Last updated on September 5, 2020
ପ୍ରଫେସର (ଡା.) ଯଜ୍ଞେଶ୍ୱର ନାଥ
୧) ଆମ ଦୋଷର ଉତ୍ପତ୍ତି :
ଅଧିକ ପରିମାଣରେ ଭୋଜନ, ଗୁରୁପାକ ଖାଦ୍ୟ, ରୂକ୍ଷ, ଶୀତଳ, ଶୁଷ୍କ, ଅପ୍ରିୟ ଖାଦ୍ୟ, କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା ଖାଦ୍ୟ, ବିଦାହି, ଅପବିତ୍ର ଓ ବିରୁଦ୍ଧ ଆହାର ସେବନ ଦ୍ୱାରା ଆମ ଉତ୍ପନ୍ନ ହୁଏ । (ଚ.ବି. ୨/୮) ଆମର ନିରାକରଣ ପାଇଁ ସୈନ୍ଧବ ଲବଣ ମିଶ୍ରିତ ଗରମପାଣି ପିଆଇ ବାନ୍ତି କରିବା ପରେ ବସ୍ତି (ଏନେମା)ଦେଇ ଝାଡା କରାଇବ । ଆବଶ୍ୟକ ହେଲେ ଉପବାସ କରାଇବ ଓ ରୋଗୀକୁ ତରଳ ଖାଦ୍ୟ ଖାଇବାକୁ ଦେବ ।
୨) ଜନପଦ ଧ୍ୱଂସ :
ଆଷାଢ଼ ମାସରେ ଗଙ୍ଗାନଦୀ ତଟରେ ଶିଷ୍ୟମାନଙ୍କ ସହିତ ପରିଭ୍ରମଣ କରୁଥିବା ବେଳେ ଭଗବାନ ପୁନର୍ବସୁ ଆତ୍ରେୟ ଶିଷ୍ୟ ଅଗ୍ନିବେଶଙ୍କୁ କହିଲେ ବର୍ତ୍ତମାନ ଏହି ଅଞ୍ଚଳରେ ଜନପଦ ଧ୍ୱଂସର ଲକ୍ଷଣ ପରିଲିଖିତ ହେଉଛି । (ଚ.ବି.୩-୩) ଆତ୍ରେୟଙ୍କ ମତରେ ବାୟୁ, ଜଳ, ଦେଶ ଓ କାଳ (ଋତୁ)ର ବିକୃତିରୁ ଜନପଦଧ୍ୱଂସ ହୋଇଥାଏ । ଏହି ସମୟରେ ଲୋକମାନେ ରସାୟନ ଓଷଧି ସେବନ କରିବା ଉଚିତ । ଆୟୁର୍ବେଦରେ ଆଚରଣକୁ ରସାୟନ ରୂପେ ଗ୍ରହଣ କରାଯାଏ । (ଚ.ବି.୩-୬) ଏହି ସମୟରେ ସତ୍ୟକଥନ, ଜୀବମାନଙ୍କ ପ୍ରତି ଦୟା, ଦାନ, ବଳି ଏବଂ ଦେବପୂଜନ, ସଦ୍ବୃତ୍ତି ପାଳନ, ଶାନ୍ତିରକ୍ଷା କରିବା ଏବଂ ନିଜ ଶରୀରକୁ ରକ୍ଷା, କଲ୍ୟାଣକାରୀ ଗ୍ରାମ ଓ ନଗରରେ ବାସ, ବ୍ରହ୍ମର୍ଯ୍ୟ ପାଳନ । ବ୍ରହ୍ମଚାରୀଙ୍କ ସେବା, ଧର୍ମଶାସ୍ତ୍ର ଆଲୋନା ଏବଂ ଜିତେନ୍ଦ୍ରିୟ ମହର୍ଷିମାନଙ୍କ ସେବା । ସାତ୍ତ୍ୱିକ, ଧାର୍ମିକ ଏବଂ ବୃଦ୍ଧଙ୍କ ଦ୍ୱାରା ପ୍ରଶଂସିତ ଲୋକମାନଙ୍କ ସହିତ ସମ୍ପର୍କ ଏହି ସବୁ କର୍ମ ଏହି ଭୟଙ୍କର କାଳରେ ମନୁଷ୍ୟକୁ ମୃତ୍ୟୁରୁ ରକ୍ଷା କରିବାପାଇଁ ଔଷଧି ଅଟେ । (ଚ.ବି.୪-୧୮) ଜନପଦ ଧ୍ୱଂସର ପ୍ରଧାନ କାରଣ ପ୍ରଜ୍ଞାପରାଧ ବୋଲି ଚରକରେ ଉଲ୍ଲେଖ ଅଛି । ଏହି ସମୟରେ ଲୋଭ, କ୍ରୋଧ, ମୋହ ଓ ଅହଂକାର ଯୋଗୁଁ ପରସ୍ପର ମଧ୍ୟରେ ଯୁଦ୍ଧ ହୋଇ ଲୋକେ ମୃତ୍ୟୁ ମୁଖରେ ପଡନ୍ତି । ପ୍ରାଚୀନ କାଳର ଭୂତ, ରାକ୍ଷସକୁ ଆଧୁନିକତାରେ ଜୀବଗଣଙ୍କୁ ଗ୍ରହଣ କରାଯାଏ । ବିସୂଚିକା, ଯକ୍ଷ୍ମା, ଏଡ୍ସ ଓ ସମ୍ପ୍ରତି ‘କରୋନା’ ସଂକ୍ରମଣ ଜୀବାଣୁଜନିତ ଜନପଦ ଧ୍ୱଂସ ଅଟେ ।
ଉଷ୍ଣ ଜଳ ପାନର ଉପକାରିତା– ଜ୍ୱର ଆମାଶୟରୁ ଉତ୍ପନ୍ନ ହୁଏ । ଏହାକୁ ଦୂର କରିବା ପାଇଁ ବମନ, ପାଚନ ଅପତର୍ପଣ କ୍ରିୟା ସମର୍ଥ ହୁଏ । ଦୋଷ ପାନ ପାଇଁ ଜ୍ୱର ପୀଡିତ ରୋଗୀକୁ ଚିକିତ୍ସକ ଉଷ୍ଣ ଜଳ ପାନ କରାଇବେ । କାରଣ ଉଷ୍ଣ ଜଳ ବାୟୁର ଅନୁଲୋମନ କରେ, ଉଦରର ଅଗ୍ନିକୁ ତୀବ୍ର କରେ । ଖାଦ୍ୟ ଶୀଘ୍ର ପାକ ହୁଏ । କଫ ଶୋଷଣ ହୁଏ ଓ ଅଳ୍ପ ପାଣି ପିଇଲେ ପିପାସା ଶାନ୍ତ ହୁଏ । ମାତ୍ର ଅତ୍ୟଧିକ ପିତ୍ତଜ୍ୱରରେ ବା ଦାହ, ପ୍ରଳାପଯୁକ୍ତ ଅତିସାରରେ ଉଷ୍ଣ ଜଳ ପାନଦ୍ୱାରା ରୋଗ ଅଧିକ ବୃଦ୍ଧି ହୁଏ । ମାତ୍ର ଶୀତଳ ଦ୍ରବ୍ୟ ଓ ପାନୀୟ ଦ୍ୱାରା ଏହା ଶାନ୍ତ ହୁଏ । (ଚ.ବି.୩-୪୦) ଜାପାନର ଲୋକମାନେ ଗରମପାଣି ପିଇବା ଦ୍ୱାରା ନିରୋଗ ଓ ଦୀର୍ଘଜୀବୀ ହୋଇଛନ୍ତି ।
୩) ଦେଶଭେଦ–
