Last updated on August 13, 2022
ଗୌତମ ବୁଦ୍ଧଙ୍କ ପ୍ରଚାରିତ ଧର୍ମର ନାମ ହେଲା ବୌଦ୍ଧଧର୍ମ । ଯେତେବେଳେ ଧର୍ମର କ୍ଷେତ୍ରଟି ଅବନମିତ ହେବାକୁ ଲାଗିଲା ଏବଂ ଅର୍ଥହୀନ ଆଚାର ସର୍ବସ୍ୱରେ ପୂରିଉଠିଲା, ସେତିକିବେଳେ ବୁଦ୍ଧଙ୍କର ଆବିର୍ଭାବ ହୋଇଛି । ସଂସ୍କାର କରାଇବା ଅବତାରଙ୍କର ପ୍ରକୃତ କର୍ମ । ଯେତେବେଳେ ବ୍ୟବହାରିକ ଧର୍ମରେ ବ୍ୟତିକ୍ରମ ଦେଖାଯାଏ ସେଥିରେ ସୁଧାର ଆଣିବାପାଇଁ କାଳେକାଳେ ଅବତାରମାନେ ଧରାବତରିତ ହୋଇଛନ୍ତି । ତାଙ୍କ ଆବିର୍ଭାବରେ ଜୀବ ଯେ କେବଳ ନୂତନ ସଂସ୍କାର ଲାଭ କରେ ତାହା ନୁହେଁ ବରଂ ନୂତନ ଏକ ଆଶାର ସଂଚାର କରାଏ । ଏହି ବୌଦ୍ଧଧର୍ମଟି ଥିଲା ଆଚାର ସର୍ବସ୍ୱ ମୁକ୍ତ । ଦେଖାଯାଏ, ବୁଦ୍ଧ ନିଜେ କୌଣସି ନିଜସ୍ୱ ଧର୍ମକୁ ଉପସ୍ଥାପନ କରି ନାହାଁନ୍ତି, ତାଙ୍କ ପ୍ରଚାରିତ ଧର୍ମ ଅତ୍ୟନ୍ତ ପ୍ରାଚୀନ ଏବଂ ଅପରିହାର୍ଯ୍ୟ । ସେ ଉକ୍ତ ଧର୍ମକୁ ଜଡତା ତଥା ପ୍ରାଚୀନତାର ଆବରଣରୁ ମୁକ୍ତ କରାଇ ବ୍ୟବହାରିକତାର ସ୍ପର୍ଶ ଦେଇଛନ୍ତି । କୌଣସି ଅନୁଶାସନ ଅବା ପ୍ରାଚୀନ ଶିକ୍ଷା ଦ୍ୱାରା ସଂଚାଳିତ ନୁହେଁ । ଯଦି ଦେଖ କି, କୌଣସି ଶିକ୍ଷା ହିତକାରୀ ନୁହେଁ ଏବଂ ବାସ୍ତବ କ୍ଷେତ୍ରରେ ତାହା କ୍ଷତିକାରକ ଅବା ଦୁଃଖକୁ ଡାକିଆଣେ — ତାହାହେଲେ ତାହାକୁ ପରିତ୍ୟାଗ କରିବା ଦରକାର । ଏହା ହିଁ ବୁଦ୍ଧଙ୍କର ମୂଳ ଉଦ୍ଦେଶ୍ୟ ।
ବୌଦ୍ଧଧର୍ମରେ ଆତ୍ମପ୍ରଚେଷ୍ଟା ଉପରେ ସମଧିକ ଗୁରୁତ୍ୱ ମଧ୍ୟ ଦିଆଯାଇଛି । ଦୈବବାଦୀମାନଙ୍କର ବକ୍ତବ୍ୟକୁ ବୁଦ୍ଧ ନସ୍ୟାତ୍ (ବାରଣ) କରିଛନ୍ତି । ସେ କହିଛନ୍ତି, ”ବୁଦ୍ଧଗଣ କେବଳ ପଥ ନିର୍ଦ୍ଦେଶ କରିପାରନ୍ତି । କିନ୍ତୁ ତୁମମାନଙ୍କର ମୁକ୍ତିର ପଥ ତୁମ ନିଜ ପରିଶ୍ରମରେ ତିଆରି କରିବାକୁ ହେବ ।”
ବୌଦ୍ଧଧର୍ମରେ ଅଲୌକିକତାର କୌଣସି ସ୍ଥାନ ନାହିଁ । ସବୁପ୍ରକାର ଅନୁମାନ, ଭବିଷ୍ୟତ ବାଣୀ ଅବା ପୂର୍ବାଭାସ ଦେଇ ବୁଦ୍ଧ ଏହା ନିମ୍ନ ପର୍ଯ୍ୟାୟର ବୋଲି ନିନ୍ଦା କରନ୍ତି । ଯଦିଓ ସେ ତାଙ୍କ ନିଜସ୍ୱ ଅଭିଜ୍ଞତାକୁ ଭିତ୍ତିକରି କହିଛନ୍ତି ଯେ, ମାନବ ମନଦ୍ୱାରା ଅତିଲୌକିକ ଶକ୍ତି ଅର୍ଜନ ସମ୍ଭବପର ତଥାପି ସେ ତାଙ୍କର ଅନୁଗାମୀ ସନ୍ନ୍ୟାସୀମାନଙ୍କୁ ଏଗୁଡିକର ସଂସ୍ପର୍ଶରେ ଆସିବାପାଇଁ ନିଷେଧ କରିଅଛନ୍ତି ।
ବୁଦ୍ଧଧର୍ମର ମୌଳିକ ବୈଶିଷ୍ଟ୍ୟ ଗୁଡିକ ହେଲେ—
ଏହା ଅଭିଜ୍ଞତା ଭିତ୍ତିକ । ଏହା ଆଗରୁ କେବେହେଲେ ଧର୍ମ ପ୍ରତ୍ୟକ୍ଷ ଯୁକ୍ତିବାଦ ପ୍ରତି ଏତେମାତ୍ରାରେ ଦ୍ୱ୍ୟର୍ଥହୀନ ଆବେଦନ ନେଇ ଉପସ୍ଥିତ ହୋଇନାହିଁ । ଏଠାରେ ପ୍ରତି ପ୍ରଶ୍ନରେ ଆପଣ ଅଭିଜ୍ଞତାକୁ ହିଁ ଚୂଡାନ୍ତ ପରୀକ୍ଷାର କ୍ଷେତ୍ର ବୋଲି ମନେକରିବେ ।
ଏହା ବୈଜ୍ଞାନିକ, ଅର୍ଥାତ୍ ବିଜ୍ଞାନସମ୍ମତ । ଜୀବନର ଅଭିଜ୍ଞତାଗୁଡିକ ଏହି ଧର୍ମର ଚୂଡାନ୍ତ ପରୀକ୍ଷା ଏବଂ ଏହି ଧର୍ମ ସେହି ଅଭିଜ୍ଞତା ମାନଙ୍କୁ ପାଥେୟକରି କାର୍ଯ୍ୟ-କାରଣ ସମ୍ବନ୍ଧକୁ ପ୍ରାଧାନ୍ୟ ଦେଇଛନ୍ତି ।
ଏହା ସର୍ବୋତ୍କୃଷ୍ଟ ବାସ୍ତବଧର୍ମ ଅଟେ । କେବଳମାତ୍ର ଦୈନନ୍ଦିନ ଜୀବନରେ ବାସ୍ତବ ସମସ୍ୟାଗୁଡିକୁ ନିର୍ଦ୍ଦେଶ କରେନାହିଁ ବରଂ ସେମାନଙ୍କର ସମାଧାନ ଉପାୟ ବ୍ୟକ୍ତ କରେ ।
ଏହା ସର୍ବବ୍ୟାଧି ଆରୋଗ୍ୟକାରୀ ମହୌଷଧି ସଦୃଶ । ବୁଦ୍ଧଙ୍କ ନିଜ ଭାଷାରେ କହିଲେ, ମୁଁ ଗୋଟିଏ ଜିନିଷ ଶିକ୍ଷା ଦେବାକୁ ଚାହୁଁଛି—ଦୁଃଖଭୋଗ ଏବଂ ଦୁଃଖଭୋଗର ଅବସାନ । ଏହାର ଅର୍ଥହେଲା ବ୍ୟାଧି ତଥା ତାର ନିବାରଣ ତାଙ୍କଦ୍ୱାରା ପ୍ରଦତ୍ତ ।
ଏହା ମନସ୍ତାତ୍ତ୍ୱିକ ଏକ ଶଙ୍କାଶୂନ୍ୟ ପଦ୍ଧତି । ପ୍ରକୃତପକ୍ଷେ ବୁଦ୍ଧ ମାନବସମାଜର ସମସ୍ୟାଗୁଡିକୁ ନେଇ ଆରମ୍ଭ କରିଥିଲେ, ଶିକ୍ଷାଦାନର ପ୍ରଣାଳୀ । ତାଙ୍କ ଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାକୁ ନିର୍ବାଣର ପନ୍ଥା ବୋଲି କଥିତ ହୋଇଛି ।
