Last updated on February 6, 2021
ଶ୍ରୀମଦ୍ଭଗବଦ୍ ଗୀତା (ନବମ ଅଧ୍ୟାୟ)
ଅଷ୍ଟମ ଅଧ୍ୟାୟରେ ସୁଷୁମ୍ନା ନାଡୀ ଦ୍ୱାରା ଅଙ୍ଗସହିତ ଧାରଣାଯୋଗ ବର୍ଣ୍ଣନ କରାଯାଇଛି ଏବଂ ତାହାର ଫଳ ଅଗ୍ନି, ଜ୍ୟୋତି ଆଦି ପ୍ରାପ୍ତି କ୍ରମରେ କାଳାନ୍ତରରେ ବ୍ରହ୍ମ ପ୍ରାପ୍ତିରୂପ ଏବଂ ଅପୁନରାବୃତ୍ତିରୂପ ଭାବରେ ଦେଖାଯାଇଛି ।
ସେଠାରେ(ଏଭଳି ଶଙ୍କା ହୋଇଥାଏ କି) କଣ ଏଭଳି ସାଧନ କରିବାରେ ମୋକ୍ଷ ପ୍ରାପ୍ତିରୂପ ଫଳ ମିଳିଥାଏ, ଅନ୍ୟ କୌଣସି ପ୍ରକାରେ ମିଳେନାହିଁ ? ଏହି ଶଙ୍କା ନିବୃତ୍ତି କରିବାର ଇଚ୍ଛାରେ ଭଗବାନ୍ କହୁଛନ୍ତି—
ଯେଉଁ ବ୍ରହ୍ମଜ୍ଞାନ ବିଷୟରେ ଆଗକୁ କୁହାଯିବ ଆଉ ଯାହା ପୂର୍ବ ଅଧ୍ୟାୟ ମାନଙ୍କରେ ମଧ୍ୟ କୁହାଯାଇଛି, ତାହାକୁ ବୁଦ୍ଧି ସମ୍ମୁଖରେ ରଖି ଏଠାରେ ‘ଇଦମ୍’ ଶବ୍ଦର ପ୍ରୟୋଗ କରିଛନ୍ତି । ‘ତୁ’ ଶବ୍ଦ ଅନ୍ୟାନ୍ୟ ଜ୍ଞାନରୁ ଏହାକୁ ପୃଥକ୍ କରି ବିଶେଷତା ସହକାରେ ଲକ୍ଷ୍ୟ କରିବା ନିମନ୍ତେ ହୋଇଥାଏ ।
ଏହି ଯଥାର୍ଥ ଜ୍ଞାନ ସାକ୍ଷାତ୍ ମୋକ୍ଷ ପ୍ରାପ୍ତିର ସାଧନ ଅଟେ । ଯାହା କି ‘ସବୁକିଛି ବାସୁଦେବ ଅଟନ୍ତି’, ‘ଆତ୍ମା ହିଁ ଏ ସମସ୍ତ ଜଗତ୍ ଅଟେ’, ‘ବ୍ରହ୍ମ ଅଦ୍ୱିତୀୟ ଏକକ ଅଟନ୍ତି’ ଇତ୍ୟାଦି ଶ୍ରୁତି-ସ୍ମୃତି ଆଦିରେ ବର୍ଣ୍ଣିତ ହୋଇଛି(ଏତଦତିରିକ୍ତ) ଅନ୍ୟ କିଛି(ମୋକ୍ଷର ସାଧନ) ନୁହେଁ । ‘ଯିଏ ଏହାଠାରୁ ବିପରୀତ ଅନ୍ୟ କିଛି ଜାଣିଥାନ୍ତି, ସେହି ନିଜଠାରୁ ଭିନ୍ନ ନିଜର ସ୍ୱାମୀ ମାନୁଥିବା ମନୁଷ୍ୟ ବିନାଶଶୀଳ ଲୋକକୁ ପାପ୍ତ ହୋଇଥାନ୍ତି’ ଇତ୍ୟାଦି ଶ୍ରୁତିରେ ମଧ୍ୟ ଏହା ସିଦ୍ଧ ହୋଇଛି ।
ତୁମ ଭଳି ଅସୂୟାରହିତ ଭକ୍ତକୁ ମୁଁ ଏହି ଗୋପନୀୟ ବିଷୟ କହିବି ।
ତାହା କଣ ଅଟେ ? ଜ୍ଞାନ । କିଭଳି ଜ୍ଞାନ ? ବିଜ୍ଞାନ ସହିତ ଅର୍ଥାତ୍ ଅନୁଭବ ସହିତ ଜ୍ଞାନ ।
ଯେଉଁ ଜ୍ଞାନକୁ ବୋଧ ହୋଇ ଅର୍ଥାତ୍ ପ୍ରାପ୍ତହୋଇ ତୁମେ ସଂସାରରୂପ ବନ୍ଧନରୁ ମୁକ୍ତ ହୋଇଯିବ । ୧ ॥
ସେହି ଜ୍ଞାନ—
ଅତିଶୟ ପ୍ରକାଶଯୁକ୍ତ ହେବା କାରଣରୁ ସମସ୍ତ ବିଦ୍ୟାମଧ୍ୟରେ ରାଜା ଅଟେ । ବ୍ରହ୍ମବିଦ୍ୟା ସମସ୍ତ ବିଦ୍ୟା ମଧ୍ୟରେ ଅତିଶୟ ଦେଦୀପ୍ୟମାନ, ଏହା ପ୍ରସିଦ୍ଧ ଅଟେ ।
ତଥା(ଏହି ଜ୍ଞାନ) ସମସ୍ତ ଗୁପ୍ତରଖିବା ଯୋଗ୍ୟ ଭାବର ମଧ୍ୟ ରାଜା ଅଟେ ଏବଂ ଏହା ବଡ ପବିତ୍ର ଓ ଉତ୍ତମ ମଧ୍ୟ ଅଟେ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ରକାରୀଙ୍କୁ ପବିତ୍ର କରୁଥିବା ଏହି ବ୍ରହ୍ମଜ୍ଞାନ ସବୁଠାରୁ ଉତ୍କୃଷ୍ଟ ଅଟେ । ଯାହା ଅନେକ ସହସ୍ର ଜନ୍ମରେ ପୁଞ୍ଜୀଭୂତ ପୁଣ୍ୟ-ପାପାଦି କର୍ମକୁ କ୍ଷଣମାତ୍ରକେ ମୂଳସହିତ ଭସ୍ମ କରିଦିଏ, ତାହାର ପବିତ୍ରତା କଥା କଣ କହିବା ?
ଏଥିସହିତ ଏହି ଜ୍ଞାନ ପ୍ରତ୍ୟକ୍ଷ ଅନୁଭବ ସିଦ୍ଧ ଅର୍ଥାତ୍ ସୁଖ ଆଦି ଭଳି ଯାହାର ପ୍ରତ୍ୟକ୍ଷ ଅନୁଭବ ହୋଇପାରେ, ସେହିଭଳି ଅଟେ ।
ଅନେକ ଗୁଣଯୁକ୍ତ ବସ୍ତୁରେ ମଧ୍ୟ ଧର୍ମର ବିରୋଧଭାବ ଦେଖାଯାଇଥାଏ, କିନ୍ତୁ ଆତ୍ମଜ୍ଞାନ ତା’ଭଳି ଧର୍ମବିରୋଧୀ ନୁହେଁ ବରଂ ଧର୍ମ୍ୟ- ଧର୍ମମୟ ଅଟେ ଅର୍ଥାତ୍ ଧର୍ମରେ ଯୁକ୍ତ ଅଟେ ।
ଏଭଳି ପଦାର୍ଥ ମଧ୍ୟ ଦୁଃସମ୍ପାଦ୍ୟ(ପ୍ରାପ୍ତ କରିବା ଅତ୍ୟନ୍ତ କଠିନ) ହୋଇଥାଏ । ଅତଃ କୁହାଯାଏ କି, ସେହି ଜ୍ଞାନରତ୍ନ ବିବେକ-ବିଜ୍ଞାନ ଭଳି ବୋଧହେବା ଅତି ସୁଗମ ଅଟେ ।
କିନ୍ତୁ ସଂସାରରେ ଅଳ୍ପ ପରିଶ୍ରମରେ ସୁଖପୂର୍ବକ ସମ୍ପନ୍ନ ହେଉଥିବା କର୍ମର ଅଳ୍ପ ଫଳ ଏବଂ କଠିନ ପୂର୍ବକ ସମ୍ପନ୍ନ ହେଉଥିବା କର୍ମର ମହାନ୍ ଫଳ ଦେଖାଯାଇଛି, ଅତଃ ଏହି ଜ୍ଞାନ ମଧ୍ୟ ସୁଗମତାରେ ସମ୍ପନ୍ନ ହେଉଥିବା କାରଣରୁ ଫଳ କ୍ଷୟ ହେଲେ କ୍ଷୀଣ ହୋଇଯିବ, ଏଭଳି ଶଙ୍କା ପ୍ରାପ୍ତ ହେଲେ କୁହାଯାଇପାରେ କି—
