Last updated on February 6, 2021
ଉପାସକମାନଙ୍କ ମଧ୍ୟରେ ଭିନ୍ନତା ସହିତ ସମ୍ବନ୍ଧରକ୍ଷା କରୁଥିବା ବିବିଧତାକୁ ପୂର୍ବରୁ ବର୍ଣ୍ଣନା କରାଯାଇଛି । ଅଧୁନା ଉପାସ୍ୟଦେବତା ପରମ ପୁରୁଷଙ୍କର ମାହାତ୍ମ୍ୟ ଏବଂ ଜ୍ଞାନୀଗଣଙ୍କର ପ୍ରକାରଭେଦ ସ୍ପଷ୍ଟକରି ଭକ୍ତିରୂପା ଉପାସନାର ସ୍ୱରୂପ କୁହାଯାଉଅଛି—
ଶ୍ଳୋକ-୧ : ଏହି ଗୁହ୍ୟତମ ଭକ୍ତିରୂପକ ଉପାସନା ନାମ୍ନୀ ଜ୍ଞାନ, ମୁଁ ତୁମଭଳି ଅସୂୟାରହିତ ଭକ୍ତକୁ(ତୁମକୁ) ବିଜ୍ଞାନଯୁକ୍ତ ଉପାସନା ସମ୍ବନ୍ଧୀୟ ଗତିଭେଦ ଜ୍ଞାନ ସହ ବର୍ଣ୍ଣନା କରିବି । ଏପରି କହିବାର ଅଭିପ୍ରାୟ ହେଉଛି କି, ଅନ୍ୟସବୁ ଅପେକ୍ଷା, ସମ୍ପୂର୍ଣ୍ଣ ବିଲକ୍ଷଣ, ଅପରିମିତ ପ୍ରକାରେ ସଂଯୁକ୍ତ ମୋର ମାହାତ୍ମ୍ୟକୁ ଶୁଣି— ଏହା ଠିକ୍ ଏହିପରି ଅଟେ, ଏପରି ସ୍ୱୀକାର କଲା ଭଳି ଭକ୍ତକୁ(ତୁମକୁ) ମୁଁ ଅତ୍ୟନ୍ତ ଗୁପ୍ତ, ରହସ୍ୟମୟ ଜ୍ଞାନ ବତାଇବି । ଯେଉଁ ଜ୍ଞାନକୁ ଅନୁଷ୍ଠାନ(ଉପଯୋଗ) କରିବା ପର୍ଯ୍ୟନ୍ତ ଭଲଭାବରେ ବୁଝିନେଇ ତୁମେ ମୋତେ ପ୍ରାପ୍ତ ହେବାରେ ବିରୋଧୀ ସମସ୍ତ ଅଶୁଭ ଗୁଣରୁ ମୁକ୍ତ ହୋଇଯାଇପାରିବ ।
ଶ୍ଳୋକ-୨ : ଏହି ଜ୍ଞାନ ରାଜବିଦ୍ୟା ଅଟେ(ବିଦ୍ୟାମାନଙ୍କ ମଧ୍ୟରେ ଶ୍ରେଷ୍ଠ), ପୁଣି ରାଜଗୁହ୍ୟ ଅଟେ ଅର୍ଥାତ୍ ଗୁପ୍ତ ରଖାଯାଉଥିବା ସମସ୍ତ ଭାବମାନଙ୍କର ମଧ୍ୟ ରାଜା ଅଟେ । ଅଥବା କହିପାରିବା କି ରାଜାମାନଙ୍କର ଜାଣିବାଯୋଗ୍ୟ ଅର୍ଥାତ୍ ଶ୍ରେଷ୍ଠ ବ୍ୟକ୍ତିଙ୍କର ଜାଣିବାଯୋଗ୍ୟ ଜ୍ଞାନ ହୋଇଥିବାରୁ ଏହାର ନାମ ରାଜବିଦ୍ୟା ଅଟେ । କାହିଁକି ନାଁ ରାଜା ବିଶାଳ- ଅଗାଧ ମନଯୁକ୍ତ ହୋଇଥାନ୍ତି । ତେଣୁ ଏହି ବିଦ୍ୟା ମହାମନା ପୁରୁଷଙ୍କ ପାଇଁ ହିଁ ହୋଇଥାଏ ।
ମହାମନା ପୁରୁଷ ହିଁ ଗୁପ୍ତରଖିବା ଯୋଗ୍ୟ ଭାବମାନଙ୍କୁ ଗୁପ୍ତ ରଖିବାରେ କୁଶଳୀ ହୋଇଥାନ୍ତି । ତେଣୁ ଏହି ଗୁହ୍ୟବିଦ୍ୟା ସେମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଜ୍ଞାନ ପରମ ପବିତ୍ର ଅଟେ, ମୋତେ ପ୍ରାପ୍ତି ହେବାରେ ବିରୋଧୀ ସମସ୍ତ ପାପର ନାଶକ ତଥା ଜାଣିବାଯୋଗ୍ୟ ବସ୍ତୁ ଅର୍ଥାତ୍ ଜ୍ଞେୟବସ୍ତୁର ପ୍ରତ୍ୟକ୍ଷ କରାଇଦେବାକୁ ସକ୍ଷମ ହୋଇଥାଏ । ଯାହା ଜାଣିହେବା ଯୋଗ୍ୟ ଓ ଜାଣିବା ସହଜ ତାହାକୁ ‘ଅବଗମ’ କହନ୍ତି । ଅଭିପ୍ରାୟ ହେଉଛି କି, ଭକ୍ତିରୂପା ଉପାସନା ଦ୍ୱାରା ଉପାସିତ ହେବାଯୋଗୁଁ ମୁଁ ସେହି ସମୟରେ ଉକ୍ତ ଉପାସକଙ୍କୁ ପ୍ରତ୍ୟକ୍ଷ ହୁଏ ।
ଏତଦ୍ ଅତିରିକ୍ତ ଏହି ଜ୍ଞାନ ଧର୍ମମୟ ଅଟେ ଅର୍ଥାତ୍ ଧର୍ମ ସହିତ ଜଡିତ ବା ଯୁକ୍ତ ଅଟେ । ଏପରି କହିବାର ଯଥାର୍ଥ ଅଭିପ୍ରାୟ ହେଉଛି କି, ପରମ କଲ୍ୟାଣର ସାଧନକୁ ହିଁ ଧର୍ମ କହନ୍ତି । ତେଣୁ ଏହା ସ୍ୱରୂପତଃ ମୋର ଅତ୍ୟନ୍ତ ପ୍ରିୟ ହୋଇଥିବା କାରଣରୁ ତତ୍କାଳ ମୋର ଦର୍ଶନ କରାଇ ଦିଏ । ଅତଃ ସ୍ୱୟଂ ପରମକଲ୍ୟାଣରୂପଯୁକ୍ତ ମୋତେ ଲାଭକରିବା ନିମନ୍ତେ ଆତ୍ୟନ୍ତିକ ସାଧନା ଅଟେ । ଏଣୁ ଏହାକୁ କରିବା(ସାଧିବା) ସୁସୁଖ ଅଟେ । ଏହାକୁ ସୁଗମତା ପୂର୍ବକ ପ୍ରାପ୍ତ କରାଯାଇପାରେ । ଅତଃ ଏହାକୁ ଅତ୍ୟନ୍ତ ପ୍ରେମପୂର୍ବକ ସ୍ୱୀକାର କରିବା ଅର୍ଥାତ୍ ଅଭ୍ୟାସ କରିବା ଦରକାର । ଏହି ଜ୍ଞାନ ଅବ୍ୟୟ- କ୍ଷୟରହିତ ଅଟେ । ମୋତେ ପ୍ରାପ୍ତି ହେବା ପାଇଁ ସିଦ୍ଧକରି (ଦୃଢନିଶ୍ଚୟ ହୋଇ) ନିଜେ ନଷ୍ଟ ହୋଇଯାଏ ନାହିଁ । ଅଭିପ୍ରାୟ ହେଉଛି କି, ଏପରି ଉପାସନା କରୁଥିବା ବ୍ୟକ୍ତିଙ୍କୁ ନିଜର ସ୍ୱରୂପ ପ୍ରଦାନ କରିବା ପରେ ମଧ୍ୟ, ମୋତେ ଏଭଳି ବୋଧ ହେଉଛି କି, ମୁଁ ତାଙ୍କ ପାଇଁ କିଛି ବି କରିପାରିନାହିଁ ।।୨।।
ଶ୍ଳୋକ – ୩ : ସେହି ଉପାସନା ନାମକ ଧର୍ମ ଯାହାକି ମୋଭଳି ନିରତିଶୟ ପ୍ରେମୀ ସହିତ ସମ୍ବନ୍ଧରକ୍ଷାକାରୀ ହୋଇ ନିଜେ ନିରତିଶୟ ପ୍ରିୟ ହୋଇପାରିଛନ୍ତି ଆଉ ପରମକଲ୍ୟାଣରୂପକ ମୋତେ ପ୍ରାପ୍ତ କରିବାରେ ଅବିନାଶୀ ଉପାୟ ହୋଇଛନ୍ତି, ତାହାକୁ ପ୍ରାପ୍ତ କରିବା ଯୋଗ୍ୟ ସ୍ଥିତିକୁ ଲାଭକରି ମଧ୍ୟ ଯେଉଁ ମନୁଷ୍ୟ ତହିଁରେ ଶ୍ରଦ୍ଧା ରକ୍ଷା କରିପାରନ୍ତି ନାହିଁ— ବିଶ୍ୱାସର ସହିତ ଅତିଶୀଘ୍ର ତାହାର ଅନୁଷ୍ଠାନ କରନ୍ତି ନାହିଁ, ସେ ମୋତେ ପ୍ରାପ୍ତ ନ ହୋଇ ନିରନ୍ତର ଏହି ମୃତ୍ୟୁରୂପ ସଂସାର ଚକ୍ରରେ ବୁଲୁଥାଆନ୍ତି । କହିବାର ଅଭିପ୍ରାୟ ହେଉଛି କି, ଏହାହିଁ ମହାନ୍ ଆଶ୍ଚର୍ଯ୍ୟ ଅଟେ ।
ଅଧୁନା ତୁମେ ମୋତେ ପ୍ରାପ୍ତ କରିବାର ଅଚିନ୍ତ୍ୟ ମହିମା ଶ୍ରବଣ କର—
ଶ୍ଳୋକ-୪ : ଏହି ଜଡ ଚେତନରୂପ ସମଗ୍ର ଜଗତ୍ ମୋଭଳି ଅବ୍ୟକ୍ତ ମୂର୍ତ୍ତିରେ— ଅପ୍ରକଟ ସ୍ୱରୂପ ଅନ୍ତର୍ଯ୍ୟାମୀଙ୍କ ଠାରେ ବ୍ୟକ୍ତ ଅଟେ । ଏହାର ଅଭିପ୍ରାୟ ହେଉଛି କି, ମୁଁ ଏହି ଜଗତକୁ ଧାରଣ କରିବା ଏବଂ ନିୟମ ପୂର୍ବକ ପରିଚାଳିତ କରାଇବା ନିମନ୍ତେ ଏହାର ସ୍ୱାମୀ ଅଟେ । ଏଣୁ ଏହା ମୋଠାରେ ବ୍ୟାପ୍ତ ହୋଇଛି । ଯେପରି କି, ‘ଅନ୍ତର୍ଯ୍ୟାମୀ ବ୍ରାହ୍ମଣ’ ମଧ୍ୟରେ ‘ଯାହା ପୃଥିବୀରେ ସ୍ଥିତ ଅଟେ ମାତ୍ର ଯାହାକୁ ପୃଥିବୀ ଜାଣେନାହିଁ,’ ‘ଯାହା ଆତ୍ମାରେ ସ୍ଥିତ ମାତ୍ର ଆତ୍ମା ତାଙ୍କୁ ଜାଣନ୍ତି ନାହିଁ,’ ସେ ପ୍ରକାର ଜଡ ଆଉ ଚେତନ ବସ୍ତୁ ମାତ୍ର ସହିତ ଯାହା ଜାଣିବାକୁ ଆସିପାରେ ନାହିଁ, ଏ ପ୍ରକାର ଅନ୍ତର୍ଯ୍ୟାମୀଙ୍କ ଠାରେ ସର୍ବ ବିଦ୍ୟମାନତା କଥା, କେଉଁଠି କେଉଁଠି ସର୍ବତ୍ର ବ୍ୟାପ୍ତ ହୋଇଥିବା କଥା କୁହାଯାଇଛି । ଏଣୁ ଭୂତସମଗ୍ର ମୋଠାରେ ସ୍ଥିତ ଅଟନ୍ତି, କାହିଁକା ନାଁ ସେହି ଅନ୍ତର୍ଯ୍ୟାମୀ ବ୍ରାହ୍ମଣଙ୍କ ମଧ୍ୟରେ ପୃଥିବୀ ଯାହାଙ୍କର ଶରୀର, ଯିଏକି ପୃଥିବୀଙ୍କୁ ତାଙ୍କ ମଧ୍ୟରେ ବ୍ୟାପ୍ତ କରାଇ ନିୟମିତ କରାଇଅଛନ୍ତି । ଆତ୍ମା ଯାହାଙ୍କର ଶରୀର ଅଟେ, ସିଏ ଆତ୍ମାଙ୍କୁ ତାଙ୍କ ମଧ୍ୟରେ ବ୍ୟାପ୍ତ କରାଇ ନିୟମନ କରାଇଅଛନ୍ତି । ଏ ପ୍ରକାରେ ସମସ୍ତ ଜଡଚେତନମୟ ପରମ ପୁରୁଷଙ୍କ ଶରୀର ରୂପରେ ନିୟାମକ(ନିୟମ୍ୟ) ବୋଲି କୁହାଯାଇଛି । ଅତଃ ସେହି ପରମ ପୁରୁଷଙ୍କ ଅଧୀନ ତାଙ୍କର ସ୍ଥିତି ଏବଂ ନିୟମନ ସିଦ୍ଧ ହୋଇଯିବାରୁ ମୁଁ ସେ ସବୁର ସ୍ୱାମୀ ସିଦ୍ଧ ହେଉଛି, ହେଲେ ମୁଁ ସେଥିରେ ସ୍ଥିତ ନୁହେଁ— ମୋର ସ୍ଥିତି ତାହାର ଆଶ୍ରିତ ନୁହେଁ । ଏପରି କହିବାର ଅଭିପ୍ରାୟ ହେଉଛି କି, ମୋ ସ୍ଥିତିରେ ତାଙ୍କ ଦ୍ୱାରା କୌଣସି ଉପକାର ହୁଏନାହିଁ ।।୪।।
