Last updated on July 17, 2020
ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ
ସଂଯୋଗ ବଶତଃ ଭଗବତ୍ ପାଦ ଆଦିଶଙ୍କରାଚାର୍ଯ୍ୟ ଭାରତବର୍ଷରେ ଚାରିଗୋଟି ପୀଠ ସ୍ଥାପନା କରି ଧର୍ମର ପ୍ରତିସ୍ଥାପନା କରିଥିଲେ । ଖ୍ରୀଷ୍ଟପୂର୍ବ୫୦୭ ବର୍ଷ ଆଗେ ଭାରତରେ ଆଦି ଶଙ୍କରାଚାର୍ଯ୍ୟଙ୍କର ଜନ୍ମ ହୋଇଥିଲା । ତଦାନୀନ୍ତନ କାଳରେ ବାସ୍ତବିକ ସ୍ଥିତି ହେଉଛି, ଯେତେବେଳେ ଆଦି ଶଙ୍କରାଚାର୍ଯ୍ୟଙ୍କର ଆବିର୍ଭାବ ହୋଇଥିଲା, ସେତେବେଳେ ଇସଲାମ୍ ଓ ଈଶାଇ କୌଣସି ବି ପନ୍ଥ ଓ ମତର ଅସ୍ତିତ୍ୱ ସୁଦ୍ଧା ନଥିଲା । ଆମ ପାଖରେ ଏ ସମ୍ପର୍କରେ ଅକାଟ୍ୟ ପ୍ରମାଣ ରହିଛି ଯାହା ସମ୍ମୁଖରେ ସବୁତର୍କ ନିଷ୍ଫଳା ଯିବ । ଆଜି ଏହି ଯେଉଁ ଧରିତ୍ରୀର ଭୂଖଣ୍ଡ ଦେଖୁଛେ, ଏ ସବୁକିଛି ସନାତନ ସଂସ୍କୃତିରେ ଆଚ୍ଛାଦିତ ହୋଇ ରହିଥିଲା । ସମ୍ପୂର୍ଣ୍ଣ ବିଶ୍ୱର ରାଜଧାନୀ ରୂପେ ଭାରତକୁ ସ୍ଥାପିତକରି ଶଙ୍କରାଚାର୍ଯ୍ୟ ଚାରିଧାମରେ ପୀଠ ସ୍ଥାପନା କରିଥିଲେ । ଯଦିଓ ସେ ଭାରତର ଚତୁଷ୍କୋଣରେ ଚତୁଃପୀଠ ସ୍ଥାପନା କରିଥିଲେ, ତଥାପି ସନାତନ ଧର୍ମର ଶାସନ କ୍ଷେତ୍ରରୂପେ ସେ ପୂରା ବିଶ୍ୱକୁ ଅାପଣେଇ ନେଇଥିଲେ ।
ବୌଦ୍ଧ ସମ୍ରାଟ୍ ସୁଧନ୍ୱା, ଯିଏକି ଯୁଧିଷ୍ଠିରଙ୍କ ବଂଶଜ ଅଟନ୍ତି । ବୌଦ୍ଧ ପଣ୍ଡିତ ଓ ଭିକ୍ଷୁଙ୍କର ସମ୍ପର୍କରେ ଆସି ସେ ବୌଦ୍ଧ ସମ୍ରାଟ୍ ରୂପେ ଖ୍ୟାତି ପ୍ରାପ୍ତ ହେବା ସହ ଶାସନ ଭାର ତୁଲାଉଥିଲେ । ସନାତନ ବୈଦିକ ଆର୍ଯ୍ୟ ହିନ୍ଦୁଧର୍ମକୁ ଦମନ କରୁଥିଲେ । ସେତେବେଳେ ଆଦି ଶଙ୍କରାଚାର୍ଯ୍ୟ ତାଙ୍କ ହୃଦୟକୁ ଶୁଦ୍ଧପବିତ୍ରକରି ସାର୍ବଭୌମିକ ସନାତନ ହିନ୍ଦୁ ଧର୍ମମୂର୍ତ୍ତି ରୂପେ ତାଙ୍କୁ ପୁନରାୟ ପ୍ରତିଷ୍ଠିତ କରାଇଲେ । ତାଙ୍କୁ ପଥଭ୍ରଷ୍ଟ ନ ହେବାପାଇଁ ଆଉ ଅନ୍ୟ ରାଜାମାନଙ୍କ ଉପରେ ଶାସନ କରିବା ପାଇଁ ଆଦି ଶଙ୍କରାଚାର୍ଯ୍ୟ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚତୁର୍ଦ୍ଦିଗରେ ଚାରିଗୋଟି ପୀଠ ସ୍ଥାପନା କଲେ । ପୂର୍ବ ଓ ପଶ୍ଚିମରେ ଥିବା ଦୁଇଟି ପୀଠ ସମୁଦ୍ର ତଟରେ ଅବସ୍ଥିତ ।
