ସୂର୍ଯ୍ୟଙ୍କୁ ଯେଉଁ ଅସ୍ତ ହେବାର ଦୋଷ ଲାଗିଥାଏ, ସେହି ଦୋଷ ସେମାନଙ୍କୁ କଦାପି ସ୍ପର୍ଶ କରିପାରେ ନାହିଁ । ଚନ୍ଦ୍ରମା ତ କେବଳ ପୂର୍ଣ୍ଣମୀରେ ହିଁ ପୂର୍ଣ୍ଣ ମଣ୍ଡଳାକାର ହୋଇ ଦୃଷ୍ଟିଗୋଚର ହୋଇଥାନ୍ତି, ହେଲେ ସେମାନେ ସର୍ବଦା ପୂର୍ଣ୍ଣ ହିଁ ରହନ୍ତି । ନିଃସନ୍ଦେହରେ ମେଘ ଉଦାର ହୁଏ, ହେଲେ ତାହାର ଭଣ୍ଡାର ମଧ୍ୟ ବେଳେବେଳେ ଖାଲି ହୁଏ ଆଉ ଏଥିପାଇଁ ତାହା ମଧ୍ୟ ମହାତ୍ମାମାନଙ୍କର ସମକକ୍ଷ ହୋଇପାରେ ନାହିଁ । ଏମାନଙ୍କୁ ପ୍ରକୃତରେ ଉଡୁଥିବା ସିଂହ କହିବା ଆବଶ୍ୟକ । ଥରେ ମୋର ଯେଉଁ ନାମ ମୁଖରେ ଉଚ୍ଚାରିତ କରିବାପାଇଁ ସହସ୍ର ଜନ୍ମ ନେବାକୁ ପଡ଼ିଥାଏ, ସେହି ନାମ ସେମାନଙ୍କ ଜିହ୍ୱାରେ ପ୍ରେମ କାରଣରୁ ସର୍ବଦା ଉଚ୍ଚାରିତ ରହିଥାଏ । ମୁଁ ଏଭଳି ଅଟେ କି, ବୈକୁଣ୍ଠରେ ବି ଅବସ୍ଥାନ କରେନାହିଁ, ମୁଁ ଭାନୁମଣ୍ଡଳରେ ମଧ୍ୟ ରହେନାହିଁ ଏପରିକି ମୁଁ ଯୋଗୀମାନଙ୍କ ମନକୁ ମଧ୍ୟ ପାରକରି ଯାଇପାରେ ନାହିଁ । ଯଦି ମୁଁ କେଉଁଠାରେ ବି ମିଳେନାହିଁ, ହେ ପାଣ୍ଡବ ! ଯେଉଁ ସ୍ଥାନରେ ମୋର ଭକ୍ତ ପ୍ରେମରେ ମୋ ନାମ ଉଚ୍ଚାରଣ କରୁଥାନ୍ତି, ସେହି ସ୍ଥାନରେ ମୁଁ ସହଜରେ ପ୍ରାପ୍ତ ହୋଇଯାଏ । ଟିକିଏ ଦେଖ କି, ସେହି ଲୋକମାନେ ମୋ ଗୁଣରେ କେଉଁପର୍ଯ୍ୟନ୍ତ ଆଉ କିପରି ଲୀନ ହୋଇଯାନ୍ତି । ସେମାନଙ୍କୁ ଦେଶ-କାଳର ମଧ୍ୟ ସ୍ମରଣ ରହେନାହିଁ ଏବଂ ସେମାନେ ମୋର ନାମ-ସଂକୀର୍ତ୍ତନରେ ଆତ୍ମସୁଖ ପ୍ରାପ୍ତ କରନ୍ତି । ତାଙ୍କର କୃଷ୍ଣ, ବିଷ୍ଣୁ, ହରି ଏବଂ ଗୋବିନ୍ଦଙ୍କର ମାଳା ନିରନ୍ତର ଚାଲିଥାଏ ଏବଂ ସେମାନେ ମୋ ବିଷୟରେ ମୁକ୍ତ ଅନ୍ତଃକରଣରେ ଅଧ୍ୟାତ୍ମର ଚର୍ଚ୍ଚା କରି ମନଭରି ମୋର ଗୁଣଗାନ କରିଥାନ୍ତି । ହେଲେ ଏବେ ସେମାନଙ୍କର ଅଧିକ ବିସ୍ତାର କାହିଁକି କରାଯିବ ! ହେ ପାଣ୍ଡୁକୁମର ! ସେହି ଭକ୍ତମାନେ ଏହିଭଳି ଭାବରେ ମୋର ଗୁଣାନୁବାଦ କରିବାପୂର୍ବକ ସର୍ବତ୍ର ବିଚରଣ କରିଥାନ୍ତି । ସେମାନେ ଅତି ଯତ୍ନର ସହିତ ପଞ୍ଚପ୍ରାଣ ଏବଂ ମନକୁ ଭଲଭାବରେ ଅବଦମିତ କରି ନିଜ ଅଧୀନରେ ରଖିଥାନ୍ତି । ସେହି ଭକ୍ତମାନେ ବାହାରୁ ତ ଯମ ଏବଂ ନିୟମର ବାଡ଼ ନିର୍ମିତ କରିପକାନ୍ତି ଆଉ ଭିତରୁ ବଜ୍ରାସନରୂପୀ କିଳା ନିର୍ମାଣକରି ପ୍ରାଣାୟାମରୂପୀ ତପଦ୍ୱାରା ତାହାକୁ ନଜରବନ୍ଦୀ କରିପକାନ୍ତି । ସେ ସମୟରେ କୁଣ୍ଡଳିନୀ ଶକ୍ତିର ଜାଗରଣ ଫଳରେ ଯେଉଁ ପ୍ରକାଶ ହୁଏ, ସେଥିରେ ମନ ଏବଂ ପ୍ରାଣବାୟୁର ଅନୁକୂଳରେ ଚନ୍ଦ୍ରାମୃତ (ଶତର କଳା) ଅର୍ଥାତ୍‌ ପରିପୂର୍ଣ୍ଣ ଆତ୍ମଜ୍ଞାନରୂପୀ ଅମୃତ ସରୋବର ଖୋଲିଯାଏ । ସେ ସମୟରେ ଇନ୍ଦ୍ରିୟସମୂହ ଏକାଗ୍ରତାର ପରମ ସୀମାରେ ପହଞ୍ଚିଯାନ୍ତି, ବିକାରସମୂହର ଭାଷାର ଅବସାନ ହୋଇଯାଏ ଏବଂ ସମସ୍ତ ଇନ୍ଦ୍ରିୟଙ୍କୁ ଆକର୍ଷିତ କରି ହୃଦୟ-ପ୍ରଦେଶରେ ବନ୍ଦ ହୋଇଯାନ୍ତି । ଏହାମଧ୍ୟରେ ଧାରଣାରୂପୀ ଅଶ୍ୱ ଧାବିତ ହୋଇ ପଞ୍ଚମହାଭୂତଙ୍କୁ ଏକତ୍ରିତ କରିଥାନ୍ତି ଏବଂ ସେହି ପଞ୍ଚମହାଭୂତ ଏକସ୍ଥାନରେ ଏକତ୍ରିତ ହୋଇ ଆକାଶରେ ଲୀନ ହୋଇଯାଏ ତଥା ସଂକଳ୍ପ-ବିକଳ୍ପର ଚତୁରଙ୍ଗିଣୀ ସେନା (ମନ, ବୁଦ୍ଧି, ଚିତ୍ତ ଏବଂ ଅହଂକାର)ର ପୂର୍ଣ୍ଣରୂପରେ ବିନାଶ କରିଥାନ୍ତି । ତାପରେ ‘ବିଜୟ ହୋଇଗଲା’, ‘ବିଜୟ ହୋଇଗଲା’, ଏହି ପ୍ରଚଣ୍ଡ ଜୟଘୋଷ ହେବାରେ ଲାଗିଥାଏ ଏବଂ ସେହି ଜୟଘୋଷରେ ଧ୍ୟାନ-ଧାରଣାର ଉଦ୍‌ଘୋଷ ହେବାକୁ ଲାଗେ ତଥା ବ୍ରହ୍ମଙ୍କ ସହିତ ଐକ୍ୟଭାବର ଏକଛତ୍ର ସାମ୍ରାଜ୍ୟ ଦୃଷ୍ଟିଗୋଚର ହେବାକୁ ଲାଗେ । ତତ୍‌ପଶ୍ଚାତ୍‌ ସମ୍ପୂର୍ଣ୍ଣ ଆତ୍ମାନୁଭବରୂପୀ ସାମ୍ରାଜ୍ୟରେ ସମାଧିରୂପୀ ଲକ୍ଷ୍ମୀଙ୍କର ଅଭିଷେକ ହୁଏ । ହେ ଅର୍ଜ୍ଜୁନ ! ଏହିଭଳି ଭାବରେ ମୋର ଭଜନ ଅତ୍ୟନ୍ତ ଗମ୍ଭୀର ଏବଂ ଗୂଢ଼ ରହସ୍ୟରେ ପରିପୂର୍ଣ୍ଣ ହୋଇଛି ।
ଯେଉଁ ଭକ୍ତମାନେ ମୋର ଏହିଭଳି ଭାବରେ ଭଜନ କରନ୍ତି, ସେମାନେ ଏହାକୁ ଉତ୍ତମରୂପେ ଅବଗତ ହୋଇଯାନ୍ତି କି, ଯେଉଁଭଳି ବସ୍ତ୍ରରେ ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ କେବଳ ସୂତା ହିଁ ରହିଥାଏ, ସେହିଭଳି ମୁଁ ମଧ୍ୟ ଚରାଚରରେ ଓତପ୍ରୋତ ହୋଇରହିଥାଏ । ଏଭଳି କୌଣସି ପଦାର୍ଥ ନାହିଁ ଯେଉଁଥିରେ ମୁଁ ନିବାସ କରେନାହିଁ । ସେମାନଙ୍କୁ ଏ କଥାର ସମ୍ୟକ୍‌ ଜ୍ଞାନ ହୋଇଯାଏ କି, ଏହି ସଂସାରରୂପୀ ବସ୍ତ୍ରର ଗୋଟିଏ ପକ୍ଷରେ ବ୍ରହ୍ମଦେବ ଏବଂ ଅନ୍ୟପକ୍ଷରେ ମଶା ରହିଛି ଏବଂ ଉଭୟଙ୍କ ଅନ୍ତରାଳରେ ଯାହା ରହିଛି, ସେ ସବୁକିଛି ମୋରି ସ୍ୱରୂପ ଅଟେ । ତତ୍‌ପଶ୍ଚାତ୍‌ ଏହି ଛୋଟବଡ଼ ଏବଂ ସଜୀବ-ନିର୍ଜୀବ ମଧ୍ୟରେ କୌଣସି ଭେଦ କରନ୍ତି ନାହିଁ । ସେ ସମୟରେ ଯେଉଁ ଜିନିଷ ସେମାନଙ୍କ ଦୃଷ୍ଟିପଥରେ ପଡ଼ିଥାଏ, ତାହାକୁ ସେମାନେ ମୋର ସ୍ୱରୂପ ମନେକରି ଦଣ୍ଡବତ୍‌ କରନ୍ତି । ସେମାନଙ୍କୁ ତାଙ୍କର ଶ୍ରେଷ୍ଠତା ସମ୍ପର୍କରେ ଧ୍ୟାନ ସୁଦ୍ଧା ରହେନାହିଁ କି ଅନ୍ୟମାନଙ୍କର ଯୋଗ୍ୟତା ତଥା ଅଯୋଗ୍ୟତାର କୌଣସି ଭାବନା ରହେନାହିଁ । ସେମାନଙ୍କୁ ଗୋଟିଏ ପକ୍ଷରୁ ଜୀବମାତ୍ରଙ୍କର ବିନମ୍ରତାପୂର୍ବକ ସମ୍ମାନ କରିବା ହିଁ ରୁଚିକର ହୁଏ, ଯେଉଁଭଳି ଉଚ୍ଚ ସ୍ଥାନରେ ପଡ଼ିଥିବା ଜଳ ସ୍ୱତଃ ଏକତ୍ରିତ ହୋଇ ନିମ୍ନକୁ ପ୍ରବାହିତ ହୁଏ, ସେହିଭଳି ସେହି ଭକ୍ତମାନଙ୍କର ଏହିଭଳି ସ୍ୱଭାବ ହୋଇଯାଏ କି ସେମାନେ ଜୀବମାନଙ୍କୁ ଦେଖିବାମାତ୍ରେ ବିନମ୍ର ହୋଇଯାନ୍ତି ଅଥବା ଯେଉଁଭଳି ଫଳପ୍ରଦ ବୃକ୍ଷର ଶାଖାସମୂହ ସ୍ୱତଃ ନଇଁଯାଇ ଜମିକୁ ଆସିଥାଏ, ସେହିଭଳି ସେମାନେ ଜୀବମାତ୍ରଙ୍କ ସମ୍ମୁଖରେ ସ୍ୱଭାବତଃ ନମ୍ର ହୋଇଯାନ୍ତି । ସେମାନେ ସର୍ବଦା ଗର୍ବଶୂନ୍ୟ ହୋଇ ରହିଥାନ୍ତି । ସେମାନେ ବିନମ୍ରତାକୁ ହିଁ ନିଜର ସମ୍ପୂର୍ଣ୍ଣ ଐଶ୍ୱର୍ଯ୍ୟ ମନେକରନ୍ତି ଏବଂ ତାହାକୁ ସେମାନେ ଜୟଜୟ ମନ୍ତ୍ରପୂର୍ବକ ମୋତେ ସମର୍ପିତ କରିଦିଅନ୍ତି । ଏହିଭଳି ଭାବରେ ନିରନ୍ତର ଜୀବମାନଙ୍କ ସମ୍ମୁଖରେ ବିନମ୍ର ହୋଇ ରହିବା କାରଣରୁ ସେମାନଙ୍କର ମାନ-ଅପମାନର ଭାବନା ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଏ ଏବଂ ଏଥିପାଇଁ ସେମାନେ ସ୍ୱତଃ ମଦ୍‌ରୂପ ହୋଇ ଏବଂ ସର୍ବଦା ସମରସ ହୋଇ ଉପାସନା କରିଥାନ୍ତି । ହେ ଅର୍ଜ୍ଜୁନ ! ଏହିଭଳି ଭାବରେ ମୁଁ ତୁମକୁ ପ୍ରକୃତ ଏବଂ ମହତ୍ତ୍ୱପୂର୍ଣ୍ଣ ଭକ୍ତି ସମ୍ବନ୍ଧରେ ସମସ୍ତ କଥା କହିଦେଇଛି, ବର୍ତ୍ତମାନ ତୁମେ ସେହି ଲୋକମାନଙ୍କର ମଧ୍ୟ କଥା ଶୁଣିନିଅ, ଯେଉଁମାନେ ଜ୍ଞାନଯଜ୍ଞ ଦ୍ୱାରା ମୋର ଉପାସନା କରନ୍ତି । ହେ କିରିଟୀ ! ଭଜନ କରିବାର କୌଶଳ ତ ତୁମେ ଜାଣ, କାହିଁକି ନାଁ ଏହି ବିଷୟର ବିବେଚନା ମୁଁ ପୂର୍ବରୁ କରିସାରିଛି ।” ଶ୍ରୀକୃଷ୍ଣଙ୍କର ଏ ସମସ୍ତ କଥା ଶୁଣି ଅର୍ଜ୍ଜୁନ କହିଲେ—“ହଁ ମହାରାଜ ! ଏହା ଦେବତାଙ୍କର କୃପା ଅଟେ ଏହି ସୌଭାଗ୍ୟର ପ୍ରସାଦ ମୋତେ ଥରେ ପ୍ରାପ୍ତ ହୋଇସାରିଛି । ତଥାପି ଯଦି ଅମୃତ ବାରମ୍ବାର ପରଶାଯାଏ, ତେବେ କଣ କେବେ କେହି ଏପରି କହିପାରନ୍ତି କି ବାସ୍‌, ଏବେ ଆଉ ଦରକାର ନାହିଁ ।”
ଅର୍ଜ୍ଜୁନଙ୍କର ଏକଥା ଶୁଣି ଶ୍ରୀକୃଷ୍ଣ ଜାଣିପାରିଲେ ଯେ, ଏବେ ତାଙ୍କୁ ଏ ବିଷୟ ସମ୍ବନ୍ଧରେ ଅବଗତ ହୋଇଗଲା ଆଉ ଜ୍ଞାନସୁଖ ଦ୍ୱାରା ତାଙ୍କର ଅନ୍ତଃକରଣ ନୃତ୍ୟ କରୁଛି । ଅତଃ ଶ୍ରୀକୃଷ୍ଣ କହିଲେ—“ଧନ୍ୟ ! ପାର୍ଥ, ତୁମେ ଏହା ବହୁତ ଭଲକଥା କହିଲ ନହେଲେ ତ ଯଦି ଯଥାର୍ଥ ଦୃଷ୍ଟିରେ ଦେଖାଯାଏ, ତେବେ ଏ ବିଷୟର ନିରୂପଣର ଏହା କୌଣସି ଉଚିତ ପ୍ରସଙ୍ଗ ନଥିଲା, କିନ୍ତୁ ମୋ ହୃଦୟରେ ତୁମପାଇଁ ଯେଉଁ ଆଦର ଭାବ ରହିଛି, ତାହା ମୋତେ କିଛି କହିବାରେ ପ୍ରବୃତ୍ତ କରୁଛି ।” ଏହା ଶୁଣି ଅର୍ଜ୍ଜୁନ କହିଲେ—“ହେ ଦେବ ! ଆପଣ ଏ କେମିତି କଥା କହୁଛନ୍ତି ? ଯଦି ଚକ୍ରବାକ ନଥାନ୍ତା ତେବେ କଣ ଚନ୍ଦ୍ରିକା ଝଟକି ନଥାନ୍ତା ? ଜଗତ୍‌କୁ ଶୀତଳ କରିବା କଣ ଚନ୍ଦ୍ରିକାର ସହଜ ସ୍ୱଭାବ ନୁହେଁ ? ଯେଉଁଭଳି ଚକ୍ରବାକ ପକ୍ଷୀ ନିଜ ଅନୁରାଗ କାରଣରୁ ଥଣ୍ଟ ଖୋଲି ଚନ୍ଦ୍ରମାଙ୍କ ଆଡ଼କୁ ଦେଖିଥାଏ, ସେହିଭଳି ହେ ଦେବ ! ହେ କୃପାସିନ୍ଧୁ !! ମୁଁ ମଧ୍ୟ ଆପଣଙ୍କୁ ଟିକିଏ ପ୍ରାର୍ଥନା କରୁଛି, ହେଲେ ମହାରାଜ ! ଆପଣ ତ କୃପାର ପ୍ରତ୍ୟକ୍ଷ ସାଗର ଅଟନ୍ତି । ମେଘ ନିଜର ସାମର୍ଥ୍ୟ କାରଣରୁ ହିଁ ସଂସାରର ପୀଡ଼ା ହରଣ କରିଥାଏ ନଚେତ୍‌ ଯଦି ମେଘରୁ ହେଉଥିବା ବର୍ଷାର ବିଚାର କରାଯାଏ ତେବେ ତା ସମ୍ମୁଖରେ ଚାତକର ତୃଷା କେତେ ଅଳ୍ପ ହୁଏ ! ହେଲେ ଯେଉଁଭଳି ଆଞ୍ଜୁଳିପୂର୍ଣ୍ଣ ଜଳ ପାଇଁ ମଧ୍ୟ ଗଙ୍ଗାକୂଳକୁ ଯିବାର ଆବଶ୍ୟକତା ହୁଏ, ସେହିଭଳି ମୋର ଇଚ୍ଛା ଯେତେ ଅଳ୍ପ ହେଉ କିମ୍ବା ଅଧିକ ହେଉ ପଛକେ, ହେ ଦେବ ! ଆପଣଙ୍କୁ ସବୁ କଥା ବିସ୍ତାରପୂର୍ବକ କହିବା ଆବଶ୍ୟକ ।” ଏହା ଶୁଣି ଦେବ କହିଲେ—“ଠିକ୍‌ ଅଛି, ବର୍ତ୍ତମାନ ଏ ସମସ୍ତ କଥାକୁ ଛାଡ଼ । ମୋତେ ଯେଉଁ ସନ୍ତୋଷ ମିଳିଛି, ତାହା କାରଣରୁ ବର୍ତ୍ତମାନ ତୁମ ମୁଖରୁ ନିଃସୃତ ସ୍ତୁତି ସହ୍ୟ କରିବାପାଇଁ ଅବକାଶ ନାହିଁ । ତୁମେ ମୋକଥା ସତ୍‌ ମନରେ ଶୁଣୁଛ ଆଉ ଏହି କଥା ମୋ ବକ୍ତୃତ୍ୱ ପାଇଁ ଉତ୍ସାହ ବୃଦ୍ଧିକାରୀ ହେଉଅଛି ।” ଏ ପ୍ରକାର କଥା କହି ଶ୍ରୀହରି ତାଙ୍କର ବକ୍ତୃତ୍ୱକୁ ଆଗକୁ ବଢ଼ାଉଛନ୍ତି—(୧୯୭—୨୩୮)
ଶ୍ଳୋକ—୧୫
