Last updated on July 14, 2020
ଆର୍ଯ୍ୟ ଦେବଭୂମି ଭାରତର ଆଦର୍ଶ, ସଂସ୍କୃତି ଓ ଜୀବନର ବ୍ୟାବହାରିକ ପକ୍ଷ ଶ୍ରୀରାମଙ୍କ ଚରିତ ଗାଥା ଅନୁସନ୍ଧାନରୁ ଆମକୁ ପ୍ରାପ୍ତ ହୁଏ । ପିତା-ପୁତ୍ର, ଭାଇ-ଭାଇ, ପତି-ପତ୍ନୀ, ପାରିବାରିକ ସ୍ନେହ ମମତା ଓ ସମ୍ପର୍କର ଆଦର୍ଶ ସହ ପ୍ରଜାବତ୍ସଳତା, ରାଜଭକ୍ତି, ରାଜ୍ୟଶାସନ, ଧର୍ମ, ନ୍ୟାୟ, କର୍ମ, ଭକ୍ତି, ସଖା ପ୍ରୀତି, ସାମାଜିକ ଧର୍ମ, କର୍ତ୍ତବ୍ୟନିଷ୍ଠ ଆଦି ସମସ୍ତ ଗୁଣରେ ମହୀୟାନ୍ ସେହି ରାମଚରିତର ଆଦର୍ଶ ଯୁଗେ ଯୁଗେ ସମାଜର ଅନୁକରଣୀୟ ।
ଭାରତୀୟ ସଂସ୍କୃତିରେ ଶ୍ରୀରାମଙ୍କ ସ୍ଥାନ ଅପ୍ରତିମ । ଯେ କୌଣସି ଧର୍ମ, ସମ୍ପ୍ରଦାୟ ଅବା ପଥରେ ଶ୍ରୀରାମଙ୍କ ଆଦର୍ଶବାଦରେ କୌଣସି ମତବୈଭିନ୍ନ ନାହିଁ । ଶ୍ରୀରାମଙ୍କ ମନୁଷ୍ୟ ଅବତାରର ପ୍ରମୁଖ ଲକ୍ଷ୍ୟ ଥିଲା ରାକ୍ଷସ ଉପଦ୍ରବ ଓ ଅତ୍ୟାଚାରର ସମାପନ ତଥା ଦେବ ସଂସ୍କୃତିର ପୁନଃସ୍ଥାପନା । ଏଇଥିପାଇଁ ତ ତାଙ୍କର ବନଗମନ, ଯେଉଁଠାରେ ତାଙ୍କୁ କେବଳ ଋଷିମୁନିମାନଙ୍କର ସଂଶର୍ଗ ଓ ଆଶିଷ ନୁହେଁ ବରଂ ଜନସାମାନ୍ୟର ସହଯୋଗ ପ୍ରାପ୍ତି ହୋଇଥିଲା । ଭାଲୁ, ବାନର, ବନ, ପର୍ବତ, ପଶୁ, ପକ୍ଷୀ ସମସ୍ତେ ଶ୍ରୀରାମଙ୍କ ମିତ୍ର ହୋଇପାରିଥିଲେ । ପରସ୍ପର ପ୍ରତି ସୁସମ୍ପର୍କର ବନ୍ଧନ ଦୃଢ ହେବା ସହ ସମାଜରୁ ବିଦ୍ୱେଷ ଦୂର କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା ।
ଶ୍ରୀରାମଙ୍କ ଚରିତରେ ଗୋଟିଏ ପଟେ ଅହଲ୍ୟା, ଶବରୀ ଭଳି ନାରୀପାତ୍ର ପ୍ରତି କରୁଣା ଏବଂ ସମ୍ମାନ ଭାବନା, ଅନ୍ୟ ପଟେ ନିଷାଦରାଜ ଗୁହ, ସୁଗ୍ରୀବ, ବିଭୀଷଣ ଆଦିଙ୍କୁ ସଖା-ମାନ୍ୟତା ପ୍ରଦାନକରି ରାଜଧର୍ମର ଦାୟିତ୍ୱ ନିର୍ବହନ ପ୍ରସଙ୍ଗ ଉପଲବ୍ଧ ହୁଏ । ତେଣୁ ତ ଶ୍ରୀରାମଙ୍କ ଆଦର୍ଶ ଅନିନ୍ଦ୍ୟ, ଅନିର୍ବଚନୀୟ ଓ ଅନୁକରଣୀୟ ଅଟେ ।
