Last updated on August 13, 2022
ନାରଦ ପୁରାଣର ଉତ୍ତର ଖଣ୍ଡ ଅନ୍ତର୍ଗତ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ପ୍ରକାରେ ଆମେ ଉକ୍ତ ଉସ୍ଚବକୁ ଜାଣିବା:
ପୁରୋହିତ ବସୁ କହୁଛନ୍ତି —ହେ ବ୍ରହ୍ମପୁତ୍ରୀ ମୋହିନୀ ! ଅଧୁନା ସେହି ତୀର୍ଥକୁ ଯାଅ, ଯାହା ଅଶ୍ୱମେଧଯଜ୍ଞର ଅଙ୍ଗରୁ ଉତ୍ପନ୍ନ ହୋଇଥିଲା । ତାହାର ନାମ ଇନ୍ଦ୍ରଦ୍ୟୁମ୍ନ ସରୋବର । ତାହା ପବିତ୍ର ଏବଂ ଶୁଭ ତୀର୍ଥ ଅଟେ । ବୁଦ୍ଧିମାନ୍ ପୁରୁଷ ସେଠାକୁ ଯାଇ ପବିତ୍ର ଭାବରେ ଆଚମନ କରିବ ଆଉ ମନ ଭିତରେ ଭଗବାନ୍ ଶ୍ରୀହରିଙ୍କର ଧ୍ୟାନ କରି ଜଳରେ ବୁଡ ପକାଇ ଉଚ୍ଚାରଣ କରିବ—
ଅଶ୍ୱମେଧାଙ୍ଗସମ୍ଭୂତ ତୀର୍ଥ ସର୍ବାଘନାଶନ ।
ସ୍ନାନଂ ତ୍ୱୟି କରୋମ୍ୟଦ୍ୟ ପାପଂ ହର ନମୋଽସ୍ତୁ ତେ ।। (ନା. ଉତ୍ତର.୬/୩)
‘ଅଶ୍ୱମେଧ ଯଜ୍ଞର ଅଙ୍ଗରୁ ପ୍ରକଟ ହୋଇଥିବା ତଥା ସମ୍ପୂର୍ଣ୍ଣ ପାପର ବିନାଶକ ତୀର୍ଥ ! ଆଜି ମୁଁ ତୁମ୍ଭ ଜଳରେ ସ୍ନାନ କରିବାକୁ ଚାହୁଁଛି । ମୋର ସମସ୍ତ ପାପ ହରଣ କରିନିଅ । ମୁଁ ତୁମକୁ ନମସ୍କାର କରୁଛି ।’
ଏହିଭଳି ମନ୍ତ୍ର ଉଚ୍ଚାରଣ କରି ବିଧିପୂର୍ବକ ସ୍ନାନ କରିବ ଏବଂ ଦେବତା, ଋଷି, ପିତୃ ତଥା ଅନ୍ୟାନ୍ୟ ଲୋକଙ୍କୁ ତିଳ ଓ ଜଳରେ ତର୍ପଣ କରି ମୌନଭାବରେ ଆଚମନ କରିବ । ପୁନଃ ପିତରବର୍ଗଙ୍କୁ ପିଣ୍ଡଦାନ ଦେଇ ଭଗବାନ୍ ପୁରୁଷୋତ୍ତମଙ୍କୁ ପୂଜନ କରିବ । ଏଭଳି କରୁଥିବା ମାନବ ଏହି ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହେବ । ଏହିଭଳି ପଞ୍ଚତୀର୍ଥର ସେବନ କରି ଏକାଦଶୀ ଦିନ ଉପବାସ କରିବ । ଯେଉଁ ମନୁଷ୍ୟ ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମାରେ ଭଗବାନ୍ ପୁରୁଷୋତ୍ତମଙ୍କର