Press "Enter" to skip to content

ରାଜବିଦ୍ୟା ରାଜଗୁହ୍ୟ ଯୋଗ (ଗୀତୋକ୍ତ ନବମ ଅଧ୍ୟାୟ)

Last updated on February 6, 2021

ସୁଶ୍ରୀ ସ୍ନେହ ନନ୍ଦ

 ‘‘ଶ୍ରୀମଦ୍ଭଗବଦ୍ ଗୀତା ନବମ ଅଧ୍ୟାୟର ନାମ ରାଜବିଦ୍ୟା-ରାଜଗୁହ୍ୟ ଯୋଗ ଅର୍ଥାତ୍ ଏହି ଅଧ୍ୟାୟରେ ଯେଉଁ ବିଦ୍ୟା ବା ସାଧନ ପ୍ରଣାଳୀ ବର୍ଣ୍ଣନା କରାଯାଇଛି, ତାହା ଅତି ମହାନ୍ ଓ ଗୁହ୍ୟତମ । ତେବେ ଏଠାରେ ଜାଣିବା ଆବଶ୍ୟକ ଯେ ଏହି ରାଜବିଦ୍ୟା-ପାତଞ୍ଜଳ ଯୋଗଦର୍ଶନର ପ୍ରତିପାଦ୍ୟ ରାଜଯୋଗ ବା ନିର୍ଗୁଣବାଦୀମାନଙ୍କର ପ୍ରତିପାଦ୍ୟ ଗହନ ଜ୍ଞାନଯୋଗ ନୁହେଁ । ଏହି ଅଧ୍ୟାୟର ପ୍ରଥମ କେତୋଟି ଶ୍ଳୋକରେ ଶ୍ରୀଭଗବାନ୍ ଅପୂର୍ବ ଦାର୍ଶନିକ ଭଙ୍ଗୀରେ ସ୍ୱୀୟ ଅପାର ଓ ଦୁର୍ବୋଧ୍ୟ ଯୋଗବିଭୂତିର ବର୍ଣ୍ଣନା କରିବା ପରେ ପୁଣି ତାଙ୍କୁ ଲାଭ କରିବାର ଉପଯୋଗୀ ଯେଉଁ ସରଳ ସାଧନ ମାର୍ଗର ବର୍ଣ୍ଣନା କରିଛନ୍ତି, ତାହା ପ୍ରାୟତଃ ଭକ୍ତିଯୋଗର ହିଁ ଅନୁକୂଳ । ବସ୍ତୁତଃ ଗୀତାର ଦ୍ୱାଦଶ ଅଧ୍ୟାୟରେ ପ୍ରତ୍ୟକ୍ଷ ରୂପରେ ଯେଉଁ ଭକ୍ତିଯୋଗର ଉପଦେଶ ଦିଆଯାଇଛି । ଏଠାରେ ତାହାର ହିଁ ଶୁଭ ସୂତ୍ରପାତ ହୋଇଛି । ’’

ଅସୂୟାଶୂନ୍ୟ ବ୍ୟକ୍ତି ହିଁ ଭକ୍ତିଯୋଗର ସର୍ବୋତ୍ତମ ଅଧିକାରୀ

ଏହି ସଂସାରରେ ଏପରି ଏକ ଶ୍ରେଣୀର ନର-ନାରୀ ପରିଦୃଷ୍ଟ ହୁଅନ୍ତି, ଯେଉଁମାନେ କି ଅନ୍ୟର ଦୋଷତୃଟି ଏବଂ ଛିଦ୍ରାନ୍ୱେଷଣରେ ଅତିଶୟ ଉଦ୍ଗ୍ରୀବ ଓ ତତ୍‌ପର ଥାଆନ୍ତି । ଏହା ସତ୍ୟ ଯେ ଏହି