ଚତୁର୍ଥ ଅଧ୍ୟାୟ
କୁମାର ପରମେଶ୍ୱରଙ୍କୁ ପଚାରିଲେ— ‘ଜୀବନ୍ମୁକ୍ତ ଏବଂ ବିଦେହମୁକ୍ତଙ୍କର ସ୍ଥିତି କୁହନ୍ତୁ’ । ସେତେବେଳେ ସେହି ପରମଶିବ କହିଲେ—
‘ମୁଁ ଚିଦାତ୍ମା ଅଟେ, ମୁଁ ପରମାତ୍ମା ଅଟେ, ମୁଁ ନିର୍ଗୁଣ ଅଟେ, ମୁଁ ଅତୀତରୁ ମଧ୍ୟ ଅତୀତ ଅଟେ’— ଏହିଭଳି ଭାବରେ ଯେଉଁ ମନୁଷ୍ୟ କେବଳ ଆତ୍ମାରେ ହିଁ ଅବସ୍ଥାନ କରନ୍ତି, ସେ ଜୀବନ୍ମୁକ୍ତ ବୋଲାନ୍ତି । ‘ମୁଁ ସ୍ଥୂଳ-ସୂକ୍ଷ୍ମ-କାରଣ, ଏହି ଦେହତ୍ରୟରୁ ଭିନ୍ନ ଅଟେ, ମୁଁ ଶୁଦ୍ଧ ଚୈତନ୍ୟ ସ୍ୱରୂପ ଅଟେ, ମୁଁ ବ୍ରହ୍ମ ଅଟେ’— ଏପ୍ରକାର ଚିନ୍ତନ ଯାହାଙ୍କ ଅନ୍ତଃକରଣରେ ଅହରହ ହେଉଥାଏ, ସେ ଜୀବନ୍ମୁକ୍ତ ବୋଲାନ୍ତି । ‘ମୁଁ ଆନନ୍ଦରୂପ ଅଟେ, ମୁଁ ପରମାନନ୍ଦଘନ ଅଟେ’— ଏଭଳି ବିଚାରଦ୍ୱାରା ଯାହାଙ୍କର ଦେହ ଆଦି ସହିତ କୌଣସି ସମ୍ବନ୍ଧ ରହେନାହିଁ ଏବଂ ‘ମୁଁ ବ୍ରହ୍ମ ହିଁ ଅଟେ’ ଏହିଭଳି ଯାହାଙ୍କୁ ନିଶ୍ଚୟ ହୋଇସାରିଛି ଏବଂ ଯିଏ ପରମାନନ୍ଦରେ ପୂର୍ଣ୍ଣ ହୋଇଯାଇଛନ୍ତି, ତାଙ୍କୁ ‘ଜୀବନ୍ମୁକ୍ତ’ କୁହାଯାଏ । ଯାହାଙ୍କଠାରେ କୌଣସିପ୍ରକାର ‘ଅହଂଭାବ’ ନଥାଏ, ଯିଏ କେବଳ ଚିନ୍ମାତ୍ର ଭାବରେ ଅବସ୍ଥାନ କରନ୍ତି, ଯାହାଙ୍କ ଅନ୍ତରରେ କେବଳ ଚୈତନ୍ୟ ହିଁ ରମମାଣ ହେବାରୁ ଯିଏ କେବଳ ଚିନ୍ମାତ୍ରରୂପ ସ୍ୱରୂପଯୁକ୍ତ ହୋଇଥାନ୍ତି ।।1-4।।
ସେ ସର୍ବତ୍ର ବ୍ୟାପକ ପୂର୍ଣ୍ଣ ଆତ୍ମରୂପରେ ରହିଥାନ୍ତି, ସମସ୍ତ ବ୍ୟାପ୍ତ ପଦାର୍ଥସମୂହ ପରେ ମଧ୍ୟ ସେ ଅବଶେଷ ରହିଥାନ୍ତି । ସେ ନିଜର ଆନନ୍ଦରେ ହିଁ ପ୍ରେମଭାବ ରଖିଥାନ୍ତି । ସେ ଅବ୍ୟକ୍ତ ଅଟନ୍ତି, ପରିପୂର୍ଣ୍ଣ ଅଟନ୍ତି, ଚୈତନ୍ୟାତ୍ମକ ଅଟନ୍ତି, ଶୁଦ୍ଧ ଚୈତନ୍ୟ ସ୍ୱରୂପଯୁକ୍ତ ଅଟନ୍ତି, ସମସ୍ତପ୍ରକାର ଆସକ୍ତିରୁ ସେ ମୁକ୍ତ ଅଟନ୍ତି, ନିତ୍ୟାନନ୍ଦସ୍ୱରୂପ ଅଟନ୍ତି, ସର୍ବଦା ପ୍ରସନ୍ନ ରହନ୍ତି । ଆତ୍ମାତିରିକ୍ତ ଅନ୍ୟକୌଣସିଟି ବିଚାରରୁ ସେ ରହିତ ହୋଇଯାନ୍ତି । ଆତ୍ମାତିରିକ୍ତ ଅନ୍ୟ କୌଣସି ଅସ୍ତିତ୍ୱକୁ ସେ ସ୍ୱୀକାର କରନ୍ତି ନାହିଁ; ଯିଏ ଏଭଳି ମନୁଷ୍ୟ ହୋଇଥାନ୍ତି, ସେ ଜୀବନ୍ମୁକ୍ତ ବୋଲାନ୍ତି । ସେ ଏହିଭଳି ଚିନ୍ତନ କରିଥାନ୍ତି କି, ଏହି ଚିତ୍ତ, ଏହି ବୁଦ୍ଧି, ଏହି ଇନ୍ଦ୍ରିୟସମୂହ— ସବୁକିଛି ମୋର ନୁହେଁ । (ଆହୁରି ମଧ୍ୟ—) ।।5-7।।
ଦେହ କଦାପି ମୋର ନୁହେଁ, ପ୍ରାଣ ଆଦି ମୋର ନୁହଁନ୍ତି, ମାୟା ମୋର ନୁହେଁ, କାମନା ମୋର ନୁହେଁ, କ୍ରୋଧ ମୋର ନୁହେଁ, ମୁଁ ତ ସମସ୍ତଙ୍କଠାରୁ ଅତୀତ ଅଟେ । ଏ ସବୁ ଯାହାକିଛି ରହିଛି ସେସବୁ ମୋର ନୁହେଁ, କେହି ବି, କେଉଁଠାରେ ବି, କେବେ ବି ଏହି ଜଗତ୍ ମୋର ନୁହେଁ, ଦୋଷ ମୋର ନୁହେଁ, ଜାତି ଅଥବା ଚିହ୍ନ ମୋର ନୁହେଁ, ଆଖି ମୋର ନୁହେଁ, ମନ ମୋର ନୁହେଁ, କାନ ମଧ୍ୟ ମୋର ନୁହେଁ, ନାକ ମଧ୍ୟ ମୋର ନୁହେଁ, ଜିଭ ମୋର ନୁହେଁ, ଜାଗ୍ରତ ମୋର ନୁହେଁ, ସ୍ୱପ୍ନ ମଧ୍ୟ ମୋର ନୁହେଁ, ମୋର କାରଣ ଅଣୁ ମଧ୍ୟ ନୁହେଁ । ମୋର କୌଣସି ତୁରୀୟାବସ୍ଥା ମଧ୍ୟ ନାହିଁ— ଏଭଳି ଚିନ୍ତନ କରୁଥିବା ମନୁଷ୍ୟଙ୍କୁ ଜୀବନ୍ମୁକ୍ତ କହନ୍ତି । ସେ ଆଗକୁ ଚିନ୍ତନ କରୁଥାନ୍ତି କି, ଏସବୁ ଦୃଶ୍ୟମାନ ଯାହା କିଛି ବି ରହିଛି ସେ ସବୁ ମଧ୍ୟ ମୋର ନୁହେଁ ଏବଂ ତାହା ମଧ୍ୟ ମୋର ନୁହେଁ । (ଅର୍ଥାତ୍ ମୁଁ ନିର୍ଲେପ ଅଟେ) ।।8-11।।
କାଳ ମୋର ନୁହେଁ, ଦେଶ ମୋର ନୁହେଁ, ବସ୍ତୁ ମୋର ନୁହେଁ, ବୁଦ୍ଧି ମୋର ନୁହେଁ, ସ୍ନାନ ମୋର ନୁହେଁ, ସନ୍ଧ୍ୟା ମୋର ନୁହେଁ, ଦୈବ ମୋର ନୁହେଁ, ସ୍ଥଳ ମୋର ନୁହେଁ । ମୋର ତୀର୍ଥ ନୁହେଁ, ମୋର ସେବା ନୁହେଁ, ମୋର ଜ୍ଞାନ ନୁହେଁ, ମୋର ସ୍ଥାନ ନୁହେଁ, ମୋର ବନ୍ଧନ ନୁହେଁ, ମୋର ଜନ୍ମ ନୁହେଁ, ମୋର ବାକ୍ୟ ନୁହେଁ, ମୋର ସୂର୍ଯ୍ୟ ନୁହେଁ, ମୋର ପୁଣ୍ୟ ନୁହେଁ, ମୋର ପାପ ନୁହେଁ, ମୋର କାର୍ଯ୍ୟ ନୁହେଁ, ମୋର ଶୁଭ ନୁହେଁ, ମୋର ଜୀବ ନୁହେଁ, ମୁଁ ସ୍ୱୟଂ ଆତ୍ମା ଅଟେ, ଏହି ତିନି ଜଗତ୍-ରେ ମୋର କିଛି ବି ନାହିଁ । ମୋର ମୋକ୍ଷ ନୁହେଁ, ଦ୍ୱୈତ ମୋର ନୁହେଁ, ବେଦ ମୋର ନୁହେଁ, ବିଧି ମୋର ନୁହେଁ, ମୋ ପାଇଁ କିଛି ସମୀପ ଅଥବା ଦୂରବର୍ତ୍ତୀ ନୁହେଁ, ମୋର କୌଣସି ଜ୍ଞାନ ନୁହେଁ, ମୋର କୌଣସି ଏକାନ୍ତ ନୁହେଁ ।।12-15।।
ମୋର କେହି ଗୁରୁ ନୁହେଁ, କେହି ଶିଷ୍ୟ ନୁହେଁ, ମୋଠାରୁ କେହି ହାଲୁକା ଅଥବା ନିମ୍ନ ନୁହଁନ୍ତି, କେହି ଉଚ୍ଚ ମଧ୍ୟ ନୁହଁନ୍ତି, ମୋପାଇଁ କେହି ବ୍ରହ୍ମା ନୁହଁନ୍ତି, କେହି ବିଷ୍ଣୁ ନୁହଁନ୍ତି, କେହି ରୁଦ୍ର ନୁହଁନ୍ତି, କେହି ଚନ୍ଦ୍ର ନୁହଁନ୍ତି । ମୋର କୌଣସି ପୃଥିବୀ ନାହିଁ, କୌଣସି ଜଳ ନାହିଁ, କୌଣସି ବାୟୁ ନାହିଁ, ମୋର କୌଣସି ଆକାଶ ନାହିଁ । ମୋର କୌଣସି ଅଗ୍ନି ନାହିଁ, କୌଣସି ଗୋତ୍ର ନାହିଁ, କୌଣସି ଲକ୍ଷ୍ୟ ନାହିଁ, ମୋର କୌଣସି ସଂସାର ନାହିଁ । ମୋର କେହି ଧ୍ୟାତା ନାହାଁନ୍ତି, କେହି ଧ୍ୟେୟ ନାହାଁନ୍ତି, କେହି ଧ୍ୟାନ ନାହାଁନ୍ତି, ମୋର କୌଣସି ମନ୍ତ୍ର ନାହିଁ (ଅଥବା କାଳମାନ ନାହିଁ) । ମୋପାଇଁ କୌଣସି ଶୀତ ନାହିଁ, କୌଣସି ଉଷ୍ଣ ନାହିଁ, ମୋର କୌଣସି ତୃଷ୍ଣା ନାହିଁ, କୌଣସି କ୍ଷୁଧା ମଧ୍ୟ ନାହିଁ । ମୋର କେହି ମିତ୍ର ନାହାଁନ୍ତି, କେହି ଶତ୍ରୁ ମଧ୍ୟ ନାହାଁନ୍ତି । ମୋତେ କାହାରି ମୋହ ନାହିଁ, ମୋର କୌଣସି ବିଜୟ ନାହିଁ । ମୋପାଇଁ କୌଣସି ପୂର୍ବ ନାହିଁ, ପଶ୍ଚିମ ନାହିଁ, ଉପର ମଧ୍ୟ କିଛି ନାହିଁ, ଦିଗସମୂହ ମଧ୍ୟ ନାହିଁ ।।16-19।।
