Last updated on November 20, 2020
ଜଣେ ଭକ୍ତ ଈଶ୍ୱରଙ୍କ ନାମ ଯଜ୍ଞ ରେ ନିଜ ସମୟ ଅତିବାହିତ କରୁଥିଲେl ଶେଷରେ ବୟସ ବଢିବା ସଙ୍ଗେ ସଙ୍ଗେ ରୋଗାକ୍ରାନ୍ତ ହୋଇ ବିଛଣା ଧରି ନେଲେl ଶୌଚ, ସ୍ନାନ ଆଦି ସମୟରେ ସେ ନିଜ ସନ୍ତାନ ମାନଙ୍କୁ ଡାକୁଥିଲେl ଧିରେ ଧିରେ ସନ୍ତାନ ମାନେ ମଧ୍ୟ ପରସ୍ପର ଆଳ କରି ଆସିବା ବନ୍ଦ କରିଦେଲେl ବେଳେ ବେଳେ ତାଙ୍କୁ ସେଇ ଅପରିଷ୍କାର ବିଛଣା ରେ ରାତି କଟାଇବାକୁ ପଡୁଥିଲା l ଦିନେ ରାତିରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା l ସେ ଆକୁଳ କଣ୍ଠରେ ପୁଅ ନାମ ଧରି ଡାକ ଛାଡିଲେl ସଂଗେ ସଂଗେ ଜଣେ ବାଳକ କୋମଳ ହାତରେ ତାଙ୍କୁ ଧରି ନେଇ ନିବୃତ୍ତି କରାଇ, ବିଛଣା ପରିଷ୍କାର କରି ଶୋଇ ପକାଇଲା l
ଧିରେ ଧୀରେ ଏହି କ୍ରିୟା ନୀତି ଦିନିଆ ହୋଇଗଲା l
ବ୍ୟକ୍ତି ଜଣଙ୍କୁ ସନ୍ଦେହ ହେଲା l ଆଗେ ତ ଡ଼ାକ ଛାଡିଲେ ସମସ୍ତ ଘରଲୋକ ନ ଶୁଣିବାର ଛଳନା କରୁଥିଲେ, କିନ୍ତୁ ଇଏ କିଏ ? ଡାକିଲା ମାତ୍ରେ ହାଜର । ଏହା ଭାବି ପିଲାଟିର କୋମଳ ହାତକୁ ଧରି ପରିଚୟ ପଚାରିଲେ l
ତତ୍ କ୍ଷଣାତ ଏକ ଅଲୌକିକ ଆଭା ଅନ୍ଧକାର ଗୃହରେ ପ୍ରତିଫଳିତ ହେଲା l ସମ୍ମୁଖରେ ବାଳକ ରୂପୀ ଭଗବାନ କୃଷ୍ଣ ବଂଶୀ ଧରି ଦଣ୍ଡାୟମାନ । ବ୍ୟକ୍ତିଙ୍କୁ ଚିହ୍ନିବାରେ ବିଳମ୍ବ ହେଲା ନାହିଁ l ଚକ୍ଷୁରୁ ଧାର ଧାର ଲୋତକ ବହି ଯାଉ ଥାଏ । ରୁଦ୍ଧ କଣ୍ଠ ରେ କହିଲେ, “ମୁଁ କେତେ ବଡ ପାପୀ l ମୋର ନିବୃତ୍ତି ଆପଣଙ୍କ ଦ୍ୱାରା କରାଇଲି l ହେ ପ୍ରଭୂ , ଯଦି ଆପଣ ମୋ ଉପରେ ଏତେ ପ୍ରସନ୍ନ, ମୋତେ ମୁକ୍ତି କାହିଁକି ଦେଉ ନାହାନ୍ତି ?”
ପ୍ରଭୁ କହିଲେ, ” ଯାହା ତୁମେ ଭୋଗୁଛ, ତାହା ତୁମର ପ୍ରାରବ୍ଧ l ତୁମେ ମୋର ଜଣେ ପରମ ସାଧକ । ଦିବାନିଶି ମୋ ନାମ ଜପ କରୁଛ । ମୁଁ ତୁମକୁ ଛାଡ଼ିବି କିପରି? ତେଣୁ ମୁଁ ତୁମ ପ୍ରାରବ୍ଧ ମଧ୍ୟ ତୁମର ସତ ସାଧନା କାରଣରୁ କଟାଉଛି l”
ବ୍ୟକ୍ତି ପ୍ରଶ୍ନ କଲେ , “କଣ ମୋର ପ୍ରାରବ୍ଧ ତୁମ କରୁଣା ଠାରୁ ଉପରେ? କଣ ତୁମ କୃପା ମୋ ପ୍ରାରବ୍ଧକୁ ଶେଷ କରି ପାରିବନି ?