ଏହି ଧର୍ମଟି ସାମ୍ୟତାରେ ପ୍ରତିଷ୍ଠିତ । ତଦାନୀନ୍ତନ କାଳରେ କେହି ନକହିଲେ ମଧ୍ୟ ସେ ଦୃଢ଼ କଣ୍ଠରେ କହିଥିଲେ କି, ସ୍ତ୍ରୀ ଜାତିଟି ପୁରୁଷମାନଙ୍କ ଭଳି ଆଲୋକପ୍ରାପ୍ତି କରିବାପାଇଁ ସକ୍ଷମ । ଜାତିଭେଦ ପ୍ରଥା ଅନୁସାରେ ବଂଶାନୁକ୍ରମିକ କୁଶଳତାର ଧାରଣାକୁ ସେ ଅଗ୍ରାହ୍ୟ କରିଛନ୍ତି । ଯଦିଓ ସେ କ୍ଷତ୍ରିୟ କୁଳରେ ଜନ୍ମଗ୍ରହଣ କରନ୍ତି, ତଥାପି ସ୍ୱଭାବାନୁସାରେ ବ୍ରାହ୍ମଣର ସର୍ବୋଚ୍ଚ ଧର୍ମକୁ ହିଁ ତାଙ୍କଠାରେ ପ୍ରତିଫଳିତ କରାଇପାରିଥିଲେ । ଜାତିଭେଦର ଗଣ୍ଠିକୁ ଭାଙ୍ଗି ସେ ସମାଜର ସବୁ ଶ୍ରେଣୀର ମନୁଷ୍ୟମାନଙ୍କୁ ସଂଘରେ ସ୍ଥାନ ଦେଇଥିଲେ ।
ବୌଦ୍ଧଧର୍ମ ମାନବ ନିମନ୍ତେ ପ୍ରଚାରିତ ହୋଇଥିଲା । ମଣିଷର ସାମାଜିକ ଦିଗକୁ ମଧ୍ୟ ଭଗବାନ ବୁଦ୍ଧ ଗୁରୁତ୍ୱ ଦେଇ ସେ କେବଳ ଧର୍ମୀୟ ସଂଘର ସ୍ଥାପନା କରିନଥିଲେ ବରଂ ସଂଘ ଦ୍ୱାରା ମାନବର ବ୍ୟକ୍ତିଗତ ସମସ୍ୟା ଦିଗକୁ କିପରି ସମାଧାନ କରାଯାଇପାରିବ ତା ଉପରେ ମଧ୍ୟ ଜୋର ଦେଇଥିଲେ । ପ୍ରତ୍ୟେକଙ୍କୁ ନିଜସ୍ୱ ପରିସ୍ଥିତି ଏବଂ ଦୂରାବସ୍ଥାକୁ ସାମ୍ନା କରିବାପାଇଁ ଆଲୋକପ୍ରାପ୍ତି ପଥରେ ଅଗ୍ରସର ହେବାକୁ ଅନୁପ୍ରେରିତ କରୁଥିଲେ ।
ବୌଦ୍ଧଧର୍ମଟି ତିନିଗୋଟି ରତ୍ନରେ ସୁଶୋଭିତ । ବୁଦ୍ଧ, ଧର୍ମ ଏବଂ ସଂଘ—ତ୍ରୟୀ ଆଧାରରେ ଉକ୍ତ ସଂଘ ନିଜସ୍ୱ ସ୍ଥିତିକୁ ଜାହିର କରିବାକୁ ସକ୍ଷମ ହୋଇପାରିଛି । ଯେଉଁସବୁ ବୈଦିକ ଏବଂ ଔପନିଷଦୀୟ ବ୍ରାହ୍ମଣ୍ୟ ଧର୍ମର ଭାବ, ରସ, ଆଲୋକ ଓ ଦର୍ଶନ ସେମାନଙ୍କର ପ୍ରାଣଧାରା ସଂଜୀବିତ, ବର୍ଦ୍ଧିତ ଏବଂ ଫଳବାନ୍ ହୋଇଥିଲା, ତାହା ଏକାନ୍ତ ଆର୍ଯ୍ୟ ଧର୍ମର, ଆର୍ଯ୍ୟ ଦର୍ଶନର ସାଧନ ନିଃସୃତ । ବୁଦ୍ଧଧର୍ମର ଚତୁରଙ୍ଗ ସତ୍ୟ ଯାହାକୁ ଆର୍ଯ୍ୟ ସତ୍ୟ ବୋଲି କୁହାଯାଏ, ତାହା ମୂଳତଃ ଏହି ଆଧାରରେ ସୃଷ୍ଟ । ଏହା ବ୍ୟତୀତ ଏହି ଧର୍ମର ଏକ ବିଶିଷ୍ଟ କଥା ହେଲା, ଜନ୍ମାନ୍ତରବାଦ । ଏହି କ୍ଷେତ୍ରରେ ମଧ୍ୟ ଆର୍ଯ୍ୟଋଷିମାନଙ୍କ ନିକଟରେ ଗୌତମବୁଦ୍ଧଙ୍କର ଋଣ ସୁସ୍ପଷ୍ଟ ।
ଚତୁଃ ଆର୍ଯ୍ୟ ସତ୍ୟ ଏବଂ ଆର୍ଯ୍ୟ ଅଷ୍ଟାଙ୍ଗିକ ମାର୍ଗ—ଗୌତମବୁଦ୍ଧଙ୍କ ଦର୍ଶନର ମୂଳକଥା ଅଟେ । ଚତୁଃ ଆର୍ଯ୍ୟ ସତ୍ୟ ହେଲା, ୧) ଦୁଃଖଜ୍ଞାନ ଅର୍ଥାତ୍ ଦୁଃଖର ସ୍ୱରୂପ ଅଛି, ୨) ଦୁଃଖର କାରଣ ଜ୍ଞାନ ଅର୍ଥାତ୍ ଦୁଃଖର ଉତ୍ପତ୍ତି, ୩) ଦୁଃଖର ନିରୋଧଜ୍ଞାନ ଅର୍ଥାତ୍ ଦୁଃଖର ବିନାଶ ସମ୍ଭବ ଏବଂ ୪) ଦୁଃଖ ନିରୋଧର ଉପାୟ ଅର୍ଥାତ୍ ଦୁଃଖ ଧ୍ୱଂସର ଉପାୟ ଅବଶ୍ୟ ରହିଛି । ଏହି ଚତୁଃ ଆର୍ଯ୍ୟ ସତ୍ୟକୁ ବୁଦ୍ଧ ‘ବ୍ରହ୍ମଯାନ’ ଅବା ‘ଧର୍ମଯାନ’ ନାମରେ ଅଭିହିତ କରିଥିଲେ ।
ସମ୍ବୋଧି ଲାଭ ପରଠାରୁ ପରିନିର୍ବାଣ ଲାଭ ପର୍ଯ୍ୟନ୍ତ ଯେଉଁ ତିନିଗୋଟି ସୂତ୍ର ଓ ଗାଥା ବ୍ୟାଖ୍ୟା କରିଛନ୍ତି, ସେଗୁଡିକ ଏହି ଚତୁରଙ୍ଗ ଆର୍ଯ୍ୟ ସତ୍ୟ ଭୁକ୍ତ ଅଟନ୍ତି । ଗଭୀର ସମାଧିରେ ଏହି ଚତୁରାର୍ଯ୍ୟ ସତ୍ୟ ଉପଲବ୍ଧି କରି ସିଦ୍ଧାର୍ଥ ବୁଦ୍ଧ ଅବା ତଥାଗତ ନାମ ଧାରଣ କରିଥିଲେ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନର ସମସ୍ତ ପର୍ଯ୍ୟାୟ ଦୁଃଖାନ୍ତର୍ଭୁକ୍ତ ଅଟେ । ଏହି ଦୁଃଖର କାରଣ ରହିଛି, ନିରାକରଣ ବି ଅଛି । ଦୁଃଖର ମୂଳ କାରଣ ହେଉଛି, ତୃଷ୍ଣା ଯାହାକୁ ଆମେ ବାସନା କହୁ । ଏହାର ଆନ୍ତରିକ ନିବୃତ୍ତିରେ ଦୁଃଖର ବିନାଶ ହୁଏ । କାରଣର ବିନାଶରେ କାର୍ଯ୍ୟର ବିନାଶ । ଏହା ହିଁ ତାର ଯୁକ୍ତିଯୁକ୍ତ ଉପାୟ । ତେଣୁ ସେ ଉପସ୍ଥାପନ କଲେ କି, ସମସ୍ତ ସାଧକ ଅଷ୍ଟାଙ୍ଗମାର୍ଗ ଦେଇ ଅଗ୍ରସର ହେବା ବାଧ୍ୟତାମୂଳକ ।