ମୋର କିଛି କହିବାକୁ ନାହିଁ, ଶୁଣିବାକୁ ମଧ୍ୟ କିଛି ନାହିଁ । କେଉଁଆଡ଼େ ଯିବାକୁ ନାହିଁ । କିଛି ଧ୍ୟାନ କରିବାକୁ ମଧ୍ୟ ମୋପାଇଁ ନାହିଁ । ମୋପାଇଁ କିଛି ଭୋଗ କରିବାକୁ ବି ନାହିଁ ଏବଂ ସ୍ମରଣୀୟ ମଧ୍ୟ କିଛି ନାହିଁ । ମୋର କୌଣସି ଭୋଗ ନାହିଁ, ରାଗ ନାହିଁ, କୌଣସି ଯୋଗ ନାହିଁ, କୌଣସି ଲୟ ମଧ୍ୟ ନାହିଁ । ମୋଠାରେ ମୂର୍ଖତା ନାହିଁ, ମୋର ଶାନ୍ତି ନାହିଁ, ମୋର କୌଣସି ବନ୍ଧନ ନାହିଁ, କେହି ମୋର ପ୍ରିୟ ନୁହଁନ୍ତି, କେହି ମୋର ଆନନ୍ଦ ନୁହଁନ୍ତି, କେହି ପ୍ରମୋଦ ନୁହଁନ୍ତି, କୌଣସି ସ୍ଥୂଳ ଏବଂ ଦୁର୍ବଳ-ପତଳା ମଧ୍ୟ ମୋର ନୁହଁନ୍ତି । ମୋର ନାଁ ଦୀର୍ଘ ରହିଛି, ନାଁ ହ୍ରସ୍ୱ ରହିଛି । ବୃଦ୍ଧି ମୋର ନୁହେଁ, କ୍ଷୟ ମଧ୍ୟ ମୋର ନୁହେଁ । ମୋଠାରେ କାହାରି ଅଧ୍ୟାରୋପ ହୁଏନାହିଁ, ମୋଦ୍ୱାରା କୌଣସି ଅପବାଦ ମଧ୍ୟ କରାଯାଏ ନାହିଁ । ମୁଁ ଏକ ନୁହେଁ କି ଅନେକ ନୁହେଁ ।।20-23।।
ମୋପାଇଁ କୌଣସି ଅନ୍ଧପଣ ନାହିଁ, କୌଣସି ମନ୍ଦତା ନାହିଁ । ମୋପାଇଁ ଯତ୍ କିଞ୍ଚିତ୍ କିଛି ଭଲ ମଧ୍ୟ ନାହିଁ । ମାଂସ ମୋର ନୁହେଁ, ରକ୍ତ ମୋର ନୁହେଁ, ଚର୍ବି ମୋର ନୁହେଁ, ହାଡ଼ ମୋର ନୁହେଁ, ଚର୍ମ ମୋର ନୁହେଁ, ଏହିଭଳି ଭାବେ ସପ୍ତଧାତୁ ମଧ୍ୟ ମୋର ନୁହେଁ । ଶ୍ୱେତ ମୋର ନୁହେଁ, ଲାଲ ମୋର ନୁହେଁ, ସବୁଜ ମୋର ନୁହେଁ । ତଥାପି ମଧ୍ୟ ମୋଠାରୁ କିଛି ପୃଥକ୍ ମଧ୍ୟ ନୁହେଁ । ମୋର ତାପ ନାହିଁ, ମୋର ଲାଭ ନାହିଁ, ମୋର ମୁଖ୍ୟ ନାହିଁ, ମୋର ଗୌଣ ନାହିଁ । ମୋର କେଉଁଠାରେ ବି ଭ୍ରାନ୍ତି ନାହିଁ, ସ୍ଥିରତା ମଧ୍ୟ ମୋର ନାହିଁ, ମୋପାଇଁ କୌଣସି ଗୋପନୀୟତା ନାହିଁ ଏବଂ ମୋର କୌଣସି କୁଳ ନାହିଁ । ମୋପାଇଁ କିଛି ତ୍ୟାଜ୍ୟ ମଧ୍ୟ ନୁହେଁ ଏବଂ ଗ୍ରାହ୍ୟ ମଧ୍ୟ ନୁହେଁ । ମୋର କୌଣସି ହାସ୍ୟ ନାହିଁ, ମୋର କୌଣସି ନୀତି ମଧ୍ୟ ନାହିଁ । ମୋର କୌଣସି ବର୍ତ୍ତନ ନାହିଁ ଏବଂ ମୋର କୌଣସି ଗ୍ଲାନି ନାହିଁ । ମୋପାଇଁ କେହି ଶିଷ୍ୟ ନୁହେଁ ଏବଂ ମୋର କୌଣସି ସୁଖ ନାହିଁ ।।24-27।।