ଦର୍ଶନ କରିଥାଏ, ସେ ପୂର୍ବୋକ୍ତ ଫଳଭାଗୀ ହୋଇ ଦିବ୍ୟଲୋକରେ କ୍ରୀଡା କରି ସେହି ପରମ ପଦକୁ ପ୍ରାପ୍ତ ହୋଇଥାଏ, ଯେଉଁଠାରୁ ପୁନଃ ଫେରି ଆସିବାକୁ ହୁଏନାହିଁ । ପୃଥ୍ୱୀଲୋକରେ ଯେତେ ତୀର୍ଥ, ସରୋବର, କୂପ, ହ୍ରଦ ଓ ସମୁଦ୍ର ରହିଛି, ସେସବୁ ଜ୍ୟେଷ୍ଠ ଶୁକ୍ଳ ଦଶମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ସପ୍ତାହ ପ୍ରତ୍ୟକ୍ଷ ରୂପେ ପୁରୁଷୋତ୍ତମ ତୀର୍ଥରେ ଯାଇ ରହିଥାନ୍ତି । ଏହା ସେମାନଙ୍କର ନିତ୍ୟ ନିୟମ ଅଟେ । ସତୀ ମୋହିନୀ ! ଅତଃ ସେଠାରେ ସ୍ନାନ, ଦାନ, ଦେବ-ଦର୍ଶନ ଆଦି ଯାହା କିଛି ପୁଣ୍ୟକାର୍ଯ୍ୟ ସେହି ସମୟରେ କରାଯାଏ, ତାହା ଅକ୍ଷୟ ହୋଇଥାଏ । ମୋହିନୀ ! ଜ୍ୟେଷ୍ଠମାସର ଶୁକ୍ଳପକ୍ଷ ଦଶମୀ ତିଥି ଦଶପ୍ରକାର ପାପକୁ ହରଣ କରିଥାଏ । ସେଥିପାଇଁ ତାକୁ ଦଶହରା କୁହାଯାଇଥାଏ । ଯିଏ ସେହିଦିନ ଉତ୍ତମ ବ୍ରତ ପାଳନ ପୂର୍ବକ ବଳରାମ, ଶ୍ରୀକୃଷ୍ଣ ଏବଂ ସୁଭଦ୍ରାଦେବୀଙ୍କର ଦର୍ଶନ କରିଥାଏ, ସେ ସବୁପାପରୁ ମୁକ୍ତ ହୋଇ ବିଷ୍ଣୁଲୋକ ଯାଇଥାନ୍ତି । ଯେଉଁ ମନୁଷ୍ୟ ଫାଲ୍ଗୁନ ପୂର୍ଣ୍ଣିମା ଦିନ ଏକଚିତ୍ତ ହୋଇ ପୁରୁଷୋତ୍ତମ ଶ୍ରୀଗୋବିନ୍ଦଙ୍କୁ ଝୁଲଣବେଦୀରେ ଦର୍ଶନ କରିଥାନ୍ତି, ସେ ତାଙ୍କରି ଧାମକୁ ପ୍ରାପ୍ତ ହୋଇଥାନ୍ତି । ହେ ସୁଲୋଚନେ ! ଯେଉଁ ଦିନ ବିଷୁବ ଯୋଗ ଥାଏ, ସେହଦିନ ବିଧି ପୂର୍ବକ ପଞ୍ଚତୀର୍ଥ ସେବନ କରି ବଳରାମ, ଶ୍ରୀକୃଷ୍ଣ ଓ ସୁଭଦ୍ରାଙ୍କର ଦର୍ଶନକାରୀ ମନୁଷ୍ୟ ସମସ୍ତ ଯଜ୍ଞର ଦୁର୍ଲ୍ଲଭ ଫଳ ପ୍ରାପ୍ତ ହୋଇଥାଏ ଆଉ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁଲୋକକୁ ଯାଇଥାନ୍ତି । ଯିଏ ବୈଶାଖ ଶୁକ୍ଳପକ୍ଷ ତୃତୀୟାରେ ଶ୍ରୀକୃଷ୍ଣଙ୍କ ଚନ୍ଦନ-ଚର୍ଚ୍ଚିତ ସ୍ୱରୂପର ଦର୍ଶନ କରିଥାଏ, ସେ ତାଙ୍କରି ଧାମକୁ ପ୍ରାପ୍ତ ହୋଇଥାନ୍ତି । ଜ୍ୟେଷ୍ଠମାସ ପୂର୍ଣ୍ଣିମାକୁ ଯଦି ବୃଷରାଶିର ସୂର୍ଯ୍ୟ ଓ ଜ୍ୟେଷ୍ଠା ନକ୍ଷତ୍ରଯୋଗ ଥିବ, ତେବେ ତାକୁ ମହାଜ୍ୟେଷ୍ଠୀ ପୂର୍ଣ୍ଣିମା କୁହାଯାଏ । ସେହି ସମୟରେ ମନୁଷ୍ୟକୁ ପ୍ରଯତ୍ନପୂର୍ବକ ପୁରୁଷୋତ୍ତମ କ୍ଷେତ୍ର ଯାତ୍ରା କରିବା ଦରକାର । ମୋହିନୀ ! ମହାଜ୍ୟେଷ୍ଠୀ ପର୍ବରେ ଶ୍ରୀକୃଷ୍ଣ, ବଳରାମ ଓ ସୁଭଦ୍ରାଙ୍କ ଦର୍ଶନକରି ମନୁଷ୍ୟ ଦ୍ୱାଦଶ ଯାତ୍ରାର ଫଳ ପ୍ରାପ୍ତ ହୋଇଥାଏ । ପ୍ରୟାଗ, କୁରୁକ୍ଷେତ୍ର, ନୈମିଷାରଣ୍ୟ, ପୁଷ୍କର, ଗୟା, ହରିଦ୍ୱାର, କୁଶାବର୍ତ, ଗଙ୍ଗାସାଗର-ସଙ୍ଗମ, କୋକାମୁଖ-ଶୁକରତୀର୍ଥ, ମଥୁରା, ମରୁସ୍ଥଳ, ଶାଳଗ୍ରାମ ତୀର୍ଥ, ବାୟୁତୀର୍ଥ, ମନ୍ଦରାଚଳ, ସିନ୍ଧୁସାଗରସଙ୍ଗମ, ପିଣ୍ଡାରକ, ଚିତ୍ରକୂଟ, ପ୍ରଭାସ, କନଖଲ୍, ଶଙ୍ଖୋଦ୍ଧାର, ଦ୍ୱାରକା, ବଦରିକାଶ୍ରମ, ଲୋହକୂଟ, ସର୍ବପାପମୋଚନ-ଅଶ୍ୱତୀର୍ଥ, କର୍ଦମାଲ, କୋଟିତୀର୍ଥ, ଅମରକଣ୍ଟକ, ଲୀଲାର୍କ, ଜମ୍ବୁମାର୍ଗ, ସୋମତୀର୍ଥ, ପୃଥୂଦକ, ଉତ୍ପଳାବର୍ତକ, ପୃଥୁତୁଙ୍ଗ, କୁବ୍ଜତୀର୍ଥ, ଏକାମ୍ରକ, କେଦାର, କାଶୀ, ବିରଜ, କାଳଞ୍ଜର, ଗୋକର୍ଣ୍ଣ, ଶ୍ରୀଶୈଳ, ଗନ୍ଧମାଦନ, ମହେନ୍ଦ୍ର, ମଳୟ, ବିନ୍ଧ୍ୟ, ପାରିଯାତ୍ର, ହିମାଳୟ, ସହ୍ୟ, ଶୁକ୍ତିମାନ୍, ଗୋମାନ୍, ଅର୍ବୁଦ, ଗଙ୍ଗା, ଯମୁନା, ସରସ୍ୱତୀ, ଗୋମତୀ ତଥା ବ୍ରହ୍ମପୁତ୍ର ଆଦି ତୀର୍ଥରେ ଯେଉଁ ପୁଣ୍ୟ ଲାଭହୁଏ, ହେ ମହାଭାଗ ! ଗୋଦାବରୀ, ଭୀମରଥୋ, ତୁଙ୍ଗଭଦ୍ରା, ନର୍ମଦା, ତାପୀ, ପୟୋଷ୍ଣୀ, କାବେରୀ, କ୍ଷିପ୍ରା, ଚର୍ମଣ୍ୟବତୀ, ବିତସ୍ତା(ଝେଲମ୍), ଚନ୍ଦ୍ରଭାଗା(ଚନାବ), ଶତଦ୍ରୂ(ଶତଲଜ୍), ବିପାଶା, ମହାନଦୀ, କୋଶୀ, ବୈତରଣୀ ଓ ଅନ୍ୟାନ୍ୟ ନଦା ଯାହାଙ୍କର ନାମ ଏଠାରେ ନାହିଁ, ସେ ସମସ୍ତେ ପୁଣ୍ୟଅର୍ଜନରେ ଶ୍ରୀକୃଷ୍ଣ ଦର୍ଶନ ସହ ସମାନତା ହୋଇପାରିବେନାହିଁ । ସୂର୍ଯ୍ୟଗ୍ରହଣ ସମୟରେ ସ୍ନାନ ଓ ଦାନରେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ମହାଜ୍ୟେଷ୍ଠୀ ପର୍ବରେ ଭଗବାନ୍ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ମନୁଷ୍ୟ ସେହି ଫଳ ପ୍ରାପ୍ତି ହୋଇଥାଏ ।
ସେଠାରେ ଏକ ସଜଳ କୂପ ରହିଛି, ଯାହା ଅତି ପବିତ୍ର ଓ ସର୍ବତୀର୍ଥମୟ ଅଟେ । ଜ୍ୟେଷ୍ଠପୂର୍ଣ୍ଣିମାରେ ସେଠାରେ ପାତାଳଗଙ୍ଗା, ଭୋଗବତୀ ନିଶ୍ଚିତରୂପେ ପ୍ରତ୍ୟକ୍ଷ ହୋଇ ଯାଇଥାଏ । ଅତଃ ହେ ମୋହିନୀ ! ଜ୍ୟେଷ୍ଠପୂର୍ଣ୍ଣିମାରେ ଶ୍ରୀକୃଷ୍ଣ, ବଳରାମ ଓ ସୁଭଦ୍ରାଙ୍କ ସ୍ନାନ କରାଇବା ପାଇଁ ସୁବର୍ଣ୍ଣ ଆଦି କଳସରେ ସେହି କୂପରୁଜଳ ବାହାର କରାଯାଏ । ସେଥିପାଇଁ ଏକ ସୁନ୍ଦର ମଞ୍ଚ ତିଆରିକରି ତାକୁ ପତାକା ଆଦିରେ ସଜାଇ ଦିଆଯାଏ । ତାହା ସୁନ୍ଦର ଓ ସୁଖପୂର୍ବକ ଚାଲିବା ଯୋଗ୍ୟ ହୋଇଥାଏ । ବସ୍ତ୍ର ଓ ଫୁଲରେ ତାକୁ ସଜାଯାଇଥାଏ । ତାହା ଅତି ବିସ୍ତୃତ ହୋଇଥାଏ ଆଉ ଗନ୍ଧଯୁକ୍ତ ଧୂପରେ ସୁବାସିତ କରାଯାଇଥାଏ । ସେଥିରେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ସ୍ନାନ କରାଇବା ପାଇଁ ପୀତବସ୍ତ୍ର ବିଛାଯାଇଥାଏ । ମୋତିର ହାର ଓହଳା ହୋଇଥାଏ । ବିଭିନ୍ନ ପ୍ରକାର ବାଦ୍ୟଧ୍ୱନି ହୋଇଥାଏ । ହେ ସତୀ ! ସେହି ମଞ୍ଚ ଉପରେ ଗୋଟିଏ ପଟେ ଭଗବାନ୍ ଶ୍ରୀକୃଷ୍ଣ ଓ ଭଗବାନ୍ ବଳରାମ ବିରାଜିତ ହୋଇଥାନ୍ତି । ମଝିରେ ସୁଭଦ୍ରା ଦେବୀଙ୍କୁ ବସାଇ ଜୟ ଜୟକାର ଓ ମଙ୍ଗଳଘୋଷ ସହିତ ସ୍ନାନ କରାଯାଇଥାଏ । ମୋହିନୀ ! ସେହି ସମୟରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ତଥା