Press "Enter" to skip to content

ରାମରାଜ୍ୟରେ ଆର୍ଥିକ ସନ୍ତୁଳନ

Last updated on July 17, 2020

କରପାତ୍ରୀଜୀ ମହାରାଜ :

ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କରେ ଆର୍ଥିକ ଅସନ୍ତୁଳନକୁ ସନ୍ତୁଳିତ କରିବାପାଇଁ ପ୍ରୟାସ କରାଯାଏ ନାହିଁ । ଫଳତଃ ତାର ସମସ୍ତ ଭଲ ଦିଗ ଖରାପରେ ପରିଣତ ହୋଇଯାଏ । କିନ୍ତୁ ରାମରାଜ୍ୟରେ ଆର୍ଥିକ ସନ୍ତୁଳନ ସ୍ଥାପନ କରିବା ନିମନ୍ତେ ଧର୍ମ ଏବଂ ରାଜଶକ୍ତି ଦ୍ୱାରା ପ୍ରୟାସ କରାଯାଏ ।
ଯେଉଁଠାରେ ଧର୍ମ ଏବଂ ରାଜଶକ୍ତିର ଅବହେଳା କରାଯାଏ, ତାକୁ ଆମେ ଅରାଜକତନ୍ତ୍ର ବା ଅରାଜକତା କହିଥାଉ । ଆମେ ସର୍ବପ୍ରଥମେ ଦୃଷ୍ଟିଦେବା ଯେ, ଧର୍ମର ଆଧାରରେ କେଉଁଭଳି ଆର୍ଥିକ ସନ୍ତୁଳନ ସ୍ଥାପନ କରାଯାଏ । ଭୋଗ ସହ ଦାନ, ପରୋପକାର, ଅତିଥିସତ୍କାର ଏବଂ ଯଜ୍ଞାଦି ଦ୍ୱାରା ଧାର୍ମିକତା ତଥା ସନ୍ତୁଳନ ଉଭୟର ବିକାଶ ହୋଇଥାଏ ।
ସମ୍ପୂର୍ଣ୍ଣ ପ୍ରକୃତିକୁ ଈଶ୍ୱରମୟ ମନେକରି ତଥା ସମ୍ପୂର୍ଣ୍ଣ ଜୀବମାତ୍ରକୁ ଈଶ୍ୱରଙ୍କର ଅଂଶ ମନେକରି ସେଥିରୁ ଅବଶିଷ୍ଟ ରହିଯାଇଥିବା ଅଂଶକୁ ଆନନ୍ଦରେ ସ୍ୱୀକାର କରିବା ହେଉଛି ରାମରାଜ୍ୟ ଅର୍ଥନୀତିର ମୂଳମନ୍ତ୍ର ।
ଈଶାବାସ୍ୟମିଦଂ ସର୍ବଂ ଯତ୍କିଂଚ ଜଗତ୍ୟାଂ ଜଗତ (ଈଶୋପ.୧.୧)
ଏହା ଆମର ଆଦର୍ଶ ଅଟେ । ଏହି କାରଣ ଯୋଗୁଁ ଜଣେ ଶୁଦ୍ଧ ଭାରତୀୟ ଗୋଟିଏ ଢ଼ୋକ ଜଳ ପିଇବା ସମୟରେ ଏହାକୁ ଭଗବାନଙ୍କ ଚରଣରେ ଅର୍ପିତ ଏବଂ ପ୍ରସାଦ ମନେକରି ପାନ କରିଥାଏ ।
ଯଦିଓ ସମାଜରେ ବ୍ୟଷ୍ଟିର ଶୁଭାଶୁଭ କର୍ମସମୂହ ଅନୁସାରେ ବିଷମତାର ନିର୍ମାଣ ହୋଇଥାଏ, ତଥାପି ପ୍ରତ୍ୟେକ ଆସ୍ତିକ ଜୀବମାତ୍ରକୁ ବନ୍ଧୁ ମନେକରି (ଅମୃତସ୍ୟ ପୁତ୍ରାଃ) ସର୍ବଦା ସମତା ଦିଗରେ ଅଗ୍ରସର ହୋଇଥାଏ ।