ମୋର କେହି ଜ୍ଞାତା ନାହାଁନ୍ତି, ମୋର କୌଣସି ଜ୍ଞାନ ନାହିଁ, କେହି ଜ୍ଞେୟ ନାହାଁନ୍ତି, ମୁଁ ସ୍ୱୟଂ ହିଁ ଅଟେ । ମୋର କିଛି ତୁମପାଇଁ ନାହିଁ, ମୋର କିଛି ମୋପାଇଁ ମଧ୍ୟ ନାହିଁ, ମୋର ତୁମେ ନାହଁ, ମୋର ମୁଁ ମଧ୍ୟ ନାହିଁ । ମୋର ବୃଦ୍ଧତ୍ୱ ନାହିଁ, ମୋର ଶୈଶବ ମଧ୍ୟ ନାହିଁ, ମୋର କିଞ୍ଚିତ୍ ମାତ୍ରାରେ ଯୌବନ ମଧ୍ୟ ନାହିଁ । ‘ମୁଁ ବ୍ରହ୍ମ ଅଟେ, ମୁଁ ବ୍ରହ୍ମ ଅଟେ, ମୁଁ ବ୍ରହ୍ମ ଅଟେ’—ବାସ୍, ଏତିକି ନିଶ୍ଚୟ ଅଟେ । ମୁଁ ଚିତ୍ ସ୍ୱରୂପ ଅଟେ, ଚିଦ୍ରୂପ ହିଁ ଅଟେ ଏହିଭଳି ଯିଏ ଚିନ୍ତନ କରନ୍ତି, ସେ ଜୀବନ୍ମୁକ୍ତ ବୋଲାନ୍ତି । ମୁଁ ବ୍ରହ୍ମ ଅଟେ, ମୁଁ ଚିଦ୍ରୂପ ଅଟେ, ମୁଁ ସବୁଠାରୁ ଊର୍ଦ୍ଧ୍ୱରେ ସ୍ଥିତ ଅଟେ ଏଥିରେ କୌଣସି ଶଙ୍କା ନାହିଁ । ଏଭଳି ମନୁଷ୍ୟ ନିଜେ ହିଁ ନିଜଠାରେ ଅବସ୍ଥାନ କରିଥାଏ, ସେ ସ୍ୱୟଂ ହିଁ ହଂସରୂପରେ ନିଜ ମଧ୍ୟରେ ଅବସ୍ଥାନ କରେ । ସେ ସ୍ୱୟଂ ହିଁ ସ୍ୱୟଂକୁ ଦେଖୁଥାଏ, ସେ ନିଜର ଆତ୍ମରାଜ୍ୟରେ ହିଁ ସୁଖପୂର୍ବକ ଅବସ୍ଥାନ କରିଥାଏ ଏବଂ ସେ ସର୍ବଦା ଆତ୍ମାନନ୍ଦକୁ ଦେଖିଥାଏ (ଆତ୍ମାନନ୍ଦରେ ମଗ୍ନ ରହିଥାଏ), ତାହାକୁ ଜୀବନ୍ମୁକ୍ତ କୁହାଯାଏ ।।28-31।।
ଯିଏ ସ୍ୱୟଂ ଏକ ବୀର ଭଳି ଆଗକୁ ଅଗ୍ରସର ହୋଇଥାଏ, ସେ ପ୍ରଭୁ ବୋଲାଏ । ସେ ନିଜର ସ୍ୱରୂପରେ ହିଁ ଶୟନ କରିଥାଏ, ସେ ଜୀବନ୍ମୁକ୍ତ ବୋଲାଏ ।।32।।
ଯିଏ ବ୍ରହ୍ମରୂପ ହୋଇଯାଇଛି, ଅତ୍ୟନ୍ତ ଶାନ୍ତ ମନଯୁକ୍ତ ହୋଇଯାଇଛି, ବ୍ରହ୍ମାନନ୍ଦମୟ ହେବାପରେ ବି ଯିଏ ସୁଖୀ, ନିର୍ମଳ, ଅତ୍ୟନ୍ତ ମୌନବ୍ରତୀ ଅଟେ, ସେ ବିଦେହମୁକ୍ତ ହିଁ ଅଟେ । ଯିଏ ସମସ୍ତଙ୍କର ଆତ୍ମରୂପ ଅଟେ, ସମାନ ରୂପେ ଆତ୍ମା ଅଟେ ଏବଂ ‘ମୁଁ ଶୁଦ୍ଧାତ୍ମା ଅଟେ’— ଯିଏ ଏପ୍ରକାରର ଉତ୍ଥାନ ପ୍ରାପ୍ତକାରୀ ଅଟେ, ସେ ବିଦେହମୁକ୍ତ ହିଁ ଅଟେ । ଏକ ସଂଖ୍ୟା ରହିତ ତଥାପି ଏକସ୍ୱରୂପ ଅଟେ, ସର୍ବସ୍ୱରୂପ ଅଟେ, ଆତ୍ମାରାମ ଅଟେ, ସେ ଅଜନ୍ମା, ଅମର, ଅବ୍ୟୟ ଅଟେ । ଯିଏ ଆତ୍ମାକୁ ହିଁ ଲକ୍ଷ୍ୟରେ ରଖିଥାଏ ଏବଂ ସ୍ୱୟଂକୁ ତାହାରି ସ୍ୱରୂପ ବୋଲି ମନେକରେ, ଯିଏ ନୀରବରେ ଆତ୍ମସ୍ୱଭାବସ୍ଥ ଅଟେ, ଯିଏ ଆନନ୍ଦସ୍ୱରୂପ ଅଟେ, ପ୍ରିୟ-ଆତ୍ମା ମୋକ୍ଷାତ୍ମା ଅଟେ, ବନ୍ଧନରୁ ମୁକ୍ତ ଅଟେ, ‘ମୁଁ ବ୍ରହ୍ମ ହିଁ ଅଟେ’, ‘ମୁଁ ଚିଦ୍ରୂପ ହିଁ ଅଟେ’— ଏହିଭଳି ବିଚାର ସୁଦ୍ଧା କରାଯାଏ ନାହିଁ (ବିଚାରକୁ ମଧ୍ୟ ଛାଡ଼ି ଦିଆଯାଏ) । ଯିଏ ଏହିଭଳି ଚିନ୍ମାତ୍ରରେ ହିଁ ଅବସ୍ଥାନ କରନ୍ତି, ସେ ବିଦେହମୁକ୍ତ ହିଁ ଅଟନ୍ତି ।।33-37।।
