Press "Enter" to skip to content

ଅସଫଳତାର ସ୍ୱାଦ

Last updated on September 5, 2020


ଏଇ ଚରାଚର ଜଗତର ଶ୍ରେଷ୍ଠ ଜୀବ ଭାବରେ ମନୁଷ୍ୟ ମାନ୍ୟତା ପାଇଆସିଛି   । ତଥାପି ସେ ନିଜ ବୁଦ୍ଧି-ବିବେକ ଖଟାଇ କଳେ-ବଳେ-କୌଶଳେ କେତେବେଳେ ନିଜକୁ ଉଚ୍ଚତମ ଶିଖରରେ ଉପନୀତ କରାଉଛି ତ ପୁଣି କେତେବେଳେ ପତନର ଅତଳ ଗହ୍ୱରରେ ପତିତ କରାଉଛି   । ଜାଣତାରେ ହେଉ ଅବା ଅଜାଣତରେ   । ବାଲ୍ୟ କାଳରୁ ପାଠ କଲେ ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ କିନ୍ତୁ ବୁଦ୍ଧି ଖଟାଇଲେ ମଧ୍ୟ ବିଚାର ଅଭାବରେ ଆମେ କୁ-ଦିଗରେ ଯାଇ ଅସଫଳତାକୁ ଆମନ୍ତ୍ରିତ ମଧ୍ୟ କରୁ   । ମାନବ ଜାତିର ଇତିହାସରେ ଆମେ ଏଭଳି ଉଦାହରଣ ପାଇବା ନାହିଁ ଯିଏ କେବେ ଅସଫଳତାର ସ୍ୱାଦ ଚାଖିନଥିବ   । ତାହା ବିରାଟକାୟ ହେଉ କି
କ୍ଷୁଦ୍ରକାୟ   । କେହି କେହି ଅସଫଳତାର ଭୟରେ ଜୀବନର ସ୍ୱାଦ ଚାଖିବାରୁ ନିଜକୁ ନିବୃତ୍ତ କରିରଖନ୍ତି, ସେମାନେ ସଂସାରରେ ନିଜକୁ ଭୀରୁ, କାପୁରୁଷ, ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ କରାଇଦିଅନ୍ତି   । କିନ୍ତୁ ଉଚ୍ଚ ବୁଦ୍ଧି ସମ୍ପନ୍ନ, ସବଳ, ଉନ୍ନତ ମସ୍ତିଷ୍କଧାରୀ, ବିଚାରବନ୍ତ ମନୁଷ୍ୟ କେବେ ବି ଅସଫଳତାକୁ ନିଜର ହାର ମାନିନେଇ ପଛଘୁଞ୍ଚା ଦିଏନାହିଁ   । ସେ ଶତ ଚେଷ୍ଟା କରି, ପ୍ରୟାସ ଜାରି ରଖିଥାଏ   । ଅସଫଳତାର ସ୍ୱାଦ ଚାଖିବାପରେ ସେ ନିଜକୁ ଅାହୁରି ଦୃଢ ମଜଭୁତ୍ କରି ସୁସ୍ଥ ମସ୍ତିଷ୍କରେ ପ୍ରୟାସ କରେ   । ନୈତିକ, ଆଧ୍ୟାତ୍ମିକ, ଶାରୀରିକ, ବୌଦ୍ଧିକ ସବୁ ପ୍ରକାର ବଳ ଉପଯୋଗ କରି ସେ ଚରମ ଶିଖରରେ ଉପନୀତ ହେବାକୁ ଚେଷ୍ଟାକରେ ଓ ନିଶ୍ଚିତ ସଫଳତା ଲାଭ କରେ   ।
କାରଣ ଅସଫଳତା ତା ପାଇଁ ମହାନ ଶିକ୍ଷା ହୋଇଯାଏ   । କିନ୍ତୁ ଦୃଢ ଲକ୍ଷ୍ୟ ସମ୍ପନ୍ନ ବ୍ୟକ୍ତି ଲକ୍ଷ୍ୟ ପ୍ରାପ୍ତି ପାଇଁ ଅଧିକ ସକ୍ରିୟ ହୋଇଉଠନ୍ତି   । Failure doesnot mean you are a failure, it just mean you have not succeeded you.