ଏହି ଜ୍ଞାନ ଅବ୍ୟୟ ଅଟେ ଅର୍ଥାତ୍ କର୍ମ ଭଳି ଫଳ ନାଶ ଦ୍ୱାରା ଏହାର ନାଶ ହୁଏନାହିଁ । ଅତଃ ଏହି ଆତ୍ମଜ୍ଞାନ ଶ୍ରଦ୍ଧାଯୋଗ୍ୟ ଅଟେ । ୨ ॥
କିନ୍ତୁ ଯିଏ—
ଏହି ଆତ୍ମଜ୍ଞାନରୂପ ଧର୍ମ ପ୍ରତି ଶ୍ରଦ୍ଧାରହିତ ଅଟେ ଅର୍ଥାତ୍ ଏହାର ସ୍ୱରୂପ ଆଉ ଫଳ ପ୍ରତି ଆସ୍ତିକ ଭାବରହିତ ଅଟେ—ନାସ୍ତିକ ଅଟେ, ସେହି ଅାସୁରିକ ସିଦ୍ଧାନ୍ତର ଅନୁବର୍ତ୍ତନକାରୀ ଦେହମାତ୍ରକୁ ହିଁ ଆତ୍ମା ବୋଧକରୁଥିବା ଏବଂ ପାପାଚାରୀ, ଇନ୍ଦ୍ରିୟଲୋଲୁପ ମନୁଷ୍ୟ, ଆହେ ପରନ୍ତପ ! ମୋତେ(ପରମେଶ୍ୱର ପରମାତ୍ମାଙ୍କୁ) ପ୍ରାପ୍ତ ନ ହୋଇ- ମୋ ପ୍ରାପ୍ତି ତ ସେମାନଙ୍କ ପାଇଁ ଆଶଙ୍କା ମଧ୍ୟ ହୋଇ ପାରିବ ନାହିଁ, ମୋ ପ୍ରାପ୍ତିଜନିତ ମାର୍ଗର ସାଧନରୂପ ଭେଦଭକ୍ତିକୁ ମଧ୍ୟ ପ୍ରାପ୍ତ ନ ହୋଇ ସେମାନେ ନିଶ୍ଚିତ ଭ୍ରମିତ ହେଉଥିବେ ।
େକଉଁଠାରେ ଭ୍ରମିତ ହେଉଥିବେ ? ମୃତ୍ୟୁଯୁକ୍ତ ସଂସାର ମାର୍ଗରେ ଅର୍ଥାତ୍ ଯେଉଁ ସଂସାର ମୃତ୍ୟୁଯୁକ୍ତ ଅଟେ ସେହି ମୃତ୍ୟୁ ସଂସାରର ନର୍କ ଓ ପଶୁ-ପକ୍ଷୀ ଆଦି ଯୋନି ପ୍ରାପ୍ତିରୂପ ମାର୍ଗରେ ସେମାନେ ବାରମ୍ବାର ଭ୍ରମିତ ହୁଅନ୍ତି ।।୩।।
ଏହିଭଳି ଜ୍ଞାନର ପ୍ରଶଂସା ଦ୍ୱାରା ଅର୍ଜ୍ଜୁନଙ୍କୁ ଲକ୍ଷ୍ୟ କରି କହୁଛନ୍ତି—
ମୋ (ଅବ୍ୟକ୍ତରୂପ ପରମାତ୍ମାଙ୍କ) ଦ୍ୱାରା ଅର୍ଥାତ୍ ମୋର ଯେଉଁ ପରମଭାବ ରହିଛି, ଯାହାର ସ୍ୱରୂପ ପ୍ରତ୍ୟକ୍ଷ ନୁହେଁ ଅର୍ଥାତ୍ ମନ, ବୁଦ୍ଧି ଓ ଇନ୍ଦ୍ରିୟର ବିଷୟ ନୁହେଁ, ଏଭଳି ମୋ(ଅବ୍ୟକ୍ତ ମୂର୍ତ୍ତି) ଦ୍ୱାରା ଏହି ସମସ୍ତ ଜଗତ୍ ବ୍ୟାପ୍ତ ଅଟେ— ପରିପୂର୍ଣ୍ଣ ଅଟେ ।
ସେହି ଅବ୍ୟକ୍ତସ୍ୱରୂପ ମୋ(ପରମାତ୍ମାଙ୍କ)ଠାରେ ବ୍ରହ୍ମାଦିଙ୍କ ଠାରୁ ନେଇ ସ୍ତମ୍ବପର୍ଯ୍ୟନ୍ତ ସମସ୍ତ ପ୍ରାଣୀ ସ୍ଥିତ ଅଟନ୍ତି ।
କାହିଁକି ନାଁ କୌଣସି ବି ନିର୍ଜୀବ ପ୍ରାଣୀ ବ୍ୟବହାର ହେବାଭଳି ବୋଧହୁଅନ୍ତି ନାହିଁ । ଅତଃ ସେ ସବୁକିଛି ମୋଠାରେ ସ୍ଥିତ ଅଟନ୍ତି ଅର୍ଥାତ୍ ମୋ(ପରମାତ୍ମାଙ୍କ)ଠାରେ ହିଁ ଆତ୍ମବାନ୍ ହୋଇଥାନ୍ତି, ଏଇଥିପାଇଁ ମୋଠାରେ ସ୍ଥିତ ଥିବା କୁହାଯାଏ ।
ସେହି ଭୂତଗଣଙ୍କର ବାସ୍ତବିକ ସ୍ୱରୂପ ମୁଁ ହିଁ ଅଟେ, ଅତଃ ଅଜ୍ଞାନୀଙ୍କୁ ଏଭଳି ପ୍ରତୀତ ହୋଇଥାଏ କି ମୁଁ ତାଙ୍କ ଠାରେ ସ୍ଥିତ, ଅତଃ କହୁଛି କି, ମୁଁ ,େସହି ଭୂତଗଣଙ୍କ ମଧ୍ୟରେ ନଥାଏ । କାହିଁକି ନାଁ ସାକାର ବସ୍ତୁ ଭଳି ମୋଠାରେ ସଂସର୍ଗ ଦୋଷ ନାହିଁ । ଏଥିପାଇଁ ମୁଁ ବିନା ସଂସର୍ଗରେ ସୂକ୍ଷ୍ମଭାବରେ ଆକାଶ ମଧ୍ୟରେ ବି ଅନ୍ତର୍ବ୍ୟାପୀ ରହିଛି । ସଙ୍ଗହୀନ ବସ୍ତୁ କୌଣସି ଠାରେ ଆଧେୟଭାବରେ ସ୍ଥିତ ହୋଇପାରେ ନାହିଁ, ଏଭଳି ପ୍ରସିଦ୍ଧି ରହିଛି ।।୪।।
ମୁଁ ଅସଂସର୍ଗୀ ଅଟେ, ଏଥିପାଇଁ କହୁଛି—
(ବାସ୍ତବରେ) ବ୍ରହ୍ମାଦି ସମସ୍ତ ପ୍ରାଣୀ ମଧ୍ୟ ମୋଠାରେ ସ୍ଥିତ ନୁହଁନ୍ତି, ତୁମେ ମୋର ଏହି ଈଶ୍ୱରୀୟ ଯୋଗ-ଯୁକ୍ତି-ଘଟଣାକୁ ଦେଖ ଅର୍ଥାତ୍ ମୋ(ଈଶ୍ୱରଙ୍କ) ଯୋଗକୁ ଅଥବା ଯଥାର୍ଥ ଆତ୍ମତତ୍ତ୍ୱକୁ ବୁଝ । ‘ସଂସର୍ଗରହିତ ଆତ୍ମା କେଉଁଠି ବି ଲିପ୍ତ ହୁଏନାହିଁ’ ଏହା ଶ୍ରୁତି ମଧ୍ୟ ସଂସର୍ଗରହିତ ହୋଇଥିବା କାରଣରୁ (ଆତ୍ମାର) ନିର୍ଲେପତା ଦୃଷ୍ଟ ହୁଏ ।
ଏହା ଆହୁରି ବି ଆଶ୍ଚର୍ଯ୍ୟ ଦେଖ କି, ଭୂତଭାବନ ମୋର ଆତ୍ମା ସଂସର୍ଗରହିତ ହୋଇ ମଧ୍ୟ ଭୂତଗଣଙ୍କର ଭରଣପୋଷଣ କରିଥାଏ କିନ୍ତୁ ଭୂତଗଣଙ୍କଠାରେ ସ୍ଥିତ ନୁହେଁ । କାହିଁକି ନାଁ ପରମାତ୍ମା ଭୂତମଧ୍ୟରେ ସ୍ଥିତ ହେବା ସମ୍ଭବ ନୁହେଁ, ଏହି କଥା ଉପରୋକ୍ତ ନ୍ୟାୟ ଦ୍ୱାରା ସ୍ପଷ୍ଟ ଭାବେ ଦେଖାଯାଇଛି ।
ପୂ.— (ଯେତେବେଳେ କି ଆତ୍ମା ନିଜଠାରୁ ଭିନ୍ନ କୌଣସି ଅନ୍ୟ ବସ୍ତୁ ନୁହେଁ) ତେବେ ‘ମୋ ଆତ୍ମା’ ଏଭଳି କିପରି କୁହାଯାଇଥାଏ ?
