Press "Enter" to skip to content

ରାଜବିଦ୍ୟା ରାଜଗୁହ୍ୟ ଯୋଗ — ସୁଶ୍ରୀ ସ୍ନେହ ନନ୍ଦ

Last updated on February 6, 2021

(ଗୀତୋକ୍ତ ନବମ ଅଧ୍ୟାୟ)
ଗୀତୋକ୍ତ ଭାଗବତ ସ୍ୱରୂପର ବୈଚିତ୍ର୍ୟ


ଏଠାରେ ଭଗବତ୍ ସ୍ୱରୂପସମ୍ପର୍କରେ ଯେଉଁ ବିଚିତ୍ର ବର୍ଣ୍ଣନା ପ୍ରଦତ୍ତ ହୋଇଛି, ତାହା ଆଘାତ ଦୃଷ୍ଟିରେ ପରସ୍ପର ବିରୁଦ୍ଧ । ଏଠାରେ ଥରେ କୁହାଯାଇଛି- ମୋର ସତ୍ତା ସର୍ବବ୍ୟାପକ ଅର୍ଥାତ୍ ଏ ଜଗତରେ ଏପରି କିଛି ନାହିଁ, ଯାହା କି ମୋର ସତ୍ତା ଦ୍ୱାରା ପରିବ୍ୟାପ୍ତ ନୁହେଁ କିମ୍ବା ଯେଉଁଥିରେ କି ମୁଁ ଅବସ୍ଥିତ ନୁହେଁ ।

ପୁନର୍ବାର କୁହାଯାଇଛି- ମୁଁ ସର୍ବଭୂତରେ ଅବସ୍ଥିତ ହେଲେ ମଧ୍ୟ ଭୂତ ସକଳ ମୋଠାରେ ସ୍ଥିତ ନୁହଁନ୍ତି । ଶ୍ରୀଭଗବାନଙ୍କର ଏହିପରି ଅଦ୍ଭୁତ ଉକ୍ତିର ତାତ୍ପର୍ଯ୍ୟ ଏହା ଯେ ତାଙ୍କର ସତ୍ତା କେବଳ ଜଗତର ମଝିରେ କିମ୍ବା ଭୂତଚରାଚର ମଝିରେ ସୀମିତ ନୁହେଁ । ସିଏ ହେଉଛନ୍ତି ବିଶ୍ୱାତୀତ ଅର୍ଥାତ୍ ଏହି ଜଗତ ସଂସାର ଶ୍ରୀଭଗବାନଙ୍କର ସେହି ଭୂମା ସତ୍ତାର ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର । ହିନ୍ଦୁଶାସ୍ତ୍ର ମତରେ ବ୍ରହ୍ମ ଚତୁଷ୍ପାଦ ଏବଂ ତାଙ୍କର ଗୋଟିଏ ପାଦରେ ଏହି ବିଶ୍ୱ ବ୍ରହ୍ମାଣ୍ଡ ବିଧୃତ । ସୁତରାଂ ଏହି କ୍ଷୁଦ୍ର ଜଗତ୍ ଓ ତାର ଭୂତସମୂହ ଭଗବାନଙ୍କର ସେହି ଅନନ୍ତ ସ୍ୱରୂପର ଏକାଂଶ ମାତ୍ର । ବିରାଟ ସମୁଦ୍ର ବକ୍ଷରେ ସମୁତ୍ଥିତ ତରଙ୍ଗସମୂହ ଯେପରି ତାହାର କ୍ଷୁଦ୍ରାତିକ୍ଷୁଦ୍ର ଅଂଶମାତ୍ର । ଏହା ମଧ୍ୟ ସେହିପରି । ଏଠାରେ ତରଙ୍ଗ ସମୂହକୁ ସମୁଦ୍ରରେ ଅବସ୍ଥିତ କହିଲେ ଚଳେ । କିନ୍ତୁ ତରଙ୍ଗ ସମୂହର ଧାରକ ଏହି ବିଶାଳ ଅର୍ଣ୍ଣବ ସେହି ତରଙ୍ଗ ସମୂହରେ ସମାବିଷ୍ଟ ହୋଇପାରେ କି? ବିଶାଳ ବସ୍ତୁ କିପରି କ୍ଷୁଦ୍ର ବସ୍ତୁ ଭିତରେ ସ୍ଥିତ ହୋଇପାରେ ଅର୍ଥାତ୍ ଏଠାରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ତୁଳନାରେ ଭଗବାନଙ୍କର ଶକ୍ତି ଓ ମହିମା ଯେ କେତେ ବଡ ତାହାହିଁ ବୁଝାଇ ଦିଆଯାଇଛି ।
ପରକ୍ଷଣରେ ହିଁ ପୁନର୍ବାର କୁହାଯାଉଛି—ଏହି ଭୂତଗଣ ମୋଠାରେ ନାହାନ୍ତି । ଭୂତଗଣଙ୍କର ଧାରକ ଓ ପାଳକ ହୋଇ ମଧ୍ୟ, ମୁଁ ତାଙ୍କ ମଧ୍ୟରେ ଅବସ୍ଥିତ ନାହିଁ । ଏଠାରେ ସ୍ମରଣ ରଖିବା ପ୍ରୟୋଜନ ଯେ ପୂର୍ବଶ୍ଳୋକରେ ବର୍ଣ୍ଣିତ ହୋଇଛି, ଭଗବାନ୍ ସର୍ବଭୂତରେ ଅବସ୍ଥିତ ନୁହଁନ୍ତି ଅଥଚ ସିଏ ହେଉଛନ୍ତି ସେମାନଙ୍କର ଧାରକ ଓ ପାଳକ । ଶ୍ରୀଭଗବାନଙ୍କର ଏହି ବିରୁଦ୍ଧ ଉକ୍ତି ଏକାନ୍ତ ଭାବରେ ଦୁର୍ବୋଧ୍ୟ ଓ ଜଟିଳ ହେଲେ ମଧ୍ୟ ଅନୁଭବସିଦ୍ଧ ବିଜ୍ଞ ସାଧକଗଣଙ୍କ ନିକଟରେ ଏହି ସିଦ୍ଧାନ୍ତ ମହତ୍ତମ ବୋଲି ସ୍ୱୀକୃତ । ତାଙ୍କ ମତରେ ଉପରୋକ୍ତ ସିଦ୍ଧାନ୍ତ ସ୍ୱୀକାର ନ କରିଲେ ଭଗବାନଙ୍କର ସର୍ବଶକ୍ତିମତ୍ତା ଏବଂ ତାଙ୍କର ସୃଷ୍ଟିରହସ୍ୟ ମିମାଂସିତ ଓ ପ୍ରମାଣିତ ହୋଇପାରିବ ନାହିଁ ।
ପୂର୍ବରୁ ଆମେ ଅନେକ ସ୍ଥଳରେ ଆଲୋଚନା କରିଛେ ଯେ- ସାକାର ସଗୁଣ ଓ ନିରାକାର- ନିର୍ଗୁଣ ଭେଦରେ ଭଗବାନଙ୍କର ଦୁଇଟି ରୂପ ବା ବିଭାବ ଅଛି । ସିଏ ଯେତେବେଳେ ନିରାକାର, ନିରବୟବ ଏବଂ ନିର୍ଗୁଣ, ସେତେବେଳେ ସିଏ ସର୍ବବ୍ୟାପୀ ଚୈତନ୍ୟ ସତ୍ତାରୂପରେ ବିଦ୍ୟମାନ । ସେତେବେଳେ ସିଏ ଅସଙ୍ଗ ଓ ନିର୍ଲିପ୍ତ । ଏରି ଅବସ୍ଥାରେ ଭୂତସକଳ ତାଙ୍କଠାରେ କେଉଁରୂପରେ ଅବସ୍ଥାନ କରିପାରିବେ? ବିଷୟଟିର ଉପଲବ୍ଧି ନିମନ୍ତେ ଏଠାରେ ବିଚରଣଶୀଳ ବାୟୁର ଦୃଷ୍ଟାନ୍ତ ଉତ୍ଥାପିତ ହୋଇଛି । ବାୟୁ ଆକାଶରେ ଅବସ୍ଥିତ ଥିବା ସମୟରେ ଆକାଶ ସହିତ ସେ ଯେପରି କଦାପି ଲିପ୍ତ ଓ ସ୍ପଷ୍ଟ ହୁଏନାହିଁ, ସେହିପରି ଆମର ଚୈତନ୍ୟ ସତ୍ତାର ଭୂତସକଳ ଅବସ୍ଥିତ ଥିଲେ ମଧ୍ୟ ଆମ ସହିତ ତାଙ୍କର କୌଣସି ସଂଶ୍ଳେଷ ହୁଏନାହିଁ । ସେହି ନିର୍ଗୁଣ ସ୍ୱରୂପରେ ମୁଁ ସେତେବେଳେ ସମ୍ପୂର୍ଣ୍ଣ ଅସଙ୍ଗ ଓ ନିର୍ଲିପ୍ତ ଥାଏ । ସଗୁଣ ରୂପରେ ମୁଁ ଭୂତଗଣର ଧାରକ ଓ ପାଳକ ଏବଂ ନିର୍ଗୁଣ ରୂପରେ ମୁଁ ତାଙ୍କ ସହିତ ସମ୍ପର୍କ ଓ ସଂସ୍ପର୍ଶରହିତ, ଭଗବାନଙ୍କର ନିର୍ଗୁଣ ସ୍ୱରୂପରେ ଭୂତସକଳ ତାଙ୍କଠାରେ ଥାଇ ମଧ୍ୟ ଯେପରି ତାଙ୍କଠାରେ ଅବସ୍ଥିତ ନୁହଁନ୍ତି । କାହିଁକି ନା, ତାଙ୍କ ସହିତ ସେତେବେଳେ ତାଙ୍କର କୌଣସି ସଂଶ୍ରବ ନ ଥାଏ ।