“ଅଧୁନା ମୁଁ ଜ୍ଞାନଯଜ୍ଞ ସମ୍ପାଦନ କେଉଁଭଳି ହୁଏ, ସେ ସମ୍ବନ୍ଧରେ କହୁଅଛି । ପରଂବ୍ରହ୍ମଙ୍କଠାରେ ଯେଉଁ ‘ଏକୋଽହଂ ବହୁସ୍ୟାମ୍‌ ପ୍ରଜାୟେୟ’ ଆଦି ସଂକଳ୍ପ ଉତ୍ପନ୍ନ ହୁଏ, ତାହା ଏହି ଯଜ୍ଞର ଯଜ୍ଞ ସ୍ତମ୍ଭ ଅଟେ । ପଞ୍ଚମହାଭୂତ ଯଜ୍ଞମଣ୍ଡପ ଅଟେ ଆଉ ଦ୍ୱୈତ ଯଜ୍ଞ ପଶୁ ଅଟେ । ତାପରେ ପଞ୍ଚମହାଭୂତର ଯେଉଁ ବିଶେଷ ଗୁଣ ଅଥବା ଇନ୍ଦ୍ରିୟସମୂହ ତଥା ପ୍ରାଣ ରହିଛି ତାହା ଏହି ଜ୍ଞାନଯଜ୍ଞର ସାମଗ୍ରୀ ଅଟେ । ଅଜ୍ଞାନ ଘୃତ ଅଟେ, ଯାହା ଏହି ଯଜ୍ଞରେ ହବନ କରିବା କାମରେ ଆସିଥାଏ । ଏହି ଜ୍ଞାନଯଜ୍ଞରେ ମନ ଏବଂ ବୁଦ୍ଧିରୂପୀ କୁଣ୍ଡରେ ଜ୍ଞାନାଗ୍ନି ପ୍ରଜ୍ଜ୍ୱଳିତ ହୁଏ ଆଉ ହେ ପାର୍ଥ ! ସାମ୍ୟଭାବନାକୁ ହିଁ ଏହି ଜ୍ଞାନଯଜ୍ଞର ସୁନ୍ଦର ବେଦୀ ବୋଲି ଜାଣିବା ଆବଶ୍ୟକ । ବିବେକଯୁକ୍ତ ବୁଦ୍ଧିର କୁଶଳତା ହିଁ ମନ୍ତ୍ରର ଶକ୍ତି ଅଟେ, ଶାନ୍ତି ଏହାର ଯଜ୍ଞପାତ୍ର ଅଟେ ତଥା ଜୀବ ଯଜ୍ଞ କରୁଥିବା ଯଜମାନ ଅଟେ । ଏହି ଯଜ୍ଞକର୍ତ୍ତା ଜୀବ ବ୍ରହ୍ମାନୁଭବର ପାତ୍ର ମଧ୍ୟରୁ ବିବେକରୂପୀ ମହାମନ୍ତ୍ର ଦ୍ୱାରା ଜ୍ଞାନରୂପୀ ଅଗ୍ନିର ହୋମରେ ଦ୍ୱୈତର ଆହୁତି ପ୍ରଦାନ କରିଥାଏ । ଯେଉଁ ସମୟରେ ଅଜ୍ଞାନର ଅନ୍ତ ହୋଇଯାଏ, ସେ ସମୟରେ ଯଜ୍ଞ କରୁଥିବା ଯଜମାନ ଏବଂ ଯଜ୍ଞବିଧି ଉଭୟର ଅବସାନ ହୋଇଯାଏ । ପୁନଃ ଯେତେବେଳେ ଆତ୍ମୈକ୍ୟର ଜଳରେ ଜୀବ ଅବଭୃଥସ୍ନାନ କରିଥାଏ, ସେତେବେଳେ ଭୂତ, ବିଷୟ ଏବଂ ଇନ୍ଦ୍ରିୟସମୂହ ଭିନ୍ନ ଭିନ୍ନ ପ୍ରତୀତ ହୋଇନଥାଏ । ଆତ୍ମୈକ୍ୟ ବୁଦ୍ଧିର ପୂର୍ଣ୍ଣତୟା ପ୍ରତିବିମ୍ବିତ ହୋଇଯିବା କାରଣରୁ ସବୁକିଛି ଏକ ବ୍ରହ୍ମରୂପ ଜଣାଯାଏ । ହେ ଅର୍ଜ୍ଜୁନ ! ଯେଉଁଭଳି ନିଦ୍ରାରୁ ଜାଗ୍ରତ ହୋଇଥିବା ବ୍ୟକ୍ତି କହିଥାଏ କି ସୁପ୍ତାବସ୍ଥାରେ ଯେଉଁ ସ୍ୱପ୍ନ ମୁଁ ଦେଖିଥିଲି ତାହାର ବିଚିତ୍ର ସେନା ମୁଁ ହିଁ ହୋଇଥିଲି, କିନ୍ତୁ ବର୍ତ୍ତମାନ ମୁଁ ଜାଗ୍ରତ୍‌ ଅବସ୍ଥାରେ ଅଛି । ସେହି ସ୍ୱପ୍ନାବସ୍ଥାର ସେନା ଏକମାତ୍ର ଭ୍ରମଜାଲ ଥିଲା । ସେ ସବୁକିଛି ମୁଁ ହିଁ ଥିଲି ଆଉ ଏବେ ମଧ୍ୟ ମୁଁ ହିଁ ଅଛି ।” ଏମିତିରେ ଜ୍ଞାନଯଜ୍ଞ ସମ୍ପାଦନକାରୀଙ୍କ ବୁଦ୍ଧିରେ ଏକଥା ଉତ୍ତମରୂପେ ଆସିଯାଏ କି, ଏହି ସମ୍ପୂର୍ଣ୍ଣ ବିଶ୍ୱ ଏକ ଅଭିନ୍ନ ବ୍ରହ୍ମରୂପ ହିଁ ଅଟେ । ଏହାଦ୍ୱାରା ତାହାର ଜୀବ ଭାବ ହିଁ ସମାପ୍ତ ହୋଇଯାଏ । ସେ ପରମାତ୍ମାଜ୍ଞାନରେ ପରିପୂର୍ଣ୍ଣ ହୋଇଉଠେ ଏବଂ ବ୍ରହ୍ମତ୍ୱ ପ୍ରାପ୍ତ କରିନିଏ । ବାସ୍, କିଛି ଲୋକ ଏହିଭଳି ଭାବରେ ଜ୍ଞାନଯଜ୍ଞ ଦ୍ୱାରା ମୋର ଭକ୍ତି କରିଥାନ୍ତି ଏବଂ ଆଉ କିଛି ଲୋକ ଏପରି ମଧ୍ୟ ହୋଇଥାନ୍ତି, ଯେଉଁମାନେ ଏହି ମାନ୍ୟତା ରଖିଥାନ୍ତି କି ଏହି ବିଶ୍ୱ ଅନାଦି ଅଟେ । ଏହି ବିଶ୍ୱରେ ତ ସମସ୍ତେ ଏକସମାନ ଅଟନ୍ତି, ହେଲେ ନାମ ଏବଂ ରୂପ ଇତ୍ୟାଦି କାରଣରୁ ସେମାନେ ଭିନ୍ନ ଭିନ୍ନ ଜଣାଯାଆନ୍ତି । ଏହି କାରଣରୁ ଏ ବିଶ୍ୱରେ ଭେଦଭାବ ଦୃଶ୍ୟ ହୁଏ, ତଥାପି ଭେଦଭାବ କାରଣରୁ ସେମାନଙ୍କ ଜ୍ଞାନରେ ଭେଦ ହୁଏନାହିଁ । ଯେଉଁଭଳି ଭାବରେ ଅବୟବ ପୃଥକ୍‌ ପୃଥକ୍‌ ହେବାପରେ ବି ସେମାନେ ବାସ୍ତବରେ ଏକ ଶରୀରର ହୋଇଥାନ୍ତି ଅଥବା ଶାଖାସମୂହ ଛୋଟବଡ଼ ହେବାପରେ ମଧ୍ୟ ଯେଉଁଭଳି ସେମାନେ ଗୋଟିଏ ବୃକ୍ଷର ହୋଇଥାନ୍ତି ଅଥବା ରଶ୍ମି ଅଗଣିତ ହେବାପରେ ମଧ୍ୟ ସେମାନେ ଏକ ସୂର୍ଯ୍ୟଙ୍କର ହୋଇଥାନ୍ତି, ସେହିଭଳି ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ରୂପାତ୍ମକ ବସ୍ତୁସମୂହ, ସେମାନଙ୍କର ଭିନ୍ନ ଭିନ୍ନ ନାମ, ସେମାନଙ୍କର ଭିନ୍ନ ଭିନ୍ନ କର୍ମ ଏବଂ ସେ ସମସ୍ତ ସହିତ ସମ୍ବନ୍ଧିତ ଭେଦ ଭୌତିକ ବିଶ୍ୱ ନିମନ୍ତେ ହୁଏ ଏବଂ ସେହି ଭକ୍ତମାନଙ୍କୁ ଏ କଥା ଉତ୍ତମ ରୂପେ ଜଣାଯାଏ କି ମୁଁ ପୂର୍ଣ୍ଣରୂପେ ଭେଦଭାବରୁ ରହିତ ଅଟେ । ହେ ପାଣ୍ଡବ ! ଯିଏ ଏହି ଭିନ୍ନ ପ୍ରକାରେ ନିଜର ବ୍ରହ୍ମସ୍ୱରୂପର ଜ୍ଞାନକୁ ଭେଦଭାବର ସ୍ପର୍ଶ ହେବାପାଇଁ ଦିଅନ୍ତି ନାହିଁ, ସେହିମାନେ ଉତ୍ତମରୂପେ ଜ୍ଞାନ-ଯଜ୍ଞ କରିଥାନ୍ତି, କାହିଁକି ନାଁ ଯେଉଁ ସମୟ ଏବଂ ଯେଉଁ ସ୍ଥାନରେ ସେମାନଙ୍କୁ ଯାହାକିଛି ଦୃଷ୍ଟିଗୋଚର ହୁଏ, ସେ ବିଷୟରେ ପୂର୍ବରୁ ସେମାନଙ୍କର ଏହି ଜ୍ଞାନ ରହିଥାଏ କି, ସେ ମୋଭଳି ପରଂବ୍ରହ୍ମଙ୍କ ବ୍ୟତିରେକ ଆଉ କିଛି ବି ନୁହେଁ । ଦେଖ, ଯେଉଁ ପାଣିଫୋଟକା ହୁଏ, ତାହା ଜଳରୂପ ହିଁ ହୁଏ, ଏବେ ତାହା ଫୁଟିଯାଉ ଅବା ରହୁ, ହେଲେ ତା ବିଷୟରେ ଯାହାକିଛି ବି ହୁଏ, ତାହା ଜଳରୁ ହିଁ ହୁଏ । ଧୂଳିକଣା ବାୟୁ ବେଗରେ ଏଣେତେଣେ ଉଡ଼ୁ ପଛକେ, ତଥାପି ସେଗୁଡ଼ିକର ପୃଥିବୀଭାବ କଦାପି ବିନଷ୍ଟ ହୁଏନାହିଁ ଆଉ ଯେଉଁ ସମୟରେ ତାହା ପଡ଼ିଥାଏ, ସେ ସମୟରେ ପୃଥିବୀ ଉପରେ ହିଁ ପଡ଼ିଥାଏ । ଏହିଭଳି ଭାବରେ ଯେକୌଣସି ନାମରୂପଯୁକ୍ତ ବସ୍ତୁ ହେଉ ନାଁ କାହିଁକି, ତାହା ରହୁ ଅବା ନଷ୍ଟ ହୋଇଯାଉ, ହେଲେ ତାହା ଅବିରତ ବ୍ରହ୍ମରୂପ ହିଁ ରହିଥାଏ । ମୁଁ ଯେଉଁଭଳି ଭାବରେ ସର୍ବବ୍ୟାପକ ଅଟେ, ସେହିଭଳି ଭାବରେ ସେମାନଙ୍କର ବ୍ରହ୍ମାନୁଭବ ମଧ୍ୟ ସର୍ବବ୍ୟାପକ ହୁଏ । ଏପ୍ରକାର ଲୋକମାନେ ଏହି ଜ୍ଞାନ ରଖି ସମସ୍ତ ପ୍ରକାର ବ୍ୟବହାର କରିଥାନ୍ତି କି ନାନାବିଧ ବିଶ୍ୱ ଏକବିଧ ବ୍ରହ୍ମ ହିଁ ଅଟେ ।
ହେ ଧନଞ୍ଜୟ ! ଯେଉଁଭଳି ଏହି ସୂର୍ଯ୍ୟ ବିମ୍ବକୁ ଯିଏ ଦେଖିବାକୁ ଚାହେଁ, ତାହା ତାଙ୍କ ସମ୍ମୁଖରେ ହିଁ ରହିଥାଏ, ସେହିଭଳି ଏହି ବିଶ୍ୱକୁ ନିଜର ବ୍ରହ୍ମବୋଧରେ ପରିବ୍ୟାପ୍ତ ରଖିବା କାରଣରୁ ସେ ମଧ୍ୟ ସମସ୍ତଙ୍କୁ ନିଜ ସମ୍ମୁଖରେ ଦେଖାଯାଇଥାନ୍ତି । ହେ ଅର୍ଜ୍ଜୁନ ! ସେମାନଙ୍କ ଜ୍ଞାନରେ ଲେଶମାତ୍ରେ ଭେଦଭାବ ନଥାଏ । ଯେଉଁଭଳି ଆକାଶରେ ବାୟୁ ସର୍ବତ୍ର ସମାନ ଭାବରେ ପରିପୂର୍ଣ୍ଣ ହୋଇ ରହିଥାଏ, ସେହିଭଳି ତାଙ୍କର ଜ୍ଞାନ ମଧ୍ୟ ସମସ୍ତ ବିଶ୍ୱକୁ ସମଭାବରେ ବ୍ୟାପ୍ତ ରଖିଥାଏ । ମୋର ପରିବ୍ୟାପ୍ତି ଯେତେ ଅଧିକ ଅଟେ ସେମାନଙ୍କର ବ୍ରହ୍ମବୋଧ ମଧ୍ୟ ସେତେ ଅଧିକ ବ୍ୟାପ୍ତ ହୁଏ ଏବଂ ଏଥିପାଇଁ ସେ ଉପାସନା କରନ୍ତୁ ଅବା ନ କରନ୍ତୁ, ତଥାପି ତାଙ୍କ ଦ୍ୱାରା ମୋର ସ୍ୱତଃ ଉପାସନା ହୋଇଯାଏ । ଏମିତିରେ ତ ସର୍ବତ୍ର ଏକମାତ୍ର ମୁଁ ହିଁ ବିଦ୍ୟମାନ, ତେବେ ମୋର ଉପାସନା କାହାଦ୍ୱାରା ଆଉ କେତେବେଳେ ହୁଏନାହିଁ ! ହେଲେ ସେ ସମସ୍ତ ଲୋକଙ୍କୁ ସେହି ସର୍ବବ୍ୟାପକ ଜ୍ଞାନ ହୁଏନାହିଁ, ଏଥିପାଇଁ ଜୀବ ଅପ୍ରାପ୍ତ ସ୍ଥିତିରେ ରହିଥାନ୍ତି—ସେମାନେ ମୋର ଯଥାର୍ଥ ସ୍ୱରୂପକୁ ପ୍ରାପ୍ତ ହୁଅନ୍ତି ନାହିଁ । ହେଲେ ବର୍ତ୍ତମାନ ବିଶେଷ ବିସ୍ତାରର ଆବଶ୍ୟକତା ନାହିଁ । ଏପ୍ରକାରର ଯୋଗ୍ୟ ଜ୍ଞାନଯଜ୍ଞ ଦ୍ୱାରା ମୋର ଉପାସନା କେଉଁଭଳି କରାଯାଏ, ଏ ବିଷୟରେ ମୁଁ ତୁମକୁ ଅବଗତ କରାଇଦେଲି । ଭିନ୍ନ ଭିନ୍ନ ମନୁଷ୍ୟଙ୍କ ଦ୍ୱାରା ଏବଂ ଭିନ୍ନ ଭିନ୍ନ ସାଧନାରେ ଯେଉଁ ଯେଉଁ କର୍ମର ଆଚରଣ ହୁଏ, ସେ ସମସ୍ତ ଅନ୍ତତଃ ମୋତେ ହିଁ ଅର୍ପିତ ହୋଇଥାନ୍ତି, ହେଲେ ମୂର୍ଖ ବ୍ୟକ୍ତିମାନଙ୍କୁ ଏହି ରହସ୍ୟର ଜ୍ଞାନ ହୁଏନାହିଁ ଏବଂ ଏଥିପାଇଁ ସେମାନେ ମୋର ଶୁଦ୍ଧ ସ୍ୱରୂପ ପ୍ରାପ୍ତ କରିପାରନ୍ତି ନାହିଁ । (୨୩୯—୨୬୪)
ଶ୍ଳୋକ—୧୬
ହେଲେ ଯେଉଁ ସମୟରେ ସେହି ଶୁଦ୍ଧ ବ୍ରହ୍ମଜ୍ଞାନର ଉଦୟ ହୁଏ, ସେ ସମୟରେ ଏ କଥାର ଜ୍ଞାନ ହୁଏ କି ଯେଉଁ ମୁଖ୍ୟ ବେଦ ରହିଛି, ତାହା ମଧ୍ୟ ମୁଁ ହିଁ ଅଟେ ଏବଂ ବେଦସମୂହରେ ବର୍ଣ୍ଣିତ ଅନୁଷ୍ଠାନ ବିଧିରେ ଯେଉଁ କ୍ରତୁ ଅବା ଯଜ୍ଞ ସମ୍ପନ୍ନ କରାଯାଏ, ତାହା ମଧ୍ୟ ମୁଁ ହିଁ ଅଟେ । ତାପରେ ଯେଉଁ କ୍ରତୁ କର୍ମଦ୍ୱାରା ଯେଉଁ ଯଥାସ୍ଥିତ ଯଜ୍ଞ ହୁଏ, ସେହି ଯଜ୍ଞ ମଧ୍ୟ ମୁଁ ହିଁ ଅଟେ । ସ୍ୱାହା ମୁଁ ଅଟେ, ସ୍ୱଧା ମଧ୍ୟ ମୁଁ ଅଟେ, ସୋମବଲ୍ଲୀ ଇତ୍ୟାଦି ନାନାପ୍ରକାର ଔଷଧ ମଧ୍ୟ ମୁଁ ହିଁ ଅଟେ, ଘୃତ ଏବଂ ସମିଧା ମୁଁ ଅଟେ, ମନ୍ତ୍ର ଏବଂ ହୋମଦ୍ରବ୍ୟ ମଧ୍ୟ ମୁଁ ହିଁ ଅଟେ, ଋତ୍ୱିଜ୍‌ ମୁଁ ଅଟେ, ଯେଉଁଥିରେ ଯଜ୍ଞ କରାଯାଏ ସେହି ଅଗ୍ନି ମୋର ସ୍ୱରୂପ ଅଟେ ଏବଂ ଯେଉଁ ଯେଉଁ ବସ୍ତୁସମୂହର ହବନ କରାଯାଏ, ସେ ସମସ୍ତ ମୁଁ ହିଁ ଅଟେ । (୨୬୫—୨୬୮)
ଶ୍ଳୋକ—୧୭
ଯାହାଙ୍କ ସମ୍ବନ୍ଧରେ ଆସି ଏହି ଅଷ୍ଟଧା ପ୍ରକୃତି (ମାୟା)—ଦ୍ୱାରା ଏହି ନାମରୂପଯୁକ୍ତ ଜଗତ୍‌ ଉତ୍ପନ୍ନ ହୁଏ, ସେହି ଜଗତର ପିତା ମଧ୍ୟ ମୁଁ ହିଁ ଅଟେ । ଅର୍ଦ୍ଧନାରୀ ନଟେଶ୍ୱରଙ୍କର ମୂର୍ତ୍ତିରେ ଯେଉଁ ପୁରୁଷ ସ୍ଥିତ ହୋଇଥାନ୍ତି, ସେ ନାରୀ ମଧ୍ୟ ହୋଇଥାନ୍ତି ଆଉ ଏହିଭଳି ଭାବରେ ଏହି ଚରାଚର ଜଗତର ମାତା ମଧ୍ୟ ମୁଁ ହିଁ ଅଟେ । ତାପରେ ଉତ୍ପନ୍ନ ହେଉଥିବା ଜଗତ୍‌ ଯାହାଙ୍କ ଆଧାରରେ ତିଷ୍ଠି ରହିଥାଏ ଏବଂ ବୃଦ୍ଧିପାଇଥାଏ, ସେହି ଆଧାର ମଧ୍ୟ ମୋ ବ୍ୟତିରେକ ଅନ୍ୟ କେହି ନୁହଁନ୍ତି । ଏହି ପ୍ରକୃତି ଏବଂ ପୁରୁଷ (ଶିବ-ଶକ୍ତି) ଯାହାଙ୍କର ସହଜ ସଂକଳ୍ପ ଦ୍ୱାରା ଅସ୍ତିତ୍ୱରେ ଆସିଛନ୍ତି, ସେହି ତ୍ରିଲୋକର ପିତା ମଧ୍ୟ ମୁଁ ହିଁ ଅଟେ । ହେ ସୁଭଟ ! ସମସ୍ତ ଭିନ୍ନ ଭିନ୍ନ ଜ୍ଞାନମାର୍ଗ ଅନ୍ତତଃ ଯେଉଁ ଏକ ସ୍ଥାନରେ ଆସି ମିଳିତ ହୋଇଥାନ୍ତି, ଯାହାଙ୍କର ନାମ ବେଦ୍ୟ (ଜାଣିବା ବସ୍ତୁ) ଅଟେ, ଯେଉଁଠାରେ ନାନା ମତ ଏକମତ ହୋଇଯାଏ, ଯେଉଁଠାରେ ଭିନ୍ନ ଭିନ୍ନ ଶାସ୍ତ୍ର ପରସ୍ପର ପରସ୍ପରକୁ ଅବଗତ ହୋଇଥାନ୍ତି ଏବଂ ଯେଉଁଠାରେ ସେମାନଙ୍କର ଭେଦଭାବ ସମ୍ପୂର୍ଣ୍ଣରୂପେ ସମାପ୍ତ ହୋଇଯାଏ । ଯେଉଁଠାରେ ପରସ୍ପର ଠାରୁ ପୃଥକ୍‌ ରହୁଥିବା ଜ୍ଞାନମାର୍ଗସମୂହ ଏକତ୍ରିତ ହୋଇଥାନ୍ତି, ଯାହାକୁ ପବିତ୍ର ନାମରେ ଡ଼ାକିଥାନ୍ତି ଏବଂ ଆଦି ସଂକଳ୍ପରୂପୀ ବ୍ରହ୍ମବୀଜରୁ ଅଙ୍କୁରିତ ନାଦସ୍ୱରୂପ ଘୋଷ (ଧ୍ୱନିମୟ ଅଙ୍କୁର)—ର ମୂଳ ସ୍ଥାନ ଯେଉଁ ଓଁକାର ଅଟେ, ତାହା ମଧ୍ୟ ମୁଁ ହିଁ ଅଟେ । ସେହି ଓଁକାରରେ ଅବସ୍ଥାନ କରୁଥିବା ଅକାର, ଉକାର ଏବଂ ମକାର—ଏହି ତିନି ଅକ୍ଷର ବେଦ ସହିତ ଉତ୍ପନ୍ନ ହୋଇଛନ୍ତି, ସେହି ଅକ୍ଷର ମଧ୍ୟ ମୁଁ ହିଁ ଅଟେ । ଆତ୍ମାରାମ ଶ୍ରୀକୃଷ୍ଣ କହିଲେ କି ଋକ୍‌, ଯଜୁଃ ଏବଂ ସାମ—ଏହି ବେଦତ୍ରୟ ମଧ୍ୟ ମୁଁ ହିଁ ଅଟେ ଏବଂ ମୁଁ ବେଦର ବଂଶ-ପରଂପରା ମଧ୍ୟ ଅଟେ । (୨୬୯—୨୭୭)
ଶ୍ଳୋକ—୧୮
ଏହି ସମ୍ପୂର୍ଣ୍ଣ ଚରାଚର ଜଗତ୍‌ ଯେଉଁ ପ୍ରକୃତିରେ ସମାହିତ ହୋଇଛି, ସେହି ପ୍ରକୃତି ଥକି ପଡ଼ିବାରୁ ଯାହାଙ୍କଠାରେ ବିଶ୍ରାମ କରିଥାଏ, ସେହି ପରମ ଧାମ ମଧ୍ୟ ମୁଁ ହିଁ ଅଟେ । ଯାହାଦ୍ୱାରା ପ୍ରକୃତି ଜୀବନଧାରଣ କରେ, ଯାହାର ଅଧିଷ୍ଠାନରେ ସେ ଏହି ବିଶ୍ୱକୁ ଉତ୍ପନ୍ନ କରିଥାଏ ଏବଂ ଯାହା ଏହି ପ୍ରକୃତିର ସଙ୍ଗ କରି ଗୁଣସମୂହର ଉପଭୋଗ କରିଥାଏ, ହେ ପାଣ୍ଡୁପୁତ୍ର ! ସେହି ବିଶ୍ୱ-ଲକ୍ଷ୍ମୀଙ୍କର ଭର୍ତ୍ତା ମଧ୍ୟ ମୁଁ ହିଁ ଅଟେ । ମୁଁ ହିଁ ଏହି ସମ୍ପୂର୍ଣ୍ଣ ତ୍ରୈଲୋକ୍ୟର ସ୍ୱାମୀ ଅଟେ । ଆକାଶ ଯାହା ସମସ୍ତ ସ୍ଥାନକୁ ବ୍ୟାପ୍ତ ହୋଇ ରହିଥାଏ, ବାୟୁ ଯାହା ମୁହୂର୍ତ୍ତେ ମଧ୍ୟ ସ୍ଥିର ହୋଇରହେନାହିଁ, ଅଗ୍ନି ଯାହା ଜଳାଇଥାଏ, ଜଳ ଯାହା ବରଷିଥାଏ, ପର୍ବତ ଯାହା ଅଟଳ ରହିଥାଏ, ସମୁଦ୍ର ଯାହା ନିଜ ମର୍ଯ୍ୟାଦାର ଅତିକ୍ରମଣ କରେନାହିଁ, ସେ ସମସ୍ତ ମୋର ଆଜ୍ଞାରେ ହୁଏ । ଯଦି ମୁଁ କୁହେ, ତେବେ ବେଦ ମଧ୍ୟ କହିଥାଏ । ମୁଁ ଚଳାଇଲେ ସୂର୍ଯ୍ୟ ମଧ୍ୟ ଚାଲିଥାଏ । ମୁଁ ଗତି ପ୍ରଦାନ କରିବାରୁ ହିଁ ସଂସାରକୁ ଗତିଶୀଳ କରୁଥିବା ପ୍ରାଣ ମଧ୍ୟ ଚାଳିତ ହୁଅନ୍ତି । ମୁଁ ଯେଉଁ ନିୟମ କରିଦେଇଛି, ତଦନୁସାରେ କାଳ ମଧ୍ୟ ପ୍ରାଣୀଗଣଙ୍କର ନାଶ କରିଥାଏ । ହେ ପାଣ୍ଡୁସୂତ ! ଯାହାଙ୍କ ଇଙ୍ଗିତମାତ୍ରେ ଏ ସମସ୍ତ କାମ ହୁଏ ଏବଂ ଯିଏ ଜଗତ୍‌ର ସାମର୍ଥ୍ୟବାନ୍‌ ପ୍ରଭୁ ଅଟନ୍ତି, ତାହା ମଧ୍ୟ ମୁଁ ହିଁ ଅଟେ ତଥା ଗଗନ ସଦୃଶ କିଛି ବି ନକରି ଯିଏ ଉଦାସୀନ ରହନ୍ତି, ତାହା ମଧ୍ୟ ମୁଁ ହିଁ ଅଟେ । ହେ ପାଣ୍ଡବ ! ଯିଏ ଏ ସମସ୍ତ ନାମରୂପରେ ବ୍ୟାପ୍ତ ଅଟନ୍ତି ତଥା ଯିଏ ଏ ସବୁର ମୂଳାଧାର ଅଟନ୍ତି, ଯିଏ ଏ ସମସ୍ତ ଭୌତିକ ସୃଷ୍ଟିର ସେହିଭଳି ଆଧାର ହୋଇ ରହିଥାନ୍ତି, ଯେଉଁଭଳି ଜଳ ତରଙ୍ଗସମୂହର ଆଧାର ଜଳ ହିଁ ହୁଏ, ସେହି ଆଧାର ମଧ୍ୟ ମୁଁ ହିଁ ଅଟେ । ଯିଏ ଅନନ୍ୟ ଭାବରେ ମୋ ଶରଣାପନ୍ନ ହୁଅନ୍ତି ତାଙ୍କର ଜୀବନ-ମୃତ୍ୟୁ ଚକ୍ରର ଅନ୍ତ ମୁଁ ହିଁ କରିଥାଏ, ଏଥିପାଇଁ ଶରଣାଗତଙ୍କର ଶରଣ୍ୟ ମଧ୍ୟ ମୁଁ ହିଁ ଅଟେ । ମୁଁ ହିଁ ଅନେକତ୍ୱ ଧାରଣ କରି ପ୍ରକୃତିର ଭିନ୍ନ ଭିନ୍ନ ଗୁଣଦ୍ୱାରା ଜଗତ୍‌ର ପ୍ରାଣରୂପରେ କର୍ମ କରିଥାଏ । ଏହା ସମୁଦ୍ର ଅଟେ ଏବଂ ଏହା ଗର୍ତ୍ତ ଅଟେ—ଏପ୍ରକାରର ଭେଦଭାବ ସୂର୍ଯ୍ୟ କଦାପି କରନ୍ତି ନାହିଁ । ସେ ସମସ୍ତ ଜଳାଶୟ ଉପରେ ଏକସମାନ ପ୍ରତିବିମ୍ବିତ ହୁଅନ୍ତି । ଏହିଭଳି ଭାବରେ ବ୍ରହ୍ମାରୁ ନେଇ ସମସ୍ତ ପ୍ରାଣୀଗଣଙ୍କଠାରେ ସମାନ ଭାବ ଏବଂ ସୁହୃଦ୍‌ ରୂପରେ ମୁଁ ହିଁ ଅବସ୍ଥାନ କରେ । ହେ ପାଣ୍ଡବ ! ମୁଁ ହିଁ ଏହି ତ୍ରିଭୁବନର ଜୀବନ ଅଟେ । ଏହି ସୃଷ୍ଟିର ଉତ୍ପତ୍ତି, ବିନାଶର କାରଣ ମଧ୍ୟ ମୁଁ ହିଁ ଅଟେ । ବୀଜ ହିଁ ସମସ୍ତ ଶାଖାକୁ ଉତ୍ପନ୍ନ କରିଥାଏ, ତଥାପି ସମଗ୍ର ବୃକ୍ଷତ୍ୱ ସେହି ବୀଜରେ ସମାହିତ ହୋଇ ରହିଥାଏ । ଏହିଭଳି ଭାବରେ ସମ୍ପୂର୍ଣ୍ଣ ଜଗତ୍‌ ଆଦି ସଂକଳ୍ପରୁ ହିଁ ଉତ୍ପନ୍ନ ହୁଏ ଏବଂ ଅନ୍ତକାଳରେ ତନ୍ମଧ୍ୟରେ ସମାହିତ ହୋଇଯାଏ । ଏପ୍ରକାରର ଅବ୍ୟକ୍ତ ବାସନାରୂପୀ ଯେଉଁ ସଂକଳ୍ପ ଜଗତ୍‌ର ବୀଜ ଅଟେ, ସେହି ସଂକଳ୍ପ କଳ୍ପାନ୍ତରେ ଫେରିଆସି ଯାହା ମଧ୍ୟରେ ସମାହିତ ହୋଇଯାଏ, ତାହା ମଧ୍ୟ ମୁଁ ହିଁ ଅଟେ । ଯେଉଁ ସମୟରେ ନାମ ଏବଂ ରୂପ ବିନଷ୍ଟ ହୋଇଯାଏ, ବ୍ୟକ୍ତିମାନଙ୍କର ବିଶିଷ୍ଟତା ରହେନାହିଁ, ଜାତି ଭେଦ ସମାପ୍ତ ହୋଇଯାଏ ଏବଂ ସୀମା ରହେନାହିଁ, ସେହି ସମୟରୁ ନେଇ ଆଦି ସଂକଳ୍ପର ବାସନାର ପୁନଃ ସ୍ଫୁରଣ ହେବା ସମୟ ପର୍ଯ୍ୟନ୍ତ ସମସ୍ତ ସ୍ଥାବର ଜଙ୍ଗମ ଯାହାମଧ୍ୟରେ ସୁଖପୂର୍ବକ ନିବାସ କରନ୍ତି, ସେ ମଧ୍ୟ ମୁଁ ହିଁ ଅଟେ । (୨୭୮—୨୯୫)
ଶ୍ଳୋକ—୧୯
ଯେଉଁ ସମୟରେ ମୁଁ ସୂର୍ଯ୍ୟଙ୍କ ବେଶ ଧାରଣ କରି ଉତ୍ତପ୍ତ ହୁଏ, ସେ ସମୟରେ ଜଳ ଶୁଖିଯାଏ । ତାପରେ ମୁଁ ହିଁ ଇନ୍ଦ୍ରଙ୍କ ରୂପରେ ବୃଷ୍ଟି କରିଥାଏ, ଯଦ୍ଦ୍ୱାରା ସର୍ବତ୍ର ପୁଣିଥରେ ଜଳ ପରିପୂର୍ଣ୍ଣ ହୋଇଯାଇଥାଏ । ଯେଉଁଭଳି ଅଗ୍ନି ଯେଉଁ ସମୟରେ କାଠଖଣ୍ଡକୁ ଜଳାଇଥାଏ, ସେ ସମୟରେ ସେହି କାଠଖଣ୍ଡ ଅଗ୍ନିରେ ପରିଣତ ହୋଇଯାଏ । ସେହିଭଳି ମରିବା ଆଉ ମାରିବାବାଲା—ଉଭୟେ ମୋର ସ୍ୱରୂପ ହୋଇଥାନ୍ତି । ଏହି କାରଣରୁ ଯେଉଁ ଲୋକମାନେ ମୃତ୍ୟୁ ମୁଖରେ ପ୍ରବେଶ କରନ୍ତି, ସେମାନେ ମଧ୍ୟ ମୋର ରୂପ ଅଟନ୍ତି ଆଉ ଯିଏ ଅମର ଅଟନ୍ତି, ସେମାନେ ତ ସମ୍ଭବତଃ ମୋର ରୂପ ଅଟନ୍ତି । ଯେଉଁ କଥା ବହୁତ ବିସ୍ତାର ପୂର୍ବକ କହିବାକୁ ଅଛି, ତାହାକୁ ଏବେ ମୁଁ ଗୋଟିଏ ଥରରେ କହିଦେଉଛି, ଧ୍ୟାନଦେଇ ଶୁଣ ।
ସତ୍‌ ଏବଂ ଅସତ୍‌ ଅର୍ଥାତ୍‌ ବ୍ୟକ୍ତ ଏବଂ ଅବ୍ୟକ୍ତ, ସବୁକିଛି ମୁଁ ହିଁ ଅଟେ । ଏଥିପାଇଁ ହେ ଅର୍ଜ୍ଜୁନ ! ଏଭଳି କୌଣସି ସ୍ଥାନ ନାହିଁ, ଯେଉଁଠାରେ ମୁଁ ନାହିଁ । ହେଲେ ପ୍ରାଣୀଗଣଙ୍କର ଦୁର୍ଭାଗ୍ୟ ଯେ, ମୁଁ ସେମାନଙ୍କୁ ଦେଖାଯାଏ ନାହିଁ । ଯଦି ତରଙ୍ଗ ଜଳ ନୁହେଁ, ଏହା କହି ଶୁଖି ଯାନ୍ତି ଅଥବା ସୂର୍ଯ୍ୟଙ୍କର ରଶ୍ମି ପ୍ରଦୀପ ନୁହେଁ, ଏହା କହି ଅନ୍ଧ ହୋଇଯାନ୍ତି, ତେବେ ଏହା କେତେ ଆଶ୍ଚର୍ଯ୍ୟର କଥା ! ଏହିଭଳି ଭାବରେ ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟର କଥା କି, ଲୋକମାନେ ମଦ୍‌ରୂପ ହେବାପରେ ମଧ୍ୟ ଏହା କହି ଭ୍ରାନ୍ତ ହୋଇଥାନ୍ତି କି ‘ମୁଁ ନାହିଁ’ । ଏ ସମଗ୍ର ଜଗତ୍‌ ଭିତରେ ଏବଂ ବାହାରେ କେବଳ ମୁଁ ହିଁ ବିଦ୍ୟମାନ ଏବଂ ଏ ସମସ୍ତ ବିଶ୍ୱ ମୋର ମୂର୍ତ୍ତି ଅଟେ, ହେଲେ ଏହି ଭାଗ୍ୟହୀନ ମାନଙ୍କର କର୍ମ ଏଭଳି ବିପରୀତ ହୁଏ କି, ଏମାନେ କୁହନ୍ତି ‘ମୁଁ ନାହିଁ’ । ଏ କଥା ମଧ୍ୟ ଠିକ୍‌ ସେହିଭଳି ଅଟେ, ଯେଉଁଭଳି କେହି ପ୍ରଥମେ ତ ଅମୃତ କୂଅରେ ପଡ଼ିଯାନ୍ତି ଆଉ ତାପରେ କୂଅରୁ ବାହାରକୁ ବାହାର କରିକୁ ଆସିବା ପାଇଁ ଇଚ୍ଛା କରନ୍ତି, ତେବେ ଏଭଳି ଅଭାଗାମାନଙ୍କ ପାଇଁ କଣ ବା କରାଯାଇପାରିବ ? ହେ କିରିଟୀ ! ଯେଉଁଭଳି କୌଣସି ଅନ୍ଧ ଭିକାରୀ ଅନ୍ନପାଇଁ ଦ୍ୱାରଦ୍ୱାର ବୁଲି ଠୋକର ଖାଇଥାଏ ଏବଂ ନିଜର ଅନ୍ଧତ୍ୱ କାରଣରୁ ପାଦରେ ଲାଗୁଥିବା ଚିନ୍ତାମଣିକୁ ଆଡ଼େଇ ଦେଇଥାଏ, ସେହିଭଳି ସ୍ଥିତି ଜ୍ଞାନବିହୀନ ଜୀବମାନଙ୍କର ମଧ୍ୟ ହୁଏ । ଏଥିପାଇଁ ବ୍ୟକ୍ତିକୁ ଯାହାକିଛି ବି କରିବା ଆବଶ୍ୟକ, ସେ ତାହାକୁ ଜ୍ଞାନାଭାବ କାରଣରୁ କରିପାରି ନଥାଏ । ଅନ୍ଧ ଗରୁଡ଼ର ମଧ୍ୟ ପକ୍ଷୀ ଥାଏ, ହେଲେ ତାହା କେଉଁ କାମରେ ଆସେ ? ଏହିଭଳି ଭାବରେ ଜ୍ଞାନ ବିନା ସତ୍‌କର୍ମର ପ୍ରୟାସ ବ୍ୟର୍ଥ ଯାଇଥାଏ । (୨୯୬—୩୦୬)
ଶ୍ଳୋକ—୨୦
ହେ କିରିଟୀ ! ଦେଖ, ଯେଉଁ ଲୋକମାନେ ଆଶ୍ରମ ଧର୍ମର ପାଳନ କରିବା କାରଣରୁ ସ୍ୱୟଂ ବିଧି ମାର୍ଗର କଷଟି ହୋଇଯାନ୍ତି, ଯାହାଙ୍କର ଯଜ୍ଞ କ୍ରିୟା ଦେଖି ତିନିଗୋଟି ବେଦ ମଧ୍ୟ ସନ୍ତୁଷ୍ଟ ହୋଇ ମୁଣ୍ଡ ହଲାଇଥାନ୍ତି ଏବଂ ଯାହାଙ୍କ ସମ୍ମୁଖରେ ଯଜ୍ଞ ଫଳ ମୂର୍ତ୍ତିମାନ୍‌ ହୋଇ ଠିଆ ହୁଏ, ସେହି ସୋମପାନକାରୀ ଯଜ୍ଞକର୍ତ୍ତାମାନଙ୍କର ସମ୍ବନ୍ଧରେ ଯିଏ ସ୍ୱୟଂ ଯଜ୍ଞରୂପ ହୋଇଥାନ୍ତି, ତୁମେ ଏହା ଜାଣିରଖ କି, ସେମାନେ ପୁଣ୍ୟ ନାମରେ ପାପକୁ ହିଁ ଗଚ୍ଛିତ କରିଥାନ୍ତି । କାରଣ ସେହି ଲୋକମାନେ ବେଦତ୍ରୟର ପଠନ କରି ଏବଂ ସହସ୍ର ଯଜ୍ଞର ସମ୍ପାଦନ କରି ମୋତେ ଭୁଲିଯାନ୍ତି । ଯେଉଁଠାରେ ସମସ୍ତ ଯଜ୍ଞ ପହଁଞ୍ଚିଥାନ୍ତି ଏବଂ ଭୁଲିଯାଇ ସେମାନେ ସ୍ୱର୍ଗସୁଖର ଇଚ୍ଛା କରିଥାନ୍ତି, ଯେଉଁଭଳି କୌଣସି ଭାଗ୍ୟହୀନ ବ୍ୟକ୍ତି କଳ୍ପତରୁ ଛାଇରେ ବସି ନିଜ ଝୋଲିରେ ଗଣ୍ଠି ପକାଇଥାଏ ଆଉ ତାପରେ ଉଠି ଭିକ୍ଷାଟନ ପାଇଁ ଦ୍ୱାର ଦ୍ୱାର ବୁଲିଥାଏ, ଠିକ୍‌ ସେହିଭଳି ଯେତେବେଳେ ଏହି ଲୋକମାନେ ମଧ୍ୟ ସହସ୍ର ଯଜ୍ଞ ଦ୍ୱାରା ମୋର ଉପାସନା କରି ଶେଷରେ ସ୍ୱର୍ଗସୁଖର ଆକାଂକ୍ଷା କରିଥାନ୍ତି, ତାହେଲେ ଆମେ ଏହା କିପରି କହିପାରିବା କି ସେମାନଙ୍କ କର୍ମ ବାସ୍ତବରେ ପୁଣ୍ୟ ବୋଲି, ପାପ ନୁହେଁ ? ଏଥିପାଇଁ ମୋର ପରିତ୍ୟାଗ କରି ସ୍ୱର୍ଗସୁଖର ଇଚ୍ଛା କରିବା ଅଜ୍ଞାନର ପୁଣ୍ୟ ମାର୍ଗ ଅଟେ, ହେଲେ ଜ୍ଞାନୀଜନ ଏହାକୁ କେବଳ ଉପଦ୍ରବ ମନେକରିଥାନ୍ତି । ବାସ୍ତବରେ ନରକର ଦୁଃଖକୁ ଦେଖି ଲୋକମାନେ ସ୍ୱର୍ଗକୁ ସୁଖ ମନେକରିଥାନ୍ତି । ହେଲେ ଏକମାତ୍ର ମୋର ସ୍ୱରୂପ ହିଁ ଏହିଭଳି ହୁଏ, ଯାହା ନିର୍ଦ୍ଦୋଷ ତଥା ଅବିନାଶୀ ସୁଖ ଅଟେ । ହେ ବୀରଶିରୋମଣି ଅର୍ଜ୍ଜୁନ ! ମୋ ପର୍ଯ୍ୟନ୍ତ ପହଁଞ୍ଚିବାରେ ଯେଉଁ ଅଙ୍କାବଙ୍କା ଏବଂ ନାନାପ୍ରକାର ବାଧକ ମାର୍ଗ ସବୁ ରହିଛି, ତାହା ଏହିଭଳି ଅଟେ । ସ୍ୱର୍ଗ ଏବଂ ନରକ ତ ଚୋରମାନଙ୍କର ମାର୍ଗ ଅଟେ । ବିଧାନ ହେଉଛି କି, ପୁଣ୍ୟମିଶ୍ରିତ ପାପ ଦ୍ୱାରା ଲୋକମାନେ ସ୍ୱର୍ଗରେ ପହଁଞ୍ଚିଥାନ୍ତି, ଶୁଦ୍ଧ ପାପ ଦ୍ୱାରା ନରକ ପ୍ରାପ୍ତ କରିଥାନ୍ତି ତଥା ଦୋଷରହିତ ବିଶୁଦ୍ଧ ପୁଣ୍ୟ କରି ମୋତେ ପ୍ରାପ୍ତ କରିଥାନ୍ତି । ହେ ପାଣ୍ଡୁସୁତ ! ମୋଠାରେ ଅବସ୍ଥାନ କରି ଯେଉଁ କର୍ମ କାରଣରୁ ଲୋକମାନେ ମୋତେ ପ୍ରାପ୍ତ କରିପାରନ୍ତି ନାହିଁ, ସେହି କର୍ମକୁ ପୁଣ୍ୟ କହୁଥିବା ଜିହ୍ୱାର କଣ ସହସ୍ର ଖଣ୍ଡ ହୋଇଯିବ ନାହିଁ ? ହେଲେ ଏହା ଅନ୍ୟ ବିଷୟର କଥା ଅତଃ ଏହାକୁ ଏହିଠାରେ ରଖି ଅଧୁନା ନିଜ ବିଷୟରେ ଧ୍ୟାନ ଦିଅ ।
ଏହିଭଳି ଭାବରେ ଏହି ଯଜ୍ଞକର୍ତ୍ତା ଯଜ୍ଞ ଦ୍ୱାରା ମୋର ଯଜନ କରି ସ୍ୱର୍ଗର ସୁଖକୁ ଭୋଗ କରିବାର ଯାଚନା କରିଥାନ୍ତି ଏବଂ ନିଜର ସେହି ପାପରୂପୀ ପୁଣ୍ୟର ସାମର୍ଥ୍ୟ କାରଣରୁ, ଯଦ୍ଦ୍ୱାରା କଦାପି ମୋର ପ୍ରାପ୍ତି ହୋଇପାରେ ନାହିଁ, ସେମାନେ ସ୍ୱର୍ଗଲୋକ ପ୍ରାପ୍ତ କରିଥାନ୍ତି । ସେହି ସ୍ୱର୍ଗରେ ଏକ ଅମରତ୍ୱ ହିଁ ସିଂହାସନ ଅଟେ । ସେଠାରେ ବସିବାପାଇଁ ଐରାବତ ଏବଂ ରହିବାପାଇଁ ଅମରାବତୀ ନାମର ରାଜଧାନୀ ରହିଛି । ସେଠାରେ ମହାସିଦ୍ଧିସମୂହର ଭଣ୍ଡାର ରହିଛି, ଅମୃତ କୁଣ୍ଡ ରହିଛି ଏବଂ ଦଳଦଳ କାମଧେନୁ ରହିଛନ୍ତି । ସେଠାରେ ପରିଚର୍ଯ୍ୟା ନିମନ୍ତେ ନିତ୍ୟ ଦେବତାମାନେ ଉପସ୍ଥିତ ରହିଥାନ୍ତି, ପୃଥିବୀପୃଷ୍ଠରେ ଚିନ୍ତାମଣିର ଅବସ୍ଥିତି ରହିଛି ଏବଂ କ୍ରୀଡ଼ା ପାଇଁ ଚତୁର୍ଦ୍ଦିଗରେ କଳ୍ପବୃକ୍ଷର ବଗିଚା ରହିଛି । ସେଠାରେ ଗନ୍ଧର୍ବ ଗୀତ ଗାଇଥାନ୍ତି, ରମ୍ଭା ଭଳି ଅପ୍ସରାମାନେ ନୃତ୍ୟ କରିଥାନ୍ତି ଏବଂ ଉର୍ବଶୀଙ୍କ ଭଳି ବିଳାସିନୀ ସ୍ତ୍ରୀମାନେ ମିଳିଥାନ୍ତି । ସେଠାରେ ଶୟନ କକ୍ଷରେ ସ୍ୱୟଂ ମଦନ ସେବା କରିଥାନ୍ତି, ଅଗଣାରେ ସିଞ୍ଚନ ସ୍ୱୟଂ ଚନ୍ଦ୍ରମା କରିଥାନ୍ତି ଏବଂ ପବନଙ୍କ ଭଳି ସେବକ ଦୌଡ଼ାଦୌଡ଼ି କରି ସମସ୍ତ କାମ କରିଥାନ୍ତି । ସେଠାରେ ଏଭଳି ସ୍ୱସ୍ତିବାଚନ କରୁଥିବା ବ୍ରହ୍ମାଣ ଅଛନ୍ତି, ଯାହାଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ବୃହସ୍ପତି । ସେଠାରେ ଚାରଣମାନଙ୍କର କାମ କରିବାପାଇଁ ଅନେକ ଦେବତା ଉପସ୍ଥିତ ରହନ୍ତି । ସେଠାରେ ସରଦାରଙ୍କ ଭଳି ପଂକ୍ତିବଦ୍ଧ ହୋଇ ଠିଆ ହୋଇଥିବା ଲୋକପାଳ ମଧ୍ୟ ରହନ୍ତି ତଥା ଉଚ୍ଚୈଃଶ୍ରବାଭଳି ଉଚ୍ଚକୋଟୀର ଅଶ୍ୱ ମଧ୍ୟ ବିଦ୍ୟମାନ । କହିବାର ଅଭିପ୍ରାୟ ହେଉଛି କି, ଯେଉଁ ସମୟ ପର୍ଯ୍ୟନ୍ତ ନିଜ ଗଣ୍ଠିଲିରେ ବା ପାଖରେ ପୁଣ୍ୟ ରହିଥାଏ, ସେ ସମୟପର୍ଯ୍ୟନ୍ତ ସେମାନେ ଇନ୍ଦ୍ରସୁଖ ଭଳି ଏପ୍ରକାରର ଅନେକ ସୁଖର ଉପଭୋଗ କରିଥାନ୍ତି । (୩୦୭—୩୨୭)
ଶ୍ଳୋକ—୨୧
