Last updated on November 4, 2020
‘ଓମ୍କାର’ର ବାସ୍ତବ ବ୍ୟାଖ୍ୟା
ଗୋଟିଏ ଜଙ୍ଗଲରେ ସିଂହୀଟିଏ ରହୁଥିଲା । ତା ପେଟରେ ଛୁଆଟିଏ ଥିଲା । ଅନେକ ଦିନରୁ ତାକୁ କୌଣସି ଶିକାର ମିଳୁନଥିଲା । କ୍ଷୁଧାରେ ଆତୁର ହୋଇ ଶିକାର ଅନୁସନ୍ଧାନରେ ଜଙ୍ଗଲୀ ଛେଳି-ବୋଦାଙ୍କ ଦଳ ନିକଟରେ ଯାଇ ପହଞ୍ଚିଗଲା । ସେ ସେମାନଙ୍କ ଉପରକୁ ଆକ୍ରମଣ କରି ବିଫଳ ହେଲା । ସବୁ ଜନ୍ତୁ ଦଉଡି ପଳାଇଗଲେ । ଠିକ୍ ସେହି ସମୟରେ ତାକୁ ଖୁବ୍ ଜୋରରେ ପ୍ରସବ ବେଦନା ହେଲା, ଛୁଆଟିକୁ ଜନ୍ମ ଦେଇ ସେ ମରିଗଲା । ଛେଳି-ବୋଦାମାନେ ଫେରିଆସି ଦେଖନ୍ତି ତ ସିଂହୀଟି ସେଠାରେ ମରି ପଡିଛି, ହେଲେ ତା ଛୁଆଟି ବଞ୍ଚିଛି କିନ୍ତୁ ଅସହାୟ ଭାବରେ ସେଠାରେ ପଡିରହିଛି । ଛେଳି-ବୋଦାମାନେ ତାକୁ ସେଠାରୁ ନେଇ ପାଳନ କଲେ । ସିଂହୀର ଛୁଆଟି ସେହି ଛେଳିପଲ ସଙ୍ଗରେ ରହିବାକୁ ଲାଗିଲା । ସେ ସେମାନଙ୍କ ଭଳି ଖାଦ୍ୟ ଗ୍ରହଣ କଲା, ସେମାନଙ୍କ ଭଳି ମେଁ ମେଁ ହୋଇ ରଡିକଲା । ଅଳ୍ପ ଦିନ ଭିତରେ ଲାଗିଲା ଯେ, ସେ ଯେପରି ସିଂହୀ ଛୁଆ ନୁହେଁ ବରଂ ଛେଳିଛୁଆ । ସେ ଦିନକୁ ଦିନ ବଢ଼ିଚାଲିଲା । ଅଚାନକ ଭାବରେ ଦିନେ ଏକ ସିଂହ ଆସି ଛେଳିମାନଙ୍କ ଉପରକୁ ଆକ୍ରମଣ କରିଦେଲା । ସମସ୍ତ ଛେଳି-ବୋଦା ଜୀବନ ବିକଳରେ ଦଉଡି ପଳାଇଲେ, କିନ୍ତୁ ସିଂହ ଛୁଆଟି ସେଠାରେ ଛିଡା ହୋଇ ରହିଲା, ସେ ଆଶ୍ଚର୍ଯ୍ୟ ହୋଇ ସିଂହକୁ ଚାହିଁରହିଲା, ତାପରେ ମେଁ ମେଁ ହୋଇ ରଡିକଲା । ସିଂହଟି ସିଂହ ଛୁଆକୁ ଦେଖି କହିଲା–ତୁମେ ଏଠାରେ ଛେଳି ପଲଙ୍କ ଭିତରେ କଣ କରୁଛ ?