ପରୋପକାରକୁ ଏକ ବ୍ୟାପକ ଧର୍ମ ବୋଲି ସ୍ୱୀକାର କରାଯାଇଛି ।
‘‘ଆତ୍ମନଃ ପ୍ରତିକୂଳାନି ପରେଷାଂ ନ ସମାଚରେତ’’
ଯେତେବେଳେ ଏହି ଉଦାର ଭାବ ଆସେ, ବ୍ୟଷ୍ଟି ନିଜକୁ ସମଷ୍ଟିର ପ୍ରତିବିମ୍ବ ଅର୍ଥାତ୍ ବିରାଟରୂପ ବୋଲି ମନେକରେ । ନେତ୍ର ସୂର୍ଯ୍ୟ, ଉଦର ଆକାଶ, କୁକ୍ଷୀ ସମୁଦ୍ର, ଅସ୍ଥି ପର୍ବତ, ଲୋମ ବୃକ୍ଷ ଏହିଭଳି ଉତ୍ପନ୍ନ ହେବାରୁ ଆପଣା-ପର ପ୍ରଶ୍ନ ବିଲୀନ ହୋଇଯାଏ ।
ସେ ସମୟରେ ସମଷ୍ଟି ଦୁଃଖରେ ଦୁଃଖୀ ଆଉ ସମଷ୍ଟି ସୁଖରେ ସୁଖୀ ହେବାକୁ ପଡିଥାଏ । ଆତ୍ମବତ୍ ସମଗ୍ର ବ୍ରହ୍ମାଣ୍ଡରେ ସୁଖ-ଦୁଃଖର ଭାବ ବିକଶିତ ହେବାରୁ ନିଜର ସୁଖ-ଦୁଃଖ ଭାବ ନଷ୍ଟ ହୋଇଯାଏ ।
ଏ ଅବସ୍ଥାରେ ଶୋଷଣ ଆଉ ଉତ୍ପୀଡନର ପ୍ରଶ୍ନ କିପରି ବା ଉଠିପାରିବ? ଏହି ଭାବ ଯେଉଁ ପର୍ଯ୍ୟନ୍ତ ବିକଶିତ ହେଉଥିବ, ସେ ପର୍ଯ୍ୟନ୍ତ କଲ୍ୟାଣ ଅବଶ୍ୟ ହେବ ।
ବେଦାନ୍ତରେ ଉପଦେଶ ଦିଆଯାଇଛି, ଯାହାର ତାତ୍ପର୍ଯ୍ୟ ହେଉଛି କି, ପ୍ରତ୍ୟେକ ବ୍ୟକ୍ତିଙ୍କର ପରସ୍ପରର ସୁଖସାଧନରୂପ କୁଟୁମ୍ବ, ଗ୍ରାମ, ପ୍ରାନ୍ତ, ରାଷ୍ଟ୍ର, ବିଶ୍ୱ, ପିତୃଲୋକ, ଦେବଲୋକ ଆଦି ପ୍ରତି କ୍ରମଶଃ ସମାଜ କଲ୍ୟାଣ ଭାବ ଉଦୟ ହେବା ଆବଶ୍ୟକ । ଜଣେ ସାଧକ ବିଚାର କରିଥାଏ ଯେ, ହେ ଭଗବାନ୍! ଜଗତକୁ ଆପଣ ଖେଳିବାପାଇଁ ଖେଳଣାରୂପ ଦେଇଛନ୍ତି ।
କେତେକ ଦୁର୍ବୁଦ୍ଧି ଏଥିରେ ମମତା ଉତ୍ପନ୍ନ କରିପକାଇଛନ୍ତି । ପ୍ରକୃତରେ ଆପଣ ହିଁ ଜଗତର ରଚୟିତା ଏବଂ ସର୍ବସ୍ୱ ଅଟନ୍ତି । ସମ୍ପୂର୍ଣ୍ଣ ବସ୍ତୁ ଭଗବତ୍ମୟ ଅଟେ ।
ଏହିଭଳି ସମ୍ପତ୍ତିର ରାଷ୍ଟ୍ରୀୟକରଣ, କେନ୍ଦ୍ରୀକରଣ ତଥା ସମାଜୀକରଣ ନ ହୋଇ ତାହା ଈଶ୍ୱରୀକରଣ ହୋଇଥାଏ ।
ତାହାକୁ ନିରନ୍ତର ଚିନ୍ତା ଲାଗିରହିଥାଏ ଯେ, ବସ୍ତୁ ସମଷ୍ଟି କଲ୍ୟାଣରେ ହିଁ ଉପଯୋଗ ହେବା ଉଚିତ । ଏହି କର୍ତ୍ତବ୍ୟପାଳନରେ ତାହାର ଶରୀର ପ୍ରତି ମୋହ ସୁଦ୍ଧା ରହିନଥାଏ ।