ଅଷ୍ଟାଙ୍ଗିକ ମାର୍ଗ ହେଲା, ସମ୍ୟକ୍ ଦୃଷ୍ଟି, ସମ୍ୟକ୍ ସଂକଳ୍ପ, ସମ୍ୟକ୍ ବାକ୍ (ସତ୍ୟ, ସରଳ ଓ ପ୍ରିୟ ବଚନ), ସମ୍ୟକ୍ କର୍ମାନ୍ତ (ସତ୍ ଆଚରଣ), ସମ୍ୟକ୍ ଆଜୀବ (ସର୍ବଭୂତରେ ଅହିଂସାପୂର୍ଣ୍ଣ ସାଧୁ ଜୀବିକା ପାଳନ), ସମ୍ୟକ୍ ବାୟାମ (ଆତ୍ମସଂଯମ ଅବା ଆତ୍ମୋତ୍କର୍ଷ), ସମ୍ୟକ୍ ସ୍ମୃତି (ଧାରଣାକୁ ସ୍ଥିର ଓ ନିଶ୍ଚିତ ରଖିବା), ସମ୍ୟକ୍ ସମାଧି (ଧ୍ୟାନ, ମନନ, ନିଦିଧ୍ୟାସନ)—ଏହି ଅଷ୍ଟାଙ୍ଗିକ ମାର୍ଗକୁ ବୁଦ୍ଧ କହିଲେ, ”ବ୍ରହ୍ମଚରିୟମ୍” ବା ବ୍ରହ୍ମଚର୍ଯ୍ୟ । ଆହୁରି ମଧ୍ୟ ଚିତ୍ତର ପରମ ଏକାଗ୍ରତାରୂପ ସମାଧିକୁ ସେ କହିଥିଲେ ସମ୍ୟକ୍ ସମାଧି । ବେଦ ଅବା ଉପନିଷଦ ଗ୍ରନ୍ଥରେ ଏହି ଆର୍ଯ୍ୟ ବ୍ରହ୍ମଚର୍ଯ୍ୟର ବ୍ୟାଖ୍ୟା ହୋଇଛି, କିନ୍ତୁ ଭିନ୍ନ ନାମରେ । ବୁଦ୍ଧଙ୍କ ପୂର୍ବରୁ ଅର୍ଥାତ୍ ଅତୀତ କାଳରେ ଏହି ଆର୍ଯ୍ୟ ସତ୍ୟ ଲାଭ କରିବାପାଇଁ ସନ୍ନ୍ୟାସ ଗ୍ରହଣ ଭାରତବର୍ଷର ପରମ୍ପରା ଥିଲା ଓ ଏହା ବିରଳ ମଧ୍ୟ ନଥିଲା । କାହା ମନରେ ସତ୍ୟନ୍ୱେଷା ଜାଗ୍ରତ ହେଲେ ସେ ସନ୍ନ୍ୟାସ ନେଉଥିଲେ । ସମ୍ୟକ୍ ସମାଧି ଖୁବ୍ ବେଶିରେ ହିନ୍ଦୁଧର୍ମର ରାଜଯୋଗ ପ୍ରଦର୍ଶିତ ପନ୍ଥା ପାଖାପାଖି ଅଟେ ଏବଂ ଉଭୟର ଲକ୍ଷ୍ୟ ଏକ ଅଟେ । କିନ୍ତୁ ଏହାଥିଲା, ଆର୍ଯ୍ୟଋଷିମାନଙ୍କର ଧାରଣାର ସାମଗ୍ରୀ ମାତ୍ର ବୁଦ୍ଧ ଏହାକୁ ଉନ୍ମୁକ୍ତ କରି ସର୍ବସାଧାରଣ ନିମନ୍ତେ ସୁଲଭ କରାଇଦେଲେ । ପ୍ରତ୍ୟକ୍ଷ କରାଇଦେଲେ, ସମସ୍ତେ ଏହାକୁ ନିଃସଂଶୟରେ ଏବଂ ସାର୍ଥକପୂର୍ଣ୍ଣ ଭାବରେ ପ୍ରୟୋଗ କରିବାକୁ ଯୋଗ୍ୟ ଅଟନ୍ତି । ସମସ୍ତ ମାନବ ନିତ୍ୟ ପ୍ରତ୍ୟ ଜୀବନରେ ଏହାକୁ ଉପଯୋଗରେ ଆଣିପାରିବେ । ଏହି ସ୍ୱତନ୍ତ୍ରତାକୁ ନେଇ ବୁଦ୍ଧଙ୍କର ବୌଦ୍ଧତ୍ୱ ସ୍ୱତନ୍ତ୍ରତା ବହନ କରେ ।
ବୌଦ୍ଧଧର୍ମର ଆଉଗୋଟିଏ ବିଶେଷ ଅଙ୍ଗ ହେଲା, ବ୍ରହ୍ମ ବିହାର । ଏହି ବ୍ରହ୍ମ ବିହାରର ଲକ୍ଷଣ, ଯେଉଁଭଳି ଭାବରେ ଉପସ୍ଥାପିତ ହୋଇଛି, ତାହା ସର୍ବସାଧାରଣରେ ବୋଧ ସାପେକ୍ଷ ନ ହେଲେ ବି, ଅବଶ୍ୟ ପ୍ରାମାଣିକ ଅଟେ । ମା ଯେମିତି ପ୍ରାଣଦେଇ ନିଜ ସନ୍ତାନକୁ ରକ୍ଷା କରେ, ଠିକ୍ ସେହିଭଳି ପ୍ରତ୍ୟେକ ପ୍ରାଣୀ ଉପରେ ଅପରିମିତ ଦୟାଭାବ ଦେଖାଇବା କର୍ତ୍ତବ୍ୟ । ଊର୍ଦ୍ଧ୍ୱରେ, ଅଧୋଦିଗରେ, ଚତୁର୍ଦ୍ଦିଗରେ ସମସ୍ତ ଜଗତ ପ୍ରତି ବାଧାଶୂନ୍ୟ, ହିଂସାଶୂନ୍ୟ, ଶତ୍ରୁତାଶୂନ୍ୟ ମନରେ ଅମିତ କରୁଣା ପ୍ରଦର୍ଶନ କରିବା ବିଧେୟ । ଚାଲୁ, ବୁଲୁ, କି କଥାହେଉ ଶୁଣୁ ବା ନିଦ୍ରାଯାଉ ଏଇ ମୈତ୍ରୀ ଭାବକୁ ଅଧିଷ୍ଠିତ କରାଇବା ଦରକାର । ଶୟନେ-ସ୍ୱପନେ-ଜାଗରଣେ କୌଣସିମତେ ହିଂସାଦି କର୍ମସମୂହକୁ ପ୍ରଶ୍ରୟ ନଦେବା ଏହି ବ୍ରହ୍ମ ବିହାରର ମୂଳ ଉଦ୍ଦେଶ୍ୟ । ମୈତ୍ରୀ, କରୁଣା, ମୁଦିତା, ଉପେକ୍ଷା—ଏହିଭଳି ଚାରିପ୍ରକାର ବ୍ରହ୍ମବିହାର କଥା ବୌଦ୍ଧ ଶାସ୍ତ୍ରରେ ନିର୍ଦ୍ଦେଶିତ ହୋଇଛି । ଏହି ସମାନ କଥାକୁ ଆମେ ପାତଞ୍ଜଳି ଯୋଗଦର୍ଶନରେ ମଧ୍ୟ ଉଲ୍ଲେଖ ଥିବାର ଦେଖୁ ।
ଜନସାଧାରଣ ଯେତେବେଳେ ନିଜର ଦ୍ୱନ୍ଦ୍ୱ ଅବା ସଂଶୟ କାରଣରୁ ନିଜେ ବୁଦ୍ଧଙ୍କ ଶରଣାପନ୍ନ ହେଉଥିଲେ, ସେତେବେଳେ ସେ ତାଙ୍କୁ ଆଶୀର୍ବାଣୀ ସୂଚକ ପ୍ରେରଣାଦେଇ ଯାହାସବୁ କହୁଥିଲେ, ତାହା ବୁଦ୍ଧ ଉପଦେଶାବଳୀ ଅଟେ, ଯାହାକୁ ସମ୍ୟକ୍ ପରିଚାୟକ ବୋଲି କୁହାଯାଏ । କେହି ଥରେ ପଚାରିଲେ, ଆପଣ କଣ ଈଶ୍ୱର ? ବୁଦ୍ଧ ଉତ୍ତରଦେଲେ ନାଁ । ତେବେ କଣ ଆପଣ ଦେବଦୂତ ? ଉତ୍ତରଦେଲେ ନାଁ । ଆଉ ଆପଣ କଣ ଜଣେ ସାଧୁମହାତ୍ମା ? ଉତ୍ତର ମିଳିଲା ନାଁ । ତାହେଲେ ଆପଣ କିଏ ? ଏଥର ବୁଦ୍ଧ ତାଙ୍କୁ ବୁଝାଇଦେଇ କହିଲେ, ମୁଁ ବୁଦ୍ଧ । ଏପରି କଥନକାଳରେ ତାଙ୍କ ନିଜର ସ୍ୱରୂପ ଏଭଳି ପ୍ରକାଶିତ ହୋଇଥିଲା ଯେ, ଯାଚକ ଆଉ ଆଗକୁ ପଚାରିବାକୁ ଚାହିଁଲେ ନାହିଁ ।
