କୃଷ୍ଣଙ୍କ ନାମକରଣ ଏବଂ ତାଙ୍କର ମଧୁର ଲୀଳା-୩

ଯଶୋଦାଙ୍କ କଥା ଶୁଣି ଗୋପୀମାନେ କହିଲେ— ହେ ଭଗବାନ୍ ! ଆପଣଙ୍କ ପୁତ୍ର ଯେଉଁ ଘରକୁ ଯାଏ, ସେ ଘରେ କ’ଣ କେବେ ଅନ୍ଧକାର ରହିପାରିବ ? ତାହାର ଅଙ୍ଗ ଜ୍ୟୋତିରେ ଅନ୍ଧକାର ଘର ମଧ୍ୟ ଆଲୋକିତ ହୋଇଉଠେ  । ତା’ଛଡ଼ା ଆପଣ ତା’ ଶରୀର ଉପରେ ନାନାପ୍ରକାର ମଣି-ମାଣିକ ଆଦି ଅଳଙ୍କାର ପିନ୍ଧାଇଦିଅନ୍ତି  । ଆପଣଙ୍କ ପୁତ୍ରର ଅଙ୍ଗଜ୍ୟୋତିରେ ଏ ସମସ୍ତ ଆଭୂଷଣ ଆହୁରି ଜ୍ୟୋତିର୍ମୟ ହୋଇଉଠେ ତଥା ଅନ୍ଧକାର ଗୃହରେ ପ୍ରଦୀପର କାର୍ଯ୍ୟ କରେ, ସେହି ଜ୍ୟୋତିଦ୍ୱାରା ଘରେ କେଉଁ ବସ୍ତୁ କେଉଁଠାରେ ଅଛି, ତାହାକୁ ସେ ସହଜରେ ଦେଖିପାରେ  । ଅତଃ ଆପଣଙ୍କ ପୁତ୍ର ହାତରୁ ଆମେମାନେ ଦୁଗ୍ଧ ଲବଣୀକୁ ବଞ୍ଚାଇ ରଖିବାର କୌଣସି ଉପାୟ ହିଁ ନାହିଁ  । ଆପଣ ଆପଣଙ୍କ ପୁତ୍ରକୁ କାହିଁକି ଏତେ ଅଳଙ୍କାରରେ ସଜ୍ଜିତ କରନ୍ତି, ଆମକୁ କୁହନ୍ତୁ  । ସାଧାରଣତଃ ଲୋକମାନେ ସୌନ୍ଦର୍ଯ୍ୟ-ବୃଦ୍ଧି ନିମନ୍ତେ ଆଭୂଷଣର ବ୍ୟବହାର କରନ୍ତି, ହେଲେ ଆପଣଙ୍କ ପୁତ୍ର ଏତେ ସୁନ୍ଦର ଯେ, ରତ୍ନାଳଙ୍କାର ପିନ୍ଧାଇ ତା’ର ସୌନ୍ଦର୍ଯ୍ୟତାକୁ ଆଉ ବୃଦ୍ଧି କରାଯାଇ ପାରିବ ନାହିଁ ବରଂ କୃଷ୍ଣର ଅଙ୍ଗ ସାନ୍ନିଧ୍ୟ କାରଣରୁ ଅଳଙ୍କାରର ଶୋଭା ଦ୍ୱିଗୁଣିତ ହୋଇଯାଏ  । ବୋଧହୁଏ ଅଳଙ୍କାର ଗୁଡ଼ିକର ଶୋଭା ବଢ଼ାଇବାପାଇଁ ଆପଣ ତାକୁ ଅଳଙ୍କାର ପିନ୍ଧାଇଥାନ୍ତି  । ଏଥିରୁ ପ୍ରତୀତ ହେଉଛି କି, ପୁତ୍ରକୁ ଚୋରି କରିବାରେ ସହାୟତା କରିବାପାଇଁ ଆପଣ ତା’ ଶରୀରରେ ରତ୍ନାଳଙ୍କାର ପିନ୍ଧାଇ ଦିଅନ୍ତି  । ଆଭୂଷଣ ପିନ୍ଧାଇବାର ଆଉ ଏକ କାରଣ ମଧ୍ୟ ଥାଇପାରେ, ଆପଣ ବୋଧହୁଏ କହିବାକୁ ଚାହାଁନ୍ତି— ଯାହା ପାଖରେ ଏତେ ରତ୍ନାଳଙ୍କାର ରହିଛି, ସେ କ’ଣ କେବେ ଚୋରି କରିପାରେ ? ପୁତ୍ରର ଅଝଟପଣ ବିଷୟରେ ଆହୁରି ଶୁଣନ୍ତୁ ।
