Last updated on August 13, 2022
ଗରୁଶବ୍ଦସ୍ତ୍ୱନ୍ଧକାରଃ ସ୍ୟାତ୍ ରୁଶବ୍ଦସ୍ତନିରୋଧକଃ ।
ଅନ୍ଧକାର ନିରୋଧିତ୍ୱାତ୍ ଗୁରୁରିତ୍ୟଭିଧୀୟତେ ॥
ଅଦ୍ୱୟତାରାକୋପନିଷଦ–୧୬
‘ଗୁରୁ’ ଶବ୍ଦର ଅର୍ଥ ହେଲା, ଏମିତି ଜଣେ ମଣିଷ, ଯାହାଙ୍କର କୌଣସି ଏକ କ୍ଷେତ୍ରରେ ବିଶେଷ ଜ୍ଞାନ ଓ ଦକ୍ଷତା ରହିଛି, ଏବଂ ଯିଏ ଏହାକୁ ଅନ୍ୟମାନଙ୍କର ମାର୍ଗଦର୍ଶନ ପାଇଁ ବ୍ୟବହାର କରନ୍ତି । ‘ଗୁ’ ଶବ୍ଦର ଅର୍ଥ ହେଲା ଅନ୍ଧାର ଓ ‘ରୁ’ ଶବ୍ଦର ଅର୍ଥ ହେଲା ଆଲୁଅ । ଯିଏ ଅନ୍ଧାରରୁ ଆଲୁଅକୁ ବାଟ କଢ଼େଇ ନିଅନ୍ତି, ତାଙ୍କୁ ଗୁରୁ ବୋଲାଯାଏ ।
ଅଜ୍ଞାନର ଅନ୍ଧାରରୁ ଜ୍ଞାନର ଆଲୋକକୁ ଯିଏ ଘେନି ଯାଆନ୍ତି ତାଙ୍କୁ ଭାରତୀୟ ପୁରାଣ ଓ ଦର୍ଶନରେ ଗୁରୁ କୁହାଯାଇଥାଏ । ଏହି ମତେ ପ୍ରଥମ ଗୁରୁ ମାତା, ପିତା ଅଟନ୍ତି ଏବଂ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ଭେଦରେ ଜୀବନରେ ଅନେକ ଗୁରୁ ଅଛନ୍ତି । ପୁରାଣ ଚରିତ୍ର ଅନୁସାରେ ଅବଧୂତ ବା ଦତ୍ତାତ୍ରେୟ ମୁନି ଚବିଶ ଗୁରୁ କରିଥିଲେ । ଗୁରୁ ମଧ୍ୟ ବିରାଟ ଏବଂ ମହାନ ବ୍ୟକ୍ତିତ୍ୱକୁ ବୁଝାଇଥାଏ । ନିଜର ଆପ୍ରାଣ ଚେଷ୍ଟାରେ ମଧ୍ୟ ଯାହା ସମ୍ଭବ ହୋଇ ପାରେନା, ତାହା ଗୁରୁକୃପା ଦ୍ୱାରା ଅଚିରେ ଉପଲବ୍ଧ ହୋଇଯାଏ ବୋଲି ବିଶ୍ୱାସ କରଯାଇଥାଏ । ପୁରାଣମତେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ ।
ହିନ୍ଦୁ ଧର୍ମ ଓ ଅନ୍ୟାନ୍ୟ ଧାର୍ମିକ ପରମ୍ପରାରେ ଗୁରୁ କରିବାକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଆତ୍ମ ସାକ୍ଷାତକାର କରିବାପାଇଁ ଗୁରୁଙ୍କର ସହାୟତା ମୌଳିକ ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି । ଆଧୁନିକ ଭାରତରେ ଗୁରୁ ଶବ୍ଦକୁ ମୁଖ୍ୟତଃ ଶିକ୍ଷକ ହିସାବରେ ବ୍ୟବହାର କରାଯାଉଛି । କିନ୍ତୁ ଗୁରୁଗୀତାରେ କୁହାଯାଇଛି ଯିଏ ଗୁ(ଗୁଣମୁକ୍ତ) ଓ ରୁ (ନିରାକାର), ସେ ହେଉଛନ୍ତି ଗୁରୁ ।