ଅନ୍ୟ ଜାତିର ଲୋକେ ତାଙ୍କୁ ଘେରି ରହିଥାନ୍ତି । ଗୃହସ୍ଥ, ସ୍ତ୍ରାତକ(ମାର୍ଗ ଦର୍ଶକ), ସନ୍ନ୍ୟାସୀ, ବ୍ରହ୍ମଚାରୀ ସମସ୍ତେ ମଞ୍ଚରେ ବିରାଜିତ ଶ୍ରୀକୃଷ୍ଣ, ବଳରାମଙ୍କୁ ସ୍ନାନ କରାଇଥାନ୍ତି । ସେହି ସମୟରେ ମୁନିଗଣ ବେଦମନ୍ତ୍ରୋଚ୍ଚାରଣ କରିଥାନ୍ତି । ସାମ ଗାନ ସହିତ ଭିନି ଭିନ୍ନ ସ୍ତୁତିଗାନ ହୋଇଥାଏ । ଆକାଶରେ ଯକ୍ଷ, ବିଦ୍ୟାଧର, ସିଦ୍ଧ, କିନ୍ନର, ଅପ୍ସରା,ଦେବ, ଗନ୍ଧର୍ବ, ଧାରଣ, ଆଦିତ୍ୟ, ବସୁ, ରୁଦ୍ର, ସାଧ୍ୟ, ମରୁଦ୍ଗଣ, ଲୋକପାଳ ତଥା ଅନ୍ୟ ଲୋକ ମଧ୍ୟ ଭଗବାନ୍ ପୁରୁଷୋତ୍ତମଙ୍କର ସ୍ତୁତି କରିଥାନ୍ତି— ‘ଦେବଦେବେଶ୍ୱର ! ପୁରାଣପୁରୁଷୋତ୍ତମ ! ଆପଣଙ୍କୁ ନମସ୍କାର । ଜଗତ୍ ପାଳକ ଜଗନ୍ନାଥ ! ଆପଣ ସୃଷ୍ଟି, ସ୍ଥିତି ଓ ସଂହାରକର୍ତ୍ତା ଅଟନ୍ତି । ଯିଏ ତ୍ରିଭୁବନର ଧାରଣକାରୀ, ମୋକ୍ଷର କାରଣ ଭୂତ, ବ୍ରାହ୍ମଣଭକ୍ତ ଓ ସମସ୍ତ ମନୋବାଞ୍ଛିତ ଫଳଦାତା, ସେହି ଭଗବାନଙ୍କୁ ଆମେ ପ୍ରଣାମ କରୁଅଛୁ । ମୋହିନୀ ! ଏହିଭଳି ଆକାଶରେ ସ୍ଥିତ ସମସ୍ତ ଦେବତା ଶ୍ରୀକୃଷ୍ଣ, ମହାବଳୀ ବଳରାମ ଓ ସୁଭଦ୍ରାଦେବୀଙ୍କର ସ୍ତୁତି କରିଥାନ୍ତି । ଦେବତାମାନଙ୍କର ବାଦ୍ୟ ବାଜୁଥାଏ ଆଉ ଶୀତଳ ବାୟୁ ପ୍ରବାହିତ ହେଉଥାଏ । ସେହି ସମୟରେ ଆକାଶରେ ସ୍ଥିତ ମେଘଖଣ୍ଡ ପୁଷ୍ପ ମିଶ୍ରିତ ଜଳବର୍ଷା କରିଥାନ୍ତି । ମୁନି, ସିଦ୍ଧ ଓ ଚାରଣ ଜୟ-ଜୟକାର କରିଥାନ୍ତି । ତତ୍ ପଶ୍ଚାତ୍ ଇନ୍ଦ୍ର ଆଦି ସମସ୍ତ ଦେବତା, ଋଷି, ପିତର, ପ୍ରଜାପତି, ନାଗ ତଥା ଅନ୍ୟ ସ୍ୱର୍ଗବାସୀ ମଙ୍ଗଳ ସାମଗ୍ରୀ ସହିତ ବିଧି ଓ ମନ୍ତ୍ରଯୁକ୍ତ ଅଭିଷେକୋପଯୋଗୀ ଦ୍ରବ୍ୟ ନେଇ ଭଗବାନଙ୍କର ଅଭିଷେକ କରିଥାନ୍ତି ।***
Be First to Comment