Last updated on February 6, 2021
ପ୍ରୋ. ଯଜ୍ଞେଶ୍ୱର ନାଥ, ମୋ: ୭୦୦୮୫୮୦୯୦୧
ଚିକିତ୍ସା ଚତୁଷ୍ପାଦ— ସୁଶ୍ରୁତ ରୋଗୀର ସଫଳ ଚିକିତ୍ସା ପାଇଁ ଚାରୋଟି ପାଦ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ୧) ବୈଦ୍ୟ, ୨) ରୋଗୀ, ୩) ଔଷଧୀ ଏବଂ ୪) ପରିଚାରକ । ଏହି ଚାରୋଟି ପାଦ ଧାତୁସାମ୍ୟ ବା ଆରୋଗ୍ୟ ରୂପୀ କର୍ମସିଦ୍ଧି ପାଇଁ ଆବଶ୍ୟକ । ସୁ.ସୂ.୩୪.୧୪
ଉପରୋକ୍ତ ଚାରୋଟି ପାଦ ମଧ୍ୟରୁ ବୈଦ୍ୟ ଶ୍ରେଷ୍ଠ ଅଟେ କାରଣ ବୈଦ୍ୟ ବିନା ଅନ୍ୟ ତିନୋଟି ପାଦ ନିରର୍ଥକ । ଯେପରିକି ଗଭୀର ଜଳରେ ରହିଥିବା ନୌକାକୁ କେବଳ କୁଶଳ ନାଉରୀ ଅନ୍ୟର ସହାୟତା ବିନା ଉଦ୍ଧାର କରେ, ସେହିପରି ଯଥୋକ୍ତ ଗୁଣଯୁକ୍ତ ବୈଦ୍ୟ ରୋଗରୂପୀ ଜଳାର୍ଣ୍ଣବରୁ ରୋଗୀକୁ ଉଦ୍ଧାର କରିପାରେ ।
ବୈଦ୍ୟଗୁଣ — ଶାସ୍ତ୍ରର ତତ୍ତ୍ୱ ଜାଣିଥିବ, ଚିକିତ୍ସା କର୍ମ ଦେଖିଥିବ, ନିଜେ ଚିକିତ୍ସା କରିଥିବ, ଲଘୁହସ୍ତା, ଯାହାର ଅନ୍ତର ଓ ବାହ୍ୟ ସ୍ୱଚ୍ଛ, ସମସ୍ତ ସାଧନ ସାମଗ୍ରୀଯୁକ୍ତ ଏହାଙ୍କୁ ଚିକିତ୍ସକ କୁହାଯାଏ । ସୁ.ସୂ.୩୪.୧୮-୧୯
ଆୟୁ ପରୀକ୍ଷା ମହତ୍ତ୍ୱ — ରୋଗୀର ଚିକିତ୍ସା କରିବା ପୂର୍ବରୁ ବୈଦ୍ୟଙ୍କୁ ପ୍ରଥମେ ରୋଗୀର ଆୟୁ ପରୀକ୍ଷା କରିବା ଉଚିତ । ଯଦି ଆୟୁ ଥିବ, ତେବେ ବ୍ୟାଧି, ଋତୁ, ବୟସ, ଦେହ, ସତ୍ତ୍ୱ, ସ୍ୱାସ୍ଥ୍ୟ, ପ୍ରକୃତି, ଔଷଧ ଏବଂ ଦେଶ ଆଦିର ପରୀକ୍ଷା କରିବ । ସୁ,ସୂ.୩୫-୨
ସାଧାରଣତଃ ମାତାର ଗର୍ଭ ସଞ୍ଚାର ଠାରୁ ଯେ ନିରୋଗ ତଥା ଯାହାର ଶରୀର, ଜ୍ଞାନ ଏବଂ ବିଜ୍ଞାନ ଧୀରେ ଧୀରେ ବୟସାନୁସାରେ ବୃଦ୍ଧି ହୁଏ, ତାକୁ ଦୀର୍ଘାୟୁ ବୋଲି ଜାଣିବ । ସୁ.ସୂ.୩୫-୫
ପଞ୍ଚବିଂଶୋ ଗତବର୍ଷେ ପୁମାନ୍ ନାରୀ ତୁ ଷୋଡଶୋ ।