‘ଏ ସବୁକିଛି ଅଛି ନାଁ ନାହିଁ ?’— ଏପ୍ରକାରର ଯେଉଁ ବିଚାର ଅଥବା ନିର୍ଣ୍ଣୟଗୁଡ଼ିକୁ ଛାଡ଼ି ଯିଏ ଅବସ୍ଥାନ କରନ୍ତି, ଏତିକି ନୁହେଁ, ମୁଁ ବ୍ରହ୍ମ ଅଟେ ଅବା ନାହିଁ— ଏହିଭଳି ବିଚାରସମୂହକୁ ଏବଂ ନିଶ୍ଚୟକୁ ମଧ୍ୟ ଛାଡ଼ି ଦିଅନ୍ତି, ଅର୍ଥାତ୍ ନିର୍ବିଚାର ହୋଇଯାନ୍ତି, ଏବଂ ନିଜର ଅନ୍ତଃକରଣକୁ କେବଳ ଆନନ୍ଦରେ ହିଁ ପୂର୍ଣ୍ଣ କରିଦିଅନ୍ତି, ସେ ବିଦେହମୁକ୍ତ ହିଁ ଅଟନ୍ତି । ଯିଏ କେବଳ ସଚ୍ଚିଦାନନ୍ଦମାତ୍ର ଅଟନ୍ତି, ଯିଏ କିଛି ବି, କେଉଁଠାରେ ବି, କେବେ ବି ଆତ୍ମାକୁ ସ୍ପର୍ଶ କରନ୍ତି ନାହିଁ, ଯିଏ ମୌନ ରହନ୍ତି ଏବଂ ଯିଏ ମୌନକୁ ହିଁ ସତ୍ୟ ମନେକରନ୍ତି (ସେ ବିଦେହମୁକ୍ତ ଅଟନ୍ତି) ।।38-40।।
ପରମାତ୍ମା ଗୁଣାତୀତ ଅଟନ୍ତି, ସେ ସର୍ବାତ୍ମା, ସର୍ବ ଭୂତଙ୍କର ରକ୍ଷକ ଅଟନ୍ତି । ତାଙ୍କଠାରେ ନାଁ ତ କାଳଭେଦ ରହିଛି, ନାଁ ବସ୍ତୁଭେଦ ରହିଛି, ନାଁ ଦେଶଭେଦ ରହିଛି ଅବା ନାଁ ତ କୌଣସି ସ୍ୱଗତଭେଦ ହିଁ ରହିଛି । କୌଣସି ପ୍ରକାରେ ବି ତାଙ୍କଠାରେ ଭେଦ ନାହିଁ । ତାଙ୍କଠାରେ ମୁଁ-ତୁମେ-ସେ-ଇଏ— ଏଭଳି କିଛି ବି ନାହିଁ । ସେ କାଳାତ୍ମା ହେବାପରେ ବି କାଳହୀନ ଅଟନ୍ତି, ସେ ଶୂନ୍ୟାତ୍ମା ଅଟନ୍ତି, ସୂକ୍ଷ୍ମାତ୍ମା ଅଟନ୍ତି, ବିଶ୍ୱାତ୍ମା ହେବାପରେ ବି ବିଶ୍ୱବିହୀନ ଅଟନ୍ତି । ସେ ଦେବାତ୍ମା ଏବଂ ଦେବହୀନାତ୍ମା ଉଭୟ ଅଟନ୍ତି । ମେୟାତ୍ମା-ପ୍ରମେୟସ୍ୱରୂପ ହେବାପରେ ବି ମେୟବର୍ଜିତ (ପ୍ରମେୟହୀନ) ଅଟନ୍ତି । ସେ ସର୍ବତ୍ର ଜଡ଼ହୀନ (ଚୈତନ୍ୟରୂପ) ଆତ୍ମା ଅଟନ୍ତି । ସେ ସମସ୍ତଙ୍କର ଅନ୍ତରାତ୍ମା ଅଟନ୍ତି । ସେ ସମସ୍ତ ସଂକଳ୍ପରୁ ରହିତ ସ୍ୱରୂପଯୁକ୍ତ ଅଟନ୍ତି । ସେହି ପୂର୍ବବର୍ଣ୍ଣିତ ଚିନ୍ମୟ ଆତ୍ମା ସର୍ବଦା ମୁଁ ହିଁ ଅଟେ ।।41-44।।
ମୁଁ କେବଳ ପରମାତ୍ମା ଅଟେ, କେବଳ ଜ୍ଞାନରୂପ ଶରୀରଯୁକ୍ତ ଅଟେ, କେବଳ ସତ୍ତା ହିଁ ମୋର ସ୍ୱରୂପ ଅଟେ ଏବଂ କୌଣସି ଜଗତ୍ ଭଳି ଭୟ ହିଁ ନାହିଁ । ‘ଜୀବ’ ଏବଂ ‘ଈଶ୍ୱର’— ଏଭଳି ବାଣୀ କାହିଁ ? ବେଦ ଏବଂ ଶାସ୍ତ୍ର ମୁଁ ହିଁ ଅଟେ । ମୁଁ ହିଁ ଏହି ଚୈତନ୍ୟ ଅଟେ । ଆରେ ! ‘ମୁଁ ଚୈତନ୍ୟ ଅଟେ’— ଏଭଳି ବିଚାର ମଧ୍ୟ ଯାହାଠାରେ ନାହିଁ, ସେ ବିଦେହମୁକ୍ତ ହିଁ ଅଟେ । ଯିଏ କେବଳ ଚୈତନ୍ୟରୂପରେ ହିଁ ସିଦ୍ଧ ହୋଇଛି, ନିଜ ଆତ୍ମାରେ ହିଁ ରମମାଣ କରୁଥାଏ, ସୁଖପୂର୍ବକ ବସିରହେ, ଅପରିମେୟ ଆତ୍ମସ୍ୱରୂପ ହୋଇଯାଏ, ସ୍ଥୂଳ-ସୂକ୍ଷ୍ମାଦିରୁ ଊର୍ଦ୍ଧ୍ୱକୁ ଉଠିଯାଏ, ତୁରୀୟର ମଧ୍ୟ ତୁରୀୟ ହୋଇଯାଏ, ସେ ବିଦେହମୁକ୍ତ ହିଁ ଅଟେ ।।45-48।।