ଅଜ୍ଞାନ ଦୃଷ୍ଟିରେ ନରଦେହଧାରୀ ଅବତାର ଉପେକ୍ଷା ଓ ଅବଜ୍ଞାର ପାତ୍ର ହୋଇଥାନ୍ତି

ଅଜ୍ଞାନ ଅବିବେକୀ ବ୍ୟକ୍ତିଗଣଙ୍କର ବୁଦ୍ଧି ସ୍ଥୂଳ ଓ ଅପରିପକ୍ୱ । ଏହି କାରଣରୁ ସେମାନେ ଈଶ୍ୱରଙ୍କର ପରମ ଭାଗବତ ସ୍ୱରୂପ ଅବଧାରଣ କରିବା ପାଇଁ ଅକ୍ଷମ । ସେଇଥିପାଇଁ ସେମାନେ ଭାବନ୍ତି—ଅବତାର ସାଧାରଣ ମନୁଷ୍ୟ ସଦୃଶ ଜଣେ ଦେହଧାରୀ ମାନବ ମାତ୍ର । ଅଥବା ସିଏ ବସୁଦେବ-ନନ୍ଦନ ଶ୍ରୀକୃଷ୍ଣ କିମ୍ବା ନନ୍ଦ ଯଶୋଦାଙ୍କର ପାଳକ ପୁତ୍ର ଗୋବିନ୍ଦ । ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଏପରି କ୍ଷୁଦ୍ର ଧାରଣା ଥିବା ହେତୁରୁ ସେମାନେ ଶ୍ରୀକୃଷ୍ଣଙ୍କୁ ତୁଚ୍ଛ ଜ୍ଞାନ କରନ୍ତି । ସେମାନେ ଏକାନ୍ତ ଭାବରେ ହତଭାଗ୍ୟ । ବସ୍ତୁତଃ ଏହିପରି ଧାରଣା ହେତୁରୁ ହିଁ କଂସ, ଶିଶୁପାଳ, ଜରାସନ୍ଧ, ଦୁର୍ଯ୍ୟୋଧନ ଇତ୍ୟାଦି କୌରବଗଣ ଶ୍ରୀଭଗବାନ୍ ଶ୍ରୀକୃଷ୍ଣଙ୍କୁ ହେୟଜ୍ଞାନ କରିବାରେ ସାହସୀ ହୋଇଥିଲେ ।
ଯୁଗାବତାର ଆଚାର୍ଯ୍ୟ ପ୍ରଣବାନନ୍ଦ ତାଙ୍କର ଜଣେ ମୂଢ ସନ୍ତାନକୁ ତାଙ୍କର ଭାଗବତ ବ୍ୟକ୍ତିତ୍ୱର ଇଙ୍ଗିତକରି କହିଥିଲେ— ଯେଉଁ ବ୍ୟକ୍ତିର ନିଷେଧ ବାଣୀକୁ ଉପେକ୍ଷାକରି ଅକାତରେ ତୁମେ ସ୍ଥାନାନ୍ତରକୁ ଯିବା ନିମନ୍ତେ ଉଦ୍ୟତ ହେଉଛ, ଯେ କୌଣସି ସିଦ୍ଧ ସମାହିତ ମହାପୁରୁଷ ସେହି ବ୍ୟକ୍ତିର ଆଦେଶ ଲଂଘନ କରିବା ନିମନ୍ତେ ସାହସୀ ହେବେ କି ନାହିଁ ସନ୍ଦେହ । ଯଦି କୌଣସି ଦିନ ପ୍ରକୃତ ଧର୍ମତତ୍ତ୍ୱ କୌଣସି ବ୍ୟକ୍ତି ନିକଟରେ ଉଦ୍ଭେଦ ହୋଇଥାଏ, ତେବେ ସିଏ ବୁଝିବେ—ତୁମକୁ ଯେଉଁ ବ୍ୟକ୍ତି ସ୍ଥାନାନ୍ତର ନିମନ୍ତେ ନିଷେଧ କରିଛି, ସିଏ ଅନ୍ତଶ୍ଚକ୍ଷୁ ବିଶିଷ୍ଟ ବା ଭୂତଭବିଷ୍ୟତବେତ୍ତା କିମ୍ବା ନୁହେଁ, ଯାବତୀୟ ଧର୍ମତତ୍ତ୍ୱ ତାଙ୍କ ନିକଟରେ ଉଦ୍ଭେଦ ହୋଇଛି କି ନାହିଁ ।
ଏହିଭଳି ଭଗବଦ୍ ବିଦ୍ୱେଷୀ ବ୍ୟକ୍ତିଗଣଙ୍କର ଅଜ୍ଞତା ଓ ଅବିବେକର ପରିଣାମ କିପରି ଭୀଷଣ—ତାହା ବର୍ଣ୍ଣନା କରି ଗୀତାକାର ଶ୍ରୀଭଗବାନ୍ କହିଲେ—
ମୋଘାଣା ମୋଘକର୍ମାଣୋ ମୋଘଜ୍ଞାନା ବିଚେତସଃ ।
ରାକ୍ଷସୀମାସୁରୀଞ୍ଚୈବ ପ୍ରକୃତିଂ ମୋହିନୀଂ ଶ୍ରିତାଃ ।
ଏହି ସମମ୍ତ ବ୍ୟକ୍ତି ବୁଦ୍ଧି ଧ୍ୱଂସକାରୀ ତାମସୀ ଓ ରାଜସୀ ପ୍ରକୃତିର ବଶୀଭୂତ ହୋଇ ମୋତେ ଅବଜ୍ଞା କରିଥାଆନ୍ତି । ସେମାନଙ୍କର ଆଶା ବ୍ୟର୍ଥ, କର୍ମ ନିଷ୍ଫଳ, ଜ୍ଞାନ ନିରର୍ଥକ ଏବଂ ଚିତ୍ତ ବିକ୍ଷିପ୍ତ ।

ସାତ୍ତ୍ୱିକ ଲୋକମାନେ ହିଁ ଶ୍ରୀଭଗବାନଙ୍କର ଅନନ୍ୟ ଭକ୍ତ

ସାତ୍ତ୍ୱିକ ପ୍ରକୃତିର ଲୋକମାନଙ୍କର ସ୍ୱଭାବ କିନ୍ତୁ ସମ୍ପୂର୍ଣ୍ଣ ବିପରୀତ । ସତ୍ତ୍ୱଗୁଣର ପ୍ରଭାବରେ ସେମାନଙ୍କର ସ୍ୱଭାବ-ପ୍ରକୃତି ଶୁଦ୍ଧ, ବୁଦ୍ଧ ଓ ଉଦାର । ଏଇଥିପାଇଁ ସେମାନଙ୍କର ସେହି ସ୍ୱଚ୍ଛ ଚିତ୍ତ ଦର୍ପଣରେ ଅବତାର ପୁରୁଷର ଗୁଣ, ଗୌରବ, ମାହାତ୍ମ୍ୟ ଅତି ସହଜରେ ଧରାପଡେ ଏବଂ ତା ଫଳରେ ସେମାନେ ସୁସ୍ପଷ୍ଟ ରୂପରେ ଉପଲବ୍ଧି କରନ୍ତି— ଅବତାର ପୁରୁଷଗଣ ବାହ୍ୟତଃ ମାନବ ଦେହଧାରୀ ହେଲେ ମଧ୍ୟ ସେମାନେ ସର୍ବଲୋକର ଈଶ୍ୱର ଓ ସର୍ବଭୂତର ପରିଚାଳକ ଓ ପରିପୋଷକ । ଆଉ ଏହିପରି ଉନ୍ନତ ଧାରଣା ଫଳରେ ସେମାନେ ସେହି ଭାଗବତ ସ୍ୱରୂପ ପ୍ରତି ଆସକ୍ତ ହୋଇ ତାଙ୍କର ସେବା ପୂଜାରେ ତତ୍‌ପର ହୁଅନ୍ତି ।