ଧରଣର ବ୍ୟକ୍ତିମାନେ ସହଜରେ କାହାରି ଶ୍ରଦ୍ଧା ଓ ବିଶ୍ୱାସର ପାତ୍ର ହୋଇପାରନ୍ତିନାହିଁ, ଏବଂ ଏହି କାରଣରୁ ହିଁ କୌଣସି ବିଜ୍ଞ ଓ ବୁଦ୍ଧିମାନ୍ ବ୍ୟକ୍ତି ଏମାନଙ୍କ ନିକଟରେ ପ୍ରାଣ ଖୋଲି ଅନ୍ତରର କୌଣସି ଗୋପନ ତତ୍ତ୍ୱ ପ୍ରକାଶ କରିବାକୁ ସମ୍ମତ ହୁଅନ୍ତି ନାହିଁ ।
ଅର୍ଜ୍ଜୁନଙ୍କର ଉଦାର ଓ ଶ୍ରଦ୍ଧାଳୁ ହୃଦୟରେ ଏହିପରି ଛିଦ୍ରାନ୍ୱେଷଣ ରୂପୀ ହୀନ ପ୍ରବୃତ୍ତିର ଏକାନ୍ତ ଅଭାବ ଥିଲା । ଏଇଥିପାଇଁ ହିଁ ଅର୍ଜ୍ଜୁନ ଥିଲେ ଶ୍ରୀକୃଷ୍ଣଙ୍କର ପ୍ରାଣପ୍ରତିମ ସଖା । ତେବେ ଏହି ପ୍ରସଙ୍ଗରେ ଜାଣିବା ଆବଶ୍ୟକ ଯେ— ଅର୍ଜ୍ଜୁନ ସେ ପର୍ଯ୍ୟନ୍ତ ବିଶୁଦ୍ଧ ଅଧ୍ୟାତ୍ମଜ୍ଞାନ ଓ ସୁଉଚ୍ଚ ବିବେକ-ବିଚାର-ବିଷୟରେ ସମ୍ପୂର୍ଣ୍ଣ ନିଃସଂଶୟ ଓ ସ୍ଥିରବିଶ୍ୱାସୀ ହୋଇପାରି ନ ଥିଲେ । ସେଇଥିପାଇଁ ଦେଖାଯାଏ ଯେ, ଅର୍ଜ୍ଜୁନ ନିଜ ମନର ସନ୍ଦେହ — ସଂଶୟର ନିରାକରଣ ନିମନ୍ତେ ସଖା ଶ୍ରୀକୃଷ୍ଣଙ୍କର ଗୁଣ ଓ ମହତ୍ତ୍ୱ ପ୍ରତି ଅତିମାତ୍ରାରେ ବିଶ୍ୱାସୀ ଓ ଆସ୍ଥାବାନ୍ ।
ଗୀତାପ୍ରେମୀ ପାଠକ ଓ ଶ୍ରୋତାବର୍ଗଙ୍କର ପରମ କର୍ତ୍ତବ୍ୟ ହେଉଛି- ତାଙ୍କର ଉପଦେଷ୍ଟା ସଦ୍‌ଗୁରୁଙ୍କ ପ୍ରତି ଅନୁରୂପ ଶ୍ରଦ୍ଧାଯୁକ୍ତ ହୋଇ ଭାଗବତ ଧର୍ମର ଶ୍ରବଣ ଓ ଅନୁସରଣରେ ବ୍ରତୀ ହୋଇ ରହିବା, ଯାହା ଫଳରେ ସେମାନେ ସବୁପ୍ରକାରର ଅକଲ୍ୟାଣ, ପାପତାପ ଓ ଜ୍ୱାଳାମାଳାରୁ ମୁକ୍ତ ହେବା ନିମନ୍ତେ ସକ୍ଷମ ହୋଇପାରିବେ ।

ଭକ୍ତିଯୋଗକୁ କଅଣ ପାଇଁ ମହତ୍ତ୍ୱ ଦିଆଯାଇଛି?

