Last updated on February 6, 2021
(ନବମ ଅଧ୍ୟାୟ)
ଅଭିରାମ ପ୍ରକାଶ ବ୍ରହ୍ମଚାରୀ
ଭଗବାନ୍ କେଉଁଠାରେ, କି ଭାବରେ ଥାଆନ୍ତି ?
ହେ ଅର୍ଜ୍ଜୁନ ! ବେଦ ଓ ସ୍ମୃତିରେ ଯେଉଁ ଯଜ୍ଞ, ପ୍ରାଣୀମାନେ ଯେଉଁ ଖାଦ୍ୟ ଖାଇ ବଞ୍ଚନ୍ତି, ମୁଁ ହେଉଛି ସେହି ଖାଦ୍ୟ । ଏହିପରି ଅଗ୍ନି, ହୋମ, ଘୃତ, ଯଜ୍ଞ, ପ୍ରଭୃତି ଯାବତୀୟ ଦ୍ରବ୍ୟରେ ମୁଁ ଥାଏ । ମୁଁ ଏ ଜଗତର ପିତା, ମାତା, ପିତାମହ, ବୈଦ୍ୟ, ଓଁକାର ଓ ଚାରିବେଦ । ଏହି ଜଗତକୁ ମୁଁ ସୃଷ୍ଟିକରେ, ତାର ଲାଳନ ପାଳନ ଭାର ମୋ ଉପରେ ଓ ମୁଁ ଏହି ସୃଷ୍ଟିକୁ ସଂହାର କରେ । ସୂର୍ଯ୍ୟ ରୂପେ ଏ ଜଗତକୁ ମୁଁ କିରଣ ଦିଏ । ବର୍ଷା ଆକାରରେ ଏ ପୃଥିବୀକୁ ଧୋଇଦିଏ ମୁଁ, ମୁଁ ଜୀବନ, ମୁଁ ମୃତ୍ୟୁ, ମୁଁ ବିଷ, ମୁଁ ଅମୃତ, ମୁଁ ସତ୍ ଓ ମୁଁ ଅସତ୍ । ଏହିପରି ମୋର ପ୍ରଭାବ ନାନା ଆକାର ଓ ପ୍ରକାର ଅନୁସାରେ ଲୋକେ କଳ୍ପନା କରି ନାନା ଉପାୟରେ ମୋର ଉପାସନା କରିଥାନ୍ତି ।
ଭଗବାନଙ୍କୁ କେଉଁମାନେ କିପରି ପାଆନ୍ତି ?
ହେ ଅର୍ଜ୍ଜୁନ ! ସାଧୁମାନେ ଋଗବେଦ, ସାମବେଦ ଓ ଯଜୁର୍ବେଦରେ ଲେଖାଥିବା ଯାଗଯଜ୍ଞ ଦ୍ୱାରା ମୋର ପୂଜା କରି, ପୂଜା କରିଥିବା ସୋମରସ ପାନ କରନ୍ତି । ଏହାଦ୍ୱାରା ସେମାନଙ୍କର ପାପତାପ ସବୁ ଧୋଇ ହୋଇଯାଏ । ଏହିପରି ପୁଣ୍ୟବାନ ଲୋକମାନେ ସ୍ୱର୍ଗସୁଖ କାମନା କରନ୍ତି ଓ ସେହି ଦେବଭୋଗ ପାଆନ୍ତି । ହେ ଅର୍ଜ୍ଜୁନ ! ସୁଖ କାମନା ରଖି ଆରାଧନା କଲେ ସୁଖ ମିଳିପାରେ, ମାତ୍ର ତାହା ପ୍ରକୃତ ଆନନ୍ଦ ଦେଇପାରେ ନାହିଁ ବରଂ ମନୁଷ୍ୟକୁ ଭୁଲ ବାଟରେ ନେଇଯାଏ । ଏହିପରି ସ୍ୱର୍ଗଭୋଗ ପାଇଥିବା ସାଧୁମାନେ ନାନାପ୍ରକାର ଭୋଗବିଳାସରେ ମାତି ଅର୍ଜିଥିବା ପୁଣ୍ୟ ତକ ସାରି ଦିଅନ୍ତି ଓ ଫଳରେ ପୁଣି ମର୍ତ୍ତ୍ୟ ଲୋକରେ ଜନ୍ମ ହୁଅନ୍ତି । ଏହିପରି ସେମାନଙ୍କର ଜନ୍ମମରଣ ଚାଲିଥାଏ ।