ଏବଂ ଧାର୍ଷ୍ଟ୍ୟାନ୍ୟୁଶତି କୁରୁତେ ମେହନାଦୀନି ବାସ୍ତୌ ।
ସ୍ତେୟୋପାୟୈର୍ବିରଚିତକୃତିଃ
ସୁପ୍ରତୀକୋ ଯଥାଽଽସ୍ତେ ।।10-8-31। । (ପୂର୍ବାର୍ଦ୍ଧ)
ହେ ଯଶୋଦା ! ଆପଣଙ୍କର ଏହି ପୁତ୍ର ଚୋରି କରିବା କଳାର ନିପୁଣ ଅଟେ ଆଉ ନାନାପ୍ରକାରର ଉତ୍ପାତ କରିଥାଏ  । କେବଳ ଏତିକି ନୁହେଁ ! ବେଳେବେଳେ ସେ କ୍ରୋଧିତ ହୋଇ ଆମମାନଙ୍କ ଘରେ ମଳ-ମୂତ୍ରାଦି ମଧ୍ୟ ତ୍ୟାଗ କରିଦିଏ  । ଯଶୋଦା ! ଆପଣଙ୍କ ପୁତ୍ରର ଧୃଷ୍ଟତା ଦେଖି ଆମେସବୁ ନ ହସି ରହିପାରୁ ନାହିଁ  । ଆମେସବୁ ବିଚାର କରୁ କି, ଏତେ ଅଳ୍ପ ବୟସରେ ଏତେ ବୁଦ୍ଧି ଆଉ କୌଶଳ ସେ କିପରି ଶିଖିପାରିଛି ?
ଇତ୍ଥଂ ସ୍ତ୍ରୀଭିଃ ସଭୟନୟନ ଶ୍ରୀମୁଖାଲୋକିନୀଭିର୍ବ୍ୟା
ଖ୍ୟାତାଥା ପ୍ରହସିତମୁଖୀ ନ ହ୍ୟୁପାଳବ୍-ଧୁମୈଚ୍ଛତ୍ ।।10-8-31। । (ଉତ୍ତରାର୍ଦ୍ଧ)
ଗୋପୀମାନେ କହୁଛନ୍ତି ଯଶୋଦା ! ଦେଖ; କୃଷ୍ଣ ଏବେ କେଉଁଭଳି ଭଲପିଲା ପରି ଆପଣଙ୍କ କୋଳରେ ବସିଛି ! ଗୋପୀମାନେ ଏହିଭଳି ଯଶୋଦା-ନନ୍ଦନଙ୍କର ବାଳସୁଲଭ ଚପଳତାର ବର୍ଣ୍ଣନା କରି ଭୟଭୀତ କୃଷ୍ଣଙ୍କ ମୁଖକୁ ଅପଲକ ନୟନରେ ଚାହିଁରହିଲେ  । କୃଷ୍ଣ ଭୟଭୀତ ହୋଇଯିବାର ଦେଖି ଗୋପୀମାନେ ଯଶୋଦାଙ୍କୁ ଆଉ କିଛି ବି କହିଲେ ନାହିଁ  । ଗୋପୀମାନଙ୍କର କଥା ଶୁଣି ଯଶୋଦା ହସିପକାଇଲେ ସତ ହେଲେ ପୁତ୍ରକୁ ଭୟଭୀତ ଦେଖି ଆଦୌ କ୍ରୋଧିତ ହେଲେନାହିଁ  ।