ସମତ୍ୱାଗତ ବୀର୍ଯ୍ୟେ ତୌ ଜାନୀୟାତ୍ କୁଶଳୋ ଭିଷକ୍ ॥ ସୁ.ସୂ.-୩୫-୧୪
ପୁରୁଷର ବୟସ ୨୫ବର୍ଷ ଏବଂ ସ୍ତ୍ରୀର ୧୬ ବର୍ଷ ଅବସ୍ଥାରେ ପରିପୂର୍ଣ୍ଣ ହୁଏ । ଏହା କୁଶଳ ବୈଦ୍ୟ ଜାଣିବା ଉଚିତ । ସୁ.ସୂ.୩୫-୧୪
ବିମର୍ଶ – ଆଜିକାଲି ୧୮ବର୍ଷ ପୂର୍ବରୁ ଝିଅର ବାହାଘରକୁ ଧର୍ତବ୍ୟ ଅପରାଧ ବୋଲି ଗଣାଯାଏ ।
ନାସ୍ତି ରୋଗୋ ବିନା ଦୋଷୈର୍ଯସ୍ମାତ୍ତସ୍ମାଦବିଚକ୍ଷଣଃ ।
ଅନୁକ୍ତମପି ଦୋଷାଣାଂ ଲିଙ୍ଗୈ ର୍ବ୍ୟାଧିମୁପାଚରେତ୍ । ସୁ.ସୂ.୩୫-୨୨
ଅନୁକ୍ତ ରୋଗ ଚିକିତ୍ସା— ଦୋଷ ବିନା ରୋଗ ହୁଏନାହିଁ । ଏଥିପାଇଁ ଅଜ୍ଞାତ ରୋଗର ଚିକିତ୍ସା ଦୋଷର ଲକ୍ଷଣ ଅନୁସାରେ ଚତୁର ବୈଦ୍ୟ କରିବା ଉଚିତ । ପ୍ରକୃତ ଚିକିତ୍ସା ବୃଦ୍ଧି ହୋଇଥିବା ଦୋଷକୁ ଶାନ୍ତକରେ ଏବଂ ଅନ୍ୟ (ନୂଆ) ବ୍ୟାଧିକୁ ଉତ୍ପନ୍ନ କରେନାହିଁ । କିନ୍ତୁ ଯାହା ଏକ ରୋଗକୁ ଦୂରକରି ଅନ୍ୟ ବ୍ୟାଧିକୁ ଉତ୍ପନ୍ନ କରେ, ତାହା ଯଥାର୍ଥ କ୍ରିୟା ବା ଚିକିତ୍ସା ନୁହେଁ । ସୁ.ସୂ.୩୫-୨୬
ପ୍ରାଗଭିହିତୋଽଗ୍ନିରନ୍ନସ୍ୟ ପାଚକଃ । ସ ଚତୁବିଧା ଭବତି— ବିଷମୋ ବାତେନ, ତୀକ୍ଷ୍ଣଃ ପିତ୍ତେନ, ମନ୍ଦଃ ଶ୍ଲେଷ୍ମଣା, ଚତୁର୍ଥଃ ସମଃ ସର୍ବସାମ୍ୟା ଦିତି । ସୁ.ସୂ.୩୫-୨୭
ଜଠରାଗ୍ନି ପ୍ରକାର — ପୂର୍ବରୁ କୁହାଯାଇଛି— ଅଗ୍ନି ଅନ୍ନକୁ ପାଚନକରେ । ତାହା ଦୋଷାନୁସାରେ ୪ ପ୍ରକାର ଅଟେ । ବାୟୁ ଦ୍ୱାରା ବିଷମ, ପିତ୍ତରୁ ତୀକ୍ଷ୍ଣ, କଫରୁ ମନ୍ଦ ଏବଂ ସର୍ବଦୋଷର ସମାନତାରୁ ସମାଗ୍ନି ହୋଇଥାଏ ।