ଆମେ ସମସ୍ତେ ଜାଣିଛେ- ଯତ୍ନେନ ସିଦ୍ଧିଃ   । ନୀତିକାରମାନେ କହିଛନ୍ତି- ଯତ୍ନେ କୃତେ ଯଦି ନ ସିଦ୍ଧ୍ୟତି କୋଽତ୍ର ଦୋଷଃ   । ଏହା ପଛରେ ଦୁଇଟି ଧାରଣା ରହୁଛି, ଗୋଟିଏ ନକାରାତ୍ମକ ଓ ଅନ୍ୟଟି ସକାରାତ୍ମକ   । ଦେଶ, କାଳ, ସଂସାଧନ ତଥା ଭାଗ୍ୟ ଓ ପରିସ୍ଥିିତି ଉପରେ ଦୋଷାରୋପଣ କରି ନିଜକୁ ବଞ୍ଚାଇବାର ପ୍ରୟାସ ଅନେକେ କରନ୍ତି   । ମୁଁ ତ ପୂର୍ଣ୍ଣ ପ୍ରୟାସ କରିଥିଲି କାମଟି ହେଲାନାହିଁ, ଏଥିରେ ମୋର ଦୋଷ କଣ ? ଏଭଳି ମନୋଭାବ ଆସିଥାଏ   । ଏହା ନକାରାତ୍ମକ ଭାବନା ଅଟେ   । କିନ୍ତୁ ସକାରାତ୍ମକ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସୂକ୍ଷ୍ମ ବିଚାର ବୁଦ୍ଧି ଉପଯୋଗ କରି କହେ, ମୋର କେଉଁଠି ଭୁଲ ରହିଯାଇଛି   । ସେ ନିଜକୁ ଦୋଷ ଦେଇ ସୂକ୍ଷ୍ମ ନିରୀକ୍ଷଣ ଜାରି ରଖେ କେଉଁଠି ଅଭାବ, ଅସୁବିଧା ବା କାରଣ ରହୁଛି   ।
ଅସଫଳତା ଆମର ପ୍ରକୃତ ସ୍ଥିତିକୁ ଭଲ ଭାବରେ ବୋଧ କରାଇଦିଏ   । ଏହାର କାରଣ ଅସାବଧାନୀ, ଦୁଃସମୟ, ଦୁର୍ଭାଗ୍ୟ ଯାହାକିଛି ବି ହେଉ ଆମକୁ ପ୍ରକୃତ ଅସ୍ତିତ୍ୱର, ଶତୃ-ମିତ୍ରର, ପର-ଅପଣାର, ଧୈର୍ଯ୍ୟ-ଅଧୈର୍ଯ୍ୟର ବୋଧକରାଇଥାଏ   । ପ୍ରକୃତ ଅନୁଭବ ବା ଉପଲବ୍ଧି କରାଇବା ଦ୍ୱାରା ଆମେ ସଚେତ ହେଉ, ପ୍ରତ୍ୟକ୍ଷ ଜ୍ଞାନ ଲାଭ କରୁ   । ଆତ୍ମ ବିଶ୍ଳେଷଣ ଓ ଆତ୍ମକେନ୍ଦ୍ରୀକ ତଥା ଆତ୍ମ ସମୀକ୍ଷାର ପଥ ଉନ୍ମୁକ୍ତ ହୋଇଯାଏ   । ତେଣୁ ଏଥିରେ ବିଚଳିତ ନ ହୋଇ ପରିବର୍ତ୍ତନଶୀଳ ସ୍ଥିତି, ଋତୁ ଆଦିକୁ ମନେ ପକାଇବାକୁ ହେବ   । ଭଗବାନ୍ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହଛନ୍ତି- ଆଗମାପାୟିନୋଽନିତ୍ୟାସ୍ତାଂସ୍ତିତିକ୍ଷସ୍ୱ ଭାରତ   ।
ପରିସ୍ଥିତି ପରିବର୍ତ୍ତନଶୀଳ, ଏଥିରେ ବିଚଳିତ ହେଲେ ସମାଧାନର ପଥ ଉନ୍ମୁକ୍ତ ହଏନାହିଁ ବରଂ ଆହୁରି ଜଟିଳ ହୋଇଯାଏ   । ନିର୍ଭୟ ହୋଇ କାରଣର ଅନ୍ୱେଷଣ କରିବାକୁ ପଡିବ   ।
ସ୍ୱାମୀ ବିବେକାନନ୍ଦ କହିଛନ୍ତି- ‘‘ସଫଳତା ଲାଭ କରିବାକୁ ହେଲେ ତିନୋଟି ପ୍ରଚଣ୍ଡ ଶକ୍ତିକୁ ଆୟତ୍ତ କରିବାକୁ ହେବ, ତାହା ହେଉଛି- ଇଚ୍ଛା, ବିଶ୍ୱାସ ଓ ପ୍ରତ୍ୟାଶା   ।’’
ସଫଳତାର ଦୃଢଇଚ୍ଛା ଆପେ ଆପେ ଆମକୁ ପ୍ରୟାସୀ କରାଇ ଲକ୍ଷ୍ୟ ପ୍ରାପ୍ତି ପଥରେ ଅଗ୍ରସର କରାଇବ   । ନିଷ୍ଠାପରତା ଓ ସମୟାନୁବର୍ତ୍ତିତା ଏହାର ୨ଟି ମୁଖ୍ୟ ଅସ୍ତ୍ର   । କାରଣ ନିଷ୍ଠାପର ଉଦ୍ୟମ, ଦୃଢ ଓ ନିରବଚ୍ଛିନ୍ନ ପ୍ରୟାସ ପ୍ରତ୍ୟେକ ଅସମ୍ଭବକୁ ସମ୍ଭବ କରିଦିଏ   । ଏହାର ବହୁତ ଉଦାହରଣ ଆମେ ପାଉ   । ଐତିହାସିକ ପର୍ଯ୍ୟାଲୋଚନାରୁ ଜାଣିବା ମାମୁଦ ଗଜନୀଙ୍କର ଦୀର୍ଘ୧୭ଥର ନିରବଚ୍ଛିନ୍ନ ପ୍ରୟାସ ତାଙ୍କୁ ସଫଳତା ପ୍ରାପ୍ତିରେ ସହାୟକ ହୋଇଥିଲା   । ଝାନ୍ସୀରାଣୀ ଲକ୍ଷ୍ମୀବାଈ ଦେଶମାତୃକାର ମୁକ୍ତି ପାଇଁ ଜୀବନ ଉତ୍ସର୍ଗ କରିଥିଲେ   । ସେ ନିଜେ ସଫଳ ହୋଇନଥିଲେ ମଧ୍ୟ ସଫଳତାର ପଥ ଉନ୍ମୁକ୍ତ କରାଇଥିଲେ   । ଏହିପରି ଛତ୍ରପତି ଶିବାଜୀ, ଗୁରୁ ଗୋବିନ୍ଦ ସିଂ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଦି ବହୁ ଉଦାହରଣ ପାଇପାରିବା   ।
ଭଗବାନ୍ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବଦ ଗୀତାର ୬ଷ୍ଠ ଅଧ୍ୟାୟରେ କହିଛନ୍ତି- ‘ଉଦ୍ଧରେଦାତ୍ମନାତ୍ମାନମ୍’ ନିଜେ ନିଜକୁ ରକ୍ଷାକର   । ଆତ୍ମପ୍ରେରଣା ବିନା ପ୍ରକୃତରେ ସଫଳତାର ସ୍ୱାଦ ଚାଖିବା ଅସମ୍ଭବ   । ତେଣୁ ଅସଫଳତାର ବିଷମୟ ପରିସ୍ଥିତିରୁ ନିଜକୁ ମୁକ୍ତ ରଖିବାକୁ ପଡିବ   ।
ପରୀକ୍ଷାରେ ଅସଫଳ ହେଲେ, ସାକ୍ଷାତକାରରେ ଚୟନ ନହେଲେ, ନିର୍ବାଚନରେ ପରାଜିତ ହେଲେ, ଜୀବନ ନିର୍ବାହକୁ ଅସନ୍ତୁଳିତ କରି ଅସଫଳ ହେଲେ, ବ୍ୟବସାୟରେ ଅସଫଳ ହେଲେ ଅଥବା ଯେ କୌଣସି ବିପରୀତ ପରିସ୍ଥିତିରେ ଆଶା କରୁଥିବା ଅବସ୍ଥା ବିପରୀତରେ ଆମେ ବିଚଳିତ ନ ହୋଇ ଧୈର୍ଯ୍ୟ ସହକାରେ ଆତ୍ମବିଶ୍ୱାସକୁ ଦୃଢ କରି “ଗତସ୍ୟ ଶୋଚନା ନାସ୍ତି” ନ୍ୟାୟରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ହେବ   । ଶାନ୍ତ ଓ ଅବିଚଳିତ ଭାବରେ ବୟୋଜ୍ୟେଷ୍ଠ ଅଭୀଜ୍ଞମାନଙ୍କ ପ୍ରଦର୍ଶିତ ମାର୍ଗ ଆପଣେଇ ନେଇ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ   । ନିଜ ଅସଫଳତାର କାରଣକୁ ବିଶ୍ଳେଷଣକରି, ଆତ୍ମ ସମୀକ୍ଷାକରି ନୂତନ ଧାରାରେ କାର୍ଯ୍ୟ ସମ୍ପାଦନ କରିବାକୁ ହେବ   ।
ଶୋକ, ଅଧୀର, ଚିନ୍ତା, ନିରାଶା, ବିଷାଦ ଆଦିରୁ ମୁକ୍ତ ରହି ଆତ୍ମବିଶ୍ୱାସରୂପୀ ଦିଗହରା ତରୀକୁ ଧୈର୍ଯ୍ୟରୂପୀ କାତ ସାହାଯ୍ୟରେ କୂଳକିନାରା ଦେବାକୁ ପଡିବ   । ଅନୁଶୋଚନା ନୁହେଁ ବରଂ ସଂକଳ୍ପାୟିତ ଭାବରେ ପଦକ୍ଷେପ ନେବା ଉଚିତ   । କଠୋପନିଷଦର ମହାବାକ୍ୟ ଅନୁସାରେ- “ଉତ୍ତିଷ୍ଠତ ପ୍ରାପ୍ୟ ବରାନ୍ନିବୋଧତ”– ବର୍ତ୍ତମାନ ଠାରୁ ଜାଗ୍ରତ ହୁଅ, ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଅଗ୍ରସର ହୁଅ   । ଏହାହିଁ ଆମ ସମସ୍ତଙ୍କର ଧ୍ୟେୟପଥ   ।

Be First to Comment

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.