ଦମନକ ଯାତ୍ରା-2
ତାହାପରେ ପଟ୍ଟଚିତ୍ରସ୍ଥ ଦେବତାଙ୍କୁ ବିସର୍ଜନ ଦେଇ ପାତ୍ରହୋତା ବସ୍ତ୍ରରେ ମୁଖ ଆଚ୍ଛାଦିତ କରି 7ଟି ଲେଖାଏଁ 3ବାଡ଼ରେ 21ଟି ଦିବ୍ୟ ଦୟଣା ବୃକ୍ଷକୁ ବସ୍ତ୍ରରେ ଆବୃତ୍ତକରି ମହୋତ୍ସବ ଗହଣରେ ଆଗେ ଆଗେ ଏବଂ ରାମ କୃଷ୍ଣଙ୍କୁ ତାହା ପଛେ ପଛେ ମନ୍ଦିରକୁ ନେବେ ।।60-61।।
ହେ ରାଜା ! ଦୟଣାବୃକ୍ଷ ଏବଂ ରାମକୃଷ୍ଣଙ୍କୁ ସ୍ୱ ସ୍ଥାନରେ ବିରାଜମାନ କରାଇବ ।। ମନ୍ଦିରର ପୂର୍ବକୁ ଚାରିକୋଣିଆ ଚାରିଦ୍ୱାର ବିଶିଷ୍ଟ ଗୋଟିଏ ଉତ୍ତମ ମଣ୍ଡପ କରି ସେଥିରେ ଅତି ଦିବ୍ୟ ସୁନ୍ଦର ଚାନ୍ଦୁଆ ଟାଣିବ ।।63।।
ସେହିଠାରେ ମୂଳ ସହିତ ଆଣିଥିବା ଦୟଣା ବୃକ୍ଷକୁ ରଖିବ । ସାୟଂକାଳୀନ ପୂଜା ସମାପ୍ତ ହେବାପରେ ଉକ୍ତ ସୁଶୋଭିତ ମଣ୍ଡପକୁ ଯିବ ।। ଉକ୍ତ ମଣ୍ଡପରେ ଗୋଟିଏ ମନୋରମ ଚାରିକୋଣିଆ ବାଲି ଘରଟିଏ ନିର୍ମାଣ କରିବ । ପୂର୍ବକୁ ଦ୍ୱାର ରଖିବ ।।65।।
ହେ ଧରଣୀନାଥ ! ଏହି 21ଟି ଦୟଣାବୃକ୍ଷକୁ ସେଠାରେ ରଖି ବାଲିରେ ଘୋଡ଼େଇ ଦେବ ।। ପଦ୍ମ ମଣ୍ଡଳରେ ଯତ୍ନପୂର୍ବକ ଦୟଣାଗୁଡ଼ିକ ରଖି ଚନ୍ଦନ ପ୍ରଭୃତି ଅର୍ପଣ କରି ପୁଣି ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରିଦେବ ।। ଏହିପରି ରାମ, କୃଷ୍ଣ ଓ ଭୂଦେବୀଙ୍କୁ ଦୟଣା ଅର୍ପଣ ପୂର୍ବକ ପୂଜା କରି ବନ୍ଦାପନା କରିବ । ହେ ରାଜା ! ରାମ ଓ କୃଷ୍ଣଙ୍କର ହସ୍ତରେ ଯେଉଁ ଦୁଇଟି ଦୟଣା ବୃକ୍ଷ ଥିବ, ।।68।।
ସେହି ବୃକ୍ଷକୁ ଆଚାର୍ଯ୍ୟ ହସ୍ତରେ ଧରି ଜଗନ୍ନାଥଙ୍କୁ ପ୍ରାର୍ଥନା କରିବେ । ହେ ଜଗବନ୍ଧୁ ! ତୁମ୍ଭଙ୍କୁ ନମସ୍କାର । ହେ ତ୍ରୈଲୋକ୍ୟନାୟକ ! ତୁମ୍ଭଙ୍କୁ ନମସ୍କାର ।।69।।