ବସ୍ତୁତଃ କର୍ମଯୋଗ, ଜ୍ଞାନଯୋଗ, ଧ୍ୟାନଯୋଗ ଓ ଭକ୍ତିଯୋଗ ଏହି ଚତୁର୍ବିଧ ସାଧନପନ୍ଥା ଅଧିକାରୀ ଅନୁସାରେ ଭିନ୍ନ ଭିନ୍ନ ସାଧକଙ୍କ ପକ୍ଷରେ ଅନୁକୂଳ ଓ ଉପଯୋଗୀ ଅର୍ଥାତ୍ ଯେଉଁମାନଙ୍କର ସଂସ୍କାର କର୍ମ ପ୍ରଧାନ, ତାଙ୍କ ପକ୍ଷରେ କର୍ମଯୋଗ, ଯେଉଁମାନଙ୍କର ସଂସ୍କାର ବିଚାର ପ୍ରଧାନ ତାଙ୍କ ପକ୍ଷରେ ଜ୍ଞାନଯୋଗ, ଯେଉଁମାନଙ୍କର ପ୍ରକୃତି ଧ୍ୟାନଶୀଳ ତାଙ୍କ ପକ୍ଷରେ ଧ୍ୟାନଯୋଗ ଏବଂ ଯେଉଁମାନଙ୍କର ସ୍ୱଭାବ-ସଂସ୍କାର ପ୍ରେମ ପ୍ରବଣ, ତାଙ୍କ ପକ୍ଷରେ ଭକ୍ତିଯୋଗ ଅଧିକ ଉପଯୋଗୀ । କିନ୍ତୁ ଶ୍ରୀଭଗବାନ୍ ଉପରୋକ୍ତ ସାଧନମାର୍ଗମାନଙ୍କ ମଧ୍ୟରୁ ରାଜବିଦ୍ୟା ଓ ଭକ୍ତିଯୋଗକୁ, କଅଣ ପାଇଁ ସର୍ବୋତ୍କୃଷ୍ଟ, ସର୍ବାପେକ୍ଷା ସୁଗମ, ସବୁଠାରୁ ପବିତ୍ର ସୁଖସାଧ୍ୟ, ସହଜରେ ବୋଧଗମ୍ୟ ଏବଂ ଅକ୍ଷୟଫଳପ୍ରଦ ବୋଲି ଘୋଷଣା କରିଲେ, ତାହା ବିଶେଷ ଭାବରେ ପ୍ରଣିଧାନଯୋଗ୍ୟ ।
ପ୍ରଥମତଃ ଦେଖାଯାଏ ଯେ, ଏହି ସଂସାରରେ ଅଧିକାଂଶ ନରନାରୀ ପ୍ରବୃତ୍ତିପନ୍ଥୀ ଏବଂ ଉନ୍ନତ ବୋଧଶକ୍ତି ବିହୀନ । ଏହିପରି ସାଧାରଣ ଜନଗଣଙ୍କ ପକ୍ଷରେ ଜ୍ଞାନଯୋଗ ଓ ଧ୍ୟାନଯୋଗର ଉଚ୍ଚାଙ୍କ ସାଧନପ୍ରଣାଳୀଗୁଡିକ ଅନେକ କ୍ଷେତ୍ରରେ ବୋଧଗମ୍ୟ ଓ ଅନୁକରଣଯୋଗ୍ୟ ହୋଇପାରେନାହିଁ । ପ୍ରବୃତ୍ତିମାର୍ଗୀ ନରନାରୀଙ୍କ ପକ୍ଷରେ କର୍ମଯୋଗ ବହୁଳାଂଶରେ ଅନୁକୂଳ ଓ ଉପଯୋଗୀ ହେଲେ ମଧ୍ୟ ସେଠାରେ ସାଧକଙ୍କୁ କେତେଗୁଡିଏ ଜଟିଳ ପ୍ରଶ୍ନର ସମ୍ମୁଖୀନ ହେବା ବ୍ୟତୀତ ଉପାୟାନ୍ତର ରହିନଥାଏ । ସେତେବେଳେ ସାଧକ ସମ୍ମୁଖରେ ପ୍ରଶ୍ନ ଆସେ, କର୍ମ କଅଣ? ଅକର୍ମ କଅଣ? ବିକର୍ମ କଅଣ? ଏବଂ କେଉଁ ଉପାୟରେ କର୍ତ୍ତୃତ୍ୱାଭିମାନ ଓ ଫଳାକାଂକ୍ଷା ପରିହାର କରି ସମ୍ପୂର୍ଣ୍ଣ ନିଷ୍କାମଭାବରେ ଈଶ୍ୱରାର୍ପଣ ବୁଦ୍ଧି ନିମନ୍ତେ କର୍ମ କରାଯାଇପାରିବ । ଏ ବିଷୟରେ ଭଗବାନ ସ୍ୱୟଂ କହିଛନ୍ତି—‘କର୍ମର ଗତି ବଡ ଗହନ’ ।