ଭକ୍ତି ଉପାସନାର ବିବିଧ ରୂପ

ଏଠାରେ ଜ୍ଞାନଯଜ୍ଞ କହିଲେ, ଉପନିଷଦ ପ୍ରତିପାଦ୍ୟ ନେତିବିଚାରମୂଳକ ଜ୍ଞାନମାର୍ଗର କଥା କୁହାଯାଉନାହିଁ । ଜ୍ଞାନଯଜ୍ଞ କହିଲେ ଏଠାରେ ଯେଉଁ ମାର୍ଗର ସୂଚନା ଦିଆଯାଉଛି—ତାହା ଜ୍ଞାନମୂଳକ ଭକ୍ତିସାଧନା ।
ଅଧ୍ୟାତ୍ମକ୍ଷେତ୍ରରେ ସଚରାଚର ଦୁଇ ପ୍ରକାର ଭକ୍ତି ପରିଦୃଷ୍ଟ ହୁଏ । ଜ୍ଞାନ ମୂଳକ ଭକ୍ତି ଓ ଅଜ୍ଞାନମୂଳକ ଭକ୍ତି । ଅର୍ଥାତ୍ ଏହି ସଂସାରରେ ଏପରି ଏକ ଶ୍ରେଣୀର ଆସ୍ତିକବାଦୀ ନରନାରୀ ଅଛନ୍ତି, ଯେଉଁମାନଙ୍କର ଈଶ୍ୱର, ପରକାଳ ଓ ମାନବ ଜୀବନର ଚରମଲକ୍ଷ୍ୟ ଓ ଆଦର୍ଶ ବିଷୟକ ଜ୍ଞାନ ଅତି ସାମାନ୍ୟ ଓ ଅସ୍ପଷ୍ଟ । ତଥାପି ସେମାନେ ଯେଉଁ ଦେବଦର୍ଶନ, ତୀର୍ଥଯାତ୍ରା, କଥାକୀର୍ତ୍ତନ ଓ ପୂଜାଯଜ୍ଞରେ ଅଂଶଗ୍ରହଣ କରନ୍ତି, ତା ପଛରେ ପ୍ରେରଣା ଯୋଗାଏ କୌଳିକ ପ୍ରଥା, ଦେଶାଚାର ପ୍ରଭୃତି ।
ଏହିପରି ଭକ୍ତଙ୍କୁ ଅନ୍ଧ ଶ୍ରଦ୍ଧାଳୁ କହିଲେ ଅତ୍ୟୁକ୍ତି ହେବନାହିଁ । ଆଉ ଏକଥା ମଧ୍ୟ ସତ୍ୟ ଯେ ଜଗତର ଅଧିକାଂଶ ତଥାକଥିତ ଧର୍ମପ୍ରାଣ ନରନାରୀ ଏହିପରି ଅଜ୍ଞାନମୂଳକ ଭକ୍ତି ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କର ଧର୍ମକର୍ମର ଆଚରଣ କରିଥାଆନ୍ତି । ପକ୍ଷାନ୍ତରରେ ଅନ୍ୟ ଏକ ଶ୍ରେଣୀର ଭକ୍ତ ଅଛନ୍ତି, ଯେଉଁମାନଙ୍କର ଈଶ୍ୱର ଓ ଧର୍ମ ସମ୍ପର୍କିତ ଜ୍ଞାନ ଶାସ୍ତ୍ରସିଦ୍ଧ ଓ ପ୍ରଜ୍ଞାନଦୀପ୍ତ । ସେମାନେ ମର୍ମେ ମର୍ମେ ଅନୁଭବ କରନ୍ତି— ଭଗବାନ ହିଁ ସତ୍ ଏବଂ ଅନ୍ୟସବୁ ଅସତ୍ । ଜ୍ଞାନ ଦୃଷ୍ଟିରେ ସେମାନେ ତାହା ହିଁ ନିରନ୍ତର ଅନୁଭବ କରନ୍ତି । ଭଗବତ୍ ପ୍ରାପ୍ତି ହିଁ ମାନବ ଜୀବନର ଚରମ ଲକ୍ଷ୍ୟ ଓ ପରମ କାମ୍ୟ । ଏହିପରି ଭକ୍ତଙ୍କୁ ହିଁ ଗୀତାରେ ଶ୍ରୀଭଗବାନ୍ ଜ୍ଞାନୀଭକ୍ତ ବୋଲି ନିର୍ଦ୍ଦେଶ କରିଛନ୍ତି । ଏହିପରି ଜ୍ଞାନୀଭକ୍ତମାନେ ଆହୁରି ମଧ୍ୟ ଉପଲବ୍ଧି କରନ୍ତି ଯେ- ଈଶ୍ୱର ସର୍ବମୟ ସର୍ବାତ୍ମା । କେହି କେହି ଭଗବାନଙ୍କୁ ନିଜାତ୍ମା ସହିତ ଏକୀଭୂତ ମନେ କରି ଉପାସ୍ୟ ଉପାସକର ପାର୍ଥକ୍ୟବୋଧ ବିସ୍ମୃତ ହୋଇ ଅଭେଦ ଭାବରେ ତାଙ୍କର ଉପାସନା କରନ୍ତି । ଅର୍ଥାତ୍ ସେମାନେ ସର୍ବଦା ମନେ କରନ୍ତି, ଜୀବାତ୍ମା, ପରମାତ୍ମା ଓ ଜୀବ, ସ୍ୱରୂପତଃ ଏକ ଓ ଅଭିନ୍ନ । ଆହୁରି ମଧ୍ୟ ଅନ୍ୟ କେହି କେହି ଦ୍ୱୈତ ବୁଦ୍ଧିରେ ଭଗବାନଙ୍କୁ ନିଜଠାରୁ ସ୍ୱରୂପତଃ ପୃଥକ୍ ଜ୍ଞାନକରି ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ ଓ ମଧୁର ଭାବରେ ତାଙ୍କର ଉପାସନା କରନ୍ତି । ଆଉ କେହି କେହି ତାଙ୍କର ଉପାସ୍ୟ ଭଗବାନଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, କାଳୀ, ଦୁର୍ଗା ପ୍ରଭୃତି ବିଭିନ୍ନ ଦେବଦେବୀଙ୍କ ନାମରେ ଓ ସ୍ୱରୂପରେ ଆରାଧନା କରିଥାଆନ୍ତି । ସେଇଥିପାଇଁ ହିନ୍ଦୁମାନଙ୍କର ଭକ୍ତିସାଧନା ବିବିଧ ଓ ବିଚିତ୍ର ଅଟେ ।

ଭଗବାନଙ୍କର ସର୍ବମୟ ରୂପ

ପୂର୍ବଶ୍ଳୋକରେ ଶ୍ରୀଭଗବାନ କହିଛନ୍ତି—ସିଏ ବିଶ୍ୱତୋମୁଖ ବା ସର୍ବମୟ ସର୍ବାତ୍ମା । ଏହି ସମୟରେ ତାହାରି ପରିଚୟ ଦେଇ ଭଗବାନ୍ କହିଛନ୍ତି- ମୁଁ ଶ୍ରୌତ ଓ ସ୍ମାର୍ତ୍ତ ଉଭୟବିଧ ଯଜ୍ଞ ଅଟେ । ସେହି ସକଳ ଯଜ୍ଞ ସମ୍ପାଦନ କାଳରେ ଯେତେ ପ୍ରକାର ଉପାଦାନ ଓ ଉପକରଣର ପ୍ରୟୋଜନ—ସେ ସବୁ ମଧ୍ୟ ମୁଁ ନିଜେ । ଚତୁର୍ଥ ଅଧ୍ୟାୟରେ କୁହାଯାଇଥିବା- ‘ବ୍ରହ୍ମାର୍ପଣଂ ବ୍ରହ୍ମ ହବିର୍ବ୍ରହ୍ମାଗ୍ନୌ ବ୍ରହ୍ମଣାହୁତମ୍’- ଇତ୍ୟାଦି ଶ୍ଳୋକର ତାତ୍ପର୍ଯ୍ୟ ଏହାର ହିଁ ଅନୁରୂପ ।

ସକାମ ଯାଜ୍ଞିକଗଣଙ୍କର ଯଜ୍ଞଫଳ

ଯେଉଁମାନେ ଋକ୍, ସାମ୍, ଯଜୁଃ— ଏହି ତିନୋଟି ବେଦରେ ଅଭିଜ୍ଞ ଏବଂ ଯେଉଁମାନେ ସେହି ସମସ୍ତ ବେଦର ବିଧାନାନୁଯାୟୀ ସ୍ୱର୍ଗଫଳର କାମନାରେ ମୋର ଉପାସନା କରନ୍ତି, ସେମାନଙ୍କର ସେହି ସାଧନା ବ୍ୟର୍ଥ ହୁଏନାହିଁ । ଆନ୍ତରିକ ବିଶ୍ୱାସ ଓ ଭକ୍ତି ସହକାରେ ଯଜ୍ଞ କରିବା ଫଳରେ ତାଙ୍କର ମନ ଓ ବୁଦ୍ଧି ଅନେକ ନିର୍ମଳ ଓ ନିଷ୍ପାପ ହୋଇଯାଏ, ସେଥିରେ ସନ୍ଦେହ ନାହିଁ । ତେବେ ତାଙ୍କ ଦ୍ୱାରା ଅନୁଷ୍ଠିତ ସେଇ ଯାଗଯଜ୍ଞ କାମନାମୂଳକ ହୋଇଥିବାରୁ ସେମାନେ ସ୍ୱର୍ଗ ଲୋକର ଦିବ୍ୟ ଭୋଗ ସୁଖ ସମୂହ କେବଳ ପ୍ରାପ୍ତ ହୋଇଥାଆନ୍ତି । କିନ୍ତୁ ଯୋଗ ବା ମୁକ୍ତି ଲାଭ ତାଙ୍କର କାମ୍ୟ ନ ହୋଇଥିବାରୁ ତାହା ସେମାନେ ପ୍ରାପ୍ତ ହୁଅନ୍ତି ନାହିଁ ।