ହେଲେ ଯେଉଁ ସମୟରେ ସେମାନଙ୍କର ପୁଣ୍ୟରୂପୀ ପୁଞ୍ଜି ସମାପ୍ତ ହୋଇଯାଏ ଏବଂ ତା ସହିତ ଇନ୍ଦ୍ରପଦର ତେଜ ମଧ୍ୟ ମଳିନ ହୋଇଯାଏ, ସେ ସମୟରେ ସେହି ଲୋକମାନେ ଏହି ମୃତ୍ୟୁଲୋକକୁ ପୁନଃ ଫେରିଆସନ୍ତି । ଯେଉଁଭଳି କୌଣସି ବିଷୟାସକ୍ତ ବ୍ୟକ୍ତି ବେଶ୍ୟାର ଚିନ୍ତାରେ ପଡ଼ି ନିଜର ସବୁକିଛିକୁ ହରାଇ ଦରିଦ୍ର ହୋଇଯାଏ ଏବଂ ସେତେବେଳେ ସେହି ଅବସ୍ଥାରେ ତା ପାଇଁ ସେହି ବେଶ୍ୟାର ଦ୍ୱାରରେ ପାଦ ରଖିବା ମଧ୍ୟ ଅସମ୍ଭବ ହୋଇଯାଏ, ସେହିଭଳି ଏକତ୍ରିତ ପୁଣ୍ୟ ସମାପ୍ତ ହୋଇଯିବା ପରେ ସେହି ଯଜ୍ଞକାରୀଙ୍କର ଯେଉଁ ଲଜ୍ଜାସ୍ପଦ ଅବସ୍ଥା ହୁଏ, ତାହାର ମୁଁ ଆଉ କଣ ବର୍ଣ୍ଣନା କରିବି ! ଏହିଭଳି ଭାବରେ ଯିଏ ମୋର ଶାଶ୍ୱତ ଆତ୍ମାକୁ ନ ଜାଣିପାରି ନିଜର ପୁଣ୍ୟ ପ୍ରତାପରୁ ସ୍ୱର୍ଗ ସୁଖକୁ ପ୍ରାପ୍ତ କରିଥାନ୍ତି, ତାଙ୍କୁ ଯଥାର୍ଥ ଅମରତ୍ୱ ପ୍ରାପ୍ତ ହୁଏ ଏବଂ ଶେଷରେ ତାଙ୍କୁ ଏହି ମୃତ୍ୟୁଲୋକକୁ ହିଁ ଫେରିବାପାଇଁ ପଡ଼ିଥାଏ । ସେ ମାତାଙ୍କ ଗର୍ଭାଶ୍ରୟରେ, ଦୁର୍ଗନ୍ଧଯୁକ୍ତ ସ୍ଥାନରେ ରହି ବାରମ୍ବାର ଜନ୍ମ ନେଇଥାନ୍ତି ଆଉ ମରିଥାନ୍ତି । ସ୍ୱପ୍ନରେ ଧନସମ୍ପତ୍ତିର ଗନ୍ତାଘରକୁ ଦେଖିହୁଏ ନିଶ୍ଚିତ ହେଲେ ନିଦ ଭାଙ୍ଗିଯିବା ମାତ୍ରେ ସମସ୍ତ ଗନ୍ତାଘର କେଉଁଆଡ଼େ ଲୁପ୍ତ ହୋଇଯାଏ, ଠିକ୍‌ ସେହିପରି ବେଦ ଅବଗତକାରୀଙ୍କୁ ପ୍ରାପ୍ତ ହୋଇଥିବା ସ୍ୱର୍ଗସୁଖ ମଧ୍ୟ ମିଥ୍ୟା ବୋଲି ଜାଣିବା ଆବଶ୍ୟକ । ହେ ଅର୍ଜ୍ଜୁନ ! ତଣ୍ଡୁଳକୁ ବାହାର କରିନେଲେ ଯେଉଁ ଧୂସ ଅବଶିଷ୍ଟ ରହିଥାଏ, ତାହାକୁ ରାନ୍ଧିବା ସମ୍ପୂର୍ଣ୍ଣରୂପେ ବ୍ୟର୍ଥ ହିଁ ହୁଏ । ଏହିଭଳି ଭାବରେ ଯେକୌଣସି ବ୍ୟକ୍ତି ବେଦଜ୍ଞ ହୋଇଯାଆନ୍ତୁ ପଛକେ, ହେଲେ ଯଦି ତାଙ୍କୁ ମୋର ନିତ୍ୟ ସ୍ୱରୂପ ସମ୍ବନ୍ଧରେ ଜ୍ଞାନ ନହୁଏ, ତେବେ ବୁଝିନେବା ଦରକାର କି ତାଙ୍କର ସମ୍ପୂର୍ଣ୍ଣ ଜୀବନ ବେକାର ହୋଇଗଲା । ଏଥିପାଇଁ ଯଦି ମୋର ଶାଶ୍ୱତ ସ୍ୱରୂପର ଜ୍ଞାନ ନହୁଏ, ତେବେ ସମସ୍ତ ବେଦୋକ୍ତ ଧର୍ମ ନିଷ୍ଫଳ ହୋଇଯାଏ । ହେଲେ ଯଦି ତୁମକୁ ମୋର ସ୍ୱରୂପର ଜ୍ଞାନ ହୋଇଯାଏ ଏବଂ ସେତେବେଳେ ତୁମକୁ ଅନ୍ୟ କୌଣସି ଜିନିଷର ଜ୍ଞାନ ହୁଏନାହିଁ, ତେବେ ମଧ୍ୟ ତୁମେ ସୁଖୀ ହେବ । (୩୨୮—୩୩୪)
ଶ୍ଳୋକ—୨୨
ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ମନୋଯୋଗପୂର୍ବକ ନିଜ ଚିତ୍ତକୁ ମୋତେ ଅର୍ପିତ କରିଦେଇଥାନ୍ତି, ଯିଏ ସେହିଭଳି ଭାବରେ ମୋ ବ୍ୟତିରେକ ଅନ୍ୟ କାହାରିକୁ ବି ଭଲ ମନେକରିପାରନ୍ତି ନାହିଁ, ଯେଉଁଭଳି ଗର୍ଭାଶୟର ପିଣ୍ଡ ଅନ୍ୟ କୌଣସି କର୍ମ କଥା ଜାଣିନଥାଏ ଏବଂ ଯାହାକୁ ସମ୍ପୂର୍ଣ୍ଣ ଜୀବନର ଜ୍ଞାନ ମୋ ନାମରୂପରେ ହୁଏ ଏବଂ ଏହିଭଳି ଭାବପୂର୍ବକ ଯିଏ ଅନନ୍ୟଭାବରେ ମୋର ଚିନ୍ତନ କରିଥାନ୍ତି ତଥା ମୋର ଉପାସନା କରିଥାନ୍ତି, ତାଙ୍କର ମୁଁ ମଧ୍ୟ ନିରନ୍ତର ସେବା କରିଥାଏ । ଯେଉଁ ସମୟରେ ସେ ସମ୍ପୂର୍ଣ୍ଣରୂପେ ମନୋଯୋଗପୂର୍ବକ ଏକାକାରକରି ମୋର ଉପାସନାର ମାର୍ଗ ସ୍ୱୀକାର କରିନେଇଥାନ୍ତି, ସେହି ସମୟରୁ ତାଙ୍କର ଚିନ୍ତା ମୋତେ ଅହରହ ଘାରିଥାଏ । ତାପରେ ଯେଉଁ ଯେଉଁ କାର୍ଯ୍ୟ ତାଙ୍କ ପାଇଁ ଅଭୀଷ୍ଟ ହୁଏ, ସେ ସବୁ ମୋତେ ହିଁ କରିବାପାଇଁ ପଡ଼େ । ପକ୍ଷୀଣୀ ତାର ସେହି ପିଲାମାନଙ୍କ ପାଇଁ ନିଜର ଜୀବନ ଧାରଣ କରିଥାଏ, ଯେଉଁ ପିଲାମାନଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ଡେଣା ବାହାରି ନଥାଏ । ସେ ତାର ପିଲାମାନଙ୍କର ଭଲପାଇଁ ସବୁ କାମ କରିଥାଏ । ଏପରିକି ଏମାନଙ୍କ ଦେଖାଶୁଣା ପଛରେ ନିଜର କ୍ଷୁଧା-ତୃଷା ମଧ୍ୟ ଭୁଲିଯାଏ । ଏହିଭଳି ଭାବରେ ଯେଉଁ ଲୋକମାନେ ମୋ ଉପରେ ଭରସା ରଖି ମୋର ଉପାସନା କରିଥାନ୍ତି, ସେମାନଙ୍କର ମୁଁ ସବୁପ୍ରକାରେ ଦେଖାଶୁଣା କରିଥାଏ । ଯଦି ସେମାନେ ମୋକ୍ଷରେ ଆଗ୍ରହ ରଖନ୍ତି, ତେବେ ସେମାନଙ୍କର ସେହି ଆଗ୍ରହକୁ ମଧ୍ୟ ମୁଁ ହିଁ ପୂରଣ କରିଥାଏ ଆଉ ଯଦି ସେମାନଙ୍କୁ ମୋର ସେବା କରିବାପାଇଁ ଆଗ୍ରହ ଲାଗିଥାଏ ତେବେ ମୁଁ ସେମାନଙ୍କୁ ଭଲପାଇବାର ଦାନ ଦେଇଥାଏ । ଏହିଭଳି ଭାବରେ ସେ ଲୋକମାନେ ନିଜ ମନରେ ଯେଉଁ ଯେଉଁ କଥାର କାମନା କରନ୍ତି, ସେ ସବୁକୁ ମୁଁ ସେମାନଙ୍କୁ ବାରମ୍ବାର ପ୍ରଦାନ କରିବାକୁ ଲାଗେ । କେବଳ ଏତିକି ନୁହେଁ, ସେମାନଙ୍କୁ ମୁଁ ଯାହାକିଛି ବି ପ୍ରଦାନ କରେ, ସେ ସବୁର ରକ୍ଷା ମଧ୍ୟ ମୋତେ ହିଁ କରିବାପାଇଁ ପଡ଼ିଥାଏ । ହେ ପାଣ୍ଡବ ! ସେମାନଙ୍କର ସମସ୍ତ କ୍ରିୟା ମୋଠାରେ ଅବଲମ୍ବିତ ହୋଇ ରହିଥାଏ, ଏଥିପାଇଁ ସେମାନଙ୍କର ଯୋଗକ୍ଷେମ ମୋତେ ହିଁ ବହନ କରିବାକୁ ହୁଏ । (୩୩୫—୩୪୩)
ଶ୍ଳୋକ—୨୩
ଏହା ବ୍ୟତୀତ ଆହୁରି ଅନେକ ସମ୍ପ୍ରଦାୟ ଅଛନ୍ତି, ହେଲେ ସେମାନଙ୍କର ଅନୁଗାମୀ ମୋର ସର୍ବବ୍ୟାପକ ରୂପକୁ ଜାଣନ୍ତି ନାହିଁ । ସେମାନେ ଅଗ୍ନି, ଇନ୍ଦ୍ର, ସୂର୍ଯ୍ୟ ଏବଂ ସୋମ ପ୍ରୀତ୍ୟର୍ଥେ ଯଜନ କରିଥାନ୍ତି । ସେହି ଯଜନ ମଧ୍ୟ ମୋତେ ହିଁ ମିଳିଥାଏ, କାରଣ ଏ ସମସ୍ତ ବିଶ୍ୱ ମୁଁ ହିଁ ଅଟେ । ହେଲେ ଏହା ମୋ ଭଜନର ସୁଗମ ମାର୍ଗ ନୁହେଁ ବରଂ ଅଙ୍କାବଙ୍କା ଅଟେ । ଦେଖ, ବୃକ୍ଷର ଶାଖା ଏବଂ ପଲ୍ଲବାଦି ସମସ୍ତ ଗୋଟିଏ ବୀଜରୁ ଉତ୍ପନ୍ନ ହୁଏ, ହେଲେ ସମସ୍ତଙ୍କ ପାଇଁ ଜଳ ଗ୍ରହଣ କରିବାର କ୍ରିୟା ମୂଳ ହିଁ କରିଥାଏ, ଏଥିପାଇଁ ମୂଳରେ ଜଳ ଦେବା ଆବଶ୍ୟକ ଅଥବା ବ୍ୟକ୍ତିର ଦେହରେ ଦଶଗୋଟି ଇନ୍ଦ୍ରିୟ ଅବସ୍ଥାନ କରନ୍ତି ସେ ସମସ୍ତ ଗୋଟିଏ ଦେହରେ ଅବସ୍ଥାନ କରିଥାନ୍ତି ଆଉ ସେହି ଇନ୍ଦ୍ରିୟସମୂହ ଯେଉଁ ବିଷୟର ସେବନ କରନ୍ତି, ସେ ସବୁ ମଧ୍ୟ ଶେଷରେ ଗୋଟିଏ ସ୍ଥାନରେ ପହଁଞ୍ଚିଥାନ୍ତି । ତାପରେ ବି କଣ କେହି ଉତ୍ତମ ରୋଷେଇ ପ୍ରସ୍ତୁତ କରି କର୍ଣ୍ଣେନ୍ଦ୍ରିୟକୁ ଭୋଜନ କରାଇଥାଏ ? ଅଥବା ଯଦି ପୁଷ୍ପର ସମ୍ବନ୍ଧ ଆଖିସହ କରିଦିଆଯାଏ ତେବେ କଣ କାମ ଚଳିପାରିବ ? ନାଁ । ରୋଷେଇର ସେବନ ମୁଖଦ୍ୱାରା ହିଁ କରିବାକୁ ହୁଏ ଏବଂ ନାକଦ୍ୱାରା ସୁଗନ୍ଧର ଅନୁଭବ କରିବାକୁ ହୁଏ । ଏହିଭଳି ଭାବରେ ମୋର ଭଜନ ମୋର ସ୍ୱରୂପକୁ ଅବଗତ ହୋଇ କରିବାପାଇଁ ହୁଏ । ଯଦି ମୋର ବାସ୍ତବିକ ସ୍ୱରୂପକୁ ନ ବୁଝି ମୋର ଭଜନ କରାଯାଏ, ତାହା ବ୍ୟର୍ଥରେ କରାଯାଉଥିବା କାର୍ଯ୍ୟଭଳି ନିଷ୍ଫଳ ହେବ । ଅତଃ କର୍ମପାଇଁ ଜ୍ଞାନରୂପୀ ଦୃଷ୍ଟି ଆବଶ୍ୟକତା ହୁଏ ଏବଂ ସେହି ଦୃଷ୍ଟିର ନିର୍ଦ୍ଦୋଷ ତଥା ନିର୍ମଳ ହେବା ମଧ୍ୟ ପରମ ଆବଶ୍ୟକ । (୩୪୪—୩୫୦)
ଶ୍ଳୋକ—୨୪
ହେ ପାଣ୍ଡୁସୂତ ! ଦେଖ, ଏହି ଯଜ୍ଞର ସମ୍ପୂର୍ଣ୍ଣ ଉପଚାରର ଭୋକ୍ତା ମୋ ବ୍ୟତିରେକ ଆଉ କିଏ ହୋଇପାରେ ? ମୁଁ ହିଁ ସମସ୍ତ ଯଜ୍ଞର ଆଦିକାରଣ ଅଟେ ଆଉ ମୁଁ ହିଁ ଯଜ୍ଞର ଅନ୍ତିମ ମର୍ଯ୍ୟାଦା ଅଟେ, ହେଲେ ଏହି ଯଜ୍ଞକର୍ତ୍ତାମାନଙ୍କୁ ଏ କଥାର ଜ୍ଞାନ ହିଁ ନାହିଁ ଆଉ ଏଥିପାଇଁ ସେମାନେ ଭୁଲି ଅନ୍ୟାନ୍ୟ ଦେବତାମାନଙ୍କର ଭଜନରେ ଲାଗିଛନ୍ତି । ଯେଉଁଭଳି ଦେବତା ଏବଂ ପିତରଙ୍କ ନିମିତ୍ତ ପ୍ରଦତ୍ତ ଗଙ୍ଗାର ଜଳ ଗଙ୍ଗାରେ ହିଁ ଅର୍ପିତ କରାଯାଏ, ସେହିଭଳି ଯଜ୍ଞାଦି ବିଧି-ବିଧାନ ଦ୍ୱାରା ସେହି ଲୋକମାନେ ମୋର ବସ୍ତୁ ମୋତେ ଅର୍ପିତ କରିଥାନ୍ତି, ହେଲେ କେବଳ ଅର୍ପଣବିଧି ଅନ୍ୟ ଦେବତାମାନଙ୍କର ଉଦ୍ଦେଶ୍ୟରେ କରିଥାନ୍ତି । ଏଥିପାଇଁ ହେ ପାର୍ଥ ! ସେମାନେ ଏହି ବିଧି-ବିଧାନଦ୍ୱାରା ମୋପର୍ଯ୍ୟନ୍ତ ଆସି ପହଁଞ୍ଚିପାରନ୍ତି ନାହିଁ ବରଂ ଯଜ୍ଞକର୍ତ୍ତାମାନେ ଯେଉଁ ଦେବତାମାନଙ୍କ ଉଦ୍ଦେଶ୍ୟରେ ଏ ସମସ୍ତ କର୍ମର ଆଚରଣ କରନ୍ତି, ସେହି ଉପାସ୍ୟ ଦେବତାମାନଙ୍କୁ ସେମାନେ ପ୍ରାପ୍ତ ହୋଇଥାନ୍ତି । (୩୫୧—୩୫୪)
ଶ୍ଳୋକ—୨୫
ଯେଉଁ ଲୋକମାନେ ନିଜର ମନ, ବାଣୀ ଏବଂ ଇନ୍ଦ୍ରିୟସମୂହ ଦ୍ୱାରା ଦେବତାମାନଙ୍କର ଭଜନ କରନ୍ତି, ସେମାନେ ଦେହାବସାନ ହେବାମାତ୍ରେ ସେହି ସେହି ଦେବତାମାନଙ୍କ ସ୍ୱରୂପକୁ ପ୍ରାପ୍ତ କରିଥାନ୍ତି । ଅଥବା ଯାହାଙ୍କର ଚିତ୍ତ ପିତୃ-ବ୍ରତର ଆଚରଣରେ ବ୍ରତୀ, ସେମାନେ ଶରୀର ତ୍ୟାଗ କରିବାପରେ ପିତରଙ୍କର ସ୍ୱରୂପକୁ ପ୍ରାପ୍ତ କରିଥାନ୍ତି । ଯେଉଁ ଲୋକମାନଙ୍କୁ ଭୂତ-ପିଶାଚ ଏବଂ ଶୂଦ୍ର ଦେବତାଦି ସର୍ବଶ୍ରେଷ୍ଠ ମନେହୁଅନ୍ତି ତଥା ମାରଣ ଇତ୍ୟାଦି ମନ୍ତ୍ରମାନଙ୍କ ପାଇଁ ଯିଏ ତାଙ୍କର ଉପାସନା କରନ୍ତି, ସେମାନଙ୍କର ଶରୀରର ଅନ୍ତ ହେବାମାତ୍ରକେ ସେମାନେ ଶୀଘ୍ର ଭୂତଯୋନିକୁ ପ୍ରାପ୍ତ ହୋଇଥାନ୍ତି । ଏହିଭଳି ଭାବରେ ସମସ୍ତ ଲୋକ ନିଜ ନିଜ ସଂକଳ୍ପାନୁସାରେ ନିଜ ନିଜ କର୍ମର ଫଳ ପ୍ରାପ୍ତ କରନ୍ତି । ହେଲେ ଯାହାଙ୍କ ନେତ୍ର ମୋର ଦର୍ଶନ କରିଥାନ୍ତି, ଯାହାଙ୍କର ଶ୍ରବଣେନ୍ଦ୍ରିୟ ମୋ ବିଷୟରେ ଶ୍ରବଣ କରିଥାନ୍ତି, ଯାହାଙ୍କର ମନ କେବଳ ମୋର ଚିନ୍ତନ କରିଥାଏ, ଯାହାଙ୍କ ବାଣୀ ମୋର ଯଶଗାନ କରିଥାଏ । ଯିଏ ନିଜର ସର୍ବାଙ୍ଗତଃ ସର୍ବଦା ମୋତେ ହିଁ ନମନ କରନ୍ତି, ଯିଏ ଦାନ-ପୁଣ୍ୟ ଇତ୍ୟାଦି କ୍ରିୟାକୁ ମୋର ପ୍ରସନ୍ନତା ପାଇଁ କରନ୍ତି, ଯିଏ ମୋର ଅଧ୍ୟୟନ କରନ୍ତି, ଯିଏ ବାହ୍ୟାଭ୍ୟନ୍ତରରେ ମଦ୍‌ରୂପ ହୋଇ ସଂତୃପ୍ତ ହୋଇଥାନ୍ତି, ଯାହାଙ୍କର ଜୀବନ ମୋତେ ସମର୍ପିତ ହୁଏ, ଯିଏ କେବଳ ହରିଭକ୍ତଙ୍କର ଲକ୍ଷଣ ଧାରଣ କରିବାପାଇଁ ଅହଂଭାବକୁ ଅଙ୍ଗୀକାର କରିଥାନ୍ତି, ଯାହାଙ୍କୁ ଏକମାତ୍ର ମୋର ଲୋଭ ରହିଛି, ଯିଏ ମୋତେ ପାଇବା ଅଭିଳାଷାରେ ସକାମ ରହିଥାନ୍ତି, ଯିଏ ମୋ ପ୍ରେମରେ ବ୍ୟାକୁଳ ହୋଇଥାନ୍ତି, ମୋର ସର୍ବବ୍ୟାପୀ ସ୍ୱରୂପରେ ପୂର୍ଣ୍ଣ ହୋଇଥିବା କାରଣରୁ ଯାହାଙ୍କୁ ଲୌକିକ ଭାବ ପ୍ରତୀତ ସୁଦ୍ଧା ହୋଇନଥାଏ, ଯାହାଙ୍କର ଶାସ୍ତ୍ର ଏବଂ ମନ୍ତ୍ର-ତନ୍ତ୍ର ସବୁ ମୋ ପ୍ରୀତ୍ୟର୍ଥେ ହୁଏ, ତାତ୍ପର୍ଯ୍ୟ ହେଉଛି କି, ଯିଏ ନିଜର ସମସ୍ତ ବ୍ୟବହାର ଏବଂ ଆଚାରରେ ମୋର ହିଁ ଭଜନ କରିଥାନ୍ତି, ସେ ଶରୀର ତ୍ୟାଗ କରିବା ପୂର୍ବରୁ ମୋର ସତ୍ୟ-ସ୍ୱରୂପ ପ୍ରାପ୍ତ କରିଥାନ୍ତି, ତାପରେ ଏମିତିରେ ମୃତ୍ୟୁ ପରେ ସେମାନେ କେଉଁଆଡ଼େ ବା ଯାଇଥାନ୍ତେ ? ଏଥିପାଇଁ ଯିଏ ନିଜର ସମ୍ପୂର୍ଣ୍ଣ କ୍ରିୟାକଳାପ ନିଜେ ମୋ ସ୍ୱରୂପକୁ ସମର୍ପିତ କରିଦିଅନ୍ତି, ସେହି ମୋର ଉପାସକ ମୋର ସ୍ୱରୂପକୁ ପ୍ରାପ୍ତ କରିଥାନ୍ତି ।