ଶ୍ରୀରାମଚରିତ ଯୁଗ ଯୁଗରୁ ମାର୍ଗଦର୍ଶନ କଲାଭଳି ଦେବୀସୀତାଙ୍କ ପାତିବ୍ରତ୍ୟ ଧର୍ମ ମଧ୍ୟ ନାରୀମାନଙ୍କୁ ସତ୍ ମାର୍ଗ ପ୍ରଦର୍ଶନର ମାଧ୍ୟମ ହୋଇପାରିଛି । ସେ ନାରୀ ଜାତିର ଆଦର୍ଶ, ସମ୍ମାନୀୟା ଓ ବନ୍ଦନୀୟା । ଶ୍ରୀରାମ ପିତୃ ସ୍ନେହର ଔଜଲ୍ୟ ଉଦାହରଣ ଅଟନ୍ତି । ସେ ପିତୃ ଯଶ ରକ୍ଷା ନିମିତ୍ତ ସାଗ୍ରହ ବନବାସ ତଥା ୧୪ବର୍ଷ ନିଷ୍ଠା ପୂର୍ବକ ବିମାତାଙ୍କ ବଚନକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ।
ସମ୍ପ୍ରତି ସମାଜରେ ଭ୍ରାତୃପ୍ରୀତିର ଉଦାହରଣ ସ୍ୱରୂପ ଆମେ କଳେ-ବଳେ-କୌଶଳେ ସମସ୍ତ ସମ୍ପତ୍ତିକୁ ଆୟତ୍ତ କରିବା ତଥା ପ୍ରାଣ ନେବାକୁ ମଧ୍ୟ ପଛାଉନାହେଁ । କିନ୍ତୁ ଶ୍ରୀରାମ ଓ ଭରତଙ୍କର ଭ୍ରାତୃପ୍ରୀତି ମନେପକାଇଲେ ଜାଣିବା, ଅନୁଜ ଭରତ ଅଯୋଧ୍ୟା ଭଳି ଶ୍ରୀସମ୍ପନ୍ନ ରାଜ୍ୟକୁ ଏକ-ଅପରର ହିତ ଦୃଷ୍ଟିରୁ ତ୍ୟାଗ କରିଥିଲେ । ଚିତ୍ରକୂଟରେ ଶ୍ରୀରାମଙ୍କ ଦର୍ଶନ ପରେ ଭରତ ଅନାସକ୍ତ ଭାବରେ ପାଦୁକାକୁ ସିଂହାସନରେ ସ୍ଥାପନ ପୂର୍ବକ ଏକ ସେବକ ଭାବରେ ରାଜକାର୍ଯ୍ୟ ସମ୍ପାଦନ କରି ଫେରିବା ବାଟକୁ ଅନାଇ ବସିଥିଲେ । ସେହି ଚିତ୍ରକୂଟର ଗାଥା, ଭ୍ରାତୃପ୍ରେମର ନିବିଡତା ଓ ଅତୁଟ ବନ୍ଧନ, ଯୁଗ ଯୁଗ ପର୍ଯ୍ୟନ୍ତ ସେହି ଆଦର୍ଶକୁ ଉଜ୍ଜୀବୀତ କରି ରଖିଛି ଓ ରଖିବ ମଧ୍ୟ, ଯାହାକି ଏକ ସୁସ୍ଥ ସମାଜ ଗଠନ ନିିମିତ୍ତ ଏକାନ୍ତ ଅପରିହାର୍ଯ୍ୟ । କେବଳ ସେତିକି ନୁହେଁ ଆଜିର ପରିବାରକୁ ଟିକିଏ ଦୃଷ୍ଟି ଦେବା । ଆମ ସାହିତ୍ୟରୁ ପଦେ, କବି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କ ଲେଖା- “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର” । ଶ୍ରୀରାମଙ୍କର ପରିବାର ମଧ୍ୟରେ ଥିବା ଅତୁଟ ସ୍ନେହ-ମମତା ଆମ ସମସ୍ତଙ୍କର ଧ୍ୟେୟ ଓ ଆଚରଣୀୟ ।