ହେ ସୁରଶ୍ରେଷ୍ଠ ! ତୁମ୍ଭଙ୍କୁ ନମସ୍କାର । ହେ ସିନ୍ଧୁଜାପତି (ଲକ୍ଷ୍ମୀପତି) ତୁମ୍ଭଙ୍କୁ ନମସ୍କାର । ଏହି ଦମନକ (ଦୟଣା) ନାମକ ଅସୁର ତିନିଲୋକ ପାଇଁ କଣ୍ଟକ ହୋଇଥିଲା ।। ସେହି ଅସୁର ପୂର୍ବେ ଅତି ପରାକ୍ରମୀ ମହାବଳଶାଳୀ ଥିଲା ।। ତୁମ୍ଭେ ତାହା ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାହାଙ୍କୁ ପ୍ରଭୂତ ସମ୍ପତ୍ତି ପ୍ରଦାନ କରିଥିଲ । ସେ ସମ୍ପତ୍ତି ଗର୍ବରେ ଅତି ଉନ୍ମତ୍ତ ହୋଇଥିଲା । ବର୍ତ୍ତମାନ ସେ ପୃଥିବୀରେ ଦୟଣା ବୃକ୍ଷ ନାମରେ ଜାତ ହୋଇଅଛି ।।72।।
ହେ ଦେବଗଣ ! ସେହି ଦୟଣାବୃକ୍ଷଠାରେ ତୁମ୍ଭେ ପ୍ରୀତ ହୁଅ । ଏହା କହି ଦୟଣାକୁ ଜଗନ୍ନାଥଙ୍କର କର କମଳରେ ଅର୍ପଣ କରିବ ।। ହେ ରାଜା ! ଏହିପରି ଗୀତ, ନୃତ୍ୟାଦି ଗହଣରେ ରାତ୍ରିଯାପନ କରାଇବ । ତାହାପରେ ଚତୁର୍ଦ୍ଦଶୀର ଅରୁଣୋଦୟ ସମୟରେ ପ୍ରାତଃକାଳୀନ ପୂଜା ଆରମ୍ଭ କରିବ ।। ତାହାପରେ ଅତି ଭକ୍ତି ସହକାରେ ଠାକୁରମାନଙ୍କୁ ମହାସ୍ନାନ କରାଇବ । ଚଉଷମ ଲେପନ କରି ବସ୍ତ୍ର ଓ ଅଳଙ୍କାର ଦ୍ୱାରା ସଜ୍ଜିତ କରାଇବ ।।75।।
ତାହାପରେ ଅର୍ଚ୍ଚକ, ଅଗ୍ନିଶର୍ମା ଓ ବ୍ରହ୍ମା ସୁସଂଯତ ହୋଇ ଅଧିବାସ ଗୃହକୁ ଯାଇ ପୂର୍ବୋକ୍ତ ଦୟଣା ବୃକ୍ଷଗୁଡ଼ିକୁ ବସ୍ତ୍ରଦ୍ୱାରା ଆଚ୍ଛାଦିତ କରାଇବେ ।।76।।
ତାହାପରେ ଆଚ୍ଛାଦିତ ଦୟଣାବୃକ୍ଷକୁ ଧରି ଛତ୍ର, ଘଣ୍ଟା, ଚାମର, କାହାଳୀ, ଶଙ୍ଖ, ମହୁରୀ, ଭେରୀ ଓ ମର୍ଦ୍ଦଳ ସହକାରେ ଉତ୍ସବ ଆୟୋଜନ କରିବେ ।।77।।
ହେ ରାଜା ! ଏହି ଉତ୍ସବ ମଧ୍ୟରେ ଦୟଣା ସହିତ ଠାକୁରଙ୍କୁ ତିନିଥର ମନ୍ଦିର ପ୍ରଦକ୍ଷିଣ କରାଇବ ।।78।।
ତାହାପରେ ଠାକୁରଙ୍କ ସମ୍ମୁଖରେ ଉକ୍ତ ଦୟଣା ବୃକ୍ଷମାନଙ୍କୁ ସ୍ଥାପନ କରିବ । ତାହାପରେ 24 ଉପଚାର କିମ୍ବା ପଞ୍ଚୋପଚାରରେ ପୂଜା ଓ ସଂସ୍କାର କରି ପ୍ରାର୍ଥନା କରିବ ।।79।।
ହେ ପ୍ରଭୋ ! ହିରଣ୍ୟକଶିପୁର ବକ୍ଷକୁ ନିଜର ତୀକ୍ଷ୍ଣ ନଖଦ୍ୱାରା ତୁମ୍ଭେ ବିଦାରଣ କରିଥିଲ ।।80।।