ଉ.— ଲୌକିକ ବୁଦ୍ଧିର ଅନୁକରଣ କରି ଦେହାଦି ସଂଘାତକୁ ଆତ୍ମାରୁ ଭିନ୍ନକରି, ପୁଣି ସେଥିରେ ଅହଂକାରର ଅଧ୍ୟାରୋପ କରି, ‘ମୋର ଆତ୍ମା’ ଏଭଳି କହିଥାନ୍ତି, ଆତ୍ମା ସ୍ୱୟଂ ନିଜଠାରୁ ଭିନ୍ନ ଅଟେ, ଏଭଳି ବୋଧହୋଇ ଲୋକମାନଙ୍କ ଭଳି ଅଜ୍ଞାନପୂର୍ବକ ଏହିଭଳି କହିନଥାନ୍ତି ।
ଯିଏ ଭୂତଗଣଙ୍କୁ ପ୍ରକଟ କରିଥାନ୍ତି— ଉତ୍ପନ୍ନ କରିଥାନ୍ତି ଅବା ବୃଦ୍ଧି କରିଥାନ୍ତି, ତାଙ୍କୁ ଭୂତଭାବନ କୁହାଯାଏ ।।୫।।
ଉପରୋକ୍ତ ଦୁଇଟି ଶ୍ଳୋକ ଦ୍ୱାରା କୁହାଯାଇଥିବା ଅର୍ଥକୁ ଦୃଷ୍ଟାନ୍ତ ଦ୍ୱାରା ସିଦ୍ଧ କରି କହୁଛନ୍ତି—
ଲୋକାଚାରରେ ଯେଭଳି (ଏହା ପ୍ରସିଦ୍ଧ ଅଟେ କି) ସର୍ବତ୍ର ବିଚରଣକାରୀ ପରିମାଣରେ ଅତି ମହାନ୍ ବାୟୁ ସର୍ବଦା ଆକାଶରେ ହିଁ ସ୍ଥିତ ହୋଇଥାଏ, ସେହିଭଳି ଆକାଶ ସମ ସର୍ବତ୍ର ପରିପୂର୍ଣ୍ଣ ମୋ(ପରମାତ୍ମାଙ୍କ) ଠାରେ ସମସ୍ତ ଭୂତ ନିର୍ଲିପ୍ତଭାବରେ ସ୍ଥିତ ଅଟେ, ଏହିଭଳି ତୁମେ ଜାଣ ।।୬।।
ଏହିଭଳି ଜଗତର ସ୍ଥିତିକାଳରେ, ଆକାଶରେ ବାୟୁ ଭଳି, ମୋଠାରେ ସ୍ଥିତ ଯେଉଁ ସମସ୍ତ ଭୂତ ରହିଛନ୍ତି, ସେମାନେ—
ହେ କୁନ୍ତୀପୁତ୍ର ! ପ୍ରାଣୀ ସମୂହ ପ୍ରଳୟକାଳରେ ମୋର ତ୍ରିଗୁଣମୟୀ-ଅପରା ନିକୃଷ୍ଟ ପ୍ରକୃତିକୁ ପ୍ରାପ୍ତ ହୋଇଯାଆନ୍ତି ଆଉ ପୁନରାୟ କଳ୍ପ ଆରମ୍ଭରେ ଅର୍ଥାତ୍ ଉତ୍ପତ୍ତିକାଳରେ ମୁଁ ପୂର୍ବଭଳି ପୁନଃ ସେହି ପ୍ରାଣୀଗଣଙ୍କର ରଚନା କରିଥାଏ— ଉତ୍ପନ୍ନ କରିଥାଏ ।।୭।।
ଏହିଭଳି ଅବିଦ୍ୟାରୂପ—
ନିଜ ପ୍ରକୃତିକୁ ବଶ କରି ମୁଁ ପ୍ରକୃତିରୁ ଉତ୍ପନ୍ନ ଏହି ବିଦ୍ୟମାନ ସମଗ୍ର ଅସ୍ୱତନ୍ତ୍ର ଭୂତସମୁଦାୟକୁ, ଯିଏକି ସ୍ୱଭାବବଶତଃ ଅବିଦ୍ୟାଦି ଦୋଷର ଅଧୀନ (ପରବଶ) ହେଉଛନ୍ତି, ତାଙ୍କୁ ବାରମ୍ବାର ସୃଷ୍ଟି କରିଥାଏ ।।୮।।
ତେବେ ତ ଭୂତ ସମୁଦାୟକୁ ବିଷମ ସୃଷ୍ଟି କରିଥିବା ଆପଣ ପରମେଶ୍ୱରଙ୍କର ସେହି ବିଷମ ରଚନାଜନିତ ପୁଣ୍ୟ-ପାପ ସହିତ ମଧ୍ୟ ସମ୍ବନ୍ଧ ରହିଥିବ ? ଏଭଳି ଶଙ୍କା ହେବାରୁ ଭଗବାନ୍ ଏହିଭଳି କହିଲେ—
ହେ ଧନଞ୍ଜୟ ! ଭୂତ ସମୁଦାୟର ବିଷମ ରଚନା ନିମିତ୍ତକ ସେହି କର୍ମ ମୋତେ(ଈଶ୍ୱରଙ୍କୁ) ବନ୍ଧନ ଗ୍ରସ୍ତ କରେନାହିଁ ।
ସେହି କର୍ମରେ ସମ୍ବନ୍ଧିତ ନଥିବା କାରଣରୁ କହୁଛି—
ମୁଁ ସେହି କର୍ମରେ ଉଦାସୀନ ଭଳି ସ୍ଥିତ ରହିଥାଏ ଅର୍ଥାତ୍ ଆତ୍ମା ନିର୍ବିକାର, ଅତଃ ଯେଭଳି କେହି ଉଦାସୀନ- ଉପେକ୍ଷାକାରୀ ସ୍ଥିତ ଅଛନ୍ତି, ସେହିଭଳି ମୁଁ ସ୍ଥିତ ରହିଥାଏ । ତଥା ସେହି କର୍ମଜନିତ ଫଳାସକ୍ତି ଏବଂ ‘ମୁଁ କରୁଛି’-ଏହି ଅଭିମାନରୁ ମଧ୍ୟ ମୁଁ ରହିତ ଅଟେ(ଏହି କାରଣରୁ ସେହି କର୍ମ ମୋତେ ବନ୍ଧନଗ୍ରସ୍ତ କରେନାହିଁ) ।
ଏଥିରୁ ଏହି ଅଭିପ୍ରାୟ ବୁଝିବା ଆବଶ୍ୟକ କି, କର୍ତ୍ତାପଣର ଅଭିମାନର ଅଭାବ ଓ ଫଳସମ୍ବନ୍ଧୀ ଆସକ୍ତିର ଅଭାବ ଅପରକୁ ମଧ୍ୟ ବନ୍ଧନରହିତ କରିପାରିଥାଏ । ଏତଦ୍ଭିନ୍ନ ଅନ୍ୟପ୍ରକାରେ କରାଯାଉଥିବା କର୍ମ ଦ୍ୱାରା ମୂର୍ଖଲୋକେ କୋଶ ଆକାରରେ(ରେଶମ କୀଟ)— ଭଳି ବନ୍ଧନରେ ପତିତ ହୋଇଥାନ୍ତି ।।୯।।
ଏଠାରେ ଏଭଳି ଶଙ୍କା ହୋଇଥାଏ କି ‘ଏହି ଭୂତସମୁଦାୟକୁ ମୁଁ ରଚନା କରିଛି, ତଥା ମୁଁ ଉଦାସୀନ ଭଳି ସ୍ଥିତ ରହିଥାଏ’ ଏଭଳି କହିବା ପରସ୍ପର ବିରୁଦ୍ଧ ଅଟେ ।
ଏହି ଶଙ୍କାର ନିବାରଣ ନିମିତ୍ତ କହୁଛି—
ସର୍ବଦିଗରୁ ଦ୍ରଷ୍ଟାମାତ୍ର ଯାହାର ସ୍ୱରୂପ ଅଟେ, ଏଭଳି ନିର୍ବିକାରସ୍ୱରୂପ ମୋ ଭଳି ଅଧିଷ୍ଠାତାଙ୍କ ଦ୍ୱାରା (ପ୍ରେରିତ ହୋଇ) ଅବିଦ୍ୟାରୂପ ମୋର ତ୍ରିଗୁଣମୟୀ ମାୟା-ପ୍ରକୃତି ସମସ୍ତ ଚରାଚର ଜଗତକୁ ଉତ୍ପନ୍ନ କରିଥାଏ ।
ବେଦମନ୍ତ୍ର ମଧ୍ୟ ଏଭଳି କହିଥାନ୍ତି କି— ‘ସମସ୍ତ ଭୂତ ମଧ୍ୟରେ ଅଦୃଶ୍ୟଭାବରେ ସ୍ଥିତ ଜଣେମାତ୍ର ଦେବ ଅଛନ୍ତି, ଯିଏ କି ସର୍ବବ୍ୟାପୀ ଏ ସମ୍ପୂର୍ଣ୍ଣ ଭୂତଗଣର ଅନ୍ତରାତ୍ମା ତଥା କର୍ମ ସମୂହର ସ୍ୱାମୀ, ସମସ୍ତ ଭୂତର ଆଧାର, ସାକ୍ଷୀ, ଚେତନ, ଶୁଦ୍ଧ ଓ ନିର୍ଗୁଣ ଅଟନ୍ତି ।'(ଶ୍ୱେ. ଉ. -୬-୧୧)
ହେ କୁନ୍ତୀପତ୍ର ! ଏହି କାରଣରୁ ଅର୍ଥାତ୍ ମୁଁ ଏହାର ଅଧ୍ୟକ୍ଷ ଅଟେ, ଅତଃ ଚରାଚରସହିତ ସାକାର-ନିରାକାରରୂପ ସମସ୍ତ ଜଗତ୍ ସର୍ବାବସ୍ଥାରେ ପରିବର୍ତ୍ତିତ ହୋଇ ଚାଲିଥାଏ,
କାହିଁକି ନାଁ ଜଗତର ସମସ୍ତ ପ୍ରବୃତ୍ତି ସାକ୍ଷୀ-ଚେତନ ବିଷୟକ ଜ୍ଞାନ ହେବାନିମିତ୍ତ ଉଦ୍ଦିଷ୍ଟ । ମୁଁ ଏହା ଖାଇବି, ତାହା ଦେଖୁଛି, ଏହା ଶୁଣୁଛି, ଅମୁକ ସୁଖ ଅନୁଭବ କରୁଛି, ଦୁଃଖ ଅନୁଭବ କରୁଛି, ତା ପାଇଁ ଅମୁକ କାର୍ଯ୍ୟ କରୁଛି, ଆ ପାଇଁ ଅମୁକ କାର୍ଯ୍ୟ କରିବି, ଅମୁକ ବସ୍ତୁକୁ ଜାଣିବି ଇତ୍ୟାଦି ଜଗତର ସମସ୍ତ ପ୍ରବୃତ୍ତି ଜ୍ଞାନାଧୀନ ଆଉ ଜ୍ଞାନରେ ହିଁ ବିଲୟ ହୋଇଥାଏ ।
‘ଯିଏ ଏହି ଜଗତର ଅଧ୍ୟକ୍ଷ ସାକ୍ଷୀ ଚେତନ ଅଟନ୍ତି, ସେ ପରମ ହୃଦୟାକାଶରେ ସ୍ଥିତ ଅଟନ୍ତି’ (ତୈ.ବ୍ରା. -୨-୮-୯) ଇତ୍ୟାଦି ମନ୍ତ୍ର ମଧ୍ୟ ଏହିଭଳି ଅର୍ଥ ପ୍ରକାଶ କରିଥାଏ ।
େଯତେବେଳେ କି ସମସ୍ତଙ୍କର ଅଧ୍ୟକ୍ଷରୂପ ଚୈତନ୍ୟମାତ୍ର ଏକ ଦେବ ବାସ୍ତବରେ ସମସ୍ତ ଭୋଗ ସମ୍ବନ୍ଧରହିତ ଅଟନ୍ତି ଆଉ ତଦ୍ଭିନ୍ନ ଆନ ଚେତନ ନ ହେବା କାରଣରୁ ଅପର ଭୋକ୍ତାର ଅଭାବ ଘଟେ, ତେବେ ଏହି ସୃଷ୍ଟି କାହା ପାଇଁ ଉଦ୍ଦିଷ୍ଟ ? ଏହି ପ୍ରକାର ପ୍ରଶ୍ନ ଓ ତାହାର ଉତ୍ତର— ଏହି ଉଭୟ ହିଁ ହୋଇପାରିବ ନାହିଁ (ଅର୍ଥାତ୍ ଏହି ବିଷୟ ଅନିର୍ବଚନୀୟ ଅଟେ) ।
‘(ଏହାକୁ) ସାକ୍ଷାତ୍ କିଏ କରିଛନ୍ତି— ଏହି ବିଷୟରେ କିଏ ବର୍ଣ୍ଣନା କରିପାରିବ ? ଏହି ଜଗତ କେଉଁଠାରୁ ସୃଷ୍ଟ ? କେଉଁ କାରଣରୁ ଏହା ସୃଷ୍ଟି ହେଲା ?’ ଇତ୍ୟାଦି ମନ୍ତ୍ରରେ (ଏହି କଥା କୁହାଯାଇଛି) । ଏତଦ୍ଭିନ୍ନ ଭଗବାନ୍ ମଧ୍ୟ କହିଛନ୍ତି କି, ‘ଅଜ୍ଞାନ ଦ୍ୱାରା ଜ୍ଞାନ ଆବୃତ୍ତ ହୋଇ ରହିଛି, ଅତଃ ସମସ୍ତ ଜୀବ ମୋହିତ ହେଉଛନ୍ତି’ ।।୧୦।।
ଏହିଭଳି ମୁଁ ଯଦିଓ ନିତ୍ୟ-ଶୁଦ୍ଧ-ବୁଦ୍ଧ-ମୁକ୍ତ ସ୍ୱଭାବ ତଥା ସମସ୍ତ ପ୍ରାଣୀଗଣଙ୍କର ଆତ୍ମା ଅଟେ, ତାହେଲେ ବି—
ମୂଢ—ଅବିବେକୀ ଲୋକେ ମୋର ସର୍ବଲୋକର ମହାନ ଈଶ୍ୱରରୂପ ପରମଭାବକୁ ଅର୍ଥାତ୍ ସମସ୍ତଙ୍କର ନିଜ ଆତ୍ମାରୂପ ମୁଁ ପରମାତ୍ମା, ସମସ୍ତ ପ୍ରାଣୀଙ୍କର ମହାନ୍ ଈଶ୍ୱର ଅଟେ ଏବଂ ଆକାଶ ଭଳି ବରଂ ଆକାଶ ଅପେକ୍ଷା ମଧ୍ୟ ସୂକ୍ଷ୍ମତର ଭାବରେ ବ୍ୟାପକ ଅଟେ—ଏହି ପରମ ପରମାତ୍ମତତ୍ତ୍ୱକୁ ନ ଜାଣିବା କାରଣରୁ ମୋଭଳି ମନୁଷ୍ୟ ଦେହଧାରୀ ପରମାତ୍ମାଙ୍କୁ ତୁଚ୍ଛ ମନେ କରିଥାନ୍ତି ଅର୍ଥାତ୍ ମନୁଷ୍ୟରୂପେ ଲୀଳା କରୁଥିବାରୁ ମୋତେ(ପରମାତ୍ମାଙ୍କୁ) ଅବଜ୍ଞା-ଅନାଦର କରିଥାନ୍ତି ।
ଅତଃ ମୋତେ ଅର୍ଥାତ୍ ପରମାତ୍ମାଙ୍କୁ ନିରାଦର ଭାବନା ଯୋଗୁଁ ସେହି ପାମର ଜୀବବୃଥାରେ ମୃତ୍ୟୁ ମୁଖରେ ପଡିଥାନ୍ତି ।।୧୧।।
କାହିଁକି ନାଁ—
ସେ ମୋଘାଶା- ଯାହାର ଆଶା-କାମନା ବ୍ୟର୍ଥ ଯାଏ, ଏଭଳି ବ୍ୟର୍ଥ କାମନାକାରୀ ଏବଂ ମୋଘକର୍ମା-ବ୍ୟର୍ଥ କର୍ମକାରୀ ହୋଇଥାନ୍ତି, କାହିଁକି ନାଁ ତାଙ୍କଦ୍ୱାରା ଯାହାକିଛି ଅଗ୍ନିହୋତ୍ରାଦି କର୍ମ କରାଯାଇଥାଏ, ତାହା ସବୁ ନିଜ ଅନ୍ତରାତ୍ମାରୂପ ଭଗବାନଙ୍କ ଅନାଦର କରିବା କାରଣରୁ ନିଷ୍ଫଳ ହୋଇଯାଏ । ଅତଃ ସେ ମୋଘକର୍ମା ହୋଇଥାନ୍ତି ।
ଏତଦତିରିକ୍ତ ସେ ମୋଘଜ୍ଞାନୀ-ନିଷ୍ଫଳ ଜ୍ଞାନସମ୍ପନ୍ନ ହୋଇଥାନ୍ତି, ଅର୍ଥାତ୍ ତାଙ୍କର ଜ୍ଞାନ ମଧ୍ୟ ନିଷ୍ଫଳ ଯାଏ ଆଉ ସେ ବିଚେତା ଅର୍ଥାତ୍ ବିବେକହୀନ ମଧ୍ୟ ହୋଇଥାଆନ୍ତି ।
ତଥା ସେ ମୋହ ଉତ୍ପନ୍ନକାରୀ ଦେହାତ୍ମବାଦିନୀ ରାକ୍ଷସୀ ଓ ଆସୁରୀ ପ୍ରକୃତିକୁ ଅର୍ଥାତ୍ ରାକ୍ଷସ ଓ ଅସୁର ସ୍ୱଭାବର ଆଶ୍ରୟକାରୀ ହୋଇଯାଆନ୍ତି । ଅଭିପ୍ରାୟ ହେଉଛି କି ଚୁରମାର୍ କର, ଫଟାଅ, ପିଅ, ଖାଅ, ଅନ୍ୟର ଧନ ଲୁଣ୍ଠନ କର ଇତ୍ୟାଦି ଆଚରଣକାରୀ ତଥା ଅତି କ୍ରୂର କର୍ମା ହୋଇାଥାଆନ୍ତି । ଶ୍ରୁତି ମଧ୍ୟ କହନ୍ତି କି ”ସେହି ଅସୁରଗଣଙ୍କର ରହିବା ଯୋଗ୍ୟ ଲୋକ ପ୍ରକାଶହୀନ(ଅନ୍ଧାକାରାଚ୍ଛନ୍ନ) ଅଟେ” (ଈ.ଉ.୩ )ଇତ୍ୟାଦି ।।୧୨।।
କିନ୍ତୁ ଯିଏ ଶ୍ରଦ୍ଧାଯୁକ୍ତ ଅଟନ୍ତି ଆଉ ଭଗବଦ୍ ଭକ୍ତିରୂପ ମୋକ୍ଷମାର୍ଗରେ ଲାଗି ରହିଥାନ୍ତି, ସେ—
