Last updated on February 6, 2021
ସ୍ୱାସ୍ଥ୍ୟ ବିଜ୍ଞାନ
ପ୍ରୋ. ଯଜ୍ଞେଶ୍ୱର ନାଥ
ଭେଷଜ ଦୁଇ ପ୍ରକାର ଅଟେ । ୧) ସ୍ୱସ୍ଥ ପୁରୁଷର ଉତ୍ତମ ଭାବ ବା ଓଜନକୁ ବୃଦ୍ଧି କରେ । ୨) ରୋଗାକ୍ରାନ୍ତ ବ୍ୟକ୍ତିର ରୋଗକୁ ଦୂରକରେ । ଭେଷଜଦ୍ୱିବିଧଂ ଚ ତତ୍ । ସ୍ୱସ୍ଥସ୍ୟୋର୍ଜସ୍କରଂ କିଞ୍ଚିତ୍ କିଞ୍ଚିଦାର୍ତସ୍ୟ ରୋଗନୃତ୍ । (ଚ.ଚି.-୧-୪)
ଯେଉଁ ଔଷଧୀ ସ୍ୱସ୍ଥ ବ୍ୟକ୍ତିର ଉର୍ଜସ୍କର (ଓଜ ବା ପ୍ରଶସ୍ତ ଭାବକୁ ବଝାଏ) ତାହା ପ୍ରାୟ ଦୃଷ୍ୟ (ବାଜିକର) ଓ ରସାୟନ ଅଟେ । ସ୍ୱସ୍ଥସ୍ୟୋର୍ଜସ୍କରଂ ଜତୁ ତଦ୍ ଦୃଷ୍ୟ ତଦ୍ରାୟନମ୍ । (ଚ.ଚି.-୧-୫)
ରସାୟନ ଔଷଧୀ ସେବନ କଲେ ମନୁଷ୍ୟର ଦୀର୍ଘ ଆୟୁ, ସ୍ମରଣଶକ୍ତି, ମେଧା(ଧାରଣଶକ୍ତି), ଆରୋଗ୍ୟ, ତରୁଣାବସ୍ଥା, ପ୍ରଭା(ଶରୀର କାନ୍ତି), ବର୍ଣ୍ଣ, ସ୍ୱର(ବାଣୀ), ଉଦାରହେବା, ଦେହ ଇନ୍ଦ୍ରିୟରେ ଉତ୍ତମ ବଳ ପ୍ରାପ୍ତି, ବାକ୍ସିଦ୍ଧି (ଯାହା କହିଲେ ତାହା ହୋଇଯାଏ), ପ୍ରଣତି(ନମ୍ରତା), କାନ୍ତି(ସୁନ୍ଦରତା) ଏହି ସମସ୍ତ ଗୁଣ ପ୍ରାପ୍ତ ହୁଏ । ଏତଦ୍ ବ୍ୟତୀତ ଉତ୍ତମ ରସ ଆଦି ଧାତୁମାନଙ୍କୁ (ରକ୍ତ, ମାଂସ, ମେଦ ଓ ଶୁକ୍ର) ପ୍ରାପ୍ତି କରିବାର ଯେଉଁ ଉପାୟ ରହିଛି, ତାକୁ ରସାୟନ କୁହାଯାଏ ।
ଶାର୍ଙ୍ଗଧରଙ୍କ ମତରେ— ରସାୟନ ଚ ତତ୍ ଜ୍ଞେୟଂ ଯଜ୍ଜରା ବ୍ୟାଧି ନାଶନମ୍ । ଅର୍ଥାତ୍ ଯେଉଁ ଭେଷଜ ଜରା ଏବଂ ବ୍ୟାଧି ଦୂର କରେ, ତାକୁ ରସାୟନ କୁହାଯାଏ ।
ବାଜୀକରଣ(ବୃଷ୍ୟ)— ଯେଉଁ ଭେଷଜ ଅପତ୍ୟ ବା ସନ୍ତାନ ସନ୍ତତି ବ୍ୃଦ୍ଧି କରେ, ଯାହା ମୈଥୁନ ବିଷୟକ ହର୍ଷକୁ ଉତ୍ପନ୍ନ କରେ । ଏହି ଔଷଧୀ ସେବନ କଲେ ଅପ୍ରତିହତ ବେଗରେ ଅତ୍ୟନ୍ତ ବଳବାନ(ବାଜିବତ୍) ଘୋଡା ସମାନ ମୈଥୁନ କରିବାରେ ସମର୍ଥ ହୁଏ । ଏବଂ ଯାହା ଦ୍ୱାରା ସ୍ତ୍ରୀମାନେ ମୈଥୁନରେ ସନ୍ତୁଷ୍ଟ ହୁଅନ୍ତି, ବୃଦ୍ଧାବସ୍ଥା ଆସିଲେ ମଧ୍ୟ ଶୁକ୍ର କ୍ଷୟ ହୁଏନାହିଁ, ତାହାକୁ ବାଜିକର ଔଷଧୀ କୁହାଯାଏ । ଚରକ ରସାୟନ ପ୍ରୟୋଗର ଦୁଇଟି ବିଧି ଉପଦେଶ କରିଛନ୍ତି । ୧) କୁଟି ପ୍ରାବେଶିକ, ୨) ବାତାତପିକ । ଏହାକୁ ଯଥାକ୍ରମେ Indoor Management ଓ Outdoor Management କୁହାଯାଏ ।