ଦ୍ୱିତୀୟତଃ ନିର୍ଗୁଣବାଦୀ ଜ୍ଞାନଯୋଗୀ ଓ ଆତ୍ମବାଦୀ ଧ୍ୟାନଯୋଗୀର ଇଷ୍ଟ ସମ୍ବନ୍ଧୀୟ କଳ୍ପନା ମଧ୍ୟ ସାଧାରଣ ବୁଦ୍ଧି ସମ୍ପନ୍ନ ମାନବ ପକ୍ଷରେ ଅନୁଭବଗମ୍ୟ ନୁହେଁ । ତାହା ବ୍ୟତୀତ ସେମାନଙ୍କର ନେତିବାଦମୂଳକ ସୂକ୍ଷ୍ମବିବେକ ବିଚାର ଓ ଧ୍ୟାନଧାରଣାର ପଦ୍ଧତି ମଧ୍ୟ ଅଧିକ ଜଟିଳ, ଦୁର୍ବୋଧ୍ୟ ଓ ଦୁଃସାଧ୍ୟ ।
ପକ୍ଷାନ୍ତରରେ ଭକ୍ତିଯୋଗର ପଥ ଏହି ହିସାବରେ ଅପେକ୍ଷାକୃତ ସରଳ ଓ ସୁଗମ । ଭକ୍ତିଯୋଗୀର ଈଷ୍ଟ ସାକାର ଓ ସଗୁଣ, ସିଏ କୌଣସି ଦେବ ଦେବୀଙ୍କର ପ୍ରତିମୂର୍ତ୍ତି କିମ୍ବା ଈଶ୍ୱରବତ୍ତା ରୂପରେ ସାଧକର ନୟନ ସମ୍ମୁଖରେ ବିଦ୍ୟମାନ । ଯେଉଁ ସମୟରେ ଗୀତୋକ୍ତ ଏହି ଭାଗବତ ଧର୍ମ ପ୍ରଚାରିତ ହୁଏ, ସେହି ସମୟରେ ଶ୍ରୀଭଗବାନ୍ ଯଦୁନନ୍ଦନ ଶ୍ରୀକୃଷ୍ଣ ରୂପରେ ସଶରୀରେ ଅର୍ଜ୍ଜୁନାଦି ଭକ୍ତଗଣଙ୍କର ସମ୍ମୁଖରେ ଆବିର୍ଭୂତ । ସେଇଥିପାଇଁ ଏଠାରେ କୁହାଯାଇଛି- ଏହି ଭକ୍ତି ଧର୍ମ ପ୍ରତ୍ୟକ୍ଷ ବୋଧଗମ୍ୟ ଏବଂ ଏହାର ଆଶ୍ରୟ ଅବଲମ୍ବନ ସହଜ ଓ ସୁଖସାଧ୍ୟ । ତାହା ବ୍ୟତୀତ ଜ୍ଞାନଯୋଗରେ ଯେଉଁ କର୍ମମୁକ୍ତିର ବିଷୟ ବର୍ଣ୍ଣନା ହୋଇଛି, ଭକ୍ତିଯୋଗରେ ତାହାର ଉଲ୍ଲେଖ ନାହିଁ । ଗୀତାରେ ଶ୍ରୀଭଗବାନ୍ ନିଜ ମୁହଁରେ କହିଛନ୍ତି- ସିଏ ନିଜେ ହିଁ ଜୀବର ପରମଗତି, ପ୍ରେମାନନ୍ଦମୟ ପ୍ରଭୁ ଓ ପରମ ଗନ୍ତବ୍ୟସ୍ଥଳ, ଯାହାଙ୍କୁ ଲାଭ କରିଲେ ଆଉ ଗମନାଗମନର ପ୍ରଶ୍ନ ଉଠେନାହିଁ, ଏହି ଦିଗରୁ ବିଚାରକଲେ ମଧ୍ୟ ଭକ୍ତି ପଥର ଆଶ୍ରୟ ଓ ଅନୁସରଣ ଅନେକ ସରଳ, ସୁସାଧ୍ୟ ଓ ଅକ୍ଷୟ ଫଳପ୍ରଦ ।