ଅନନ୍ୟ ଭକ୍ତର ଯାବତୀୟ ଦାୟିତ୍ୱବହନ ପ୍ରଭୁହିଁ ଗ୍ରହଣ କରନ୍ତି ।

ସକାମ ଭକ୍ତଗଣଙ୍କର କର୍ମଫଳ ଯେ କ୍ଷଣସ୍ଥାୟୀ, ତାହା ଉପରୋକ୍ତ ଦୁଇଟି ଶ୍ଳୋକରେ ବର୍ଣ୍ଣିତ ହୋଇଛି । ଏହି ସମୟରେ ଯେଉଁମାନେ ଶ୍ରୀଭଗବାନଙ୍କର ଅନନ୍ୟଭକ୍ତ, ତାଙ୍କର ସାଧନାର ପରିଣାମ ଯେ କିପରି, ତାହାର ବର୍ଣ୍ଣନା ଦିଆଯାଇଛି ।
ଶ୍ରୀଭଗବାନ କହୁଛନ୍ତି- ଏପରି ଭକ୍ତଙ୍କୁ ମୁଁ କେବଳ ଦର୍ଶନ ଦାନକରି ଧନ୍ୟ କରେ, ତାହା ନୁହେଁ । ଭକ୍ତଙ୍କରଜୀବନର ଯାବତୀୟ ଦାୟିତ୍ୱଭାର ମୁଁ ସ୍ୱେଚ୍ଛାରେ ଓ ସାନନ୍ଦରେ ବହନ କରିଥାଏ । ସେମାନଙ୍କର ସେହି ଭକ୍ତି ସାଧନା ପଥରେ ଯଦି କୌଣସି ବିଘ୍ନ ଉପସ୍ଥିତ ହୁଏ, ତାହା ମଧ୍ୟ ମୁଁ ଦୂର କରେ । କେବଳ ତାହା ନୁହେଁ ଭକ୍ତର ସାଧନ ଜୀବନ ପକ୍ଷରେ ଅନୁକୂଳ ଓ ପ୍ରୟୋଜନୀୟ ଯାବତୀୟ ବ୍ୟବସ୍ଥା ମଧ୍ୟ ମୁଁ ହିଁ କରେ । ତାହା ବ୍ୟତୀତ ତାଙ୍କର ପ୍ରାପ୍ତ ଯେଉଁ ସାଧନଫଳ ବା ସୁଖସୁବିଧା ତାହା ମଧ୍ୟ ମୁଁ ସଯତ୍ନରେ ରକ୍ଷା କରିଥାଏ । ଅର୍ଥାତ୍ ମୋର ଅନନ୍ୟ ଭକ୍ତର ଯାବତୀୟ ଦାୟିତ୍ୱ ବହନ, ସେତେବେଳେ ମୋ ଉପରେ ହିଁ ନ୍ୟସ୍ତ ଥାଏ, ଯାହା ଫଳରେ ତାହାର ଆଉ କୌଣସି ଭୟ, ଭାବନା, ଦୁଶ୍ଚିନ୍ତା କିଛି ରହେନାହିଁ ।
‘ଭକ୍ତମାଳ’ ପ୍ରଭୃତି ଗ୍ରନ୍ଥରେ ଏହିପରି ବହୁ ଭକ୍ତଙ୍କର ଚରିତ୍ର ବର୍ଣ୍ଣିତ ହୋଇଛି, ଯେଉଁଥିରେ କି ଶ୍ରୀଭଗବାନଙ୍କର ଯୋଗକ୍ଷେମ ବହନର ଭୂରି ଭୂରି ଦୃଷ୍ଟାନ୍ତ ଦେଖିବାକୁ ମିଳେ । ଉପରୋକ୍ତ ଶ୍ଳୋକରେ ବର୍ଣ୍ଣିତ ଶ୍ରୀଭଗବାନଙ୍କର ଏହି ଅଭୟ ଆଶ୍ୱାସ କେତେ ଯେ ସାନ୍ତ୍ୱନାପ୍ରଦ ନ ହୋଇଥାଏ, ତାହା ଅବର୍ଣ୍ଣନୀୟ, ଅଚିନ୍ତନୀୟ । ବସ୍ତୁତଃ ଏହି ଯୋଗକ୍ଷେମ ବହନର ଦାୟିତ୍ୱ ପାଳନ ପାଇଁ ହିଁ ଶ୍ରୀଭଗବାନ ଶ୍ରୀକୃଷ୍ଣ । ତାଙ୍କର ଅନନ୍ୟ ଭକ୍ତ ପାଣ୍ଡବଙ୍କର ପୃଷ୍ଠଭାଗରେ ଏତେସବୁ ସେବା ଓ ସହାୟତା ପରାୟଣ ହୋଇଥିଲେ, ଏବଂ ସ୍ୱୀୟ ପ୍ରାଣପ୍ରିୟ ସଖା ଅର୍ଜ୍ଜୁନଙ୍କୁ ସମ୍ମୁଖରେ ରଖତ୍ ଭଗବାନ୍ ବିଶ୍ୱଜୀବକୁ ଏହିପରି ଆଶ୍ୱାସ ପ୍ରଦାନରେ ବ୍ରତୀହେଲେ ।
ଆଶ୍ରିତ ସନ୍ତାନଗଣଙ୍କୁ ଅନୁରୂପ ଅଭୟ ଆଶ୍ୱାସ ଦେଇ ସଂଘନେତା ଆଚାର୍ଯ୍ୟ ପ୍ରଣବାନନ୍ଦ କହିଥିଲେ-ତୁମେମାନେ ଯାହାର ଆଶ୍ରିତ, ତାଙ୍କ ଶୁଭ ଦୃଷ୍ଟିରୁ ଗୋଟିଏ ପଲକ ମଧ୍ୟରେ ଅନେକ ଅନ୍ଧାରକୁ ଭେଦକରି ଯାଇପାରିବ । ସୁତରାଂ ତୁମମାନଙ୍କର ଭାବିବାର କିମ୍ବା ଭୟ କରିବାର କିଛି ହିଁ ନାହିଁ । ନିରାନନ୍ଦ, ନିରାଶା ଓ ନିରୁତ୍ସାହକୁ ଜନ୍ମରୁ ବିସ୍ମୃତ ହେଲାପରି ବିସ୍ମୃତ ହୋଇଯାଅ ।
ମୋର ଏହି ସଂଘର ଆଶ୍ରିତ, ଶରଣାଗତ, ଶରଣାପନ୍ନ ଯେଉଁମାନେ, ଆଜି ସେହିମାନେ ଅତି ସୌଭାଗ୍ୟବାନ୍ ଏବଂ ତାଙ୍କର ଜୀବନ ଅତି ନିରାପଦ ।
ତୁମେମାନେ ଯେଉଁ ବିରାଟ ସଂଘର ଶରଣାପନ୍ନ ହୋଇଛ, ତହିଁରେ କୌଣସିମତେ ତୁମମାନଙ୍କର ଧର୍ମ ଜୀବନ ନଷ୍ଟ ହୋଇପାରିବ ନାହିଁ—ଯେ ପର୍ଯ୍ୟନ୍ତ ତୁମେମାନେ ସଂଘନେତାଙ୍କର ବାୀକୁ ‘ବେଦବାଣୀ’ ବୋଲି ଭାବୁଥିବ, ସେ ପର୍ଯ୍ୟନ୍ତ ତୁମେମାନେ ସର୍ବସୁରକ୍ଷିତ ।
ପାପ-ତାପ, ମାୟା-ମୋହ ତୁମମାନଙ୍କ ପାଇଁ ନୁହେଁ, ସେ ସବୁ ବିଷୟର କୀଟ- ଭୋଗାନୁରକ୍ତ ବ୍ୟକ୍ତିମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । ତୁମେମାନେ ନିତ୍ୟ, ଶୁଦ୍ଧ, ବୁଦ୍ଧ, ମୁକ୍ତ ପୁରୁଷର ସନ୍ତାନ । ତୁମେମାନେ ତାଙ୍କରି ସଂଶ୍ରବରେ ସଂଶ୍ଳିଷ୍ଟ, ତାଙ୍କରି ଜ୍ଞାନାଲୋକରେ ଆଲୋକିତ । ତେଣୁକରି ଏପରି କୌଣସି ପ୍ରଲୋଭନ ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ, ଯାହାକି ତୁମମାନଙ୍କୁ ପ୍ରଲୋଭିତ କରିପାରିବ ।

ଦେବପୂଜାର ପରିଣାମ

ହିନ୍ଦୁଧର୍ମରେ ବହୁ ଦେବଦେବୀଙ୍କର ସ୍ଥାନ ବିଦ୍ୟମାନ । ଏପରି କି ଆର୍ଯ୍ୟ ହିନ୍ଦୁର ପ୍ରାଚୀନତମ ବୈଦିକ ସାହିତ୍ୟରେ ମଧ୍ୟ-ଇନ୍ଦ୍ର, ସୋମ, ବାୟୁ, ବରୁଣ, ଉଷା ପ୍ରଭୃତି ବହୁ ଦେବଦେବୀଙ୍କର ଉଲ୍ଲେଖ ପରିଦୃଷ୍ଟ ହୋଇଥାଏ । ବିଧର୍ମୀର ଦୃଷ୍ଟିରେ ସେଇଥିପାଇଁ ହିନ୍ଦୁଜାତି ବହୁ ଦେବବାଦୀ ବୋଲିନିନ୍ଦିତ । କିନ୍ତୁ ସେମାନଙ୍କର ଏହି ଧାରଣା ଅମୂଳକ ଓ ଭିତ୍ତିହୀନ କାହିଁକି ନାଁ ସେମାନେ ଜାଣନ୍ତି ନାହିଁ ଯେ ହିନ୍ଦୁମାନେ ବହୁ ଦେବୀଙ୍କ ମାଧ୍ୟମରେ ଏକ ଈଶ୍ୱରଙ୍କୁ ପୂଜା କରିଥାଆନ୍ତି । ବେଦ ସ୍ୱୟଂ ଏ ବିଷୟରେ କହିଛନ୍ତି ଯେ- ‘ଏକଂ ସଦ୍ ବିପ୍ରାଃ ବହୁଧା ବଦନ୍ତି’ ଅର୍ଥାତ୍ ଈଶ୍ୱର ଏକ, ପଣ୍ଡିତମାନେ ହିଁ ତାଙ୍କୁ ଅନେକ ବୋଲି କହିଥାନ୍ତି ।
ବସ୍ତୁତଃ ହିନ୍ଦୁଜାତି ହିଁ ଏକମାତ୍ର ଈଶ୍ୱରବାଦୀ । ତାଙ୍କର ଉପାସ୍ୟ ବିଭିନ୍ନ ଦେବଦେବୀ, ସେହି ଏକ ପରମାତ୍ମାଙ୍କର ବିଭିନ୍ନ ପ୍ରକାଶ ବା ଶକ୍ତିମାତ୍ର । ଜ୍ଞାନ, ଗୁଣ ଓ ଶକ୍ତିଭେଦରେ ଯେପରି ଏକ ହିଁ ବ୍ୟକ୍ତି ବାବା, କାକା, ମାମୁଁ, ଦାଦା, ବନ୍ଧୁ ପ୍ରଭୃତି ବିଭିନ୍ନ ନାମରେ ଅଭିହିତ ଓ ସମ୍ପର୍କିତ ହୋଇଥାଆନ୍ତି, ସେହିପରି ଏକ ହିଁ ଈଶ୍ୱରଙ୍କର ଭିନ୍ନ ଭିନ୍ନ ଗୁଣ ଓ ଶକ୍ତି ବିଭିନ୍ନ ଦେବ ଦେବୀଙ୍କର ନାମରେ ସୂଚିତ ଓ ପୂଜିତ ହୋଇଥାଆନ୍ତି ।
ଗୀତାକାର ଶ୍ରୀଭଗବାନ କୁହନ୍ତି, ଏହି ଦେବପୂଜା ଦୁଇ ପ୍ରକାରେ ସମ୍ପନ୍ନ ହୋଇପାରେ । ସକାମ ଓ ନିଷ୍କାମ । ଯେଉଁମାନେ ମୋର ଶକ୍ତିସ୍ୱରୂପ ବିଭିନ୍ନ ଦେବଦେବୀଗଣଙ୍କୁ ନିଜର ଜାଗତିକ ସୁଖ-ସମ୍ପଦ ପ୍ରାପ୍ତିର ସାଧନ ମନେକରି, ଆନ୍ତରିକ ଭାବରେ ପୂଜାର୍ଚ୍ଚନା କରନ୍ତି, ସେମାନେ ଏକ ଈଶ୍ୱର ଭାବରେ ମୋର ପୂଜା କରିଲେ ମଧ୍ୟ ସେମାନେ ଅଜ୍ଞାନ । କାରଣ ସେମାନେ ଜାଣନ୍ତି ନାହିଁ ଯେ, ମୋର ଅଂଶସ୍ୱରୂପ ଏହି ସମସ୍ତ ଦେବଦେବୀଗଣ କେତେବେଳେ ହେଲେ ମୋର ପୂର୍ଣ୍ଣାଙ୍ଗ ସ୍ୱରୂପ ହୋଇ ପାରନ୍ତି ନାହିଁ, ଏବଂ ମୁଁ ସାଂସାରିକ ବାସନା ଓ ପ୍ରାର୍ଥନାର ଯଥାର୍ଥ ସମର୍ଥକ ନୁହେଁ । ଏହି କାରଣରୁ ହିଁ ତାଙ୍କର ସେହି ପୂଜା ଅବୈଧ ସେଇଥିପାଇଁ ଏପରି ଉପାସନଦ୍ୱାରା ତାଙ୍କର ସାଂସାରିକ ମନସ୍କାମନା ପୂର୍ଣ୍ଣ ହେଲେ ମଧ୍ୟ, ସେମାନେ ମୋତେ ଲାଭ କରିପାରନ୍ତି ନାହିଁ ।

ଦେବୋପାସକଗଣଙ୍କର ପତନର କାରଣ

ଅନ୍ୟାନ୍ୟ ଦେବଦେବୀଙ୍କର ଉପାସକଗଣ ଜାଣନ୍ତି ନାହିଁ ଯେ, ଭଗବାନ ହିଁ ସମସ୍ତ ପୂଜା ଓ ଯଜ୍ଞର ଏକମାତ୍ର ଭୋକ୍ତା ଓ ଫଳଦାତା । ଅନ୍ୟାନ୍ୟ ଦେବଦେବୀଗଣଙ୍କର ସେ ଶକ୍ତି ଓ ଯୋଗ୍ୟତା ନାହିଁ । ସେମାନେ ଭଗବାନଙ୍କର ଗୋଟିଏ ଗୋଟିଏ ଗୁଣ ବା ଶକ୍ତିର ପ୍ରତୀକ ମାତ୍ର । କୌଣସି ବ୍ୟକ୍ତି, ଯଦି କୌଣସି ସମ୍ପନ୍ନ ଜମିଦାରଙ୍କର ଗୃହକୁ ଯାଇ, ଗୃହର ଦ୍ୱାରପାଳ ପାଖରେ ପହଞ୍ଚି, ସେହି ଦ୍ୱାରପାଳର ଶରଣାପନ୍ନ ହୋଇ, ତା ନିକଟରେ ଧନପ୍ରାପ୍ତି ନିମନ୍ତେ, ଆବେଦନ କରେ, ତେବେ ସେହି ବ୍ୟକ୍ତିର ଆଶା ପୂର୍ଣ୍ଣ ହୁଏ କି ? ଅଧ୍ୟାତ୍ମ କ୍ଷେତ୍ରରେ ମଧ୍ୟ ସେହିପରି ଘଟିଥାଏ । କୌଣସି ସାଧକ ଯଦି ସର୍ବଶକ୍ତିମାନ ଏବଂ ସର୍ବଗୁଣର ଓ ଜ୍ଞାନର ଆଧାର ଭଗବାନଙ୍କୁ ଉପେକ୍ଷା କରି, ତାଙ୍କରି ଶକ୍ତିରେ ଶକ୍ତିମାନ କୌଣସି ସାମାନ୍ୟ ଦେବଦେବୀଙ୍କ ନିକଟରେ ନିଜ ହୃଦୟର ଅଶେଷ କାମନା ବାସନା ନିବେଦନ କରେ । ତେବେ ତାର ପରିଣାମ ତଦ୍ରୂପ ବ୍ୟର୍ଥ ହୋଇଥାଏ ।
ଶ୍ରୀ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଗୋକୁଳ ବୃନ୍ଦାବନରେ ଲୀଳାରତ ଥିଲେ, ସେତେବେଳେ ସେଠାକାର ଅଧିବାସୀଗଣ ଇନ୍ଦ୍ରାଦି ବିଭିନ୍ନ ଦେବଦେବୀଙ୍କର ପୂଜାରେ ଅଭ୍ୟସ୍ତ ଥିଲେ । ଶ୍ରୀକୃଷ୍ଣ ସେମାନଙ୍କର ସେହି ଦେବପୂଜାର ନିଷ୍ଫଳତା ପ୍ରତିପାଦନ କରି ନିଜେ ହିଁ ସେହି ସମସ୍ତ ପୂଜାର ଅଗ୍ରଭାଗ ଗ୍ରହଣରେ ତତ୍‌ପର ହେଉଥିଲେ । ଲୋକପ୍ରବାଦ ଅଛି ଯେ, ମାତା ଯଶୋଦା ନିଜ ଗୃହରେ ସତ୍ୟନାରାୟଣ ପୂଜାର ଆୟୋଜନ କରି, ପୁରୋହିତର ସନ୍ଧାନରେ ଯେତେବେଳେ ଅପେକ୍ଷାମାଣା ଥିଲେ, ସେତେବେଳେ ତାଙ୍କର ତନୟ ଗୋପାଳ, ପୂଜାର ନୈବେଦ୍ୟ ଗ୍ରହଣରେ ବ୍ୟସ୍ତ ଥିଲେ । ସନ୍ତାନର ଏହି କୀର୍ତ୍ତି ଦେଖି ମାତା ଦୌଡିଆସି ତାଙ୍କୁ ତିରସ୍କାର କରିବାକୁ ଉଦ୍ୟତ ହେଲେ । ସେତେବେଳେ ଗୋପାଳ ନିଃସଙ୍କୋଚରେ ଜବାବ ଦେଲେ, ମା ତୁମେ ମୋତେ ତିରସ୍କାର କରୁଛ କାହିଁକି ? ମୁଁ ତ କୌଣସି ଅନ୍ୟାୟ କରିନାହିଁ, ଯାହା ଉଦ୍ଦେଶ୍ୟରେ ତୁମର ଏହି ପୂଜାର ଆୟୋଜନ, ସିଏ ହିଁ ତାକୁ ଗ୍ରହଣ କରୁଛି । ତୁମ ଗୃହରେ ଜାଗ୍ରତ ନାରାୟଣ ବିଦ୍ୟମାନ ଥାଇ, କଳ୍ପିତ ନାରାୟଣଙ୍କର ପୂଜାର ପ୍ରୟୋଜନ କାହିଁକି ?

ଉପାସ୍ୟାନୁରୂପ ସିଦ୍ଧି

ଯେଉଁମାନେ ଇନ୍ଦ୍ର, ସୋମ, ବୃହସ୍ପତି, ପ୍ରଭୃତି ଦେବଗଣଙ୍କ ଉଦ୍ଦେଶ୍ୟରେ ପୂଜାହୋମ ଇତ୍ୟାଦି କରନ୍ତି । ସେମାନେ ମୃତ୍ୟୁ ଶେଷରେ ସେହିସେହି ଦେବତାଙ୍କର ଅନୁରୂପ ଯେଉଁ ଲୋକ ବା ସ୍ଥିତି ତାହାକୁ ହିଁ ଲାଭ କରନ୍ତି । ମୃତ ପୂର୍ବ ପୁରୁଷଗଣଙ୍କର ଆତ୍ମା ପ୍ରତି ଶ୍ରଦ୍ଧା ଯୁକ୍ତ ହୋଇ, ଯେଉଁମାନେ ତାଙ୍କର ପ୍ରସନ୍ନତା ବିଧାନ ନିମନ୍ତେ ପିଣ୍ଡଦାନାଦି ଅନୁଷ୍ଠାନ କରନ୍ତି, ସେମାନେ ପିତୃଲୋକର ଅଧିକାରୀ ହୁଅନ୍ତି ଏବଂ ଯେଉଁମାନେ ଯକ୍ଷ-ରକ୍ଷାଦି ଭୂତପ୍ରେତରେ ବିଶ୍ୱାସୀ ଏବଂ ସେମାନଙ୍କଠାରୁ ବରାଶୀଷ ଲାଭପାଇଁ ପୂଜାଅର୍ଚ୍ଚନାଦି କରନ୍ତି, ସେମାନେ ତାଙ୍କର ସେହି ବାଞ୍ଛିତ ସ୍ଥିତି ହିଁ ପ୍ରାପ୍ତ ହୋଇଥାଆନ୍ତି । ପକ୍ଷାନ୍ତରରେ ଯେଉଁମାନେ, ମୋର (ଭଗବାନଙ୍କର) ଗୁଣ, ଶକ୍ତି ଓ ମହତ୍ତ୍ୱ ଅବଗତ ହୋଇ, ମୋ ପ୍ରତି ଅନୁରକ୍ତ ହୋଇ, ନିରନ୍ତର ମୋର ହିଁ ପୂଜା ବନ୍ଦନାଦି କରନ୍ତି, ସେମାନେ ମୋତେ ଲାଭ କରି ଧନ୍ୟ ହୋଇଥାଆନ୍ତି । ସାଧାରଣତଃ ରୁଚି ଓ ପ୍ରକୃତି ଭେଦରେ ଜଗତର ସମସ୍ତ ଧର୍ମ ପରିଦୃଷ୍ଟ ହୁଏ । ସାତ୍ତ୍ୱିକ, ରାଜସିକ ଓ ତାମସିକ ପ୍ରକୃତିର ସାଧକ, ସାଧିକା ଏବଂ ସେମାନେ ନିଜନିଜର ଭାବାନୁଯାୟୀ ତାଙ୍କର ଅଭୀଷ୍ଟର ସେବାପୂଜାରେ ଅଗ୍ରସର ହୁଅନ୍ତି ଏବଂ ତାଙ୍କର ସାଧନାର ଫଳ ତାଙ୍କର ତପସ୍ୟାର ଅନୁରୂପ ହିଁ ହୋଇଥାଏ ।