ଭୌଗୋଳିକ ଦୃଷ୍ଟିରୁ ଭଗବାନ ଶଙ୍କରାଚାର୍ଯ୍ୟ ବଦ୍ରିନାଥରେ ଜ୍ୟୋତିର୍ମଠର ସ୍ଥାପନା କରିଥିଲେ, ଯାହା ପର୍ବତମାଳା ମଧ୍ୟରେ ଅବସ୍ଥିତ । ରାମେଶ୍ୱରର ଶୃଙ୍ଗେରୀକ୍ଷେତ୍ର ଯାହା ବର୍ତ୍ତମାନ କର୍ଣ୍ଣାଟକରେ ଅବସ୍ଥିତ, ସେଠାରେ ସେ ଶୃଙ୍ଗେରୀମଠ ସ୍ଥାପନା କରିଥିଲେ । ଉତ୍ତର-ଦକ୍ଷିଣର ମଠ ପର୍ବତମାଳା ମଧ୍ୟରେ ଓ ପୂର୍ବ-ପଶ୍ଚିମର ମଠ ସମୁଦ୍ର ତଟରେ ଅବସ୍ଥିତ ।
ସେ ଚତୁଃବେଦ, ଷଡଶାସ୍ତ୍ର ଅଥବା କହିପାରିବା କି ୩୨ ପ୍ରକାର ବିଦ୍ୟା ମଧ୍ୟରେ ପ୍ରଭେଦ ଓ ୩୨କଳାର ପ୍ରଭେଦ, ସବୁକିଛିକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଗୋଟିଏ ବେଦ ସହ ସମ୍ବନ୍ଧ ରଖି ଗୋଟିଏ ଗୋଟିଏ ପୀଠ ସ୍ଥାପନା କରିଥିଲେ । ଋଗବେଦ ସହ ଜଗନ୍ନାଥ ଧାମ ପୁରୀରେ ଗୋବର୍ଦ୍ଧନ ମଠ, ଯଜୁର୍ବେଦ ସହ ରାମେଶ୍ୱରର ଶୃଙ୍ଗେରୀ ମଠ, ସାମବେଦ ସହ ଦ୍ୱାରିକାର ଶାରଦା ମଠ ଓ ଅଥର୍ବବେଦ ସହ ସମ୍ବନ୍ଧିତ ବଦ୍ରୀନାଥର ଜ୍ୟୋତିର୍ମଠ ସ୍ଥାପିତ ହୋଇଛି ।
ବ୍ରହ୍ମାଙ୍କର ଚତୁର୍ମୁଖ, ପୂର୍ବମୁଖରୁ ଋଗବେଦ, ଦକ୍ଷିଣମୁଖରୁ ଯଜୁର୍ବେଦ, ପଶ୍ଚିମମୁଖରୁ ସାମବେଦ ଓ ଉତ୍ତରମୁଖରୁ ଅଥର୍ବବେଦର ଉତ୍ପତ୍ତି ହୋଇଛି । ଉକ୍ତ ଆଧାରରେ ଶଙ୍କରାଚାର୍ଯ୍ୟ ଚାରିଗୋଟି ପୀଠ ସ୍ଥାପନାକରି ଚାରିବେଦ ସହ ସଂଯୁକ୍ତ କରିଥିଲେ ।
ସନ୍ନ୍ୟାସୀ ଆଖଡା ଓ ପରମ୍ପରା ତ ଭାରତରେ ବହୁ ପୂର୍ବରୁ ରହିଥିଲା, କିନ୍ତୁ ଆଦି ଶଙ୍କରାଚାର୍ଯ୍ୟ ଏହି ଦଶନାମୀ ସନ୍ନ୍ୟାସ ଆଖଡାକୁ ଭୌଗୋଳିକ ଆଧାରରେ ବିଭାଜିତ କଲେ । ଦଶନାମୀ ଆଖଡା, ଯେଉଁଥିରେ ସନ୍ନ୍ୟାସୀମାନଙ୍କର ନାମ ପଛରେ ସଂଯୁକ୍ତ ହେଉଥିବା ସଂଜ୍ଞାରୁ ତାଙ୍କର ପରିଚୟ ମିଳେ । ବନ, ଅରଣ୍ୟ, ପୁରୀ, ଭାରତୀ, ସରସ୍ୱତୀ, ଗିରି, ପର୍ବତ, ତୀର୍ଥ, ସାଗର ଓ ଆଶ୍ରମ—ଏମାନେ ଦଶନାମୀ ଆଖଡା ଅନ୍ତର୍ଭୁକ୍ତ ଦଶପ୍ରକାର ସନ୍ନ୍ୟାସୀ ଅଟନ୍ତି । ଆଦି ଶଙ୍କରାଚାର୍ଯ୍ୟ ନାମ ଅନୁସାରେ ସେମାନଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଅର୍ପଣ କରିଥିଲେ ।
ଯେଭଳି ବନ ଓ ଅରଣ୍ୟ ସମ୍ପ୍ରଦାୟର ସନ୍ନ୍ୟାସୀ ପୁରୀ ପୀଠ ସହ ସମ୍ବନ୍ଧିତ । ସେମାନଙ୍କ ଉପରେ ଆମର ବନ ଅର୍ଥାତ ବଡ ବଡ ଜଙ୍ଗଲ ଓ ଅରଣ୍ୟ ଅର୍ଥାତ ଛୋଟ ଛୋଟ ଜଙ୍ଗଲ ଏବଂ ବନବାସୀମାନଙ୍କୁ ସୁରକ୍ଷିତ ରଖିବାର ଦାୟିତ୍ୱ ନ୍ୟସ୍ତ କଲେ ଯେପରି ବିଧର୍ମୀମାନେ ପ୍ରବେଶ କରିପାରିବେ ନାହିଁ ।
ପୁରୀ, ଭାରତୀ ଓ ସରସ୍ୱତୀ— ଏମାନେ ଶୃଙ୍ଗେରୀ ମଠ ସହ ସମ୍ବନ୍ଧିତ ଅଟନ୍ତି । ସରସ୍ୱତୀ ସମ୍ପ୍ରଦାୟ ସନ୍ନ୍ୟାସୀମାନଙ୍କର ଦାୟିତ୍ୱ ଆମର ପ୍ରାଚୀନ ଉଚ୍ଚକୋଟିର ଶିକ୍ଷାକେନ୍ଦ୍ର, ଅଧ୍ୟୟନ କେନ୍ଦ୍ରକୁ ସୁରକ୍ଷିତ ରଖିବା ଆଉ ସେଥିରେ ଅଧ୍ୟାତ୍ମ ଓ ଧର୍ମଶିକ୍ଷା ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା । ଭାରତୀ ସନ୍ନ୍ୟାସୀମାନଙ୍କର ଦାୟିତ୍ୱ ମଧ୍ୟମକୋଟିର ଶିକ୍ଷାକେନ୍ଦ୍ରମାନଙ୍କୁ ସୁରକ୍ଷିତ ରଖିବା, ସେଠାରେ ବିଧର୍ମୀମାନଙ୍କର ଆତଙ୍କ ପ୍ରବେଶ କରାଇନଦେବା ।
ପୁରୀ ସନ୍ନ୍ୟାସୀମାନଙ୍କର ଦାୟିତ୍ୱ ଆମ ପ୍ରାଚୀନ ଅଷ୍ଟପୁରୀ ଯେଭଳି ଅଯୋଧ୍ୟା, ମଥୁରା ଓ ଜଗନ୍ନାଥପୁରୀ ଆଦିକୁ ସୁରକ୍ଷା ପ୍ରଦାନ କରିବା । ତୀର୍ଥ ଓ ଆଶ୍ରମ ନାମକ ସନ୍ନ୍ୟାସୀ ଯିଏ ଦ୍ୱାରିକା ମଠ ସହ ସମ୍ବନ୍ଧିତ ଅଟନ୍ତି । ତୀର୍ଥ ସନ୍ନ୍ୟାସୀଙ୍କର ଦାୟିତ୍ୱ ତୀର୍ଥମାନଙ୍କୁ ସୁରକ୍ଷାଦେବା ଏବଂ ପ୍ରାଚୀନ ଆଶ୍ରମର ସୁରକ୍ଷା ଆଶ୍ରମ ସନ୍ନ୍ୟାସୀମାନଙ୍କ ଉପରେ ନ୍ୟସ୍ତ ହେଲା ।