ସଂସ୍କୃତ ଭାଷାରେ ବୁଧ୍ ଶବ୍ଦର ଅର୍ଥ ହେଉଛି— ହେବା ବା ଜାଣିବା । ଯଦି ଏହାକୁ ମୂଳ ଶବ୍ଦ ଭାବରେ ନିଆଯାଏ, ବୁଦ୍ଧ ଶବ୍ଦର ଅର୍ଥ ହେଉଛି, ଆଲୋକପ୍ରାପ୍ତ । ଆମେ ତାକୁ ଜ୍ଞାନୀ ଅଥବା ଜାଗରିତ ନାମରେ ଅଭିହିତ କରିପାରୁ । ତାଙ୍କ ଜୀବଦ୍ଦଶା ମଧ୍ୟରେ ସେ ନିଜକୁ ଭଗବାନ ଭାବରେ ଉପସ୍ଥାପିତ ହେବାକୁ ବାରଣ କରୁଥିଲେ ମଧ୍ୟ ଶିଷ୍ୟମାନେ ଈଶ୍ୱର ଭିନ୍ନ ଅନ୍ୟକିଛି ଭାବରେ ତାଙ୍କୁ ଗ୍ରହଣ କରିପାରୁ ନଥିଲେ । ସେ କିନ୍ତୁ ପ୍ରତି କ୍ଷେତ୍ରରେ ପ୍ରତିବାଦ ଜଣାଇ ନିଜର ମାନବତ୍ୱର ଉପରେ ଜୋର୍ ଦେଇଛନ୍ତି । ସାଧାରଣ ମନୁଷ୍ୟ ମହାତ୍ମା ବୁଦ୍ଧଙ୍କୁ କୌଣସିପ୍ରକାରେ ଜଟିଳ ପ୍ରଶ୍ନ ଉତ୍ଥାପନ କରି ବିଡମ୍ବିତ କରିପାରି ନାହାଁନ୍ତି । କୁହାଯାଏ, ସେ ନିଜ ଆଭାମଣ୍ଡଳୀୟ ସ୍ଥିତିକୁ ଏଭଳି ଭାବରେ ଚରିତାର୍ଥ କରାଇଥିଲେ ଯେ, ଦୀର୍ଘ ଦୂର ବ୍ୟାପି ତାଙ୍କର ଆଭା ବିଚ୍ଛୁରିତ ହେଉଥିଲା ଆଉ ସେହି ଆଭାମଣ୍ଡଳ ଭିତରକୁ ଯଦି କେହି ଚାଲିଆସନ୍ତି, ତେବେ ନାଁ ଶଂକା, ନାଁ ଦ୍ୱନ୍ଦ୍ୱ ତାଙ୍କ ପାଖରେ ଅବଶିଷ୍ଟ ରହୁଥିଲା । ସୁତରାଂ ସମସ୍ତେ ଆପ୍ତକାମ ହିଁ ହେଉଥିଲେ । ବର୍ତ୍ତମାନ ଆପ୍ତକାମ ଜୀବ କି ପ୍ରକାର ଭିନ୍ନ କାମନା ଦେଖାଇପାରେ ? ଏହା ପଛର ରହସ୍ୟ ହେଉଛି, ତାଙ୍କ ପାଖରେ ଚାରିତ୍ରିକ ଶୁଦ୍ଧତା, ଆଚାରରେ ସୌମ୍ୟତା, ଆତ୍ମଶକ୍ତିରେ ଦୃଢ଼ତା, ସାମାଜିକ ଦାୟିତ୍ୱବୋଧରେ ବିଚାରରେ ବିଜ୍ଞତା ପରିପୂର୍ଣ୍ଣ ଥିଲା । ମନୁଷ୍ୟମାନେ ଏହି ଦୃଢ଼ ଶକ୍ତି ଓ ସାମର୍ଥ୍ୟରୁ ବଞ୍ଚିତ ଥିବାରୁ ସେମାନେ ଇତର ଶ୍ରେଣୀଭୁକ୍ତ ହେଉଥିଲାବେଳେ ଉକ୍ତ ଗୁଣାବଳୀ ଯାହାଙ୍କ ପାଖରେ ପରିଦୃଷ୍ଟ, ସେ ମହାତ୍ମା ବୋଲାଇବା ଯୋଗ୍ୟ ଅଟନ୍ତି । ତାଙ୍କ ଛତ୍ରଛାୟା ତଳେ ଆଶ୍ରୟ ପାଇଲେ ସମାଜର ସବୁ ସ୍ତରର ମନୁଷ୍ୟ ସାର୍ଥକ ହୋଇପାରନ୍ତି । ତାଙ୍କର ସୁଦୀର୍ଘ କର୍ମମୟ ଜୀବନ ଅତିବାହିତ ହୋଇଥିଲା, ଜନସାଧାରଣର ହିତ ଉଦ୍ଦେଶ୍ୟରେ । ଯାହାକୁକି ଆମେ ତାଙ୍କର ବୈଶିଷ୍ଟ୍ୟ କହିବା ।
ବୁଦ୍ଧ ଧର୍ମ ଶିକ୍ଷା ନିମନ୍ତେ ବ୍ରାହ୍ମଣମାନଙ୍କର ଏକଛତ୍ର ଅଧିକାରକୁ ଭାଙ୍ଗିଦେବାକୁ ଚାହିଁଥିଲେ । ସେମାନଙ୍କର ନାନାପ୍ରକାର ସଂସ୍କାର ତଥା ଅତ୍ୟଧିକ ଅଧିକାରରୁ ସମାଜକୁ ମୁକ୍ତ କରିବାପାଇଁ ଧର୍ମକୁ ସର୍ବାଧିଗମ୍ୟ କରାଇଥିଲେ । ତାଙ୍କ ବିଚାରରେ ପ୍ରତ୍ୟେକ ବ୍ୟକ୍ତି, ସ୍ୱାଧୀନ ଭାବେ ନିଜସ୍ୱ ଧର୍ମ ଆଚରଣ ପୂର୍ବକ ଆତ୍ମକଲ୍ୟାଣ ମାର୍ଗରେ ଅଗ୍ରସର ହେବାକୁ ସ୍ୱତନ୍ତ୍ର ।
ବୌଦ୍ଧଧର୍ମ କେବଳ ଯେ, ଭାରତବର୍ଷରେ ବିସ୍ତୃତ ଥିଲା, ତାହା ନୁହେଁ, ସିଂହଳ, ବ୍ରହ୍ମଦେଶ, ମଙ୍ଗୋଲିଆ, ତିବ୍ବତ, ନେପାଳ, କାବୁଲ, ଗାନ୍ଧାର, ଜାପାନ, ଚୀନ, ମାଞ୍ଚୁରିଆ, କୋରିଆ, ସାଇବେରିଆ, କୋଟାନ୍, ପୂର୍ବତୁର୍କୀସ୍ତାନ ଆଦି ଅନେକ ଦେଶ ଅନ୍ତର୍ଭୁକ୍ତ ଅଟନ୍ତି । ସମଗ୍ର ଭାରତବର୍ଷରେ ବୌଦ୍ଧଧର୍ମର ଯଥେଷ୍ଟ ପ୍ରଭାବ ରହିଥିଲା । କହିବାକୁ ଗଲେ ତଥାକଥିତ ସଂସ୍କାରଧର୍ମୀ ହିନ୍ଦୁମାନେ ମଧ୍ୟ ବୌଦ୍ଧଧର୍ମର ଅନୁଗାମୀ ହୋଇଯାଇଥିଲେ । ଜୀବନନିଷ୍ଠ ଧର୍ମ ଥିଲାବୋଲି, ସହସ୍ର ଜୀବନରେ ସେହି ଧର୍ମ ଆଲୋଡନ ସୃଷ୍ଟି କରିପାରିଥିଲା । ବୌଦ୍ଧଧର୍ମ ଓ ଶିକ୍ଷା ସାର୍ବଜନୀନ ଓ ସାର୍ବଭୌମତ୍ୱ ଲାଭ କରିପାରିଥିଲା । ମନୁଷ୍ୟକୁ ସେ ଗୁରୁଭଳି ଉପଦେଶ ଦେଇନାହାଁନ୍ତି ବରଂ ବନ୍ଧୁସମ ଆଲିଙ୍ଗନ କରିଛନ୍ତି । କହିଛନ୍ତି—ନିଜକୁ ନିଜର ପ୍ରଦୀପ ହେବାକୁ ହେବ, ଯଦି ତୁମେ ଭବନଦୀ ପାର ହେବାକୁ ଚାହୁଁଥାଅ । ଅନନ୍ୟଶରଣାପନ୍ନ ହୋଇ ଧର୍ମକୁ ଦୀପ ସମ ମନେକରି ସତ୍ୟରେ ପ୍ରତିଷ୍ଠିତ ହେବାକୁ ହେବ ।
ନିର୍ବାଣ—ଏଇ ଗୋଟିଏ କଥା ମାଧ୍ୟମରେ ବିଦ୍ଧୃତ ହୋଇ ରହିଛି, ବୁଦ୍ଧ, ବୁଦ୍ଧଙ୍କର ଧର୍ମ ଏବଂ ତାଙ୍କ ଦର୍ଶନ । ବୌଦ୍ଧ ସାଧନାର ଚରମ ପରିଣତି ହେଉଛି, ନିର୍ବାଣ । ନିର୍ବାଣର ମୂର୍ତ୍ତ ବିଗ୍ରହ ହେଉଛନ୍ତି, ବୁଦ୍ଧ । ନିର୍ବାଣ ନେତିବାଚକ ନୁହେଁ, ଏହା ଶୂନ୍ୟ ମଧ୍ୟ ନୁହେଁ ବରଂ ଇତିବାଚକ ଅଟେ । ଅନିର୍ବଚନୀୟ ଆନନ୍ଦପ୍ରାପ୍ତି ହିଁ ନିର୍ବାଣ ଅଟେ । ତୃଷ୍ଣାର ଯେଉଁ ଅନଳ ଶିଖା ପ୍ରତିନିୟତ ଦୀପ୍ତିମନ୍ତ ହୋଇ ଜଳୁଛି, ନିର୍ବାଣ ତାହାର କ୍ଷୟ ଅଟେ । କର୍ମର ବନ୍ଧନ ହିଁ ତୃଷ୍ଣାର ମୂଳ—ଜନ୍ମ, ଜରା, ମରଣ ପଥ ପ୍ରବର୍ତ୍ତକ ସେହି କର୍ମବନ୍ଧନର କ୍ଷୟକୁ ହିଁ ନିର୍ବାଣ କୁହାଯାଏ । ବୁଦ୍ଧ କହିଥିଲେ, ”ସାରଥୀ ଯେଭଳି ଅଶ୍ୱକୁ ଦମନ କରି ରଖେ, ସେହିଭଳି ଯିଏ ଇନ୍ଦ୍ରିୟମାନଙ୍କୁ ଶାନ୍ତ କରିପାରେ, ଯିଏ ନିରଭିମାନ ଓ କଳୁଷହୀନ, ଦେବଗଣ ତାଙ୍କୁ ମଧ୍ୟ ଈର୍ଷା କରନ୍ତି ।” ଏହି ଅବସ୍ଥା ଆନନ୍ଦର କି ନିରାନନ୍ଦର ମଧ୍ୟ ନୁହେଁ ।
ବେଦ ଯେଉଁ ପଦାର୍ଥ ସମ୍ବନ୍ଧରେ କହିଛନ୍ତି, ‘ବାକ୍ୟ ମନ ଦ୍ୱାରା ଯାହାକୁ ପ୍ରକାଶ କରାଯାଏ ନାହିଁ, ସେ ହିଁ ବ୍ରହ୍ମ ।’ ନିର୍ବାଣ ମଧ୍ୟ ସେହିଭଳି ଆବାଙ୍ମାନସଗୋଚର ଭିନ୍ନ ଅନ୍ୟକିଛି ନୁହେଁ । ଏହି ଅବସ୍ଥାଟି ଅବାଚ୍ୟ, ଅନିଦର୍ଶନ, ଅପ୍ରତିଷ୍ଠ, ଅନାଭାସ ଏବଂ ଅନିକେତ ଅଟେ । ଏହି ଶୂନ୍ୟତା ନିର୍ବାଣ ଭିନ୍ନ ଅନ୍ୟକିଛି ନୁହେଁ । ହିନ୍ଦୁର ବ୍ରହ୍ମାନୁଭୂତି ଆଉ ବୌଦ୍ଧର ନିର୍ବାଣ ଅବସ୍ଥା, ଉଭୟର ଲକ୍ଷ୍ୟ ଓ ପଥ ଏକ ଅଟେ । ବୁଦ୍ଧ କହିଲେ— ତୃଷ୍ଣାର ଯେଉଁ ନିରୋଧ, ବିରାଗ ବା ବିସର୍ଜନ ତାକୁ ହିଁ କୁହାଯାଏ ମୁକ୍ତି ଆଉ ତାହା ହିଁ ଦୁଃଖର ନିରୋଧ । କାମନାର ନିରୋଧହେଲେ ଆମେ ମର୍ତ୍ତ୍ୟରେ ମଧ୍ୟ ଅମୃତଲାଭ କରିପାରିବା । ସେହି ଅମୃତ ଜୀବନ ପାଇଁ ବୁଦ୍ଧଙ୍କର ଶୀଳ, ବୁଦ୍ଧଙ୍କର ନୀତି ଓ କଲ୍ୟାଣ ଧର୍ମ ଅଟେ । ଚରିତ୍ର ମନୁଷ୍ୟକୁ ବଡ କରିଥାଏ, ଦାର୍ଶନିକତା ନୁହେଁ । ସଭ୍ୟତାର ଇତିହାସରେ ବୌଦ୍ଧଧର୍ମର ସର୍ବୋଚ୍ଚ ଦାନ ହେଲା ଚରିତ୍ର । ସେହିଭଳି ଆଉ ଏକ ମହାନ କଥା ହେଲା ସେବା । ଏହିକ୍ଷେତ୍ରରେ ବୁଦ୍ଧଦେବ ବ୍ରାହ୍ମଣ ଶାସିତ ଆର୍ଯ୍ୟଧର୍ମକୁ ଅନେକ ଦୂର ପଛକୁ ଠେଲିଦେଇ ଆଗେଇ ଯାଇଥିଲେ ।
ବୌଦ୍ଧ ସାଧନାରେ ଶୀଳ ସାଧନାକୁ ନିର୍ବାଣ ଲାଭର ଉପାୟ ବୋଲି କୁହାଯାଏ । ଏହି ସୁଖକର ଶୀଳଗୁଡିକ ଚରିତ୍ରକୁ ବ୍ରଚିଷ୍ଟ ଓ ବଳିଷ୍ଠ କରି ତୋଳିଥାନ୍ତି । ବୁଦ୍ଧ ସଂଯମ, ଇନ୍ଦ୍ରିୟ ଜୟ ଓ ଚରିତ୍ର ଗଠନ ଉପରେ ବେଶ୍ ଜୋର ଦେଉଥିଲେ, କିନ୍ତୁ ଚରିତ୍ର କେବଳ ବୈରାଗ୍ୟ ନୁହେଁ— ବରଂ ଏହାଦ୍ୱାରା ପ୍ରେମମୟ ଦୟାଦାକ୍ଷିଣ୍ୟ ଅନ୍ତର୍ନିହିତ ଅଟେ— ମୈତ୍ରୀ ମୂଳକ କଲ୍ୟାଣ ବ୍ରତ । ଗୀତୋକ୍ତ ଅନୁଶାସନ ଏବଂ ବୁଦ୍ଧଙ୍କ ଅନୁଶାସନ ଭିତରେ ବିସ୍ମିତପରକ ସାଦୃଶ୍ୟ ରହିଛି । ଉଭୟ ସାଧନା ନିରାସକ୍ତ ଓ ନିର୍ବାସନାଠାରୁ ଭିନ୍ନ ନୁହଁନ୍ତି । ବୁଦ୍ଧଙ୍କ ଜୀବନ ଦର୍ଶନରେ ଜୀବନକୁ ଉପେକ୍ଷା ନୁହେଁ ବରଂ ପ୍ରୀତି ଭରି ରହିଛି । ବୌଦ୍ଧଧର୍ମରେ ରହିଛି ପରମତତ୍ତ୍ୱର କଥା । ସଂସାରରେ ଦୈବ ଅବା ଅକସ୍ମାତ୍ ବୋଲି କିଛି ନାହିଁ—ସବୁକିଛି କାର୍ଯ୍ୟକାରଣ ଶୃଙ୍ଖଳରେ ନିବଦ୍ଧ । ତେଣୁ ଅମୃତର ନିକାୟ ଗ୍ରନ୍ଥରେ କର୍ମକୁ ଆମର ଅଧିକାର ଭାବରେ ଆଉ ସେହି କର୍ମ ଉତ୍ତରାଧିକାର ଭାବରେ ପୁଣି ସେହି କର୍ମ ଦ୍ୱାରା ଜନ୍ମ ନିର୍ଦ୍ଧାରଣ ଭାବରେ ଏବଂ ସେହି କର୍ମ ଜାତି, ଆଶ୍ରମ ଆଦିର ନିର୍ଦ୍ଧାରଣ ନିମନ୍ତେ ସ୍ଥିରୀକୃତ ହୁଏ । କର୍ମ ହିଁ ଆମମାନଙ୍କର ଆଶ୍ରୟସ୍ଥଳୀ । ଏହିଭଳି ବର୍ଣ୍ଣନା କରାଯାଇଛି । ମାନବ ଆତ୍ମାକୁ କର୍ମଭିନ୍ନ ପ୍ରାଧାନ୍ୟ ଦିଆଯାଇ ନପାରେ, ବୁଦ୍ଧଦେବ ଏହାକୁ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି ।
ଯୁଗ ପ୍ରୟୋଜନାନୁସାରେ ବେଦୋକ୍ତ କର୍ମବାଦକୁ ଉପଯୋଗକ୍ଷମ କରି ତାହାର ପ୍ରତିବାଦ ନୁହେଁ ବରଂ ସମର୍ଥନ କରିଛନ୍ତି । ବାହ୍ୟ କର୍ମବାଦ ପରିବର୍ତ୍ତେ ଆନ୍ତଃକର୍ମବାଦକୁ ସେ ଗୁରୁତ୍ୱ ଦେଇଛନ୍ତି । ନୈତିକତା ଦ୍ୱାରା ଅନ୍ତଃ ଏବଂ ବାହ୍ୟ ଉଭୟରେ ବିଜୟଲାଭ କରାଯାଇପାରେ, ଏହା ସେ ବୁଝାଇଦେଇଛନ୍ତି । ତାଙ୍କର ଏପ୍ରକାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନୈତିକତାକୁ ସର୍ବାଙ୍ଗସୁନ୍ଦର କରିତୋଳିଛି ବୋଲି ସହସ୍ର ନରନାରୀ ସେହି ସ୍ରୋତରେ ଲମ୍ଫ ଦେଇପାରିଲେ ।
ଜଡବାଦୀ ନାସ୍ତିକ ଭାବରେ ବୁଦ୍ଧଙ୍କୁ ଯେଉଁମାନେ ଅଭିହିତ କରନ୍ତି, ସେମାନେ ବାସ୍ତବରେ ନିବୃତ୍ତିମାର୍ଗ ସମ୍ପର୍କରେ ଅଜ୍ଞ ଅଟନ୍ତି । ଯଥାର୍ଥରେ କର୍ମକାଣ୍ଡ ଅନ୍ତର୍ଗତ ଯାଗଯଜ୍ଞ ସମ୍ପର୍କିତ କ୍ରିୟାକଳାପକୁ ପ୍ରୟୋଜନତା ଦୃଷ୍ଟିରୁ ବାଦ୍ ଦେବାପାଇଁ ସେ ପ୍ରୟାସ କରିଛନ୍ତି । ଚତୁର୍ବର୍ଣ୍ଣ ତଥା ସାମାଜିକ ବିଧାନ ବିରୋଧୀ ମନେହେଉଥିବା ତାଙ୍କର ମାର୍ଗଦର୍ଶନ ଯଥାର୍ଥରେ ବୈଦିକ ଜ୍ଞାନକାଣ୍ଡ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । ବୁଦ୍ଧ ନିବୃତ୍ତିମୂଳକ ଧର୍ମ ପ୍ରଚାର କରିଛନ୍ତି—ବାସନା ଓ ତୃଷ୍ଣା ତ୍ୟାଗଦ୍ୱାରା ସମସ୍ତ ଦୁଃଖରୁ ଆତ୍ୟନ୍ତିକ ନିବୃତ୍ତି ସମ୍ଭବ ଏବଂ ପରିଣତିରେ ନିର୍ବାଣର ବିମଳ ଆନନ୍ଦ ସମ୍ଭୋଗ ଅବଶ୍ୟମ୍ଭାବୀ ଏହାକୁ ସେ ବଦ୍ଧମୂଳ କରିଦେଇଛନ୍ତି । ବୌଦ୍ଧ ସାଧନର ଏହାହିଁ ଚରମ ଲକ୍ଷ୍ୟ ଏବଂ ଚରମ ଉଦ୍ଦେଶ୍ୟ ।
ବେଦାନ୍ତ ପ୍ରତିପାଦ୍ୟ ଈଶ୍ୱର ସମ୍ୱନ୍ଧରେ ବୁଦ୍ଧ ନିରବ ରହିଛନ୍ତି ବୋଲି ଯେଉଁ ଅପପ୍ରଚାର କରାହୁଏ, ତାହା ବାସ୍ତବରେ ଅସ୍ୱୀକାର୍ଯ୍ୟ । ନିରବତା ମାଧ୍ୟମରେ ଯଦି ଗଭୀର ପ୍ରବେଶ କରି ବୁଝିବାକୁ ଚେଷ୍ଟା କରାଯାଏ, ତାଙ୍କ ପ୍ରଦର୍ଶିତ ମାର୍ଗରେ ଯେ ବାସ୍ତବତା କେତେ, ତାହା ବେଶ ଅନୁମାନ ଲଗାଇହେବ । ଅର୍ଥାତ୍ ଧ୍ୟାନର ଚରମତାରେ ଯେ ପରମ ସତ୍ୟର ଉନ୍ମେଷ ହୁଏ, ତାହା ତାଙ୍କ ପ୍ରଦର୍ଶିତ ମାର୍ଗଦର୍ଶନରୁ ବୁଝିହୁଏ । ଯେଉଁ ଚରମ ବାକ୍ୟ ମନ, ବଚନରୁ ଅତୀତ, ଯାହା ସମ୍ବନ୍ଧରେ ମୁଖରେ କହିବା ସମ୍ଭବ ହୁଏନାହିଁ, ତାହାର ଉଦ୍ଘୋଷଣା ଉପନିଷଦ କରିଛନ୍ତି । ସେଇ ସମାନ କଥାକୁ ଭଗବାନ ବୁଦ୍ଧ ମଧ୍ୟ ନିରବତା ପୂର୍ବକ ଉପସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି ।
ଭଗବାନ ବୁଦ୍ଧ ମାନବାତ୍ମା ସମ୍ପର୍କରେ କହିଛନ୍ତି, ଆତ୍ମା ବୋଲି କିଛି ନାହିଁ । ଏହି ଅନାତ୍ମବାଦ ଉପସ୍ଥାପନା ତାଙ୍କ ଧର୍ମର ଅନ୍ୟତମ ବୈଶିଷ୍ଟ୍ୟ । ପ୍ରାକୃତିକ ନିୟମର ଯେଉଁ ତିନୋଟି ବୈଶିଷ୍ଟ୍ୟ କଥା ଭଗବାନ ବୁଦ୍ଧ ଉଲ୍ଲେଖ କରିଛନ୍ତି, ତନ୍ମଧ୍ୟରେ ପ୍ରଥମ ‘ଅନିକ୍କ’ ଅର୍ଥାତ୍ ଅନିତ୍ୟତା । ଅନ୍ୟ ଦୁଇଟି ହେଲା, ‘ଦୁଃଖ’ ଏବଂ ‘ଅନାତ୍ତ’ । ପ୍ରକୃତିରେ ସବୁକିଛି ପୂର୍ବ ମୁହୂର୍ତ୍ତରେ ଯାହା ଥିଲା ତା ଠାରୁ ଏବଂ ସେଇ ମୁହୂର୍ତ୍ତ ତୁଳନାରେ ଭିନ୍ନ ହୋଇଥାଏ । ଏହାର ନାମ ‘କ୍ଷଣିକବାଦ’ । କାଳକ୍ରମେ ଏହି ମୌଳିକ ବୈଶିଷ୍ଟ୍ୟ ସମ୍ବନ୍ଧରେ ମତ ବିରୋଧ ସୃଷ୍ଟିହେଲା । ପ୍ରଥମ ମତାବଲମ୍ବୀଙ୍କର ବିଶ୍ୱାସ ବୁଦ୍ଧ ଜଣେ ନିର୍ବାଣପ୍ରାପ୍ତ ବ୍ୟକ୍ତି ହୋଇଥିଲେ ମଧ୍ୟ ଭଗବାନ ନୁହଁନ୍ତି, କାରଣ ଭଗବାନ କହିଲେ, କୌଣସିଥିରେ ତାଙ୍କର ଅସ୍ତିତ୍ୱ ବିଶ୍ୱାସଯୋଗ୍ୟ ନୁହେଁ । ସେଇଥିପାଇଁ ସେମାନେ ମୂର୍ତ୍ତିପୂଜାର ବିରୋଧୀ ଥିଲେ । ଯଦିଓ ପରବର୍ତ୍ତୀକାଳରେ ସେମାନେ ଏକମାତ୍ର ବୁଦ୍ଧଦେବଙ୍କର ପୂଜା କରିଆସୁଛନ୍ତି ।
ଦ୍ୱିତୀୟ ମତାନୁସାରେ ବୁଦ୍ଧଦେବ ହେଲେ ଭଗବାନ, ସେଥିପାଇଁ ସେମାନେ ବୁଦ୍ଧଙ୍କୁ ହିଁ ପୂଜା କରନ୍ତି, ଅନ୍ୟ କାହାକୁ ମାନି ପାରନ୍ତି ନାହିଁ । ମାତ୍ର ପରବର୍ତ୍ତୀ କାଳରେ ଅନ୍ୟାନ୍ୟ ଦେବଦେବୀଙ୍କର ପୂଜା ମଧ୍ୟ କରିଛନ୍ତି । ପ୍ରଥମ ମତାବଲମ୍ବୀଙ୍କୁ ‘ଥେରାବାଦୀ’ କୁହାଯାଉଥିଲା । ଦ୍ୱିତୀୟ ମତାବଲମ୍ବୀଙ୍କୁ ‘ମହାଯାନ’ ନାମରେ ଅଭିହିତ କରାଯାଏ ।
ହିନ୍ଦୁଧର୍ମ ସଙ୍ଗରେ ତୁଳନା କଲେ ଧର୍ମ ଜୀବନରେ ଧାରାବାହିକ କ୍ରମବିକାଶର ମୂଲ୍ୟ ବୁଝିବାକୁ ବୌଦ୍ଧମାନେ ଅକ୍ଷମ ଅଟନ୍ତି, ସେଥିପାଇଁ ପ୍ରାଚୀନ ଧର୍ମ ସହିତ କୌଣସିପ୍ରକାର ସମନ୍ୱୟ ରକ୍ଷା ନକରି ସେମାନେ ବାସ୍ତବିକ ଧର୍ମକୁ ବୁଝିବାପାଇଁ ଯେଉଁ ଚେଷ୍ଟା କରିଥିଲେ, ତାହାର ନାମ ହେଲା ବୌଦ୍ଧଧର୍ମ । କହିରଖିବା ଠିକ୍ ହେବ, ହିନ୍ଦୁ ମୂଳ ଗ୍ରନ୍ଥ ବେଦ ଏବଂ ସିଦ୍ଧାନ୍ତ ଉପନିଷଦାନ୍ତର୍ଗତ ଅଟେ । ଯେଉଁମାନେ ଏହାକୁ ବୁଝିବାକୁ ଓ ସ୍ୱୀକାର କରିବାକୁ ଅସମର୍ଥ ସେମାନେ ଏହି ଭାରତବର୍ଷରେ ରହିବା ଅସମ୍ଭବ । ଯାହାକି, ପରବର୍ତ୍ତୀ କାଳରେ ବୌଦ୍ଧଧର୍ମର ନିଶ୍ଚିହ୍ନତାରୁ ବେଶ ଅନୁମାନ ଲଗାଯାଇପାରେ ।