ପ୍ରଭୂ ଉତ୍ତର ଦେଲେ , ” ମୋ କୃପା ସର୍ବୋପରି l ଅବଶ୍ୟ ମୁଁ ପ୍ରାରବ୍ଧ କାଟି ପାରିଵି ତୁମର ଏଇ ଜନ୍ମରେ l କିନ୍ତୁ ପୁଣି ତୁମକୁ ଏଇ ପ୍ରାରବ୍ଧ ଭୋଗିବାକୁ ପୁନଃ ଜନ୍ମ ନେବାକୁ ପଡିବl ଏହାହିଁ କର୍ମ ର ନିୟମ । ଏଇ କାରଣରୁ ପୁନରପି ଜନମ ପୁନରପି ମରଣ ହୋଇଥାଏ l ଯେହେତୁ ତୁମେ ମୋର ପରମ ଭକ୍ତ, ତୁମର ଏଇ ପ୍ରାରବ୍ଧ ମୁଁ ସ୍ୱୟଂ ନିଜ ହାତରେ କଟାଇ ତୁମକୁ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତି ଦେବାକୁ ଚାହେଁ l”
ପ୍ରାରବ୍ଧ ତିନି ପ୍ରକାର :
ଧୀର ::
କେବଳ ନାମ ଜପିଲେ ଏହା କଟି ଯାଏ l ନାମ ର ମହିମା ଏତେ ପ୍ରବଳ ଯେ ଖାଲି ରାମ ରାମ ଜପି ଦସ୍ୟୁ ରତ୍ନାକର ଆଦିକବି ବାଲ୍ମୀକିରେ ପରିଣତ ହେଲେ l
ତୀଵ୍ର ::
ଶ୍ରଦ୍ଧା ବିଶ୍ୱାସ ସହ ସତସଙ୍ଗ କଲେ, ଏହା କଟି ଯାଏ । ଭାଗବତରେ ଅଛି, ଧୂଁଧୁଂକାରୀ ଏକ ଦୁଷ୍ଟ ଓ ମହାପାପୀ ଥିଲା l ମୃତ୍ୟୁ ପରେ ମଧ୍ୟ ପ୍ରେତ ଯୋନିରୁ ଉଦ୍ଧାର ପାଉ ନ ଥିଲା l ସେ ଅଦୃଶ୍ୟ ଭାବେ ସତସଙ୍ଗ ମଧ୍ୟରେ ବସି ପ୍ରକାଣ୍ଡ ବିଦ୍ୱାନ ଗୋକର୍ଣ୍ଣଙ୍କ ଠାରୁ ଭାଗବତ ଶୁଣି ସଦଗତି ପ୍ରାପ୍ତ କଲl l
ତିବ୍ରତମ::
ସଂସ୍କୃତ ଭାଗବତ ରେ ଅଛି,
ଅବଶ୍ୟମଏବଂ ଭୁକ୍ତାବ୍ୟମ
କୃତଂ କର୍ମ ଶୁଭା ଶୁଭମ,
ନ କ୍ଷୟତେ ପୂର୍ବ କର୍ମ
କଟି କଳ୍ପେ ସତେ ରବୀହl
ପୂର୍ବ କୃତ କର୍ମ ଶୁଭ ହେଉ ବା ଅଶୁଭ ଏ ଜନ୍ମ ହେଉ ବା ପର ଜନ୍ମ, ଏଥିରୁ ତିଳେ ମାତ୍ର ଉଣା ହେବ ନାହିଁ, ଅବଶ୍ୟ ଭୋଗିବାକୁ ପଡିବ କିନ୍ତୁ ଶ୍ରଦ୍ଧା ବିଶ୍ୱାସ ସହ ଯେ ପ୍ରଭୁଙ୍କର ଶରଣାଗତ ହୁଏ, ପ୍ରଭୂ ସ୍ୱୟଂ ସାଙ୍ଗରେ ରହି ଏହାର ତୀବ୍ରତାରେ ଉପଶମ ଆଣନ୍ତି l