କୃଷ୍ଣ ସମବୟସର ବାଳକଙ୍କ ସହିତ କ୍ରୀଡ଼ାରତ ଥାନ୍ତି  । ଦିନେ କୃଷ୍ଠଙ୍କୁ ଖେଳରେ ବାରମ୍ବାର ପରାଜିତ ହେଉଥିବାର ଦେଖି ଅନ୍ୟ ବାଳକଗଣ ଖୁବ୍ ଆନନ୍ଦ ହେଲେ, ଫଳରେ କୃଷ୍ଣ କ୍ରୋଧିତ ହୋଇ ମାଟି ଖାଇବାକୁ ଲାଗିଲେ  । ଏହାଦେଖି ବାଳକମାନେ ଦୌଡ଼ିଯାଇ ମା’ ଯଶୋଦାଙ୍କୁ କହିଲେ— କୃଷ୍ଣ ମାଟି ଖାଉଛନ୍ତି  । ଯଶୋଦା ସଙ୍ଗେସଙ୍ଗେ ସବୁକାମ ଛାଡ଼ି ଅବୁଝା ବାଳକ ନିକଟକୁ ଆସି କହିଲେ— ତୁ କ’ଣ ମାଟି ଖାଇଛୁ ? କୃଷ୍ଣ ସିଧା ସିଧା କହିଦେଲେ— ନାହିଁ ମା’ ମୁଁ ମାଟି ଖାଇନାହିଁ, ଏସବୁ ମିଥ୍ୟା ଅଟେ; ମୋ କଥାରେ ଯଦି ବିଶ୍ୱାସ ହେଉନାହିଁ, ତେବେ ମୋ ମୁହଁ ଦେଖିନିଅ  । ଯଶୋଦା କହିଲେ, ଠିକ୍ ଅଛି ଦେଖାଅ  । କୃଷ୍ଣ ମୁହଁ ଖୋଲିବାମାତ୍ରେ ଯଶୋଦା ଦେଖନ୍ତି ତ, ସେଠାରେ ସଚରାଚର ବିଶ୍ୱ, ଚନ୍ଦ୍ର, ସୂର୍ଯ୍ୟ, ନକ୍ଷତ୍ର, ଭୂଲୋକ, ଦ୍ୟୁଲୋକ ଆଦି ବିଦ୍ୟମାନ ଅଛି  । ଏହି ଅଦ୍ଭୂତ ଦୃଶ୍ୟକୁ ଦେଖି ଯଶୋଦା ଶଙ୍କାଗ୍ରସ୍ତ ହୋଇ ବିଚାର କଲେ—
ଏହା ମୁଁ କ’ଣ ଦେଖୁଛି ? ଏହା କୌଣସି ସ୍ୱପ୍ନ ଅବା କୌଣସି ଦେବମାୟା ଅଟେ ଅଥବା ମୋ ବୁଦ୍ଧିରେ ଭ୍ରମ ଉତ୍ପନ୍ନ ହୋଇଛି ? ଗର୍ଗାଚାର୍ଯ୍ୟ ତ କହିଥିଲେ, କୃଷ୍ଣ ପୂର୍ବଜନ୍ମରେ ସିଦ୍ଧ ମହାପୁରୁଷ ଥିଲା; ଏହା କ’ଣ କୃଷ୍ଣର କୌଣସି ସିଦ୍ଧି ଅଥବା ଐଶ୍ୱର୍ଯ୍ୟର ଅଭିବ୍ୟକ୍ତି ଅଟେ ? ଏପ୍ରକାର ବିଚାରକରି ଯଶୋଦା କିଛି ବି ନିର୍ଣ୍ଣୟ କରିପାରିଲେ ନାହିଁ ଆଉ ପୁତ୍ରର ଅମଙ୍ଗଳ ଆଶଙ୍କାରେ ନାରାୟଣଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ ।
ଯଶୋଦା ପ୍ରାର୍ଥନା କରୁଛନ୍ତି— ଚିତ୍ତ, ମନ, କର୍ମ ଆଉ ବାଣୀଦ୍ୱାରା ଯାହାଙ୍କର ତତ୍ତ୍ୱକୁ ଆଦୌ ବୁଝିହୁଏ ନାହିଁ, ତଥା ଏହି ବିଶ୍ୱ ଯାହାର ଅଧିଷ୍ଠାନ ଅଟେ, ଯାହାଙ୍କ ଶକ୍ତି ଦ୍ୱାରା ସଂସାରର ସମସ୍ତ ବସ୍ତୁକୁ ଅନାୟାସରେ ବୁଝିହୁଏ, ମୁଁ ସେହି ଅଚିନ୍ତ୍ୟ ମହାଶକ୍ତିର ଆଶ୍ରୟ ନାରାୟଣଙ୍କୁ ପ୍ରଣାମ କରୁଅଛି ।