କିଛି ବର୍ଷ ପୂର୍ବରୁ ସମୁଦ୍ର ମାର୍ଗଦେଇ ଆତଙ୍କୀମାନେ ଭାରତକୁ ପ୍ରବେଶ କରି ଆତଙ୍କ ସୃଷ୍ଟି କରୁଥିଲେ । ଆଦି ଶଙ୍କରାଚାର୍ଯ୍ୟ ଅତ୍ୟନ୍ତ ଦୂରଦର୍ଶୀ ଥିଲେ । ସେ ଜ୍ୟୋତିର୍ମଠ ସଂପୃକ୍ତ ସାଗର ସନ୍ନ୍ୟାସୀମାନଙ୍କୁ ସମୁଦ୍ର ତଟବର୍ତ୍ତୀ ସୀମାରେଖାର ସୁରକ୍ଷା ଦାୟିତ୍ୱ ପ୍ରଦାନ କରିଥିଲେ । ସେତୁ ସମୁଦ୍ରମ୍ କାରଣରୁ ଆମକୁ ଇନ୍ଧନ ପ୍ରାପ୍ତି ହେଉଥିଲା, ଏଥିରେ ସମୁଦ୍ରର ସନ୍ତୁଳନ ନିହିତ ଅଟେ । ରାମସେତୁ କ୍ଷୟ ପ୍ରାପ୍ତ ହୋଇଗଲେ ରାମେଶ୍ୱର ଜ୍ୟୋତିର୍ଲିଙ୍ଗ ବୁଡିଯିବ। ୟୁପିଏ ସରକାରଙ୍କ ସମୟରେ ଏହାକୁ ଭାଙ୍ଗିବାର ପ୍ରସ୍ତାବ ଆସିଥିଲା ମାତ୍ର ସନ୍ଥମାନଙ୍କ ପ୍ରୟାସରୁ ତାହା ସମ୍ଭବ ହୋଇପାରିଲା ନାହିଁ । ଆଦି ଶଙ୍କରାଚାର୍ଯ୍ୟଙ୍କର ଦୂରଦର୍ଶିତା ଏହା ମଧ୍ୟ ଅଟେ କି, ହଜାର ହଜାର ବର୍ଷ ଆଗରୁ ସେ ସାଗର ନାମକ ସନ୍ନ୍ୟାସୀଙ୍କର ପ୍ରବର୍ତ୍ତନ କରାଇଥିଲେ । ଗିରି ଏବଂ ପର୍ବତ ନାମକ ସନ୍ନ୍ୟାସୀ ମାନଙ୍କୁ ପାହାଡ ଏବଂ ପାହାଡୀମାନଙ୍କୁ ତଥା ଔଷଧୀ, ପ୍ରାକୃତିକ ସଂଶାଧନ ଆଦିର ରକ୍ଷା କରିବା ନିମନ୍ତେ ନିଯୁକ୍ତ କରିଥିଲେ । ଏମାନେ ସମସ୍ତେ ଜ୍ୟୋତିର୍ମଠ ସହ ସମ୍ବନ୍ଧିତ ଅଟନ୍ତି ।
ଏହିଭଳି ଦଶନାମୀ ସନ୍ନ୍ୟାସୀଙ୍କର ଦାୟିତ୍ୱ ନିର୍ଦ୍ଧାରଣ ଆଦି ଶଙ୍କରାଚାର୍ଯ୍ୟ କରିଥିଲେ । ଯଦି ଏମାନେ ନିଜ ନିଜର ଦାୟିତ୍ୱକୁ ସୁଚାରୁ ସମ୍ପାଦନ କରିବା ସହିତ ଯଥାଯଥ ନେତୃତ୍ୱ ନେଇପାରୁଥାନ୍ତେ, ତେବେ ଆଜି ଭାରତର ଏ ପ୍ରକାର ଦୁର୍ଦ୍ଦଶା ହୋଇନଥାନ୍ତା । ଧର୍ମରାଜ୍ୟର ପୁନଃ ସ୍ଥାପନା ଏବଂ ସମ୍ରାଟ ସୁଧନ୍ୱାଙ୍କର ସ୍ଥାପନା ପରେ ଆଦି ଶଙ୍କରାଚାର୍ଯ୍ୟ ଭାରତୀୟ ସନାତନ ଗ୍ରନ୍ଥମାନଙ୍କର କ୍ରମବଦ୍ଧ ମଧ୍ୟ କରିଥିଲେ । ବୌଦ୍ଧ ଧର୍ମ ଯେଉଁଗ୍ରନ୍ଥମାନଙ୍କୁ ଦୂଷିତ କରାଇ ପକାଇଛି, ସେଗୁଡିକର ପୁନର୍ବାର ବ୍ୟାଖ୍ୟା ତଥା ଶୁଦ୍ଧ ସଂସ୍କରଣ ପ୍ରସ୍ତୁତ କରି ସେ ସୂତ୍ର ବିଜ୍ଞାନର ବିକାଶ କରିଛନ୍ତି ।
(ଦୈନିକଭାସ୍କର ପତ୍ରିକାରେ ମୁଦ୍ରିତ ଐତିହାସିକ ଆେଲଖ୍ୟ ଓ youtube video sources)
Be First to Comment