ମହାଭାରତ ଯୁଦ୍ଧ ଶେଷ ହୋଇ ଯାଇଥାଏ । ଭୀଷ୍ମ ଶରଶଯ୍ୟାରେ ପଡି ମୃତ୍ୟୁକୁ ଅପେକ୍ଷା କରୁଥାନ୍ତିl ସୂର୍ଯ୍ୟ ଉତ୍ତରାୟଣ ହେଲେl ଇଛାମୃତ୍ୟୁ ସତ୍ତ୍ବେ ସେ ସଦଗତି ପାଉ ନ ଥାନ୍ତିl ସେହି ସମୟରେ ଭଗବାନ କୃଷ୍ଣ ସେଠାରେ ପହଞ୍ଚିଲେ । ଭୀଷ୍ମ ତାଙ୍କୁ ଦେଖି ପଚାରିଲେ, "ହେ ତ୍ରିକାଳ ଦର୍ଶୀ ମଧୁସୂଦନ , ମୁଁ ଜାଣିପାରୁନି ମୃତ୍ୟୁ ପାଇଁ ଇଛା କରି, ପାପ ରହିତ ଥିବା ସତ୍ତ୍ବେ , ମୁଁ କାହିଁକି ମୃତ୍ୟୁ ବରଣ କରି ପାରୁନି, ଦୀର୍ଘ ଦିନ ଧରି ଏ ତୀର ମୁନରେ ଦାରୁଣ କଷ୍ଟ ପାଉଛି "l ଭଗବାନ କହିଲେ, "ତୁମେ ତୁମର ପୂର୍ବଜନ୍ମର କର୍ମ ଭୋଗ କରୁଛ, ତୁମର କିଛି ମନେ ପଡୁନି l" ଭୀଷ୍ମ ଆଶ୍ଚର୍ଯ୍ୟ ହେଲେ ଓ କହିଲେ, "ମୁଁ ମୋ ପୂର୍ବ ଜନ୍ମରେ ଏପରି କୌଣସି କର୍ମ କରିଥିବା ଦେଖି ପାରୁନି l" ପ୍ରଭୂ ଉତ୍ତର ଦେଲେ, " ତୁମେ ତୁମର ୧୦୧ ଜନ୍ମ ପଛକୁ ଯାଅ l ସେହି ଜନ୍ମରେ ତୁମେ ଏକ ଯୁବରାଜ ଥିଲ । ଶିକାର ପାଇଁ ବନସ୍ତରେ ଭ୍ରମଣ କରୁଥିବା ସମୟରେ ତୁମ ରଥ ସମ୍ମୁଖରେ ଏକ ସର୍ପ ଦେଖି ଅଶ୍ୱ ଅଟକି ଯାଇଥିଲା l ତୁମେ ସେଇ ସର୍ପକୁ ଫିଙ୍ଗି ଦେବା ପାଇଁ ଆଦେଶ ଦେଲ l ସର୍ପ ଅନେକ ଦିନ କାଳ ଗୋଟିଏ କଣ୍ଟା ବଣରେ ପଡି, କଣ୍ଟା ରେ କ୍ଷତବିକ୍ଷତ ହୋଇ ଶେଷରେ ପ୍ରାଣ ତ୍ୟାଗ କଲା l କିନ୍ତୁ ତୁମର ବିଗତ ଶହେ ଜନ୍ମର ପୁଣ୍ୟ ଫଳ ଏତେ ପ୍ରବଳ ଥିଲା ଯେ ସେଇ କର୍ମଫଳ ଫଳିତ ହୋଇ ପାରିଲାନି "l ଭୀଷ୍ମ ପ୍ରଶ୍ନ କଲେ ପୁଣି ଏ ଜନ୍ମରେ କାହିଁକି ? ଭଗବାନ କହିଲେ, "ଦ୍ରୌପଦୀଙ୍କ ବସ୍ତ୍ରହରଣକୁ ତୁମେ ଅଟକାଇବା ପାଇଁ ସମର୍ଥ ଥିଲ l କିନ୍ତୁ ତୁମେ ଜାଣି ଶୁଣି ମଥା ପାତି ଦେଲ l ଏଇ ଭୂଲ ତୁମର ଶହେ ବର୍ଷର ପୂଣ୍ୟ ଫଳ ଧୋଇ ଦେଲା ଓ ଶେଷରେ ପାପକୁ ଫଳିତ ହେବା ପାଇଁ ସୁଯୋଗ ମିଳିଗଲା l ଏବେ ତୁମେ ତୁମର ପ୍ରାରବ୍ଧ ଭୋଗା ଭୋଗି ସାରିଛ l ଏଥର ମୋକ୍ଷ ପଥରେ ଅଗ୍ରସର ହୁଅ l
