Press "Enter" to skip to content

ଅଧ୍ୟାତ୍ମ ଜୀବନ ପଦ୍ୟାବଳୀ-୨

Last updated on November 2, 2020

କାମ, କ୍ରୋଧ, ଲୋଭ, ସଙ୍ଗ ଅଧୀରତା ବିଶାଳ,
ମନ କା ଅଲଗାୱ, ଭୟ ଭ୍ରମ ବୁରା ହାଲ  ।
କୃତ୍ୟ କୀ ନ ସୂଝ, ଅନ୍ଧ ମନ କା ତନାୱ,
ସୁମତି ହରେ ୟହ ସବ, ଅନର୍ଥ କା ଫୈଲାୱ   ॥୩  ॥

ଛନ୍ଦାର୍ଥ :— ଏହି ବନ୍ଧନ ସହିତ କାମ, କ୍ରୋଧ, ଲୋଭ ଏବଂ ତାହା ସହିତ ଭାରୀ ମନର ଅଧୀରତା ଜନିତ ଦୋଷ ମଧ୍ୟ ହୋଇଥାଏ  । ଆଉ ପୁନର୍ବାର ଯେଉଁ ସୁଖର ତୃଷ୍ଣାକୁ ପୂରାକରିବା ଦିଗରେ ମନ ସର୍ବଦା ଦୌଡିଥାଏ ସେହି ତୃଷ୍ଣାଜନିତ ଦୁଃଶ୍ଚିନ୍ତା ମଧ୍ୟ ରହିଯାଏ  । ଏହି ଦୁଃଶ୍ଚିନ୍ତା କାରଣରୁ ମନକୁ ସତ୍ୟଜ୍ଞାନର ଅନୁସନ୍ଧାନ କରିବାକୁ ଆଗ୍ରହ ରହେନାହିଁ  । ଏହା ହିଁ ଭାବାର୍ଥ ଅଟେ  । ତୃଷ୍ଣା ଜନିତ ସୁଖ ଦିଗକୁ ଛାଡି ଏବଂ ସତ୍ୟର ଜ୍ଞାନ ଧ୍ୟାନ ଦିଗରେ ମନର ପ୍ରବୃତ୍ତି ରୂପ ଦୋଷ ହୋଇଥାଏ  । ପୁନଃ ତୃଷ୍ଣାଜନିତ ସୁଖ ସହିତ ଅନେକ ପ୍ରକାର ଭୟ ତଥା ଭ୍ରମ ମଧ୍ୟ ସୃଷ୍ଟି ହୋଇଥାଏ  । ଏହା ଦ୍ୱାରା ମନର ଖରାପ ଅବସ୍ଥା ଅର୍ଥାତ୍‌ ଦୁଃଖଦାୟୀ ଅବସ୍ଥା ମଧ୍ୟ ସୃଷ୍ଟି ହୋଇଥାଏ  । ଏଭଳି ଅବସ୍ଥାରେ କର୍ତ୍ତବ୍ୟଜ୍ଞାନ ରହେନାହିଁ  । ତୃଷ୍ଣାଜନିତ ଜ୍ଞାନଶୂନ୍ୟ ସ୍ଥିତି ମନରେ ବିଦ୍ୟମାନ ରହିଥାଏ  । ଉକ୍ତ ଦୁଇଗୋଟି ପଦରେ ଅବିଦ୍ୟାଯୁକ୍ତ ମନର ଅନର୍ଥଯୁକ୍ତ ଅବସ୍ଥା ଦର୍ଶାଯାଇଛି  । ଏ ସମସ୍ତ ଅନର୍ଥକୁ ସୁମତି ପୁରୁଷ, ଅର୍ଥାତ୍‌ ଶୋଭନ ମତିଯୁକ୍ତ ପୁରୁଷ ହିଁ ପରିହୃତ କରିପାରନ୍ତି  ।