–ସିଂହ ଛୁଆଟି ପୁଣିଥରେ ମେଁ ମେଁ ହେଲା । ତାପରେ ସେହି ସିଂହଟି ସିଂହଛୁଆଟିକୁ ନେଇ ଜଳର ସ୍ରୋତ ନିକଟକୁ ଚାଲିଗଲା । ସେଠାରେ ଯେତେବେଳେ ସେ ଜଳରେ ସିଂହଛୁଆଟିକୁ ତାର ଆଉ ସିଂହଛୁଆର ମୁଖକୁ ଦେଖିବାକୁ କହିଲା, ସେତେବେଳେ ସେ ଜାଣିପାରିଲା ଯେ, ସେ ମଧ୍ୟ ସିଂହପରି ସିଂହ ଅଟେ । ତାପରେ ସିଂହ କହିଲା, ତୁମେ କାହିଁକି ମେଁ ମେଁ ହୋଇ ରଡିକରୁଛ ଆଉ ଫଳଫୁଲ ଖାଉଛ ? ସିଂହଛୁଆଟି ଆଶ୍ଚର୍ଯ୍ୟ ହୋଇଗଲା, ତାକୁ ଲାଗିଲା ଯେ, ସିଂହ କଥାରେ ଦମ୍ ଅଛି । ତାପରେ ସିଂହ ତାକୁ ନିଜ ରହିବା ସ୍ଥାନକୁ ଘୋଷାରି ଘୋଷାରି ନେଇଗଲା । ଜୋରକରି ତା ମୁହଁରେ ଏକ ମାଂସ ଖଣ୍ଡଟିଏ ଧରାଇଦେଲା । ପ୍ରଥମେ ସେ ଅରାଜି ହେଲା କିନ୍ତୁ ତାପରେ ଖାଇବାକୁ ଲାଗିଲା । ଏପରି ଲାଗିଲା ଯେ, ଧରିନିଅ ସେ ଗଭୀର ନିଦ୍ରାରୁ ଜାଗ୍ରତ ହୋଇଯାଇଛି, ଏଥର ସେ ନିଜକୁ ଚିହ୍ନିପାରିଲା ଆଉ ସିଂହଭଳି ଗର୍ଜନ କରିବାକୁ ଲାଗିଲା ।
ଆତ୍ମଜ୍ଞାନର ସୂକ୍ଷ୍ମ ବ୍ୟାଖ୍ୟା
ନିଜକୁ ଚିହ୍ନିବା– ନିଜକୁ ଜାଣିବା ହିଁ ପ୍ରକୃତ ଆତ୍ମଜ୍ଞାନ ଅଟେ । ଭାରତୀୟ ସଂସ୍କୃତିର ଯେଉଁ ଗ୍ରନ୍ଥସମୂହରେ ଆତ୍ମଜ୍ଞାନର ସୂକ୍ଷ୍ମ ବ୍ୟାଖ୍ୟା ରହିଛି– ତାହା ଉପନିଷଦ ବୋଲାଏ । ଉପନିଷଦ ବେଦର ଅନ୍ତିମ ଭାଗ ଅଟେ । ଉପନିଷଦ୍ ଶବ୍ଦ ଷଦ୍ ଧାତୁରୁ ସୃଷ୍ଟ– ଏହାର ଅର୍ଥ ହେଉଛି ବ୍ରହ୍ମବିଦ୍ୟା, ଏହି ବ୍ରହ୍ମବିଦ୍ୟା ଦ୍ୱାରା ଅବିଦ୍ୟା ନାଶ ହୋଇଥାଏ, ଆନନ୍ଦ ମିଳିଥାଏ– ଜନ୍ମ-ମରଣର ଦୁଃଖରୁ ମୁକ୍ତି ମିଳିଥାଏ ।
ପ୍ରମୁଖ ଏକାଦଶ ଉପନିଷଦସମୂହ ମଧ୍ୟରୁ ଷଷ୍ଠ ଉପନିଷଦ ହେଉଛି– ମାଣ୍ଡୂକ୍ୟ । ଯଦିଓ, ଆକାରରେ ଏସବୁ କ୍ଷୁଦ୍ର ଅଟେ, ତଥାପି ପରମାତ୍ମାଙ୍କର ମୁଖ୍ୟ ବାଚକ ‘ଓଁ’ ‘ଓ୩ମ୍’–ଓଁକାର ଶବ୍ଦର ମହତ୍ତ୍ୱ ଏଥିରେ ବର୍ଣ୍ଣିତ । ଫଳତଃ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ଅଟେ । ମଣ୍ଡୂକ ହେଉଛନ୍ତି ଜଣେ ଋଷି । ତାଙ୍କରି କୁଳରେ ମାଣ୍ଡୂକ୍ୟ ମହର୍ଷି ଉତ୍ପନ୍ନ ହୋଇଥିଲେ, ତାଙ୍କ ଦ୍ୱାରା ଏହି ଉପନିଷଦ ପ୍ରସ୍ତୁତ ହୋଇଛି । ମୁଣ୍ଡକ ଉପନିଷଦରେ କୁହାଯାଇଛି–ପ୍ରଣବ ଧନୁର କାମ କରିଥାଏ–‘ପ୍ରଣବଃ ଧନୁଃ ଶରଃ ହି ଆତ୍ମା’ । ଯୋଗଦର୍ଶନ ମତରେ–‘ତସ୍ୟ ବାଚକଃ ପ୍ରଣବଃ’–ପ୍ରଣବ ପରମାତ୍ମାଙ୍କ ବାଚକ ଅଟେ–ପ୍ରଣବ ଅର୍ଥାତ୍ ଓଁକାର । ଅ, ଉ, ମ୍–ଏହି ତିନିଗୋଟି କାରଣରୁ ଓଁକାରଙ୍କୁ ତ୍ରିମାତ୍ର କୁହାଯାଏ । ଧ୍ୟାନ ନିମନ୍ତେ ଓଁକାରଙ୍କର ଜପ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । କେନୋପନିଷଦରେ ଉଲ୍ଲେଖ ଅଛି କି, ଉମା ସ୍ୱରୂପା ଦେବୀଙ୍କଠାରୁ ଇନ୍ଦ୍ର, ଅଗ୍ନି ତଥା ବାୟୁଙ୍କୁ ଜ୍ଞାତ ହେଲା କି, ତାଙ୍କ ସମ୍ମୁଖରୁ ଯେଉଁ ଯକ୍ଷ ଆସିଯାଇଥିଲେ–ସେ ବ୍ରହ୍ମ ଥିଲେ । ବିନୋବା ଭାବେ ଲେଖିଛନ୍ତି– ‘ଉମା’ ‘ଓମ୍’ଙ୍କର ରୂପାନ୍ତର ଅଟେ । ଏହା କିପରି ? ଯଦି ଅ+ଉ+ମ୍ରେ ‘ଅ’କୁ ସ୍ତ୍ରୀ ଲିଙ୍ଗ–‘ଆ’ ନିର୍ମିତକରି ଉ+ମ୍ ପଛରେ ଯୋଡିଦିଆଗଲେ ଉମାରେ ପରିଣତ ହୋଇଯାଏ । ଇହୁଦୀ, ଈସାଇ ଏବଂ ମୁସଲମାନମାନଙ୍କ ମଧ୍ୟରେ ‘ଓମ୍’ ହିଁ ଏମନ (Amen) ଅର୍ଥାତ୍ ଆମୀନ୍ ହୋଇଯାଏ । ଓଁକାର–ଓ୩ମ୍ ମହିମାର ଗୁଣଗାନ କରିବାପୂର୍ବକ ମହର୍ଷି ମାଣ୍ଡୂକ୍ୟ କହୁଛନ୍ତି–ଓଁ–ଅ+ଉ+ମ୍ ‘ଓମ୍’–ଏହା ଏକ କ୍ଷୁଦ୍ର ଅକ୍ଷର ଅଟେ । ଏହା ଅବିନାଶୀ ଆତ୍ମ ତତ୍ତ୍ୱ ଅଟେ । ଏ ସମସ୍ତ ସଂସାର ସେହି ‘ଓ୩ମ୍’ର ଏକ କ୍ଷୁଦ୍ର ବ୍ୟାଖ୍ୟା ଅଟେ । ବର୍ତ୍ତମାନ ସଂସାର ନୁହେଁ, ଅତୀତରେ ଯାହା ଥିଲା, ବର୍ତ୍ତମାନ ଯାହା ଅଛି, ଭବିଷ୍ୟତରେ ଯାହା ହେବ–ଏ ସବୁ ତାହାରି ବ୍ୟାଖ୍ୟା ଅଟେ–ସେ ସବୁ ଓଁକାର ଅଟେ । କେବଳ ଏତିକି ନୁହେଁ, ବରଂ ଏହି ସମୟରୁ ଅତୀତ ଆଉ ଯାହାକିଛି ବି ରହିଛି–ସେ ସମସ୍ତ ଓଁକାର ଅଟେ ।