ବାସ୍ତବତଃ ଆମକୁ ଆମ ପ୍ରାରବ୍ଧ ଭୋଗରୁ କେହି ରକ୍ଷା କରି ପାରିବେ ନାହିଁ। ତେଣୁ ତୁଳସୀଦାସ କହିଛନ୍ତି,
ପ୍ରାରବ୍ଧ ପହଲେ ରଚା, ପିଛେ ରଚା ଶରୀର
ତୁଳସୀ ଚିନ୍ତା କ୍ୟୋ° କରେ, ଭଜଲେ ଶ୍ରୀ ରଘୁବୀର
ଅପରପକ୍ଷରେ ଯେଉଁ ତଥାକଥିତ ପ୍ରଗତିବାଦୀ ପ୍ରାରବ୍ଧରେ ବିଶ୍ଵାସ କରନ୍ତି ନାହିଁ ଏବଂ କହନ୍ତି,
“ଭସ୍ମ ଭୂତସ୍ୟ ଜୀବସ୍ୟ ପୁନରାଗମନ କୁତଃ”
ପୁଣି
“ଯାବତ୍ ଜୀବେତ୍ ସୁଖଂ ଭବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍ “
ସେମାନଙ୍କ କଥା ଅଲଗା। ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ଯେତେବେଳେ କ୍ୟାନସର ରୋଗାକ୍ରାନ୍ତ ହୋଇ ଦାରୁଣ କଷ୍ଟ ଭୋଗ କରୁଥିଲେ, ସେତେବେଳେ ତାଙ୍କର କେତେଜଣ ଶିଷ୍ୟ ତାଙ୍କୁ ପ୍ରାର୍ଥନା କରି କହିଲେ : ହେ ଗୁରୁଦେବ ! ଆପଣ ପ୍ରତି ମୁହୂର୍ତ୍ତରେ ଦର୍ଶନ କରୁଥିବା ଜଗଜ୍ଜନନୀ ମା’ଙ୍କୁ ଯଦି ଏ କଷ୍ଟରୁ ଉଦ୍ଧାର କରିବାକୁ ନିବେଦନ କରନ୍ତେ, ତେବେ ମା’ ନିଶ୍ଚୟ ଆରୋଗ୍ୟ କରିଦିଅନ୍ତେ । ଶିଷ୍ୟ ମାନଙ୍କର ଏ ନିବେଦନକୁ ଶ୍ରୀ ରାମକୃଷ୍ଣ ଗ୍ରହଣ କଲେ ନାହିଁ ଓ ଏ ଜନ୍ମରେ ନିଜର ପ୍ରାରବ୍ଧ ଭୋଗ କରି ଜନ୍ମମୃତ୍ୟୁରୁ ନିଜକୁ ଚିରଦିନ ପାଇଁ ମୁକ୍ତ କରି ଅନ୍ତ କାଳରେ ପରମାତ୍ମାଙ୍କ ସହିତ ବିଲୀନ ହେବା ପାଇଁ ଇଚ୍ଛା ପ୍ରକାଶ କଲେ ଏବଂ ପ୍ରାରବ୍ଧ ଜନିତ ଦୁରାରୋଗ୍ୟ ରୋଗ ଜନିତ ଦୁଃଖ ଭୋଗ କରିବା ପାଇଁ ପସନ୍ଦ କଲେ।