ଯାହାର ସ୍ୱରୂପ ନାମ-ରୂପ ରହିତ ହୋଇସାରିଛି, ଯାହାର ଆତ୍ମା ଉତ୍କୃଷ୍ଟ ଜ୍ଞାନମୟ ହୋଇସାରିଛି, ଯିଏ ତୁରୀୟାତୀତ ସ୍ୱରୂପଯୁକ୍ତ ହୋଇସାରିଛି, ଯିଏ ଶୁଭ-ଅଶୁଭରୁ ଊର୍ଦ୍ଧ୍ୱକୁ ଉଠିସାରିଛି, ଯିଏ ଯୋଗରୂପ ଏବଂ ଯୋଗ ଯୁକ୍ତ ଆତ୍ମାଧାରୀ ଅଟେ, ଯାହାର କୌଣସି ବନ୍ଧନ ଏବଂ ମୋକ୍ଷ ନାହିଁ, ଯିଏ ଗୁଣ ଅବା ଅଗୁଣ ଉଭୟରୁ ରହିତ ଅଟେ, ଦେଶ ଏବଂ କାଳରୁ ରହିତ ଅଟେ, ସାକ୍ଷିତ୍ୱ ଏବଂ ଅସାକ୍ଷିତ୍ୱରୁ ମଧ୍ୟ ଅତୀତ ଅଟେ, ଯାହାର ଦୃଷ୍ଟିରେ ‘କିଛି-କିଛି’ ଏବଂ ‘କିଛି ନାହିଁ’ ଭଳି କୌଣସି କଥା ନାହିଁ, ଯାହାକୁ ନାଁ ତ ସଂସାରର ଧାରଣା ରହିଛି, ନାଁ ବ୍ରହ୍ମଙ୍କର ଧାରଣା ରହିଛି, କେବଳ ନିଜର ଜ୍ୟୋତିଦ୍ୱାରା ନିଜ ସ୍ୱରୂପରେ ଅବସ୍ଥାନ କରେ, ନିଜ ମଧ୍ୟରେ ହିଁ ରମମାଣ କରନ୍ତି, ଯେଉଁ ଆନନ୍ଦ ବାଣୀର ବିଷୟ ନୁହେଁ, ସେହି ବାଣୀ ଏବଂ ମନର ଭବିଷ୍ୟତ ଯିଏ ଅଟେ (ତାହା ବିଦେହମୁକ୍ତି ହିଁ ଅଟେ) ।।49-52।।
ଯିଏ ଚିତ୍ତ ବୃତ୍ତିସମୂହରୁ ଊର୍ଦ୍ଧ୍ୱରେ ସ୍ଥିତ, ଯିଏ ଚିତ୍ତର ବୃତ୍ତିସମୂହର ପ୍ରକାଶକ ହୋଇଯାଇଛି, ଯିଏ ସ୍ୱୟଂ ସମସ୍ତ ଚିତ୍ତବୃତ୍ତିଗୁଡ଼ିକରୁ ରହିତ ଅଟେ, ସେ ବିଦେହମୁକ୍ତ ହିଁ ଅଟେ । ସେ ସମୟରେ ‘ମୁଁ ବିଦେହମୁକ୍ତ ଅଟେ’— ଏଭଳି ଜ୍ଞାନଦ୍ୱାରା ତାହାର ଦେହଜ୍ଞାନ ରହେନାହିଁ । ସେ କେବଳ ଏତିକିମାତ୍ର ସ୍ମରଣ ରଖେ କି ସେ ସମସ୍ତଙ୍କ ସହିତ ଅବସ୍ଥାନ କରୁଛି । ତଥାପି ମଧ୍ୟ ତାହାକୁ ବାହାର ଲୋକମାନେ ଜାଣିପାରନ୍ତି ନାହିଁ । ସେ ସ୍ୱୟଂ ତ ଆନନ୍ଦରୂପ ଏବଂ ଚୈତନ୍ୟମୟ ହୋଇଥାଏ । ତାହାର ଆତ୍ମା ବାହ୍ୟ ରୂପଦ୍ୱାରା ଦେଖାଯାଇ ନଥାଏ । ସେ ସର୍ବ ବେଦାନ୍ତର ବିଷୟ ଅଟେ । ତାକୁ ଅଧୁନା ବ୍ରହ୍ମରୂପ ଅମୃତରସର ସ୍ୱାଦ ଅନୁଭବ ହେବାକୁ ଲାଗିଲା । ସେ ଯେପରି ବ୍ରହ୍ମରୂପ ଅମୃତରସର ଆଶ୍ରୟ ହୋଇଗଲା ।।53-56।।
ସେହି ବିଦେହମୁକ୍ତ ବ୍ରହ୍ମାନନ୍ଦରସରେ ଆସକ୍ତ ହୋଇ ସ୍ୱୟଂ ବ୍ରହ୍ମାତ୍ମକରସ ହୋଇଯାଏ । ବ୍ରହ୍ମାମୃତରସରେ ଡୁବିଯାଇ ସେ ବ୍ରହ୍ମାନନ୍ଦରସର ହିଁ ଶିବାର୍ଚ୍ଚନ କରେ । ବ୍ରହ୍ମାମୃତରସଦ୍ୱାରା ସେ ତୃପ୍ତ ହୋଇଯାଏ, ବ୍ରହ୍ମାନନ୍ଦରସର ଅନୁଭବ କରିଥାଏ । ବ୍ରହ୍ମାନନ୍ଦରୂପ ମଙ୍ଗଳକାରୀ ତାହାର ଆନନ୍ଦ ହୋଇଥାଏ, ବ୍ରହ୍ମାନନ୍ଦରସ ହିଁ ତାହାର ତେଜ ହୋଇଥାଏ । ସେହି ବ୍ରହ୍ମାନନ୍ଦରୂପ ପରମ ଜ୍ୟୋତିର ଅନୁଭବ କରୁଥାଏ । ସେ ନିରନ୍ତର ବ୍ରହ୍ମାନନ୍ଦରେ ବ୍ୟାପ୍ତ ରହିଥାଏ, ବ୍ରହ୍ମାନନ୍ଦ ରସ ରୂପ ଅନ୍ନକୁ ହିଁ ସେ ଭୋଜନ କରିଥାଏ । ବ୍ରହ୍ମାନନ୍ଦ ହିଁ ତାହାର କୁଟୁମ୍ବ ହୋଇଥାଏ । ସେ ବ୍ରହ୍ମାନନ୍ଦରସରେ ଆରୂଢ଼ ରହିଥାଏ । ବ୍ରହ୍ମାନନ୍ଦରୂପ ଏକ ସମାନ ରସଦ୍ୱାରା ସେ ପରିପୂର୍ଣ୍ଣ ରହିଥାଏ । ବ୍ରହ୍ମାନନ୍ଦର ରସକୁ ସେ ବହନ କରିଥାଏ । ସେ ବ୍ରହ୍ମାନନ୍ଦ ରସରେ ପରିପୂର୍ଣ୍ଣ ରହିଥାଏ ।।57-60।।