ବ୍ୟାଖ୍ୟା:— ପୂର୍ବ ପଦ୍ୟରେ ତୃଷ୍ଣାର ଅନ୍ତଃକରଣ (ସୂକ୍ଷ୍ମମନ)ରେ ଅବଦମିତ ହୋଇ ରହିଥିବା ବନ୍ଧନ ସମ୍ବନ୍ଧରେ କୁହାଯାଇଛି  । ଉକ୍ତ ପଦ୍ୟରେ ଏହି ବନ୍ଧନ ସମୂହର ସନ୍ତାନ ରୂପେ ସଂସାର କ୍ଷେତ୍ରରେ ଉପୁଜୁଥିବା ବିକାର ଜାଲକୁ ଦର୍ଶାଯାଇଛି  ।
ଯେଉଁ ତୃଷ୍ଣାର ବସ୍ତୁସମୂହରେ ସୁଖ ଅଥବା ଭଲପାଇବା ରହିବାଦ୍ୱାରା ରାଗର ବନ୍ଧନ ସୃଷ୍ଟି ହୁଏ, ସେହି ପ୍ରାଣୀ ତଥା ପଦାର୍ଥରୂପ ବସ୍ତୁସମୂହରେ କାମ ଅବା ଇଚ୍ଛା ଉତ୍ପନ୍ନ ହୋଇଥାଏ  । କାମ ସେହି ଇଚ୍ଛା ଅଟେ ଯାହା ବସ୍ତୁର ଶୁଭ ଭାବକୁ ଦେଖାଇ ଆକର୍ଷିତ କରିଥାଏ  । ସେପଟେ ପଦାର୍ଥର ସୁଖ ପାଇବାପାଇଁ ବାଧ୍ୟ କରିଦେଇଥାଏ  । ଏହା ରାଗଜନିତ ବନ୍ଧନର ବିକାର ଅଟେ  । ଯଦି ଏହି କାମ ଅପୂର୍ଣ୍ଣ ରହିଯାଏ, ଅପକ୍ୱେ ରହିଯାଏ ଏବଂ ରାଗର ପ୍ରାବଲ୍ୟ ହୁଏ ତେବେ ଏହା କାମ, କ୍ରୋଧରୂପ ବିକାରରେ ପରିବର୍ତ୍ତିତ ହୋଇଯାଏ  ।
କାମଜନିତ ଅଧିକ ସୁଖର ଇଚ୍ଛାକୁ ଲୋଭ କହନ୍ତି  । ଏହି ତୃଷ୍ଣାଜନିତ ବସ୍ତୁସମୂହର ସୁଖ ପ୍ରତି ଥିବା ଲୋଭ କାରଣରୁ ମନ ଅଧୀର ହୋଇଯାଏ  । ସେତେବେଳେ ସେହି ବିଷୟ ସୁଖର ଅଳ୍ପ ବିୟୋଗ ମଧ୍ୟ ସହନ ହୋଇପାରେ ନାହିଁ  । ଏଥି ପାଇଁ ଜୀବ ପାପ କରିବାକୁ ବି ପଛାଇ ନଥାଏ  । ଏହି ବିକାରସମୂହ ବୃଦ୍ଧି ପାଇବାରୁ ଏମାନଙ୍କ ସୁଖ ବ୍ୟତିରେକ ମନ କେଉଁଠାରେ ବି ଲାଗେନାହିଁ  । ଅର୍ଥାତ୍‌ ଦ୍ୱିତୀୟ ପ୍ରୟୋଜନଯୁକ୍ତ ଧ୍ୟାନ ଜ୍ଞାନ ଆଦି କାର୍ଯ୍ୟସମୂହରେ ପ୍ରବୃତ୍ତ ହୋଇନଥାଏ  । ପୁନଃ ବିଷୟସମୂହର ସୁଖ ପ୍ରାପ୍ତି ଲୋଭରେ କାମର