Last updated on November 2, 2020
ପରମଗୁହ୍ୟ ଅଲୌକିକ ଆତ୍ମତତ୍ତ୍ୱ ଉପଦେଶ
ମହାଭାରତ ଉଦ୍ୟୋଗପର୍ବ ଅନ୍ତର୍ଗତ ଦ୍ୱିଚତ୍ୱାରିଂଶ ଅଧ୍ୟାୟ ଯେଉଁଥିରେ ସନତ୍ ସୁଜାତଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କର ବିବିଧ ପ୍ରଶ୍ନର ଉତ୍ତର—
ଆଚାର୍ଯ୍ୟପାଦ ଭଗବାନ୍ ଶଙ୍କରଙ୍କ ଦ୍ୱାରା ଲିଖିତ ଭୂମିକା—
ନମଃପୁଂସେ ପୁରାଣାୟ ପୂର୍ଣ୍ଣାନନ୍ଦାୟ ବିଷ୍ଣବେ
ନିରସ୍ତ ନିଖିଳ ହ୍ୟାତ୍ୱେ ତେଜସେ ବିଶ୍ୱହେତବେ ॥
ଓଁ ନମଃ ଆଚାର୍ଯ୍ୟେଭ୍ୟଃ ବ୍ରହ୍ମବିଦ୍ୟା ସମ୍ପ୍ରଦାୟ କର୍ତ୍ତୃଭ୍ୟଃ ॥
ନିଖିଳ ଅଜ୍ଞାନ ଅନ୍ଧକାର ବିନାଶକାରୀ ଜ୍ଞାନଜ୍ୟୋତି ସ୍ୱରୂପ ପୁରାଣପୁରୁଷ, ପୂର୍ଣ୍ଣାନନ୍ଦ ବିଗ୍ରହ, ଜଗତ୍କାରଣ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପ୍ରଣାମ କରୁଛି । ବ୍ରହ୍ମବିଦ୍ୟା ସମ୍ପ୍ରଦାୟ ପ୍ରବର୍ତ୍ତକ, ସକଳ ଆଚାର୍ଯ୍ୟଗଣଙ୍କୁ ଭକ୍ତିପୂତ ପ୍ରଣାମ ଜଣାଉଛି ।
ବ୍ରହ୍ମଜିଜ୍ଞାସୁଗଣଙ୍କର ବୋଧଉତ୍ପାଦନ (ଧାରଣ କରିବାର ଶକ୍ତି) କରାଇବା ନିମନ୍ତେ ସନତ୍ ସୁଜାତୀୟ ଗ୍ରନ୍ଥର ସାମାନ୍ୟ ବ୍ୟାଖ୍ୟା ଆରମ୍ଭ କରାଯାଉଛି—
ସ୍ୱରୂପତଃ ସଚ୍ଚିଦାନନ୍ଦଘନ ଅଦ୍ୱିତୀୟ ବ୍ରହ୍ମାତ୍ମସ୍ୱରୂପ ହୋଇଥିବାରୁ ସ୍ୱ ସ୍ୱରୂପାଶ୍ରିତା ଏବଂ ସ୍ୱ ସ୍ୱରୂପ ବିଷୟକାରିଣୀ, ସ୍ୱାନୁଭବଗମ୍ୟା, ଚିଦାଭାସଯୁକ୍ତା ଅବିଦ୍ୟା ଦ୍ୱାରା ସ୍ୱୀୟ ସ୍ୱରୂପଭୂତ ସଚ୍ଚିଦାନନ୍ଦ ଏବଂ ଅଦ୍ୱିତୀୟ ବ୍ରହ୍ମଭାବଠାରୁ ବିଚ୍ୟୁତ ଏବଂ ଦେହାଦି ଅନାତ୍ମ ପଦାର୍ଥରେ ଆତ୍ମଭାବାପନ୍ନ ହୋଇ ଜୀବାତ୍ମା ସର୍ବପ୍ରକାର ପୁରୁଷାର୍ଥଠାରୁ ବଞ୍ଚିତ ଏବଂ ଅଶେଷ ଅନର୍ଥର ଭାଗୀ ହୋଇଥାଏ ।