ହେ ପାର୍ଥ ! ଶମ, ଦମ, ଦୟା, ଶ୍ରଦ୍ଧା ଆଦି ସଦ୍ଗୁଣ ସମ୍ପନ୍ନ ଦେବ ସ୍ୱଭାବ ଅବଲମ୍ବନକାରୀ, ଉଦାରଚିତ୍ତ ମହାତ୍ମା ଭକ୍ତଜନ, ମୋତେ(ଈଶ୍ୱରଙ୍କୁ) ସର୍ବଭୂତଙ୍କର ଅର୍ଥାତ୍ ଆକାଶାଦି ପଞ୍ଚଭୂତଙ୍କର ଓ ସମସ୍ତ ପ୍ରାଣୀଙ୍କର ମଧ୍ୟ ଆଦିକାରଣ ଜାଣି ଏବଂ ଅବିନାଶୀ ଜାଣି, ଅନନ୍ୟ ମନରେ ଯୁକ୍ତହୋଇ ଭଜନ କରିଥାନ୍ତି ଅର୍ଥାତ୍ ମୋର ଚିନ୍ତନ କରିଥାନ୍ତି ।।୧୩।।
କେଉଁଭଳି ଭଜିଥାନ୍ତି —
ସେହି ଦୃଢବ୍ରତୀ ଭକ୍ତ ଅର୍ଥାତ୍ ଯାହାର ନିଶ୍ଚୟ ଦୃଢ-ସ୍ଥିର-ଅଚଳ, ସେହିଭଳି ଭକ୍ତଜନ ସଦା- ନିରନ୍ତର ବ୍ରହ୍ମସ୍ୱରୂପ ମୋତେ(ଭଗବାନଙ୍କର) କୀର୍ତ୍ତନ କରି ତଥା ଇନ୍ଦ୍ରିୟ ନିଗ୍ରହ ପୂର୍ବକ ଶମ, ଦମ, ଦୟା ଓ ଅହିଂସା ଆଦି ଧର୍ମାଦି ଯୁକ୍ତହୋଇ ପ୍ରଯତ୍ନ କରୁ କରୁ ଏବଂ ହୃଦୟରେ ନିବାସକାରୀ ମୋତେ(ପରମାତ୍ମାଙ୍କୁ) ଭକ୍ତିପୂର୍ବକ ନମନ କରି ଏବଂ ସଦା ମୋର ଚିନ୍ତନରେ ରତ ରହି, ମୋର ଉପାସନା ରୂପୀ ସେବା କରିଥାନ୍ତି ।।୧୪।।
ସେମାନେ କେଉଁ କେଉଁ ପ୍ରକାରେ ଉପାସନା କରିଥାନ୍ତି, ସେଥିପାଇଁ କୁହାଯାଉଛି—
କିଛି ଜ୍ଞାନୀଜନ ଅନ୍ୟ ଉପାସନାସମୂହକୁ ଛାଡି ଭଗବଦ୍ ବିଷୟକ ଜ୍ଞାନରୂପ ଯଜ୍ଞ ଦ୍ୱାରା ମୋର ପୂଜନକରି ଉପାସନା କରିଥାନ୍ତି ଅର୍ଥାତ୍ ପରମବ୍ରହ୍ମ ପରମାତ୍ମା ଏକ ହିଁ ଅଟନ୍ତି, ଏଭଳି ଏକତ୍ୱରୂପ ପରମାର୍ଥ ଜ୍ଞାନରେ ପୂଜନ କରି ମୋର ଉପାସନା କରିଥାନ୍ତି ।
ଅନ୍ୟ କେହି କେହି ପୃଥକ୍ ଭାବରେ ଅର୍ଥାତ୍ ଆଦିତ୍ୟ, ଚନ୍ଦ୍ରମା ଆଦି ଭେଦରେ ଏହିଭଳି ବୋଧହୋଇ ଉପାସନା କରିଥାନ୍ତି କି, ସେ ହିଁ ବିଷ୍ଣୁ, ସୂର୍ଯ୍ୟ ଆଦି ରୂପରେ ସ୍ଥିତ ଅଟନ୍ତି ।
ତଥା କିଛି ଭକ୍ତ ଏଭଳି ମାନିନେଇଥାନ୍ତି କି, ସେହି ସର୍ବଦିଗକୁ ମୁଖସମ୍ପନ୍ନ(ସର୍ବତୋମୁଖ) ବିଶ୍ୱମୂର୍ତ୍ତି ଭଗବାନ୍ ଅନେକ ରୂପରେ ସ୍ଥିତ ହୋଇଛନ୍ତି । ସେହି ବିଶ୍ୱରୂପ ବିରାଟ ଭଗବାନଙ୍କର ବିବିଧ ପ୍ରକାରେ ଉପାସନା କରିଥାନ୍ତି ।।୧୫।।
ଯଦି ଭକ୍ତଗଣ ବହୁତ ପ୍ରକାରେ ଉପାସନା କରିଥାନ୍ତି, ତେବେ ଆପଣଙ୍କର ଉପାସନା କିପରି କରନ୍ତି ?
ଏଥିପାଇଁ କହୁଛି–
କ୍ରତୁ- ଶ୍ରୌତଯଜ୍ଞବିଶେଷ ମୁଁ ଅଟେ ଆଉ ଯଜ୍ଞ- ସ୍ମାର୍ତ- କର୍ମବିଶେଷ ମଧ୍ୟ ମୁଁ ହିଁ ଅଟେ । ତଥା ଯାହା ପିତୃପୁରୁଷଙ୍କୁ ଦିଆଯାଏ, ସେହି ସ୍ୱଧା ନାମକ ଅନ୍ନ ମଧ୍ୟ ମୁଁ ହିଁ ଅଟେ । ସମଗ୍ର ପ୍ରାଣୀ ଯାହାକୁ ସେବନ କରନ୍ତି, ସେହି ଔଷଧ ମଧ୍ୟ ମୁଁ ହିଁ ଅଟେ । ଅଥବା ଏଭଳି ବୁଝ କି, ସମସ୍ତ ପ୍ରାଣୀଙ୍କର ସାଧାରଣ ଅନ୍ନ ‘ସ୍ୱଧା’ ଅଟେ ଆଉ ବ୍ୟାଧିନାଶ ନିମିତ୍ତକ ନିଆଯାଉଥିବା ଭେଷଜ ‘ଔଷଧ’ ଅଟେ ।
ତଥା ଯାହା ଦ୍ୱାରା ଦେବ ଓ ପିତରଙ୍କୁ ହବି ପ୍ରଦାନ କରାଯାଇଥାଏ, ସେହି ମନ୍ତ୍ର ମଧ୍ୟ ମୁଁ ହିଁ ଅଟେ । ଏତଦତିରିକ୍ତ ମୁଁ ହିଁ ଆଜ୍ୟ ହବି-ଘୃତ ଅଟେ, ଯେଉଁଥିରେ ହୋମ କରାଯାଏ, ସେହି ଅଗ୍ନି ମଧ୍ୟ ମୁଁ ହିଁ ଅଟେ ଆଉ ମୁଁ ହିଁ ହବନରୂପ କର୍ମ ଅଟେ ।।୧୬।।
ତଥା—
ମୁଁ ହିଁ ଏହି ଜଗତ ସ୍ୃଷ୍ଟିକାରୀ ପିତା ଓ ତାହାର ଜନ୍ମଦାତ୍ରୀ ମାତା ଅଟେ, ମୁଁ ହିଁ ପ୍ରାଣୀମାନଙ୍କର କର୍ମଫଳର ବିଧାନକର୍ତ୍ତା ବିଧାତା ଓ ପିତାମହ ଅର୍ଥାତ୍ ପିତାଙ୍କର ପିତା ଅଟେ ତଥା ଜାଣିବା ଯୋଗ୍ୟ, ପବିତ୍ରକାରୀ, ଓଁକାର, ଋଗ୍ ବେଦ, ସାମବେଦ ଓ ଯଜୁର୍ବେଦ ସବୁକିଛି ମୁଁ ହିଁ ଅଟେ ।।୧୭।।
ତଥା ମୁଁ ହିଁ—
ଗତି-କର୍ମଫଳ, ଭର୍ତ୍ତା- ସମସ୍ତଙ୍କର ପୋଷଣକର୍ତ୍ତା, ପ୍ରଭୁ – ସମସ୍ତଙ୍କର ସ୍ୱାମୀ, ପ୍ରାଣୀମାନଙ୍କର କର୍ମ ଓ ଅକର୍ମର ସାକ୍ଷୀ, ଯେଉଁଠି ପ୍ରାଣୀ ନିବାସ କରିଥାନ୍ତି ସେହି ବାସସ୍ଥାନ, ଶରଣ ଅର୍ଥାତ୍ ଶରଣରେ ଆସିଥିବା ଦୁଃଖିଗଣଙ୍କର ଦୁଃଖ ଦୂରକାରୀ, ସୁହୃତ୍- ପ୍ରତ୍ୟୁପକାର ନ ଚାହିଁ ଉପକାରକାରୀ, ପ୍ରଭବ- ଜଗତର ଉତ୍ପତ୍ତିର କାରଣ ଓ ଯେଉଁଠି ସବୁକିଛି ଲୀନ ହୋଇଯାଏ ସେହି ପ୍ରଳୟ ମଧ୍ୟ ମୁଁ ହିଁ ଅଟେ ।