ତାହାର ଶିରା ପ୍ରଶିରାକୁ ତୁମ୍ଭେ ଯେପରି ଯଜ୍ଞୋପବୀତ କରିଥିଲ ମୁଁ ସେହିପରି ଦମନଳ ପୁଷ୍ପ (ଦୟଣା ଫୁଲ) ସହିତ ଦୟଣାବୃକ୍ଷକୁ ତୁମ୍ଭର ଆନନ୍ଦ ନିମନ୍ତେ ତୁମ୍ଭଙ୍କୁ ଅର୍ପଣ କରୁଅଛି ।।81।।
ହେ ପ୍ରଭୁ ! ତାହାକୁ ଗ୍ରହଣ କର । ହେ ଜଗନ୍ନାଥ ! ତୁମ୍ଭଙ୍କୁ ନମସ୍କାର । ହେ କରୁଣାନିଧି ! ତୁମ୍ଭଙ୍କୁ ନମସ୍କାର ।।82।।
ହେ ଭକ୍ତବତ୍ସଳ ! ଏହି କାର୍ଯ୍ୟ ନିର୍ବାହ କରିବାରେ ମୋର ଯଦି କୌଣସି ଅପରାଧ ହୋଇଥାଏ ତେବେ ମୋତେ କ୍ଷମା କରନ୍ତୁ । ଏହିପରି ପ୍ରାର୍ଥନା କରି ଉକ୍ତ ଦୟଣା ବୃକ୍ଷଗୁଡ଼ିକୁ ପ୍ରଭୁଙ୍କର ଶିରରେ ପରମଭକ୍ତି ଭାବନା ସହକାରେ ଅର୍ପଣ କରିବ ।।83।।
ଏହିପରି ଅର୍ପଣ କରି ପ୍ରଭୁଙ୍କୁ ପ୍ରଣାମ ଜଣାଇବ । ହେ ବଳଦେବ ! ହେ ବଳାଧାର ! ଏହି ସଂସାରରେ ତୁମ୍ଭେ ବଳକୁ ଉତ୍ପାଦିତ କରିଅଛ ।।84।।
ପ୍ରଳମ୍ବାସୁରର ବଳକୁ ତୁମ୍ଭେ ଧ୍ୱସ୍ତ କରିଅଛ । ତୁମ୍ଭେ ବଳୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟ । ହେ ପରମେଶ୍ୱର ! ଏହି ସୁବାସଯୁକ୍ତ ଦୟଣାବୃକ୍ଷକୁ ତୁମ୍ଭେ ଗ୍ରହଣ କର ।।85।।
ଏହିପରି କହି ଆନନ୍ଦ ସହକାରେ ଅଗ୍ନିଶର୍ମା ଉକ୍ତ ଦୟଣାବୃକ୍ଷକୁ ଦେବେ । ତାହାପରେ ସୁଭଦ୍ରାଙ୍କୁ ପ୍ରାର୍ଥନା କରିବେ । ହେ ଭଦ୍ରାଦେବି ! ତୁମ୍ଭଙ୍କୁ ନମସ୍କାର । ହେ ଭକ୍ତମାନଙ୍କର ଭଦ୍ରଦାୟିନି ! ତୁମ୍ଭଙ୍କୁ ନମସ୍କାର ।।86।।
ହେ ଦେବି ! ହେ ସ୍ମିତହାସ୍ୟବଦନା ! ଏହି ଦୟଣାକୁ ଗ୍ରହଣ କରନ୍ତୁ । ବ୍ରହ୍ମା (ପୂଜକ) ଏହିପରି କହି ଦୟଣାବୃକ୍ଷକୁ ସୁଭଦ୍ରାଙ୍କୁ ଦେବେ ।।87।।
ତାହାପରେ ମଧ୍ୟାହ୍ଣପୂଜା କରି ଠାକୁରଙ୍କ ସମ୍ମୁଖଭାଗ ଧୋଇ ପରିଷ୍କାର କରିଦେବ । ତାହାପରେ ସମସ୍ତେ ଠାକୁରମାନଙ୍କୁ ବନ୍ଦାପନା କରିବେ ।।88।।