ଜୀବ ସେତେବେଳେ ଅବିଦ୍ୟା ଜନିତ କର୍ମ ରଚିତ ସାଧନସମୂହ ଦ୍ୱାରା ଈଷ୍ଟ ବସ୍ତୁର ପ୍ରାପ୍ତି ଏବଂ ଅନିଷ୍ଟ ନିବୃତ୍ତ ନିମନ୍ତେ ଇଚ୍ଛୁକ ହୁଏ । କିନ୍ତୁ ଲୌକିକ ଓ ବୈଦିକ ଯାବତୀୟ ସାଧନ ଅନୁଷ୍ଠାନ କରି ମଧ୍ୟ ମୋକ୍ଷସଂଜ୍ଞକ ପରମପୁରୁଷାର୍ଥ ଲାଭରେ ଅସମର୍ଥ ହେବାରୁ ମକରାଦିତୁଲ୍ୟ ରାଗଦ୍ୱେଷାଦି ଦ୍ୱାରା ଇତସ୍ତତଃ ଆକୃଷ୍ଟ ହୁଏ ଏବଂ ଦେବତା ମନୁଷ୍ୟ, ତୀର୍ଯ୍ୟକ୍ ଆଦି ଭେଦଯୁକ୍ତ ବିଭିନ୍ନ ଯୋନିରେ ଜନ୍ମଲାଭ କରି ଅତ୍ୟନ୍ତ ମୋହଗ୍ରସ୍ତ ଅବସ୍ଥାରେ ଜନ୍ମ ମରଣରୂପ ସଂସାର ଗତିକୁ ପ୍ରାପ୍ତ ହୁଏ ।
ସାମାନ୍ୟ ପୁଣ୍ୟ କାରଣରୁ ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ ଜାଗିଉଠିବା ସହିତ ବେଦୋକ୍ତ କର୍ମାନୁଷ୍ଠାନ ସାହାଯ୍ୟରେ ରାଗାଦି ମଳଦୋଷ ନିବୃତ୍ତ ହେଲେ, ବିଷୟରେ ଅନିତ୍ୟତ୍ୱ ଆଦି ଦୋଷ ଦର୍ଶନ କରିପାରିଲେ ଐହିକ ଓ ପାରଲୌକିକ ବିଷୟ ଭୋଗରେ ବିତୃଷ୍ଣା ଅର୍ଥାତ୍ ବୈରାଗ୍ୟର ଉଦୟ ହୁଏ । ସେଠାରୁ ବେଦାନ୍ତ ବାକ୍ୟ ଶ୍ରବଣରେ ପ୍ରତୀୟମାନ ବ୍ରହ୍ମାତ୍ମତତ୍ତ୍ୱ ସାକ୍ଷାତ ଅପରୋକ୍ଷ ରୂପରେ ଜାଣିବାର ଇଚ୍ଛା ଜୀବର ଚିତ୍ତରେ ଜାଗ୍ରତ ହୁଏ । ଫଳରେ ସେ ବେଦବିହିତ ଶମ, ଦମ ଆଦି ସାଧନ ସମ୍ପନ୍ନ ହୋଇ ବ୍ରହ୍ମବିତ୍ ଆଚାର୍ଯ୍ୟଙ୍କର ଶରଣାଗତ ହୋଇଥାଏ । ସେବା ଓ ଦାୟିତ୍ୱ ନିର୍ବହନ ପୂର୍ବକ ଗୁରୁଙ୍କୁ ପ୍ରସନ୍ନ କରାଇ ତଦୀୟ ମୁଖନିଃସୃତ ବେଦାନ୍ତ ବାକ୍ୟାଦି ଶ୍ରବଣରେ “ମୁଁ ବ୍ରହ୍ମ ଅଟେ” ଏ ପ୍ରକାର ଅପରୋକ୍ଷ ଜ୍ଞାନ ପ୍ରାପ୍ତ ହୋଇ ଅଜ୍ଞାନ ଓ ତଦ୍ଜନିତ କାର୍ଯ୍ୟସମୂହରୁ ନିଜକୁ ବିଚ୍ଛିନ୍ନ କରି ଜୀବ ବ୍ରହ୍ମରେ ଅର୍ଥାତ୍ ସ୍ୱ ସ୍ୱରୂପରେ ଅବସ୍ଥାନ କରେ । ଏହା ହିଁ ବେଦାନ୍ତ ଶାସ୍ତ୍ରର ମର୍ଯ୍ୟାଦା ଓ ନିୟମ ।