ପ୍ରାରବ୍ଧ ବିଷୟରେ ଆଉ ଗୋଟିଏ ସୁନ୍ଦର କଥା ଅଛି। କଂସ ମହାରାଜ ଙ୍କ ନିଧନ ପରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବନ୍ଦୀଶାଳାକୁ ଯାଇ ପିତା ବସୁଦେବ ଓ ମାତା ଦେବକୀଙ୍କୁ ବନ୍ଧନ ମୁକ୍ତ କଲେ, ସେତେବେଳେ ମା’ଦେବକୀ ପୁତ୍ର ଶ୍ରୀକୃଷ୍ଣଙ୍କୁ ପଚାରିଲେ, “ଧନରେ, ତୁ ହେଉଛୁ ସ୍ଵୟଂ ଭଗବାନ, ଆମେ ଦୁହେଁ ତୋର ପିତାମାତା। ଆମେ କି ପାପ କରିଥିଲୁ ଯେ ଆମକୁ ତୁ ଚଉଦ ବର୍ଷ ଏ ବନ୍ଦୀ ଶାଳାରେ ରଖି ଦୁଃଖ କଷ୍ଟ ଦେଲୁ ?” ସେତେବେଳେ ଶ୍ରୀକୃଷ୍ଣ ଉତ୍ତର ଦେଇଥିଲେ, “ମା, ମୁଁ କି ପାପ କରିଥିଲି ଯେ ତୁମେ ମତେ ପୂର୍ବ ଜନ୍ମରେ (ରାମାବତାରରେ) ଚଉଦ ବର୍ଷ ବନକୁ ପଠାଇଥିଲ?” ଦେବକୀ ଚମକି ପଡି କହିଲେ,” ମୁଁ–ମୁଁ ତତେ ଚଉଦ ବର୍ଷ ବନକୁ ପଠାଇଥିଲି ? “ହଁ ମା’ ,ତୁମେ ଥିଲ କୈକେୟୀ ଓ ପିତା ବସୁଦେବ ଥିଲେ ଦଶରଥ। ତୁମେ ଦୁହେଁ ମୋତେ ଚଉଦ ବର୍ଷ ବନକୁ ପଠାଇଥିଲ, ଆଉ ସେହି ଚଉଦ ବର୍ଷ ତୁମ ଦୁହିଁଙ୍କୁ ଏ କାରାଗାରର କଷ୍ଟ ଭୋଗିବାକୁ ପଡିଲା ।” ଆଶ୍ଚର୍ଯ୍ୟ ସ୍ୱରରେ ଦେବକୀ ପ୍ରଶ୍ନକଲେ -“ଆଉ କୌଶଲ୍ୟା ?” ଶ୍ରୀକୃଷ୍ଣ କହିଲେ “ସେ ହେଉଛନ୍ତି ଏ ଜନ୍ମରେ ଯଶୋଦା।” ଦେବକୀ ନୀରବ ହୋଇଗଲେ ।
ନିରପେକ୍ଷ ବିଚାରବନ୍ତ ଭଗବାନ ବି, ନିଜ ପିତାମାତାଙ୍କୁ ପ୍ରାରବ୍ଧରୁ ରକ୍ଷା କରି ପାରି ନଥିଲେ,ଏ କଥାଟି ତାର ଜ୍ୱଳନ୍ତ ପ୍ରମାଣ। ଆମେ ତ ସାଧାରଣ ମନୁଷ୍ୟ l ଆଜି ଆମେ ଯେତେ ଯାହା ଦୁଃଖ କିମ୍ବା ସୁଖ ପାଉଚେ ତାହା ଆମ ପ୍ରାରବ୍ଧର ଫଳ। ଧୈର୍ଯ୍ୟର ସହ ତାକୁ ପାର ହେବା ପାଇଁ ସାରା ଜୀବନ ସ୍ବ’ଧର୍ମ ପାଳନ ପୂର୍ବକ ପ୍ରୟାସ କରି ଚାଲିବା ଉଚିତ। ଭାଗବତ ରେ କୁହାଯାଇଛି
ସ୍ୱଧର୍ମେ କଲେ ସ୍ୱର୍ଗବାସ ।
ଅଧର୍ମେ ନରକେ ପ୍ରବେଶ॥
ଭାଗ୍ୟ ଭରସାରେ ନବସି କର୍ମ କରିବା ଉଚିତ୍l
ଓଁ ନମୋ ଭଗବତେ ବସୁଦେବାୟ
✿
Be First to Comment