ଭଗବାନ ଭକ୍ତିର କାଙ୍ଗାଳ, ମହାର୍ଘ ଦ୍ରବ୍ୟସାମଗ୍ରୀର ନୁହଁନ୍ତି

ରାଜସିକ ପ୍ରକୃତିର ଲୋକମାନେ ମନେକରନ୍ତି ଯେ, ଐଶ୍ୱର୍ଯ୍ୟ ଆଡମ୍ୱର ହିଁ ପୂଜାର ସର୍ବଶ୍ରେଷ୍ଠ ଉପାଦାନ ଏବଂ ଏହି ଧାରଣାର ବଶବର୍ତ୍ତୀ ହୋଇ, ସେମାନେ ଅଜସ୍ର ଅର୍ଥ, ବିତ୍ତ ବ୍ୟୟକରି ଷୋଡଶୋପଚାରରେ ତାଙ୍କର ଆରାଧ୍ୟ ଦେବଦେବୀଙ୍କର ପୂଜା କରିଥାଆନ୍ତି । ସେମାନଙ୍କର ଧାରଣା—ଏହିପରି ବିପୁଳ ଆୟୋଜନ ବ୍ୟତୀତ ଦେବତାଙ୍କର ପ୍ରସନ୍ନତା ଭାଜନ ହେବା ଅସମ୍ଭବ । ଏମାନେ କିନ୍ତୁ ଭ୍ରାନ୍ତ । ଏମାନେ ବୁଝନ୍ତି ନାହିଁ ଯେ, ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡର ସ୍ରଷ୍ଟା ଓ ପାଳକ, ତାଙ୍କର ପୁଣି ଏତାଦୃଶ ଐଶ୍ୱର୍ଯ୍ୟ ବିଭବର ପ୍ରୟୋଜନ କଣ ? ସିଏ ଇଚ୍ଛା କଲେ ହିଁ ମୁହୂର୍ତ୍ତକ ମଧ୍ୟରେ ଅତୁଳ ଐଶ୍ୱର୍ଯ୍ୟ ସମ୍ପଦ ସୃଷ୍ଟି କରିପାରିବେ ନାହିଁ କି ?
ବସ୍ତୁତଃ ଭଗବାନ ହେଉଛନ୍ତି ଭାବଗ୍ରାହୀ, ଐଶ୍ୱର୍ଯ୍ୟପ୍ରେମୀ ନୁହଁନ୍ତି । ଭକ୍ତ, ଯେପରି ଭାବଭକ୍ତିର ସହ ତାଙ୍କର ପୂଜାଅର୍ଚ୍ଚନା କରେ, ଭଗବାନ ସାନନ୍ଦରେ ତାହା ହିଁ ସ୍ୱୀକାର କରନ୍ତି । ଏପରି ମଧ୍ୟ ଶୁଣାଯାଏ ଯେ—ଦୁର୍ବୃତ୍ତ ଦୁର୍ଯ୍ୟୋଧନର ଅଭିମାନ ପ୍ରଦତ୍ତ, ଅଜସ୍ର ଭୋଗ୍ୟ ସାମଗ୍ରୀକୁ ଉପେକ୍ଷା ଓ ଅବଜ୍ଞାକରି ଶ୍ରୀଭଗବାନ ଶ୍ରୀକୃଷ୍ଣ ଭକ୍ତଶ୍ରେଷ୍ଠ ବିଦୁରପତ୍ନୀର ଭାବ-ଭକ୍ତିପୂତ କଦଳୀ ଭକ୍ଷଣକରି ତୃପ୍ତ ହୋଇଥିଲେ । ଏଇଥିରୁ ହିଁ ସୁସ୍ପଷ୍ଟ ରୂପରେ ପ୍ରମାଣିତ ହୁଏ ଯେ—ଭଗବତ୍‌ ପୂଜାର ସର୍ବଶ୍ରେଷ୍ଠ ଉପଚାର ହେଉଛି—ଶୁଦ୍ଧଚିତ୍ତ ସାଧକର ଅନ୍ତରର ଭାବ ଓ ଅନୁରାଗ । ବାହ୍ୟିକ ଉପକରଣର ସ୍ଥାନ, ତୁଚ୍ଛ ଓ ନଗଣ୍ୟ ।

ସର୍ବକର୍ମ ଭଗବାନଙ୍କୁ ଅର୍ପଣ ହିଁ ସର୍ବୋତ୍କୃଷ୍ଟ ଉପାସନା

ଗୋଟିଏ ଦୃଷ୍ଟିରେ—କର୍ମ ହିଁ ସଂସାର ବନ୍ଧନର ହେତୁ । କିନ୍ତୁ ମନୁଷ୍ୟ କର୍ମବ୍ୟତୀତ ଏହି ଜଗତରେ ଗୋଟିଏ ମୁହୂର୍ତ୍ତ ମଧ୍ୟ ରହିପାରେ ନାହିଁ । ଏହିପରି ଅବସ୍ଥାରେ ସଂସାରାବଦ୍ଧ ଜୀବର ମୁକ୍ତିର ଉପାୟ କଣ ? ବର୍ତ୍ତମାନ ଏଠାରେ ଶ୍ରୀଭଗବାନ ତାଙ୍କର ପ୍ରିୟସଖା ଅର୍ଜ୍ଜୁନଙ୍କ ମାଧ୍ୟମରେ ବିଶ୍ୱଜୀବକୁ ସେହି ରହସ୍ୟ ହିଁ ଶିକ୍ଷା ଦେଉଛନ୍ତି ।
କର୍ମ ସାଧାରଣତଃ ଦୁଇପ୍ରକାର—ଐହିକ ଓ ପାରତ୍ରିକ । ଅଥବା ଜାଗତିକ ଓ ଆଧ୍ୟାତ୍ମିକ । ବର୍ତ୍ତମାନ ଶ୍ଳୋକରେ ଭକ୍ତ ଉଭୟ ପ୍ରକାରର କର୍ମର ସମାବେଶ ପରିଦୃଷ୍ଟ ହୁଏ । ଶ୍ରୀଭଗବାନ କହୁଛନ୍ତି—ହେ କୌନ୍ତେୟ, ଆହାର-ବିହାରାଦି ତୁମର ଯାବତୀୟ ଲୌକିକ କର୍ମ ଏବଂ ଯାଗ-ଯଜ୍ଞ, ଦାନ-ପୁଣ୍ୟ ତପସ୍ୟା ପ୍ରଭୃତି, ତୁମର ସମସ୍ତ ଅଧ୍ୟାତ୍ମ କର୍ମ, ମୋତେ ଅର୍ପଣ କର । ଏହିପରି ଭାବରେ ତୁମର ସମସ୍ତ କର୍ମ ମୋଠାରେ ଅର୍ପିତ ହେଲେ, ସେଥିରେ ତୁମର ଆଉ କୌଣସି ପ୍ରକାରର କର୍ତ୍ତୃତ୍ୱ ବୁଦ୍ଧି ଓ ଫଳାସକ୍ତି ରହିବ ନାହିଁ ଏବଂ ତାର ଫଳରେ ତୁମର କର୍ମଜନିତ ବନ୍ଧନର ଭୟ ଚିରଦିନ ନିମନ୍ତେ ନିବାରିତ ହୋଇଯିବ ।
କୌଣସି ଧନୀ ବ୍ୟବସାୟୀର ମ୍ୟାନେଜର, ଯେପରି ସାରାଦିନ ତାର ମାଲିକର ପ୍ରତିନିଧିରୂପରେ ସମସ୍ତ କର୍ତ୍ତବ୍ୟ ଓ ଦାୟିତ୍ୱ ଉଦ୍‌ଯାପନ କରି ଦିବାଶେଷରେ ତାର ପ୍ରଭୁକୁ ସମସ୍ତ କର୍ମର ହିସାବନିକାଶ ବୁଝାଇ ଦେଇ ନିଶ୍ଚିନ୍ତ ହୋଇଯାଏ, ଅଧ୍ୟାତ୍ମ କ୍ଷେତ୍ରରେ ମଧ୍ୟ, ସେହିପ୍ରକୃତ ସାଧକ ତାର ଅନୁଷ୍ଠିତ ଯାବତୀୟ କର୍ମ ଓ କର୍ମଫଳ, ସର୍ବନିୟନ୍ତା ଭଗବାନଙ୍କର ଚରଣରେ ସମର୍ପଣ କରି ନିଶ୍ଚିନ୍ତ ଓ ନିଃଶଙ୍କ ହୋଇଯାଏ ।
ଏହିପରି ଭାବରେ ସମର୍ପିତ ଚିତ୍ତ ସାଧକ ନିରନ୍ତର ମନରେ ଭାବେ, ସିଏ ତାର ସର୍ବନିୟନ୍ତା ପ୍ରଭୁଙ୍କର ହସ୍ତର ଯନ୍ତ୍ରମାତ୍ର ପ୍ରଭୁଙ୍କ ହସ୍ତର ଯନ୍ତ୍ରମାତ୍ର ଏବଂ ସେତେବେଳେ ତାର ଜୀବନର ମୂଳମନ୍ତ୍ର ହୁଏ—
”ତ୍ୱୟା ହୃଷୀକେଶ ହୃଦିସ୍ଥିତେନ ଯଥା ନିଯୁକ୍ତୋଽସ୍ମି, ତଥା କରୋମି ।”
ହେ ହୃଷୀକେଶ, ତୁମେ ମୋର ହୃଦୟରେ ଅଧିଷ୍ଠିତ ହୋଇ, ଯାହା ନିର୍ଦ୍ଦେଶ କରୁଛ, ମୁଁ ତାହା ହିଁ କରୁଛି ।