ଭାବି ସର୍ବସଂହାରୀ ଓ ବଂଶବିଧ୍ୱଂସୀ ଯୁଦ୍ଧର ଆଶଙ୍କାରେ ମୃତ୍ୟୁ ଭୟଭୀତ, ଶୋକମୋହ ସନ୍ତପ୍ତ ମହାରାଜ ଧୃତରାଷ୍ଟ୍ର “ଏକମାତ୍ର ଆତ୍ମବିତ୍ ପୁରୁଷ ହିଁ ଶୋକମୋହଠାରୁ ଉତ୍ତୀର୍ଣ୍ଣ ହୋଇଥାନ୍ତି” ଏହି ବେଦାନ୍ତ ବାକ୍ୟ ଶ୍ରବଣ କରି ଓ ବ୍ରହ୍ମଜ୍ଞାନ ବ୍ୟତୀତ ଶୋକ ନିବୃତ୍ତି ଅସମ୍ଭବ ମନେକରି ବିଦୁରଙ୍କୁ କହିଥିଲେ— ହେ ବିଦୁର, ଯଦି ତୁମର ବକ୍ତବ୍ୟ କିଛି ଅବଶିଷ୍ଟ ରହିଯାଇଥାଏ, ତେବେ ତାହା ମୋତେ କୁହ । ଏହା ଶୁଣିବା ନିମନ୍ତେ ମୋର ଆକାଂକ୍ଷା ଜାଗିଛି । ତୁମ କଥାଗୁଡିକ ଅତି ବିଚିତ୍ର ଅର୍ଥାତ୍ ମନୋହର ଓ ହିତକାରୀ ମନେହେଉଛି ।
ମହାବାକ୍ୟାଦି ବେଦାନ୍ତବାକ୍ୟ ଶ୍ରୁତ ଓ ତାହାର ମର୍ମଜ୍ଞ ହେଲେ ମଧ୍ୟ ପରମ କାରୁଣିକ ସର୍ବଜ୍ଞ ବିଦୁର ବ୍ରହ୍ମବିଦ୍ୟା, ବିଶିଷ୍ଟ ଅଧିକାରୀଙ୍କ ନିକଟରୁ ଗ୍ରହଣ କରିବା ବିଧେୟ ମନେକରି କହିଲେ—
ମୁଁ ଶୂଦ୍ର ଯୋନିରୁ ଉତ୍ପନ୍ନ ହୋଇଛି, ସୁତରାଂ ବ୍ରହ୍ମବିଦ୍ୟା ବିଷୟରେ କହିବାର ଅଧିକାରୀ ନୁହେଁ । ଅତଃପର ବିଦୁର ଚିନ୍ତା କଲେ, କିପ୍ରକାରେ ସେ ଧୃତରାଷ୍ଟ୍ରଙ୍କୁ ବ୍ରହ୍ମବିଦ୍ୟା ପ୍ରଦାନକରି ପୂର୍ଣ୍ଣାନନ୍ଦମୟ ପରମପଦ ପରମାତ୍ମ ସ୍ୱରୂପରେ ଅର୍ଥାତ୍ ସ୍ୱରାଜ୍ୟରେ ସ୍ଥାପିତ କରିବେ । ସେଥିପାଇଁ ସେ ଛାନ୍ଦୋଗ୍ୟ ଉପନିଷଦର ପ୍ରସିଦ୍ଧ ଇତିହାସକୁ ସ୍ମରଣ କଲେ । (ଛା.ଉ ୮ମ ଅଧ୍ୟାୟ) ।