ହେ ରାଜା ! ତାହାପରେ ସମସ୍ତେ (ପୂଜକ) ଠାକୁରଙ୍କ ମସ୍ତକଉପରୁ ଦୟଣାକୁ ଆଣି ତୁମ୍ଭଙ୍କୁ ଅର୍ପଣ କରିବେ । ଏହି ସମୟରେ ଯେଉଁ ଭକ୍ତମାନେ କେଶବଙ୍କୁ ଭକ୍ତିର ସହ ଦର୍ଶନ କରନ୍ତି ସେମାନଙ୍କର ସକଳ ମନୋରଥ ପୂର୍ଣ୍ଣ ହୁଏ ଓ ଶେଷରେ ସେ ପରମ ପଦ ଲାଭ କରିଥାଆନ୍ତି । ହେ ନୃପଶାର୍ଦ୍ଦୂଳ ! ଏଥିରେ କୌଣସି ସନ୍ଦେହ ନାହିଁ ।।89-90।।
ଯେଉଁମାନେ ପ୍ରଭୁଙ୍କ ମସ୍ତକରୁ ପ୍ରାପ୍ତ ହୋଇଥିବା ଏତାଦୃଶ ଦୟଣାକୁ ଭକ୍ଷଣ କରନ୍ତି କିମ୍ବା ଶରୀରରେ ଧାରଣ କରନ୍ତି ସେମାନେ ସକଳ ପାପରୁ ମୁକ୍ତ ହୁଅନ୍ତି । କୌଣସି ରୋଗ ବୈରାଗ ତାଙ୍କର ଆଉ ରହେନାହିଁ ।।91।।
ହେ ରାଜା ! ଯେଉଁମାନେ ଏହି ଦୟଣାବୃକ୍ଷକୁ ହସ୍ତରେ କିମ୍ବା ମସ୍ତକରେ ଧାରଣ କରନ୍ତି ସେମାନଙ୍କର ଭୂତ, ପ୍ରେତ, ବେତାଳ ପ୍ରଭୃତି କୌଣସି କ୍ଷତି କରିପାରନ୍ତି ନାହିଁ କିମ୍ବା ହିଂସ୍ର ଜୀବଜନ୍ତୁ ଆକ୍ରମଣ କରନ୍ତି ନାହିଁ ।।92।।
ଏହାକୁ ସେବନ କଲେ ଗବାଦିପଶୁ, ହସ୍ତୀ ଓ ଅଶ୍ୱ ପ୍ରଭୃତିଙ୍କର କୌଣସି କ୍ଷତି ହୁଏନାହିଁ ।।93।।
ଯେଉଁମାନେ ଭକ୍ତିଭାବ ସହକାରେ ହସ୍ତରେ ଧାରଣ କରି ଯୁଦ୍ଧକୁ ଯାଆନ୍ତି ସେ ସମସ୍ତେ ଜୟଲାଭ କରନ୍ତି ।।94।।
ଏହି ଦୟଣାକୁ ଧାରଣ କରିଥିବା ମହନୀୟ କରୁଣା ପ୍ରଦର୍ଶନ କରୁଥିବା ନୀଳାଚଳବାସୀ ଜଗନ୍ନାଥଙ୍କୁ ଜପପୂର୍ବକ ଧ୍ୟାନକରି ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରେମରେ ଗଦ୍ ଗଦ୍ ହୋଇ ସବୁ କଥା ବର୍ଣ୍ଣନା କରି କହିଲେ । ଏହାପରେ ବୈଶାଖ ମାସରେ ଯାହା କରଣୀୟ ତାହା କଳିକାଳର କଳ୍ମଷ ଧ୍ୱଂସକାରୀ ଅଟେ, ତାହା କହୁଛନ୍ତି ଶୁଣ ।।95।।
ଏହିପରି ସୂତସଂହିତା ଅନ୍ତର୍ଗତ ନୀଳାଦ୍ରି ମହୋଦୟସ୍ଥ ଶୌନକାଦିମୁନିଙ୍କ ସମ୍ବାଦରେ ଦମନକ ଯାତ୍ରା ବିଷୟକ ପଞ୍ଚତ୍ରିଂଶ ଅଧ୍ୟାୟ ସମାପ୍ତ ହେଲା ।
ଷଟ୍ ତ୍ରିଂଶ ଅଧ୍ୟାୟ
କ୍ରମଶଃ