ବୁଦ୍ଧଦେବ ନିର୍ବିଚାରରେ ସମସ୍ତଙ୍କ ନିମନ୍ତେ ମୋକ୍ଷଧର୍ମ ପ୍ରଚାର କରିବା ଫଳରେ ପରବର୍ତ୍ତୀକାଳୀକ ଦେଶର ଅବସ୍ଥା ଉଲ୍ଲେଖନୀୟ ଭାବେ ବ୍ୟଭିଚାରଗ୍ରସ୍ତ ହେଲା । ବୌଦ୍ଧମତାବଲମ୍ବୀମାନଙ୍କର ଅତ୍ୟଧିକ ଦର୍ଶନ ଚିନ୍ତା ଅବନତିର ଏକ ମୁଖ୍ୟ କାରଣ । ପତନର ଆଉ ଏକ ମୁଖ୍ୟ କାରଣ ହେଉଛି, ବୈଚିତ୍ର୍ୟମୟ ଏହି ଭାରତବର୍ଷରେ ସେହି ଏକକ ଉପଲବ୍ଧି କରିବା ସନାତନ ସାଧନର ଏକ ବଡ ବିଡମ୍ୱନା ଅଟେ । ସେଥିପାଇଁ ଏ ଦେଶରେ ତେତିଶିକୋଟି ଦେବଦେବୀଙ୍କର ଆରାଧନା, ଉପାସନା କରାଯାଇଛି । ଯେଉଁ ଧର୍ମର ଆରମ୍ଭ ହୋଇଥିଲା ଆଚାର-ଅନୁଷ୍ଠାନାଦି, ଭବିଷ୍ୟତ କଥନ, ଈଶ୍ୱର କୃପା ଏବଂ ଅଲୌକିକତାର ପ୍ରତିବାଦ ଉପରେ, ସେହି ଧର୍ମର ପରିଣତିରେ ଏଗୁଡିକ ଅନ୍ତର୍ଭୁକ୍ତ ହେଲା ଏବଂ ଏହାର ପ୍ରତିଷ୍ଠାତା ନିଜେ ଈଶ୍ୱରଙ୍କର ପର୍ଯ୍ୟାୟଭୁକ୍ତ ହେଲେ । ବୁଦ୍ଧ ହିଁ ଜଗତରେ ପ୍ରଥମ ଗୁରୁ ଯିଏ ପ୍ରଥମେ ଧର୍ମ ପ୍ରଚାର ଆରମ୍ଭ କରିଥିଲେ । କେବଳ ସେତିକି ନୁହେଁ, ସେ ଧର୍ମାନ୍ତରୀକରଣର ପରିକଳ୍ପନା ମଧ୍ୟ କରିପାରିଲେ । ତାଙ୍କର ମହିମା ଏହା ଥିଲା କି, ସେ ସମସ୍ତଙ୍କ ପାଇଁ ବିଶେଷକରି ଅଜ୍ଞ ଓ ଦରିଦ୍ରମାନଙ୍କ ପାଇଁ ବିଶେଷ ସଚେତନ ଥିଲେ । ତାଙ୍କ ପ୍ରତି ମହାତ୍ମାଙ୍କର ସମବେଦନା ଭରି ରହିଥିଲା । ସେ ପ୍ରାଦେଶିକ ଭାଷାରେ ଉପଦେଶ ଦେବାର ପ୍ରକ୍ରିୟା ଆରମ୍ଭ କଲେ । ତା ପୂର୍ବରୁ ସଂସ୍କୃତ ହିଁ ଦେବଭାଷା ରହିଥିଲା । କେହି ଯଦି ଧର୍ମର ସଂଜ୍ଞା ଇତ୍ୟାଦି ବ୍ୟାଖ୍ୟା କରୁଥିଲେ, ସେ ମନ୍ତ୍ରର ଉଦ୍ଧୃତି ଦେଉଥିଲେ ବରଂ ବୁଦ୍ଧ ଏହାକୁ ସରଳୀକରଣ କରାଇଲେ । ତାଙ୍କ ଧର୍ମରେ ବ୍ରାହ୍ମଣମାନେ ମଧ୍ୟ ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି, ତାଙ୍କ ପ୍ରଦତ୍ତ ଉପଦେଶକୁ ସଂସ୍କୃତ ଭାଷାରେ ମଧ୍ୟ ଅନୁଦିତ କରାଇ ଉପଯୋଗ କରିଛନ୍ତି । ମହାନ୍ କର୍ମଯୋଗୀ ବୁଦ୍ଧ ନୈତିକତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସେ ବେଦ, ବର୍ଣ୍ଣ, ପୁରୋହିତ ଅବା କୌଣସି ପ୍ରଥା ଆଗରେ ମଥାନତ କରି ନାହାଁନ୍ତି । ବୈଦାନ୍ତିକ ଚିନ୍ତନକୁ କାର୍ଯ୍ୟରେ ରୂପାନ୍ତର କରାଇବା ନିମନ୍ତେ ତାଙ୍କର ଆବିର୍ଭାବ ହୋଇଥିଲା । ବଳିପ୍ରଥାର ବିରୁଦ୍ଧ କରି ସାମାନ୍ୟ ଛାଗ ଶିଶୁ ପାଇଁ ନିଜକୁ ବଳି ସ୍ୱୀକାର କରିବାପାଇଁ ଅର୍ପଣ କରି ସେ ମହାନ ହୋଇଯାଇଛନ୍ତି ।
ଇତିହାସରେ ସମ୍ରାଟ ଅଶୋକଙ୍କ ନାମ ସୂର୍ଯ୍ୟାଲୋକିତ ଆକାଶର ପଟ୍ଟଭୂମିରେ ସ୍ୱଚ୍ଛ ହିମାଳୟ ଶିଖର ସଦୃଶ ଜାଜ୍ଜ୍ୱଲ୍ୟମାନ । ତାଙ୍କ ଦ୍ୱାରା ନିର୍ଦ୍ଧାରିତ ବୌଦ୍ଧ ଧର୍ମଚକ୍ର ଆଜି ମଧ୍ୟ ଭାରତର ଜାତୀୟ ପତାକାରେ ବିରାଜମାନ । ଅଶୋକ ବୌଦ୍ଧଧର୍ମକୁ ତିନିଗୋଟି ମହାଦେଶକୁ ପ୍ରସାରିତ କରାଇଥିବା ଦୃଷ୍ଟାନ୍ତ ରହିଛି । ସେ ଏହାକୁ ବିଶ୍ୱଧର୍ମରେ ରୂପାନ୍ତରିତ କରାଇପାରିଥିଲେ । ବୌଦ୍ଧଧର୍ମ ସାରାବିଶ୍ୱରେ ବିଚ୍ଛୁରିତ ହୋଇଗଲା । ମାତ୍ର ଜନ୍ମଭୂମିରୁ ତାହା ବିଲୁପ୍ତ ହୋଇଗଲା । ହିନ୍ଦୁଧର୍ମ ବୌଦ୍ଧଧର୍ମକୁ ଯେତେମାତ୍ରାରେ ପରାଭୁତ କରୁ ନା କାହିଁକି, ତାଠାରୁ ବେଶି ଆତ୍ମୀକରଣ କରିଛି । ମୋଟାମୋଟା ଏକ ହଜାର ବର୍ଷ ପର୍ଯ୍ୟନ୍ତ ଏହି ଧର୍ମ ଭାରତବର୍ଷରେ ବିଦ୍ୟମାନ ଥିଲା । ଏକଥା କହିବା ଠିକ୍ ହେବନାହିଁ କି, ମୁସଲମାନମାନେ ଏହି ଧର୍ମକୁ ବିନଷ୍ଟ କରିପକାଇଛନ୍ତି ବୋଲି । କାରଣ, ହିନ୍ଦୁଧର୍ମ ଆଗରୁ ଥିଲା, ଏବେ ମଧ୍ୟ ଅଛି । ମୁସଲମାନ ମାନେ ତାହାର