ହେ ଅର୍ଜ୍ଜୁନ ! ଆତ୍ମସ୍ୱରୂପର ଅନୁଭବ ନହେଲେ ମୁଁ କଦାପି କାହାରିକୁ ପ୍ରିୟ ହୋଇନଥାଏ । ମୁଁ ଅନ୍ୟ କୌଣସି ଉପାୟରେ କାହାପାଇଁ ସାଧ୍ୟ ହୋଇପାରିବି ନାହିଁ । ଏ ବିଷୟରେ ଯିଏ ନିଜ ଜ୍ଞାନର ଗର୍ବ କରିଥାନ୍ତି, ତାଙ୍କୁ ଅଜ୍ଞାନୀ ମନେକରିବା ଆବଶ୍ୟକ । ଯିଏ ନିଜର ବଡ଼ପଣ ଦେଖାନ୍ତି, ସେମାନଙ୍କ ବିଷୟରେ ନିଶ୍ଚିତରୂପରେ ଜାଣିଯିବା ଆବଶ୍ୟକ କି ସେଥିରେ କିଛି ଅଭାବ ରହିଛି । ଯିଏ ଅଭିମାନପୂର୍ବକ କହନ୍ତି କି, ବର୍ତ୍ତମାନ ମୁଁ ପରିପୂର୍ଣ୍ଣ ହୋଇଯାଇଛି, ତାଙ୍କ ସମ୍ବନ୍ଧରେ ଖୁବ୍‌ ଭଲଭାବରେ ବୁଝିନେବା ଦରକାର କି, ତାଙ୍କର କୌଣସି ବି ମହତ୍ତ୍ୱ ନାହିଁ । ଏହିଭଳି ଭାବରେ ହେ କିରିଟୀ ! ଯେଉଁ ଲୋକମାନେ ସେମାନଙ୍କର ତପଶ୍ଚରଣକୁ ନେଇ ଦେଖାଇହୁଅନ୍ତି, ସେମାନଙ୍କର ଏହି ସମସ୍ତ କର୍ମର ତିଳେମାତ୍ର ଉପଯୋଗ ହୁଏନାହିଁ । ତୁମେ କୁହ ତ ଜ୍ଞାନ ବଳରେ କଣ କେହି ବେଦଠାରୁ ମଧ୍ୟ ବଡ଼ ଅଟେ ? ଅଥବା ବକ୍ତୃତ୍ୱ ଶକ୍ତିରେ କଣ କେହି ଶେଷନାଗଙ୍କଠାରୁ ବଡ଼ କୁଶଳ ବକ୍ତା ଅଛନ୍ତି ? ହେଲେ ସେହି ଶେଷନାଗ ମଧ୍ୟ ମୋ ଶଯ୍ୟାର ନିମ୍ନ ଭାବରେ ଅବଦମିତ ହୋଇ ରହିଥାଏ ଏବଂ ବେଦ ମଧ୍ୟ ନେତି ନେତି କହି ପଛକୁ ଘୁଞ୍ଚିଯାଇଥାଏ । ଏ ବିଷୟରେ ସନକାଦିକ ଜ୍ଞାତା ମଧ୍ୟ ପାଗଳ ପରି ହୋଇଯାନ୍ତି । ଯଦି ତପଶ୍ଚରଣର ବିଚାର କର, ତେବେ ଶଙ୍କରଙ୍କ ସମ କଠୋର ତପସ୍ୟା କିଏ କରିଛନ୍ତି ? ହେଲେ ସେ ମଧ୍ୟ ଅଭିମାନର ପରିତ୍ୟାଗ କରି ମୋ ଚରଣତୀର୍ଥ ନିଜ ମସ୍ତକ ଉପରେ ଧାରଣ କରିଥାନ୍ତି । ସମ୍ପନ୍ନତାରେ ଲକ୍ଷ୍ମୀଙ୍କର ସମତୁଲ୍ୟ ଆଉ କିଏ ହୋଇପାରିବେ, ଯାହାଙ୍କ ଗୃହରେ ଶ୍ରୀସମ୍ପନ୍ନ ପରିଚାରିକାଗଣ ସେବାରତ ରହନ୍ତି ? ସେହି ଲକ୍ଷ୍ମୀ ଖେଳ ଖେଳରେ ଯେଉଁ ଗୃହ ନିର୍ମାଣ କରିଥାନ୍ତି, ତାହାକୁ ଲୋକମାନେ ଅମରପୁରୀ ବୋଲି କୁହନ୍ତି । ଏଭଳି ସ୍ଥିତିରେ କଣ ଇନ୍ଦ୍ରାଦି ଦେବଗଣ ସେହି ଲକ୍ଷ୍ମୀଙ୍କର ଖେଳଣାସମ ସିଦ୍ଧ ହେଉନାହାଁନ୍ତି ? ସେହି ଲକ୍ଷ୍ମୀ ଯେଉଁ ସମୟରେ ଏଭଳି ଖେଳକୁ ପରିସମାପ୍ତ କରି ଏହି ଗୃହସବୁକୁ ଭାଙ୍ଗିପକାନ୍ତି, ସେ ସମୟରେ ମହେନ୍ଦ୍ରାଦି ସମସ୍ତ ଦେବତା କାଙ୍ଗାଳ ହୋଇଯାନ୍ତି । ସେହି ପରିଚାରିକାଗଣ ଯେଉଁ ବୃକ୍ଷ ଆଡ଼କୁ ଦୃଷ୍ଟିପାତ କରନ୍ତି, ସେହି ବୃକ୍ଷ କଳ୍ପବୃକ୍ଷ ହୋଇଯାଏ । ଯେଉଁ ଲକ୍ଷ୍ମୀଙ୍କ ଗୃହର ଦାସୀମାନଙ୍କ ମଧ୍ୟରେ ବି ଏପ୍ରକାର ଅଲୌକିକ ସାମର୍ଥ୍ୟ ରହିଛି, ସେହି ମୁଖ୍ୟ ନାୟିକା ଲକ୍ଷ୍ମୀଙ୍କର ମଧ୍ୟ ନାରାୟଣଙ୍କ ସମ୍ମୁଖରେ କୌଣସି ବିଶେଷ ମହତ୍ତ୍ୱ ନାହିଁ । ଏଥିପାଇଁ ହେ ପାଣ୍ଡବ ! ସେହି ଲକ୍ଷ୍ମୀ ପୂର୍ଣ୍ଣ ମନୋଯୋଗପୂର୍ବକ ମୋର ସେବା କରନ୍ତି ଆଉ ଅଭିମାନ ଛାଡ଼ି ସେ ନାରାୟଣଙ୍କର ପାଦ ସେବାର ସୌଭାଗ୍ୟ ପ୍ରାପ୍ତ କରିନେଇଛନ୍ତି । ଏଥିପାଇଁ ସର୍ବପ୍ରଥମେ ନିଜର ମହତ୍ତ୍ୱର ସମସ୍ତ ବିଚାର ତ୍ୟାଗ କରିବାପାଇଁ ପଡ଼ିଥାଏ, ଜ୍ଞାନ ସମ୍ବନ୍ଧିତ ଅଭିମାନକୁ ଛାଡ଼ିବାପାଇଁ ପଡ଼ିଥାଏ ଏବଂ ଅନ୍ତଃକରଣରେ ଏପ୍ରକାରର ନିର୍ମଳ ଭାବନା ରଖି ବିନମ୍ର ହେବାପାଇଁ ପଡ଼ିଥାଏ କି ମୁଁ ଜଗତ୍‌ର ସମସ୍ତ ଜୀବମାନଙ୍କଠାରୁ ତୁଚ୍ଛ ଅଟେ । ତେବେ ଯାଇ ବ୍ୟକ୍ତିକୁ ମୋ ସାନ୍ନିଧ୍ୟ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହୁଏ । ଦେଖ, ହଜାର ରଶ୍ମିଯୁକ୍ତ ସୂର୍ଯ୍ୟଙ୍କ ଦୃଷ୍ଟି ସମ୍ମୁଖରେ ଚନ୍ଦ୍ରମା ମଧ୍ୟ ମଳିନ ପଡ଼ିଯାନ୍ତି ତେବେ ଖଦ୍ୟୋତ ଭଲା ନିଜର ପ୍ରକାଶ ଦ୍ୱାରା କିପରି ପ୍ରତିଷ୍ଠା ପାଇପାରିବ ? ଏଥିପାଇଁ ଯେଉଁଠାରେ ଲକ୍ଷ୍ମୀଙ୍କର ମହତ୍ତ୍ୱ ରହିଛି ଏବଂ ଶଙ୍କରଙ୍କର ତପ ମଧ୍ୟ କୌଣସି କାର୍ଯ୍ୟକୁ ନୁହେଁ, ସେଠାରେ ଅଜ୍ଞାନୀ ଏବଂ ଦୁର୍ବଳ ବ୍ୟକ୍ତିମାନଙ୍କ ବିଷୟରେ ଆଉ କଣ କହିବା । ଏଥିପାଇଁ ଦେହାଭିମାନର ପରିତ୍ୟାଗ କରିଦେବା ଆବଶ୍ୟକ, ସମସ୍ତ ସଦ୍‌ଗୁଣ ପ୍ରତିଷ୍ଠା ଅର୍ଥାତ୍‌ ସ୍ତ୍ରୀଲୋକମାନେ ଯେଉଁଭଳି ସୋରିଷକୁ ପିଲାମାନଙ୍କ ମୁଣ୍ଡ ଉପରେ ବୁଲାଇଆଣି ପକାଇଦିଅନ୍ତି, ଯାହାଫଳରେ ପିଲାମାନଙ୍କ ଉପରେ କାହାରି ଦୃଷ୍ଟି ପଡିନଥାଏ ସେହିଭଳି କରିବା ଆବଶ୍ୟକ ଏବଂ ସମ୍ପତ୍ତିଜନିତ ଗର୍ବକୁ ତ୍ୟାଗ କରି ତାହାର ବିନାଶ କରିପକାଇବା ଆବଶ୍ୟକ । (୩୫୫—୩୮୧)
ଶ୍ଳୋକ—୨୬
ଏହିଭଳି ଭାବେ ଭକ୍ତ ଯେତେବେଳେ ଅସୀମ ପ୍ରେମରସରେ ମଗ୍ନହୋଇ ଯେକୌଣସି ପ୍ରକାର ଫଳ ମୋତେ ଅର୍ପଣ କରିବାପାଇଁ ମୋ ନିକଟକୁ ଆଗେଇଥାଏ, ସେତେବେଳେ ମୁଁ ଅତ୍ୟନ୍ତ ଉତ୍ସୁକତାର ସହିତ ତାହାକୁ ଗ୍ରହଣ କରିବାପାଇଁ ନିଜର ଦୁଇହସ୍ତକୁ ବଢ଼ାଇଦିଏ । ଏପରିକି ତାହାର ଚୋପା ଛଡ଼ାଇବା ପର୍ଯ୍ୟନ୍ତ ବି ମୁଁ ଅପେକ୍ଷା କରିନଥାଏ ଏବଂ ଅତ୍ୟନ୍ତ ପ୍ରେମ ଭାବରେ ଯେମିତି ସେମିତି ତାହାକୁ ଗ୍ରହଣ କରିନିଏ । ହେ ଅର୍ଜ୍ଜୁନ ! ଯଦି ମୋର କୌଣସି ଭକ୍ତ ଭକ୍ତିସହକାରେ ଗୋଟିଏ ପୁଷ୍ପ ମଧ୍ୟ ମୋତେ ଅର୍ପଣ କରନ୍ତି, ତେବେ ଭକ୍ତ ପ୍ରେମରେ ଏତେ ମାତ୍ରାରେ ମୁଁ ମଜ୍ଜିଯାଏ ଯେ, ସେହି ପୁଷ୍ପଟିକୁ ମଧ୍ୟ ମୁଁ ଆଘ୍ରାଣ କରିବା ବ୍ୟତିରେକ ମୁଖରେ ରଖି ସେବନ କରିପକାଏ । ଖାଲି ପୁଷ୍ପର କଥା କାହିଁକି, ଯଦି ମୋର ଭକ୍ତ ଗୋଟିଏ ପତ୍ରକୁ ମଧ୍ୟ ଅର୍ପିତ କରନ୍ତି, ତେବେ ବି ମୁଁ ଏହା ଦେଖିନଥାଏ କି ସେହି ପତ୍ର ସତେଜ ଅଛି କି ନାଁ ଅଥବା ଶୁଷ୍କ ହୋଇଯାଇଛି, ବାସୀ ହୋଇଯାଇଛି । ମୁଁ ତ କେବଳ ମୋର ଭକ୍ତର ପ୍ରେମପୂର୍ଣ୍ଣ ଭାବକୁ ହିଁ ଦେଖିଥାଏ ଏବଂ ସେହି ପତ୍ରକୁ ମଧ୍ୟ ମୁଁ ସେହିଭଳି ସୁଖପୂର୍ବକ ଖାଇ ସନ୍ତୁଷ୍ଟ ହୋଇଯାଇଥାଏ, ଯେଉଁଭଳି କୌଣସି ବୁଭୁକ୍ଷିତ (କ୍ଷୁଧାରେ ପୀଡ଼ିତ) ବ୍ୟକ୍ତି ଅମୃତ ପାନକରି ତୃପ୍ତ ହୋଇଯାନ୍ତି ଅଥବା ଏମିତି ବି ହୋଇପାରେ, କାହାକୁ ଠିକଣା ସୁଦ୍ଧା ମିଳିନଥାଏ, ହେଲେ ଜଳର ତ କେବେହେଲେ ଅଭାବ ରହିନଥାଏ । ତାହା ତ ସବୁଆଡ଼େ ମାଗଣାରେ ମିଳିଥାଏ । କିନ୍ତୁ ସେହି ମାଗଣାରେ ମିଳିଥିବା ଜଳକୁ ମୋର ଭକ୍ତ ମୋତେ ପୂର୍ଣ୍ଣ ମନୋଯୋଗପୂର୍ବକ ଅର୍ପିତ କଲେ ମୋତେ ଏଭଳି ପ୍ରତୀତ ହୁଏ କି, ସେହି ଭକ୍ତ ଯେମିତି ମୋପାଇଁ ବୈକୁଣ୍ଠରୁ ମଧ୍ୟ ଊର୍ଦ୍ଧ୍ୱରେ ସ୍ଥିତ ନିବାସସ୍ଥାନ ନିର୍ମାଣ କରିଦେଇଛି ଅଥବା କୌସ୍ତୁଭରୁ ମଧ୍ୟ ଅତୀତ ନିର୍ମଳ କୌଣସି ଅଳଙ୍କାର ମୋତେ ପିନ୍ଧାଇଦେଇଛି ଅଥବା କ୍ଷୀରସାଗରରୁ ମଧ୍ୟ ଅତ୍ୟନ୍ତ ସୁଖପ୍ରଦାୟକ ଦୁଗ୍ଧର ଅପରିମିତ ଶୟନସ୍ଥଳକୁ ମୋପାଇଁ ପ୍ରସ୍ତୁତ କରିଦେଇଛି ଅଥବା କର୍ପୂର, ଚନ୍ଦନ ଏବଂ କୃଷ୍ଣ—ଯଦି ଏହି ବସ୍ତୁତ୍ରୟର ସୁଗନ୍ଧମୟ, ସୁଉଚ୍ଚ ମେରୁପର୍ବତ ମୋର ଉପଭୋଗ ପାଇଁ ଉତ୍ପନ୍ନ କରିଦେଇଛି ଅଥବା ଦୀପମାଳାର ପରିବର୍ତ୍ତେ ଅନ୍ୟ ଏକ ସୂର୍ଯ୍ୟଙ୍କୁ ଆଣି ଛିଡ଼ା କରିଦେଇଛି ଅଥବା ସେ ଗରୁଡ଼ଙ୍କ ଭଳି ବାହନ ଅବା କଳ୍ପବୃକ୍ଷର ଉପବନ ଅବା କାମଧେନୁଙ୍କ ଦଳ ମୋତେ ଅର୍ପଣ କରିଦେଇଛି ଅଥବା ଅମୃତଠାରୁ ମଧ୍ୟ ଅଧିକ ସ୍ୱାଦିଷ୍ଟ ଅନେକ ପ୍ରକାରର ଦିବ୍ୟ ରୋଷେଇ ସେ ମୋ ସମ୍ମୁଖରେ ପରଶି ଦେଇଛି । ଯେତେବେଳେ ମୋର ଭକ୍ତ ମୋତେ ଜଳର ଏକ ବିନ୍ଦୁ ମଧ୍ୟ ପ୍ରଦାନ କରିଥାଏ, ସେତେବେଳେ ମୋତେ ଅପାର ସନ୍ତୋଷ ତଥା ଆନନ୍ଦ ପ୍ରାପ୍ତ ହୁଏ । ହେ କିରିଟୀ ! ଏହା ଅତ୍ୟାବଶ୍ୟକ ନୁହେଁ କି, ମୁଁ ତୁମ ସମ୍ମୁଖରେ ଏ ସମସ୍ତ କଥା କହିବି, କାରଣ ତୁମେ ତ ନିଜ ଆଖିରେ ଏସବୁ ଦେଖିସାରିଛ କି ଭକ୍ତିପୂର୍ବକ ଆଣିଥିବା ତିନିମୁଠା ଖୁଦ ପାଇଁ ମୁଁ ସୁଦାମାଙ୍କର ଗାମୁଛାର ଗଣ୍ଠିକୁ ନିଜ ହାତରେ ଖୋଲିଛି । ମୁଁ ତ କେବଳ ଭକ୍ତି ଦେଖିଥାଏ ଆଉ ଯେଉଁଠାରେ ଭକ୍ତି ଥାଏ, ସେଠାରେ ମୁଁ ଛୋଟ ଏବଂ ବଡ଼ ମଧ୍ୟରେ ଥିବା ଭେଦଭାବର କଦାପି କଳ୍ପନା ସୁଦ୍ଧା କରିନଥାଏ । ଯିଏ ବି ହୁଅନ୍ତୁ ନାଁ କାହିଁକି, ଯେଉଁଭଳି ବି ମୋର ଆତିଥ୍ୟ କରନ୍ତୁ ନାଁ କାହିଁକି, ହେଲେ ଯଦି ମୋତେ ତାଙ୍କଠାରେ ସତ୍‌ ଭାବ ଦୃଷ୍ଟିଗୋଚର ହୁଏ, ତେବେ ମୁଁ ତତ୍‌କାଳ ପ୍ରେମପୂର୍ବକ ତାହାକୁ ଗ୍ରହଣ କରିନେଇଥାଏ । ବାସ୍ତବରେ ପତ୍ର, ପୁଷ୍ପ ଏବଂ ଫଳ ଇତ୍ୟାଦି ବସ୍ତୁସମୂହ ତ ଭକ୍ତି ପ୍ରଦର୍ଶିତ କରିବାର ସାଧନମାତ୍ର ଅଟେ । ମୋତେ ଏ ବସ୍ତୁ ସହିତ ଆଦୌ ଯାଏ-ଆସେ ନାହିଁ । ଭକ୍ତି ତତ୍ତ୍ୱ ହିଁ ମୋପାଇଁ ସବୁକିଛି ଅଟେ । ଏଥିପାଇଁ ହେ ଅର୍ଜ୍ଜୁନ ! ଏହି ଯୋଗସାଧନର ମୁଁ ଏକ ସହଜ ଯୁକ୍ତି ତୁମକୁ କହୁଅଛି, ଧ୍ୟାନଦେଇ ଶୁଣ ! ଯଦି ତୁମେ ବାସ୍ତବରେ ଭକ୍ତିତତ୍ତ୍ୱର ସାଧନା କରିବାପାଇଁ ଚାହଁ, ତେବେ ନିଜର ମନମନ୍ଦିରରୁ କଦାପି ମୋତେ ବିସ୍ମୃତ ହେବାପାଇଁ ଦିଅନାହିଁ । (୩୮୨—୩୯୭)
ଶ୍ଳୋକ—୨୭
ତୁମେ ଯେଉଁ ଯେଉଁ କର୍ମସବୁ କର, ଯେଉଁ ବିଷୟସବୁର ସେବନ କର, ଯେଉଁ ଯଜ୍ଞର ସମ୍ପାଦନ କର, ଯାହାକିଛି ଦାନ-ପୁଣ୍ୟ କର ଅଥବା ସେବକଙ୍କ ଜୀବନ ନିର୍ବାହର ଯେଉଁ ବ୍ୟବସ୍ଥା କର ଅଥବା ତପ ଏବଂ ବ୍ରତ ଇତ୍ୟାଦିର ଯେଉଁ ଆଚରଣ କର ଅର୍ଥାତ୍‌ ଯେକୌଣସି କ୍ରିୟା ତୁମଦ୍ୱାରା ସମ୍ପନ୍ନ ହୁଏ, ସେ ସମସ୍ତ ମୋର ଉଦ୍ଦେଶ୍ୟରେ ସମର୍ପିତ କରିଚାଲ । ହେଲେ ହଁ, ଏଭଳି କରିବା ସମୟରେ ସେଥିରେ ଅହଂକାରର ପ୍ରବେଶ ତିଳେମାତ୍ର ହେବା ଉଚିତ ନୁହେଁ । ଏପ୍ରକାର ଅହଂକାରର ଦୋଷ ସର୍ବଦା ପ୍ରକ୍ଷାଳିତ କରିଦେବା ଆବଶ୍ୟକ ଏବଂ ସମସ୍ତ କର୍ମକୁ ଅହଂକାର ଦୋଷରୁ ନିର୍ମଳ ରଖି ମୋତେ ସମର୍ପିତ କରିବା ଆବଶ୍ୟକ । (୩୯୮—୪୦୧)
ଶ୍ଳୋକ—୨୮
ଯେଉଁଭଳି ଅଗ୍ନିକୁଣ୍ଡରେ ସିଞ୍ଚନ କରାଯାଇଥିବା ବୀଜ କଦାପି ଅଙ୍କୁରିତ ହୋଇପାରି ନଥାଏ, ସେହିଭଳି ମୋତେ ସମର୍ପିତ କର୍ମର କଦାପି କୌଣସି ଫଳ ନଥାଏ । କହିବାର ଅଭିପ୍ରାୟ ହେଉଛି, ଯେଉଁ କର୍ମ ମୋତେ ଅର୍ପିତ କରାଯାଏ, ତଦ୍‌ଜନିତ କର୍ମର ବନ୍ଧନରେ କର୍ତ୍ତା କଦାପି ପଡ଼ିନଥାଏ । ଅର୍ଥାତ୍‌ ସେହି କର୍ମ ତାଙ୍କ ପାଇଁ କଦାପି ବନ୍ଧନକାରକ ହୁଏନାହିଁ । ହେ ପାର୍ଥ ! ଯେତେବେଳେ କର୍ମ ଅବଶେଷ ରହେ, ସେତେବେଳେ ସେଥିରୁ ଫଳ ମଧ୍ୟ ଉତ୍ପନ୍ନ ହୁଏ ଆଉ ସେହି ଫଳର ଭୋଗ କରିବାପାଇଁ ଜୀବକୁ କୌଣସି ନାଁ କୌଣସି ଶରୀର ଧାରଣ କରିବାକୁ ହୁଏ, ହେଲେ ଯଦି ସେ ସମସ୍ତ କର୍ମ ପୂର୍ଣ୍ଣରୂପରେ ମୋତେ ସମର୍ପିତ କରିଦିଆଯାଏ, ତେବେ ସେ ସମୟରେ ଜୀବନ ଆଉ ମୃତ୍ୟୁର ସମସ୍ତ ଚିନ୍ତା ବି ସମାପ୍ତ ହୋଇଯାଏ । ହେ ଅର୍ଜ୍ଜୁନ ! ଏହା କହିବାର କି, ଆଜି କଣ ପାଇଁ ଏତେ ବ୍ୟଗ୍ର ! କାଲି ଦେଖାଯିବ ଆଉ ଏହିଭଳି ଭାବରେ ଆଜିର କାମ କାଲି ଉପରେ ଛାଡ଼ିଦେବା ଉଚିତ ନୁହେଁ, ଏଥିପାଇଁ ଆତ୍ମସ୍ୱରୂପ ପ୍ରାପ୍ତ କରିବାର ସବୁଠାରୁ ସହଜ ଉପାୟ ଫଳ—ସନ୍ନ୍ୟାସଯୁକ୍ତ କର୍ମଯୋଗ ଅଟେ ଏବଂ ସେ ବିଷୟରେ ମୁଁ ତୁମକୁ କହିସାରିଛି । ତୁମେ ଏହି ଦେହ ବନ୍ଧନରେ ପଡ଼ନାହିଁ ତଥା ସୁଖ-ଦୁଃଖର ସମୁଦ୍ରରେ ଡ଼ୁବିଯାଅ ନାହିଁ ଆଉ ସହଜରେ ଏହି ସୁଗମ ମାର୍ଗରେ ଚାଲି ପ୍ରସନ୍ନତାପୂର୍ବକ ମୋର ଆନନ୍ଦମୟ ସ୍ୱରୂପରେ ମିଶିରୁହ । (୪୦୨—୪୦୬)
ଶ୍ଳୋକ—୨୯
ହୋଇପାରେ କି, ତୁମେ ପଚାରିପାର କି ମୁଁ କିପରି ଅଟେ ? ତେବେ ତାହାର ଏକମାତ୍ର ଉତ୍ତର ହେଉଛି କି ମୁଁ ସର୍ବଭୂତରେ ସମଭାବରେ ରହିଥାଏ । ମୋଠାରେ ଆପଣା ଏବଂ ପରର ତିଳେମାତ୍ର ଭେଦଭାବ ନଥାଏ । ଯେଉଁ ଜୀବ ମୋର ସତ୍ୟ-ସ୍ୱରୂପକୁ ଅବଗତ ହୋଇଯାନ୍ତି, ଅହଂକାରର ନାଶ କରିଦିଅନ୍ତି, ସମସ୍ତ କର୍ମ ଏବଂ ଭାବ ଦ୍ୱାରା ମୋର ଭଜନ କରନ୍ତି, ଅର୍ଥାତ୍‌ ନିଜର ସମସ୍ତ ଜୀବନ ଏବଂ କର୍ମ ମୋତେ ସମର୍ପିତ କରିଦିଅନ୍ତି, ସେମାନେ ଶରୀରତଃ ରୁହନ୍ତୁ ପଛକେ, ହେଲେ ଯଥାର୍ଥରେ ସେମାନେ ଶରୀରରେ ନଥାନ୍ତି, ବରଂ ସେମାନେ ପୂର୍ଣ୍ଣରୂପରେ ମୋ ସ୍ୱରୂପରେ ରହିଥାନ୍ତି ଆଉ ମୁଁ ମଧ୍ୟ ସେମାନଙ୍କ ମଧ୍ୟରେ ରହିଥାଏ । ଏତେ ବିଶାଳ-ବଟବୃକ୍ଷ ନିଜର ପୂର୍ଣ୍ଣ ବିସ୍ତାର ସହିତ ଏକ ତୁଚ୍ଛ ବୀଜରେ ବିଲୀନ ହୋଇ ରହିଥାଏ ଆଉ ସେହି ବୀଜ ସେହି ବଟ-ବୃକ୍ଷରେ ରହିଥାଏ । ଏହିଭଳି ଭାବରେ ମୋଠାରେ ଆଉ ଏଭଳି ଭକ୍ତଙ୍କ ମଧ୍ୟରେ କେବଳ ବାହ୍ୟ ଏବଂ ନାମମାତ୍ର ପ୍ରଭେଦ ରହିଥାଏ, ହେଲେ ଯଦି ଅନ୍ତରର ବସ୍ତୁସ୍ଥିତି ସମ୍ପର୍କରେ ବିଚାର କରାଯାଏ ତେବେ ଯାହା କିଛି ମୁଁ ଅଟେ, ତାହା ମୋର ଭକ୍ତ ମଧ୍ୟ ଅଟନ୍ତି ଆଉ ଆମ ଦୁହିଁଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ । ଯେଉଁଭଳି କୌଣସି ବ୍ୟକ୍ତିଙ୍କଠାରୁ ମାଗିଆଣିଥିବା ଆଭୂଷଣ ଯଦି ପିନ୍ଧିଦିଆଯାଏ, ତେବେ ମଧ୍ୟ ତା ସମ୍ବନ୍ଧରେ କାହାରିକୁ ଜଣାଯାଇନଥାଏ କି, ଏହି ଆଭୂଷଣ ମୋର ଅଟେ, ସେହିଭଳି ମୋର ଭକ୍ତ ଯଦିଓ ଶରୀର ଧାରଣ କରନ୍ତି, ତଥାପି ସେମାନେ କଦାପି ତାହାକୁ ଆପଣା ମନେକରନ୍ତି ନାହିଁ । ପୁଷ୍ପର ସୁଗନ୍ଧ ବାୟୁ ସହିତ ମିଳିତ ହୋଇ ଦୂରଦୂରାନ୍ତକୁ ପ୍ରସାରିତ ହୁଏ ଆଉ ପଛରେ ଯେଉଁ ଖାଲି ପୁଷ୍ପ ରହିଯାଏ, ତାହା ସେପର୍ଯ୍ୟନ୍ତ ଡ଼େମ୍ଫସହ ସଂଯୁକ୍ତ ହୋଇରହେ ଯେପର୍ଯ୍ୟନ୍ତ ଶୁଖି ଝଡ଼ି ନ ପଡ଼ିଛି । ଏହିଭଳି ଭାବରେ ସେହି ଭକ୍ତ ମଧ୍ୟ, ଯାହାଙ୍କ ଅନ୍ତଃକରଣରୁ ଆପଣାପଣର ଭାବ ବହିର୍ଗତ ହୋଇଯାଏ, ଅନ୍ତକାଳ ପର୍ଯ୍ୟନ୍ତ କୌଣସି ପ୍ରକାରେ ନିଜର ଆୟୁଷ ଧାରଣ କରି ରହିଥାଏ । ହେ କିରୀଟୀ ! ଯିଏ ନିଜ କର୍ତୃତ୍ୱର ଅହଂକାରକୁ ମୋ ଉପରେ ଆରୋପ କରିଦିଏ, ତାହାର ଅହଂକାର ମୋଠାରେ ସମାହିତ ହୋଇଯାଏ ଆଉ ପୁନଃ ସେହି ଅହଂକାର ମୋ ଭକ୍ତଙ୍କ ପାଇଁ କୌଣସି ପ୍ରକାରେ ବନ୍ଧନକାରକ ହୋଇପାରେ ନାହିଁ । (୪୦୭—୪୧୪)