ଥେରବାଦ ବୌଦ୍ଧବାଦରେ ବୋଧିଦାତା ବ୍ୟକ୍ତିଙ୍କୁ ବହୁ ସମ୍ମାନ ଦିଆଯାଇଥାଏ ଓ ଗୁରୁ ଉପାଧିରେ ଭୂଷିତ କରାଯାଇଥାଏ, ସେ ଉତ୍ସାହର ମୂଳାଧାର ରୂପେ ବିବେଚିତ ହୋଇଥାନ୍ତି । ଜଣେ ସାଧାରଣ ଶିକ୍ଷକ କେବେ ଗୁରୁ ଭାବେ ବିବେଚିତ ହୋଇନଥାନ୍ତି, ତାହାଙ୍କୁ କଲ୍ୟାଣ-ମିତାତ କୁହାଯାଇଥାଏ ।
ତନ୍ତ୍ର ବୌଦ୍ଧ ସାଧନାରେ “ଗୁରୁ-ଯୋଗ”ର ବିଧି ରହିଛି, ଯେଉଁଥିରେ ଅନ୍ତ ଚେତନାରେ ଗୁରୁଙ୍କୁ ଅନୁଭବ କରିବା, ଗୁରୁଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଦାନ କରାଯାଇଥାଏ । ଗୁରୁଙ୍କୁ ବଜ/ବଜ୍ର (ଅର୍ଥ: ହୀରା) ଗୁରୁ ମଧ୍ୟ କୁହାଯାଇଥାଏ ।
ପାଶ୍ଚାତ୍ୟ ଦର୍ଶନରେ କୌଣସି ନିର୍ଦ୍ଦିଷ୍ଟ ପରମ୍ପରା ବା ଧର୍ମର ପରିସୀମା ଭିତରେ ନ ଥାଇ ବି ଯିଏ ଅନେକ ଅନୁଗାମୀ ଏକାଠି କରନ୍ତି, ତାଙ୍କୁ ଗୁରୁ ବୋଲି କୁହାଯାଏ । ଗୁରୁ ଶବ୍ଦକୁ କୌଣସି କୌଶଳ ଅଥବା ବ୍ୟବସାୟରେ ନିପୁଣ ବ୍ୟକ୍ତିଙ୍କ ପାଇଁ ମଧ୍ୟ ବ୍ୟବହାର କରାଯାଉଛି ।
ସରଳ ଭାବରେ ଏକ ଉପାଖ୍ୟାନ ନେଇ ଆମେ ବୁଝିବା: —
ମୁଁ ଜଣେ ବ୍ୟକ୍ତିଙ୍କୁ ପଚାରିଲି, ଗୁରୁ କିଏ ଅଟନ୍ତି ? ସେ ଗୋଟିଏ ସେଓ ଧରି ଖାଉଥିଲେ । ସେ ସହସା ଆଉ ଗୋଟିଏ ସେଓ ମୋ ହାତରେ ଦେଇ ମୋତେ ପଚାରିଲେ, ଏଥିରେ କେତେ ବୀଜ ଅଛି, ମୋତେ କହିପାରିବ ?
ମୁଁ ସେଓଟିକୁ କାଟି ମଞ୍ଜି ଗଣି ଗଣି କହିଲି, ତିନୋଟି ମଞ୍ଜି ଅଛି । ସେ ଗୋଟିଏ ମଞ୍ଜି ନିଜ ହାତରେ ନେଇ ପୁଣି ପଚାରିଲେ, ଏହି ବୀଜରେ କେତୋଟି ସେଓ ଅଛି, ତାହା ମଧ୍ୟ ଭାବି କୁହ ? ମୁଁ ଭାବିବାକୁ ଲାଗିଲି, ଗୋଟିଏ ମଞ୍ଜିରେ ଗୋଟିଏ ଗଛ । ପୁଣି ଗୋଟିଏ ଗଛରେ ଅନେକ ସେଓ । ସେହି ଅନେକ ସେଓ ମଧ୍ୟରେ ପୁଣି ତିନି ତିନୋଟି ମଞ୍ଜି । ପ୍ରତି ମଞ୍ଜିରେ ପୁଣି ଗଛ, ଆଉ ଅନବରତ କ୍ରମରେ ଚାଲୁ ରହିଛି ।
ସେ ହସି ହସି କହିଲେ, ବାସ୍, ଏହିଭଳି ପରମାତ୍ମାଙ୍କ କୃପା ଆମକୁ ସର୍ବଦା ପ୍ରାପ୍ତି ହୋଇ ଚାଲିଛି । କେବଳ ତାଙ୍କ ସ୍ମରଣ ରୂପୀ ଏକ ବୀଜ ହିଁ ଆମ ମନରେ ଲଗାଇରଖିବା ଦରକାର ।
ସତ୍ ଗୁରୁ ଏକ ତେଜ ଅଟନ୍ତି, ଯାହାଙ୍କର ପ୍ରବେଶ ମାତ୍ରକେ ସମସ୍ତ ସଂଶୟ ରୂପୀ ଅନ୍ଧକାରର ବିନାଶ ହୋଇଯାଏ ।
ସତ୍ ଗୁରୁ ଏଭଳି ଏକ ମୃଦଙ୍ଗ ଅଟନ୍ତି, ଯାହା ବାଜିବା ମାତ୍ରକେ ଅନାହତ ନାଦ ଶ୍ରବଣ ଆରମ୍ଭ ହୋଇଯାଏ ।
ସତ୍ ଗୁରୁ ଏଭଳି ଜ୍ଞାନ ଅଟନ୍ତି, ଯାହା ପ୍ରାପ୍ତି ହେବା ମାତ୍ରେ ପାଞ୍ଚ ଶରୀର ଏକ ହୋଇଯାଏ ।
ସତ୍ ଗୁରୁ ଏଭଳି ଦୀକ୍ଷା ଅଟନ୍ତି, ଯିଏ ଠିକ୍ ଭାବରେ ପ୍ରାପ୍ତି ହେଉ ହେଉ ଭବସାଗରରୁ ମୁକ୍ତି ମିଳିଯାଏ ।
ସତ୍ ଗୁରୁ ଏଭଳି ଏକ ନଦୀ ଅଟନ୍ତି, ଯିଏ ନିରନ୍ତର ଆମ ପ୍ରାଣ ମଧ୍ୟରେ ବହି ଚାଲିଛନ୍ତି ।
ସତ୍ ଗୁରୁ ଏଭଳି ଏକ ମୃଦଙ୍ଗ ଅଟନ୍ତି, ଯାହା ବାଜିବା ମାତ୍ରକେ ସୋଽହମ୍ ନାଦର ଗୁଞ୍ଜରଣ ସୃଷ୍ଟି ହୋଇଯାଏ ।
ସତ୍ ଗୁରୁ ଏଭଳି କୃପା ଅଟନ୍ତି, ଯାହା କେବଳ କେତେକ ସଦ୍ ଶିଷ୍ୟଙ୍କୁ ପ୍ରାପ୍ତି ହୋଇଥାଏ । ଆଉ କିଛି ପ୍ରାପ୍ତ ହୋଇ ମଧ୍ୟ ବୁଝି ପାରନ୍ତିନାହିଁ ।
ସତ୍ ଗୁରୁ ଏଭଳି ସତ୍-ଚିତ୍-ଆନନ୍ଦ ଅଟନ୍ତି, ଯିଏ ଆମକୁ ଆମର ସ୍ୱରୂପ ଚିହ୍ନାଇଦିଅନ୍ତି ।
ସତ୍ ଗୁରୁ ଏଭଳି ବଂଶୀ ଅଟନ୍ତି, ଯାହା ବାଜୁ ବାଜୁ ଶରୀରରେ କମ୍ପନ ସୃଷ୍ଟି ହୋଇଯାଏ ।
ସତ୍ ଗୁରୁ ଏଭଳି ଧନର ଗନ୍ତାଘର ଅଟନ୍ତି, ଯାହା ଦୁର୍ମୂଲ୍ୟ ଅଟେ ।
ସତ୍ ଗୁରୁ ଏଭଳି ଅମୃତ ଅଟନ୍ତି, ଯାହାକୁ ପାନ କରି କେହି କେବେ ତୃଷାର୍ତ୍ତ ହୁଅନ୍ତି ନାହିଁ ।
ସତ୍ ଗୁରୁ ଏଭଳି ସମାଧି ଅଟନ୍ତି, ଯିଏ ଚିରକାଳ ପର୍ଯ୍ୟନ୍ତ ରହିଥାନ୍ତି ।
ସତ୍ ଗୁରୁ ଏଭଳି ପ୍ରସାଦ ଅଟନ୍ତି, ଯାହାର ଭାଗ୍ୟରେ ଥାଏ, ତାଙ୍କୁ କେବେ କିଛି ମାଗିବାକୁ, ଯାଚନା କରିବାକୁ ପଡେନାହିଁ ।
ତତ୍ତ୍ୱତଃ ଗୁରୁ ଶ୍ରୋତ୍ରୀୟ, ବ୍ରହ୍ମନିଷ୍ଠ ଓ ଅକାମହତ ହିଁ ହୋଇଥାନ୍ତି । ଅର୍ଥାତ୍ ଶାସ୍ତ୍ରଜ୍ଞ, ସାଧନ ପରାୟଣ ଏବଂ କାମନା ରହିତ ହୋଇଥାନ୍ତି । ଆଜିକାଲିର ଗୁରୁ ଯିଏ ଘଣ୍ଟାକରେ ବ୍ରହ୍ମଜ୍ଞାନ ଆଉ ପଇସା ଦେଲେ ବିଜ୍ଞ କରାଇ ଦେଉଛନ୍ତି, ସେ କେବେ ହେଲେ ଉକ୍ତ ଶ୍ରେଣୀବାଚ୍ୟ ହୋଇନପାରନ୍ତି ।
Be First to Comment