ଯେଉଁମାନେ ଅନ୍ୟ ଠାରେ ମନ ନ ଦେଇ କିମ୍ବା ଜଡିତ ନ ରହି କେବଳ ମୋତେ ଡାକନ୍ତି ବା ମୋର ଉପାସନା ଆରାଧନା କରନ୍ତି, ମୁଁ ସେମାନଙ୍କୁ ଅଷ୍ଟ ଐଶ୍ୱର୍ଯ୍ୟ ଓ ମୋକ୍ଷ ଦାନ କରେ, ଅର୍ଥାତ୍ ସେମାନେ ପ୍ରକୃତରେ ମୋତେ ପଇପାରନ୍ତି । ଆଗରୁ ମୁଁ କହିଛି ଯେ ବାହ୍ୟ ଆଡମ୍ବର ମୁଁ ପାଏନା, କେବଳ ଭକ୍ତି ପାଏ । ଯେଉଁମାନେ ଭକ୍ତି ଚିତ୍ତରେ ଇନ୍ଦ୍ର, ବରୁଣ ପ୍ରଭୃତି ଦେବତାଙ୍କୁ ପୂଜା କରନ୍ତି, ତାହା ମୁଁ ପାଏ ସତ ମାତ୍ର ସେହି ପୂଜାରେ କାମନା ବା ଫଳ ପାଇବା ଇଚ୍ଛା ଥିବାରୁ ସେହି ବାଟରେ ଯାଉଥିବା ସାଧୁମାନେ ଏକାବେଳକେ ଏହି ସଂସାର ବନ୍ଧନରୁ ମୁକ୍ତି ନ ପାଇ ବାରମ୍ବାର ଜନ୍ମ ଲାଭ କରୁଥାନ୍ତି । ସେମାନେ ବୁଝିପାରନ୍ତି ନାହିଁ ଯେ, ମୁଁ କେବଳ ସବୁ ଯଜ୍ଞର ପ୍ରଭୁ ଓ ଫଳ ଦେବାବାଲା କେବଳ ମୁଁ । ମୋର ପ୍ରକୃତ ତତ୍ତ୍ୱକୁ କେହି ଜାଣିବାକୁ ଚେଷ୍ଟା ନ କରି ଶସ୍ତା, ସହଜ ବାଟରେ ଯିବାକୁ ପସନ୍ଦ କରନ୍ତି । ଫଳରେ ମଲାପରେ ସେମାନେ ପୁଣି ଏ ସଂସାରକୁ ଫେରିଆସନ୍ତି ।
ହେ ଅର୍ଜ୍ଜୁନ ! ଭିନ୍ନ ଭିନ୍ନ ପ୍ରକାର ପୂଜା ଓ ଆରାଧନା ଫଳରେ ଲୋକେ ଭିନ୍ନ ଭିନ୍ନ ସ୍ଥାନକୁ ଯାଆନ୍ତି । ଯେଉଁମାନେ ଇନ୍ଦ୍ର ପ୍ରଭୃତି ଦେବତାମାନଙ୍କର ଉପାସନା କରନ୍ତି, ସେମାନେ ଦେବଲୋକ ପାଆନ୍ତି । ସେହିପରି ଶ୍ରାଦ୍ଧ ପ୍ରଭୃତି ଦ୍ୱାରା ଯେଉଁମାନେ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରନ୍ତି, ସେମାନେ ପିତୃଲୋକ ପାଆନ୍ତି ଓ ଭୂତମାନଙ୍କର ଉପାସକମାନେ ଭୂତଲୋକ ଲାଭକରନ୍ତି । ମାତ୍ର କେବଳ ମୋଠାରେ ଯେଉଁମାନେ ଶରଣ ପଶନ୍ତି, ସେମାନେ ମୋତେ ପାଆନ୍ତି ।
ଭଗବାନ୍ ଭକ୍ତ ଠାରୁ କଣ ଗ୍ରହଣ କରନ୍ତି ?