ତଥା ଯେଉଁଠି ସମସ୍ତେ ଅବସ୍ଥାନ କରନ୍ତି, ସେହି ସ୍ଥାନ, ସେହି ସ୍ଥାନ, ପ୍ରାଣୀଗଣଙ୍କର କାଳାନ୍ତରରେ ଉପଭୋଗ୍ୟ କରିବାଯୋଗ୍ୟ କର୍ମର ଭଣ୍ଡାରରୂପ ନିଧାନ ଓ ଅବିନାଶୀ ବୀଜ ମଧ୍ୟ ମୁଁ ହିଁ ଅଟେ ଅର୍ଥାତ୍ ଉତ୍ପତ୍ତିଶୀଳ ବସ୍ତୁ ଉତ୍ପତ୍ତିର ଅବିନାଶୀ କାରଣ ମୁଁ ହିଁ ଅଟେ ।
ଯେ ପର୍ଯ୍ୟନ୍ତ ସଂସାର ରହିଛି, ସେ ପର୍ଯ୍ୟନ୍ତ ତାହାର ବୀଜ ମଧ୍ୟ ଅବଶ୍ୟ ରହିଥାଏ, ଅତଃ ବୀଜକୁ ଅବିନାଶୀ କହିଛନ୍ତି, କାହିଁକିନା ବିନା ବୀଜରେ କିଛିହେଲେ ଉତ୍ପନ୍ନ ହୁଏନାହିଁ ଆଉ ଉତ୍ପତ୍ତି ନିତ୍ୟ ପ୍ରତ୍ୟ ଚାଲିଥାଏ, ଏଥିରୁ ଏହା ଜଣାଯାଏ କି ବୀଜମଧ୍ୟସ୍ଥ ପରମାତ୍ମାଙ୍କର ନାଶ ହୁଏନାହିଁ ।।୧୮।।
ତଥା—
ମୁଁ ହିଁ ସୂର୍ଯ୍ୟ ହୋଇ ନିଜର ପ୍ରଖର ରଶ୍ମିରେ ସମସ୍ତଙ୍କୁ ତପ୍ତ କରିଥାଏ ଆଉ କିଛି କିରଣ ସାହାଯ୍ୟରେ ବର୍ଷା କରିଥାଏ । ବର୍ଷା ହୋଇଯିବା ପରେ ପୁଣି କିଛି କିରଣ ଦ୍ୱାରା ଅଷ୍ଟମାସ ପର୍ଯ୍ୟନ୍ତ ଜଳ ଶୋଷଣ କରି ରଖିଥାଏ ଆଉ ବର୍ଷାକାଳ ଆସିଲେ ପୁନରାୟ ବର୍ଷା କରିଥାଏ ।
ହେ ଅର୍ଜ୍ଜୁନ ! ଦେବଙ୍କର ଅମୃତ ଓ ମର୍ତ୍ତ୍ୟଲୋକରେ ବାସକାରୀ ମୃତ୍ୟୁ ତଥା ସତ୍ ଓ ଅସତ୍ ସବୁକିଛି ମୁଁ ହିଁ ଅଟେ ଅର୍ଥାତ୍ ଯିଏ ଯାହାର ସମ୍ବନ୍ଧରେ ବିଦ୍ୟମାନ ସେ, ଆଉ ଯିଏ ତାହାର ବିପରୀତ, ସେ ମଧ୍ୟ ମୁଁ ହିଁ ଅଟେ ।
କିନ୍ତୁ (ଏହା ମଧ୍ୟ ଧ୍ୟାନ ରଖିବା ଦରକାର କି) ସ୍ୱୟଂ ଭଗବାନ୍ ଅତ୍ୟନ୍ତ ଅସତ୍ ନୁହଁନ୍ତି । ଅଥବା ସତ୍ ଓ ଅସତ୍ ର ଅର୍ଥ ଏଠାରେ କାର୍ଯ୍ୟ ଆଉ କାରଣ ବୋଲି ବୁଝିବା ଦରକାର । ଯେଉଁ ଜ୍ଞାନୀ ପୂର୍ବ କଥିତ କ୍ରମରେ ଏକତ୍ୱ ପୃଥକତ୍ୱ ଆଦି ବିଜ୍ଞାନରୂପ ଯଜ୍ଞଦ୍ୱାରା ପୂଜନ କରି ମୋର ଉପାସନା କରିଥାନ୍ତି, ସେମାନେ ନିଜ ବିଜ୍ଞାନାନୁସାରେ ମୋତେ ହିଁ ପ୍ରାପ୍ତ ହୋଇଥାନ୍ତି ।।୧୯।।
କିନ୍ତୁ ଯିଏ ବିଷୟବାସନାଯୁକ୍ତ ଅଜ୍ଞାନୀ—
ଋକ୍, ଯଜୁ ଓ ସାମ— ଏହି ତିନି ବେଦର ଜ୍ଞାତା, ସୋମରସ ପାନକାରୀ ଏବଂ ପାପରହିତ ହୋଇ ଅର୍ଥାତ୍ ସୋମରସ ପାନକରିବାରୁ ଯାହାର ପାପ ନଷ୍ଟ ହୋଇଯାଇଛି, ସେଭଳି ସକାମ ପୁରୁଷ ବସୁ ଆଦି ଦେବଗଣଙ୍କ ରୂପେ ସ୍ଥିତ ମୋର(ପରମାତ୍ମାଙ୍କର) ଅଗ୍ନିଷ୍ଟୋମାଦି ଯଜ୍ଞ ଦ୍ୱାରା ପୂଜନ କରି ସ୍ୱର୍ଗପ୍ରାପ୍ତି ଇଚ୍ଛା ରଖିଥାନ୍ତି । ସେମାନେ ନିଜ ପୁଣ୍ୟର ଫଳ ସ୍ୱରୂପ ଇନ୍ଦ୍ରଙ୍କର ସ୍ଥାନ ପାଇ ସ୍ୱର୍ଗରେ ଦେବତାମାନଙ୍କର ଦିବ୍ୟ ଭୋଗକୁ ଭୋଗ କରିଥାନ୍ତି ଅର୍ଥାତ୍ ଦେବତାମାନଙ୍କର ସ୍ୱର୍ଗରେ ହେଉଥିବା ଯେଉଁ ଅପ୍ରାକୃତ ଭୋଗ, ତାହାକୁ ଭୋଗ କରିଥାନ୍ତି ।।୨୦।।
ସେମାନେ ସେହି ବିଶାଳ— ବିସ୍ତୃତ ସ୍ୱର୍ଗଲୋକକୁ ଭୋଗକରିବା ପରେ(ତାହାର ପ୍ରାପ୍ତିର କାରଣ ରୂପ) ପୁଣ୍ୟ କ୍ଷୟ ହୋଇଯିବା ପରେ ଏହି ମୃତ୍ୟୁ ଲୋକକୁ ଫେରିଆସନ୍ତି ।
ଉପରୋକ୍ତ ପ୍ରକାରେ କେବଳ ବୈଦିକ କର୍ମର ଆଶ୍ରୟଗ୍ରହଣକାରୀ କାମକାମୀ-ବିଷୟବାସନାଯୁକ୍ତ ମନୁଷ୍ୟ ବାରମ୍ବାର ଆବାଗମନକୁ ପ୍ରାପ୍ତ ହୋଇଥାନ୍ତି ଅର୍ଥାତ୍ ଯାଇଥାନ୍ତି ପୁଣି ଫେରି ଆସିଥାନ୍ତି । ଏହିଭଳି ବାରମ୍ବାର ଆବାଗମନକୁ ପ୍ରାପ୍ତ ହୋଇଥାନ୍ତି, କେଉଁଠାରେ ହେଲେ ସ୍ୱତନ୍ତ୍ରତା ଲାଭ କରିନଥାନ୍ତି ।
କିନ୍ତୁ ଯିଏ ନିଷ୍କାମୀ— ପୂର୍ଣ୍ଣ ଜ୍ଞାନୀ ଅଟନ୍ତି—
ଯେଉଁ ସନ୍ନ୍ୟାସୀ ଅନନ୍ୟଭାବରେ ଯୁକ୍ତ ହୋଇ ଅର୍ଥାତ୍ ପରମଦେବ ମୋତେ(ନାରାୟଣ ଭାବେ) ଆତ୍ମରୂପରେ ବୋଧହୋଇ ମୋର ନିରନ୍ତର ଚିନ୍ତନ କରି ମୋର ଶ୍ରେଷ୍ଠ-ନିଷ୍କାମ ଉପାସନା କରିଥାନ୍ତି, ନିରନ୍ତର ମୋଠାରେ ସ୍ଥିତ ସେହି ପରମାତ୍ମଜ୍ଞାନୀଙ୍କର ଯୋଗ-କ୍ଷେମ ମୁଁ ବହନ କରିଥାଏ । ଅପ୍ରାପ୍ତ ବସ୍ତୁ ପ୍ରାପ୍ତିର ନାମ ଯୋଗ ଏବଂ ପ୍ରାପ୍ତବସ୍ତୁର ରକ୍ଷାର ନାମ କ୍ଷେମ ଅଟେ, ତାଙ୍କର ଏହି ଉଭୟ କାମ ମୁଁ ସ୍ୱୟଂ ବହନ କରିଥାଏ ।
କାହିଁକି ନାଁ ‘ଜ୍ଞାନୀଙ୍କୁ ତ ମୁଁ ନିଜର ଆତ୍ମା ବୋଲି ମନେ କରିଥାଏ’ ଆଉ ‘ସେ ମୋର ପ୍ରିୟ ଅଟନ୍ତି’, ଅତଃ ସେହି ଉପରୋକ୍ତ ମୋର ଭକ୍ତ ମୋର ଆତ୍ମାରୂପ ଓ ପ୍ରିୟ ଅଟନ୍ତି ।
ପୂ.- ଅନ୍ୟ ଭକ୍ତମାନଙ୍କର ଯୋଗକ୍ଷେମ ମଧ୍ୟ ଭଗବାନହିଁ ତ ବହନ କରିଥାନ୍ତି ?