ଅଧିକ ତୃପ୍ତି କରିବା କାରଣରୁ ଭୟ ଏବଂ ମତିଭ୍ରମଜନିତ ବିକାର ମଧ୍ୟ ମନୁଷ୍ୟକୁ ଦୁଃଖୀ କରିଦିଏ  । ରୋଗ ଏବଂ ଅନ୍ୟମାନଙ୍କ ସହ ବିରୋଧ ଆଦି କାରଣରୁ ଭୟ ଉତ୍ପନ୍ନ ହୋଇଥାଏ ଏବଂ ସ୍ୱତଃ ମନ କିଛି ନାଁ କିଛି ନିଜକୁ ଆଉ ଅନ୍ୟମାନଙ୍କୁ ଭ୍ରମରେ କଳ୍ପନା କରି ଦୁଃଖୀ ହୋଇଥାଏ  । ମନୁଷ୍ୟର ଏହିଭଳି ଖରାପ ଅବସ୍ଥା ସବୁ ଆସିଥାଏ  । ଏ ସମସ୍ତ ବିକାରଗ୍ରସ୍ତ ମନରେ କୃତ୍ୟ ଅଥବା କର୍ତ୍ତବ୍ୟ ସମ୍ବନ୍ଧରେ କିଛି ବି ଜ୍ଞାନ ରହେନାହିଁ  । ବିକାରଗ୍ରସ୍ତ ମନର ଦୁଃଶ୍ଚିନ୍ତା ଏତେ ଭୟଂକର ହୋଇଯାଏ କି, ମନୁଷ୍ୟ ଅନ୍ଧ ହୋଇ କିଛି ବି କରିବସେ  । ହେଲେ ସମସ୍ତ ଅବିଦ୍ୟା ଯୁକ୍ତ ମନ ହିଁ ତୃଷ୍ଣାକୁ ପ୍ରକଟ କରି ଅନର୍ଥର ଜାଲ ବିସ୍ତାର କରିଦେଇଥାଏ  । କେବଳ ଶୋଭନ ମତିଯୁକ୍ତ ମନୁଷ୍ୟ ହିଁ ଏହାକୁ ଟାଳିପାରେ  । ଶୋଭନ ମତି ଅର୍ଥାତ୍‌ ସଠିକ୍‌ ଜ୍ଞାନଯୁକ୍ତ ଜନ ହିଁ ଏହି ଅନର୍ଥର ବିସ୍ତାରକୁ ନଷ୍ଟ କରିପାରେ  ।

ବିନା ସମ୍ୟକ୍‌ ଜ୍ଞାନ କେ, ଅନର୍ଥ ଭୀ ନ ଖୋୟ,
ଅନର୍ଥ ସଂଗ ସୁଖ ଶମ, କବହୂଁ ନ ହୋୟ  ।
କେବଲ ଧ୍ୟାନ ୱ ବିଚାର ରସ ସତ୍ୟ କୋ ସୁଝାୟ,
ଶୁଦ୍ଧାଚାର ବିନା ଜନ, ଜାକୋ ଭୀ ନ ପାୟେ   ॥୪  ॥

ଛନ୍ଦାର୍ଥ :— ଜ୍ଞାନ ବ୍ୟତିରେକ ଅଥବା ସମ୍ୟକ୍‌ ଜ୍ଞାନ ବ୍ୟତିତ ପୂର୍ବ କଥିତ ଅନର୍ଥ କଦାପି ଦୂର ହୁଏନାହିଁ  । ଆଉ ଯେତେବେଳ ପର୍ଯ୍ୟନ୍ତ ଅନର୍ଥ ଦୂର ନ ହୋଇଛି, ସେତେବେଳ ପର୍ଯ୍ୟନ୍ତ ସ୍ଥାୟୀ ସୁଖ ଶାନ୍ତିର ପ୍ରାପ୍ତି ମଧ୍ୟ ହୁଏ ନାହିଁ  । ହେଲେ ସମ୍ୟକ୍‌ ଜ୍ଞାନକୁ ତ ଧ୍ୟାନ ଏବଂ ବିଚାରର ପ୍ରୀତି ହିଁ ଉତ୍ପନ୍ନ କରିପାରେ  । ଏହି ଜ୍ଞାନ ସତ୍ୟର ଜ୍ଞାନରୂପ ଅଟେ  । ଏହାଦ୍ୱାରା ମିଥ୍ୟା ଜ୍ଞାନରୂପ ବାହ୍ୟ ସୁଖଜନିତ ଭ୍ରମ ଦୂର ହୋଇଥାଏ  । ତେଣୁ ଏହି ଧ୍ୟାନ ଏବଂ ବିଚାରରେ ପ୍ରୀତି ଉତ୍ପନ୍ନ ନହେଲେ ଶୁଦ୍ଧାଚରଣ ହେବା ସମ୍ଭବ ନୁହେଁ  । ବାହାରେ ସମସ୍ତ ପ୍ରକାର ପବିତ୍ର ଜୀବନ ଅତିବାହିତ କରିବା ହିଁ ଶୁଦ୍ଧାଚାର  ।
ବ୍ୟାଖ୍ୟା: — ପୂର୍ବ ପଦ୍ୟରେ ଯାହା କୁହାଯାଇଛି କି, “ସୁମତି ହରେ ୟହ ସବ ଅନର୍ଥ କା ଫୈଲାୱ”, ଏହାର ତାତ୍ପର୍ଯ୍ୟ ଏହି ପଦ୍ୟରେ ସୁମତି ଶବ୍ଦର ଅର୍ଥକୁ ସ୍ପଷ୍ଟ କରିବା ନିମନ୍ତେ ବ୍ୟକ୍ତ କରାଯାଇଛି  ।
ପଶୁ, ପକ୍ଷୀ, ସାଧାରଣ ପ୍ରାଣୀ ମାତ୍ରଙ୍କୁ ପ୍ରକୃତି ଅବା ମାୟା ଜନ୍ମରୁ ହିଁ ଅନ୍ୟମାନଙ୍କର ସଙ୍ଗଲାଭ ଦ୍ୱାରା ସୁଖ ମିଳିବା କଥା ଶିଖାଇଥାଏ  । ସେମାନଙ୍କର ଉତ୍ତେଜନାକୁ ପୂରା କରିବାପାଇଁ ସୁଖ ହିଁ ଏକମାତ୍ର ଉପାୟ, ହେଲେ ଏହିଭଳି ମନେକରିବା ମିଥ୍ୟା ଜ୍ଞାନ ସ୍ୱରୂପ ଅଟେ  । ସମ୍ୟକ୍‌ ଅବା ପ୍ରକୃତ ଜ୍ଞାନ ନୁହେଁ  । ସମ୍ୟକ୍‌ ଅଥବା ସଠିକ୍‌ ଜ୍ଞାନ ହେଉଛି, ସାଂସାରିକ ସଙ୍ଗଜନିତ ସମସ୍ତ ସୁଖ ଅନିତ୍ୟ ଅଟେ ଆଉ ଶେଷରେ ଦୁଃଖସମୂହକୁ ଉତ୍ପନ୍ନ କରିଥାଏ ଆଉ ଦୁଃଖରେ ହିଁ ସମାପ୍ତ ହୋଇଯାଇଥାଏ  । ଏହାକୁ ଅବଗତ ହୋଇଥିବା ପୁରୁଷଙ୍କୁ ସୁମତି ପୁରୁଷ କୁହାଯାଏ  । ଏହି ସୁମତି ପୁରୁଷଙ୍କର ପ୍ରକୃତ ଜ୍ଞାନ ପୂର୍ବରୁ କଥିତ ଅନର୍ଥକୁ ନଷ୍ଟ କରିଥାଏ  । ଆଉ ଅନର୍ଥ ରହିଲେ ତ ସୁଖ ଶାନ୍ତି କାହାରିକୁ ବି ମିଳିନଥାଏ  ।