ଦେଶ ତିନି ପ୍ରକାର– (୧) ଜାଙ୍ଗଳ (୨) ଆନୂପ (୩) ସାଧାରଣ । ଯେଉଁଠାରେ ଅଳ୍ପଜଳ, ଅଧିକ ବାୟୁ ସଞ୍ଚାଳନ ଅଧିକ ଆତପ (ଉତ୍ତାପ) ଏବଂ ରୋଗ କମ୍ ହୁଏ, ଏହିଦେଶକୁ ଜାଙ୍ଗଳ ଦେଶ କୁହାଯାଏ । ଯେଉଁଠାରେ ଅଧିକ ଜଳ ଏବଂ ବୃକ୍ଷଲତା ଅଧିକ, ବାୟୁ ବହେନାହିଁ, ଆତପ କମ୍ ହୁଏ । ଦୋଷ ବୃଦ୍ଧି ଅଧିକ ହେବାରୁ ଦୋଷ ଅଧିକ ହୁଏ, ତାକୁ ଅନୂପଦେଶ କୁହାଯାଏ ଏବଂ ଯେଉଁଠି ଏହି ଉଭୟ ଲକ୍ଷଣ ମିଳିତ ଭାବରେ ମିଳେ ତାକୁ ସାଧାରଣ ଦେଶ କୁହାଯାଏ । ଚ.ବିମାନ ୩-୪୭-୪୮
ତ୍ରିବିଧ ଖଳୁ ରୋଗ ବିଶେଷ ବିଜ୍ଞାନଂ ଭବତି, ତଦ୍ୟଥା-ଆପ୍ତୋପଦେଶଃ, ପ୍ରତ୍ୟକ୍ଷମ, ଅନୁମାନ ଚେତି..
ରୋଗ ନିର୍ଣ୍ଣୟ ପାଇଁ ବା ରୋଗ ସମ୍ବନ୍ଧରେ ବିଶେଷ ଜ୍ଞାନ ହାସଲ କରିବାପାଇଁ ତିନୋଟି ଉପାୟ ଯଥା-ଅପ୍ତୋପଦେଶ, ପ୍ରତ୍ୟକ୍ଷମ ଅନୁମାନ ।
ବିମର୍ଶ — ରୋଗ ନିର୍ଣ୍ଣୟ କରିବାପାଇଁ ବିଭିନ୍ନ ଉପାୟ ରହିଛି । ଯଥା-ନିଦାନଂ ପୂର୍ବରୂପୀଣି ରୂପାଣ୍ୟୁ ପଶୟସ୍ତଥା । ସମ୍ପ୍ରାପ୍ତିଶ୍ଚେତି ବିଜ୍ଞାନଂ ରୋଗାଣାଂ ପଞ୍ଚଧାସ୍ମୃତମ୍ । ଏବଂ ଦର୍ଶନ ସ୍ପର୍ଶନ ପ୍ରଶ୍ନୈ ପରୀକ୍ଷେତାୟ ରୋଗୀଣାମ୍ । ଅଥବା ପଞ୍ଚଭି ଜ୍ଞାନେନ୍ଦ୍ରିୟେ ପରିପ୍ରଶ୍ନେନ ଚ ।
ଆପ୍ତୋପଦେଶ– ଆପ୍ତଙ୍କ ଉପଦେଶକୁ ଆପ୍ତ ବଚନ କୁହାଯାଏ । ଆପ୍ତ ପୁରୁଷ ତର୍କ ରହିତ ଅର୍ଥାତ୍ ନିଶ୍ଚିତ ଜ୍ଞାନଯୁକ୍ତ, ସ୍ମରଣଶକ୍ତି ସମ୍ପନ୍ନ ତଥା କାର୍ଯ୍ୟ, ଅ-କାର୍ଯ୍ୟର ଜ୍ଞାତା, ଯେକୌଣସି ପ୍ରାଣୀ ପ୍ରତି ରାଗ ଦ୍ୱେଷ ରହିତ ଅଟନ୍ତି ସେହି ବ୍ୟକ୍ତିକୁ ଆପ୍ତ କୁହାଯାଏ । ଏହି ଗୁଣଯୁକ୍ତ ବ୍ୟକ୍ତିର ବନ ପ୍ରମାଣ ଭାବରେ ଗୃହୀତ ହୁଏ ।