ଈଶ୍ୱରାର୍ପଣର ଫଳ କେବଳ ବନ୍ଧନ ମୁକ୍ତି ନୁହେଁ ଭଗବତ୍‌ ପ୍ରାପ୍ତି ମଧ୍ୟ

ପରମେଶ୍ୱରଙ୍କ ନିକଟରେ ସର୍ବକର୍ମ ସମର୍ପଣ କରିବାରେ ଅଭ୍ୟସ୍ତ ହେଲେ ସାଧକ ଯେ କେବଳ ତାର ଅନୁଷ୍ଠିତ ଭଲମନ୍ଦ କର୍ମର ଶୁଭାଶୁଭ ପରିଣାମରୁ ପରିମୁକ୍ତ ହୁଏ, ତା ନୁହେଁ, ଫଳସ୍ୱରୂପ ସାଧକ ଶେଷରେ ଭଗବାନଙ୍କୁ ଲାଭକରି ପରମଶାନ୍ତିର ଅଧିକାରୀ ହୁଏ । ଅର୍ଥାତ୍‌ ଭକ୍ତିଯୁକ୍ତ କର୍ମଯୋଗୀ କେବଳ ମୁକ୍ତିର ଅଧିକାରୀ ହୁଅନ୍ତି ନାହିଁ, ସିଏ ଭଗବାନଙ୍କୁ ଲାଭକରି ପରମ ଭାଗବତ ସ୍ୱରୂପକୁ ମଧ୍ୟ ପ୍ରାପ୍ତ ହୁଅନ୍ତି । ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି—ଗୀତାରେ ଶ୍ରୀ ଭଗବାନ ମୁକ୍ତି ଅପେକ୍ଷା ଭଗବତ୍‌ ପ୍ରାପ୍ତିକୁ ଉଚ୍ଚତର ଗତି ବୋଲି ନିର୍ଦ୍ଦେଶ କରିଛନ୍ତି । ଜ୍ଞାନୀର ଦୃଷ୍ଟିରେ ସାଧନାର ଚରମ ଲକ୍ଷ୍ୟ ହେଉଛି, କୈବଲ୍ୟମୁକ୍ତି । କିନ୍ତୁ ଭକ୍ତର ଦୃଷ୍ଟିରେ ଜୀବର ଅନ୍ତିମ ହେଉଛି—”ଭଗବତ୍ ପ୍ରାପ୍ତି” ।

ଆର୍ଯ୍ୟହିନ୍ଦୁର ଐଶୀ କଳ୍ପନା ବିଚିତ୍ର

ତାତ୍ତ୍ୱିକ ଦୃଷ୍ଟିରେ ଭଗବାନଙ୍କର ଯେଉଁ ସ୍ୱରୂପ, ତାହା ହେଉଛି, ନିରାକାର, ଦ୍ୱନ୍ଦ୍ୱାତୀତ ଓ ସମତ୍ୱ ଗୁଣ ସମ୍ପନ୍ନ । ଏହି ଦୃଷ୍ଟିରୁ ଭଗବାନଙ୍କର ପ୍ରିୟ-ଅପ୍ରିୟ, ଶତ୍ରୁ-ମିତ୍ର କେହି ନାହାଁନ୍ତି । ତେବେ ଯିଏ ତାଙ୍କୁ ଯେଉଁ ଭାବରେ ଚାହାଁନ୍ତି, ସିଏ ତାଙ୍କୁ ସେହି ଭାବରେ ପାଇଥାଆନ୍ତି ।
ଖଣ୍ଡିଏ ସ୍ୱଚ୍ଛ ସ୍ଫଟିକ ସାମ୍‌ନାରେ, ଲାଲ, ନୀଳ, ପୀତ ପ୍ରଭୃତି ଯେଉଁ ରଙ୍ଗର ବସ୍ତୁ ସ୍ଥାପନ କରାଯାଏ, ସ୍ଫଟିକ ମଧ୍ୟରେ ଅବିକଳ ସେହି ରଙ୍ଗର ବସ୍ତୁଟି ପ୍ରତିଫଳିତ ହୋଇଥାଏ । ସେହିପରି, ଭଗବାନଙ୍କ ନିକଟରେ ଭକ୍ତ ଯେଉଁଯେଉଁ ଭାବର ସହିତ ଭଜନ କରିଥାଏ, ତାର ଅନ୍ତରରେ ସେତେବେଳେ ସେହି ଭାବ ହିଁ ପରିସ୍ଫୁରିତ ହୋଇଥାଏ ।
ଭକ୍ତ ପ୍ରହ୍ଲାଦ ଯେତେବେଳେ ପରମ ପ୍ରେମଭାବର ସହ ତାର ପ୍ରାଣପ୍ରିୟ ପ୍ରଭୁଙ୍କର ଭଜନ କରିବାକୁ ଲାଗିଲା, ସେତେବେଳେ ତାର ସେହି ପ୍ରାର୍ଥନା ପୂର୍ଣ୍ଣ କରିବା ନିମନ୍ତେ ଶ୍ରୀଭଗବାନ ”ବରାଭୟ” ମୂର୍ତ୍ତି ରୂପରେ ପ୍ରହ୍ଲାଦ ସମ୍ମୁଖରେ ଆବିର୍ଭୂତ ହେଲେ । ଠିକ୍‌ ସେହି ସମୟରେ ତାର ପିତା ହିରଣ୍ୟକଶିପୁ ଅନ୍ତରଭରା ବିଦ୍ୱେଷ ସହ ଭଗବାନଙ୍କର ସମ୍ମୁଖୀନ ହେଲେ ଏବଂ ତାର ଫଳସ୍ୱରୂପ ଭଗବାନ ତାର ସମ୍ମୁଖରେ ଭୀଷଣ ବିକଟାଳ ହିଂସ୍ରସ୍ୱରୂପ ନେଇ ପ୍ରକଟିତ ହେଲେ ।
ଭଗବାନ ଏକ, କିନ୍ତୁ ତାଙ୍କ ଭିତରେ ଏହି ଯେଉଁ ପରସ୍ପର ବିରୁଦ୍ଧ ସ୍ୱରୂପର ପ୍ରକାଶ, ତାହା ସାଧକର ବିଭିନ୍ନ ମନୋଭାବର ପ୍ରତିକ୍ରିୟାର ପରିଣାମ ମାତ୍ର । ଭଗବାନଙ୍କର ପ୍ରକୃତ ସ୍ୱରୂପ ମଧ୍ୟରେ ଏହି ବିଷମ ଭାବର ସ୍ଥାନ ହିଁ ନାହିଁ ।
ଏଠାରେ ମନରେ ସ୍ୱତଃ ଆସେ ଯେ— ଗୀତାରେ ତ ଅନ୍ୟତ୍ର ଶ୍ରୀଭଗବାନ୍‌ ସ୍ୱୟଂ କହିଛନ୍ତି—”ମୋତେ ଯିଏ ଦ୍ୱେଷ କରେ ମୁଁ ସେହି ନରାଧମମାନଙ୍କୁ ଅସୁରଯୋନିରେ ନିକ୍ଷେପ କରିଥାଏ ।” ଆହୁରି ମଧ୍ୟ କେଉଁଠାରେ ସିଏ କହିଛନ୍ତି—”ଯେଉଁମାନେ ମୋର ଜ୍ଞାନୀ ଭକ୍ତ, ସେମାନେ ମୋର ଅତି ପ୍ରିୟ ।” ପୁନଃ ଏଠାରେ ସିଏ କହିଛନ୍ତି—”ମୋର ପ୍ରିୟ, ଅପ୍ରିୟ କେହି ନାହାଁନ୍ତି । ମୋ ନିକଟରେ ସମସ୍ତେ ସମାନ । ଗୀତାରେ ପୁଣି ଏହି ଯେଉଁ ପରସ୍ପର ବିରୁଦ୍ଧ ଭାବର ଭକ୍ତି, ସେମାନଙ୍କ ମଧ୍ୟରେ ସମନ୍ୱୟ ବା ସାମଞ୍ଜସ୍ୟ କେଉଁଠାରେ ? ଏହି ପ୍ରଶ୍ନର ଉତ୍ତରରେ କୁହାଯାଇପାରେ ଯେ, ସାଧାରଣ ବିଚାରର ମାପକାଠିରେ ଭଗବତ୍‌ ତତ୍ତ୍ୱର ଦୁର୍ଜ୍ଞେୟ ରହସ୍ୟକୁ ପରିମାପ କରାଯାଇପାରେ ନାହିଁ । ସେଇଥିପାଇଁ କୁହାଯାଇଛି, mysterious are the ways of God ବୋଧହୁଏ, ଏହିପରି ବିରୁଦ୍ଧ ଭାବର ସମନ୍ୱୟରେ ହିଁ ଭାଗବତ ତତ୍ତ୍ୱର ମହତ୍ତ୍ୱ ଏବଂ ଗୌରବ ପ୍ରତିପାଦିତ ।”