ଭକ୍ତିଯୋଗର ମହତ୍ତ୍ୱ-ଗୌରବ ଓ ତାର ଶ୍ରେଷ୍ଠତ୍ୱ ଏବେ ଆଉ ବୁଝିବାକୁ ବାକି ରହିଲା ନାହିଁ । କିନ୍ତୁ ଯେଉଁମାର୍ଗ ବା ପ୍ରଣାଳୀ ଏତେ ସହଜ, ସରଳ, ଉଦାର ଓ ଉଦାତ୍ତ, ସେହି ମାର୍ଗକୁ କାହିଁକି ଗୁହ୍ୟତମ ବା ଅତି ଗୋପନୀୟ ବୋଲି ନିର୍ଦ୍ଦେଶ ଦିଆଗଲା? ଯାହା ସର୍ବସାଧାରଣଙ୍କ ପାଇଁ ଉପଯୋଗୀ, ଯାହାର ତତ୍ତ୍ୱ ସେପରି ଜଟିଳ ବା ଦୁର୍ବୋଧ୍ୟ ନୁହେଁ, ତାହାର ବହୁଳ ପ୍ରଚାର-ପ୍ରତିଷ୍ଠା ହିଁ ସର୍ବାଧିକ ଆବଶ୍ୟକ ।
ଏ ପ୍ରଶ୍ନର ଉତ୍ତରରେ କୁହାଯିବ— ପ୍ରକୃତ ପ୍ରେମ ଭକ୍ତିର ବିଷୟଟି ସ୍ୱଳ୍ପ ଗୁହ୍ୟ ଧରଣର ହେବା ସ୍ୱାଭାବିକ । କାରଣ ଏଠାରେ ଜାଣି ରଖିବା ଆବଶ୍ୟକ ଯେ— ବୈଧୀଭକ୍ତିର ଯେଉଁ ପୂଜା, ବନ୍ଦନା, ଜପ, କୀର୍ତ୍ତନ ଇତ୍ୟାଦି ଯେଉଁ ବାହ୍ୟ ଅନୁଷ୍ଠାନ ତା ଭିତରେ ଗୋପନୀୟତା କିଛି ନାହିଁ । ଏହା ସତ୍ୟ ତେବେ ରାଗାନୁଗା(ରାଗର ଅନୁରାଗୀ) ପରାଭକ୍ତିର ଯେଉଁ ଅପାର, ଅପ୍ରାକୃତ ଓ ଅନୁପମ, ଆବେଗ, ଅାକର୍ଷଣ, ପ୍ରେମ, ସଂଳାପ—ତାହା କିନ୍ତୁ ଏକାନ୍ତ ଭାବରେ ଗୁହ୍ୟ ବ୍ୟାପାର, ସେଥିରେ ଟିକିଏ ବି ସନ୍ଦେହ ନାହିଁ । ଦୃଷ୍ଟାନ୍ତ ସ୍ୱରୂପ କୁହାଯାଇପାରେ- ବୃନ୍ଦାବନଧାମରେ ଗୋପ ଗୋପିକାଗଣଙ୍କ ସହିତ ଶ୍ରୀଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅତ୍ୟଦ୍ଭୁତ, ଅପ୍ରାକୃତ ପ୍ରେମଲୀଳାର ବର୍ଣ୍ଣନା ଦେଖିବାକୁ ମିଳେ, ତାହା ଅତି ନିଗୂଢ ଓ ଗୋପନ ଆସ୍ୱାଦନ ତଥା ଅନୁଭୂତିର ବସ୍ତୁ ନୁହେଁ କିଁ? ପ୍ରକୃତରେ ପ୍ରେମିକ ଓ ପ୍ରେମାସ୍ପଦ ମଧ୍ୟରେ ଅନୁଷ୍ଠିତ ଓ ଅନୁଭୂତ ଯେଉଁ ଉଚ୍ଚାଙ୍ଗର ପ୍ରେମଭକ୍ତି, ତାହା ପ୍ରକୃତରେ ଗୁହ୍ୟ, ଅପ୍ରାକୃତ ଏବଂ ରହସ୍ୟମୟ- ଏହା ସତ୍ୟ ଅଟେ । ଶ୍ରୀକୃଷ୍ଣଙ୍କ ସହିତ ଅର୍ଜ୍ଜୁନଙ୍କର ଅନ୍ତରଙ୍ଗ ଭାବ ମଧ୍ୟ ପ୍ରାୟ ଏହି ଧରଣର ହିଁ ଥିଲା ।
ଭକ୍ତି ମାର୍ଗରେ ଅଶ୍ରଦ୍ଧାଳୁ ବ୍ୟକ୍ତିର ସ୍ଥାନ ନାହିଁ
ଈଶ୍ୱରଙ୍କର ଅସ୍ତିତ୍ୱ, ତାଙ୍କର ପ୍ରେମମୟତ୍ୱ, ତାଙ୍କର କରୁଣା, ମାଧୁର୍ଯ୍ୟ ଏବଂ ତାଙ୍କର ଅପାର ତାରଣଶକ୍ତି ଉପରେ ଯେଉଁମାନଙ୍କର ପରିପୂର୍ଣ୍ଣ ଆସ୍ଥା ବା ବିଶ୍ୱାସ ନାହିଁ, ସେମାନେ ଭକ୍ତିପଥର ଅନଧିକାରୀ ଜ୍ଞାନଯୋଗର ପ୍ରାଥମିକ ସ୍ତରରେ ସାଧକର ପ୍ରାଣରେ ଯଦି ସ୍ରଷ୍ଟା ଓ ସୃଷ୍ଟିର ଚରମ ତତ୍ତ୍ୱ ବିଷୟରେ କିଛି କିଛି ସଂଶୟ-ସନ୍ଦେହର ଉଦ୍ରେକ ହୁଏ, ତେବେ ନିତ୍ୟାନିତ୍ୟ ବା ଆତ୍ମାନାତ୍ମମୂଳକ ଦାର୍ଶନିକ ବିଚାର ଦ୍ୱାରା ତାର ନିରାକରଣ ସମ୍ଭବପର । ଈଶ୍ୱରଙ୍କର ଅସ୍ତିତ୍ୱରେ ସନ୍ଦିହାନ ଥିଲେ ମଧ୍ୟ ସାଂଖ୍ୟର ମତବାଦକୁ ଅନୁସରଣ କରି ପୁରୁଷ-ପ୍ରକୃତିର ବିଭେଦ ବିଚାର ଦ୍ୱାରା ମଧ୍ୟ ମୁକ୍ତିଲାଭ ସମ୍ଭବପର । ପାତଞ୍ଜଳ ସାଧନାରେ ମଧ୍ୟ ପ୍ରତ୍ୟକ୍ଷଭାବରେ ଈଶ୍ୱରଙ୍କର ସ୍ୱୀକୃତି ଓ ତାଙ୍କ ପ୍ରତି ଅନନ୍ୟ ଶରଣାଗତିର ପ୍ରୟୋଜନ ଯେତେବେଳେ ହୁଏନାହିଁ, ସେ ସ୍ଥଳରେ ଧ୍ୟାନ-ଧାରଣା ଓ ସମାଧିର ଅଭ୍ୟାସ ଦ୍ୱାରା ଚରମସିଦ୍ଧି ଲାଭ କରାଯାଏ । ପରନ୍ତୁ ଶ୍ରଦ୍ଧା, ବିଶ୍ୱାସ ଓ ଶରଣାଗତି ବ୍ୟତୀତ ଭକ୍ତି ପଥରେ ଗୋଟିଏ ପାଦ ମଧ୍ୟ ଅଗ୍ରସର ହେବା ସମ୍ଭବପର ନୁହେଁ । ଏହି କାରଣ ଯୋଗୁଁ ହିଁ ଭକ୍ତିମାର୍ଗର ଆଚାର୍ଯ୍ୟଗଣ ସାଧକଗଣଙ୍କୁ ସାବଧାନ କରି କହିଛନ୍ତି— ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ବସ୍ତୁତଃ ଭକ୍ତିଶାସ୍ତ୍ରମତରେ ଅଶ୍ରଦ୍ଧାଳୁ ବ୍ୟକ୍ତିର ଇହଲୋକ ନାହିଁ, ପରଲୋକ ମଧ୍ୟ ନାହିଁ । ଏହି ଲୌକିକ ଜଗତରେ ଯେଉଁମାନେ କାହାର ଆସ୍ଥା ଓ ବିଶ୍ୱାସଭାଜନ ହୁଅନ୍ତିନାହିଁ, ସେମାନେ ଯେ କେବଳ ଜନ ସମାଜରେ ଅପ୍ରିୟ ଓ ଅନାଦରଣୀୟ ହୁଅନ୍ତି, ତାହା ନୁହେଁ । ବନ୍ଧୁ-ବାନ୍ଧବ ଓ ସ୍ୱଜନଗଣର ସମବେଦନା, ସହାନୁଭୂତି ଓ ସହାୟତାର ଅଭାବରେ, ତାଙ୍କର ଜୀବନ ଦୁଃସହ ହୋଇପଡେ । ଜନ୍ମାନ୍ତରରେ ମଧ୍ୟ ସେମାନେ ତାଙ୍କର ସେହି ଐହିକ ଅପକର୍ମର ଫଳ ହେତୁ ପାରଲୌକିକ ସୁଖ ଶାନ୍ତିର ଅଧିକାରରୁ ବଞ୍ଚିତ ହୁଅନ୍ତି । ଶ୍ରୀଭଗବାନ ଏଇଥିପାଇଁ ଏଠାରେ ଏହିପରି ଶ୍ରଦ୍ଧାହୀନ ନର-ନାରୀଙ୍କୁ ଲକ୍ଷ୍ୟ କରି କହିଲେ, ସେମାନେ ବାରମ୍ବାର ମୃତ୍ୟୁମୟ ସଂସାର ପଥରେ ଗମନାଗମନ କରି ଅଶେଷ ଦୁଃଖ ଯାତନା ଭୋଗ କରନ୍ତି ।