ଉ. – ଏହି କଥା ଠିକ୍ ଅଟେ, ଅବଶ୍ୟ ଭଗବାନ ହିଁ ବହନ କରିଥାନ୍ତି । କିନ୍ତୁ ସେଥିରେ ଏତିକି ଭେଦ ରହିଛି କି, ଯେଉଁ ଅନ୍ୟ ଭକ୍ତ ରହିଛନ୍ତି, ସେ ସ୍ୱୟଂ ହିଁ ନିଜ ପାଇଁ ଯୋଗକ୍ଷେମ-ସମ୍ବନ୍ଧୀ ଚେଷ୍ଟା କରିଥାନ୍ତି, କିନ୍ତୁ ଅନନ୍ୟଦର୍ଶୀ ଭକ୍ତଗଣ ନିଜ ଯୋଗକ୍ଷେମ ଚେଷ୍ଟା କରନ୍ତିନାହିଁ । କାହିଁକି ନାଁ ସେମାନେ ଜୀବନ ଓ ମୃତ୍ୟୁ ପ୍ରତି ମଧ୍ୟ ନିଜର ବାସନା ରଖିନଥାନ୍ତି, କେବଳ ଭଗବାନ୍ ହିଁ ତାଙ୍କର ଏକମାତ୍ର ଅବଲମ୍ବନ ହୋଇଥାନ୍ତି । ଅତଃ ତାଙ୍କର ଯୋଗକ୍ଷେମ ସ୍ୱୟଂ ଭଗବାନ୍ ବହନ କରିଥାନ୍ତି ।।୨୨।।
ଯଦି କହିବ କି ଅନ୍ୟ ଦେବତା ମଧ୍ୟ ଆପଣ ହିଁ ଅଟନ୍ତି, ଅତଃ ତାଙ୍କର ଭକ୍ତ ମଧ୍ୟ ଆପଣଙ୍କର ପୂଜନ କରିଥାନ୍ତି, ତେବେ ଏହି କଥା ଠିକ୍ ଅଟେ—
ଯେ କେହି ଅନ୍ୟ ଦେବତାଙ୍କର ଭକ୍ତ— ଅନ୍ୟ ଦେବତାଙ୍କଠାରେ ଭକ୍ତିସମ୍ପନ୍ନ ହୋଇ, ଶ୍ରଦ୍ଧାରେ- ଆସ୍ତିକ ବୁଦ୍ଧି ଯୁକ୍ତ ହୋଇ(ତାଙ୍କର) ପୂଜନ କରିଥାନ୍ତି, ହେ କୁନ୍ତୀପୁତ୍ର ! ସେମାନେ ମଧ୍ୟ ମୋର ହିଁ ପୂଜନ କରିଥାନ୍ତି(କିନ୍ତୁ) ଅବିଧିପୂର୍ବକ କରିଥାନ୍ତି । ଅବିଧି ଅଜ୍ଞାନକୁ କହିଥାନ୍ତି, ତେଣୁ ସେମାନେ ଅଜ୍ଞାନପୂର୍ବକ ମୋର ପୂଜନ କରିଥାନ୍ତି ।।୨୩।।
ତାଙ୍କର ପୂଜନ କରିବା ଅବିଧିପୂର୍ବକ କିଭଳି ?
ତେଣୁ କହୁଛନ୍ତି—
ଶ୍ରୌତ ଓ ସ୍ମାର୍ତ୍ତ ସମସ୍ତ ଯଜ୍ଞର ଦେବତାରୂପେ ମୁଁ ହିଁ ଭୋକ୍ତା ଅଟେ ଆଉ ମୁଁ ହିଁ ସ୍ୱାମୀ ଅଟେ । ମୁଁ ହିଁ ସମସ୍ତ ଯଜ୍ଞର ସ୍ୱାମୀ ଅଟେ, ଏହି କଥା ‘ଅଧିଯଜ୍ଞୋଽହମେବାତ୍ର’ ଏହି ଶ୍ଳୋକରେ ମଧ୍ୟ କୁହାଯାଇଛି । କିନ୍ତୁ ସେହି ଅଜ୍ଞାନୀ ଏହି ପ୍ରକାର ଯଥାର୍ଥ ତତ୍ତ୍ୱତଃ ମୋତେ ଜାଣିନାହାଁନ୍ତି । ଅତଃ ଅବିଧିପୂର୍ବକ ପୂଜନ କରି ସେମାନେ ଯଜ୍ଞର ପ୍ରକୃତ ଫଳପ୍ରାପ୍ତିରୁ ପତିତ ହୋଇଯାଆନ୍ତି ଅର୍ଥାତ୍ ତାଙ୍କର ପତନ ହୋଇଯାଏ ।।୨୪।।
ଅନ୍ୟ ଦେବତାଙ୍କ ପ୍ରତି ଭକ୍ତି ରଖିଥିବା ଯେଉଁ ଭକ୍ତ ଅବିଧିପୂର୍ବକ ମଧ୍ୟ ମୋର ପୂଜନ କରିଥାଏ, ତାକୁ ମଧ୍ୟ ଯଜ୍ଞର ଫଳ ଅବଶ୍ୟ ମିଳିଥାଏ । କିଭଳି ? (ତେଣୁ କହୁଛନ୍ତି—)
ଯାହାର ନିୟମ ଓ ଭକ୍ତି ଦେବତାଙ୍କ ପ୍ରତି ରହିଛି, ସେହି ଦେବ-ଉପାସକଗଣ ଦେବତାଙ୍କୁ ପ୍ରାପ୍ତ ହୋଇଥାନ୍ତି । ଶ୍ରାଦ୍ଧ ଆଦି କ୍ରିୟାପରାୟଣ ହୋଇ ପିତୃଭକ୍ତ ଅଗ୍ନିଷ୍ୱାତ୍ତାଦି ପିତରଙ୍କୁ ପ୍ରାପ୍ତି ହୋଇଥାନ୍ତି । ଭୂତଙ୍କର ପୂଜନକର୍ତ୍ତା ବିନାୟକ, ଷୋଡଶମାତୃକାଗଣ ଏବଂ ଚତୁର୍ଭଗିନୀ ଆଦି ଭୂତଗଣଙ୍କୁ ପ୍ରାପ୍ତି ହୋଇଥାନ୍ତି ତଥା ମୋର ପୂଜନକାରୀ ବୈଷ୍ଣବ ଭକ୍ତ ଅବଶ୍ୟ ହିଁ ମୋତେ ପ୍ରାପ୍ତ ହୋଇଥାନ୍ତି । ଅଭିପ୍ରାୟ ହେଉଛି, ସମାନ ପରିଶ୍ରମ ହେଲେ ମଧ୍ୟ ସେମାନେ(ଅନ୍ୟ ଦେବୋପାସକ) ଅଜ୍ଞାନ କାରଣରୁ କେବଳ ମୋତେ(ପରମେଶ୍ୱରଙ୍କୁ) ଭଜନ କରନ୍ତି ନାହିଁ, ସେମାନେ ଏହାଦ୍ୱାରା ସ୍ୱଳ୍ପ ଫଳର ଭାଗୀ ହୋଇଥାନ୍ତି ।।୨୫।।
ମୋ ଭକ୍ତକୁ କେବଳ ଅପୁନରାବୃତ୍ତିରୂପ ଅନନ୍ତ ଫଳ ପ୍ରାପ୍ତି ହୋଇଥାଏ, ଏତିକି ନୁହେଁ କିନ୍ତୁ ମୋର ଆରାଧନା ମଧ୍ୟ ସୁଖପୂର୍ବକ କରାଯାଇପାରେ । କିଭଳି ? (ତେଣୁ କହୁଛନ୍ତି)—
ଯେଉଁ ଭକ୍ତ ମୋତେ ପତ୍ର, ପୁଷ୍ପ, ଫଳ ଓ ଜଳ ଆଦି ଯାହା କିଛି ବସ୍ତୁ ଭକ୍ତିପୂର୍ବକ ଅର୍ପଣ କରେ, ସେହି ପ୍ରୟତାତ୍ମା— ଶୁଦ୍ଧବୁଦ୍ଧି ସମ୍ପନ୍ନ ଭକ୍ତ ଦ୍ୱାରା ଅର୍ପିତ ସେହି ପତ୍ର-ପୁଷ୍ପାଦି ମୁଁ(ସ୍ୱୟଂ) ସେବନ କରିଥାଏ ଅର୍ଥାତ୍ ଗ୍ରହଣ କରିଥାଏ ।।୨୬।।
କାହିଁକି ନାଁ ଏହି କଥା, ଏଇଥିପାଇଁ—
ହେ କୁନ୍ତୀପୁତ୍ର ! ତୁମେ ଯାହାକିଛି ବି ସ୍ୱତଃ ପ୍ରାପ୍ତ କର୍ମ କରିଥାଅ, ଯାହା ସେବନ କରିଥାଅ, ଯାହା କିଛି ଶ୍ରୌତ ଓ ସ୍ମାର୍ତ୍ତ ଯଜ୍ଞରୂପ ହବନ କରିଥାଅ, ଯାହାକିଛି ସୁବର୍ଣ୍ଣ, ଅନ୍ନ, ଘୃତାଦି ବସ୍ତୁ ବ୍ରାହ୍ମଣାଦି ସତ୍ ପାତ୍ରଙ୍କୁ ଦାନ ଦେଇଥାଅ, ଆଉ ଯେଉଁକିଛି ତପ ଆଚରଣ କରିଥାଅ, ସେ ସବୁକୁ ମୋ ପାଖରେ ସମର୍ପଣ କରିଦିଅ ।।୨୭।।
ଏଭଳି କରିବା ଦ୍ୱାରା ତୁମର ଯାହା ଲାଭ ହେବ, ତାହା ଶୁଣ—