ମୁଁ ଯଶୋଦା ଅଟେ, ନନ୍ଦ ମୋର ସ୍ୱାମୀ ଅଟନ୍ତି, କୃଷ୍ଣ ମୋର ପୁତ୍ର ଅଟେ, ମୁଁ ଗୋପରାଜଙ୍କର ପତ୍ନୀ ତଥା ତାଙ୍କର ଧନ-ସମ୍ପତ୍ତିର ଅଧିକାରିଣୀ ଅଟେ ଆଉ ଗୋଧନ ଆଦି ସହିତ ବ୍ରଜବାସୀ ଗୋପ ଏବଂ ଗୋପୀମାନେ ସମସ୍ତେ ମୋର ପ୍ରଜା ଅଟନ୍ତି— ଏହିଭଳି ଭାବରେ ‘ମୁଁ-ମୋର’ ରୂପୀ ଭ୍ରାନ୍ତ ବୁଦ୍ଧି ଯାହାଙ୍କ ମାୟାଦ୍ୱାରା ରଚିତ ହୋଇଥାଏ, ସେହି ନାରାୟଣ ହିଁ ମୋର ଏକମାତ୍ର ଗତି ବା ଆଶ୍ରୟ ଅଟନ୍ତି ।
ଯଶୋଦା ବିଚାର କରିଛନ୍ତି— ‘ମୁଁ-ମୋର’ ଏହା ତ ମାୟା ଅଟେ; ମୁଁ ଗୋପରାଜଙ୍କର ପତ୍ନୀ ଅଟେ କୃଷ୍ଣ ମୋର ପୁତ୍ର ଅଟେ— ଏ ସମସ୍ତ ଅଭିମାନ ଅହଂକାର ସୂଚକ ବିଷୟସମୂହର ଚିନ୍ତନ ଦ୍ୱାରା ମୁଁ ନାରାୟଣଙ୍କୁ ଭୁଲି କଷ୍ଟ ପାଉଛି, ମୋ ପୁତ୍ର କୃଷ୍ଣର ଅମଙ୍ଗଳ ଆଶଙ୍କାରେ ମୁଁ ସବୁବେଳେ ବ୍ୟାକୁଳ ହୋଇଉଠୁଛି, ଫଳତଃ ମୋର ଇଷ୍ଟଦେବତା ନାରାୟଣଙ୍କ କଥା ସମ୍ପୂର୍ଣ୍ଣରୂପେ ଭୁଲି ଯାଇଛି  । ଏଥିପାଇଁ ତ ମୋତେ ଏତେ କଷ୍ଟ ହେଉଛି; ସ୍ୱରୂପ ଜ୍ଞାନ ହେବାପରେ ତ ଏହି କଷ୍ଟ ଆଉ ରହିବନାହିଁ  । ଏହିଭଳି ବିଚାରକରି ଯଶୋଦା ପ୍ରାର୍ଥନା କରିଛନ୍ତି— ହେ ନାରାୟଣ ! ମୋର ଏହି ମମତାର ବନ୍ଧନକୁ ତୁମେ ଚ୍ଛିନ୍ନ କରିଦିଅ; ଯଦ୍ଦ୍ୱାରା ମୁଁ ଦେହ, ବନ୍ଧୁପରିଜନ, ସ୍ୱାମୀ, ପୁତ୍ରାଦିରୁ ମମତାରହିତ ହୋଇ ତୁମର ଚରଣାଶ୍ରୟ ପ୍ରାପ୍ତ କରିପାରିବି ।