ହରିତକୀର ଗୁଣ — ହରିତକୀରେ ଲବଣ ରସକୁ ଛାଡି ମଧୁର, ଅମ୍ଳ, କଟୁ, ତିକ୍ତ, କଷାୟ ଆଦି ପାଞ୍ଚରସ ରହିଛି । ହରିତକୀ ରସାୟନ ହେଇଥିବାରୁ ଏହା ସେବନ କଲେ ବାୟଃ ସ୍ଥାପନ ହୁଏ । ଅନୁଯାନ ଭେଦରେ ସମସ୍ତ ରୋଗକୁ ଶାନ୍ତ କରେ ।
ଅଁଳାର ଗୁଣକର୍ମ— ହରିତକୀର ଯେଉଁ ଗୁଣକର୍ମ, ଅଁଳାର ସେହି ସମସ୍ତ ଗୁଣକର୍ମ ମଧ୍ୟ ରହିଛି । ବୀର୍ଯ୍ୟରେ ବୀପରୀତ ଅର୍ଥାତ୍ ଅଁଳା ବୀର୍ଯ୍ୟରେ ଶୀତ ଓ ହରିତକୀ ଉଷ୍ଣ ଅଟେ ।
ମେଧ୍ୟରସାୟନ —୧) ମଣ୍ଡୁକ ପର୍ଣ୍ଣି ସ୍ୱରସ, ୨) ଯଷ୍ଟି ମଧୁ ଚୂର୍ଣ୍ଣ, ୩) ଗୁଡୁଚୀ ସ୍ୱରସ, ୪) ଶଙ୍ଖପୁଶ୍ପୀ ପଞ୍ଚାଙ୍ଗ କଳ୍କ ସେବନ କରିବା ଉଚିତ । ଏହା ଆୟୁ ବୃଦ୍ଧି କରେ, ରୋଗକୁ ନାଶ କରେ, ମୂଳ, ବର୍ଣ୍ଣ, ଅଗ୍ନି ଏବଂ ସ୍ୱରକୁ ବୃଦ୍ଧିକରେ । ଏହି ଚାରୋଟି ମେଧ୍ୟ ମଧ୍ୟରେ ଶଙ୍ଖପୁଷ୍ପି ବିଶେଷ ରୂପରେ ମେଧା ବୃଦ୍ଧି କାରକ ।
ଶିଳାଜତୁ ରସାୟନ ଅଟେ । ଚରକଙ୍କ ମତରେ ଏପରି କୌଣସି ସାଧ୍ୟ ରୋଗ ନାହିଁ, ଯାହା ଶିଳାଜତୁ ପ୍ରୟୋଗରେ ଭଲ ହୁଏ ନାହିଁ । ମାତ୍ର ଶିଳାଜତୁ ପ୍ରୟୋଗ ସମୟରେ କୋଳଥ ଡାଲି ଖାଇବ ନାହିଁ ।
ଶାସ୍ତ୍ରୀୟ ରସାୟନ— ବ୍ରାହ୍ମ ରସାୟନ, ଚ୍ୟବନପ୍ରାଶ, ଅବଲେହ, ଆମଳକ ରସାୟନ, ହରିତକ୍ୟାଦି ରସାୟନ ବ୍ୟବହାର କରାଯାଏ । ଏଥିମଧ୍ୟରୁ ଚ୍ୟବନପ୍ରାଶ ଅତ୍ୟନ୍ତ ଭାବରେ ପ୍ରଚଳିତ ଓ ଉପକାରୀ । ଏହା ସେବନକରି ଚ୍ୟବନ ଋଷି ବୃଦ୍ଧତ୍ୱରୁ ନବ ଯୌବନ ପ୍ରାପ୍ତ ହୋଇଥିଲେ । ଏହା କାଶ, ଶ୍ୱାସନାଶକ ଅଟେ । ଯେଉଁ ବ୍ୟକ୍ତି କ୍ଷତ, କ୍ଷୀଣ, ବୃଦ୍ଧ ହୋଇଯାଇଥାଏ ଏବଂ ବାଳକର ଅଙ୍ଗ ବୃଦ୍ଧି ହେଉନଥିଲେ ଏହା ଅଙ୍ଗ ବୃଦ୍ଧି କରେ । ଏହା ସ୍ୱର ଭେଦ, ଫୁସ୍ଫୁସ୍ ବିକୃତି, ହୃଦ୍ ରୋଗ, ମୂତ୍ରାଶୟ ଓ ଶୁକ୍ରରେ ଥିବା ବିକୃତି, ବାତ, ପିତ୍ତ ଓ କଫକୁ ଦୂରକରେ । ଆବାଳ ବୃଦ୍ଧଙ୍କ ପାଇଁ ଏହା ଉତ୍ତମ ବଲ୍ୟ (ଟନିକ୍) ଅଟେ ।
ଯଥାଽମରଣାମୃତଂ ଯଥା ଭୋଗବତାଂ ସୁଧା । ତଥାଽଭବନ୍ମ ମହର୍ଷିଣା ରସାୟନ ବଧିଃ ପୁରା । (ଚ.ଚି-୧-୭୮)
ରସାୟନର ମହତ୍ତ୍ୱ — ଯେପରି ଦେବତାମାନଙ୍କ ପାଇଁ ଅମୃତ ଏବଂ ନାଗମାନଙ୍କ ପାଇଁ ସୁଧା ଅଟେ, ସେହିପରି ପ୍ରାଚୀନ କାଳରେ ମହର୍ଷିମାନଙ୍କ ପାଇଁ ରସାୟନ ବିଧି ସେବନ ଥିଲା । ଫଳରେ ମହର୍ଷିଗଣ ବୃଦ୍ଧାବସ୍ଥା, ଅରୋଗ, ନା ଦୁର୍ବଳତା, ନା ମୃତ୍ୟୁକୁ ପ୍ରାପ୍ତ ହେଉଥିଲେ । ଏଣୁ ହଜାରେ ବର୍ଷ ଆୟୁ ପ୍ରାପ୍ତ ହେଉଥିଲେ ।
Be First to Comment