ଶ୍ଳୋକ—୩୦
ଏପ୍ରକାର ନିର୍ମଳ ପ୍ରେମଭାବରେ ଯେଉଁ ଲୋକ ମୋର ଭଜନ କରନ୍ତି, ସେମାନଙ୍କୁ ପୁନଃ ଶରୀର ପ୍ରାପ୍ତ ହୋଇନଥାଏ, ତାପରେ ସେ ଲୋକମାନେ ଯେଉଁ ଜାତିର ହୁଅନ୍ତୁ ନାଁ କାହିଁକି, ଏଥିରେ ତିଳେମାତ୍ର କ୍ଷତି ନାହିଁ । ହେ ସୁଭଟ (ଅର୍ଜ୍ଜୁନ) ! ଯଦି ଆଚରଣ ଦୃଷ୍ଟିରୁ ଏଭଳି ମନୁଷ୍ୟ ଦୁରାଚାରୀ ବି ହୁଏ, ତେବେ ମଧ୍ୟ ଏହା ଭୁଲିବା ଉଚିତ ନୁହେଁ କି ଦେହାବସାନ ସମୟରେ ସେ ଭକ୍ତିର ପାହାଚରେ ଆରୋହଣ କରିସାରିଛି । ଶରୀରପାତ ହେବା ସମୟରେ ଯେଉଁଭଳି ବୁଦ୍ଧି ହୁଏ, ତଦନୁସାରେ ଆଗକୁ ଗତିର ସ୍ୱରୂପ ମଧ୍ୟ ନିଶ୍ଚିତ ରୂପେ ହୁଏ । ଏଥିପାଇଁ ଯିଏ ଅନ୍ତକାଳରେ ନିଜ ଜୀବନକୁ ଭକ୍ତି ହାତରେ ସମର୍ପଣ କରିଦିଏ, ସେ ପୂର୍ବରୁ ଯେତେ ଦୁରାଚାରୀ ହୋଇ ରହିଥାଉ ପଛକେ, ହେଲେ ବର୍ତ୍ତମାନ ସେ ନିଜର ଭକ୍ତିବଳରେ ସର୍ବଶ୍ରେଷ୍ଠରୂପେ ଗଣ୍ୟ ହେବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ଥରେ କୌଣସି ବନ୍ୟାରେ ଡୁବିଯାଏ ଏବଂ ନମରି ସକୁଶଳେ ବାହାରକୁ ବାହାରିଆସେ, ସେତେବେଳେ ତାହାର ପୂର୍ବର ଡୁବିବା ଯେଉଁଭଳି ବ୍ୟର୍ଥ ହୋଇଯାଏ, ସେହିଭଳି ଯଦି ଦେହାବସାନକାଳରେ ବ୍ୟକ୍ତି ଭକ୍ତି ଗ୍ରହଣ କରିନିଏ, ତେବେ ତାହାର ପୂର୍ବକୃତ ସମସ୍ତ ପାପ ବିନାଶ ହୋଇଯାଏ । ଏଥିପାଇଁ ଯଦି କୌଣସି ବ୍ୟକ୍ତି କୌଣସି ସମୟରେ ଦୁରାଚାରୀ ହୁଏ ଆଉ ପରେ ଯଦି ସେ ପଶ୍ଚାତ୍ତାପରୂପୀ ତୀର୍ଥରେ ଅବଗାହନ କରି ଶୁଦ୍ଧ ମନରେ ମୋର ସ୍ୱରୂପରେ ସମାହିତ ହୋଇଯାଏ, ତେବେ ତାହାର କୁଳକୁ ପବିତ୍ର ମନେକରିବା ଆବଶ୍ୟକ ଏବଂ ଏହା ମାନିନେବା ଆବଶ୍ୟକ କି, ତାହାର କୁଳୀନତା ନିର୍ମଳ ଅଟେ ଏବଂ ବାସ୍ତବରେ ସେ ତାର ଜୀବନକୁ ସାର୍ଥକ କରିନେଇଛି । ପୁନଃ ତାପାଇଁ ଏଭଳି ହୋଇଯାଏ କି, ଯେପରି ସେ ସମସ୍ତ ବିଦ୍ୟାକୁ ପଢ଼ିସାରିଛି, ସମସ୍ତ ପ୍ରକାର ତପକୁ କରିସାରିଛି ଏବଂ ଅଷ୍ଟାଙ୍ଗଯୋଗର ଅଭ୍ୟାସ କରିନେଇଛି । ହେ ପାର୍ଥ ! ବର୍ତ୍ତମାନ ଏ ବିଷୟର ବିସ୍ତାର କରିବାର ଆବଶ୍ୟକତା ନାହିଁ । କହିବାର ଅଭିପ୍ରାୟ ହେଉଛି କି, ଯାହାଙ୍କ ଚିତ୍ତରେ ମୋର ଅଖଣ୍ଡ ଅନୁରାଗ ଉତ୍ପନ୍ନ ହୋଇଯାଏ, ସେ ପୂର୍ଣ୍ଣତୟା ସମସ୍ତ କର୍ମରୁ ପାର ହୋଇଯାଏ । ହେ କିରିଟୀ ! ଯିଏ ନିଜର ମନ ଏବଂ ବୁଦ୍ଧିର ସମସ୍ତ କ୍ରିୟାକୁ ଏକ ନିଷ୍ଠାର ଗଣ୍ଠିଲିରେ ପୂର୍ଣ୍ଣକରି ପୂର୍ଣ୍ଣରୂପରେ ମୋର ଅଧୀନ କରିପକାଏ, ସେ ଏହିଭଳି ଭାବରେ କର୍ମାତୀତ ହୋଇଯାଏ । (୪୧୫—୪୨୪)
ଶ୍ଳୋକ—୩୧
ଯଦି ତୁମ ଅନ୍ତଃକରଣରେ ଏହି ଭାବ ଉଙ୍କିମାରେ କି, ମୋର ଭକ୍ତ କିଛି କାଳ ପରେ ଅର୍ଥାତ୍‌ ମୃତ୍ୟୁପରେ ମୋ ସମ ହେବ, ତେବେ ମୁଁ ତୁମକୁ ପଚାରୁଛି କି, ଯାହାଙ୍କ ନିବାସ ସ୍ୱୟଂ ଅମୃତରେ, ତାଙ୍କର ମୃତ୍ୟୁ କିପରି ସମ୍ଭବ ? ଯେଉଁ ସମୟରେ ସୂର୍ଯ୍ୟଙ୍କର ଉଦୟ ହୋଇନଥାଏ, ସେ ସମୟକୁ ରାତି କୁହନ୍ତି । ଏହିଭଳି ଭାବରେ ଯେଉଁ କର୍ମକୁ ବିନା ଭକ୍ତିରେ ସମ୍ପନ୍ନ କରାଯାଏ, କଣ ତାହାକୁ ମହାପାପ କହିବା ଠିକ୍‌ ନୁହେଁ ? ଅତଃ ହେ ପାଣ୍ଡୁସୂତ ! ଯେଉଁ ସମୟରେ ତାଙ୍କର ଚିତ୍ତବୃତ୍ତିକୁ ମୋର ସାନ୍ନିଧ୍ୟ ମିଳିଯାଏ, ସେ ସମୟରେ ସେ ତତ୍ତ୍ୱତଃ ମୋ ସ୍ୱରୂପକୁ ପ୍ରାପ୍ତ କରିନିଅନ୍ତି । ଯଦି କୌଣସି ପ୍ରଜ୍ଜ୍ୱଳିତ ପ୍ରଦୀପରୁ କୌଣସି ଅନ୍ୟ ପ୍ରଦୀପକୁ ପ୍ରଜ୍ଜ୍ୱଳିତ କରାଯାଏ ତେବେ ଏହା କୁହାଯାଇପାରିବ ନାହିଁ କି, ଏହା ମଧ୍ୟରୁ ପ୍ରଥମେ କେଉଁ ପ୍ରଦୀପଟି ଜଳିଥିଲା ଆଉ ଦ୍ୱିତୀୟରେ କେଉଁ ପ୍ରଦୀପଟି ଜଳିଲା । ଏହିଭଳି ଭାବରେ ଯିଏ ପୂର୍ଣ୍ଣରୂପେ ମୋତେ ଭକ୍ତି କରନ୍ତି, ସେ ତତ୍‌କାଳ ମଦ୍‌ରୂପ ହୋଇଯାନ୍ତି । ତାପରେ ମୋର ଯେଉଁ କଦାପି ନଷ୍ଟ ନହେଉଥିବା ନିତ୍ୟ ଶାନ୍ତି ରହିଛି, ତାହା ତାଙ୍କୁ ପ୍ରାପ୍ତ ହୋଇଯାଏ, ଯଦ୍ଦ୍ୱାରା ତାଙ୍କର ତେଜସ୍ୱୀତା ବୃଦ୍ଧି ପାଏ, ବରଂ ଏପରି କହିବା ଆବଶ୍ୟକ କି, ସେ ମୋ ଜୀବନ ଦ୍ୱାରା ହିଁ ଜୀବନଧାରଣ କରିଥାନ୍ତି । ହେ ପାର୍ଥ ! ଏ ବିଷୟରେ କେଉଁପର୍ଯ୍ୟନ୍ତ ବାରମ୍ବାର ଗୋଟିଏ କଥା କୁହାଯିବ । ମୁଖ୍ୟ ତତ୍ତ୍ୱ ଏହା ଅଟେ କି ଯଦି କୌଣସି ବ୍ୟକ୍ତିଙ୍କୁ ମୋତେ ପ୍ରାପ୍ତି କରିବାର ଅଭିଳାଷା ହୁଏ ତେବେ ତାଙ୍କୁ ପୂର୍ଣ୍ଣରୂପରେ ମୋର ଭକ୍ତି କରିବା ଭୁଲିଯିବା ଉଚିତ ନୁହେଁ । କୁଳର ଶୁଦ୍ଧତା ପଛରେ ଦୌଡ଼ ନାହିଁ, କୁଳୀନତା ବିଷୟରେ ବଖାଣ ନାହିଁ ତଥା ଜ୍ଞାନର ମିଥ୍ୟା ଅଭିମାନ ତ୍ୟାଗ କରିଦିଅ । ରୂପଲାବଣ୍ୟ ତଥା ତାରୁଣ୍ୟତାରେ ମୁଗ୍ଧ ହୁଅନାହିଁ କି ସମ୍ପତ୍ତିର ଗର୍ବ କରନାହିଁ, କାରଣ ଯଦି ମୋର ଭକ୍ତି ନହୁଏ ତେବେ ଏ ସମସ୍ତ କଥା ବ୍ୟର୍ଥ ପ୍ରମାଣିତ ହୋଇଯାଏ । ଯଦି ଗଛରେ ଶସ୍ୟ ବହୁତ ଥାଏ ହେଲେ, ସେଥିରେ ଆଦୌ ବୀଜ ନଥାଏ ତେବେ କଣ ହେବ ଅଥବା ନଗର ତ ବହୁତ ସୁନ୍ଦର ଆଉ ବଡ଼ ହୋଇଥାଏ ତେବେ କଣ ଲାଭ ଯଦି ତାହା ଜନଶୂନ୍ୟ ହୋଇଥାଏ, ଅତଃ ତାହା କେଉଁ କାମରେ ଆସିବ ? ଅଥବା ଯାହାବି ହେଉ ସରୋବର ଯଦି ଶୁଷ୍କ ହୋଇ ପଡ଼ିଥିବ ଅବା ଜଙ୍ଗଲରେ କୌଣସି ଦୁଃଖୀ ବ୍ୟକ୍ତିର ଅନ୍ୟ କୌଣସି ଦୁଃଖୀ ବ୍ୟକ୍ତି ସହିତ ସାକ୍ଷାତ ହୁଏ ଅଥବା ବୃକ୍ଷ ତ ଥାଏ, ହେଲେ ବନ୍ଧ୍ୟା ଫୁଲରେ ପୂର୍ଣ୍ଣ ହୋଇଥାଏ, ବାସ୍‌ ଏହିଭଳି ଭାବରେ ସମଗ୍ର ଐଶ୍ୱର୍ଯ୍ୟ ଅଥବା କୁଳ ଏବଂ ଜାତିର ମହତ୍ତ୍ୱ ମଧ୍ୟ ଜାଣିବା ଆବଶ୍ୟକ । ଯଦି ଦେହର ସମସ୍ତ ଅବୟବ ବିଦ୍ୟମାନ ଥାଏ, କିନ୍ତୁ ସେ ଚେତନାଶୂନ୍ୟ ପଡ଼ିରହିଥାଏ, ତେବେ ସେହିଭଳି ଅବସ୍ଥାରେ ସେହି ଦେହ ପୂର୍ଣ୍ଣରୂପେ ନିରୂପଯୋଗୀ ହେବ । ଠିକ୍‌ ସେହିଭଳି ମୋ ଭକ୍ତିରୁ ବିରହିତ ପ୍ରାଣୀ ଧିକ୍କାରର ପାତ୍ର ହୁଏ, କାହିଁକି ନାଁ ଏପ୍ରକାର ଜୀବନ ଧାରଣ କରୁଥିବା ବ୍ୟକ୍ତିମାନେ ଏବଂ ପୃଥିବୀରେ ପଡ଼ି ରହିଥିବା ପଥର ମଧ୍ୟରେ ପାର୍ଥକ୍ୟ ବା କଣ ? ଯେଉଁଭଳି କଣ୍ଟକଯୁକ୍ତ ବୃକ୍ଷର ଛାୟା ତଳେ ବୁଦ୍ଧିମାନ୍‌ ଲୋକମାନେ ଜାଣିଶୁଣି ବସିନଥାନ୍ତି, ସେହିଭଳି ପୁଣ୍ୟ ମଧ୍ୟ ଅଭକ୍ତଙ୍କଠାରୁ ଦୂରେଇଯାଏ ଆଉ ତାଙ୍କ ନିକଟକୁ ଯାଏନାହିଁ । ନିମ ବୃକ୍ଷ ଫଳରେ ପରିପୂର୍ଣ୍ଣ ହୋଇ ନଇଁ ଯାଉ ପଛକେ, ତଥାପି ତା ଉପରେ କେବଳ କାଉ ହିଁ ମଉଜ କରିଥାଏ । ସେହିଭଳି ଭାବରେ ଭକ୍ତି ବିରହିତ ବ୍ୟକ୍ତି ଯେତେ ସାମର୍ଥ୍ୟବାନ୍‌ ହେଉ ନାଁ କାହିଁକି, ତଥାପି ସେ ଏକମାତ୍ର ଦୋଷର ହିଁ ବିସ୍ତାର କରିଥାଏ । ଯଦି କୌଣସି ଆଟିକାରେ ଷଡ଼ରସ ବ୍ୟଞ୍ଜନ ପରଶି ଚାରିଛକରେ ରଖିଦିଆଯାଏ, ତେବେ ତା ଦ୍ୱାରା କୁକୁରଙ୍କର କଳହ ବଢ଼ିଯାଇଥାଏ । ଏହିଭଳି ଭାବରେ ଯେଉଁ ବ୍ୟକ୍ତିଙ୍କର ଜୀବନ ଭକ୍ତିହୀନ ହୁଏ । ତାଙ୍କର ସ୍ୱପ୍ନରେ ସୁଦ୍ଧା କୌଣସି ସୁକୃତ ହୋଇନଥାଏ । ସେହି ଜୀବନ ଏଭଳି ଥାଳି ସଦୃଶ ହୁଏ ଯେଉଁଥିରେ ସଂସାରର ଦୁଃଖରୂପୀ ଭୋଜନକୁ ପରଶା ଯାଇଥାଏ । ଅତଃ ଉତ୍ତମ କୁଳ ନହେଉ ପଛକେ, ଶୂଦ୍ର ଜାତି ହେଉ ପଛକେ, ଏତିକି ନୁହେଁ, ଯଦି ପଶୁର ଶରୀର ମଧ୍ୟ ହୋଇଥାଉ ତେବେ ବି କିଛି କ୍ଷତି ନାହିଁ । ହେ ପାର୍ଥ ! ଦେଖ, ଯେଉଁ ସମୟରେ ଗ୍ରାହ ଗଜେନ୍ଦ୍ରଙ୍କୁ ଧରିନେଇଥିଲା, ସେ ସମୟରେ ସେ ମୋତେ ଡ଼ାକିଥିଲା । ବାସ୍‌, ଭକ୍ତିପୂର୍ବକ ମୋର ସ୍ମରଣ କରିବାମାତ୍ରକେ ସେ ମୋ ସ୍ୱରୂପକୁ ପ୍ରାପ୍ତ ହୋଇଗଲା ଏବଂ ତାହାର ପଶୁତ୍ୱ ମଧ୍ୟ ତତ୍‌କାଳ ସବୁବେଳ ପାଇଁ ଦୂର ହୋଇଗଲା । (୪୨୫—୪୪୨)
ଶ୍ଳୋକ—୩୨
ହେ କିରିଟୀ ! ଯାହାର ନାମ ନେବା ମଧ୍ୟ ନିନ୍ଦାଯୋଗ୍ୟ ଅଟେ, ସେହି ଅଧମ ନାମଯୁକ୍ତ ଜାତିମାନଙ୍କ ମଧ୍ୟରେ ବି ଯେଉଁ ଅଧମାଧମ ଜାତି ରହିଛନ୍ତି, ସେହି ନୀଚତମ ଜାତିର ପାପଯୋନିରେ ଯିଏ ଜନ୍ମ ନେଇଛି, ସେହି ପାପଯୋନିରେ ଉତ୍ପନ୍ନ ହେବା ବ୍ୟତିରେକ ଯେଉଁ ଜ୍ଞାନର ନାମରେ କେବଳ ପଥର ରହିଛି, ମାତ୍ର ଯାହାଙ୍କଠାରେ ମୋ ପ୍ରତି ପୂର୍ଣ୍ଣମାତ୍ରାରେ ଭକ୍ତି ଭରି ରହିଥାଏ, ଯାହାର ବାଣୀ ଅନବରତ ମୋର ଗୁଣାନୁବାଦ କରିଥାଏ, ଯାହାର ଦୃଷ୍ଟି ନିରନ୍ତର ମୋର ରୂପ ଦର୍ଶନ କରିଥାଏ, ଯାହାର ମନ ସର୍ବଦା ମୋ ବିଷୟରେ ବିଚାର କରିଥାଏ, ଯାହାର ଶ୍ରବଣେନ୍ଦ୍ରିୟ ମୋ କୀର୍ତ୍ତି ଶ୍ରବଣରୁ କଦାପି ରହିତ ହୁଏନାହିଁ, ଯାହାକୁ ମୋ ବ୍ୟତିରେକ ନିଜ ଶରୀରଟି ଅଳଂକାରଭଳି ବୋଧହୁଏ, ଯାହାକୁ ବିଷୟ ସମ୍ବନ୍ଧରେ କୌଣସି ବୋଧ ସୁଦ୍ଧା ରହେନାହିଁ, ଯିଏ କେବଳ ମୋତେ ଜାଣିଥାଏ ଆଉ ଏ ସମସ୍ତ କଥା ନ ହେଲେ ଯାହାକୁ ନିଜ ଜୀବନ ମରଣତୁଲ୍ୟ ଜଣାପଡ଼ିଥାଏ, ହେ ପାଣ୍ଡବ ! ଏପ୍ରକାରେ ଯିଏ ନିଜର ସମସ୍ତ ବୃତ୍ତିଦ୍ୱାରା ଜୀବନ ନିମନ୍ତେ ଏକମାତ୍ର ମୋତେ ହିଁ ନିଜର ଆଶ୍ରୟରୂପେ ଗ୍ରହଣ କରିଥାଏ, ଏସବୁପରେ ସେ ପାପଯୋନିରେ ଜନ୍ମ ନେଇଥାଉ ପଛକେ ଅବା ସେ ବିଦ୍ୟାହୀନ ହୋଇଥାଉ ପଛକେ, ତଥାପି ଯଦି ମୋ ସହିତ ତାହାର ତୁଳନା କରାଯାଏ, ତେବେ ସେ ମୋଠାରୁ ତିଳେମାତ୍ର କମ୍‌ ହେବନାହିଁ । ଦେଖ, ଏହି ଭକ୍ତିରେ ସମ୍ପନ୍ନ ହୋଇଥିବା କାରଣରୁ ହିଁ ଦୈତ୍ୟମାନେ ଦେବତାମାନଙ୍କୁ ନ୍ୟୂନ ମନେ କରୁଛନ୍ତି । ମୋ ଭକ୍ତ ପ୍ରହ୍ଲାଦ ଦୈତ୍ୟ-କୁଳରେ ଜନ୍ମ ନେଇଥିଲେ, ହେଲେ ତାଙ୍କର ପବିତ୍ର ଭକ୍ତି ମୋତେ ନୃସିଂହରୂପ ଧାରଣ କରିବାପାଇଁ ବିବଶ କରିଦେଇଥିଲା । ସେହି ପ୍ରହ୍ଲାଦଙ୍କୁ ମୋ ପାଇଁ ଅନେକ ଲୋକ ନାନାପ୍ରକାର କଷ୍ଟ ଦେଉଥିଲେ । ଏହାର ଫଳସ୍ୱରୂପ ଯାହା କିଛି ମୁଁ ପ୍ରଦାନ କରିପାରିଥାନ୍ତି, ସେ ସବୁ ତାଙ୍କୁ ପୂର୍ବରୁ ମିଳିସାରିଥିଲା । ନଚେତ୍‌ ତାଙ୍କର କୁଳ ସମ୍ପୂର୍ଣ୍ଣରୂପେ ଦୈତ୍ୟକୁଳ ଥିଲା, ହେଲେ ଦେବେନ୍ଦ୍ର ମଧ୍ୟ ତାଙ୍କର ସମତୁଲ୍ୟ ହୋଇପାରିଲେ ନାହିଁ । କହିବାର ଅଭିପ୍ରାୟ ହେଉଛି କି, ଏଠାରେ କେବଳ ଭକ୍ତି କାମରେ ଆସିଥାଏ, ଜାତିର କିଛି ବି ମହତ୍ତ୍ୱ ନାହିଁ । ଯଦି ରାଜା ଆଜ୍ଞାର ଅକ୍ଷରକୁ ଚମଡ଼ାଖଣ୍ଡ ଉପରେ ବି ଲେଖିଦିଆଯାଏ, ତେବେ ସେହି ଚମଡ଼ାଖଣ୍ଡ ବଦଳରେ ମଧ୍ୟ ସମସ୍ତ ବସ୍ତୁ ପ୍ରାପ୍ତ ହୋଇପାରିବ । କିନ୍ତୁ ଯଦି ରାଜା ଆଜ୍ଞା ବିହୀନ ଅକ୍ଷର ଲିପିବଦ୍ଧ ହୁଏ, ତେବେ ସୁବର୍ଣ୍ଣ ଖଣ୍ଡ ମଧ୍ୟ କେହି ହାତକୁ ନେଇପାରିବେ ନାହିଁ । ଅତଃ ଏହା ସିଦ୍ଧ ହେଲା କି, ସମସ୍ତ ମହତ୍ତ୍ୱ ରାଜା ଆଜ୍ଞାର ହିଁ ହୁଏ ଏବଂ ଯଦି କେହି ଏଭଳି ଚମଡ଼ାର ଖଣ୍ଡ ପ୍ରାପ୍ତ ହୋଇଯାନ୍ତି ଯାହା ଉପରେ ରାଜା ଆଜ୍ଞାର ଅକ୍ଷର ଅଙ୍କିତ ହୋଇଥିବ, ତେବେ ତା ସହଯୋଗରେ ଯେଉଁ ଦ୍ରବ୍ୟ ଚାହିଁବ କିଣିପାରିବ । ଏହିଭଳି ଭାବେ ଯେତେବେଳେ ମୋ ପ୍ରେମରେ ମନ ଏବଂ ବୁଦ୍ଧି ପରିପୂର୍ଣ୍ଣ ହୋଇଉଠେ, ସେତେବେଳେ ଉତ୍ତମତା ଏବଂ ସର୍ବଜ୍ଞତା ମଧ୍ୟ ଉପଯୋଗୀ ହୋଇପାରେ । ଏଥିପାଇଁ କୁଳ ଏବଂ ଜାତି ଇତ୍ୟାଦି ସବୁ ବେକାର କଥା ଅଟେ ।