ଯାହା ଠିକ୍ ସମୟରେ ଖାଇଥିବା ଖାଦ୍ୟକୁ ଉତ୍ତମ ରୂପେ ପାକ କରିନିଏ, ତାକୁ ‘ସମ’ ଅଗ୍ନି କୁହାଯାଏ । ଏହା ଦୋଷର ସାମ୍ୟତାରୁ ହୋଇଥାଏ । ଯାହା କେବେକେବେ ଅନ୍ନକୁ ଠିକ୍ ସମୟରେ ପାକ କରେଏବଂ କେବେକେବେ ଆଧ୍ମାନ, ଶୂଳ, ମୁଳାବରୋଧ, ଅତିସାର, ପେଟରେ ଗୁରୁତା, ଅନ୍ତରେ ଗୁଡୁଗୁଡୁ ଶବ୍ଦ, କୁନ୍ଥନ ଆଦି ବିକାର ଉତ୍ପନ୍ନକରି ପାକ କରେ, ତାହା ବିଷମାଗ୍ନି ଅଟେ । ଯାହା ମାତ୍ରାଧିକ ଭୋଜନକୁ ଶୀଘ୍ର ପାକକରେ, ତାହା ତୀକ୍ଷ୍ଣାଗ୍ନି ଅଟେ । ଏହା ବାରମ୍ବାର ଅଧିକ ମାତ୍ରାରେ ସେବନ କରିଥିବା ଅନ୍ନକୁ ଶୀଘ୍ର ପାକ କରିଦିଏ ଏବଂ ପରେ ପରେ ଗଳା, ତାଳୁ, ଓଠରେ ଶୁଷ୍କତା, ଦାହ ସନ୍ତାପ ଉତ୍ପନ୍ନ କରେ । ଯାହା ଯଥା ବିଧି ସେବନ କରିଥିବା ଅଳ୍ପ ଭୋଜନରୁ ପେଟ ଓ ଶିରରେ ଗୁରୁତା, କାଶ, ଶ୍ୱାସ, ବମନ, ଆଳସ୍ୟ ଆଦି ବିକାର ଉତ୍ପନ୍ନ କରି ବହୁତ ବିଳମ୍ବରେ ପାକ କରେ, ତାକୁ ମନ୍ଦାଗ୍ନି କୁହାଯାଏ ।
ତୀକ୍ଷ୍ଣାଗ୍ନିକୁ ଭସ୍ମକ(polyphagia) କୁହାଯାଏ । ଏହା ଆମାସୟିକ ରସର ଅଧିକତା (hyperchlicrhydria) ମଧୁମେହ, ହିଷ୍ଟେରିଆ ତଥା ଆନ୍ତ୍ରସ୍ଥ କୃମି ଯୋଗୁ ହୋଇଥାଏ । ସୁ.ସୂ.୩୫-୨୮
ବିଷମୋ ବାତଜାନ୍ ରୋଗାଂସ୍ତୀକ୍ଷ୍ଣଃ ପିତ୍ତନିମିତ୍ତଜାନ୍ ।
କରୋତ୍ୟଗ୍ନିସ୍ତଥା ମନ୍ଦୋବିକାରାନ୍ କଫସଂଭବାନ୍ । ସୁ.ସୂ.୩୫-୨୯
ବିଷମାଗ୍ନି ବାତ ଜନିତ ରୋଗ, ତୀକ୍ଷ୍ଣାଗ୍ନି ପିତ୍ତ ଜନିତ ରୋଗ ଏବଂ ମନ୍ଦାଗ୍ନି କଫଜନିତ ରୋଗକୁ ଉତ୍ପନ୍ନ କରେ ।
ଅଗ୍ନିର ଚିକିତ୍ସା — ଏଥି ମଧ୍ୟରୁ ସମ ଅଗ୍ନିକୁ ରକ୍ଷା କରିବ, ବିଷମ ଅଗ୍ନି ହୋଇଥିଲେ ସ୍ନିଗ୍ଧ ଦ୍ରବ୍ୟ, ଅମ୍ଳ, ଲବଣ(ରସରେ) ତଥା ବାତନାଶକ ଆହାର ବିହାର କ୍ରିୟା ବିଶେଷରେ ତାହାର ପ୍ରତିକାର କରିବ । ଅଗ୍ନି, ତୀକ୍ଷ୍ଣ ହେଲେ ମଧୁର, ସ୍ନିଗ୍ଧ, ଶୀତଳ (ଖାଦ୍ୟପେୟ) ତଥା ବିରେଚନ ଦ୍ୱାରା ପ୍ରତିକାର କରିବ । ମଇଁଷି ଦୁଗ୍ଧ, ଦହି ଏବଂ ଘୃତ ଦ୍ୱାରା ଅତ୍ୟଗ୍ନିକୁ ଶାନ୍ତ କରିବ । ମନ୍ଦାଗ୍ନିରେ କଟୂ, ତିକ୍ତ, କଷାୟ, ଦ୍ରବ୍ୟ ଭୋଜନ ଏବଂ ବମନ ଦ୍ୱାରା ପ୍ରତିକାର କରିବ । ସୁ.ସୂ.୩୫-୩୦