ଶ୍ଳୋକ-୫ : ସେହି ଭୂତ ମଧ୍ୟ ମୋ ମଧ୍ୟରେ ସ୍ଥିତ ନୁହେଁ— ମୋର ତାଙ୍କୁ ଧାରଣ କରିବା ଘଟ ଆଦି ପାତ୍ରରେ ଜଳଧାରଣ ସଦୃଶ ନୁହେଁ । ପୁଣି କିପରି ଅଟେ ? କେବଳ ମୋ ସଂକଳ୍ପ ଯୋଗୁଁ ହିଁ ତାହାର ଧାରଣ ହୋଇଅଛି ।
ମୋର ଐଶ୍ୱର୍ଯ୍ୟ ଯୋଗକୁ ଦେଖ, ଏହା ଅନ୍ୟତ୍ର କେଉଁଠି ମଧ୍ୟ ସମ୍ଭବ ନୁହେଁ । ଏପରି ଅସାଧାରଣ ଆଶ୍ଚର୍ଯ୍ୟମୟ ମୋର ଯୋଗକୁ ତୁମେ ଦେଖ । ଏହି ଯୋଗ କଣ ଅଟେ ? ସେଥିପାଇଁ କହୁଅଛି କି, ମୁଁ ଭୂତ ସମଗ୍ରକୁ ଧାରଣକାରୀ ଅଟେ, ହେଲେ ଭୂତ ମଧ୍ୟରେ ସ୍ଥିତ ନୁହେଁ ବରଂ ମୋର ମନ ଭୂତଭାବନ ଅଟେ । ଏପରି କହିବାର ଅଭିପ୍ରାୟ ହେଉଛି କି, ମୁଁ ସମସ୍ତ ଭୂତକୁ ଧାରଣ ତଥା ପୋଷଣକାରୀ ଅଟେ, ହେଲେ ତାହା ଦ୍ୱାରା ମୋର କିଛି ଉପକାର ହୋଇ ନ ଥାଏ । ମୋର ଆତ୍ମା-ମନୋମୟ ସଙ୍କଳ୍ପ ହିଁ ଭୂତଗଣଙ୍କୁ ଉତ୍ପନ୍ନକାରୀ, ଧାରଣକାରୀ ତଥା ନିୟମନକାରୀ(ପରିପାଳନକାରୀ) ହୋଇଥାଏ ।।୫।।
ଏହି ସମ୍ପୂର୍ଣ୍ଣ ଜଗତର ସ୍ଥିତି-ପ୍ରବୃତ୍ତି ନିଜ ସଙ୍କଳ୍ପର ଅଧୀନ କିପରି, ସେଥିପାଇଁ ଦୃଷ୍ଟାନ୍ତ ଦେଇ କୁହାଯାଉଛି—
ଶ୍ଳୋକ – ୬ : ଯେଉଁଭଳି ମହାନ୍ ବାୟୁ ଆଲମ୍ବନ ରହିତ ଆକାଶରେ ସ୍ଥିତ ଅଟେ ଆଉ ସର୍ବତ୍ର ବିଚରଣକାରୀ ଅଟେ ଯେପରି ସେହି ବାୟୁ ଅବଲମ୍ବରହିତ ହୋଇ ମଧ୍ୟ ମୋ ଆଶ୍ରୟରେ ସ୍ଥିତ ଅଟେ, ଏପରି ନିଶ୍ଚୟ କରିଦେବା ସର୍ବାଦୌ ଉଚିତ ଅର୍ଥାତ୍ ମୁଁ ହିଁ ତାଙ୍କୁ ଧାରଣ କରିଅଛି, ଏପରି ବୁଝାଯାଏ । େସହିଭଳି ଭୂତସମଗ୍ର ତାଙ୍କଠାରୁ ଅଦୃଶ୍ୟ ମୋ ଭଳି ପରମେଶ୍ୱରଙ୍କ ଠାରେ ସ୍ଥିତ ଅଟେ—ମୁଁ ହିଁ ସେ ସବୁକୁ ଧାରଣ କରିଅଛି । ଏପରି ବୁଝିନେବା ଉଚିତ ।
ଯେମିତି କି ବେଦଜ୍ଞ ଲୋକ କହନ୍ତି— ଯଥା ଆହୁଃ ବେଦବିଦଃ ମୋଘୋଦୟଃ ସାଗର ସନ୍ନିହତି ରିନ୍ଦ୍ରୋ ବିଭାଗଃ ସ୍ଫୁରିତାନି ବାୟୋଃ । ବିଦ୍ୟୁଦିଭଙ୍ଗୌ ଗତିରୁଷ୍ଣର ଶ୍ଚେ ବିର୍ଷୋର୍ବିଚିତ୍ରାଃ ପ୍ରଭବନ୍ତି ମାୟାଃ ।। ଅନ୍ୟ କାହାର ସାହାଯ୍ୟ ବ୍ୟତିରେକ କେବଳ ଭଗବାନଙ୍କ ସଙ୍କଳ୍ପମାତ୍ର ଯୋଗୁଁ ସ୍ଥିତ ଏବଂ ପ୍ରବୃତ୍ତି ହେଉଅଛି, ଏପରି କୁହାଯାଇଛି । ଅଧୁନା କୁହାଯାଉଛି କି, ସମଗ୍ର ଉତ୍ପତ୍ତି ଓ ପ୍ରଳୟ(ସବୁକିଛିର) ମଧ୍ୟ ତଦୀୟ ସଂକଳ୍ପରୁ ହୋଇଥାଏ—
ମେଘର ଉଦୟ, ସମୁଦ୍ରର ସୀମାବଦ୍ଧ ସ୍ଥିତି , ଚନ୍ଦ୍ରମାର ବିଭାଗ(କ୍ଷୟବୃଦ୍ଧି), ବାୟୁର ଚଞ୍ଚଳତା, ବିଜୁଳିର ଚମକ, ସୂର୍ଯ୍ୟଙ୍କ ଗତି, ସେହିଭଳି ବିଷ୍ଣୁ ଭଗବାନଙ୍କ ବିଚିତ୍ର ମାୟା ନାନା ରୂପରେ ପ୍ରକଟିତ ହୋଇଥାଏ । ଏପରି କହିବାର ଅଭିପ୍ରାୟ ହେଉଛି କି,ଏଭଳି ଅନେକ ଏକାନେକ ବିଲକ୍ଷଣ ମହାନତମ ଆଶ୍ଚର୍ଯ୍ୟ ବିଷ୍ଣୁଙ୍କ ଠାରେ ଘଟିତ ହୋଇଥାଏ । ଶ୍ରୁତି ମଧ୍ୟ ଏଥିପାଇଁ କହିଅଛନ୍ତି— ଏତସ୍ୟ ବା ଅକ୍ଷରସ୍ୟ ପ୍ରଶାସନେ ଗାର୍ଗି ସୂର୍ଯ୍ୟଚନ୍ଦ୍ର ମସୌ ବିଧୃତୌତିଷ୍ଠତଃ । (ବୃ..-୩-୮-୯), ଭୀଷ୍ୟସ୍ମାହ୍ରାତଃ ପବତେ ଭୀଷୋବିତି ସୂର୍ଯ୍ୟଃ । ଭୀଷାସ୍ମାଦିଗ୍ନଶ୍ଚେନ୍ଦ୍ରଶ୍ଚ ମୃତ୍ୟୁର୍ଧାବତି ପଞ୍ଚମଃ(ତୈ.ଉ. ୨-୮-୧) ଇତ୍ୟାଦିକା ।
ହେ ଗାର୍ଗି, ଏପରି ଅକ୍ଷର ବ୍ରହ୍ମଙ୍କର ଶାସନରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଧାରଣକରି ସ୍ଥିତ ହୋଇଅଛନ୍ତି । ଏହାଙ୍କ ଭୟରୁ ବାୟୁ ଚଳପ୍ରଚଳ ହେଉଛି । ଏହାଙ୍କ ଭୟରେ ସୂର୍ଯ୍ୟ ଉଦୟ ହେଉଛନ୍ତି, ତାଙ୍କରି ଭୟରୁ ଅଗ୍ନି, ଇନ୍ଦ୍ର ଏବଂ ପଞ୍ଚମ ମୃତ୍ୟୁ ନିଜ ନିଜର କାର୍ଯ୍ୟ ସମ୍ପାଦନ କରୁଅଛନ୍ତି … ଇତ୍ୟାଦି ।।୬।।
ଚରାଚର ସମସ୍ତ ଭୂତପ୍ରାଣୀ କଳ୍ପର ଅନ୍ତରେ— ଚତୁର୍ମୁଖ ବ୍ରହ୍ମା ଶାନ୍ତ ହୋଇଯିବା ସମୟରେ ସଙ୍କଳ୍ପ ଯୋଗୁଁ ମୋର ଶରୀରରୂପା, ନାମରୂପକ ବିଭାଗରୁ ରହିତ ‘ତମ’ ଶବ୍ଦ ଦ୍ୱାରା କଥିତ ହୁଅନ୍ତି ଓ ସେହି ଜଡ ପ୍ରକୃତିରେ ଲୀନ ହୋଇଯାଆନ୍ତି । ସେହି ଭୂତ ପ୍ରାଣୀଗଣଙ୍କୁ କଳ୍ପାରମ୍ଭରେ ମଧ୍ୟ ମୁଁ ରଚନା କରିଥାଏ । ଯେଉଁଭଳି ମନୁ କହିଅଛନ୍ତି— ପ୍ରଥମେ ଏସବୁ ତମ ରୂପ ଥିଲେ, ସେହି ପରମେଶ୍ୱର ଧ୍ୟାନ କରି ନିଜ ଶରୀର ଦ୍ୱାରା ସମସ୍ତଙ୍କର ରଚନା କରିଅଛନ୍ତି.. ଇତ୍ୟାଦି । (ମନୁ.୧-୮) ଶ୍ରୁତି ମଧ୍ୟ କହିଅଛନ୍ତି କି— ଯାହାଙ୍କ ଶରୀର ଅବ୍ୟକ୍ତ(ପ୍ରକୃତି) ଅଟେ,(ସୁ.ଉ.-୭) ଅବ୍ୟକ୍ତ ଅକ୍ଷରରେ ଲୟ ହୋଇଥାଏ, ଅକ୍ଷର ତମରେ ଲୟ ହୋଇଥାଏ ଏବଂ ତମ ପରମ ଦେବଙ୍କ ମଧ୍ୟରେ ଏକାକାର ହୋଇଯାଇଥାଏ । (ସୁ.ଉ. ୨) ପ୍ରଥମେ ତମ ହିଁ ଥିଲା, ପ୍ରାରମ୍ଭରୁ ସବୁ ତମ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲା । (ଋ.ସ.-୮/୭/୧୭/୩) ଇତ୍ୟାଦି ।।୭।।
ଶ୍ଳୋକ – ୮ : ବିବିଧ ପରିଣାମଯୁକ୍ତ ନିଜ ପ୍ରକୃତିକୁ ଅବଲମ୍ବନ କରି — ତାହାକୁ ଆଠ ପ୍ରକାରେ ବିଭକ୍ତ କରାଇ ୪ପ୍ରକାର ଭୂତ ସମୁଦାୟକୁ ମୁଁ ରଚନା କରିଅଛି । ଅର୍ଥାତ୍ ଦେବ, ତୀର୍ଯ୍ୟକ୍ ମନୁଷ୍ୟ ଆଉ ସ୍ଥାବର— ଏପରି ଚାରି ପ୍ରକାର ଭୂତ ସମଗ୍ର ଯାହାକି ସମସ୍ତଙ୍କୁ ମୋହି ଦେଲାଭଳି ଅଟନ୍ତି, ସେମାନେ ମୋର ଗୁଣତ୍ରୟ ପ୍ରକୃତି ସାହାଯ୍ୟରେ ବିବଶ ହେଉଛନ୍ତି, ତାହାକୁ ମୁଁ ପୁନଃ ପୁନଃ – ସମୟ ସମୟରେ ବିଭିନ୍ନ ପ୍ରକାରେ ରଚନା କରିଅଛି ।।୮।।
ଯଦି ଏଭଳି କଥା ହୁଏ, ତେବେ ତ ବିଷମ ରଚନା, କର୍ମ ନିର୍ଦ୍ଦୟତା ଆଦି ଦୋଷ ଗୁଡିକର ଉତ୍ପତ୍ତି ଦ୍ୱାରା ଭଗବାନଙ୍କୁ ବାନ୍ଧି ପାରୁଥିବେ । ଏପରି ଶଙ୍କା ଉଠିପାରେ, ସେଥିପାଇଁ କୁହାଯାଇଛି କି—