ଯଶୋଦା ସ୍ୱରୂପ ଜ୍ଞାନ ଲାଭ କରିବାପାଇଁ ଚାହିଁଛନ୍ତି; ଏହି ସ୍ୱରୂପ ଜ୍ଞାନ ଲାଭ ହୋଇଯିବାପରେ ତାଙ୍କର ସଂସାର ବିଷୟକ ମମତା ‘ମୁଁ-ମୋର’ର ଭାବ ତ ଦୂର ହୋଇଯିବ, ଏହା ସତ; ହେଲେ ଭଗବାନଙ୍କର ବାଲ୍ୟଲୀଳା ରସର ଆସ୍ୱାଦନ କରିବା ଆଉ ସମ୍ଭବ ହେବନାହିଁ  । ଏଥିପାଇଁ କୃଷ୍ଣ ଜନନୀଙ୍କର ଏଭଳି ବୈରାଗ୍ୟ ଦେଖି ବୈଷ୍ଣବୀମାୟା ତାଙ୍କର ବାତ୍ସଲ୍ୟ-ସ୍ନେହରୂପୀ ମାୟାଦ୍ୱାରା ଯଶୋଦାଙ୍କୁ ଆଚ୍ଛାଦିତ କରିଦେଲେ ।
ସଦ୍ୟୋନଷ୍ଟସ୍ମୃତିର୍ଗୋପୀ ସାଽଽରୋପ୍ୟାରୋହମାତ୍ମତମ୍ ।
ପ୍ରବୃଦ୍ଧ ସ୍ନେହକଲିଳହୃଦୟାଽଽସୀଦ୍ ଯଥା ପୁରା ।।
10-8-44।।
ଭଗବାନଙ୍କର ବୈଷ୍ଣବୀ ଶକ୍ତି ନିଜର ବାତ୍ସଲ୍ୟ-ସ୍ନେହରୂପୀ ମାୟାର ବିସ୍ତାର କରିବାରୁ ଯଶୋଦା ତତ୍କାଳ ତାଙ୍କର ପ୍ରାର୍ଥନାକୁ ଭୁଲିଯାଇ ପୂର୍ବବତ୍ ନିଜ ପୁତ୍ରକୁ ସ୍ନେହପୂର୍ଣ୍ଣ ହୃଦୟରେ କୋଳାଗ୍ରତ କରିନେଲେ ।
ଏଠାରେ ଯଶୋଦା ପୁତ୍ରରୂପୀ କୃଷ୍ଣଙ୍କ ସମ୍ବନ୍ଧକୁ ମାୟା ବୋଲି ମନେକରି ଏହି ମାୟା ବନ୍ଧନରୁ ମୁକ୍ତ ହେବାପାଇଁ ଚାହିଁଛନ୍ତି; କାରଣ ମାୟାରେ ଆବଦ୍ଧ ହେଲେ ଭଗବାନଙ୍କୁ ପ୍ରାପ୍ତି କରିହୁଏ ନାହିଁ  । ହେଲେ ଭଗବାନଙ୍କର ବୈଷ୍ଣବୀ ଶକ୍ତି ବାତ୍ସଲ୍ୟମାୟାର ବିସ୍ତାର କରି ଯଶୋଦାଙ୍କୁ ଆହୁରି ଭଲଭାବରେ ବାନ୍ଧିପକାଇଛନ୍ତି  । ପ୍ରଶ୍ନ ଉଠିପାରେ କି, କୃଷ୍ଣଙ୍କ ପ୍ରତି ଯଶୋଦାଙ୍କର ଏହି ବାତ୍ସଲ୍ୟ-ସ୍ନେହ କ’ଣ ଅଜ୍ଞାନରୁ ଉତ୍ପନ୍ନ ହୋଇଥିଲା ? ଭଗବାନଙ୍କ ସହିତ ସମ୍ବନ୍ଧିତ କିଛି ବି ଅଜ୍ଞାନରୁ ଉତ୍ପନ୍ନ ହେବା ସମ୍ଭବ ନୁହେଁ  । ଭଗବାନ୍ ହେଉଛନ୍ତି ଜ୍ଞାନର ପ୍ରତିମୂର୍ତ୍ତି, ଅତଃ ଜ୍ଞାନ ଏବଂ ଅଜ୍ଞାନ ଏକ ସଙ୍ଗରେ ରହିପାରନ୍ତି ନାହିଁ ।