ଏଠାରେ ଆଉ ଏକ କଥାପ୍ରତି ଧ୍ୟାନ ଦେବାପାଇଁ ହେବ, ଯେଉଁଠାରେ ଗୋଟିଏ ପକ୍ଷରେ ତ୍ୟାଗ, ଦାନ, ପରୋପକାର, ଆତିଥ୍ୟ ସେବା ଆଦି ଦ୍ୱାରା ସମଷ୍ଟି ସେବା ବୃଦ୍ଧି କରିବାପାଇଁ ପ୍ରଯତ୍ନ କରାଯାଇଛି ସେଠାରେ ଅନ୍ୟ ପକ୍ଷରେ ବ୍ୟଷ୍ଟିକୁ ପ୍ରତିଗ୍ରହରୁ ରକ୍ଷା କରିବାପାଇଁ ମଧ୍ୟ ଉପଦେଶ ଦିଆଯାଇଛି ।
କାରଣ ଧର୍ମାଧାରିତ ବ୍ୟବସ୍ଥାରେ ନିଷ୍କ୍ରିୟତା ଆକାଶ କୁସୁମବତ୍ (ଆକାଶରୁ ପୁଷ୍ପ ତୋଳିବା ଅଥବା ଆକାଶସ୍ଥିତ ପୁଷ୍ପ) ଅଟେ ।
ଏଥିରେ ପୁରୁଷାର୍ଥକୁ ପ୍ରୋତ୍ସାହିତ କରାଯାଏ । ଉଚ୍ଚ ଏବଂ ସୁଶୀଳ-ବୃତ୍ତିକୁ ଶ୍ରେଷ୍ଠ ବୋଲି ଅବତାରଣା କରାଯାଏ ।
‘‘କୌପୀନବନ୍ତଃ ଖଳୁ ଭାଗ୍ୟବନ୍ତଃ’’
ଏହା ଏକ ସାଧାରଣ କଥନ ଅଟେ । ଏହାର ଅର୍ଥ ହେଉଛି, ଦେବାଭାବ ଲୋକଙ୍କ ମଧ୍ୟରେ ତ୍ୟାଗ ଆଉ ନେବାଭାବ ଲୋକଙ୍କ ମଧ୍ୟରେ ଗ୍ରହଣ କରିବାରୁ ଦୂରରେ ରହିବା ନିମିତ୍ତ ପ୍ରଯତ୍ନ ରହିଥାଏ । ଏହି ଧର୍ମର ପ୍ରଭାବରେ ଆର୍ଥିକ ସନ୍ତୁଳନ ରକ୍ଷା ହୋଇପାରିଥାଏ ।
ଆଧ୍ୟାତ୍ମିକ ଏବଂ ଭୌତିକ ଅର୍ଥନୀତି ମଧ୍ୟରେ ଏତିକି ମାତ୍ର ପାର୍ଥକ୍ୟ ରହିଛି ଯେ, ଆଧ୍ୟାତ୍ମିକ ଅର୍ଥନୀତିରେ ଦେବା ଲୋକମାନଙ୍କର ଦାନ କରିବାର ତୀବ୍ର ଇଚ୍ଛା ଜାଗ୍ରତ ଥିବାବେଳେ କେହି ଏହାକୁ ନେବାପାଇଁ ବା ଗ୍ରହଣ କରିବାପାଇଁ ନଥାନ୍ତି । ଆଉ ଭୌତିକ ଅର୍ଥନୀତି କ୍ଷେତ୍ରରେ ଦେବାଲୋକ ପ୍ରଦାନ କରିବାରୁ ନିଜକୁ ନିବୃତ୍ତ କରୁଥିବାବେଳେ ନେବାଲୋକମାନେ ଗ୍ରହଣ କରିବାପାଇଁ ଉଦ୍ୟତ ହୋଇଥାନ୍ତି ।
ଯୁଦ୍ଧ କରି ନେବୁ, ମରିଗଲେ ବି ନେବୁ ଆଉ ମାରିକି ମଧ୍ୟ ନେବୁ ।
ଏଭଳି ଶବ୍ଦ କିନ୍ତୁ ଧର୍ମଶାସିତ ରାଷ୍ଟ୍ରମାନଙ୍କରେ ଶୁଣିବାକୁ ମିଳିନଥାଏ ।

—————-

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.