ପ୍ରତ୍ୟକ୍ଷଂତୁ ଖଳୁ ତଦ୍ୟତ୍ ତ୍ୱୟମିନ୍ଦ୍ରିୟମନସା ଚୋପ ଲଭ୍ୟତେ ।
ଯେଉଁ ବସ୍ତୁ ସ୍ୱୟଂ ଇନ୍ଦ୍ରିୟ ଏବଂ ମନଦ୍ୱାରା ଜଣାଯାଏ ତାକୁ ପ୍ରତ୍ୟକ୍ଷ କୁହାଯାଏ ।
ଅନୁମାନଂ ଖଳୁ ତର୍କୋ ଯୁକ୍ତ୍ୟପେକ୍ଷଃ ।
ଯୁକ୍ତିର ଆବଶ୍ୟକ କରୁଥିବା ତର୍କର ନାମ ଅନୁମାନ ଅଟେ ।
ନହିଜ୍ଞାନା ବାୟବେନ କୃତ୍ସ୍ନେ ଜ୍ଞେୟେ ଜ୍ଞାନ ମୁତ୍ପଦ୍ୟତେ ।
ଚ.ବି.୪-୫
ରୋଗ ପରୀକ୍ଷା କରିବାପାଇଁ ଉପରୋକ୍ତ ଉପାୟରୁ କୌଣସି ଗୋଟିକୁ ଅବଲମ୍ବନ କଲେ ଉପଯୁକ୍ତ ଜ୍ଞାନ ହୋଇପାରେ ନାହିଁ ।
ଜ୍ଞାନବୁଦ୍ଧି ପ୍ରଦୀପେନ ଯୋ ନାବିଶତି ତତ୍ତ୍ୱବିତ ।
ଆତୁରସ୍ୟାନ୍ତରାତ୍ମାନଂ ନ ସ ରୋଗାଂ ଶ୍ଚିକିତ୍ସତି । ଚ.ବି. ୫-୧୨
ଯେଉଁ ତତ୍ତ୍ୱବିତ୍ (ବୈଦ୍ୟ)ଜ୍ଞାନ ଏବଂ ବୁଦ୍ଧିରୂପକ ପ୍ରଦୀପ (ଲ୍ୟାମ୍ପ) ନେଇ ନିଜର କାର୍ଯ୍ୟକ୍ଷେତ୍ରରେ ବା ରୋଗୀର ଆତ୍ମାରେ ପ୍ରବେଶ କରିପାରେ ନାହିଁ, ସେ ଚିକିତ୍ସାରେ ସଫଳ ହୁଏନାହିଁ ।
କୃତ୍ସ୍ନୋହିଲୋକୋ ବୁଦ୍ଧିମତାମାଚାର୍ଯ୍ୟଃ ଶତ୍ରୁଶ୍ଚାବୁଦ୍ଧିମତାମ୍ ।
ଚ.ବି. ୮/୧୪
ବୁଦ୍ଧିମାନ୍ ଲୋକର ବିଚାରରେ ସମଗ୍ରଜଗତ ଆଚାର୍ଯ୍ୟ (ଗୁରୁ) ଅଟେ । ମାତ୍ର ଜଣେ ମୂର୍ଖପାଇଁ ସମସ୍ତେ ଶତ୍ରୁ ଅଟନ୍ତି । ଜଣେ ବୈଦ୍ୟ ଅନ୍ୟଜଣେ ବୈଦ୍ୟ ସହିତ ବିଚାର ବିମର୍ଶ କରିବା ଉଚିତ । ତାହାଦ୍ୱାରା ଜ୍ଞାନ ବୃଦ୍ଧି ହୁଏ ଓ ସଂଶୟ ନାଶ ହୁଏ । ଏଥିରୁ ଜଣାଯାଏ ଚରକଙ୍କ ସମୟରେ Seminar & Symphosia among experts ମଧ୍ୟ ହେଉଥିଲା ।
ମୋ. ନଂ: ୭୦୦୮୫୮୦୯୦୧
Be First to Comment