ଜ୍ଞାନୀଜନମାନେ ଜ୍ଞାନଯୋଗରେ ସିଦ୍ଧ ହୋଇ ଯାହାଙ୍କୁ ଆବାଙ୍ମନସଗୋଚରମ୍-ବାଣୀ ଏବଂ ମନଠାରୁ ଊର୍ଦ୍ଧ୍ୱରେ କହି ଦୂର କରିଦେଇଥାନ୍ତି, ମା’ ଯଶୋଦା ତାଙ୍କୁ ବାମହାତରେ ଧରି କହୁଛନ୍ତି— ତୁ କାହିଁକି ମାଟି ଖାଇଛୁ ? ଅତଃ ଯଶୋଦାଙ୍କର ବାତ୍ସଲ୍ୟ ଭାବ ସମସ୍ତ ଶାସ୍ତ୍ରର ଧାରଣା ଊର୍ଦ୍ଧ୍ୱରେ  । ସମସ୍ତଙ୍କର ନିୟନ୍ତା ହେବାପରେ ବି ଭଗବାନ୍ ମା’ ଯଶୋଦାଙ୍କର ଅଧୀନ ଅଟନ୍ତି  । ସେ ଜନ୍ମରହିତ ହେବାପରେ ବି ଯଶୋଦାଙ୍କ ପୁତ୍ର ଅଟନ୍ତି  । ସେ ସର୍ବବ୍ୟାପୀ ହେବାପରେ ମଧ୍ୟ ମା’ ଯଶୋଦାଙ୍କ କୋଳରେ ଆସୀନ, ସେ ସର୍ବେଶ୍ୱର ହେବାପରେ ବି ମା’ ଯଶୋଦାଙ୍କ ଶାସନାଧୀନ ଅଟନ୍ତି  । ଭକ୍ତର ଏହି ବାତ୍ସଲ୍ୟ ପ୍ରେମ ଏବଂ ଭଗବାନଙ୍କର ଏହି ପ୍ରେମର ଅଧୀନତା— ଏହି ରହସ୍ୟକୁ ବୁଝିବାର ସାମର୍ଥ୍ୟ କାହାଠାରେ ଅଛି ?
ଜଣେ ଗୋପୀ, ଯିଏ ଶୁଦ୍ଧ ବାତ୍ସଲ୍ୟ ଭାବରେ ସୁପ୍ରତିଷ୍ଠିତ ହେବାପରେ ମଧ୍ୟ ବେଦାନ୍ତର ପ୍ରତିପାଦ୍ୟ ଯେଉଁ ସଚ୍ଚିଦାନନ୍ଦ ରହିଛନ୍ତି, ତାଙ୍କ ବିଷୟରେ ମଧ୍ୟ ଜ୍ଞାନପ୍ରାପ୍ତ କରିଛନ୍ତି  । ସେ ଦିନେ ତାଙ୍କ ସମ ଭାବଯୁକ୍ତ ଏବଂ ସମବୟସ୍କା ଗୋପୀମାନଙ୍କୁ ଡାକି କହିଛନ୍ତି—
ଶୃଣୁ ସଖି ! କୌତୁକମେକଂ
ନନ୍ଦନିକେତାଙ୍ଗନେ ମୟା ଦୃଷ୍ଟମ୍ ।
ଧୂଲି ଧୂସରିତାଙ୍ଗୋ ନୃତ୍ୟତି ବେଦାନ୍ତସିଦ୍ଧାନ୍ତଃ ।।
ହେ ମୋର ସଖୀଗଣ ! ସବୁଠାରୁ ବଡ଼ ଆନନ୍ଦର କଥା ଶୁଣ  । ମୁଁ ଦେଖିଆସୁଛି ଯେ, ନନ୍ଦଙ୍କ ଅଗଣାରେ ଧୂଳିଧୂସରିତ ହୋଇ ବେଦାନ୍ତ ପ୍ରତିପାଦ୍ୟ ଯେଉଁ ନିର୍ଗୁଣ, ନିରାକାର, ସଚ୍ଚିଦାନନ୍ଦ ବ୍ରହ୍ମ ଅଛନ୍ତି, ସେ ହିଁ ନୃତ୍ୟ କରୁଛନ୍ତି  । ଏହାଠାରୁ ବଡ଼ କୌତୁକ ଆଉ କ’ଣ ହୋଇପାରେ ? ଏହି କୌତୁକକୁ କିଏ ବୁଝିବ ? ଏଥିପାଇଁ ଶ୍ରୀଭଗବାନଙ୍କର ଶରଣାଗତି ହିଁ ଏକମାତ୍ର ଉପାୟ ଅଟେ ।

Leave a Comment