ହେଲେ ଉପର ବର୍ଣ୍ଣିତ ସୁ-ମତିଯୁକ୍ତ ପୁରୁଷଙ୍କର ସମ୍ୟକ୍‌ ଅଥବା ସତ୍‌ ଜ୍ଞାନକୁ ଜାଗ୍ରତ କରିବା ପାଇଁ ମନର ଏକାଗ୍ରତା ରୂପ ଧ୍ୟାନ ଏବଂ ଧ୍ୟାନାବସ୍ଥାରେ ସତ୍ୟର ଅନ୍ୱେଷଣ ରୂପ ବିଚାରର ଆବଶ୍ୟକତା ରହିଛି  । ଧ୍ୟାନ ଏବଂ ବିଚାରରେ ମଧ୍ୟ ରସ ଅବା ପ୍ରୀତି ହେବା ଆବଶ୍ୟକ  । ଏହା ମଧ୍ୟ ସୁମତି ପୁରୁଷଙ୍କ ଠାରେ ରହିବା ଆବଶ୍ୟକ  । କାରଣ ଜ୍ଞାନ ଏବଂ ବିଚାର ବିନା ସତ୍ୟ ବସ୍ତୁର ଜ୍ଞାନ ହେବା ଅସମ୍ଭବ ଅଟେ  । ସୁମତି ପୁରୁଷ ଶୁଦ୍ଧ ଆଚରଣଯୁକ୍ତ ହୋଇଥାନ୍ତି, କାରଣ ଧ୍ୟାନ ଏବଂ ବିଚାରକୁ ସଠିକ୍‌ ଭାବରେ ପାଇବାପାଇଁ ସଂସାରରେ ଶୁଦ୍ଧାଚାରର ପରମ ଆବଶ୍ୟକତା ରହିଛି  । ସମସ୍ତ ହିଂସା, ମିଥ୍ୟା ଭାଷଣ, ଚୋରି ଆଦି ପାପସମୂହରୁ ରକ୍ଷାପାଇବା, ଏହାର ବିପରୀତ ସମସ୍ତ ଉତ୍ତମ ପ୍ରବୃତ୍ତି କରିବା, ଶୟନ, ଜାଗରଣ, ଖାଦ୍ୟ-ପାନୀୟ ଆଦିରେ ନିତ୍ୟଯୁକ୍ତ ଏବଂ ବୁଦ୍ଧିମତ୍ତାପୂର୍ଣ୍ଣ ଢ଼ଙ୍ଗରେ ଅବସ୍ଥାନ କରିବା  । ମନର ବିଚାର ପବିତ୍ର ରଖିବାପାଇଁ ପ୍ରଯତ୍ନ କରିବା ଏସବୁ ଶୁଦ୍ଧାଚରଣର ଅଙ୍ଗ ଅଟେ  । ଏହା ବିନା ମନୁଷ୍ୟର ମନ ମିଥ୍ୟା ଧ୍ୟାନମାନଙ୍କରେ ଏକାନ୍ତରେ ବିଚରଣ କରିଥାଏ  । ପ୍ରକୃତ ଧ୍ୟାନ ଏବଂ ବିଚାର କରିପାରେ ନାହିଁ  । ମିଥ୍ୟା ଧ୍ୟାନ ଏଠାରେ ସେହି ବିଚାରସମୂହର ଅଟେ ଯେଉଁମାନେ ଭୋଗସମୂହକୁ ମନରେ ସର୍ବଦା ପ୍ରବାହିତ କରୁଥାନ୍ତି ଆଉ ଏ ସଂସାରରେ ମହାନ୍‌ ସ୍ୱାର୍ଥପର ହୋଇରହିଥାନ୍ତି  ।

କ୍ରମଶଃ

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.