ସେ ଭାବିଲେ ଏହି ସମୟରେ ଏହାଙ୍କୁ ଅଜ୍ଞାନର ଅତୀତ ଭୂମା ଅର୍ଥାତ୍ ସର୍ବବ୍ୟାପକ ପରମାତ୍ମା ସାକ୍ଷାତ୍କାର କରାଇବା ନିମନ୍ତେ ଭଗବାନ୍ ସନତ୍କୁମାରଙ୍କ ବ୍ୟତୀତ ଆଉ କେହି ସମର୍ଥ ନୁହଁନ୍ତି । ଅତଏବ ମୁଁ ଯୋଗବଳରେ ଭଗବାନ୍ ସନତ୍କୁମାରଙ୍କୁ ଆହ୍ୱାନ କରିବି ଏବଂ ସତ୍କାରାଦି ଦ୍ୱାରା ପ୍ରସନ୍ନତା ସମ୍ପାଦନ ପୂର୍ବକ ତାଙ୍କୁ ହିଁ ପ୍ରାର୍ଥନା କରିବି ଯିଏ ମହାରାଜ ଧୃତରାଷ୍ଟ୍ରଙ୍କୁ ବ୍ରହ୍ମତତ୍ତ୍ୱର ଉପଦେଶ ପ୍ରଦାନ କରିପାରିବେ ।
ବିଦୁରଙ୍କର ସ୍ମୃତିପଥରେ ଆରୂଢ଼ହୋଇ ଭଗବାନ୍ ସନତ୍କୁମାର ସେଠାରେ ଆବିର୍ଭୂତ ହେଲେ ଅଭ୍ୟୁତ୍ଥାନ ଆଦି ବିବିଧ ସତ୍କାର ଅନନ୍ତର ବିଦୁର କହିଲେ, ହେ ଭଗବାନ୍, ମହାରାଜ ଧୃତରାଷ୍ଟ୍ରଙ୍କର କିଛି ଜିଜ୍ଞାସା ରହିଯାଇଛି ଯାହାର ସମାଧାନ ମୋ ଦ୍ୱାରା ହେବା ସମ୍ଭବ ନୁହେଁ । ଅତଏବ ଆପଣ ତାହାଙ୍କୁ ସେହି ଉପଦେଶ ପ୍ରଦାନ କରନ୍ତୁ, ଯଦ୍ଦ୍ୱାରା ସେ ସର୍ବଦୁଃଖରୁ ଅତୀତ ହେବାସହିତ ଲାଭ ଅଲାଭ, ପ୍ରିୟ ଅପ୍ରିୟ, ଜରା ମୃତ୍ୟୁ ଆଦି ସବୁପ୍ରକାର ଦ୍ୱନ୍ଦ୍ୱରୁ ଅତୀତ ହୋଇପାରିବେ । ଦ୍ୱନ୍ଦ୍ୱସମୂହକୁ ସମାନ ଭାବରେ ସହନ କରିବାକୁ ସକ୍ଷମ ହେବେ । ସଂସାରର କାରଣ ସର୍ବଧର୍ମାଧର୍ମଠାରୁ ରହିତ ହୋଇ ସେ ମୁକ୍ତ ହୋଇପାରିବେ । ଆପଣ କୃପାକରି ଧୃତରାଷ୍ଟ୍ରଙ୍କୁ ସେହି ବ୍ରହ୍ମବିଦ୍ୟା ବିଷୟକ ଉପଦେଶ ପ୍ରଦାନ କରନ୍ତୁ ।
ଧୃତରାଷ୍ଟ୍ର ଓ ସନତ୍ ସୁଜାତୀୟ ସମ୍ବାଦର ଆରମ୍ଭ (ମ.ଭା.ଉ.ପ ୪୨ତମ ଅଧ୍ୟାୟ)
ବୈଶମ୍ପାୟନ କହୁଛନ୍ତି— ଅତଃପର ବୁଦ୍ଧିମାନ୍ ମହାତ୍ମା ରାଜା ଧୃତରାଷ୍ଟ୍ର ବିଦୁର କଥିତ ବାକ୍ୟକୁ ସମାଦର ପ୍ରଦର୍ଶନ ପୂର୍ବକ ବ୍ରହ୍ମାତ୍ମୈକତ୍ୱ ଜ୍ଞାନରେ ସ୍ଥିତ ହେବାର ଅଭିଳାଷାରେ ନିର୍ଜନ ସ୍ଥାନରେ ସନତ୍ ସୁଜାତଙ୍କୁ (ମୃତ୍ୟୁ ବିଷୟକ) ପ୍ରଶ୍ନ ଉତ୍ଥାପନକଲେ ।