ଶ୍ଳୋକ – ୯ : ସେ ପ୍ରକାର ବିଷମ-ରଚନାଦି କର୍ମ ମୋତେ ବାନ୍ଧି ପାରେନାହିଁ । ମୋ ଠାରେ ନିର୍ଦ୍ଦୟତା ଆଦି ଦୋଷଗୁଡିକ ଉତ୍ପନ୍ନ ହୋଇନଥାଏ, କାହିଁକି ନାଁ ଜୀବର ପୂର୍ବକୃତ କର୍ମ ହିଁ ଦେବତା ଆଦି ବିଷମ ରଚନାର କାରଣ ହୋଇଥାନ୍ତି । ମୁଁ ତ ସେହି ବିଷମ ରଚନାରେ ଆସକ୍ତିରହିତ ଉଦାସୀନ ଭଳି ସ୍ଥିତ ରହିଥାଏ । ଯେମିତି ବ୍ରହ୍ମସୂତ୍ରକାର କହିଅଛନ୍ତି କି, (ବ୍ର.ସୂ.-୨/୧/୩୫)— ଭଗବାନଙ୍କଠାରେ ବିଷମତା ଏବଂ ନିର୍ଦ୍ଦୟତା ଆଦି ଦୋଷ ନାହିଁ କାହିଁକି ନାଁ ସେ ସମସ୍ତ ରଚନା ପୂର୍ବାର୍ଜିତ କର୍ମ ଅନୁସାରେ କରାଯାଇଥାଏ । ଯଦି କହିବା କି, ଏହି କଥା ସିଦ୍ଧ ହେଉନାହିଁ, କାହିଁକି ନାଁ ମହାପ୍ରଳୟ କାଳରେ କର୍ମର ବିଭାଗ ନଥାଏ, ତେବେ ମଧ୍ୟ ଠିକ୍ ହେଲାନାହିଁ କାହିଁକି ନାଁ କର୍ମ ଅନାଦି ଅଟେ ।।୯।।
ଶ୍କୋକ-୧୦ : ଏଣୁ ମୋ ଭଳି ସତ୍ ସଂକଳ୍ପ ସ୍ୱାମୀଙ୍କ ଦ୍ୱାରା ପ୍ରେରିତ ମତ୍ ପ୍ରକୃତି ଜୀବର କର୍ମାନୁସାରେ ଚରାଚର ଜଗତର ରଚନା କରିଥାଏ । ଏହି କାରଣରୁ-ଜୀବର କର୍ମାନୁସାରେ ମୋ ପ୍ରେରଣାରୁ ଏହି ଜଗତ୍ ପରିଚାଳିତ ହେଉଛି । ଏହିଭଳି ମୋର ସମସ୍ତଙ୍କର ସ୍ୱାମୀ ହେବା, ସତ୍ୟସଙ୍କଳ୍ପଯୁକ୍ତ ହେବା ଏବଂ ନିର୍ଦ୍ଦୟତା ଆଦି ଦୋଷରହିତ ହେବା ଇତ୍ୟାଦି ମୋ ମଧ୍ୟରେ ଅର୍ଥାତ୍ ମୋଭଳି ବସୁଦେବ ନନ୍ଦନ କୃଷ୍ଣଙ୍କ ଠାରେ ଐଶ୍ୱର୍ଯ୍ୟ ଯୋଗକୁ ତୁମେ ଦର୍ଶନ କର । ଯେଉଁଭଳି ଶ୍ରୁତି କହିଅଛନ୍ତି କି—(ଶ୍ୱେ.ଉ.-୪/୯-୧୦) ‘ଏଣୁ ମାୟାବୀ (ପରମ ପୁରୁଷ) ଏହି ବିଶ୍ୱର ରଚନା କରିଥାନ୍ତି । ତହିଁରେ ଦ୍ୱିତୀୟ ଜୀବ ମୋ ସାହାଯ୍ୟରେ ବନ୍ଧା ହୋଇ ରହିଥାଏ ।’ ପ୍ରକୃତିକୁ ତ ମାୟା ବୁଝିବା ଦରକାର, ଆଉ ମହେଶ୍ୱରଙ୍କୁ ମାୟାର ସ୍ୱାମୀ ମାନିବା ଦରକାର- ଇତ୍ୟାଦି ।।୧୦।।
ଶ୍ଳୋକ-୧୧ : ଏହିଭଳି ମୁଁ ଯିଏକି ଭୂତଗଣଙ୍କର ମହାନ୍ ଈଶ୍ୱର ଅଟେ, ସର୍ବଜ୍ଞ ଅଟେ, ସତ୍ୟସଙ୍କଳ୍ପ ସ୍ୱରୂପ ଅଟେ । ସମଗ୍ର ଜଗତର ଏକମାତ୍ର କାରଣ ତଥା ପରମ ଦୟାଳୁ ସ୍ୱଭାବରେ ସମସ୍ତଙ୍କୁ ପରମାଶ୍ରୟ ପ୍ରଦାନକାରୀ ହୋଇ ମନୁଷ୍ୟ ଶରୀର ଧାରଣ କରିଥାଏ । ଜୀବ ନିଜକୃତ ପାପକର୍ମରେ ମୋହିତ ଅଜ୍ଞାନୀ ହେବା କାରଣରୁ ମୋତେ ଅବଜ୍ଞା କରିଥାଆନ୍ତି । ମୋତେ ସାଧାରଣ ମନୁଷ୍ୟ ମନେ କରିଥାଆନ୍ତି ।
ଅଭିପ୍ରାୟ ହେଉଛି କି, ମୋ ଭଳି ଭୂତମୟଙ୍କର ଅପାର କରୁଣାରୁ ଔଦାର୍ଯ୍ୟ, ସୌଶିଲ୍ୟ ଓ ବାତ୍ସଲ୍ୟାଦି ଗୁଣ କାରଣରୁ ମନୁଷ୍ୟତ୍ୱ ଧାରଣରୂପ ଯେଉଁ ପରମଭାବ ରହିଛି, ତାହାକୁ ଜାଣିପାରୁନଥିବା ମନୁଷ୍ୟ କେବଳ ମନୁଷ୍ୟତ୍ୱକୁ ଧାରଣ କରିନେଇ ମୋତେ ସମସ୍ତଙ୍କ ଭଳି ମନେକରି ତିରସ୍କାର କରିଥାଆନ୍ତି ।।୧୧।।
ଶ୍ଳୋକ-୧୨: ମୋର ମନୁଷ୍ୟ ରୂପକୁ ଧାରଣକରିବା ପରମ ଦୟାଳୁତା ଆଦି ଗୁଣର କାରଣ ଅଟେ । ଏହି କଥାକୁ ଲୁଚାଇଦେଲାଭଳି ବା ଘୋଡାଇ ଦେଲାଭଳି ଆସୁରୀ, ରାକ୍ଷସୀ ଅବା ମୋହିନୀ ପ୍ରକୃତିର ଆଶ୍ରୟ ନେଇ ଯେଉଁ ବ୍ୟକ୍ତି ବୃଥା ଆଶା ସମ୍ପନ୍ନ ହୋଇ ନିଷ୍ଫଳ ଇଚ୍ଛାଯୁକ୍ତ, ବ୍ୟର୍ଥକର୍ମା(ଅକର୍ମ/ଅଯଥା କର୍ମରେ ଲିପ୍ତରହି) ଆଉ ମୋର ସମ୍ପୂର୍ଣ୍ଣ ଚରାଚର ପଦାର୍ଥ ବିଷୟରେ ତଥା ମୋ ସମ୍ବନ୍ଧରେ ମଧ୍ୟ ବିପରୀତ ଜ୍ଞାନ ରକ୍ଷାକାରୀ ହୋଇଥିବାରୁ ବୃଥାଜ୍ଞାନୀ ବୋଲାଇଥାଆନ୍ତି ଏବଂ ବିକ୍ଷିପ୍ତ ଚିତ୍ତ ହୋଇଥାଆନ୍ତି । ଏପରି କହିବାର ଅଭିପ୍ରାୟ ହେଉଛି କି, ସେ ସମସ୍ତ ବିଷୟରେ ଯଥାର୍ଥ ଜ୍ଞାନରୁ ରହିତ(ଯାହାକୁ ଯେଉଁଭଳି ବୁଝିବା ଦରକାର ସେପରି ବୁଝିନଥାନ୍ତି) ହୋଇଥାନ୍ତି । ତେଣୁ ମୋତେ ଅର୍ଥାତ୍ ସର୍ବେଶ୍ୱରଙ୍କୁ ଅନ୍ୟମାନଙ୍କ ଭଳି ମନେକରି ମୋ ବିଷୟରେ ଯାହା କିଛି କରିବାକୁ ଚାହାଁନ୍ତି, ଆଉ ଯେଉଁ ଉଦ୍ଦେଶ୍ୟରେ କର୍ମ କରିଥାନ୍ତି, ତାଙ୍କର ସେଗୁଡିକ ସବୁ ବୃଥା ହୋଇଥାଏ ।।୧୨।।
ଶ୍ଳୋକ-୧୩ : ହେଲେ ଯିଏ ନିଜକୃତ ପୁଣ୍ୟ ପ୍ରଭାବରୁ ସ୍ୱୟଂ ମୋର ଶରଣାପନ୍ନ ହୋଇ ସମସ୍ତ ପାପ ବନ୍ଧନ ଆଦି ଚ୍ଛିନ୍ନ କଲାଭଳି ମନୁଷ୍ୟ ହୁଅନ୍ତି, ଦୈବୀ ପ୍ରକୃତିର ଆଶ୍ରିତ ହୋଇଥିବା କାରଣରୁ ଅନନ୍ୟ ମନଯୁକ୍ତ ମହାତ୍ମା ବୋଲାନ୍ତି । ସେହି ମହାତ୍ମା ମୋତେ ଯଥାର୍ଥ ମନେକରି ଭଜନ କରିଥାନ୍ତି କାରଣ ସେ ଜାଣିଛନ୍ତି କି, ଭଗବାନ୍ ହିଁ ଭୂତଗଣଙ୍କର ଆଦି ଅଟନ୍ତି ଆଉ ଅବିନାଶୀ ମଧ୍ୟ ଅଟନ୍ତି । ତାଙ୍କର ନାମ, କର୍ମ ଆଉ ରୂପ ମନ ତଥା ବାଣୀରୁ ଅତୀତ ଅଟେ । ସେ ପରମ ଦୟାଳୁ ହୋଇଥିବା ଯୋଗୁଁ ସାଧୁଗଣଙ୍କର ପରିତ୍ରାଣ କରାଇବା ପାଇଁ ମନୁଷ୍ୟ ରୂପରେ ଅବତୀର୍ଣ୍ଣ ହୋଇଅଛନ୍ତି । ଏପରି କଥନର ଅଭିପ୍ରାୟ ହେଉଛି କି, ମୋଠାରେ ଆତ୍ୟନ୍ତିକ ପ୍ରେମ ହୋଇପାରିଥିବା କାରଣକୁ ସେମାନେ ମୋ ଭଜନ ବ୍ୟତୀରେକ ମନ, ଆତ୍ମା ଆଉ ବାହ୍ୟ ଇନ୍ଦ୍ରିୟଗଣଙ୍କୁ ଧାରଣ କରିବାରେ ଅସମର୍ଥ ହୋଇଥାଆନ୍ତି । ଅତଃ ମୋ ଭଜନକୁ ହିଁ ଏକମାତ୍ର ପ୍ରୟୋଜନ ମନେକରି, ମୋତେ ଭଜନ୍ତି ।।୧୩।।
ଶ୍ଳୋକ -୧୪ : ମୋଠାରେ ଅତୀବ ପ୍ରେମ ରଖିଥିବା କାରଣରୁ ଯିଏ ମୋର କୀର୍ତ୍ତନ, ମୋ ପାଇଁ ପ୍ରଯତ୍ନ ଆଉ ମୋତେ ନମସ୍କାର କରିବା ବ୍ୟତୀତ କ୍ଷଣର ଅଣୁମାତ୍ର ସମୟ ପର୍ଯ୍ୟନ୍ତ ମଧ୍ୟ ଜୀବନ ଧାରଣ କରିପାରନ୍ତି ନାହିଁ । ମୁହୂର୍ତ୍ତେ ମଧ୍ୟ ବିରହ ସହ୍ୟ କରିପାରନ୍ତି ନାହିଁ । ମୋର ବିଶେଷ ଗୁଣବାଚକ ନାମମାନଙ୍କୁ ସ୍ମରଣକରି ଯାହାଙ୍କର ସମସ୍ତ ଅଙ୍ଗ ପୁଲକିତ ହୋଇଯାଏ ଆଉ କଣ୍ଠ ହର୍ଷ ଗଦ୍ ଗଦ୍ ହୋଇଉଠେ, ସେ ପ୍ରକାର ଭକ୍ତ ଶ୍ରୀରାମ, ନାରାୟଣ, କୃଷ୍ଣ, ବାସୁଦେବ ଇତ୍ୟାଦି ନାମମାନଙ୍କୁ ସତତ କୀର୍ତ୍ତନ କରି ତଥା ଯତ୍ନକରି କରି- ମୋର ପୂଜନ-ବନ୍ଦନ ଏବଂ ସ୍ତୁତି କରି ଅଥବା ସେଗୁଡିକ ପାଇଁ ମନ୍ଦିର ବଗିଚା ଆଦି ନିର୍ମାଣ କରି ମୋ କର୍ମରେ ଦୃଢ ସଂକଳ୍ପ ହୋଇ ଯତ୍ନପୂର୍ବକ ତଥା ଭକ୍ତିପରାୟଣ ହୋଇ ଅର୍ଥାତ୍ ଭକ୍ତି ଭାବରେ ବିନମ୍ରତା ପୋଷଣକରି ମନ, ବୁଦ୍ଧି, ଅହଂକାର, ହସ୍ତ, ପାଦଦ୍ୱୟ ଓ ମସ୍ତକ ଆଦି ଏହି ଅଷ୍ଟ ଅଙ୍ଗ ସାହାଯ୍ୟରେ ଧୁଳି, କାଦୁଅ, ମଇଳା ଆଦିର ବିଚାର ନ ରଖି ଧରାତଳରେ ଦଣ୍ଡବତ ପୂର୍ବକ ଲଇଁପଡି (ଭୂ ସଂଲଗ୍ନ ହୋଇ) ମୋତେ ନମସ୍କାର କରି ଆଉ ମୋ ସହିତ ନିତ୍ୟଯୁକ୍ତ ହୋଇ- ସଦା ସର୍ବଦା ମୋ ସହିତ ସଂଯୋଗ ହେବାକୁ ଚାହିଁ ବା କାମନା କରି ମୋର ଦାସ୍ୟଭାବକୁ ସ୍ୱୀକାର କରି ମୋର ଅଧୀନ ହୋଇ ସ୍ୱାଧୀନମନା ଭାବେ ମୋର ହିଁ ଉପାସନା କରିଥାଆନ୍ତି ।।୧୪।।
ଶ୍ଳୋକ-୧୫ : ଅନ୍ୟ ପ୍ରକାର ମହାତ୍ମା ମଧ୍ୟ ପୂର୍ବୋକ୍ତ କୀର୍ତ୍ତନାଦି ସାଧନା ଦ୍ୱାରା ଏବଂ ଜ୍ଞାନ ନାମକ ଯଜ୍ଞ ସାହାଯ୍ୟରେ ପୂଜା କରି ମୋର ଉପାସନା କରିଥାନ୍ତି । ଏଠାରେ ପ୍ରଶ୍ନ ହେଉଛି କିପରି କରିଥାନ୍ତି ? ଉତ୍ତରରେ କୁହାଯାଇପାରେ କି— ନାନା ପ୍ରକାରରେ ପୃଥକ୍ ପୃଥକ୍ ରୂପରେ ଜଗତ ଆକାରରେ ସ୍ଥିତ ମୋତେ ବିଶ୍ୱତୋମୁଖ- ବିଶ୍ୱାକାରରେ ଅବସ୍ଥିତ ପରମେଶ୍ୱରଙ୍କର ଏକ ଭାବ ସାହାଯ୍ୟରେ ଉପାସନା କରିଥାନ୍ତି ।
କହିବାର ଅଭିପ୍ରାୟ ହେଉଛି କି, ନାମ, ରୂପ, ବିଭାଗରହିତ ଅତ୍ୟନ୍ତ ସୂକ୍ଷ୍ମ ଜଡ-ଚେତନ ବସ୍ତୁମାତ୍ର ଯାହାର ଶରୀର ଅଟେ, ଏପରି ସତ୍ୟ ସଂକଳ୍ପ ଶ୍ରୀବାସୁଦେବ ଭଗବାନ୍ ହିଁ ‘ମୁଁ ବିବିଧ ନାମ ରୂପରେ ବିଭକ୍ତ ସ୍ଥୂଳ, ଜଡଚେତନ ଶରୀରଯୁକ୍ତ ହେଉ’— ଏହି ପ୍ରକାର ସଂକଳ୍ପ କରି ସେହି ଏକକ ଦେବତା ମନୁଷ୍ୟ ତିର୍ଯ୍ୟକ୍, ସ୍ଥାବର ଆଦି ନାମକ ବିଚିତ୍ର ଉକ୍ତ ଜଗତକୁ ନିଜ ଶରୀର ମନେକରି ସ୍ଥିତ ହୁଏ, ଏ ପ୍ରକାର ବୁଝିଥିବା ବ୍ୟକ୍ତି କେବଳ ମୋର ଉପାସନା କରିଥାନ୍ତି ।।୧୫।।
ମୁଁ ହିଁ ସେ ପ୍ରକାର ବିଶ୍ୱରୂପ ଶରୀରଧାରୀ ଅଟେ, ଏହାକୁ ସିଦ୍ଧ କରିବା ପାଇଁ କହୁଛନ୍ତି—
ଶ୍ଳୋକ – ୧୬ : ଜ୍ୟୋତିଷ୍ଟୋମ ଆଦି କ୍ରତୁ ମୁଁ ଅଟେ ଆଉ ଯଜ୍ଞ- ମହାଯଜ୍ଞ ମଧ୍ୟ ମୁଁ ଅଟେ, ପିତୃଲୋକସ୍ଥ ପିତା-ପ୍ରପିତାମହଙ୍କ ପୁଷ୍ଟି ପ୍ରଦାନକାରୀ ସ୍ୱଧା ମୁଁ ଅଟେ । ଆଉ ଔଷଧୀ ଭାବରେ ହବି ସାମଗ୍ରୀ ମୁଁ ଅଟେ । ମୁଁ ମନ୍ତ୍ର ଅଟେ ଆଉ ମୁଁ ହିଁ ଘୃତ ଅଟେ । ଏଠାରେ ଘୃତ ଶବ୍ଦ ଉପଲକ୍ଷଣ ନିମନ୍ତେ କୁହାଯାଇଛି । ତାତ୍ପର୍ଯ୍ୟ ହେଉଛି— ସୋମ ଆଦି ହବିଃ ସାମଗ୍ରୀ ମୁଁ ହିଁ ଅଟେ । ମୁଁ ହିଁ ଆହବନୀୟ ଆଦି ଅଗ୍ନି(ପ୍ରଥମ-ବହ୍ନି) ଅଟେ ଏବଂ ହୋମ କରିବାଯୋଗ୍ୟ ହିଁ ଅଟେ ।।୧୬।।
ଶ୍ଳୋକ-୧୭ : ଏହି ଚରାଚର ଜଗତ ନିମନ୍ତେ ଯେଉଁଠି ସେଇଠି ପିତା, ମାତା, ପିତାମହ ଏବଂ ଧାତା ରୂପରେ ମୁଁ ହିଁ ବିଦ୍ୟମାନ । ଏଠାରେ ଧାତା ଶବ୍ଦ ମାତା-ପିତା ଅତିରିକ୍ତ ଉତ୍ପତ୍ତି-ପ୍ରୟୋଜକ ଚେତନ ବିଶେଷ ବ୍ରହ୍ମାବାଚକ ତଥା ଜାଣିବା ଯୋଗ୍ୟ ମୁଁ ହିଁ ଅେଟ । ବେଦର ବୀଜସ୍ୱରୂପ ଓଁକାର ଏବଂ ଋକ୍ ସାମ ଯଜୁଃ ରୂପ ବେଦ ମଧ୍ୟ ମୁଁ ହିଁ ଅଟେ ।।୧୭।।
ଶ୍ଳୋକ-୧୮ : ଯୁଆଡେ ଯିବା ସମ୍ଭବ(ଯୋଗ୍ୟ) ସେହି ଗତିର ନାମ ଲକ୍ଷ୍ୟ ଅଟେ । ଏହି ବ୍ୟୁତ୍ପତ୍ତି ଅନୁସାରେ ସେହି ସେହି ଲୋକରେ ଯାହା ପ୍ରାପ୍ତ ହେବା ଯୋଗ୍ୟ ସ୍ଥାନ ଅଛି, ତାହା ଗତି ଅଟେ, ସେହି ଗତି ମୁଁ ଅଟେ । ଭର୍ତ୍ତା-ଧାରଣକାରୀ ପ୍ରଭୁ-ଶାସକ, ସାକ୍ଷୀ- ପ୍ରତ୍ୟକ୍ଷଦ୍ରଷ୍ଟା ଏବଂ ନିବାସ- ଗୃହ ଆଦି ବାସ ସ୍ଥାନ ମଧ୍ୟ ମୁଁ ଅଟେ । ଶରଣ- ଇଷ୍ଟ ପ୍ରାପ୍ତି ଏବଂ ଅନିଷ୍ଟର ନିବୃତ୍ତି ନିମନ୍ତେ ଆଶ୍ରୟ ନେବା ଯୋଗ୍ୟ ଚେତନାର ନାମ ଶରଣ ଅଟେ, ତାହା ମଧ୍ୟ ମୁଁ ଅଟେ । ସୁହୃତ୍ — ହିତୈଷୀ, ଉତ୍ପତ୍ତି ଓ ପ୍ରଳୟର ସ୍ଥାନ- ଯାହାକୁ ତାକୁ ଯେଉଁଠି ସେଇଠି ଯାହା ଉତ୍ପତ୍ତି-ପ୍ରଳୟର ସ୍ଥାନ ଅଟେ, ତାହା ମୁଁ ଅଟେ । ଉତ୍ପତ୍ତି ଏବଂ ପ୍ରଳୟ ସ୍ଥାନରେ ଯାହା ନିହିତ— ସ୍ଥାପିତ କରାଯାଏ, ତାହା ନିଧାନ ଅଟେ । ଏହି ବ୍ୟୁତ୍ପତ୍ତି ଅନୁସାରେ ଉତ୍ପନ୍ନ ଓ ଉପସଂହାର କରାଯିବା ଯୋଗ୍ୟ ବସ୍ତୁର ନାମ ନିଧାନ ଅଟେ, ତାହା ମଧ୍ୟ ମୁଁ ଅଟେ । ଏହା ସହିତ ଅବିନାଶୀ ବୀଜ— ଯତ୍ର ତତ୍ର ଯାହା ନାଶରହିତ କାରଣ ଅଟେ, ତାହା ମୁଁ ଅଟେ ।।୧୮।।
ଶ୍ଳୋକ -୧୯ : ଅଗ୍ନି ଏବଂ ସୂର୍ଯ୍ୟ ଆଦି ରୂପରେ ମୁଁ ହିଁ ତାପିତ ହୋଇଥାଏ । ଗ୍ରୀଷ୍ମ ଆଦି ଋତୁମାନଙ୍କ ମଧ୍ୟରେ ବର୍ଷାକୁ ରୋଧକରି ରଖିଥାଏ ଏବଂ ବର୍ଷା ଋତୁରେ ବର୍ଷା ମଧ୍ୟ କରିଥାଏ । ସେହି ବର୍ଷା ଓ ରୋଧକାରୀ ମୁଁ ହିଁ ଅଟେ । ପୁନଶ୍ଚ ଅମୃତ ଓ ମୃତ୍ୟୁ- ଯାହା ପାଇଁ ପ୍ରାଣୀ ବଞ୍ଚନ୍ତି ଓ ମରଗତି ପ୍ରାପ୍ତ ହୁଅନ୍ତି, ସେହି ଦୁଇଟିଯାକ ମୁଁ ଅଟେ । ଏଠାରେ ଅଧିକା କହିବାର ଅର୍ଥ କଣ ଆଉ ହେବ, ମୁଁ ସତ୍ ଓ ଅସତ୍ ମଧ୍ୟ ଅେଟ । ଏପରି କହିବାର ଅଭିପ୍ରାୟ ହେଉଛି କି ବିଦ୍ୟମାନ ବସ୍ତୁର ନାମ ସତ୍ ଅଟେ ଏବଂ ଭୂତ ଓ ଭବିଷ୍ୟତ ବସ୍ତୁର ନାମ ଅସତ୍ ଅଟେ । ତେଣୁ ସବୁ ଅବସ୍ଥାରେ ସ୍ଥିତ ଜଡ-ଚେତନ ବସ୍ତୁ ମୋର ଶରୀର ହୋଇଥିବା କାରଣରୁ ସେହି ସେହି ବସ୍ତୁମାନଙ୍କ ରୂପରେ ମୁଁ ହିଁ ବିଦ୍ୟମାନ ।
ଏହିଭଳି ମୁଁ ଅନେକପ୍ରକାରେ ନାନା ଭାବରେ ବିଭକ୍ତ ନାମ ରୂପରେ ଅବସ୍ଥିତ ସମ୍ପୂର୍ଣ୍ଣ ଜଗତ୍ ରୂପ ଶରୀରଧାରୀ ଅଟେ । ଏଣୁ ସେ ସବୁରୂପରେ ମୁଁ ହିଁ ଥାଏ । ଏପରି ଏକତ୍ୱ ଜ୍ଞାନ ଦ୍ୱାରା ମୋର ଚିନ୍ତନ କରି କରି ଯେଉଁ ଭକ୍ତ ମୋର ଉପାସନା କରିଥାଏ, ସେ ହିଁ ମହାତ୍ମା ହୋଇଥାଏ ।।୧୯।।
ଏହିଭଳି ଏକମାତ୍ର ଭଗବାନଙ୍କର ଅନୁଭବ କରିପାରିବା ଯାହାଙ୍କର ଭୋଗ ଅଟେ, ସେ ପ୍ରକାର ଜ୍ଞାନୀ ମହାତ୍ମା ପୁରୁଷଙ୍କର ସ୍ୱଭାବ ଏବଂ ଆଚରଣର ବର୍ଣ୍ଣନା କରି ଅଧୁନା ତାଙ୍କରି ବିଶେଷତା ଦେଖାଇବା ପାଇଁ ଭୋଗକାମନାକାରୀ ଅଜ୍ଞାନୀମାନଙ୍କ ପାଇଁ ଆଚରଣର ବର୍ଣ୍ଣନା କରି କୁହାଯାଉଛି—
ଶ୍ଳୋକ-୨୦ : ଋକ୍, ଯଜୁଃ ଓ ସାମ୍— ଏହି ତିନିବିଦ୍ୟାର ନାମ ତ୍ରୈବିଦ୍ୟା ଅଟେ । କେବଳ ଏହି ବିଦ୍ୟାମାନଙ୍କରେ ଯାହାଙ୍କର ନିଷ୍ଠା ରହିଛି ତାଙ୍କୁ ମଧ୍ୟ ତ୍ରୈବିଦ୍ୟା ଆଧାରିତ କୁହାଯାଏ । ଏଠାରେ ତ୍ରୈବିଦ୍ୟା ଶବ୍ଦ ଦ୍ୱାରା ବେଦାନ୍ତନିଷ୍ଠ ପୁରୁଷଙ୍କୁ କେବଳ ଗ୍ରହଣ କରାଯାଇନାହିଁ କାହିଁକି ନାଁ ଯାହାଙ୍କର ‘କେବଳ ଗୋଟିକ ହିଁ ପ୍ରାପ୍ୟ ହେବି’— ଏପରି ବେଦାନ୍ତ ନିଷ୍ଠ ମହାତ୍ମାଗଣ ହିଁ ଉକ୍ତ ପୂର୍ବୋକ୍ତ ପ୍ରକାରେ ସମସ୍ତ ବେଦଗ୍ରନ୍ଥ ସାହାଯ୍ୟରେ ଜାଣିବା ଯୋଗ୍ୟ କେବଳ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ଜାଣି, ଭକ୍ତି ପୂର୍ବକ ଅତିମାତ୍ରାରେ ମୋତେ କରାଯାଉଥିବା କୀର୍ତ୍ତନ ଆଦି ସାହାଯ୍ୟରେ ତଥା ଜ୍ଞାନଯଜ୍ଞ ସାହାଯ୍ୟରେ ମୋର ଉପାସନା କରିଥାନ୍ତି ।