ହେ ଅର୍ଜ୍ଜୁନ ! ବାସ୍ତବିକ ଧନ୍ୟତା ତ ମୋର ପ୍ରକୃତ ଭକ୍ତିରେ ନିହିତ ଅଛି । ତାପରେ ସେହି ଭକ୍ତି ଯେଉଁଭଳି ହେଉ ନାଁ କାହିଁକି, ଥରେ ଯେତେବେଳେ ସେହି ଭକ୍ତିରେ ସମ୍ପନ୍ନ ମନ ମୋଠାରେ ସମାହିତ ହୋଇଯାଏ, ସେତେବେଳେ ତା ପୂର୍ବର ସମସ୍ତ କର୍ମ ପୂର୍ଣ୍ଣରୂପେ ଦୂରୀଭୂତ ହୋଇଯାଏ । ଛୋଟ ଛୋଟ ନଦୀ ଇତ୍ୟାଦି ସେତେବେଳ ପର୍ଯ୍ୟନ୍ତ ନଦୀ ବୋଲାନ୍ତି, ଯେତେବେଳ ପର୍ଯ୍ୟନ୍ତ ସେଗୁଡ଼ିକ ଗଙ୍ଗାରେ ପ୍ରବିଷ୍ଟ ହୋଇନାହାଁନ୍ତି, ହେଲେ ଥରେ ଗଙ୍ଗାରେ ପ୍ରବିଷ୍ଟ ହୋଇଗଲେ ଯେଉଁଭଳି ସେଗୁଡ଼ିକ ଗଙ୍ଗା ରୂପ ଧାରଣ କରିନିଅନ୍ତି, ଅଥବା ଯେଉଁଭଳି କାଷ୍ଠର ଚନ୍ଦନ, ଖଇର ଇତ୍ୟାଦିର ବର୍ଗ ସେତେବେଳଯାଏଁ ରହେ, ଯେତେବେଳଯାଏଁ ସେସବୁ ଅଗ୍ନିରେ ପଡ଼ି ତା ସହିତ ଏକାକାର ନ ହୋଇଛନ୍ତି, ସେହିଭଳି ଯେପର୍ଯ୍ୟନ୍ତ କେହି ମୋ ସ୍ୱରୂପ ସହିତ ମିଳିତ ହୋଇ ସମରସ ନହୁଏ, ସେପର୍ଯ୍ୟନ୍ତ ସେ କ୍ଷତ୍ରିୟ, ବୈଶ୍ୟ, ସ୍ତ୍ରୀ, ଶୂଦ୍ର, ଅନ୍ତ୍ୟଜ ଇତ୍ୟାଦି ରୂପରେ ପ୍ରତୀତ ହୁଏ । ହେଲେ ଯେଉଁଭଳି ସମୁଦ୍ରରେ ପକାଇ ଦିଆଯାଇଥିବା ଲବଣ କଣିକା ସେଥିରେ ବିଲୀନ ହୋଇଯାଏ, ସେହିଭଳି ମୋ ସହିତ ମିଳିତ ହେବାମାତ୍ରକେ ଜାତିଭେଦଯୁକ୍ତ ପ୍ରତୀତୀର ଚିହ୍ନବର୍ଣ୍ଣ ସୁଦ୍ଧା ଦୂରୀଭୂତ ହୋଇଯାଏ । ଭିନ୍ନ ଭିନ୍ନ ନଦନଦୀମାନଙ୍କର ନାମ ସେପର୍ଯ୍ୟନ୍ତ ରହିଥାଏ, ଯେପର୍ଯ୍ୟନ୍ତ ସେଗୁଡ଼ିକ ଯାଇ ସମୁଦ୍ରରେ ମିଳିତ ନ ହୋଇଛନ୍ତି, ଆଉ ସେପର୍ଯ୍ୟନ୍ତ ସେମାନଙ୍କ ବିଷୟରେ ଏଭଳି ପ୍ରଭେଦ ମଧ୍ୟ ଦର୍ଶାଯାଇପାରେ କି, ଅମୁକ ନଦୀର ପ୍ରବାହ ପୂର୍ବ ଦିଗକୁ ଆଉ ଅମୁକର ପଶ୍ଚିମ ଦିଗକୁ ରହିଛି । ଏଥିପାଇଁ ଯେକୌଣସି ଉପାୟରେ ଚିତ୍ତର ପ୍ରବେଶ ଥରେମାତ୍ର ମୋ ସ୍ୱରୂପରେ ହୋଇଗଲେ, ସେହି ବ୍ୟକ୍ତି ସ୍ୱତଃ ମଦ୍‌ରୂପ ହୋଇଯାଏ । ପରଶମଣିକୁ ଭାଙ୍ଗିବାର ଉଦ୍ଦେଶ୍ୟ ହେଉ ପଛକେ, ଥରେ ଲୁହାର ପରଶମଣି ସହିତ ସ୍ପର୍ଶ ହୋଇଗଲେ, ଏହି କାମଟି ସହଜ ହୋଇଯାଏ । କାହିଁକି ନାଁ ପରଶମଣିର ସ୍ପର୍ଶ ହେବାମାତ୍ରେ ସେହି ଲୁହା ମଧ୍ୟ ସୁନାରେ ପରିଣତ ହୋଇଯାଏ । ହେ ଅର୍ଜ୍ଜୁନ ! ଯେଉଁ ସମୟରେ ପ୍ରେମ ନିମନ୍ତେ ବ୍ରଜାଙ୍ଗନାମାନଙ୍କର ଅନ୍ତଃକରଣ ମୋ ରଙ୍ଗରେ ରଙ୍ଗୀନ୍‌ ହୋଇଯାଇଥିଲା, ସେ ସମୟରେ ସେମାନେ ତତ୍‌କାଳ ମଦ୍‌ରୂପ ହୋଇଗଲେ ନାଁ ନାହିଁ ? ଏହିଭଳି ଭାବରେ ଭୟଗ୍ରସ୍ତ ହୋଇଯିବା କାରଣରୁ କଂସ, ଶତ୍ରୁତା କରି ଶିଶୁପାଳ ଇତ୍ୟାଦି ଶତ୍ରୁ, ସଗୋତ୍ର ଏବଂ ସମ୍ବନ୍ଧୀ ହୋଇଥିବା କାରଣରୁ ଯାଦବ ଏବଂ ମମତା ରଖିଥିବା କାରଣରୁ ବସୁଦେବ ଇତ୍ୟାଦି କଣ ମୋ ସହିତ ମିଳିତ ହୋଇ ଏକରୂପତାକୁ ପ୍ରାପ୍ତ ହୋଇପାରି ନାହାଁନ୍ତି ? ଯେଉଁଭଳି ନାରଦ, ଧ୍ରୁବ, ଅକ୍ରୂର, ଶୁକ ଏବଂ ସନତ୍‌କୁମାର ଇତ୍ୟାଦିଙ୍କ ପାଇଁ ମୁଁ ଭକ୍ତିର ଗୁଣ କାରଣରୁ ସେମାନଙ୍କ ସଙ୍ଗରେ ବିରାଜମାନ କଲି, ସେହିଭଳି ହେ ପାର୍ଥ ! ମୁଁ ବିଷୟ ବୁଦ୍ଧିରେ ଗୋପୀମାନଙ୍କୁ, ଭୟ ଦ୍ୱାରା କଂସକୁ ଏବଂ ଶିଶୁପାଳ ଇତ୍ୟାଦି ଅନ୍ୟ ଅନେକ ଲୋକମାନଙ୍କୁ ସେମାନଙ୍କ ଦୁଷ୍ପ୍ରବୃତ୍ତି କାରଣରୁ ପ୍ରାପ୍ତ ହୋଇଗଲି । ମୁଁ ସମସ୍ତଙ୍କର ଅନ୍ତିମ ଧ୍ୟେୟ ଅଟେ, ପୁନଃ ଲୋକମାନେ ପଛକେ ମୋ ସନ୍ନିକଟରେ ଭକ୍ତିଭାବରେ ଅବା ବିଷୟ ବୁଦ୍ଧିରେ, ଅବା ଶତ୍ରୁତାରେ ତଥା ଯେକୌଣସି ମନୋବୃତ୍ତିରେ ଆସନ୍ତୁ ନାଁ ପଛକେ । ଏଥିପାଇଁ ହେ ପାର୍ଥ ! ମୋ ସ୍ୱରୂପରେ ଲୀନ ହେବାପାଇଁ ଏ ସଂସାରରେ ସାଧନମାନଙ୍କର ଅଭାବ ନାହିଁ । ବ୍ୟକ୍ତିଙ୍କର ଜନ୍ମ ଯେଉଁ ଜାତିରେ ହେଉ ନାଁ କାହିଁକି ଆଉ ସେ ମୋତେ ଭକ୍ତି କରୁ ଅବା ବିରୋଧ କରୁ, ଯାହା ବି ହେଉ, ତାଙ୍କୁ ମୋର ଭକ୍ତ ହେବା ଆବଶ୍ୟକ ଅବା ଶତ୍ରୁ ହେବା ଆବଶ୍ୟକ । ବାସ୍‌, ଏହା ମୁଖ୍ୟ କଥା ଅଟେ । ଯେକୌଣସି ବାହାନାରେ ବ୍ୟକ୍ତିଙ୍କୁ ମୋସଙ୍ଗ ଲାଭ ହୋଇଯାଉ, ସେ ଭଲ ଭାବରେ ଜାଣିଯିବା ଆବଶ୍ୟକ କି ମୋର ସ୍ୱରୂପକୁ ସେ ପ୍ରାପ୍ତ କରିପାରିଛି । ଏଥିପାଇଁ, ହେ ଅର୍ଜ୍ଜୁନ ! ପାପଯୋନି ହେଉ ଅଥବା ବୈଶ୍ୟ-ଶୂଦ୍ର ଅଥବା ସ୍ତ୍ରୀ, ସମସ୍ତେ ମୋ ଉପାସନା ଦ୍ୱାରା ମୋ ପରମଧାମରେ ପହଁଞ୍ଚିଥାନ୍ତି । (୪୪୩—୪୭୪)
ଶ୍ଳୋକ—୩୩
ପ୍ରକୃତରେ ଯେତେବେଳେ ସ୍ଥିତି ଏହିଭଳି ହୁଏ, ତେବେ ଯେଉଁ ବ୍ରାହ୍ମଣ ସମସ୍ତ ବର୍ଣ୍ଣ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି, ସ୍ୱର୍ଗ ଯାହାଙ୍କର କ୍ରୀଡ଼ାଭୂମି ଅଟେ ଏବଂ ଯିଏ ମନ୍ତ୍ରବିଦ୍ୟାର ଜନ୍ମସ୍ଥାନ ଅଟନ୍ତି, ଯିଏ ଭୂଭାଗର ଦେବତା ଅଟନ୍ତି, ଯିଏ ତପର ମୂର୍ତ୍ତିମନ୍ତ ଅବତାର ଅଟନ୍ତି, ଯାହାଙ୍କ ଯୋଗଦ୍ୱାରା ତୀର୍ଥସମୂହର ମଧ୍ୟ ଭାଗ୍ୟ ଉଦୟ ହୁଏ, ଯିଏ ଯଜ୍ଞର ଆଶ୍ରୟ ଅଟନ୍ତି, ଯିଏ ବେଦର କବଚ ଅଟନ୍ତି, ଯାହାଙ୍କ କୃପାଦୃଷ୍ଟିର କୋଳରେ ବସି ମଙ୍ଗଳ ମଧ୍ୟ ବୁଦ୍ଧିକୁ ପ୍ରାପ୍ତ ହୁଏ, ଯାହାଙ୍କ ଆସ୍ଥାର ଆର୍ଦ୍ରତା ଦ୍ୱାରା ସତ୍‌କର୍ମର ବିସ୍ତାର ହୁଏ, ଯାହାଙ୍କ ସଂକଳ୍ପ ଦ୍ୱାରା ସତ୍ୟର ଜୀବନ ଗଢ଼ିଉଠିଥାଏ, ଯାହାଙ୍କ ଆଶୀର୍ବାଦରେ ଅଗ୍ନି ଆୟୁଷ ପ୍ରାପ୍ତ କରିଛନ୍ତି ଏବଂ ଏଥିପାଇଁ ଅଗ୍ନିଙ୍କର ଜନ୍ମଜାତ ଶତ୍ରୁ ସମୁଦ୍ର ମଧ୍ୟ ବଡ଼ବାଗ୍ନିକୁ ନିଜର ଜଳ ସମର୍ପିତ କରି ତାହାର ପୋଷଣ କରିଛନ୍ତି, ଯାହାଙ୍କ ଚରଣଧୂଳି ପାଇବାପାଇଁ ମୁଁ ସ୍ୱୟଂ ଲକ୍ଷ୍ମୀଙ୍କୁ ମଧ୍ୟ ଗୋଟିଏ ପାର୍ଶ୍ୱକୁ ଆଣି ଏବଂ ମଝିରେ ବାଧା ଉତ୍ପନ୍ନକାରୀ କୌସ୍ତୁଭମଣିକୁ ମଧ୍ୟ ବାହାରକରି ନିଜ ହାତରେ ଧରିନେଲି ଆଉ ମୋ ବକ୍ଷଃସ୍ଥଳକୁ ତାଙ୍କ ଚରଣ ସମ୍ମୁଖରେ ରଖିଦେଲି, ହେ ଅର୍ଜ୍ଜୁନ ! ନିଜର ସୌଭାଗ୍ୟଶାଳୀ ହେବାର ଲକ୍ଷଣକୁ ବଜାୟ ରଖିବାପାଇଁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ବକ୍ଷଃସ୍ଥଳ ଉପରେ ଯାହାଙ୍କର ଚରଣଚିହ୍ନ ଧାରଣ କରିଥାଏ, ହେ ସୁଭଟ ! ଯାହାଙ୍କର କ୍ରୋଧରୂପୀ ଅଗ୍ନିରେ ପ୍ରତ୍ୟକ୍ଷ ରୁଦ୍ରଙ୍କର ନିବାସ ରହିଛି ଏବଂ ଯାହାଙ୍କର କୃପାରୁ ଅଷ୍ଟ ମହାସିଦ୍ଧି ଅନାୟାସରେ ଏବଂ ବିନା ମୂଲ୍ୟରେ ପ୍ରାପ୍ତ ହୁଏ, ସେହି ପରମ ପୂଜ୍ୟ ପୁଣ୍ୟବାନ୍‌ ବ୍ରାହ୍ମଣଙ୍କ ସମ୍ବନ୍ଧରେ ତ ଏହା କହିବାର ଆବଶ୍ୟକତା ନାହିଁ କି ମୋ ସ୍ୱରୂପରେ ଲୀନ ରହୁଥିବା ସେହି ବ୍ରାହ୍ମଣମାନଙ୍କୁ ମୋର ପ୍ରାପ୍ତି ହୁଏ । ଦେଖ, ଚନ୍ଦନ-ବୃକ୍ଷ ସ୍ପର୍ଶପାଇ ବାୟୁ ପ୍ରବାହିତ ହୁଏ, ତାହାର ସଂସର୍ଗରେ ଆଖପାଖର ନିମ୍ବ ବୃକ୍ଷ ମଧ୍ୟ ମହକିବାକୁ ଲାଗେ ଆଉ ସେହି ଜଡ଼ ବୃକ୍ଷ ମଧ୍ୟ ଦେବତାମାନଙ୍କ ମସ୍ତକ ଉପରେ ସ୍ଥାନ ପ୍ରାପ୍ତ କରିଥାଏ । ପୁଣି ଯାହା ସାକ୍ଷାତ୍‌ ଚନ୍ଦନ ଅଟେ, ତାହା ଭଲା ଦେବତାଙ୍କର ମସ୍ତକ ଉପରେ କିପରି ସ୍ଥାନ ନପାଇବ ? ଅଥବା ସେ ସମ୍ବନ୍ଧରେ ଏହା କହିବାର ଆବଶ୍ୟକତା କଣ କି, ତାହାକୁ ଦେବତାଙ୍କ ଚରଣରେ ସ୍ଥାନ ପ୍ରାପ୍ତ ହେବ ।” ଯଦି ଭଗବାନ୍‌ ଶିବ ଏହା ବିଚାରକରି ଅର୍ଦ୍ଧ ଚନ୍ଦ୍ରମାଙ୍କୁ ନିଜ ମସ୍ତକ ଉପରେ ଧାରଣ କରିଥାନ୍ତି କି, ବିଷପାନ କରିବାରୁ ଉତ୍ପନ୍ନ ଜ୍ଜ୍ୱାଳା ଚନ୍ଦ୍ରମାଙ୍କ ସ୍ପର୍ଶରେ ଶାନ୍ତ ହୋଇଯିବ, ତେବେ ପୁଣି ସେହି ଚନ୍ଦନ ଶରୀରର ସମସ୍ତ ଅବୟବରେ କାହିଁକି ଲେପନ ନ କରାଯିବ, ଯାହାର ଜ୍ଜ୍ୱାଳା ଶମନ କରିବା ଗୁଣର ସାକ୍ଷାତ୍‌ ଅନୁଭବ ହୁଏ ଏବଂ ଯାହା ପୂର୍ଣ୍ଣତା ତଥା ସୁଗନ୍ଧରେ ମଧ୍ୟ ଚନ୍ଦ୍ରମାଙ୍କଠାରୁ ବଡ଼ ଅଟେ ? ଅଥବା ଯେଉଁ ଗଙ୍ଗାର ସାହାରା ନେଇ ମାର୍ଗରେ ପ୍ରବାହିତ ଜଳ ମଧ୍ୟ ଯାଇ ସମୁଦ୍ରରେ ମିଳିତ ହୁଏ, ତେବେ ସେହି ଗଙ୍ଗା କାହିଁକି ବା ସମୁଦ୍ରରେ ଯାଇ ମିଳିତ ହେବ ନାହିଁ । ଏଭଳି ସ୍ଥିତିରେ ରାଜର୍ଷି ଅଥବା ବ୍ରାହ୍ମଣ ନିର୍ମଳ ଅନ୍ତଃକରଣରେ ମୋତେ ନିଜର ଶରଣ୍ୟ ଅର୍ଥାତ୍‌ ନିଜର ରକ୍ଷଣର ସାଧନ ମନେକରନ୍ତି, ନିଃସନ୍ଦେହରେ ମୁଁ ହିଁ ସେମାନଙ୍କର ଅନ୍ତିମ ଶାଶ୍ୱତ ସୁଖର ସାଧନସ୍ଥାନ ହୁଏ । ଏଭଳି ସ୍ଥିତିରେ ସେହି ନୌକାରେ ବ୍ୟକ୍ତି ଚିନ୍ତାମୁକ୍ତ ହୋଇ କାହିଁକି ପଡ଼ିରହିବ, ଯେଉଁଥିରେ ହଜାର ହଜାର ଛିଦ୍ର ହୋଇସାରିଥିବ । ଯେଉଁ ସ୍ଥାନରେ ଶାସ୍ତ୍ରର ବର୍ଷା ହେଉଥାଏ, ସେ ସ୍ଥାନରେ ବ୍ୟକ୍ତି ନିଜର ଉନ୍ମୁକ୍ତ ଶରୀରରେ କାହିଁକି ରହିବ ? ଯେଉଁଠାରେ ଶରୀର ଉପରେ ପଥର ବର୍ଷା ହେଉଥାଏ ସେଠାରେ ଏହା କିପରି ସମ୍ଭବ ହେବ କି ବ୍ୟକ୍ତି ନିଜର ରକ୍ଷାର କୌଣସି ଉପାୟ କରିବ ନାହିଁ ? ଯେତେବେଳେ ଶରୀରକୁ ରୋଗ ଘେରିଯାଏ, ସେତେବେଳେ ଔଷଧ ବିଷୟରେ ବ୍ୟକ୍ତି କିପରି ମୌନ ରହିପାରିବ ? ଯେତେବେଳେ ଚତୁର୍ଦ୍ଦିଗରେ ଅଗ୍ନି ପ୍ରଜ୍ଜ୍ୱଳିତ ହେଉଥିବ, ସେତେବେଳେ ବାହାରକୁ ବାହାରିବା ପାଇଁ କିଏ ବା କାହିଁକି ପ୍ରୟାସ ନ କରିବ ? ଏହିଭଳି ଭାବରେ ହେ ଅର୍ଜ୍ଜୁନ ! ସଂକଟାପନ୍ନ ଏହି ମୃତ୍ୟୁଲୋକକୁ ଆସିଲେ ଏହା କିପରି ସମ୍ଭବ ହୋଇପାରେ କି, ବ୍ୟକ୍ତି ମୋର ଭଜନ ନ କରିବ ଆଉ ବ୍ୟକ୍ତିଠାରେ ଏପରି କି ସାମର୍ଥ୍ୟ ରହିଛି ଯେ ଯାହା ଭରସାରେ ମୋ ଭଜନ ନ କରିବାପାଇଁ ଅଟଳ ରହିବ ? ଘରଦ୍ୱାରରେ ଏଭଳି କଣ ଅଛି ଯେ ତା ସାହାରାରେ ବ୍ୟକ୍ତି ଚିନ୍ତାମୁକ୍ତ ହୋଇ ରହିପାରିବ ? କଣ ମୋ ଭଜନ ବିନା ବ୍ୟକ୍ତି ନିଜ ମନରେ ଏପରି ବିଶ୍ୱାସ ଆଣିପାରେ କି ବିଦ୍ୟା ଏବଂ ତାରୁଣ୍ୟତା ଦ୍ୱାରା ବାସ୍ତବିକ ସୁଖ ପ୍ରାପ୍ତି ହୋଇପାରେ ? ଯେତେ ବିଷୟଭୋଗ ରହିଛି, ସେ ସମସ୍ତ ବାସ୍ତବରେ ଶରୀରର ସୁସ୍ଥ ରହିବା ଉପରେ ନିର୍ଭର କରିଥାନ୍ତି ଏବଂ ଏହି ଶରୀର ନିରନ୍ତର କାଳର ଗର୍ଭରେ ସମାହିତ ହୋଇ ରହିଛି । ଏହି ମୃତ୍ୟୁଲୋକରେ ଜୀବନ ଏବଂ ମୃତ୍ୟୁର ଏକ ଏଭଳି ହାଟ ଲାଗିଛି ଯେ, ଯେଉଁଥିରେ ଦୁଃଖ ଏବଂ ସଂକଟର ଭଣ୍ଡାର ଚତୁର୍ଦ୍ଦିଗରେ ଉନ୍ମୁକ୍ତ ହୋଇ ରହିଛି । ତଥା ମୃତ୍ୟୁରୂପୀ ଭଣ୍ଡାର ଗୋଟିକ ପରେ ଗୋଟିଏ ଚାଲିଆସୁଛନ୍ତି ଆଉ ପ୍ରାଣୀମାନେ ଏ ହାଟରେ ଆସି ପହଁଞ୍ଚିଯାଇଛନ୍ତି । ଏଭଳି ସ୍ଥିତିରେ ହେ ପାଣ୍ଡୁସୂତ ! ସୁଖର ବ୍ୟବହାର କିପରି ହୋଇପାରିବ ? ଏହି ଲୋକରେ ଜୀବନକୁ ସୁଖର ଆଦାନପ୍ରଦାନ କିପରି ବା ହୋଇପାରିବ ? କଣ ପାଉଁଶକୁ ଫୁଙ୍କି କେବେ ପ୍ରଦୀପକୁ ପ୍ରଜ୍ଜ୍ୱଳିତ କରାଯାଇପାରିବ ? ଯେଉଁଭଳି କୌଣସି ବ୍ୟକ୍ତି କୌଣସି ବିଷକନ୍ଦକୁ ଚିପୁଡ଼ି ସେଥିରୁ ରସ ବାହାର କରେ ଆଉ ତାହାର ନାମ ଅମୃତରସ ରଖି ତାହାକୁ ପାନ କରିଯାଏ ଏବଂ ତା ବଳରେ ଅମର ହେବାପାଇଁ ଆଶା ରଖେ, ଠିକ୍‌ ସେହିଭଳି ଅମୃତ ରସ ଭଳି ବିଷୟ ସୁଖ ଅଟେ ଯାହା ବାସ୍ତବରେ ପରମ ଦୁଃଖ ଅଟେ । ହେଲେ କଣ କରାଯିବ ! ଯେଉଁମାନେ ମୂଢ଼ ଅଟନ୍ତି, ସେମାନେ ଏ ବିଷୟ ବିନା ରହିପାରିବେ ନାହିଁ । ଯଦି ପାଦରେ ଘା’ ହୁଏ ଆଉ ତା ଉପରେ କୌଣସି ବ୍ୟକ୍ତି ନିଜର ମସ୍ତକକୁ କାଟି ବାନ୍ଧି ଦିଏ, ତେବେ ଏକଥା ତା ପାଇଁ କେତେ କଲ୍ୟାଣକାରକ ହୋଇପାରିବ ? ବାସ୍‌, ମୃତ୍ୟୁଲୋକର ସମସ୍ତ ସୁଖକୁ ମଧ୍ୟ ଏପ୍ରକାର ହିତକାରକ ମନେକରିବା ଆବଶ୍ୟକ । ଏଭଳି ସ୍ଥିତିରେ ଏହି ମୃତ୍ୟୁଲୋକରେ ବାସ୍ତବିକ ସୁଖର କଥା ଭଲା କାହା କର୍ଣ୍ଣେନ୍ଦ୍ରିୟକୁ ଶୁଣାଯାଇପାରେ ? ଅଙ୍ଗାରର ଶଯ୍ୟାରେ କଣ ସୁଖପୂର୍ବକ କିଏ ଶୋଇପାରେ ? ଯେଉଁ ଲୋକର ଚନ୍ଦ୍ର କ୍ଷୟରୋଗରେ ପୀଡ଼ିତ ହୋଇଥାନ୍ତି, ଯେଉଁଠାରେ ସୂର୍ଯ୍ୟ ମଧ୍ୟ କେବଳ ଅସ୍ତ ହେବାପାଇଁ ଉଦୟ ହୋଇଥାନ୍ତି, ଯେଉଁଠାରେ ଦୁଃଖ ହିଁ ସୁଖର ବେଶ ଧାରଣ କରି ସମଗ୍ର ଜଗତରେ ଛଳନା ଉତ୍ପନ୍ନ କରିଥାଏ, ଯେଉଁଠାରେ ମଙ୍ଗଳ ଅଙ୍କୁରିତ ହେବାମାତ୍ରେ ଅଙ୍କୁରରେ ତତ୍‌କ୍ଷଣ ଅମଙ୍ଗଳର କୀଟ ଲାଗିଯାନ୍ତି, ଯେଉଁଠାରେ ମାତାଙ୍କ ଉଦରର ଗୁପ୍ତ ଗର୍ଭାଶୟ ପର୍ଯ୍ୟନ୍ତ ମୃତ୍ୟୁ ପହଁଞ୍ଚି ନିଜର କାମ କରିପକାଏ, ଯେଉଁଠାରେ ଲୋକମାନଙ୍କୁ ନିରନ୍ତର ମିଥ୍ୟା ଏବଂ ଅସତ୍ୟ କଥାର ଚିନ୍ତା ଲାଗିରହିଥାଏ ଏବଂ ସେହି ମିଥ୍ୟା କଥା ଅର୍ଥାତ୍‌ ଜୀବନକୁ ଯମଦୂତମାନେ ବଳପୂର୍ବକ ଧରିନିଅନ୍ତି ଆଉ ଏ କଥା ଜଣା ମଧ୍ୟ ପଡ଼େନାହିଁ କି, ସେମାନେ ତାକୁ କେଉଁଆଡ଼େ ନେଇଯାଉଛନ୍ତି, ଯେଉଁଠାରେ ଚତୁର୍ଦ୍ଦିଗକୁ ଭଲ ଭାବରେ ଖୋଜିବାପରେ ବି କେଉଁବାଟ ଦେଇ ବାହାରିବାର ରାସ୍ତା ଦୃଷ୍ଟିଗୋଚର ହୋଇନଥାଏ, ଯେଉଁଠାରେ କେବଳ ପୁରାଣସମୂହ ଅର୍ଥାତ୍‌ ମୃତକମାନଙ୍କର କଥା ଥାଏ, ଯେଉଁଠାରେ ବ୍ରହ୍ମାଙ୍କ ଭଳି ଆୟୁସ ସମ୍ପନ୍ନ ବ୍ୟକ୍ତି ମଧ୍ୟ ବସ୍ତୁମାତ୍ରର ଅନିତ୍ୟତାକୁ ଚିରକାଳ ପର୍ଯ୍ୟନ୍ତ ବର୍ଣ୍ଣନା କରିବାପରେ ମଧ୍ୟ ତାହାର ପୂର୍ଣ୍ଣରୂପେ ବର୍ଣ୍ଣନା କରିପାରେ ନାହିଁ, ଯେଉଁ ଲୋକର ଏଭଳି ଅନିତ୍ୟ ସ୍ଥିତି ହୋଇଥିବ, ସେହି ଲୋକରେ ଜନ୍ମ ନେଇ ଜୀବ ଯଦି ଚିନ୍ତାମୁକ୍ତ ରହେ ତେବେ ଏକଥା କେତେ ଆଶ୍ଚର୍ଯ୍ୟଜନକ ଏବଂ ହାସ୍ୟାସ୍ପଦ ହେବ !
ଯେଉଁ ଲୋକମାନେ ଲୌକିକ ଅଥବା ପାରଲୌକିକ ଲାଭ ନିମନ୍ତେ ଗଣ୍ଠିରୁ ଏକ କଉଡ଼ି ମଧ୍ୟ ବାହାର କରନ୍ତି ନାହିଁ, ସେହି ଲୋକମାନେ ପୂର୍ଣ୍ଣରୂପେ କ୍ଷତି ପହଁଞ୍ଚାଉଥିବା ବସ୍ତୁସମୂହ ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଯେଉଁ ବ୍ୟକ୍ତି ନାନାପ୍ରକାରର ବିଷୟ-ବିଳାଶରେ ବୁଡ଼ିରହେ, ତା ବିଷୟରେ ଲୋକମାନେ କୁହନ୍ତି କି, ଏହି ବ୍ୟକ୍ତି ଆଜିକାଲି ବହୁତ ସୁଖରେ ରହୁଛି ଆଉ ଯେଉଁ ବ୍ୟକ୍ତି ଲୋଭର ବୋଝରେ ଦବି ରହିଥାଏ, ତାହାକୁ ଲୋକମାନେ ସଜ୍ଞାନ ବା ବୁଦ୍ଧିମାନ୍‌ ବୋଲି ମନେକରନ୍ତି । ଯାହାଙ୍କ ଆୟୁ ଅଳ୍ପ ସମୟପାଇଁ ଅବଶେଷ ରହିଯାଏ ଏବଂ ଯାହାଙ୍କ ବୁଦ୍ଧି ସମ୍ପୂର୍ଣ୍ଣରୂପେ ସମାପ୍ତ ହୋଇଯାଏ, ତାଙ୍କୁ ଲୋକମାନେ ବଡ଼ ବୋଲି କହନ୍ତି ଆଉ ସେମାନଙ୍କ ପାଦ ଉପରେ ମୁଣ୍ଡରଖି ଲୋଟିଯାନ୍ତି । ଯେମିତି ଯେମିତି ପିଲା ବଡ଼ ହୁଏ, ସେମିତି ସେମିତି ମାତା-ପିତା ଆନନ୍ଦରେ ନାଚିବାକୁ ଲାଗନ୍ତି, ହେଲେ ଏ ବିଷୟରେ ତାଙ୍କ ମନରେ ତିଳେମାତ୍ର ଦୁଃଖ ହୁଏନାହିଁ କି, ପିଲାର ବଢ଼ିବା ସହିତ ତାହାର ଆୟୁର ଡ଼ୋର ମଧ୍ୟ ଛୋଟ ହୋଇଚାଲିଥାଏ । ଜନ୍ମ ନେବାମାତ୍ରେ ବ୍ୟକ୍ତିକୁ ଦିନ ପରେ ଦିନ କାଳର ଆହୁରି ଅଧିକ ଅଧୀନ ହେବାପାଇଁ ପଡ଼ିଥାଏ, ତଥାପି ଲୋକମାନେ ଜନ୍ମଦିନର ଉତ୍ସବକୁ ବଡ଼ ଆନନ୍ଦରେ ପାଳନ କରିଥାନ୍ତି ଆଉ ଆନନ୍ଦର ଧ୍ୱଜା ମଧ୍ୟ ଉଡ଼ାଇଥାନ୍ତି । ଲୋକମାନଙ୍କୁ ଶ୍ରବଣେନ୍ଦ୍ରିୟରେ ମରଣର ଶବ୍ଦ ମଧ୍ୟ ଶୁଣାଯାଇ ନଥାଏ ଆଉ ଯେଉଁ ସମୟରେ କାହାର ମୃତ୍ୟୁ ହୁଏ, ସେ ସମୟରେ ଲୋକମାନେ ଖୁବ୍‌ ଜୋର୍‌ରେ ଚିତ୍କାର କରିବାକୁ ଲାଗନ୍ତି ହେଲେ ସେହି ଲୋକମାନେ ନିଜର ମୂଢ଼ତାରେ ବଶୀଭୂତ ହୋଇଥିବା କାରଣରୁ କଦାପି ଏ କଥାର ବିଚାର ସୁଦ୍ଧା କରିନଥାନ୍ତି କି, ସ୍ୱୟଂ ଆମର ଆୟୁ ଦିନକୁ ଦିନ କ୍ଷୀଣ ହୋଇଚାଲିଛି । ଯେଉଁ ସମୟରେ ବେଙ୍ଗକୁ ସର୍ପ ଗିଳିଥାଏ, ସେ ସମୟରେ ମଧ୍ୟ ସେହି ବେଙ୍ଗ ମାଛିମାନଙ୍କୁ ଖାଇବାପାଇଁ ତାର ମୁଖରେ ବଳପୂର୍ବକ ଧରି ରଖିଥାଏ । ଠିକ୍‌ ସେହିଭଳି ବ୍ୟକ୍ତି ମଧ୍ୟ ନିଜର ତୃଷ୍ଣାକୁ ନିରନ୍ତର ବୃଦ୍ଧି କରିଥାଏ, ହେଲେ ତା ଦ୍ୱାରା ତାର କି ହିତ ସାଧିତ ହୋଇପାରେ ? ଏହି ମୃତ୍ୟୁଲୋକର ସ୍ଥିତି ମଧ୍ୟ କିପରି ଖରାପ ହେବାରେ ଲାଗିଛି ! ହେ ଅର୍ଜ୍ଜୁନ ! ଯଦିଓ ତୁମେ ଏହି ଲୋକରେ ନିଜର କର୍ମସମୂହର ଗତି କାରଣରୁ ଜନ୍ମ ଗ୍ରହଣ କରିଛ, ତଥାପି ତୁମେ ଏଠାରୁ ତତ୍କାଳ ଭିନ୍ନ ହୋଇ ବାହାରିଯାଅ ଆଉ ସେହି ମାର୍ଗରେ ଚାଲ, ଯେଉଁ ମାର୍ଗରେ ଚାଲିଲେ, ତୁମକୁ ମୋର ନିର୍ଦ୍ଦୋଷ, ଅବିନାଶୀ ପଦର ପ୍ରାପ୍ତି ହୋଇପାରିବ । (୪୭୫—୫୧୬)
ଶ୍ଳୋକ—୩୪
ତୁମେ ତୁମର ମନ ମଦ୍‌ରୂପ କରିନିଅ ଏବଂ ମୋ ପ୍ରେମର ଭଜନରେ ମଜ୍ଜିଯାଅ ଆଉ ସର୍ବତ୍ର ମୋର ଅସ୍ତିତ୍ୱ ମନେକରି ମୋତେ ପ୍ରଣାମ କର । ଏକମାତ୍ର ମୋ ଆଡ଼କୁ ଲକ୍ଷ୍ୟ ରଖି ସମସ୍ତ ସଂକଳ୍ପର ବିନାଶ କରିଦେବା, ଯେଉଁଭଳି ମୋର ନିର୍ମଳ ଯଜନ କରିବା ଅଟେ । ଯେତେବେଳେ ଏପ୍ରକାର ତୁମେ ମୋ ଧ୍ୟାନରେ ସମ୍ପନ୍ନ ହୋଇଯିବ, ସେତେବେଳେ ତୁମେ ମୋର ବାସ୍ତବିକ ସ୍ୱରୂପକୁ ପ୍ରାପ୍ତ କରିପାରିବ । ନିଜର ଅନ୍ତଃକରଣର ଏହି ରହସ୍ୟକୁ ଆଜି ମୁଁ ତୁମ ସମ୍ମୁଖରେ ଉପସ୍ଥାପନ କଲି । ଆଜିପର୍ଯ୍ୟନ୍ତ ମୁଁ ଯେଉଁ କଥା ସବୁକୁ ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣରୂପେ ଲୁଚାଇ ରଖିଥିଲି, ତାହାକୁ ପ୍ରାପ୍ତ କରି ତୁମେ ସୁଖରେ ପୁରିଉଠିବ ।” ସଂଜୟ କହିଲେ—“ଭକ୍ତ କଳ୍ପଦ୍ରୁମ ସେହି ପରଂବ୍ରହ୍ମ ଶ୍ୟାମଳ ଶ୍ରୀକୃଷ୍ଣ ଏହିଭଳି ଭାବରେ ଅର୍ଜ୍ଜୁନଙ୍କୁ ଉପଦେଶ ଦେଲେ ।” ବୃଦ୍ଧ ଧୃତରାଷ୍ଟ୍ର ଏ ସମସ୍ତ କଥା ଶୁଣିବା ପରେ ଠିକ୍‌ ସେହିଭଳି ଭାବରେ ବସିରହିଲେ, ଯେଉଁଭଳି କୌଣସି ଏକ ଅଳସୁଆ ମଇଁଷି ନଦୀଜଳ ବଢ଼ିଯିବାପରେ ମଧ୍ୟ ନିରବରେ ଆରାମରେ ବସିରହିଥାଏ । ସେ ସମୟରେ ସଂଜୟ ମୁଣ୍ଡ ହଲାଇ ମନେମନେ କହିଲେ କି, ଏଠାରେ ଅମୃତର ନିରନ୍ତର ବୃଷ୍ଟି ହେଉଛି, ଆଉ ଏହି ଧୃତରାଷ୍ଟ୍ର ଏଭଳି ନିରବରେ ବସିରହିଛନ୍ତି ଯେମିତି ଏଠାରେ ସେ ନାହାଁନ୍ତି । ତଥାପି ସେ ଆମର ଦାତା ଅଟନ୍ତି, ପୋଷକ ଅଟନ୍ତି, ଏଥିପାଇଁ ଏହାଙ୍କ ସମ୍ମୁଖରେ କୌଣସି କଥା ସ୍ପଷ୍ଟରୂପେ କହିବା ଅର୍ଥ ନିଜ ବାଣୀକୁ ଦୂଷିତ କରିବା ବ୍ୟତିରେକ କିଛି ବି ନୁହେଁ । ଏବେ କଣ କରାଯିବ ! ଏହାଙ୍କର ସ୍ୱଭାବ ତ ଏହିଭଳି । ହେଲେ ତଥାପି ମୁଁ ବଡ଼ ସୌଭାଗ୍ୟଶାଳୀ ଅଟେ କାହିଁକି ନାଁ ଯୁଦ୍ଧକ୍ଷେତ୍ରର ସମସ୍ତ ବିଷୟ ଶୁଣାଇବାପାଇଁ ଶ୍ରୀବ୍ୟାସଦେବ ମୋତେ ନିଯୁକ୍ତ କରିଛନ୍ତି । ଏହିଭଳି ଭାବରେ ବହୁତ ପ୍ରଯତ୍ନପୂର୍ବକ ନିଜ ମନକୁ ଦୃଢ଼ କରି ସଂଜୟ ଏ ସମସ୍ତ କଥା ନିଜ ମନରେ କହୁଥିଲେ କି, ସେ ସମୟରେ ତାଙ୍କ ମଧ୍ୟରେ ସାତ୍ତ୍ୱିକ ଭାବର ଆବେଶ ହେଲା ଆଉ ସେ ନିଜକୁ ସମ୍ଭାଳିପାରିଲେ ନାହିଁ । ତାଙ୍କର ଚିତ୍ତ ବିସ୍ମିତ ହୋଇଗଲା, ବାଣୀ ସ୍ତବ୍ଧ ହୋଇଗଲା ଏବଂ ଆପାଦମସ୍ତକ ରୋମାଞ୍ଚିତ ହୋଇଉଠିଲା । ତାଙ୍କର ଅର୍ଦ୍ଧ ଉନ୍ମିଳୀତ ନେତ୍ରରୁ ଆନନ୍ଦାଶ୍ରୁ ପ୍ରବାହିତ ହେବାକୁ ଲାଗିଲା । ତାଙ୍କ ମନରେ ସୁଖର ଯେଉଁ ତରଙ୍ଗ ଉଠିଥିଲା, ତା ଦ୍ୱାରା ତାଙ୍କର ଶରୀର କମ୍ପିତ ହେବାକୁ ଲାଗିଲା । ତାଙ୍କର ଲୋମମୂଳରେ ସ୍ୱେଦର ନିର୍ମଳ କଣିକା ଚମକିବାକୁ ଲାଗିଲା ଆଉ ଏଭଳି ପ୍ରତୀତ ହେଲା କି, ଯେପରି ସେ ତାଙ୍କର ସମ୍ପୂର୍ଣ୍ଣ ଶରୀର ଉପରେ ମୋତିର ଜାଲ ଘୋଡ଼ାଇ ହୋଇଯାଇଛନ୍ତି । ଏହିଭଳି ସେହି ଅପାର ରସରେ ଡ଼ୁବିରହିବା କାରଣରୁ ତାଙ୍କୁ ତାଙ୍କ ଶରୀରର ଜ୍ଞାନ ଆଉ ରହିଲା ନାହିଁ ଏବଂ ଯୁଦ୍ଧର ବୃତ୍ତାନ୍ତ ଶୁଣାଇବାର ଯେଉଁ କାମ ଶ୍ରୀବେଦବ୍ୟାସଜୀ ମହାରାଜ ତାଙ୍କୁ ଅର୍ପଣ କରିଥିଲେ, ସେ ବିଷୟରେ ଏଭଳି ପ୍ରତୀତ ହେବାକୁ ଲାଗିଲା ଯେପରି ସେହି କାମ ଅଧୁନା ତାଙ୍କ ଦ୍ୱାରା ଆଉ ହୋଇପାରିବ ନାହିଁ । ଏହାମଧ୍ୟରେ ଭଗବାନ୍‌ ଶ୍ରୀକୃଷ୍ଣଙ୍କର ବାଣୀ ତାଙ୍କ ଶ୍ରବଣେନ୍ଦ୍ରିୟରେ ପ୍ରବିଷ୍ଟ ହେଲା, ଯଦ୍ଦ୍ୱାରା ସଂଜୟ ଚେତନରାଜ୍ୟକୁ ଫେରିଆସିଲେ ଆଉ ପୁଣିଥରେ ଯୁଦ୍ଧର ବୃତ୍ତାନ୍ତ ଶୁଣାଇବାପାଇଁ ଉଦ୍ୟତ ହେଲେ । ତତ୍‌ପଶ୍ଚାତ୍‌ ସେ ତାଙ୍କ ଆଖିରୁ ଅଶ୍ରୁ ପୋଛିଦେଲେ, ସମ୍ପୂର୍ଣ୍ଣ ଶରୀରର ସ୍ୱେଦ ମଧ୍ୟ ପୋଛିବାକୁ ଲାଗିଲେ, ଏହାପରେ ଧୃତରାଷ୍ଟ୍ରଙ୍କୁ କହିଲେ, ହେ ମହାରାଜ ! ଅଧୁନା ମୁଁ ଆପଣଙ୍କୁ ଏହାର ପରବର୍ତ୍ତୀ ସମାଚାର ଶୁଣାଉଅଛି, ମନୋଯୋଗପୂର୍ବକ ଶୁଣନ୍ତୁ । ଶ୍ରୀକୃଷ୍ଣଙ୍କର ବଚନ ତ ସୁନ୍ଦର ବୀଜ ଅଟେ, ହେଲେ ଏବେ ଏଭଳି ଏକ ସୁବର୍ଣ୍ଣସୁଯୋଗ ଆସିଛି କି, ସଂଜୟଙ୍କ ସାତ୍ତ୍ୱିକ ବୃତ୍ତିରୂପୀ ଭୂମି ସେହି ବୀଜ ବପନ କରିବାପାଇଁ ପ୍ରସ୍ତୁତ ଅଟେ । ଅତଃ ଅଧୁନା ନିଃସନ୍ଦେହରେ ଶ୍ରୋତାମାନଙ୍କୁ ସିଦ୍ଧାନ୍ତରୂପୀ ଉତ୍ତମ ଫସଲ ପ୍ରସ୍ତୁତ ହୋଇ ମିଳିପାରିବ । ହେ ଶ୍ରୋତାବୃନ୍ଦ ! ଆପଣମାନେ ଏ କଥନ ଦିଗକୁ ଆଉ ଟିକିଏ ଧ୍ୟାନ ଦିଅନ୍ତୁ ତଥା ଆନନ୍ଦରାଶିରେ ଉପବେଶନ କରନ୍ତୁ । ଆଜି ଆପଣମାନଙ୍କ କର୍ଣ୍ଣର ଭାଗ୍ୟ ଖୋଲିଗଲା । ଅଧୁନା ସିଦ୍ଧମାନଙ୍କର ସ୍ୱାମୀ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ସମ୍ମୁଖରେ ଈଶ୍ୱରୀୟ ବିଭୂତିର ସ୍ଥାନ ସମ୍ପର୍କରେ ବର୍ଣ୍ଣନା କରିବେ । ଶ୍ରୀନିବୃତ୍ତିନାଥଙ୍କ ଦାସ ଜ୍ଞାନଦେବଙ୍କର ଆପଣମାନଙ୍କୁ ବିନମ୍ର ନିବେଦନ କି, ସେହି ବର୍ଣ୍ଣନାକୁ ଆପଣମାନେ ଧ୍ୟାନଦେଇ ଶୁଣନ୍ତୁ । (୫୧୭—୫୩୫)

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.