ସେ ବ୍ରହ୍ମାନନ୍ଦରୂପ ଲୋକମାନଙ୍କ ସହିତ ରହିଥାଏ, ସେ ବ୍ରହ୍ମାନନ୍ଦରୂପ ଆତ୍ମାରେ ଅବସ୍ଥିତ ଅଟେ, ତା’ପାଇଁ ଏ ସବୁକିଛି ଆତ୍ମରୂପ ହିଁ ଅଟେ, ଆତ୍ମାଠାରୁ ଅତିରିକ୍ତ କିଛି ହିଁ ନୁହେଁ । ଏ ସବୁକିଛି ଆତ୍ମା ହିଁ ଅଟେ ଏବଂ ମୁଁ ସେହି ଆତ୍ମା ଅଟେ, ମୁଁ ହିଁ ସବୁଠାରୁ ଅତୀତ ପରମାତ୍ମା ଅଟେ । ସେହି ଆତ୍ମା ନିତ୍ୟ ଆନନ୍ଦସ୍ୱରୂପ ହିଁ ଅଟେ ଏବଂ ଏଭଳି ଆତ୍ମା ଯୁକ୍ତ ସେହି ମନୁଷ୍ୟ ବିଦେହମୁକ୍ତ ହିଁ ଅଟେ । ସେ ପୂର୍ଣ୍ଣରୂପେ ମହାନ୍ ଆତ୍ମା ଅଟେ, ସେ ପ୍ରସନ୍ନ ଆତ୍ମା ଅଟେ । ସେ ଶାଶ୍ୱତରୂପ ଆତ୍ମା ଅଟେ, ସେ ସର୍ବାନ୍ତର୍ଯ୍ୟାମୀ ଅଟେ, ସେ ବିଶୁଦ୍ଧ ଅଟେ, ସେ ଆତ୍ମଭାବରୁ ରହିତ ଅଟେ । ସେ ନିର୍ବିକାରସ୍ୱରୂପ ଅଟେ । ସେ ଶୁଦ୍ଧାତ୍ମା, ଶାନ୍ତସ୍ୱରୂପ, ଶାନ୍ତ-ଅଶାନ୍ତସ୍ୱରୂପାତ୍ମକ, ଅନେକ ଆତ୍ମାର ଭାବନାରୁ ରହିତ ଅଟେ ।।61-64।।
ସେ ଜୀବାତ୍ମା ଏବଂ ପରମାତ୍ମାଙ୍କର ଭେଦ ଭଳି ସମସ୍ତ ଚିନ୍ତା (ବିକାରସମୂହ)ରୁ ପୂର୍ଣ୍ଣ ମୁକ୍ତ ହୋଇଥାଏ । ସେ ମୁକ୍ତାମୁକ୍ତ ଉଭୟ ସ୍ୱରୂପଯୁକ୍ତ ହେବାପରେ ମଧ୍ୟ ସେହି ଉଭୟ ମୁକ୍ତ-ଅମୁକ୍ତ ସ୍ୱରୂପରୁ ରହିତ ଅଟେ । ସେ ବନ୍ଧ-ମୋକ୍ଷ ଉଭୟ ସ୍ୱରୂପଯୁକ୍ତ ହେବାପରେ ବି ସେହି ଉଭୟ (ବନ୍ଧନ ଏବଂ ମୋକ୍ଷ)ରୁ ରହିତ ଅଟେ । ସେ ଦ୍ୱୈତ-ଅଦ୍ୱୈତ ସ୍ୱରୂପୀ ହେବାପରେ ବି ସେହି ଦ୍ୱୈତ-ଅଦ୍ୱୈତରୁ ରହିତ ଅଟେ । ସେ ସର୍ବ-ଅସର୍ବ ଉଭୟ ରୂପ ହେବାପରେ ବି ସର୍ବ-ଅସର୍ବରୁ ରହିତ ଅଟେ । ସେ ମୋଦାତ୍ମକ-ପ୍ରମୋଦାତ୍ମକ ହେବାପରେ ବି ମୋଦାଦିରୁ ରହିତ ଅଟେ । ସେ ସମସ୍ତ ସଂକଳ୍ପରୁ ରହିତ ହୋଇଥାଏ । ଏହିଭଳି ସେ ବିଦେହମୁକ୍ତ ହିଁ ହୋଇଥାଏ । ସେ ଅଂଶରହିତ ଅଟେ, ସେ ବିଶୁଦ୍ଧ ହିଁ ଅଟେ, ସେ ବୁଦ୍ଧ ଅଟେ ଏବଂ ପୁରୁଷାତ୍ମା ଅଟେ ।।65-68।।
ଆହୁରି ମଧ୍ୟ ସେ ତଥାକଥିତ ଆନନ୍ଦରୁ ରହିତ ସ୍ୱରୂପଯୁକ୍ତ, ଅମୃତସ୍ୱରୂପ ଏବଂ ଅମୃତର ମଧ୍ୟ ଆତ୍ମା, ତିନିକାଳର ସ୍ୱରୂପ ହେବାପରେ ବି ତିନିକାଳରୁ ରହିତ ଅଟେ । ସେ ଅଖିଳାତ୍ମା ଅଟେ, ଅମେୟାତ୍ମା ଅଟେ – ଅସୀମ ଅଟେ, ସେ ସମସ୍ତ ପ୍ରମାଣର ମଧ୍ୟ ଆତ୍ମା ଅଟେ, ସେ କୌଣସି ପ୍ରମାଣଦ୍ୱାରା ଗମ୍ୟ ନୁହେଁ । ସେ ସର୍ବଦା ପ୍ରତ୍ୟକ୍ଷ ଅଟେ ଏବଂ ସର୍ବଦା ପ୍ରତ୍ୟକ୍ଷର ନିର୍ଣ୍ଣୟ ମଧ୍ୟ ଅଟେ । ସେ ଅନନ୍ୟ ସ୍ୱଭାବଯୁକ୍ତ ଅଟେ, ସେ ଅନନ୍ୟ ସ୍ୱୟଂପ୍ରକାଶରୂପ ଅଟେ । ବିଦ୍ୟା-ଅବିଦ୍ୟା ଆଦି ସୀମିତ ବସ୍ତୁସମୂହର ସେ ଆତ୍ମା ଅଟେ, ତଥାପି ମଧ୍ୟ ସ୍ୱୟଂ ବିଦ୍ୟା ଏବଂ ଅବିଦ୍ୟାରୁ ବର୍ଜିତ ଅଟେ । ତାହାକୁ ନାଁ ନିତ୍ୟ କୁହାଯାଇପାରିବ ଆଉ ନାଁ ଅନିତ୍ୟ । ତାଠାରେ ଅତ୍ର-ତତ୍ରର କୌଣସି ସ୍ଥଳଭେଦ ନାହିଁ । ଶମଦମାଦି ଷଟ୍ ସମ୍ପତ୍ ତାଠାରେ ନାହିଁ, ତାଠାରେ ମୁମୁକ୍ଷୁତ୍ୱ ମଧ୍ୟ ନାହିଁ ।।69-72।।
ସେହି ବିଦେହମୁକ୍ତର ଆତ୍ମା ସ୍ଥୂଳ ଦେହରୁ, ସୂକ୍ଷ୍ମ ଦେହରୁ, କାରଣ ଦେହରୁ ଏବଂ ତୁରୀୟ ଦେହରୁ ମଧ୍ୟ ଭିନ୍ନ ହିଁ ଅଟେ । ତାହା ଅନ୍ନମୟ କୋଶରୁ ରହିତ, ପ୍ରାଣମୟ କୋଶରୁ ରହିତ, ମନୋମୟ କୋଶରୁ ରହିତ ଏବଂ ବିଜ୍ଞାନମୟ କୋଶ ଆଦିରୁ ମଧ୍ୟ ରହିତ ଅଟେ । ସେ ଆନନ୍ଦମୟ କୋଶରୁ ମଧ୍ୟ ରହିତ ଅଟେ, ଅର୍ଥାତ୍ ପଞ୍ଚକୋଶସମୂହରୁ ରହିତ ଅଟେ । ସେ ନିର୍ବିକଳ୍ପସ୍ୱରୂପ ଆତ୍ମାଯୁକ୍ତ ହୋଇଥାଏ, ସବିକଳ୍ପକାତ୍ମକତାରୁ ସେ ରହିତ ଅଟେ । ଆହୁରି ମଧ୍ୟ ସେହି ବିଦେହମୁକ୍ତର ଆତ୍ମା ଦୃଶ୍ୟ ସହିତ ଯୁକ୍ତ ହୋଇ ରହିନଥାଏ । କୌଣସି ଶବ୍ଦ ସହିତ ମଧ୍ୟ ତାହା ସମ୍ବନ୍ଧିତ ନୁହେଁ । ତାହା ସର୍ବଦା ସମାଧିଶୂନ୍ୟ ରହିଥାଏ ଏବଂ ତାହା ଆଦି-ମଧ୍ୟ-ଅନ୍ତ ରହିତ ହୋଇଥାଏ ।।73-76।।
ସେହି ବିଦେହମୁକ୍ତର ସ୍ୱରୂପ ‘ପ୍ରଜ୍ଞାନଂ ବ୍ରହ୍ମ’ ଉକ୍ତ ମହାବାକ୍ୟରୁ ରହିତ, ‘ଅହଂ ବ୍ରହ୍ମାସ୍ମି’ ଉକ୍ତ ମହାବାକ୍ୟରୁ ରହିତ, ‘ତତ୍ତ୍ୱମସି’ ଆଦି ମହାବାକ୍ୟରୁ ରହିତ ଏବଂ ‘ଅୟମାତ୍ମା ବ୍ରହ୍ମ’ ଏହି ମହାବାକ୍ୟରୁ ମଧ୍ୟ ରହିତ ଅଟେ । ତାହାର ସ୍ୱରୂପ ଓଁକାର ଦ୍ୱାରା ବାଚ୍ୟ ନୁହେଁ, କାହିଁକି ନାଁ ତାହା ସମସ୍ତ ବାଚ୍ୟ ଶବ୍ଦରୁ ହୀନ ଅଟେ । ଜାଗ୍ରତ୍-ସ୍ୱପ୍ନ-ସୁଷୁପ୍ତି ଏହି ତିନିଗୋଟି ଅବସ୍ଥା ତାହାର ନୁହେଁ । ତାହା ଅକ୍ଷର-ଅକ୍ଷୟ ସ୍ୱରୂପ ଅଟେ, ଚିଦ୍ରୂପ ଅଟେ । ଏବଂ ତାହା ଆତ୍ମରୂପରେ ‘ଜ୍ଞେୟ’ ନୁହେଁ । ଯାହାକିଛି ବି ରହିଛି, ତାହା ତାହାର ସ୍ୱରୂପ ଅଟେ । ତାହା ଦୃଶ୍ୟ ଏବଂ ଅଦୃଶ୍ୟରୁ ରହିତ ଅଟେ— ସେହି ବିଦେହମୁକ୍ତ ଏହିଭଳି ହୋଇଥାଏ । ତୁମେ ଆତ୍ମାକୁ ହିଁ ଦେଖିଚାଲ । ହେ କାର୍ତ୍ତିକ ସ୍ୱାମୀ ! ନିଜ ଆତ୍ମାକୁ ହିଁ ଜ୍ଞାନ ପ୍ରଦାନ କର । ନିଜ ଆତ୍ମାକୁ ହିଁ ତୁମେ ଭୋଗ କର ଏବଂ ସ୍ୱସ୍ଥ ରୁହ । ନିଜ ଆତ୍ମାରେ ହିଁ ତୁମେ ତୃପ୍ତ ହୋଇଯାଅ । ନିଜ ଆତ୍ମାରେ ହିଁ ବିଚରଣ କର । ଆତ୍ମାରୁ ହିଁ ଆନନ୍ଦ ନିଅ ଆଉ ତୁମେ ମଧ୍ୟ ସେହିଭଳି ବିଦେହମୁକ୍ତ ହୋଇଯାଅ ।’ ଏହା ଉପଦେଶ ଅଟେ ।।77-81।।
ଚତୁର୍ଥ ଅଧ୍ୟାୟ ସମାପ୍ତ
କ୍ରମଶଃ …