ହେଲେ ତ୍ରୈବିଦ୍ୟା ଆଧାରିତ ପୁରୁଷ ଯିଏ ବେଦ ପ୍ରତିବାଦୀ କେବଳ ଇନ୍ଦ୍ରାଦିଙ୍କ ପୂଜନ ରୂପ ଯଜ୍ଞଠାରୁ ଦୂରେଇରହି, ସୋମରସ ପାନକାରୀ ହୋଇଥାନ୍ତି, ସେମାନେ ସ୍ୱର୍ଗାଦିର ପ୍ରାପ୍ତିବିରୋଧୀ ପାପ କାରଣରୁ ଶୁଦ୍ଧ ହୋଇ ବା ରହିତ ହୋଇ କେବଳ ସେହି ଇନ୍ଦ୍ରଆଦିଙ୍କୁ ଦେବତା ମନେକରି କରାଯାଉଥିବା ଯଜ୍ଞ ସାହାଯ୍ୟରେ ବାସ୍ତବରେ ସେହି ଉପରେ ସ୍ଥିତ ମୋତେ ପରମେଶ୍ୱର ଭାବେ ପୂଜାକରି ମଧ୍ୟ ମୋତେ ନ ଜାଣି ପାରିଥିବା କାରଣରୁ ସ୍ୱର୍ଗ ପ୍ରାପ୍ତିର କାମନା କରିଥାନ୍ତି । ଅତଃ ସେ ପୁଣ୍ୟମୟ— ଦୁଃଖ ଅମିଶ୍ରିତ ଇନ୍ଦ୍ରଲୋକକୁ ପାଇ ସେଠାରେ ଦେବଗଣଙ୍କ ପାଇଁ ଉଦ୍ଦିଷ୍ଟ ଦିବ୍ୟଭୋଗକୁ ଉପଭୋଗ କରିଥାନ୍ତି । ଅମିଶ୍ରିତ ଇନ୍ଦ୍ରଲୋକ ଅର୍ଥାତ୍ ଯେଉଁ ଲୋକରେ କେବଳ ଓ କେବଳ ଯାହାକି ଗୋଟିଏ ପ୍ରକାର ଭୋଗ ଉପଲବ୍ଧ, ତାହାକୁ ପ୍ରାପ୍ତ ହୋଇଥାନ୍ତି ।।୨୦।।
ଶ୍ଳୋକ – ୨୧ : ସେହି ଭୋଗ ଯାହା ପୂର୍ବୋକ୍ତ ଶ୍ଳୋକରେ କଥିତ ହୋଇଛି, ତାହାକୁ ଅର୍ଥାତ୍ ସେହି ବିଶାଳ ସ୍ୱର୍ଗଲୋକକୁ ଭୋଗକରି ପୁଣ୍ୟକ୍ଷୀଣ ହୋଇଗଲେ ଅର୍ଥାତ୍ ସେହି ଭୋଗର କାରଣରୂପକ ପୁଣ୍ୟକର୍ମସମୂହର ନିଃଶେଷ(କ୍ଷୟ) ହୋଇଗଲାପରେ ପୁନରାୟ ମୃତ୍ୟୁଲୋକକୁ ଫେରିଆସନ୍ତି ।
ଏହିପ୍ରକାର ବେଦାନ୍ତ ପ୍ରତିପାଦ୍ୟଜ୍ଞାନ ରହିତ ଓ କମନୀୟ ସ୍ୱର୍ଗାଦି ଭୋଗକୁ କାମନା କରୁଥିବା ପୁରୁଷ କେବଳ ତ୍ରିବେଦ ବିହିତ ଧର୍ମର ଆଶ୍ରୟ ନେଇ ଆବାଗମନକୁ ପ୍ରାପ୍ତ ହୋଇଥାଆନ୍ତି । ଅଭିପ୍ରାୟ ହେଉଛି କି, ଅଳ୍ପ, ଅନିତ୍ୟ ସ୍ୱର୍ଗାଦି ସୁଖକୁ ଭୋଗକରି ପୁନଃ-ପୁନଃ ଆତଯାତ କରନ୍ତି ।।୨୧।।
ଉକ୍ତ ମହାତ୍ମାଜନ ନିରତିଶୟ ପ୍ରିୟରୂପ ମୋତେ ଚିନ୍ତନକରି ଅପାର ଅନିତ୍ୟ ଆନନ୍ଦ ସ୍ୱରୂପ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ପାଇ ଫେରି ନ ଥାନ୍ତି, ଏହା କହି ତାଙ୍କର ବିଶେଷତାକୁ ପ୍ରତିପାଦନ କରିଥାଆନ୍ତି ।
ଶ୍ଳୋକ -୨୨ : ମୋର ଚିନ୍ତନ ଅତିରିକ୍ତ ଶରୀର ଧାରଣ କରିବାକୁ ଅସମର୍ଥ ହେବା କାରଣରୁ କେବଳ ମୋତେ ହିଁ ଚିନ୍ତନ କରିବାରେ ବ୍ରତୀ ଯାହାଙ୍କର ଏକାକୀ ପ୍ରୟୋଜନ ହୁଏ, ସେ ପ୍ରକାର ଅନ୍ୟ ପ୍ରୟୋଜନ ରହିତ ଯେଉଁ ମହାତ୍ମା ଭକ୍ତ ମୋର ଚିନ୍ତନ କରି ରହି ମୋର ଉପାସନା କରୁଥାନ୍ତି— ସମସ୍ତ କଲ୍ୟାଣମୟ ଗୁଣ ସାହାଯ୍ୟରେ ସମନ୍ୱିତ ଏବଂ ସମ୍ପୂର୍ଣ୍ଣ ବିଭୂତି ସଂଯୁକ୍ତ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ଭଲଭାବରେ ସର୍ବାଙ୍ଗ-ପୂର୍ଣ୍ଣ ଉପାସନା କରନ୍ତି । ନିରନ୍ତର ସେ ମୋ ସହିତ ସମ୍ବନ୍ଧ ଚାହୁଁଥିବା କାରଣରୁ ତାଙ୍କର ମୋତେ ପ୍ରାପ୍ତି ହେବା ରୂପକ ଯୋଗ ତଥା ଅପୁନରାବୃତ୍ତି ରୂପକ କ୍ଷେମକୁ ମୁଁ ବହନ କରିଥାଏ ।।୨୨।।
ଯେ କେହି ଅନ୍ୟ ଦେବତାଙ୍କର ଭକ୍ତ— ଇନ୍ଦ୍ରାଦି ଦେବତାଙ୍କ ଭକ୍ତ କେବଳ ତ୍ରୟୀବିଦ୍ୟାରେ ନିଷ୍ଠା ରଖି ଶ୍ରଦ୍ଧାଯୁକ୍ତ ହୋଇଥିବା ବ୍ୟକ୍ତି ଇନ୍ଦ୍ରାଦି ଦେବତାଙ୍କର ପୂଜା କରିଥାନ୍ତି, ସେ ମଧ୍ୟ ପୂର୍ବୋକ୍ତ ରୀତିରେ ସବୁକିଛି ମୋ ଶରୀର ରୂପରେ ମୋର ସ୍ୱରୂପ ହୋଇଥିବା କାରଣରୁ ଇନ୍ଦାଦି ଶବ୍ଦ ମଧ୍ୟ ମୋର ସ୍ୱରୂପ ବା ବାଚକ ହୋଇଥିବାରୁ ସେ ବାସ୍ତବରେ ମୋତେ ପୂଜା କରିଥାନ୍ତି ହେଲେ ବିଧି ବିହୀନ ଭାବେ କରିଥାନ୍ତି । କହିବାର ଅଭିପ୍ରାୟ ହେଉଛି କି, ”ଚତୁର୍ହୋତାହୋ ଯତ୍ର ସଂପଦଂ ଗଚ୍ଛନ୍ତି ଦେବୈଃ”— ଇତ୍ୟାଦି ବେଦାନ୍ତ ବାକ୍ୟ(ତୈ.ଆ.-୪) ଇନ୍ଦ୍ର ଆଦି ଦେବତାଙ୍କର ଯଜ୍ଞାଦି କର୍ମରେ ଆରାଧ୍ୟା ରୂପରେ ଯେଉଁଭଳି ଅନ୍ୱୟ ବିଧାନ କରାଯାଏ, ସେହି ଅନୁସାରେ ମୋର ପୂଜନ କରିପାରନ୍ତି ନାହିଁ ।
ସମସ୍ତ ବେଦାନ୍ତ ବାକ୍ୟ ପରମ ପୁରୁଷଙ୍କର ଶରୀର ରୂପରେ ସ୍ଥିତ ଇନ୍ଦ୍ରାଦି ଦେବତାଙ୍କର ଆରାଧନାର ବିଧାନ କରି ତାଙ୍କର ଆତ୍ମରୂପ ପରମ ପୁରୁଷଙ୍କର ହିଁ ସାକ୍ଷାତ୍ ଆରାଧନା ବିଧାନ କରିଥାନ୍ତି । ଉପରୋକ୍ତ ଶ୍ରୁତିବାକ୍ୟର ଅର୍ଥ ହେଉଛି— ଅଗ୍ନିହୋତ୍ର ଦର୍ଶପୌର୍ଣ୍ଣମାସାଦି କର୍ମ କରୁଥିବା ଚତୁଃ ହୋତାଗଣ ଯେଉଁ ପରମେଶ୍ୱରଙ୍କୁ ଆତ୍ମରୂପରେ ସ୍ଥିତ ହୋଇ ତାଙ୍କର ଶରୀର ରୂପ ଇନ୍ଦ୍ରାଦି ଦେବଗଣଙ୍କ ସହିତ ସମ୍ପତ୍ତି(ସମାନ ପଦବୀ)ଙ୍କୁ ପ୍ରାପ୍ତ ହୋଇଥାନ୍ତି । ଅଭିପ୍ରାୟ ହେଉଛି କି, ଇନ୍ଦ୍ରାଦି ଦେବଗଣଙ୍କୁ ଆରାଧନା ରୂପରେ ଏହି କର୍ମ ବସ୍ତୁତଃ ମୋ ନିଜର ଆରାଧନା ଅଟେ, ଏଥି ନିମନ୍ତେ ସେ ସମ୍ପତ୍ତି ରୂପରେ ମୋତେ ପ୍ରାପ୍ତ ହୁଅନ୍ତି ।।୨୩।।
ଅତଏବ ତ୍ରୟୀବିଦ୍ୟାନିଷ୍ଠ(ସକାମୀ) ପୁରୁଷ ଏହି କଥାକୁ ଜାଣନ୍ତି ନାହିଁ କି ସମସ୍ତ କର୍ମ, ଇନ୍ଦ୍ରାଦି ଦେବତା ଯାହାଙ୍କର ଶରୀର ଅଟନ୍ତି, ସେ ଉକ୍ତ ପରମ ପୁରୁଷଙ୍କର ଆରାଧନାଅଟେ, ଆଉ ସେ ହିଁ ଆରାଧ୍ୟ ଦେବତା ଅଟନ୍ତି, ତେଣୁ ସେ ପରିମିତ ଫଳର ପ୍ରାପ୍ତି ନିମନ୍ତେ ଭାଗୀ ଏବଂ ପତନ ସ୍ୱଭାବର ହୋଇଥାଆନ୍ତି । ସେହିକଥାକୁ ଆଗାମୀ ଶ୍ଳୋକରେ ବ୍ୟକ୍ତକରି କହୁଛନ୍ତି କି—
ଶ୍ଳୋକ-୨୪ : ପ୍ରଭୁ ମଧ୍ୟ ମୁଁ ଅଟେ, ଏହି କଥନର ଅଭିପ୍ରାୟ ହେଉଛି କି, ସେହି ସେହିମାନଙ୍କର ରୂପରେ ଫଳ ପ୍ରଦାନକାରୀ ହୋଇଥାନ୍ତି ।।୨୪।।
ଅହୋ ! ଏହା ମହାନ୍ ଆଶ୍ଚର୍ଯ୍ୟ ଅଟେ କି, ଏକକ କର୍ମ କରୁଥିବା କେହି କେହି କେବଳ ସଙ୍କଳ୍ପ ଭେଦରେ ଅତି ତୁଚ୍ଛ ଫଳ ଭୋଗିଥାନ୍ତି ଏବଂ ପତନ ସ୍ୱଭାବଯୁକ୍ତ ହୋଇଥାନ୍ତି ପୁଣଇ କେହିକେହି ଅପାର ତଥା ଅତିଶୟ ଆନନ୍ଦସ୍ୱରୂପ ପରମ ପୁରୁଷଙ୍କର ପ୍ରାପ୍ତି ରୂପ ମହାନ୍ ଫଳକୁ ଭୋଗ କରିଥାନ୍ତି ଏବଂ ପୁନରାଗମନଶୀଳ ମଧ୍ୟ ହୋଇନଥାନ୍ତି । ଏହି କଥାକୁ କହିବା ପାଇଁ କହୁଛନ୍ତି—
