ଧର୍ମ: ଚରିତ୍ର ଗଠନ ଓ କର୍ତ୍ତବ୍ୟର ଆଧାର

ଋତେନ ଗୁପ୍ତ ଋତୁଭିଶ୍ଚ ସର୍ବୈଭୂତେନ ଗୁପ୍ତୋ ଭବ୍ୟେନ ଚାହମ୍ ।
ମା ମା ପ୍ରାପତ୍ ପାପ୍ମା ମୋତ ମୃତ୍ୟୁରନ୍ତର୍ଦଧେଽହ ସଲିଲେନ ବାଚଃ  ।

(ଅଥର୍ବ-17-1-29)
ଭାବାର୍ଥ :- ସତ୍ୟକର୍ମ ଓ ଧର୍ମାଚରଣ ଦ୍ୱାରା ହିଁ ମନୁଷ୍ୟ ଜୀବନ ସୁରକ୍ଷିତ ରହିବ, ଅତଃ ଆମେ ନିଷ୍ପାପ ଓ ଯଶସ୍ୱୀ ହୋଇ ସର୍ବଦା ଉଚ୍ଚ ଜ୍ଞାନ ପ୍ରାପ୍ତ ହେଉ ।

ବ୍ୟାଖ୍ୟା :- ଧାର୍ମିକତାର ଅର୍ଥ ଧର୍ମାନୁସାରେ ବ୍ୟବହାର  । ଧର୍ମ ବିଷୟରେ ଆଦର ଭାବ ରଖି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଧର୍ମଆଦେଶ ପାଳନ କରିବାକୁ ହିଁ ଧର୍ମାଚରଣ କୁହାଯାଏ  । ଧର୍ମ ଶବ୍ଦର ଅନେକ ଅର୍ଥ ରହିଛି  । କିନ୍ତୁ ସମ୍ପ୍ରତି ରାଜନୈତିକ ମାୟାଜାଲରେ ଫସି ଲୋକେ ଅର୍ଥକୁ ଅନର୍ଥ କରିବାରେ ଲାଗିଛନ୍ତି ।
ବସ୍ତୁତଃ ଧର୍ମ ମନୁଷ୍ୟ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ  । ଧର୍ମରେ ସଂକୀର୍ଣ୍ଣତାର ପ୍ରଶ୍ନ ହିଁ ନାହିଁ  । ବରଂ ଏହା ଆମର ଦୃଷ୍ଟିକୋଣକୁ ବ୍ୟାପକ, ବିଶାଳ ଓ ବିରାଟ କରିଦିଏ  । ପ୍ରକତ ଧର୍ମ ଆଖିଉପରେ ପଟି ବାନ୍ଧିବା ନୁହେଁ ବରଂ ବନ୍ଧା ହୋଇଥିବା ମାୟାପଟଳକୁ ଖୋଲିଦେବାର କଥା କହିଥାଏ  । କେହି ବି ଧର୍ମ, ଈର୍ଷ୍ୟା, ଦ୍ୱେଷ ଆଦି ବିକାର ଉତ୍ପନ୍ନ କରିନଥାନ୍ତି  । ଏହାଦ୍ୱାରା ସଦ୍ବିଚାର ଓ ପ୍ରେମର ବାତାବରଣ ଖେଳିଯାଇଥାଏ  । ଧର୍ମ ଓ ମାନବତା ଏକ ଆରେକର ପରିପୂରକ  । ଧର୍ମ ବିନା ମନୁଷ୍ୟ ତିଷ୍ଠି ପାରିବ ନାହିଁ, ଆଉ ମନୁଷ୍ୟ ଅତିରିକ୍ତ ଅନ୍ୟ କେଉଁଠି ଧର୍ମ ରହିପାରିବ ନାହିଁ ।
ଧର୍ମ ଅର୍ଥାତ୍ କର୍ତ୍ତବ୍ୟପାଳନର ନିୟମ  । ବିବିଧ କ୍ଷେତ୍ରରେ ଉତ୍ତମ ଯଶ ପ୍ରାପ୍ତି ନିମିତ୍ତ ଆପଣେଇଥିବା ସ୍ୱୟଂ ସ୍ୱୀକୃତ ବନ୍ଧନ  । ପ୍ରତ୍ୟେକ କ୍ଷେତ୍ରର ନିଜ ନିଜର ଧର୍ମ ରହିଥାଏ, ଯେଭଳି ଶିକ୍ଷକ ଧର୍ମ, ଛାତ୍ର ଧର୍ମ,ପ୍ରଜା ଧର୍ମ, ରାଜ ଧର୍ମ, ସୈନିକ ଧର୍ମ, ପିତା ଧର୍ମ, ପୁତ୍ର ଧର୍ମ ଇତ୍ୟାଦି  । ଧର୍ମର ଅର୍ଥ କେବଳ ପୂଜାପାଠ ଅବା ଧର୍ମକାଣ୍ଡ କରିବା ନୁହେଁ  । ଧର୍ମତ ଜୀବନର ସମଗ୍ରତାର ପ୍ରତୀକ ଅଟେ ।
ସତ୍ୟପ୍ରବୃତ୍ତି, ସତ୍କର୍ମ ଓ ସତ୍ୟାଚରଣକୁ ଧର୍ମ କୁହାଯାଏ  । ଧାର୍ମିକ ବ୍ୟକ୍ତି ସଦାଚାରୀ, ସନ୍ତୋଷୀ, ଶାନ୍ତ, ସଂଯତ ଓ ସଂଯମୀ ହୋଇଥାନ୍ତି  । କେବେ ବି କ୍ରୋଧ, ଦ୍ୱେଷ, ଅପରକୁ ଉପହାସ କରିବା କିମ୍ବା ଅନାଦର କରିବା ତାଙ୍କ ଦ୍ୱାରା ହୋଇନଥାଏ  । ମନର ପବିତ୍ରତା, ଆଚରଣର ସତ୍ୟତା ଓ ଲୋକ କଲ୍ୟାଣର ଉତ୍କୃଷ୍ଟ ଭାବନା ତାଙ୍କର ପ୍ରଧାନ ଗୁଣ ହୋଇଥାଏ  । ଧାର୍ମିକ ବ୍ୟକ୍ତି ଧର୍ମର କୁବ୍ୟବହାର କରିନଥାନ୍ତି  । ସେ ଶାନ୍ତ ଓ ନିଃସ୍ୱାର୍ଥ ଭାବରେ ନିଜ କର୍ତ୍ତବ୍ୟପାଳନରେ ଏକନିଷ୍ଠ ଥାଆନ୍ତି  । ବିଚାରରେ ଉତ୍କୃଷ୍ଟତା ଓ ଜୀବନରେ ଶାନ୍ତି ଅବଲମ୍ବନ କରିଥାନ୍ତି  । ସେ ସର୍ବଦା ନିଜ କ୍ଷମତା ଓ ପ୍ରତିଭାର ଉପଯୋଗ କରି ଲୋକହିତକାର୍ଯ୍ୟ ସମ୍ପାଦନରେ ରତ ରହିଥାନ୍ତି ତଥା ମାର୍ଗରେ ଆସୁଥିବା ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ଧୈର୍ଯ୍ୟ ଓ ଦୃଢତା ସହକାରେ ଦୂର କରିଦେଇଥାନ୍ତି  । ସରଳ ଜୀବନ, ଉଚ୍ଚ ବିଚାରର ଆଦର୍ଶ ଉପରେ ସେ ସଦା ସ୍ଥିତ ରହନ୍ତି  । ପବିତ୍ର ଓ ଶାନ୍ତିରେ ହିଁ ମନୁଷ୍ୟର ପ୍ରତିଷ୍ଠା ନିହିତ  ।
ଧର୍ମର ଅନାଦର କରିବା ମନୁଷ୍ୟତାକୁ ତ୍ୟାଗକରି ପଶୁତାକୁ ମାନ୍ୟତା ଦେବା ସହ ସମାନ  । ପଶୁ ପାଇଁ ଶରୀର ଧର୍ମ ଅତିରିକ୍ତ ଅନ୍ୟ କୌଣସି ଧର୍ମ ନାହିଁ  । ସମ୍ମୁଖରୁ ଆସୁଥିବା ପ୍ରାଣୀ ଯଦି ତା ଆଡକୁ ଆସେ, ତେବେ ତାକୁ ଶିଙ୍ଗରେ ମାରି ଦୂରେଇଦେବା, ଡରାଇବା ଅବା ସମ୍ପୂର୍ଣ୍ଣ ମାରିଦେବା ତାର ସ୍ୱାର୍ଥ ପୂର୍ତ୍ତି ନିମିତ୍ତ ଏକମାତ୍ର ଧର୍ମ ଅଟେ  । ମାନ-ମର୍ଯ୍ୟାଦା, ବିବେକବୁଦ୍ଧି, ଭାବନା, ପରମ୍ପରା, ସମାଜ ଓ ସଂସ୍କୃତି ପଶୁଠାରେ ଦେଖାଯାଏ ନାହିଁ  । ଏସବୁ ମନୁଷ୍ୟ ଠାରେ ନିହିତ  । ଏହାଦ୍ୱାରା ମନୁଷ୍ୟକୁ ପଦେ ପଦେ ଶୃଙ୍ଖଳିତ ଧର୍ମଜୀବନ କରିବାକୁ ପଡିଥାଏ  । ପରୋପକାର, ପରସ୍ପର ସହଯୋଗ, ସହ,ଂବେଦନା, ସହଜୀବନ ମଧ୍ୟରେ ହିଁ ଧର୍ମର ସାର ନିହିତ  । 

Leave a Comment