ପ୍ରାକୃତ ଜନ ବର୍ଜିତ ଦେଶରେ ମହାରାଜ ଧୃତରାଷ୍ଟ୍ର ସନତ୍ ଅର୍ଥାତ୍ ସନାତନ ବ୍ରହ୍ମଙ୍କୁ ଜାଣିବାପାଇଁ ଇଚ୍ଛାକଲେ । ସନାତନ ବ୍ରହ୍ମ ଯାହାଙ୍କର ଅପରନାମ ହେଉଛି, ହିରଣ୍ୟଗର୍ଭ, ତାଙ୍କ ନିର୍ଦ୍ଦେଶିତ ଜ୍ଞାନ ବୈରାଗ୍ୟ ବିଭୂଷିତ ହୋଇ ଉତ୍ତମ ଜନ୍ମଗ୍ରହଣ କରିଥିବା ସଦା କୁମାରାବସ୍ଥା ଭୋଗ କରୁଥିବା ଭଗବାନ୍ ସନତ୍କୁମାର ଯାହାଙ୍କର ଅପର ନାମ ସନତ୍ ସୁଜାତ ତାଙ୍କଠାରୁ ଶ୍ରବଣ କରିବା ନିମନ୍ତେ ଉତ୍ସାହୀ ହେଲେ । ସ୍ୱତଃପ୍ରାପ୍ତ କିନ୍ତୁ ଅଜ୍ଞାନଜନିତ ଭ୍ରାନ୍ତିବଶତଃ ବିସ୍ମୃତ ହୋଇଯାଇଥିବା ଜାଗତିକ ଜନ୍ମମୃତ୍ୟୁ ସର୍ବଦୁଃଖାତୀତ, ସ୍ୱୀୟ ବ୍ରହ୍ମାତ୍ମଭାବ, ଜ୍ଞାନ ଦ୍ୱାରା ଅଜ୍ଞାନ ନିରଶନ ନିମନ୍ତେ ତୀବ୍ର ଇଚ୍ଛା ଉକ୍ତ ପ୍ରଶ୍ନର ଆଭ୍ୟନ୍ତର କାରଣ ଅଟେ ।
ପ୍ରଶ୍ନ ଭାବରେ ଧୃତରାଷ୍ଟ୍ର କହୁଛନ୍ତି — ହେ ସନତ୍ସୁଜାତ! ବସ୍ତୁତଃ ମୃତ୍ୟୁ ବୋଲି କିଛି ନାହିଁ । ଆପଣ ବିଦୁରକୁ ଏହି ଯେଉଁ ଉପଦେଶ ଦେଇଛନ୍ତି ତାହା ମୁଁ ଶୁଣିବାକୁ ଚାହୁଁଛି । ପୁନଶ୍ଚ ଶାସ୍ତ୍ର ମୁଖରୁ (ଛା.ଉ ୮-୯-୨, ୮-୧୧-୩ ଦ୍ରଷ୍ଟବ୍ୟ) ଏହା ମଧ୍ୟ ମୁଁ ଶୁଣିଅଛି ଯେ, ଦେବତା ଏବଂ ଅସୁରଗଣ ମୃତ୍ୟୁ ହାତରୁ ପରିତ୍ରାଣ ପାଇବା ନିମନ୍ତେ ଅର୍ଥାତ୍ ଅମରତ୍ୱ ଲାଭ ଉଦ୍ଦେଶ୍ୟରେ ବ୍ରହ୍ମଚର୍ଯ୍ୟ ବ୍ରତାନୁଷ୍ଠାନ ପୂର୍ବକ ପ୍ରୟାସ କରିଥିଲେ । ଅଧୁନା ଏହି ଉଭୟ ମଧ୍ୟରେ କେଉଁଟି ସତ୍ୟ ତାହା ମୋତେ ବୁଝାଇ ଦିଅନ୍ତୁ ।
କ୍ରମଶଃ
Be First to Comment