ଏହିଭଳି କର୍ମକୁ ମୋଠାରେ ଅର୍ପଣକରି ତୁମେ ଶୁଭାଶୁଭ ଫଳଯୁକ୍ତ କର୍ମବନ୍ଧନରୁ ଅର୍ଥାତ୍ ଭଲ ଓ ମନ୍ଦ ଯାହାର ଫଳ, ସେଭଳି କର୍ମରୂପ ବନ୍ଧନରୁ ମୁକ୍ତ ହୋଇଯିବ । ତଥା ଏହିଭଳି ତୁମେ ସନ୍ନ୍ୟାସ ଯୋଗଯୁକ୍ତାତ୍ମା ହୋଇ- ମୋତେ ଅର୍ପଣ କରି କର୍ମ କରିବା ଦ୍ୱାରା ଯାହା ‘ସନ୍ନ୍ୟାସ’ ଆଉ କର୍ମରୂପ ହେବା କାରଣରୁ ଯାହା ‘ଯୋଗ’, ସେହି ସନ୍ନ୍ୟାସରୂପ ଯୋଗ ସହ ଯାହାର ଅନ୍ତଃକରଣ ଯୁକ୍ତ ଅଟେ, ତାହାର ନାମ’ସନ୍ନ୍ୟାସଯୋଗଯୁକ୍ତାତ୍ମା’ ଅଟେ ଏଭଳି ହୋଇ— ତୁମେ ଏହି ଜୀବିତାବସ୍ଥାରେ ହିଁ କର୍ମବନ୍ଧନରୁ ମୁକ୍ତ ହୋଇ ଏହି ଶରୀରର ନାଶ ହୋଇଗଲେ ମୋତେ ପ୍ରାପ୍ତ ହେଇଯିବ । ଅର୍ଥାତ୍ ମୋଠାରେ ହିଁ ବିଲୀନ ହୋଇଯିବ ।।୨୮।।
(ଯଦି କୁହ କି) ସେତେବେଳେ ତ ଭଗବାନ୍ ରାଗ-ଦ୍ୱେଷଯୁକ୍ତ ଅଟନ୍ତି, କାହିଁକି ନାଁ ସେ ଭକ୍ତ ଉପରେ ହିଁ ଅନୁଗ୍ରହ କରନ୍ତି, ଅନ୍ୟକାହା ଉପରେ ନୁହେଁ, ତେବେ ଏହା କହିବା ଠିକ୍ ନୁହେଁ —
ମୁଁ ସମସ୍ତ ପ୍ରାଣୀଙ୍କ ପ୍ରତି ସମାନ, ମୋର ନାଁ କେହି ଦ୍ୱେଷୀ ନାଁ କେହି ପ୍ରିୟ ଅଟନ୍ତି । ମୁଁ ଅଗ୍ନି ସମ ଅଟେ । ଯେଭଳି ଅଗ୍ନି ନିଜ ଠାରୁ ଦୂରରେ ରହୁଥିବା ପ୍ରାଣୀଙ୍କର ଶୀତ ନିବାରଣ କରିନଥାଏ, ନିକଟକୁ ଆସୁଥିବା ପ୍ରାଣୀଙ୍କର କରିଥାଏ, ସେହିଭଳି ମୁଁ ଭକ୍ତଉପରେ ଅନୁଗ୍ରହ କରିଥାଏ, ଅନ୍ୟ ଉପରେ ନୁହେଁ ।
ଯିଏ(ଭକ୍ତ) ମୋର(ଈଶ୍ୱରଙ୍କର) ପ୍ରେମପୂର୍ବକ ଭଜନ କରିଥାଏ, ସେ ମୋଠାରେ ସ୍ୱଭାବରେ ହିଁ ସ୍ଥିତ ଅଟେ । କିଛିହେଲେ ମୋର ଆସକ୍ତିର କାରଣ ନୁହେଁ ଆଉ ମୁଁ ମଧ୍ୟ ସ୍ୱଭାବତଃ ସେମାନଙ୍କ ଠାରେ ସ୍ଥିତ ହୁଏ, ଅନ୍ୟମାନଙ୍କଠାରେ ନୁହେଁ । କିନ୍ତୁ ଏଭଳି ନୁହେଁ ଯେ ମୋର ସେମାନଙ୍କଠାରେ ଦ୍ୱେଷ ରହିଛି ।।୨୯।।
ମୋ ଭକ୍ତିର ମହିମା ଶୁଣ—
ଯଦି କେହି ସୁଦୁରାଚାରୀ ଅର୍ଥାତ୍ ଅତିଶୟ ମନ୍ଦ ଆଚରଣସମ୍ପନ୍ନ ମନୁଷ୍ୟ ମଧ୍ୟ ଅନନ୍ୟ ପ୍ରେମଭାବରେ ମୋତେ(ପରମେଶ୍ୱରଙ୍କୁ) ଭଜନ କରିଥାଏ, ତେବେ ତାଙ୍କୁ ସାଧୁ ମାନିବା ଦରକାର ଅର୍ଥାତ୍ ତାଙ୍କୁ ଯଥାର୍ଥ ଆଚରଣକାରୀ ବୋଲି ବୁଝିବା ଦରକାର, କାହିଁକି ନାଁ ଯେ ଯଥାର୍ଥରେ ନିଶ୍ଚୟଯୁକ୍ତ ହୋଇଯାଇଛନ୍ତି—ଉତ୍ତମ ରୂପେ ନିଶ୍ଚୟଯୁକ୍ତ ହୋଇଛନ୍ତି ।।୩୦।।
ଆନ୍ତରିକ ଯଥାର୍ଥ ନିଶ୍ଚୟ ଶକ୍ତି ଦ୍ୱାରା ବାହ୍ୟ ଦୁରାଚାରିତାକୁ ତ୍ୟାଗକର—
ସେହି ବ୍ୟକ୍ତି ଅତି ଶୀଘ୍ର ଧର୍ମାତ୍ମା—ଧାର୍ମିକ ଚିତ୍ତସମ୍ପନ୍ନ ହୋଇ ଚିରସ୍ଥାୟୀ ନିତ୍ୟଶାନ୍ତି- ଉପରତିକୁ ପ୍ରାପ୍ତି ହୋଇଥାନ୍ତି ।
ହେ କୁନ୍ତୀ ପୁତ୍ର ! ତୁମେ ଯଥାର୍ଥ କଥା ଶୁଣ, ତୁମେ ଏଭଳି ନିଶ୍ଚିତ ପ୍ରତିଜ୍ଞା କର କି ଯିଏ ମୋ(ପରମାତ୍ମାଙ୍କ) ଠାରେ ନିଜର ଅନ୍ତଃକରଣ ସମର୍ପିତ କରିଦେଇଥାନ୍ତି, ସେହି ମୋର ଭକ୍ତ କେବେ ନଷ୍ଟ ହୁଏନାହିଁ, ଅର୍ଥାତ୍ ତାହାର କେବେ ପତନ ହୁଏନାହି ।।୩୧।।
ତଥା—
କାହିଁକି ନାଁ ହେ ପାର୍ଥ ! ଯେ କେହି ପାପଯୋନି ସମ୍ପନ୍ନ ଅର୍ଥାତ୍ ଯାହାର ଜନ୍ମର କାରଣ ପାପ, ଏଭଳି ପ୍ରାଣୀ— ସେମାନେ କିଏ ଅଟନ୍ତି ? ତେଣୁ କହୁଛନ୍ତି— ସେହି ସ୍ତ୍ରୀ, ବୈଶ୍ୟ ଓ ଶୂଦ୍ର ମଧ୍ୟ ମୋ ଶରଣରେ ଆସି— ମୋତେ ହିଁ ନିଜର ଅବଲମ୍ବନ କରି ପରମ-ଉତ୍ତମ ଗତିକୁ ପ୍ରାପ୍ତ ହୋଇଥାନ୍ତି ।।୩୨।।
ପୁଣି ଯିଏ ପୁଣ୍ୟଯୋନି ବ୍ରାହ୍ମଣ ଓ ରାଜର୍ଷି ଭକ୍ତ ଅଟନ୍ତି, ସେମାନଙ୍କ ବିଷୟରେ ଆଉ କଣ କହିବା ? ଯିଏ ରାଜା ଅଟନ୍ତି ଆଉ ଋଷି ମଧ୍ୟ ଅଟନ୍ତି, ତାଙ୍କୁ ରାଜର୍ଷି କୁହାଯାଏ ।
କାହିଁକି ନାଁ ଏଭଳି କଥା ହେଉଛି, ଏହି ଅନିତ୍ୟ, କ୍ଷଣଭଙ୍ଗୁର ଓ ସୁଖରହିତ ମନୁଷ୍ୟଲୋକକୁ ପ୍ରାପ୍ତହୋଇ ଅର୍ଥାତ୍ ପରମ ପୁରୁଷାର୍ଥର ସାଧନରୂପ ଦୁର୍ଲ୍ଲଭ ମନୁଷ୍ୟଶରୀରକୁ ପ୍ରାପ୍ତହୋଇ ମୋତେ(ଈଶ୍ୱରଙ୍କୁ) ହିଁ ଭଜନ କର— ମୋର ହିଁ ସେବା କର ।।୩୩।।
କେଉଁଭଳି (ଭଜନ-ସେବା କରିବ, ସେଥିପାଇଁ କହୁଛି—)
ତୁମେ ମନ୍ମନା— ମୋଠାରେ ହିଁ ମନସଂଯୁକ୍ତ କର, ମଦ୍ଭକ୍ତ— ମୋର ଭକ୍ତ ହୁଅ, ମଦ୍ଯାଜୀ— ମୋର ହିଁ ପୂଜନକାରୀ ହୁଅ ଆଉ ମୋତେ ହିଁ ନମସ୍କାର କର । ଏହିଭଳି ଚିତ୍ତକୁ ମୋଠାରେ ଯୁକ୍ତ କରି ମୋ ପରାୟଣ ହୋଇ ଶରଣାଶ୍ରିତ ହୋଇ ତୁମେ ମୋତେ(ପରମେଶ୍ୱରଙ୍କୁ) ହିଁ ପ୍ରାପ୍ତ ହେବ । ଅଭିପ୍ରାୟ ହେଉଛି କି, ମୁଁ ସର୍ବଭୂତର ଆତ୍ମା ଓ ପରମଗତି— ପରମ ସ୍ଥାନ ଅଟେ, ଏଭଳି ଆତ୍ମରୂପ ମୋତେ ହିଁ ତୁମେ ପ୍ରାପ୍ତ ହୋଇଯିବ । ଏହିଭଳି ପୂର୍ବୋକ୍ତ ‘ମାମ୍’ ଶବ୍ଦରେ ଆତ୍ମବତ୍ ଶବ୍ଦର ସମ୍ବନ୍ଧ ରହିଛି ।।୩୪।।
ନବମ ଅଧ୍ୟାୟ ଶାଙ୍କରଭାଷ୍ୟ ସମାପ୍ତ
Be First to Comment