ଶ୍ଳୋକ-୨୫ : ଏଠାରେ ବ୍ରତ ଶବ୍ଦ ସଙ୍କଳ୍ପ ବାଚକ ଅଟେ, ଯିଏ ଦେବତ୍ରୟୀ ଅଟନ୍ତି, ‘ଦର୍ଶପୌର୍ଣ୍ଣମାସାଦି କର୍ମ ଦ୍ୱାରା ଆମେ ଇନ୍ଦ୍ରାଦି ଦେବଗଣଙ୍କର ପୂଜନ କରିବୁ’— ଏହି ପ୍ରକାରେ ଇନ୍ଦ୍ରାଦି ଦେବତାମାନଙ୍କର ପୂଜନ-ବିଷୟକ ସଂକଳ୍ପଯୁକ୍ତ ହୋଇଥାନ୍ତି, ସେ ଇନ୍ଦ୍ରାଦି ଦେବତାଙ୍କୁ ପ୍ରାପ୍ତ ହୁଅନ୍ତି ।
ଯିଏ ‘ପିତୃଯଜ୍ଞାଦି ଦ୍ୱାରା ଆମେ ପିତରଙ୍କୁ ପୂଜନ କରିବୁ’ — ଏହି କ୍ରମରେ ପିତୃ ପୂଜନ ବିଷୟକ ସଂକଳ୍ପବାନ୍ ହୋଇଥାନ୍ତି, ସେ ପିତରଙ୍କୁ ପ୍ରାପ୍ତ ହୁଅନ୍ତି ।
ଯିଏ ‘ଯକ୍ଷ, ରାକ୍ଷାସ, ପିଶାଚ ଆଦି ପ୍ରାଣୀମାନଙ୍କର ପୂଜନ କରିବୁ’— ଏହି ପ୍ରକାର ସଂକଳ୍ପ ନେଇ ପୂଜନ ଆରମ୍ଭ କରିଥାନ୍ତି ଅର୍ଥାତ୍ ଭୂତପୂଜନ ବିଷୟକ ସଂକଳ୍ପଯୁକ୍ତ ହୋଇଥାନ୍ତି, ସେ ଭୂତଙ୍କୁ ପ୍ରାପ୍ତ ହୁଅନ୍ତି ।
ହେଲେ, ଯିଏ ଏମାନଙ୍କୁ ଯଜ୍ଞାଦି ସାହାଯ୍ୟରେ ‘ଦେବ, ପିତର ଏବଂ ଭୂତ ଯାହାଙ୍କର ଶରୀର ଅଛି, ସେହି ପରମାତ୍ମା ବାସୁଦେବ ଭଗବାନଙ୍କର ଆମେ ପୂଜାକରିବୁ’ ଏହି ଭାବ ନେଇ ମୋତେ ପୂଜନ କରନ୍ତି, ସେ ମୋର ହିଁ ପୂଜନକାରୀ ହୋଇଥିବାରୁ ମୋତେ ପ୍ରାପ୍ତ ହୁଅନ୍ତି । ଅଭିପ୍ରାୟ ହେଉଛି, ଦେବଗଣଙ୍କର ପୂଜା ବିଷୟକ ସଂକଳ୍ପକାରୀ ସେହି ଦେବତାଙ୍କୁ ପ୍ରାପ୍ତ ହୋଇ ତାଙ୍କ ସହିତ ପରିମିତ ଭୋଗକୁ ଭୋଗକରି ତାଙ୍କର ବିନାଶ କାଳରେ ତାଙ୍କ ସହିତ ହିଁ ନଷ୍ଟ ହୋଇଯାଆନ୍ତି, ହେଲେ ମୋତେ ପୂଜନ କରୁଥିବା ଆଦି-ଅନ୍ତ ରହିତ ସର୍ବଜ୍ଞ ସତ୍ୟସଂକଳ୍ପ ଅପାର ନିରତିଶୟ ଅସଂଖ୍ୟ କଲ୍ୟାଣଗୁଣଗଣଙ୍କର ମହାନ୍ ସମୁଦ୍ର ଅପାର ଅତିଶୟ ଆନନ୍ଦରୂପକ ମୋତେ ଅର୍ଥାତ୍ ମୋଭଳି ପରମେଶ୍ୱରଙ୍କୁ ପ୍ରାପ୍ତ ହୋଇ ପୁନରାଗମନ କରନ୍ତିନାହିଁ ।।୨୫।।
ମୋତେ ପୂଜନ କରୁଥିବା ବ୍ୟକ୍ତିର ଆଉ କଣ ବିଶେଷଣ ରହିଛି, ତାହାକୁ ଜଣାଇବାକୁ କହୁଅଛନ୍ତି—
ଶ୍ଳୋକ – ୨୬ : ଯେଉଁ ଭକ୍ତ ସମସ୍ତଙ୍କ ପାଇଁ ସୁଲଭ ପତ୍ର, ପୁଷ୍ପ, ଫଳ ଅବା ଜଳ ମୋତେ ଭକ୍ତିପୂର୍ବକ ଅର୍ପଣ କରିଥାଏ— ମୋଠାରେ ଅତୀବ ପ୍ରେମ ରଖୁଥିବା କାରଣରୁ ଯାହାକିଛି ବି ଅର୍ପଣ ନ କରି ବଞ୍ଚିବା କଷ୍ଟସାପେକ୍ଷ ମନେକରିଥାଏ କାହିଁକି ନାଁ ସେ ସମର୍ପଣରୂପକ କର୍ମକୁ ଏକମାତ୍ର ବା ଶ୍ରେଷ୍ଠତମ କର୍ମ ମନେକରି ପତ୍ର-ପୁଷ୍ପ-ଫଳ-ଜଳ ଆଦି ଯାହାକିଛି ସମ୍ଭବ ସମର୍ପଣ କରିଥାଏ । ତାଙ୍କର ସେ ଏକମାତ୍ର ସମର୍ପଣ ରୂପ ପ୍ରୟୋଜନକୁୁ ଶୁଦ୍ଧଚିତ୍ତ ବ୍ୟକ୍ତି ଯାହାର ମନ ଓ ଚିତ୍ତ ନିର୍ମଳ, ସେ ପ୍ରକାର ଭକ୍ତଙ୍କର ସେହି ପ୍ରକାରର ଭକ୍ତି ସାହାଯ୍ୟରେ ପ୍ରଦତ୍ତ ଅର୍ଥାତ୍ ସମର୍ପିତ ବସ୍ତୁ ମୁଁ ହିଁ ବାସ୍ତବରେ ଗ୍ରହଣ କରିଥାଏ । କଥନର ଅଭିପ୍ରାୟ ହେଉଛି କି, ଯଦିଓ ମୁଁ ସମସ୍ତଙ୍କର ଈଶ୍ୱର ଅଟେ, ସମଗ୍ର ଜଗତର ସୃଜନ, ପାଳନ ଆଉ ସଂହାର ସବୁ ମୋର ଲୀଳାଂଶ ଅଟେ, ତେଣୁ ସମସ୍ତ ଭୋଗ ମୋତେ ପ୍ରାପ୍ତ ହୋଇଥାଏ । ମୁଁ ସତ୍ୟ ସଂକଳ୍ପ ଅଟେ, ସୀମାରହିତ ନିରତିଶୟ ଅଂଶ ହୋଇ କଲ୍ୟାଣଗୁଣଗଣଙ୍କ ସହିତ ସମନ୍ୱିତ ଅଟେ ଏବଂ ସ୍ୱାଭାବିକ ସୀମାରହିତ ସ୍ୱାନନ୍ଦର ଅନୁଭବ କରି ସ୍ଥିତ ହୋଇଥାଏ । ତଥାପି ମୁଁ ସେହି ବସ୍ତୁକୁ ପ୍ରାପ୍ତ ହୋଇଥାଏ, ଧରିନିଅ କି ମତେ ମନର କଳ୍ପନାରେ ମଧ୍ୟ ଆସିପାରୁନଥିବା କୌଣସି ପରମ ପ୍ରିୟ ବସ୍ତୁ ମିଳିଗଲା ଭଳି ସ୍ୱୀକାର କରିନେଇଥାଏ । ଯେମିତି ମୋକ୍ଷଧର୍ମରେ କୁହାଯାଏ— ”ଅନନ୍ୟ ଭାବଗତ ବୁଦ୍ଧି ଯୁକ୍ତ ଭକ୍ତମାନଙ୍କ ସାହାଯ୍ୟରେ ଯେଉଁ ଯେଉଁ କ୍ରିୟା ଭଗବାନଙ୍କୁ ଅର୍ପଣ କରାଯାଏ, ସେ ସବୁକୁ ପରମ ପୁରୁଷ ନିଜେ ନିଃସନ୍ଦେହରେ ଆପଣେଇ ନେଇଥାନ୍ତି” ।।୨୬।।
ଆଉ ଯେତେବେଳେ ଜ୍ଞାନୀ ମହାତ୍ମାଗଣଙ୍କର ଏହି ମନ, ବାଣୀ ଆଦିର ଅତୀତ ବିଶେଷତା ରହିଛି, ସେତେବେଳେ ତୁମେ ମଧ୍ୟ ଉପରୋକ୍ତ ପ୍ରକାରେ ଭକ୍ତି ସହକାରେ ଅତ୍ୟନ୍ତ ନମ୍ର ମନଯୁକ୍ତ ମୋ ନିଜର ଜ୍ଞାନୀ ଭକ୍ତମାନଙ୍କୁ ନିରନ୍ତର କୀର୍ତ୍ତନ, ପୂଜନ, ଅର୍ଚ୍ଚନ ଏବଂ ପ୍ରଣାମ ଆଦି କରି ଲୌକିକ ଏବଂ ବୈଦିକ ନିତ୍ୟ-ନୈମିତ୍ତିକ କର୍ମମାନଙ୍କୁ ମଧ୍ୟ ଏହି ପ୍ରକାରେ ସମ୍ପାଦନ କରିଥାଆନ୍ତି । ତେଣୁ କୁହାଯାଉଛି—
ଶ୍ଳୋକ-୨୭ : ତୁମେ ଯେଉଁ ଶରୀର ଯାତ୍ରା ନିର୍ବାହ ନିମନ୍ତେ ଆବଶ୍ୟକୀୟ ଲୌକିକ କର୍ମ କରୁଅଛ ତଥା ଯାହା ଶରୀର ଧାରଣ ନିମନ୍ତେ ଭୋଜନ କରୁଅଛ ଏବଂ ଯେଉଁ ହୋମ, ଦାନ, ତପ ଆଦି ବୈଦିକ ନିତ୍ୟ ନୈମିତ୍ତିକ କର୍ମ କରୁଅଛ, ସେ ସବୁ ମତେ ଅର୍ପଣ କରିଦିଅ । ଯାହାକିଛି ଅର୍ପିତ କରାଯାଏ, ତାହାର ନାମ ଅର୍ପଣ ଅଟେ । ଅତଃ ଲୌକିକ ଏବଂ ବୈଦିକ କର୍ମର ଯେଉଁ କର୍ତ୍ତାପଣ, ଭୋକ୍ତାପଣ ଆଉ ଆରାଧ୍ୟତ୍ୱ ରହିଛି, ସେସବୁ ଯେଭଳି ମୋତେ ଅର୍ପିତ ହୋଇଯାଏ, ସେପରି କର ।
କହିବାର ଅଭିପ୍ରାୟ ହେଉଛି କି, ଯଜ୍ଞ-ଦାନ ଆଦିରେ ଆରାଧ୍ୟ ଦେବଙ୍କ ରୂପରେ ପ୍ରତୀତ ହେଉଥିବା ସମସ୍ତ ଦେବତା ଆଦି ଏବଂ କର୍ମର କର୍ତ୍ତା ଓ ଭୋକ୍ତା ତୁମେ ମଧ୍ୟ, ଏ ସବୁ ମୋର ଅଟେ । ସମସ୍ତଙ୍କୁ ସ୍ୱରୂପର ସ୍ଥିତି ଏବଂ ପ୍ରବୃତ୍ତି ମଧ୍ୟ ମୋର ସଙ୍କଳ୍ପ ଆଧାରରେ ହୋଇଥାଏ । ଏଣୁ ତୁମଭଳି କର୍ତ୍ତା ଏବଂ ଭୋକ୍ତାରୂପ ଆରାଧକଙ୍କୁ ଆରାଧ୍ୟ ରୂପ ସମସ୍ତ କ୍ରିୟାଗୁଡିକୁ, ସେ ସବୁର ପରମ ଅବଶେଷ, ପରମକର୍ତ୍ତାଭାବେ ମୋତେ ସ୍ୱୀକାର କରିନିଅ ଅର୍ଥାତ୍ ପରମେଶ୍ୱରଙ୍କୁ ସମର୍ପଣ କରିଦିଅ । ମୋଠାରେ ଅତ୍ୟନ୍ତ ପ୍ରୀତି ପରାୟଣ ହୋଇ ଅନୁଭବ କରକି. ଭଗବାନ ହିଁ ମୋର ନିୟାମକ ଏବଂ ସ୍ୱାମୀ ଅଟନ୍ତି, ତାଙ୍କର ଅଧୀନତା ହିଁ ଏକମାତ୍ର ମୋର ରସ ଅଟେ ଆଉ ସେହି ଆରାଧ୍ୟ ଦେବ ଆଜି ମଧ୍ୟ ଏପରି ହିଁ ସ୍ୱଭାବ ପୂର୍ବକ ଓତଃ-ପ୍ରୋତ ଅଟନ୍ତି ।।୨୭।।