ବନବାସ ସମୟରେ ଶବରୀ, କୈବଟ ଆଦିଙ୍କ ସହ ସମ୍ପର୍କ ମଧ୍ୟ ସମସ୍ତଙ୍କ ପାଇଁ ଆଚରଣୀୟ । ଶବରୀର ପ୍ରେମପୂର୍ବକ ସମର୍ପିତ ବଦରୀ ଫଳର ପ୍ରଶଂସା ଶ୍ରୀରାମଚରିତ ମାନସରେ ଏଭଳି ଆସେ- ମାନଉଁ ଏକ ଭଗତି କର ନାତା (୩/୩୫/୫) । ଶ୍ରୀରାମ ଚରିତରେ ମିତ୍ର ପ୍ରୀତିର ଉଦାହରଣ ମଧ୍ୟ ଆଜି ଆଦର୍ଶ ହୋଇ ରହିଛି । ଶୃଙ୍ଗବେରପୁରର ନିଶାଦରାଜ ଗୁହ, କିସ୍କିନ୍ଧା ରାଜା ସୁଗ୍ରୀବ ତଥା ଲଙ୍କାପତି ରାବଣର ଲଘୁଭ୍ରାତା ବିଭୀଷଣ- ଏହି ୩ଜଣ ମିତ୍ରରୂପେ ଆଗତ ହୋଇଥିଲେ । ତନ୍ମଧ୍ୟରୁ ନିଷାଦରାଜ ଗୁହ ନିଷ୍କାମ ଓ ନିସ୍ୱାର୍ଥ ରାମଭକ୍ତି ତଥା ମିତ୍ରପ୍ରୀତିର ଉଦାହରଣ ହୋଇଛନ୍ତି । କାରଣ ସୁଗ୍ରୀବ ରାଜ୍ୟ ତଥା ସ୍ତ୍ରୀ ପ୍ରାପ୍ତି ପାଇଁ ଓ ବିଭୀଷଣ ରାବଣର ଆତଙ୍କ ଓ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଶ୍ରୀରାମଙ୍କ ଶରଣ ନେଇଥିଲେ । ଉଭୟଙ୍କର କିଛି ଉଦ୍ଦେଶ୍ୟ ରହିଥିଲା । ସର୍ବୋପରି ଅନ୍ୟାୟର ବିନାଶ ହେବାସହ ସମସ୍ତେ ଶ୍ରୀରାମଙ୍କ କୃପା ପ୍ରାପ୍ତି ହୋଇ ଉପକୃତ ହେଲେ ଓ ନିଜ ନିଜର ନୂଆ ଜୀବନ ଆରମ୍ଭ କରିଥିଲେ ।
ଏହିଭଳି ଶ୍ରୀରାମଙ୍କ ଚରିତ ପୁତ୍ର, ସ୍ୱାମୀ, ବନ୍ଧୁ, ସଖା, ଭ୍ରାତୃ ଆଦି ସମସ୍ତ ସମ୍ପର୍କର ଆଦର୍ଶ ଯାହା ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି । ତେଣୁ କୁହାଯାଏ,
ରଘୁକୁଳ ରୀତି ସଦା ଚଲି ଆଈ । ପ୍ରାନ ଜାହୁଁ ବରୁ ବଚନ ନ ଜାଈ । । (ମାନସ-୨/୨୮/୪)
ନିଜ କୁଳର ମର୍ଯ୍ୟାଦାକୁ ପ୍ରଭୁ ରାମଚନ୍ଦ୍ର ଆଜୀବନ ରକ୍ଷାକରି ମର୍ଯ୍ୟାଦା ପୁରୁଷୋତ୍ତମ ନାମରେ ଅଭିଷିକ୍ତ ହୋଇଛନ୍ତି । ଆଦର୍ଶ ପାରିବାରିକ ଓ ସାମାଜିକ ସମ୍ବନ୍ଧର ଏହି ରାମ ଗାଥା ମାନବତାର ପାଥେୟ ହୋଇପାରିଲେ, ଉପଯୋଗିତାର ବୃଦ୍ଧି ହୋଇ ସମାଜରେ ଶାନ୍ତି-ମୈତ୍ରୀ ଓ ସମୃଦ୍ଧିର ବିଜୟ ବୈଜୟନ୍ତୀ ପ୍ରବାହିତ କରିବ ।
Be First to Comment