ଉଲ୍ଲେଖନୀୟ ଯେ, ‘ଅକ୍ଷରମ୍ ଇଦଂ ସର୍ବମ୍’ ଉକ୍ତ ବାକ୍ୟ–ଉକ୍ତ ଅକ୍ଷର ପରମାତ୍ମାଙ୍କ ସହ ରହିଥିଲା–ଅକ୍ଷର ପରମାତ୍ମା ଥିଲେ (The word was with God. The word was God)– ବାଇବେଲର ଉଦାହରଣରୁ ପ୍ରାପ୍ତ ହୋଇଥାଏ । ବାଇବେଲରୁ ମଧ୍ୟ ଏହି ଅକ୍ଷରକୁ ‘ଈଶ୍ୱର’ କୁହାଯାଇଛି । ଉପନିଷଦସମୂହରେ ପର-ବ୍ରହ୍ମଙ୍କର ଧ୍ୟାନ ନିମନ୍ତେ ଓଁକାରକୁ ମହତ୍ତ୍ୱପୂର୍ଣ୍ଣ ସାଧନ ବୋଲି କୁହାଯାଇଛି । କଠୋପନିଷଦ୍ରେ ନଚିକେତାଙ୍କୁ ବ୍ରହ୍ମଜ୍ଞାନ ପ୍ରଦାନ କରିବା ପୂର୍ବକ ଆଚାର୍ଯ୍ୟ କହୁଛନ୍ତି–‘ସର୍ବେ ବେଦାଃ ଯତ୍ପଦମାମନନ୍ତି ‘ଓମ୍’ ଇତ୍ୟେତତ୍’–ସମ୍ପୂର୍ଣ୍ଣ ବେଦ ସମସ୍ତ ତପର ଲକ୍ଷ୍ୟ ଯେଉଁ ଅକ୍ଷରଙ୍କର ଘୋଷଣା କରନ୍ତି, ସେହି ଅକ୍ଷର ଓଁକାର ଅଟେ । ପ୍ରଶ୍ନୋପନିଷଦ୍ରେ ସତ୍ୟକାମ ତାଙ୍କର ଗୁରୁଙ୍କୁ ପଚାରିଲେ–”ମୃତ୍ୟୁକାଳ ପର୍ଯ୍ୟନ୍ତ ପ୍ରଣବର ନିରନ୍ତର ଜପ-ଧ୍ୟାନ କଲେ କି ଗତି ହୋଇଥାଏ ?” ଗୁରୁ ଉତ୍ତର ଦେଇଥିଲେ–”ହେ ସତ୍ୟକାମ, ଯିଏ ପର ଅଟନ୍ତି, ଯିଏ ଅପର ଅଟନ୍ତି, ସେ ଓଁକାର ଅଟନ୍ତି । (ଏତଦ୍ ବୈ ସତ୍ୟକାମ ପରଂ ଚ ଅପରଂ ବ୍ରହ୍ମ ଯଦ୍ ଓଁକାରଃ । ମୁଣ୍ଡକୋପନିଷଦ୍ରେ ପ୍ରଣବଙ୍କୁ ଧନୁ ଏବଂ ଶରକୁ ଆତ୍ମା କୁହାଯାଇଛି (ପ୍ରଣବଃ ଧନୁଃ ଶରଃ ହି ଆତ୍ମା) । ଶ୍ୱେତାଶ୍ୱତର ଉପନିଷଦ୍ରେ କୁହାଯାଇଛି–ନିଜ ଶରୀରକୁ ନିମ୍ନ ଅରଣି ଏବଂ ପ୍ରଣବଙ୍କୁ ଉପର ଅରଣି ବୋଲି ବୁଝି–ଉଭୟଙ୍କୁ ଧ୍ୟାନ ଅଭ୍ୟାସ ଦ୍ୱାରା ଦୃଢ଼କଲେ ବ୍ରହ୍ମାଗ୍ନି ପ୍ରକଟ ହୋଇଯାଏ । (ସ୍ୱଦେହମ୍ ଅରଣିଂ କୃତ୍ୱା ପ୍ରଣବଂ ଚ ଉତ୍ତର-ଅରଣିଂ ଧ୍ୟାନ-ନିର୍ମନ୍ଥନାଭ୍ୟାସାତ୍ ଦେବଂ ପଶ୍ୟେତ୍ ନିଗୂଢ଼ବତ୍) । ”
Be First to Comment