ଏହିଭଳି ସନ୍ନ୍ୟାସନାମକ ଯୋଗ ଯୁକ୍ତ ମନ ସମ୍ପନ୍ନ ହୋଇ ମୋର ଦାସତ୍ୱ ଏବଂ ଅଧୀନତା ହିଁ ଏକମାତ୍ର ଯାହାଙ୍କର ସ୍ୱଭାବ ଅଟେ, ସେପରି ନିଜକୁ ମନେକରି ଏବଂ ସମସ୍ତ କର୍ମମାନଙ୍କୁ ମୋର ଆରାଧନା ମନେକରି, ଲୌକିକ ତଥା ବୈଦିକ କର୍ମମାନଙ୍କୁ ସମ୍ପାଦନ କରି ତୁମେ ଶୁଭ ତଥା ଅଶୁଭ ଫଳ ପ୍ରଦାନକାରୀ, ମୋତେ ପ୍ରାପ୍ତ ହେବାରେ ବିରୋଧୀ ଅନନ୍ୟ ପ୍ରାଚୀନ କର୍ମରୂପ ସମ୍ପୂର୍ଣ୍ଣ ବନ୍ଧନମାନଙ୍କ ଠାରୁ ମୁକ୍ତ ହୋଇଯିବ ଅର୍ଥାତ୍ ତହିଁରୁ ମୁକ୍ତ ହୋଇ ମୋତେ ପ୍ରାପ୍ତ ହୋଇପାରିବ ।।୨୮।।
ତେଣୁ ମୋର ସେହି ଲୋକାତୀତ ଶ୍ରେଷ୍ଠ ସ୍ୱଭାବକୁ ଶ୍ରବଣ କର—
ଶ୍ଳୋକ —୨୯ : ଯେଉଁ ଦେବତା ମନୁଷ୍ୟ, ତିର୍ଯ୍ୟକ୍ ଏବଂ ସ୍ଥାବର ରୂପରେ ସ୍ଥିତ ହୋଇଅଛନ୍ତି ତଥା ଜାତି, ଆକାର, ସ୍ୱଭାବ ଆଉ ଜ୍ଞାନର ତାରତମ୍ୟ ସାହାଯ୍ୟରେ ଅତ୍ୟନ୍ତ ଶ୍ରେଷ୍ଠ ବୋଲାନ୍ତି ଆଉ ନିକୃଷ୍ଟ ରୂପରେ ବିଦ୍ୟମାନ ଅଟନ୍ତି, ଏପରି ସମସ୍ତ ପ୍ରାଣୀମାନଙ୍କୁ ସମାଶ୍ରୟ ଦେବାପାଇଁ ମୁଁ ସମଭାବ ଅଟେ । ଏହି ପ୍ରାଣୀ ଜାତି, ଆକାର, ସ୍ୱଭାବ ଏବଂ ଜ୍ଞାନ ଆଦି କାରଣରୁ ନିକୃଷ୍ଟ ଅଟେ । ଏହି ଭାବରେ ଯେ କୌଣସି ଜୀବକୁ ନିଜର ଶରଣ ପ୍ରଦାନକରିବା ପାଇଁ ମୋର ଦ୍ୱେଷ ସୁଦ୍ଧା ନାହିଁ ଅର୍ଥାତ୍ ଉଦ୍ବେଗପ୍ରଦ ମନେକରି ତାଙ୍କୁ ତ୍ୟାଗ କରିବାଯୋଗ୍ୟ ନୁହେଁ । ଶରଣାଗତିର ଅଧିକତା ବ୍ୟତୀତ ଅମୁକ ପ୍ରାଣୀ ଜାତି ଆଦି ଠାରୁ ଅତ୍ୟନ୍ତ ଶ୍ରେଷ୍ଠ ଅଟେ । ଏହି ଭାବକୁ ନେଇ ନିଜର ସମାଶ୍ରୟ ପ୍ରଦାନରେ ମୋର କେହି ପ୍ରିୟ ନୁହଁନ୍ତି— ଏଥିଯୋଗୁଁ ମୋର କେହି ଗ୍ରାହ୍ୟ ବା ଗ୍ରହଣଯୋଗ୍ୟ ନୁହଁନ୍ତି ।
ହେଲେ ମୋ ଠାରେ ଅତ୍ୟନ୍ତ ପ୍ରେମ ହୋଇଥିବା କାରଣରୁ ମୋ ଭଜନ ବ୍ୟତୀରେକ ଜୀବନ ଧାରଣ କରି ନ ପାରିବା ଯୋଗୁଁ ଯିଏ କେବଳ ମୋର ଭଜନକୁ ନିଜର ଏକମାତ୍ର ପ୍ରୟୋଜନ ମନେକରେ, ସେହି ଭକ୍ତ ମୋତେ ହିଁ ଭଜନ କରିଥାନ୍ତି, ସେ ଜାତି ଆଦିରୁ ଶ୍ରେଷ୍ଠ ବା ନିକୃଷ୍ଟ ଯାହା ହୁଅନ୍ତୁ ନାଁ କାହିଁକି ସେ ମୋ ସମ ଗୁଣୀ ହୋଇ ମୋତେ ଅନୁସରଣ କରିଥାନ୍ତି ଆଉ ମୁଁ ମଧ୍ୟ ମୋର ଶ୍ରେଷ୍ଠ ଭକ୍ତଙ୍କ ସହିତ ଯେପରି ବ୍ୟବହାର ବା ସମ୍ପର୍କ ରଖିବା କଥା, ତାଙ୍କ ପ୍ରତି ସେହିଭଳି କରିଥାଏ ।।୨୯।।
ଶ୍ଳୋକ-୩୦ : ସେମାନଙ୍କ ମଧ୍ୟରେ ପୁଣି ସେହି ସେହି ଜାତି-ବିଶେଷରେ ଉତ୍ପନ୍ନ ହେଉଥିବା ଯାହାକିଛି ଗ୍ରହଣ କରିବା ଯୋଗ୍ୟ ଓ ତ୍ୟାଗଯୋଗ୍ୟ ଆଚରଣ ରହିଛି, ତଦ୍ ବିପରୀତ ଆଚରଣ କରୁଥିବା ଯେ କେହି ବି ବ୍ୟକ୍ତି ଯଦି ଅନନ୍ୟ ଭକ୍ତ ହୋଇ— କେବଳ ମୋର ଭଜନକୁ ହିଁ ନିଜର ଏକମାତ୍ର ପ୍ରୟୋଜନ ବୁଝି ଉପରୋକ୍ତ ପ୍ରକାରରେ ମୋତେ ଭଜନ କରନ୍ତି, ତେବେ ତାଙ୍କୁ ସାଧୁ— ବୈଷ୍ଣବାଗ୍ରଗଣ୍ୟ ଆଦି ମାନିବା ଦରକାର । ଅର୍ଥାତ୍ ପୂର୍ବୋକ୍ତ ମହାତ୍ମାମାନଙ୍କ ସମ ପରମ ସମ୍ମାନନୀୟ ବୁଝିବା ଦରକାର । ଏହା କିପରି ସମ୍ଭବ ? ଏଇଥିପାଇଁ କି, ସେ ଠିକ୍ ଠିକ୍ ଅର୍ଥାତ୍ ସଠିକ ନିଶ୍ଚୟାତ୍ମକ ଅଟନ୍ତି । ତାଙ୍କର ନିଶ୍ଚୟବୁଦ୍ଧି ପରମ ସମୀଚୀନ ଅଟେ ।
ସମ୍ପୂର୍ଣ୍ଣ ଜଗତର ଏକମାତ୍ର କାରଣରୂପ ପରବ୍ରହ୍ମ ନାରାୟଣ ଚରାଚର ଜଗତର ସ୍ୱାମୀ ଅଟନ୍ତି ଆଉ ସେହି ଭଗବାନ ଶ୍ରୀକୃଷ୍ଣ ମୋର ସ୍ୱାମୀ, ମୋର ଗୁରୁ, ମୋର ସୁହୃଦ୍ ଏବଂ ମୋର ପରମ ଭୋଗ୍ୟ ଅର୍ଥାତ୍ ସବୁ ଭାବରେ ଅନୁଭବ କରିବା ଯୋଗ୍ୟ ଅଟନ୍ତି— ଏ ପ୍ରକାର ଧାରଣାକୁ ନିଶ୍ଚୟ କରିନେଇଥିବା, ଯାହା ଅନ୍ୟମାନଙ୍କ ପାଇଁ ଦୁର୍ଲ୍ଲଭ ଅଟେ, ତାହା ସେ କରିପାରିଛନ୍ତି । ପୁନଶ୍ଚ ଏହି ନିଶ୍ଚୟ କରିଥିବା କାର୍ଯ୍ୟ, ଯାହା ଅନ୍ୟ କୌଣସି ପ୍ରୟୋଜନଠାରୁ ମଧ୍ୟ ରହିତ ଅଟେ, ତାଙ୍କୁ ନିରନ୍ତର ଭଜନକାରୀ ବୋଲି ଜାଣ । ସେ ମଧ୍ୟ ଉକ୍ତ ଭଜନକ୍ରିୟା ଦ୍ୱାରା ମହାନ ହୋଇଥାନ୍ତି, ଏଣୁ ତାଙ୍କୁ ସାଧୁ ଜ୍ଞାନ କରିବା ଦରକାର ଅର୍ଥାତ୍ ଅତୀବ ସମ୍ମାନନୀୟ ବୁଝିବା ଦରକାର ।
କହିବାର ଅଭିପ୍ରାୟ ହେଉଛି କି, ଏ ପ୍ରକାର ନିଶ୍ଚୟ ଏବଂ ସେ ପ୍ରକାର ନିଶ୍ଟୟର କାର୍ଯ୍ୟ ଉପଯୁକ୍ତ ଭଜନ, ଏହି ଦୁଇଟିଯାକ ସମ୍ପାଦିତ ହୋଇଯିବା ଦ୍ୱାରା ସେହି ବ୍ୟକ୍ତିଙ୍କର ଆଚାର ବ୍ୟତିକ୍ରମ(ବିପରୀତ ଆଚରଣ) ରୂପକ ଦୋଷ ରହିଯାଇଥାଏ, ଯାହାକି ଅତ୍ୟନ୍ତ ନଗଣ୍ୟ, ଏଣୁ ଏତେ ଟିକେ ଦୋଷକାରଣରୁ ତାଙ୍କର ଅନାଦର କରାଯାଇ ନ ଥାଏ, ବରଂ ତାଙ୍କୁ ଅତ୍ୟନ୍ତ ସମ୍ମାନଯୋଗ୍ୟ ମନେ କରାଯିବା ଦରକାର, ଏହା ଯଥାର୍ଥ ଅଟେ ।।୩୦।।
ଶଙ୍କା —ଯେଉଁ ପୁରୁଷ ଦୁଷ୍ଟ ଆଚରଣର ବିପରୀତ ନୁହଁନ୍ତି, ଯିଏ ଶାନ୍ତ ନୁହଁନ୍ତି, ଯିଏ ସମାହିତ ନୁହଁନ୍ତି, ଅଶାନ୍ତ ମନୋଯୁକ୍ତ ଅଟନ୍ତି, ସେ ଏହି ଆତ୍ମଜ୍ଞାନ ସାହାଯ୍ୟରେ ପ୍ରାପ୍ତ ହୁଅନ୍ତି ନାହିଁ । (ବୃ. ଉ.୧/୨/୨୪) ଏହି ଶ୍ରୁତି ବାକ୍ୟରୁ ସିଦ୍ଧ ହେଉଛି କି ବିପରୀତ ଆଚରଣ ଉତ୍ତରୋତ୍ତର ବୃଦ୍ଧିପ୍ରାପ୍ତ ଭଜନ ପ୍ରବାହକୁ ରୋଧକାରୀ ହୋଇଥାଏ— ଏହା ସମ୍ପର୍କରେ ଆଗକୁ କୁହାଯାଉଛି—
ଶ୍ଳୋକ-୩୧ : ଅନ୍ୟ କୌଣସି ପ୍ରୟୋଜନ ଅତିରିକ୍ତ ପ୍ରେମପରବଶ ହୋଇ କରାଯାଇଥିବା ମୋର ଭଜନ ଦ୍ୱାରା ତାଙ୍କର ସମସ୍ତ ପାପଧୋଇ ହୋଇଯାଇଥାଏ । ଏହାଦ୍ୱାରା ତାଙ୍କର ସମସ୍ତ ରଜୋଗୁଣ ଓ ତମୋଗୁଣ ସମୂଳେ ନଷ୍ଟ ହୋଇଯାଇଥାଏ । ସେ ଅତି ଶୀଘ୍ର ଧର୍ମାତ୍ମା ହୋଇଯାଆନ୍ତି । ଅତିଶୀଘ୍ର ବିରୋଧୀ ଗୁଣ ରହିତ ଏକମାତ୍ର ମୋର ସର୍ବାଙ୍ଗପୂର୍ଣ୍ଣ ଭଜନରେ ମନ ଲଗାଇବାକୁ ସକ୍ଷମ ହୁଅନ୍ତି । କାହିଁକି ନାଁ ଏ ପ୍ରକାର ଭଜନକୁ ପ୍ରାରମ୍ଭରେ ଧର୍ମସ୍ୟାସ୍ୟ ପରନ୍ତପ ଅର୍ଥାତ୍ ଧର୍ମ ନାମରେ ଅଭିହିତ କରାଯାଇଛି ।
ତାପରେ ସେ ଶାଶ୍ୱତୀଶାନ୍ତି ଯାହା ଚିରକାଳିକ, ତାହାକୁ ପ୍ରାପ୍ତ ହୋଇଯାଆନ୍ତି— ମୋ ପ୍ରାପ୍ତିର ବିରୋଧୀ ଆଚରଣମାନଙ୍କର ଅାତ୍ୟନ୍ତିକ ନିବୃତ୍ତିରୂପ ସନାତନୀ— ପୁନଶ୍ଚ ନ ଫେରିବା ଭଳି ସ୍ଥିତିକୁ ପ୍ରାପ୍ତ ହୋଇଯାଆନ୍ତି ।
ହେ କୌନ୍ତେୟ ! (ଭାଇ ଅର୍ଜ୍ଜୁନ) ଏହି ବିଷୟରେ ତୁମେ ନିଜେ ହିଁ ପ୍ରତିଜ୍ଞା କର କି ମୋ ଭକ୍ତିରେ ଲାଗି ରହିଥିବା ବ୍ୟକ୍ତି ବିରୋଧୀ ଆଚରଣ ଯୋଗୁଁ ମିଶ୍ରିତ ହୋଇ ମଧ୍ୟ ନଷ୍ଟ ହୋଇନଥାନ୍ତି ବରଂ ମୋତେ ପ୍ରଦାନ କରିଥିବା ଭକ୍ତି କାରଣରୁ ସମସ୍ତ ବିରୋଧୀ ସମୁଦାୟ (ଗୁଣାବଳୀକୁ) ନାଶ କରି ସର୍ବଦା ତିଷ୍ଠି ରହିବା ଭଳି ଶାନ୍ତିକୁ ଅର୍ଥାତ୍ ବିରୋଧୀ ନିବୃତ୍ତିକୁ ପ୍ରାପ୍ତ ହୋଇ ଅତିଶୀଘ୍ର ପରିପୂର୍ଣ୍ଣ ଭକ୍ତି ଲାଭକରି ନେଇଥାନ୍ତି ।।୩୧।।