କ୍ଷୟ କରିପାରି ନାହାଁନ୍ତି । କ୍ରମେକ୍ରମେ ବୌଦ୍ଧ ଆଉ ହିନ୍ଦୁ ମତ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା ହେବା ଏବଂ ବୌଦ୍ଧାବଲମ୍ବୀମାନେ ହିନ୍ଦୁଧର୍ମର ମହତ୍ୱକୁ ପୁନରାୟ ସ୍ୱୀକାର କରିବା ଏହାର ବିଲୁପ୍ତର କାରଣ ହୋଇଥାଇପାରେ । ଯେହେତୁ ସେ ଅନେକଗୁଡିଏ ସଂସ୍କାର ସଂପର୍କିତ ଯୌକ୍ତିକତାକୁ ଧର୍ମର ପ୍ରଧାନ ଅଙ୍ଗ ଭାବରେ ଉପସ୍ଥାପିତ କରାଇଦେଇଥିଲେ, ତାହା ଧୀରେଧୀରେ ଇତର ଭକ୍ତ ବା ଭିକ୍ଷୁମାନଙ୍କ ଦ୍ୱାରା ଉପଯୁକ୍ତ ଭାବରେ ଉପସ୍ଥାପିତ ନହୋଇପାରି ଅବା ପ୍ରମାଣସିଦ୍ଧ ହୋଇନପାରି ନିଜତ୍ୱ ହରାଇବସିଲା । ଏହା ମଧ୍ୟ କହିବା ପୂର୍ଣ୍ଣରୂପେ ଯୁକ୍ତିସଙ୍ଗତ ନହୋଇପାରେ କିନ୍ତୁ ଏହା ଏକ ପ୍ରକାର ସତ୍ୟ ଯେ ଉକ୍ତ ବୌଦ୍ଧଧର୍ମକୁ ଯେତେବେଳେ ବିଶେଷ କଦାକାର କରିଦିଆଗଲା, ସେତେବେଳେ ଆଉ ଏକ ଅବତାର ଆଚାର୍ଯ୍ୟ ଶଙ୍କର ଏହାକୁ ପ୍ରତିରୋଧ କରିବାପାଇଁ ସଂସାରରେ ଉପସ୍ଥିତ ହୋଇଥିଲେ । ଏହାକୁ ଆମେ ସଂକୀର୍ଣ୍ଣ ବିଚାର କହିପାରୁ, ମାତ୍ର ବ୍ୟକ୍ତିଗତ ମତ ହିସାବରେ ଏହାହିଁ ଠିକ୍ । ଆମ୍ଭେ ବୌଦ୍ଧ ମତକୁ ଅସ୍ୱୀକାର କରୁନାହୁଁ ବରଂ ଉକ୍ତ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଦୀର୍ଘ ବର୍ଷର ବ୍ୟବଧାନ ଫଳରେ ତୀର୍ଯ୍ୟକ ସ୍ୱୀକୃତି ଏପ୍ରକାର ଅବକ୍ଷୟର କାରଣ ହୋଇପାରେ ।
ବୁଦ୍ଧଙ୍କ ସମୟରେ ଉଲ୍ଲେଖଯୋଗ୍ୟ ସ୍ୱୀକୃତି ହେଲା, ଜୀବେ ଦୟା, ପ୍ରାଣୀ ହିଂସା ନ କରିବା ଏବଂ ଧର୍ମୀୟ କ୍ଷେତ୍ରରେ ସାମାଜିକ ଉପାଦେୟତାକୁ ଶକ୍ତିଶାଳୀ ନିତିରେ ପରିଣତ କରି ଜାତିଭେଦ ପ୍ରଥାକୁ ହ୍ରାସ କରିବା । ମୋଟ ଉପରେ କହିବାକୁ ଗଲେ, ବୁଦ୍ଧଦେବ ହେଉଛନ୍ତି, ହିନ୍ଦୁଧର୍ମର ଏକ ବିପ୍ଲବୀ ସନ୍ତାନ । ତାଙ୍କ ଆବିର୍ଭାବ କ୍ରମେ ଅବତାରବାଦକୁ ସ୍ୱୀକୃତି ମିଳିଛି । ସାମାଜିକ ଚିନ୍ତା ଓ ଚେତନା ଧର୍ମ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଛି । ଥେରାବାଦୀ ବୌଦ୍ଧଧର୍ମର ଲକ୍ଷ୍ୟ ଅନେକାଂଶରେ ହିନ୍ଦୁ ଅଦ୍ୱୈତାବାଦ ସଙ୍ଗେ ମେଳ ଖାଉଛି । ବୈଦିକ ପୌରୋହିତ୍ୟର ବିରୋଧରେ ନବୋତ୍ଥିତ କ୍ଷତ୍ରିୟ ଶକ୍ତିର ବିଦ୍ରୋହ ଯୋଗୁଁ ବୌଦ୍ଧଧର୍ମର ସୃଷ୍ଟି ହୋଇଛି । ବୌଦ୍ଧଧର୍ମ ହିନ୍ଦୁଧର୍ମର ଯେ ପୂର୍ଣ୍ଣ ପରିଣତି ତାହା ଅସ୍ୱୀକାର କରାଯାଇ ନପାରେ ।
ବୌଦ୍ଧଧର୍ମର ଚିରନ୍ତନୀ ସାମର୍ଥ୍ୟକୁ ଅସ୍ୱୀକାର କରିବା ସମ୍ଭବ ନୁହେଁ । ଏହା ଆଜି ବି ଭାରତେତ୍ତର ଦେଶ ମାନଙ୍କରେ ନିଜସ୍ୱ ବିସ୍ତାର କରି ଜାତୀୟ ଧର୍ମ ଭାବରେ ସ୍ୱୀକୃତି ଲାଭ କରେ । କହିବା ବାହୁଲ୍ୟ ହିନ୍ଦୁରାଷ୍ଟ୍ର ଭଳି ବୌଦ୍ଧରାଷ୍ଟ୍ର ମଧ୍ୟ ଆଜି ବି ବିଦ୍ୟମାନ । ଏହି ଧର୍ମାବଲମ୍ବୀ ନିଜକୁ ଉକ୍ତ ମାର୍ଗରେ ଦୀକ୍ଷିତ କରାଇ ଧର୍ମର ଧ୍ୱଜାକୁ ବହନ କରି ଚାଲିଛନ୍ତି । କେହିକେହି ଏହାକୁ ତନ୍ତ୍ରମତ ଅବା ଗରିଷ୍ଠ ମତବାଦ ଭାବରେ ଅଭିହିତ କଲେ ମଧ୍ୟ, ପ୍ରାସଙ୍ଗିକ ଦୃଷ୍ଟିକୋଣରୁ ଏହା ପୂର୍ଣ୍ଣ ଯଥାର୍ଥତା ବହନ କରୁଛି । ବୁଦ୍ଧ ନିର୍ଦ୍ଦେଶିତ ଉପଦେଶଗୁଡିକ କୌଣସିପ୍ରକାରେ ମଳିନ ପଡିନାହିଁ । ତାଙ୍କର ଆବିର୍ଭାବ ଓ ତିରୋଧାନ ଦିବସକୁ ଯଥାମାନ୍ୟତା ଭାବ ଦେଇ ଅନେକ ଦେଶ ଯଥାସମ୍ଭବ ଉତ୍ସବ ମନାଉଛନ୍ତି । ଅନେକ ବୈରାଗୀ ଭିକ୍ଷୁରେ ପରିଣତ ହେଉଛନ୍ତି ଏବଂ ଦର୍ଶନର ସର୍ବୋଚ୍ଚ ଭାବଧାରାକୁ ବଜାୟ ରଖିବାପାଇଁ ଉଭୟବାଦୀ (ଥେରାବାଦୀ ଏବଂ ମହାଜାନ) ସତ୍ ସାହିତ୍ୟମାନଙ୍କର ରଚନା କରିଚାଲିଛନ୍ତି ।
ଯଦିଓ ଭଗବାନ ବୁଦ୍ଧଙ୍କ ସମୟରେ ତାଙ୍କର ସାଧନ ପଦ୍ଧତିକୁ ନେଇ ଅନେକ ଶାସ୍ତ୍ରର ରଚନା କରାଯାଇଛି ତଥାପି ଏହାକୁ ବିସ୍ତୃତ କରିବାପାଇଁ ଏବଂ ଉପାଦେୟତାକୁ ସାର୍ବଜନୀନ କରିବାପାଇଁ ନାନାଭାଷାରେ ଏବଂ ମୂଳ ପାଲି ଭାଷାରେ ପ୍ରୟାସ ଜାରି ରହିଛି ।
Be First to Comment