ଜଠରୋ ଭଗବାନଗ୍ନିରୀଶ୍ୱରୋଽନ୍ନସ୍ୟ ପାଚକଃ ।
ସୌକ୍ଷ୍ମ୍ୟାଦ୍ରସାନାଦଜାନୋ ବିବେକ୍ତୁଂ ନୈବ ଶକ୍ୟତେ । ସୁ.ସୂ. ୩୫-୩୧
ଅନ୍ନର ପରିପାକ କରୁଥିବା ରସକୁ ଗ୍ରହଣ କରୁଥିବା, ମହାବୀର୍ଯ୍ୟବାନ୍ ଶରୀରର ମାଲିକ, ମାତ୍ର ଜଠରାଗ୍ନି ସୂକ୍ଷ୍ମ ହୋଇଥିବାରୁ ବିଶେଷ ବିବେଚନ କରିବା ଅସମ୍ଭବ ଅଟେ । ଚରକଙ୍କ ମତରେ ଅଗ୍ନି ଶାନ୍ତ ହୋଇଗଲେ ମଣିଷର ମୃତ୍ୟୁ ହୁଏ । ଅଗ୍ନି ଠିକ୍ ରହିଲେ ରୋଗୀର ହିତ ହୋଇ ଦୀର୍ଘଜୀବି ହୁଏ । ତେଣୁ ବିକୃତ ଅଗ୍ନିକୁ ରୋଗର ମୂଳ କାରଣ ବୋଲି କୁହାଯାଇଛି ।
ପ୍ରାଣାପାନ ସମାନୈସ୍ତୁ ସର୍ବତଃ ପବନୈସ୍ତ୍ରିଭିଃ ।
ଧ୍ୟାୟତେ ପାଚ୍ୟତେ ଚାପି ସ୍ୱେ ସ୍ୱେ ସ୍ଥାନେ ବ୍ୟବସ୍ଥିତୈଃ ।
ନିଜ ସ୍ଥାନରେ ବ୍ୟବସ୍ଥିତ (ପ୍ରକୃତିସ୍ଥ) ପ୍ରାଣ, ଅପାନ ଏବଂ ବ୍ୟାନ ବାୟୁର ଅଧୀନ ଅଟେ । ପ୍ରାଣବାୟୁ ଅନ୍ନକୁ ଗ୍ରହଣ କରେ, ଅପାନ ବାୟୁ ମଳମୂତ୍ରାଦିକୁ ଯଥା କାଳରେ ଉତ୍ସର୍ଗ କରେ ଏବଂ ସମାନ ବାୟୁ ସହିତ ମିଶି ଜଠରାଗ୍ନିକୁ ପରିପାଳନ ଏବଂ ପ୍ରଜ୍ୱଳନ କରେ । ଏଣୁ ବାୟୁ ମାନଙ୍କର ବିକୃତି ହେଲେ ଜଠରାଗ୍ନି ବିକୃତି ହୋଇଯାଏ ।
ବକ୍ତବ୍ୟ : ଜଠରାଗ୍ନି ଯଦ୍ୟପି ଶରୀରର ଇଶ୍ୱର ଅଟେ, ତଥାପି ନିଜର ଈଶ୍ୱର ନୁହେଁ । ଏହା ପ୍ରାଣ, ଅପାନ ଏବଂ ବ୍ୟାନ ବାୟୁର ଅଧିନ ଅଟେ । ପ୍ରାଣ ବାୟୁ ଅନ୍ନକୁ ଗ୍ରହଣ କରେ. ଅପାନ ବାୟୁ ମଳମୂତ୍ରାଦିକୁ ଯଥା କାଳରେ ଉତ୍ସର୍ଗକରେ ଏବଂ ସମାନ ବାୟୁ ସହିତ ମିଶି ଜଠରାଗ୍ନିକୁ ପରିପଳନ ଏବଂ ପ୍ରଜ୍ଜ୍ୱଳନ କରେ । ଏଣୁ ବାୟୁମାନଙ୍କର ବିକୃତି ହେଲେ ଜଠରାଗ୍ନି ବିକୃତ ହୋଇଥାଏ ।
Be First to Comment