ଭଗବଦ୍‌ ଭକ୍ତର ବିନାଶ ନାହିଁ

କୌଣସି ବ୍ୟକ୍ତି ଯଦି ଭ୍ରାନ୍ତ ବୁଦ୍ଧି ବଶତଃ ବିପଥଗାମୀ ବା କଦାଚାରୀ ହୋଇଯାଏ, ତେବେ ତାର ଆତ୍ମୋଦ୍ଧାର ପାଇଁ କଣ କୌଣସି ଉପାୟ ନାହିଁ ? ତେବେ ସେ କଣ ସବୁଦିନ ପାଇଁ ଘୃଣ୍ୟ ଓ ଅବଜ୍ଞାର ପାତ୍ର ହୋଇରହିବ ? ଏହି ପ୍ରଶ୍ନର ଉତ୍ତର ଦେବା ପ୍ରସଙ୍ଗରେ ଶ୍ରୀ ଭଗବାନ କହଛନ୍ତି— ଏହିପରି ଭୀଷଣ ଦୁରାଚାରୀ ବ୍ୟକ୍ତି ମଧ୍ୟ ଯଦି ନିଜର ଭୁଲ ବୁଝିପାରି, ଅନୁତପ୍ତ ହୃଦୟରେ ଏକାନ୍ତ ମନରେ ଭକ୍ତିସାଧନାରେ ବ୍ରତୀ ହୁଏ, ତେବେ ସିଏ ଆଉ ଉପେକ୍ଷା ଓ ଅନାଦରର ପାତ୍ର ହୋଇନଥାଏ । ସେତେବେଳେ ତାକୁ ସାଧୁମାନ୍ୟ କରିବାହିଁ ସମୀଚୀନ ଅଟେ । କାରଣ ସେତେବେଳେ ତାର ମନ, ବୁଦ୍ଧି, ଭଗବତ୍‌ ମୁଖୀ ହେବା ଫଳରେ ତାର ଚରିତ୍ରର ରୂପାନ୍ତର ହିଁ ହୋଇଥାଏ ଏବଂ ତାହାରି ଫଳରେ ସିଏ ଶୀଘ୍ର ଧର୍ମାତ୍ମାରେ ପରିଣତ ହୋଇ ନିତ୍ୟ ଶାନ୍ତିର ପଥରେ ପ୍ରବର୍ତ୍ତିତ ହୋଇଥାଏ ।
ଏହାପରେ ଶ୍ରୀଭଗବାନ ଏତାଦୃଶ ଭକ୍ତର ଭବିଷ୍ୟତ ସମ୍ପର୍କରେ ଯେଉଁ ଆଶ୍ୱାସନା ବାଣୀ ଉଚ୍ଚାରଣ କଲେ ତାହା କେତେ ଯେ ଅଭୟ ଓ ସାନ୍ତ୍ୱନାପ୍ରଦ, ତାହା ଭାବିବାର କଥା । ଏମାନଙ୍କ ଉଦ୍ଦେଶ୍ୟରେ ଭଗବାନ କହିଲେ—”କୌନ୍ତେୟ, ପ୍ରତିଜାନୀହି ନ ମେ ଭକ୍ତଃ ପ୍ରଣଶ୍ୟତି ।” ହେ କୌନ୍ତେୟ ! ଭଲଭାବରେ ଜାଣିରଖ ଯେ— ମୁଁ ପ୍ରତିଶ୍ରୁତି ଦେଉଛି ଯେ, ମୋର ଶରଣାଗତ ଭକ୍ତର କଦାପି ବିନାଶ ହେବନାହିଁ । ଦୁର୍ବୃତ୍ତ ରତ୍ନାକର, ଜଗାଇ, ମାଧାଇ ପ୍ରଭୃତି ଅଗଣିତ ଭକ୍ତର ଜୀବନ ଏହି ଭଗବତ୍‌ ପ୍ରତିଶ୍ରୁତିର ଜ୍ଜ୍ୱଳନ୍ତ ଦୃଷ୍ଟାନ୍ତସ୍ୱରୂପ ।

ଭକ୍ତିମାର୍ଗରେ ସମସ୍ତଙ୍କର ସମାନ ଅଧିକାର

ଜ୍ଞାନଯୋଗ, ଧ୍ୟାନଯୋଗ, କର୍ମଯୋଗ ପ୍ରଭୃତି ସାଧନମାର୍ଗରେ ଅଧିକାର ଓ ଯୋଗ୍ୟତାର ପ୍ରଶ୍ନ ଆସେ । ଅଳ୍ପବୁଦ୍ଧି ଓ ନିମ୍ନାଧିକାରୀମାନଙ୍କର ସ୍ଥାନ ସେଠାରେ ନାହିଁ । କିନ୍ତୁ ଭକ୍ତି ମାର୍ଗରେ ଆଦୌ ସେ ପ୍ରଶ୍ନ ଉଠେନାହିଁ । ଭକ୍ତିପଥ ସମସ୍ତଙ୍କ ପାଇଁ ଉନ୍ମୁକ୍ତ । ପ୍ରାଚୀନତମ କାଳରେ ସ୍ତ୍ରୀ, ବୈଶ୍ୟ, ଶୂଦ୍ରର ବେଦାଧ୍ୟୟନରେ ସମାନ ଅଧିକାର ଥିଲା, କିନ୍ତୁ ପରବର୍ତ୍ତୀ ମହାଭାରତୀୟ ଯୁଗରେ, ସେହି ଅଧିକାର ଅନେକ ପରିମାଣରେ କ୍ଷୁଣ୍ଣ ହୋଇଥିଲା ବୋଲି, ଗୀତାର କେତେଗୁଡିଏ ଶ୍ଳୋକରେ ତାର ଆଭାସ ମିଳେ । ଗୀତାକାର ଶ୍ରୀକୃଷ୍ଣ ପ୍ରଚାରିତ ଗୀତାଧର୍ମ ଏହି ପ୍ରଥାକୁ ସ୍ୱୀକାର କରେନାହିଁ । ଗୀତାର ବାଣୀ, ଜାତି, ବର୍ଣ୍ଣ, ଶ୍ରେଣୀ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ମୁକ୍ତିର ସହଜତମ ପନ୍ଥା ପ୍ରଦର୍ଶନ କରିଛି । ଗୀତୋକ୍ତ ଏହି ଭାଗବତ ଧର୍ମ ନୀଚଯୋନି ସମ୍ଭୂତ ଅନ୍ତ୍ୟଜକୁ ମଧ୍ୟ ଆଶ୍ରୟ ଦେବା ନିମନ୍ତେ ଉନ୍ମୁଖ ।
ଅତ୍ୟନ୍ତ ଦୁଃଖର ବିଷୟ — ସେହି ଉଦାରତମ ବାଣୀର ଉଦ୍‌ଗାତା ଶ୍ରୀକୃଷ୍ଣଙ୍କର ଦେଶରେ ପରବର୍ତ୍ତୀକାଳରେ ପୁନର୍ବାର ଜାତିଭେଦ, ବର୍ଣ୍ଣଭେଦ, ସମ୍ପ୍ରଦାୟଭେଦ ନିକୃଷ୍ଟତମ ପର୍ଯ୍ୟାୟରେ ଉପନୀତ, ଏପରିକି ସେହି ଗୀତାକାର ଶ୍ରୀକୃଷ୍ଣଙ୍କୁ ନେଇ ହିଁ ଆଜି ଏ ଯୁଗରେ ସୃଷ୍ଟି ହୋଇଛି, କେତେ ନୂତନ ନୂତନ ଉଦ୍ଭଟ ସମ୍ପ୍ରଦାୟ, ଯାହା ଫଳରେ “ବାର ରାଜପୁତଙ୍କର ତେର ହାଣ୍ଡି”ର ନ୍ୟାୟରେ ସମ୍ପ୍ରଦାୟଗୁଡିକ ମତାଦର୍ଶ ନେଇ ପରସ୍ପର ବିବାଦମାନ ।

ଗୀତୋକ୍ତ ଭକ୍ତି ଧର୍ମର ସାରମର୍ମ

ଏହି ଅଧ୍ୟାୟର ପ୍ରଥମରେ ହିଁ ”ରାଜବିଦ୍ୟା-ରାଜଗୁହ୍ୟ ଯୋଗ” ନାମରେ ଯେଉଁ ସାଧନମାର୍ଗର ଅବତାରଣା କରାହୋଇଛି, ଏହି ଅଧ୍ୟାୟର ଅନ୍ତିମ ଶ୍ଳୋକରେ ତାର ପୂର୍ଣ୍ଣ ସ୍ୱରୂପ ସ୍ପଷ୍ଟୀକୃତ ହୋଇଛି । ଭଗବାନଙ୍କଠାରେ ଏହିପରି ଭାବରେ ପରମଶରଣାଗତି, ଅନନ୍ୟନିଷ୍ଠା, ସର୍ବତୋଭାବର ତାଙ୍କଠାରେ ତନ୍ମୟହେବା, ତାଙ୍କର ରାତୁଲଚରଣରେ ପ୍ରତିନିୟତ ଭକ୍ତିପ୍ରଣତ ହେବା ଏବଂ ନିରନ୍ତର ତାଙ୍କର ଆଦେଶ-ନିର୍ଦ୍ଦେଶ ଅନୁସରଣ କରିବା ହିଁ ସାଧନାର ଶେଷ କଥା । ବୋଧହୁଏ ଏହିପରି ସରଳ ଓ ସୁଗମ ଭାଗବତ ଧର୍ମର ଶିକ୍ଷାଦାନ ନିମନ୍ତେ ହିଁ ଶ୍ରୀଭଗବାନଙ୍କର ମର୍ତ୍ତ୍ୟଲୋକରେ ଅବତରଣ ।
———————-

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.