ଶ୍ଳୋକ-୩୨: ସ୍ତ୍ରୀ, ବୈଶ୍ୟ, ଶୂଦ୍ର ତଥା ପାପଯୋନିରେ ଜନ୍ମଗ୍ରହଣ କରିଥିବା ଜୀବ ମଧ୍ୟ ମୋର ଶରଣାପନ୍ନ ହୋଇ ପରମ ଗତିକୁ ପ୍ରାପ୍ତ ହୋଇଯାଆନ୍ତି ।।୩୨।।
ଶ୍ଳୋକ – ୩୩: ପୁଣି ପୁଣ୍ୟ ଯୋନି ଯୁକ୍ତ ବ୍ରାହ୍ମଣ ଏବଂ ରାଜର୍ଷିଗଣ ମୋର ଭକ୍ତିର ଆଶ୍ରୟ ନେଇ ଅର୍ଥାତ୍ ପରମଗତି ପ୍ରାପ୍ତ ହୋଇଥାନ୍ତି, ଯାହା ସମ୍ପର୍କରେ ଆଉ କହିବା ଦରକାର କ’ଣ ? ଅତଏବ ତୁମେ ରାଜର୍ଷି ଅଟ, ଏଣୁ ଯାହା ଅନିତ୍ୟ ଅଟେ ଆଉ ତାପତ୍ରୟ ସାହାଯ୍ୟରେ ବ୍ୟଥିତ କରାଉଥିବା କାରଣରୁ ସୁଖହିତ ଅଟେ, ସେ ପ୍ରକାର ଶରୀର ପ୍ରାପ୍ତ ହୋଇ ସେଥିରେ ବିଦ୍ୟମାନ ପୂର୍ବକ ମୋର ଭଜନକର ।।୩୩।।
ଏବେ ସେହି ଭକ୍ତିର ସ୍ୱରୂପ ବର୍ଣ୍ଣନା କରିବାକୁ ପ୍ରୟାସ କରାଯାଉଛି । ଆଚାର୍ଯ୍ୟ କହିଛନ୍ତି—
ଶ୍ଳୋକ-୩୪ : ମୋ ଠାରେ ମନକୁ ଲଗାଇଦିଅ—ମୁଁ ସମସ୍ତଙ୍କର ଈଶ୍ୱର ଅଟେ, ସମ୍ପୂର୍ଣ୍ଣ ଜଗତର ଏକମାତ୍ର କାରଣ ଅଟେ, ସମସ୍ତ ତ୍ୟାଗଯୋଗ୍ୟ ଦୋଷମାନଙ୍କର ବିରୋଧି କେବଳ କଲ୍ୟାଣମୟ ପ୍ରବାହ ସଂଯୁକ୍ତ, ସର୍ବଜ୍ଞ, ସତ୍ୟସଂକଳ୍ପ, କମଳଦଳ ସଦୃଶ ନିର୍ମଳ ଏବଂ ବିଶାଳ ନେତ୍ରଯୁକ୍ତ, ସ୍ୱଚ୍ଛ, ନୀଳମେଘସମ ଶ୍ୟାମଳ, ଏକା ସମୟରେ ଉଦୟ ହେଲାଭଳି ସହସ୍ର ସୂର୍ଯ୍ୟଙ୍କ କିରଣସମ ତେଜୋଦୀପ୍ତ, ଲବଣରୂପ ସୁଧାର ମହାନ ସମୁଦ୍ର, ପୁଷ୍ଟ ଏବଂ ଉଦାର, ଚାରିଭୁଜାଯୁକ୍ତ, ଅତ୍ୟନ୍ତ ଉଜ୍ଜ୍ୱଳ, ପୀତାମ୍ବରଧାରୀ, ନିର୍ମଳ କିରୀଟଯୁକ୍ତ, ମକରାକୃତି କୁଣ୍ଡଳଧାରୀ, ହାର, କଙ୍କଣ, ବାଜୁବନ୍ଧ ଆଦି ଆଭୂଷଣରେ ବିଭୂଷିତ, ଅପାର କାରୁଣ୍ୟ ସମ୍ପନ୍ନ, ସୌଶିଲ୍ୟ, ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ, ଔଦାର୍ଯ୍ୟ ଓ ବାତ୍ସଲ୍ୟର ସାଗରସମ, ଭଲ-ମନ୍ଦର ବିଚାର ନ ରଖି ଆଶ୍ରିତକୁ ଶରଣ ପ୍ରଦାନକାରୀ, ସମସ୍ତଙ୍କର ସ୍ୱାମୀ ପରବ୍ରହ୍ମ ପୁରୁଷୋତ୍ତମ ଅଟନ୍ତି । ତେଣୁ ସେହି ପରମେଶ୍ୱରଙ୍କ ଠାରେ ତୈଳଧାରାବତ୍ ଅବିଚ୍ଛିନ୍ନ ଭାବରେ ମନ ଲଗାଇବା ଭଳି ହୁଅ ।
ତାହାର ବିଶେଷତ୍ୱ କହୁଛନ୍ତି—ମୋର ଭକ୍ତ ହୁଅ ଅର୍ଥାତ୍ ମୋଠାରେ ଅତିଶୟ ପ୍ରେମ ସ୍ଥାପନାକାରୀ ହୁଅ, ମୋଠାରେ ମନୋନିବେଶ କର ।
ତଥାପି ତାହାର ବିଶେଷତା ବତାଇ ପୁନଶ୍ଟ କହୁଛନ୍ତି— ମୋର ଯଜନ(ପୂଜନ)କାରୀ- ଅସୀମ, ଅତିଶୟ ପ୍ରିୟ ମୋତେ ଅନୁଭବ କରିପାରୁଥିବା କାରଣରୁ କରାଯିବାଯୋଗ୍ୟ ପୂଜକ (ମୋର ପୂଜନ ପରାୟଣ) ହୋଇଯାଅ ।
ପରିପୂର୍ଣ୍ଣ ଅବଶିଷ୍ଟ ବୃତ୍ତି(ଭଗବାନଙ୍କର ପୂର୍ଣ୍ଣ ଅଧୀନତା)ର ନାମ ଯଜନ ଅଟେ, କାହିଁକି ନାଁ ଔପଚାରିକ, ସାଂସ୍ପର୍ଶିକ ତଥା ଅାଭ୍ୟବହାରିକ ଆଦି ସମସ୍ତ ଭୋଗମାନଙ୍କୁ ପ୍ରଦାନ କରିବା ହିଁ ଯୋଗ ଅଟେ । ( ଆଦର ସତ୍କାର ଉପଚାର ଆଦି ଦ୍ୱାରା ଯାହାକୁ ସୁଖ ମିଳିଥାଏ, ସେଗୁଡିକର ନାମ ଔପଚାରିକ । ସ୍ପର୍ଶ ଦ୍ୱାରା ଯେଉଁ ବସ୍ତୁମାନଙ୍କର ସୁଖ ମିଳେ, ତାହାର ନାମ ସାଂସ୍ପର୍ଶିକ । ଖାଦ୍ୟ ପାନୀୟ ଆଦି ଦ୍ୱାରା ଯେଉଁ ବସ୍ତୁମାନଙ୍କର ସୁଖ ମିଳିଥାଏ, ତାହା ଅାଭ୍ୟବହାରିକ । ଏଠାରେ ଏହି ତିନୋଟିଯାକ ଶବ୍ଦର ପ୍ରୟୋଗ କରି ପୂଜନ ବିଷୟକ ସବୁ ପ୍ରକାରର ବିବିଧ ସାମଗ୍ରୀମାନଙ୍କୁ ତହିଁରେ ସନ୍ନିବେଶ କରାଯାଇଛି ।) କହିବାର ତାତ୍ପର୍ଯ୍ୟ ହେଉଛି— ଯେଉଁଭଳି ମୋର ଅନୁଭବ ଜନିତ ଅପାର ଅତିଶୟ ପ୍ରୀତି ପରବଶ ହୋଇ କରିବାଯୋଗ୍ୟ ମୋର ପୂଜନ ପରାୟଣ ହୋଇଯାଅ, ସେ ପ୍ରକାରେ ମନୋନିବେଶକାରୀ ମଧ୍ୟ ହୋଇଯାଅ ।
ଆହୁରି ମଧ୍ୟ ସେ ସବୁର ବିଶେଷତା ବର୍ଣ୍ଣନାକରି କହୁଛନ୍ତି—ମୋତେ ନମସ୍କାର କର, ଅପାର ଅତିଶୟ ମୋର ଅନୁଭବରୁ ଉତ୍ପନ୍ନ ଅତ୍ୟନ୍ତପ୍ରିୟ ପରିପୂର୍ଣ୍ଣ ଅଧୀନତା ଭାବରେ ସର୍ବଥା ରତ ରହି ମୋତେ (ଅନ୍ତର୍ଯ୍ୟାମୀଙ୍କୁ) ପରମେଶ୍ୱର ଜ୍ଞାନରେ ଅତ୍ୟନ୍ତ ନମ୍ରତାର ସହିତ ନିଶ୍ଚୟ କରିନିଅ ।
ମୁଁ ଯାହାଙ୍କର ପରମ ଅୟନ ଅଟେ— ଆଶ୍ରୟ ଅଟେ, ତାହାର ନାମ ‘ମତ୍ ପରାୟଣ’ ଅର୍ଥାତ୍ ମୋ ବିନା ଜୀବନ ଧାରଣ କରିବା ଅସମ୍ଭବ ମନେକରି ଯିଏ କେବଳ ମୋର ଆଶ୍ରିତ ହୋଇଯାଏ, ସେ ମତ୍ ପରାୟଣ ।
ଏହି ପ୍ରକାରେ ମନକୁ ଏକାଗ୍ରକରି ମତ୍ ପରାୟଣ ହୋଇଥିବା— ଏ ପ୍ରକାର ଅସୀମ ଅତିଶୟ ପ୍ରୀତି ସାହାଯ୍ୟରେ ମୋର ଅନୁଭବ କରିବାରେ ସମର୍ଥ ମନକୁ ପାଇ ତୁମେ ମୋତେ ହିଁ ପ୍ରାପ୍ତ ହୋଇପାରିବ । ଏଠାରେ ‘ଆତ୍ମା’ ଶବ୍ଦ ‘ମନ’ର ବାଚକ ଅଟେ । ଏପରି କହିବାର ଅଭିପ୍ରାୟ ହେଉଛି କି ଏହି ପ୍ରକାରେ ମନ ଦ୍ୱାରା ମୋତେ ଧ୍ୟାନକରି, ମୋର ଅନୁଭବ କରି, ମୋର ପୂଜନ କରି, ମୋତେ ନମସ୍କାର କରି, ମୋ ପରାୟଣ ହୋଇ ତୁମେ ମୋତେ ହିଁ ପ୍ରାପ୍ତ ହେବ ।
ଏହିଭଳି ତୁମେ ପୂର୍ଣ୍ଣମାତ୍ରାରେ ମୋର ଅଧୀନତା ରୂପକ ସ୍ୱଭାବଯୁକ୍ତ ହୋଇ ଶରୀର ନିର୍ବାହ କରିବା ଉଦ୍ଦେଶ୍ୟରେ ମୁଁ ଲୌକିକ ଏବଂ ନିତ୍ୟ ନୈମିତ୍ତିକ ବୈଦିକ କର୍ମମାନଙ୍କୁ ତୁମଦ୍ୱାରା କରାଉଅଛି, ଏପରି ବୁଝି ମୋର ପ୍ରୀତି ନିମନ୍ତେ ଆଚରଣ କରୁଥାଅ । ନିରନ୍ତର ମୋର କୀର୍ତ୍ତନ, ପୂଜନ ଏବଂ ନମସ୍କାର ଆଦି ପ୍ରୀତି ପୂର୍ବକ କରିଚାଲ । ପୁନଶ୍ଚ ମୁଁ ଯାହାଙ୍କର ନିୟାମକ(ପରିଚାଳକ) ଅଟେ, ସେପରି ଏ ସମସ୍ତ ଜଗତ ଏକାକୀ ମୋ ଅଧୀନରେ ରହିବା ତାହାର ସ୍ୱଭାବ ଅଟେ, ଏହାକୁ ବୁଝୁଥାଅ । ଏ ପ୍ରକାର ଅତ୍ୟନ୍ତ ପ୍ରିୟ ମୋର ଗୁଣମାନଙ୍କୁ ଅନୁସନ୍ଧାନ କରି ପ୍ରତିଦିନ ସେହି ପ୍ରକାରେ(ଯେପରି କୁହାଯାଉଛି) ମୋର ଉପାସନା କରିପାରିଲେ ମୋତେ ପ୍ରାପ୍ତ ହୋଇପାରିବ ।।୩୪।।
ଏହିଭଳି ଶ୍ରୀମଦ୍ ଭଗବାନ୍ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଗୀତା-ଭାଷ୍ୟର
ଉତ୍କଳାନୁବାଦ ରୂପକ ନବମ ଅଧ୍ୟାୟ ସମାପ୍ତ ହେଲା ।।
Be First to Comment