ଗୀତୋକ୍ତ ଭାଗବତ ସ୍ୱରୂପର ବୈଚିତ୍ର୍ୟ

ଏଠାରେ ଭଗବତ୍ ସ୍ୱରୂପସମ୍ପର୍କରେ ଯେଉଁ ବିଚିତ୍ର ବର୍ଣ୍ଣନା ପ୍ରଦତ୍ତ ହୋଇଛି, ତାହା ଆଘାତ ଦୃଷ୍ଟିରେ ପରସ୍ପର ବିରୁଦ୍ଧ । ଏଠାରେ ଥରେ କୁହାଯାଇଛି- ମୋର ସତ୍ତା ସର୍ବବ୍ୟାପକ ଅର୍ଥାତ୍ ଏ ଜଗତରେ ଏପରି କିଛି ନାହିଁ, ଯାହା କି ମୋର ସତ୍ତା ଦ୍ୱାରା ପରିବ୍ୟାପ୍ତ ନୁହେଁ କିମ୍ବା ଯେଉଁଥିରେ କି ମୁଁ ଅବସ୍ଥିତ ନୁହେଁ ।
ପୁନର୍ବାର କୁହାଯାଇଛି- ମୁଁ ସର୍ବଭୂତରେ ଅବସ୍ଥିତ ହେଲେ ମଧ୍ୟ ଭୂତ ସକଳ ମୋଠାରେ ସ୍ଥିତ ନୁହଁନ୍ତି । ଶ୍ରୀଭଗବାନଙ୍କର ଏହିପରି ଅଦ୍ଭୁତ ଉକ୍ତିର ତାତ୍‌ପର୍ଯ୍ୟ ଏହା ଯେ ତାଙ୍କର ସତ୍ତା କେବଳ ଜଗତର ମଝିରେ କିମ୍ବା ଭୂତଚରାଚର ମଝିରେ ସୀମିତ ନୁହେଁ । ସିଏ ହେଉଛନ୍ତି ବିଶ୍ୱାତୀତ ଅର୍ଥାତ୍ ଏହି ଜଗତ ସଂସାର ଶ୍ରୀଭଗବାନଙ୍କର ସେହି ଭୂମା ସତ୍ତାର ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର । ହିନ୍ଦୁଶାସ୍ତ୍ର ମତରେ ବ୍ରହ୍ମ ଚତୁଷ୍ପାଦ ଏବଂ ତାଙ୍କର ଗୋଟିଏ ପାଦରେ ଏହି ବିଶ୍ୱ ବ୍ରହ୍ମାଣ୍ଡ ବିଧୃତ । ସୁତରାଂ ଏହି କ୍ଷୁଦ୍ର ଜଗତ୍ ଓ ତାର ଭୂତସମୂହ ଭଗବାନଙ୍କର ସେହି ଅନନ୍ତ ସ୍ୱରୂପର ଏକାଂଶ ମାତ୍ର । ବିରାଟ ସମୁଦ୍ର ବକ୍ଷରେ ସମୁତ୍ଥିତ ତରଙ୍ଗସମୂହ ଯେପରି ତାହାର କ୍ଷୁଦ୍ରାତିକ୍ଷୁଦ୍ର ଅଂଶମାତ୍ର । ଏହା ମଧ୍ୟ ସେହିପରି । ଏଠାରେ ତରଙ୍ଗ ସମୂହକୁ ସମୁଦ୍ରରେ ଅବସ୍ଥିତ କହିଲେ ଚଳେ ।

(କ୍ରମଶଃ)

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.