ହେ ଅର୍ଜ୍ଜୁନ ! ଆଗରୁ କହିଛି ଯେ ମୁଁ ବାହାରର ଆଡମ୍ବର ପାଏନା, ମାତ୍ର ଭକ୍ତି ପାଏ । ସେହିପରି ଯେଉଁମାନେ ଭକ୍ତି ସହକାରେ ପତ୍ର, ପୁଷ୍ପ, ଫଳ, ଜଳ ମୋତେ ଦାନ କରନ୍ତି, ମୁଁ ସେଥିରୁ କେବଳ ଭକ୍ତି ଟିକକ ପାଏ । ଭକ୍ତିକୁ ମୋ ପାଖରେ ପହଞ୍ଚାଇ ଦେବା ପାଇଁ ଏହି ପତ୍ର, ପୁଷ୍ପ ପ୍ରଭୃତି କେବଳ ଉପାୟ ମାତ୍ର । ହେ କୌନ୍ତେୟ ! ତୁମେ ଯାହା କିଛିକର, ଯାହା ଖାଅ, ଯାହା ହୋମ, ଦାନ, ତପସ୍ୟା କର ସବୁ ମୋଠାରେ ଅର୍ପଣ କର । ଅର୍ଥାତ୍ କେବଳ ମୋ ନାମ ମନରେ ରଖି ସବୁ କର । ଏହା କରିପାରିଲେ ତୁମେ ପ୍ରକୃତ ଆନନ୍ଦ ପାଇପାରିବ । ତୁମର ଦୁଃଖ ରହିବ ନାହିଁ କି ଅଭାବ ରହିବ ନାହିଁ, ଦୁଃଖ ସମୟରେ ଯେପରି ମୋତେ ଡାକିବ, ସୁଖ ସମୟରେ ମଧ୍ୟ ସେପରି ମୋର ଭଜନା କରିବ ଓ ମୋତେ ଆଗରେ ରଖି ମୋର ଚିନ୍ତା କରି ସବୁ କାମ କରିଯିବ ଓ ସେସବୁ ମୋଠାରେ ସମର୍ପଣ କରିବ । ତାହା ହେଲେ ମୋତେ ପାଇପାରିବ ।
ଏହା ଦ୍ୱାରା ତୁମେ ଏଭଳି ମନେ କରନାହିଁ ଯେ, ମୁଁ ଭକ୍ତମାନଙ୍କୁ ଭଲପାଏ ଓ ଅଭକ୍ତମାନଙ୍କୁ ଘୃଣାକରେ । ମୋ ଠାରେ ରାଗ, ଦ୍ୱେଷ, ଘୃଣା ପ୍ରଭୃତି ନଥାଏ । ମୋ ଆଖିରେ ସମସ୍ତେ ସମାନ । ମୋର କେହି ଶତ୍ରୁ ନୁହେଁ କିମ୍ବା କେହି ମିତ୍ର ନୁହେଁ । କେବଳ ଏତିକି ପ୍ରଭେଦ ଯେ, ଯେଉଁମାନେ ଭକ୍ତି ସହକାରେ ମୋତେ ଡାକନ୍ତି ଓ ମୋର ପୂଜା କରନ୍ତି, ସେମାନେ ମୋ ପାଖରେ ରହନ୍ତି ଓ ମୁଁ ସେମାନଙ୍କ ପାଖରେ ଥାଏ । ଏପରିକି ଯେଉଁମାନେ ଅତି ଦୁରାଚାରୀ ଓ ପାଷାଣ୍ଡ ସେମାନେ ଯଦି ଏକମନ, ଏକଲୟରେ ମୋର ଭଜନ ଓ ଆରାଧନା କରନ୍ତି, ସେମାନଙ୍କୁ ସାଧୁ ବୋଲି ଭାବିବ । କାରଣ ମୋର ନାମ ସ୍ମରଣ କରିକରି ସେହି ଦୁରାଚାରୀ,ପାଷଣ୍ଡମାନଙ୍କ ମନରେ ପରିବର୍ତ୍ତନ ଆସେ ଓ ସେମାନେ ଧର୍ମ ପରାୟଣ ହୋଇ ଶାନ୍ତିଲାଭ କରନ୍ତି । ହେ କୌନ୍ତେୟ ! ମୋର ଭକ୍ତମାନେ କେବେହେଲେ ବିନାଶ ପ୍ରାପ୍ତ ହୁଅନ୍ତି ନାହିଁ । ହେ ପାର୍ଥ ! ଯେଉଁମାନେ ନୀଚ କୁଳରେ ଜନ୍ମଲାଭ କରନ୍ତି, ସ୍ତ୍ରୀ, ବୈଶ୍ୟ, ଶୂଦ୍ର ଯେ କେହି ହେଉ ମୋ ପାଖରେ ଶରଣ ପଶିଲେ ବା ମୋର ଆଶ୍ରୟ ନେଲେ ନିଶ୍ଚୟ ପରମଗତି ବା ମୋକ୍ଷ ଲାଭକରିବେ । ଯଦି ଏମାନଙ୍କର ମୁକ୍ତିଲାଭ ହୁଏ, ତାହାଲେ ପୁଣ୍ୟବାନ୍ ବ୍ରାହ୍ମଣ, ଭକ୍ତ, ରାଜର୍ଷିମାନେ ବା କାହିଁକି ମୁକ୍ତି ନ ପାଇବେ ?
ଅତଏବ ଏହି ଅନିତ୍ୟ ଓ ଦୁଃଖଦାୟକ ସଂସାରରେ ରହି ମୋର ଉପାସନା କର । ମୋଠାରେ ଚିତ୍ତ ସମର୍ପଣ କର, ମୋର ସେବା କର । ମୋର ପୂଜାରେ ମନ ପ୍ରାଣ ଢାଳି ମୋତେ ଭକ୍ତି ସହକାରେ ନମସ୍କାର କର । ଏପରି କଲେ ମୋତେ ପାଇପାରିବ ।
Be First to Comment