Last updated on August 13, 2022
ଆମକୁ ନବଜୀବନ ପ୍ରଦାନ କରିପାରିବା ଭଳି ପରିପୂର୍ଣ୍ଣ ଶାସ୍ତ୍ର ହେଉଛି ଶ୍ରୀମଦ୍ଭଗବଦ୍ଗୀତା । ଏଥିରେ ମାନବୀୟ ଆବଶ୍ୟକତାର ସମସ୍ତ ବୀଜ ପୂର୍ଣ୍ଣହୋଇ ରହିଛି । ଆବଶ୍ୟକ କେବଳ ତାହାର ଉପଯୋଗ । ସମାଜରେ ଘଟୁଥିବା ଦୋଷମାନଙ୍କର ସୁଧାର ଆଣିବାପାଇଁ ଏହି ଏକକ ଗ୍ରନ୍ଥ ଆମକୁ ମାର୍ଗଦର୍ଶନ ଦେବାକୁ ପୂର୍ଣ୍ଣରୂପେ ସକ୍ଷମ ହୋଇଥିବାରୁ ଏହାର ଗଭୀରରୁ ଗଭୀର ମନନ-ଚିନ୍ତନ ଅନିବାର୍ଯ୍ୟ ଅଟେ । ଏ ପ୍ରକାର ପ୍ରୟାସ ନିମନ୍ତେ ଆମେ ଶ୍ରେଷ୍ଠତମ କ୍ରାନ୍ତିକାରୀ ପରମାତ୍ମା ଭଗବାନଙ୍କୁ ଶିକ୍ଷକ ବା ଉପଦେଷ୍ଟା ଅବା ମାର୍ଗଦର୍ଶକ ଭାବରେ ସ୍ୱୀକାର କଲାବେଳେ ନିଜ ସ୍ୱରୂପରେ ଅର୍ଜ୍ଜୁନଙ୍କୁ ହିଁ ଆକଳନ କରିବାର ପୃଷ୍ଠଭୂମି ଏହି ଗ୍ରନ୍ଥର ଆଧାର ଅଟେ । ଏହି ଗ୍ରନ୍ଥ ମାଧ୍ୟମରେ ଆମେ ମୂଳ ସିଦ୍ଧାନ୍ତ ଆଧାରରେ ବର୍ତ୍ତମାନର ସାମାଜିକ ଆବଶ୍ୟକତାନୁସାରେ ପରିବର୍ତ୍ତନଶୀଳ ଦୁନିଆକୁ ଅବଲମ୍ବନ କରି ଯଦି ପ୍ରୟାସ ଜାରି ରଖିପାରିବା, ତେବେ ବର୍ତ୍ତମାନର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଯେକୌଣସି ବି ସମସ୍ୟାର ସହଜ ଓ ସରଳ ଉପାୟ ଓ ମାର୍ଗଦର୍ଶନ ଅନାୟାସରେ ପ୍ରାପ୍ତ ହୋଇପାରିବା ଅର୍ଥାତ୍ ନିଜକୁ ଆବଶ୍ୟକତା ଓ ଯଥାର୍ଥତା ଭିତିରେ ପରିବର୍ତ୍ତନ କରାଇ ଆହୃତ ଶିକ୍ଷା ବା ଉପଦେଶ(ଶାସ୍ତ୍ର ନିର୍ଦ୍ଦେଶ) ଅବଲମ୍ବନକରି ଯାଥାର୍ଥ ଜ୍ଞାନ ଓ ସାମର୍ଥ୍ୟ ହାସଲ କରିପାରିବା । ମହାଭାରତ କାଳରୁ ଧର୍ମର ବିଲୁପ ନ ହୋଇ ମଧ୍ୟ ଯୁଗ ଉପଯୋଗୀ କର୍ତ୍ତବ୍ୟ ନିେର୍ଦ୍ଦଶ ଦେବାକୁ ଭଗବାନ ଏହି ଗୀତା ବାଣୀ ଓ ଶିକ୍ଷା ସମାଜକୁ ଦେଇଅଛନ୍ତି । ଏଥିରେ କିଛି ବିଶେଷ ବା ସ୍ୱତନ୍ତ୍ର ନିର୍ଦ୍ଦଶ ନୁହେଁ ବରଂ ଆର୍ଷ ତଥା ବୈଦିକ ଶିକ୍ଷା ଓ ଜ୍ଞାନକୁ ଆବଶ୍ୟକତା ଅନୁସାରେ ନିର୍ଦ୍ଦେଶିତ କରାଯାଇଛି । ଯାହାକି ତଦାନିନ୍ତନ କାଳରେ କେବଳ ଯୁଗ ଉପଯୋଗୀ ଥିଲା ତାହା ନୁହେଁ ବରଂ ଅଦ୍ୟାବଧି ଯୁଗପତ୍ ଉପାଦେୟସିଦ୍ଧ ହୋଇଆସିଛି, ସେଥିପାଇଁ ତ ଏହାକୁ ଆମେ ଉପଯୋଗର ଅନନ୍ୟ ମାଧ୍ୟମ ଓ ଜ୍ଞାନ ନିେର୍ଦ୍ଦଶିକା କରିଅଛେ । ଆମ ସମୟର ଶ୍ରେଷ୍ଠାତିଶ୍ରେଷ୍ଠ ମହାତ୍ମାମାନେ ଏହାକୁ ହିଁ ଯୁଗଉପଯୋଗୀ ଶିକ୍ଷା ନିର୍ଦ୍ଦେଶିକା ଭାବରେ ଗ୍ରହଣକରି ବ୍ୟାଖ୍ୟା, ଟୀକା ଓ ଶିକ୍ଷାର ମୂଳସ୍ରୋତ ଭାବରେ ସ୍ୱୀକାର କରିଅଛନ୍ତି ।
ତେବେ ଆମେ କହିପାରିବା କି, ଉପଯୁକ୍ତ ସୁଧାର ଆଣିବାରେ ଯଦି ଧର୍ମର ମୂଳଭୂତ ଆଧାର ଓ ତତ୍ତ୍ୱଜ୍ଞାନରୂପୀ ମୁଳସିଦ୍ଧାନ୍ତର ସାମାନ୍ୟତମ ପରିବର୍ତ୍ତନ ନ କରାଇ ଯଥାବତ୍ ରଖିବାକୁ ହୁଏ, ତେବେ ଜୀବନର ବିଜ୍ଞାନରୂପକ ଧର୍ମକୁ ବିସ୍ତୃତ କରିବାପାଇଁ କେବଳ ଗୋଟିଏ ପରିବର୍ତ୍ତନ ନ କରାଇ ଯଥାବତ୍ ରଖିବାକୁ ହୁଏ, ତେବେ ଜୀବନର ବିଜ୍ଞାନରୂପକ ଧର୍ମକୁ ବିସ୍ତୃତ କରିବା ପାଇଁ କେବଳ ଗୋଟିଏ ପରିବର୍ତ୍ତନ ସମ୍ଭବ ହୋଇଥାଏ । ତାହା ହେଉଛି, ତତ୍ତ୍ୱଜ୍ଞାନର ବ୍ୟାବହାରିକ ଉପଯୋଗ ଏବଂ ଉପଯୁକ୍ତ ସାଧନର ଅନ୍ୱେଷଣ କରି ତାତ୍କାଳିକ ଜୀବନ ପଦ୍ଧତିରେ ବିରୋଧ ତଥା ସଂଘର୍ଷ କ୍ଷେତ୍ରରେ ସ୍ପଷ୍ଟୀକରଣ ଦେବା । ବିକାଶର ପ୍ରାରମ୍ଭିକ ଅବସ୍ଥାରେ ମଣିଷ ପାଖରେ ଅଜ୍ଞଭାବରେ ସ୍ୱୀକାର କରିନେବାର ଶ୍ରଦ୍ଧା ଆସିଯାଇପାରେ କିନ୍ତୁ ଯେତେବେଳେ ତାର ବୁଦ୍ଧି ପକ୍ୱ ଓ ନିଶ୍ଚୟ ହୋଇ ଦୃଢ ହେବାକୁ ଲାଗେ, ସେତେବେଳେ ଏହି ସାମାନ୍ୟ ଶ୍ରଦ୍ଧା ଯାହାକୁ ଆମେ ଅନ୍ଧଶ୍ରଦ୍ଧା କହିଛୁ, ତହିଁରେ ସୀମିତ ହୋଇନଥାଏ ବରଂ ସିଦ୍ଧାନ୍ତର ପୁଷ୍ଟତା ଅନୁସାରେ ସେ ତାହାକୁ ଅକାଟ୍ୟ ଓ ତାର୍କିକ ପ୍ରମାଣର ଅନ୍ୱେଷଣ କରେ । ଧୀରେ ଧୀରେ ତାହା ଦୈନନ୍ଦିନ ଉପଯୋଗରେ ପ୍ରତିଫଳିତ ହୁଏ । ଏହି ମଧ୍ୟବର୍ତ୍ତୀ ସମୟରେ ଯଥାର୍ଥ ଟୀକା, ଟିପ୍ପଣୀ ତଥା ନିର୍ଦ୍ଦେଶିକା ଯେ ତାକୁ ତତ୍ତ୍ୱାର୍ଥରେ ସହାୟକ ହୁଏ, ତାହାନୁହେଁ ବରଂ ଯୁଗଉପଯୋଗୀ ମହାତ୍ମାଙ୍କ ବିଚାର ଓ ସୁ ଉପଦେଶ ତା’ ଠାରେ ଏକ ଦୃଢମୂଳ ଜ୍ଞାନାବରଣ ପକାଇଦିଏ ଯାହାକି ସେ ପରବର୍ତ୍ତୀ ସମୟରେ କାର୍ଯ୍ୟାନ୍ୱିତକରି ବେଶ୍ ଲାଭାନ୍ୱିତ ହୁଏ । ତେଣୁ ପୂରାକାଳରୁ ଅର୍ଥାତ୍ ଆଦି ଶଙ୍କରଙ୍କ ସମୟରୁ ଆଜିପର୍ଯ୍ୟନ୍ତ ଅନେକ ଆଚାର୍ଯ୍ୟ ଏହି ଦିବ୍ୟ ଗ୍ରନ୍ଥର ଭାଷ୍ୟ-ଟୀକା-ବ୍ୟାଖ୍ୟା ଆଦି କରିଛନ୍ତି ଓ ସେଗୁଡିକ ଆଜି ବି ପରମାବଶ୍ୟକ ସାମଗ୍ରୀ ହୋଇପାରିଛି ।
ନିଃସନ୍ଦେହରେ, ବିଚାରପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ ବ୍ୟାଖ୍ୟା ସମାଜରେ କ୍ଷୀଣପ୍ରାୟ, ପ୍ରଭାବହୀନ ଓ ଅନୁପଯୋଗୀ ଜୀବନରେ ନବୀନଶକ୍ତିର ସଞ୍ଚାର କରିଆସିଛନ୍ତି । ମରଣୋନ୍ମୁଖ ଧର୍ମର ଶରୀରରେ ପୁନଃ ଯୌବନପୂର୍ଣ୍ଣ ଜୀବନୀଶକ୍ତିକୁ ପ୍ରବାହିତ କରିପାରିଛି । କାଳ ପ୍ରବାହରେ ଅବନତିଶୀଳ ସନାତନହିନ୍ଦୁ ପରମ୍ପରାର ରକ୍ଷଣ ଏବଂ ଧାରଣ କରାଯାଇଛି । ଏହି ସନାତନ ବିଦ୍ୟାକୁ ଭୂତକାଳରେ ସର୍ବାଧିକ ପ୍ରଭାବଶୀଳ ମହାନ୍ ଋଷି ଭଗବାନ୍ ବେଦବ୍ୟାସଙ୍କ କରକମଳରେ ସମ୍ପାଦିତ ହୋଇଥିଲା, ଯାହା ପୀଢି ଅନୁପୀଢି ଧରି ଆମକୁ ମୌଳିକ ବାର୍ତ୍ତା ଆକାରରେ ସଂପ୍ରସାରିତ ହୋଇଆସୁଛି । କେବଳ ସେତିକି ନୁହେଁ ସେହି ଭାବଧାରାରେ ପ୍ଲାବିତ ହୋଇ ବିଜ୍ଞାତିବିଜ୍ଞ ତଥା ସମାଜ ସଂସ୍କାରକ ଓ ସୁଧାରକ ମାନେ ମଧ୍ୟ ତାହାକୁ ଯୁଗ ଉପଯୋଗୀ କରାଇବା ଲକ୍ଷ୍ୟରେ ଶିଷ୍ୟମାନଙ୍କୁ ବା ପ୍ରବଚନ ଆକାରରେ ସର୍ବସାଧାରଣଙ୍କୁ ବାଣ୍ଟି ଆସିଛନ୍ତି । ଯେଉଁ ପ୍ରକ୍ରିୟାକୁ ସମ୍ମାନ ଜଣାଇ ଓମ୍କାର ପତ୍ରିକାର ଗୀତାଜୟନ୍ତୀ ବିଶେଷ ସଂଖ୍ୟା ଅଧ୍ୟାୟଭିତ୍ତିକ ପ୍ରୟାସରେ ଆଉ ଏକ ପାଖୁଡା ସଦୃଷ ପାଠକମାନଙ୍କ ହାତରେ ସମର୍ପଣ କରାଯାଇଛି ।
Be First to Comment