ସରଳ ଅଭ୍ୟାସ ବିଧିଃ
ପ୍ରାତଃକାଳରେ ଶୌଚ ସ୍ନାନ ଆଦି ସାରି ଶୁଦ୍ଧ ଏକାନ୍ତ ସ୍ଥାନରେ ସୁଖପୂର୍ବକ ଆସନ ଉପରେ ବସି ପ୍ରଥମେ ସଂକଳ୍ପ କର ଅର୍ଥାତ୍ ଆଜି ଏହି ସମୟରେ, ଏତିକି ସମୟ ପର୍ଯ୍ୟନ୍ତ, ଏହି କାମନା ନେଇ, ଏହି ମନ୍ତ୍ରର ଜପ କରିବି ।
ତାପରେ ଅତି କମ୍ରେ ୧୦ଥର ଦୀର୍ଘ ଶ୍ୱାସ ପ୍ରଶ୍ୱାସ କରନ୍ତୁ । ଅର୍ଥାତ୍ ଥରେ ଶ୍ୱାସକୁ ବହିର୍ଗତ କରି ଅଳ୍ପ ସମୟପର୍ଯ୍ୟନ୍ତ ବାହାରେ ରୋକି ଧୀରେ ଧୀରେ ଭିତରକୁ ନିଅନ୍ତୁ । ଠିକ୍ ସେହିଭଳି କିଛି ସମୟ ଭିତରେ ରଖି ଧୀରେ ଧୀରେ ବହିର୍ଗତ କରନ୍ତୁ । ଏହା ଏକ ପ୍ରକାର ପ୍ରାଣାୟାମ ଅଟେ । ଏହିଭଳି ଦଶଥର ପ୍ରାଣାୟାମ କରନ୍ତୁ ।
ତତ୍ପଶ୍ଚାତ୍ ନିମ୍ନରେ ପ୍ରଦତ୍ତ ମନ୍ତ୍ର ପାଠ କରନ୍ତୁ—
ହେ ପରମାତ୍ମନ୍!
ଆକାଶ ଆମପାଇଁ ଶାନ୍ତିପ୍ରଦାୟକ ହେଉ ।
ଆକାଶ ଏବଂ ପୃଥିବୀ ମଧ୍ୟସ୍ଥିତ ସ୍ଥାନ
ଆମପାଇଁ ଶାନ୍ତିଦାୟକ ହେଉ ।
ପୃଥିବୀ ଆମପାଇଁ ଶାନ୍ତିପ୍ରଦାୟକ ହେଉ ।
ଜଳ ଆମପାଇଁ ଶାନ୍ତିପ୍ରଦାୟକ ହେଉ ।
ବନସ୍ପତି ଆମପାଇଁ ଶାନ୍ତିପ୍ରଦାୟକ ହୁଅନ୍ତୁ ।
ବିଶ୍ୱଦେବ ଆମପାଇଁ ଶାନ୍ତିଦାୟକ ହୁଅନ୍ତୁ ।
ବ୍ରହ୍ମ ଆମପାଇଁ ଶାନ୍ତିପ୍ରଦାୟକ ହୁଅନ୍ତୁ ।
ସବୁକିଛି ଆମପାଇଁ ଶାନ୍ତିଦାୟକ ହେଉ ।
ଆଉ ଆମର ଶାନ୍ତି ସଦାସର୍ବଦା ବୃଦ୍ଧିପାଉ ।
ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।
ଶାନ୍ତି ସବୁ ସ୍ଥାନରେ ସମସ୍ତଙ୍କ ଭିତରେ ସବୁବେଳପାଇଁ ବିଦ୍ୟମାନ । ତାହାର ଇଚ୍ଛା କରିବାମାତ୍ରେ ତତ୍କାଳ ତାହା ବୃଦ୍ଧିପାଏ । ଶାନ୍ତି ଲାଭ ନିମନ୍ତେ ଇଚ୍ଛା କରିବାପାଇଁ ଏହି ସମୟଟି ସବୁଠାରୁ ଉତ୍କୃଷ୍ଟ । ଉପରୋକ୍ତ ମନ୍ତ୍ରକୁ ଦୁଇ ତିନିଥର ପାଠ କଲେ ଚତୁର୍ଦ୍ଦିଗରୁ ଶାନ୍ତି ଆକର୍ଷିତ ହୋଇ ଆସି ସାଧକଙ୍କ ଚାରିପାଖରେ, ସବୁସ୍ଥାନରେ ଆଚ୍ଛାଦିତ ହୋଇଯାଏ । ସେ ନିଜକୁ ଶାନ୍ତିରେ ବୁଡି ରହିଥିବାର ଦେଖେ । ଏହି ସମୟଟି ଜପ ନିମନ୍ତେ ଉଦ୍ଦିଷ୍ଟ । ସେହି ସମୟରେ (ମାଳାଦ୍ୱାରା କିମ୍ବା ବିନା ମାଳାରେ ଜପ କଲାଭଳି) ମଧୁର, କୋମଳ ଏବଂ ଆନନ୍ଦଯୁକ୍ତ ମନ ଏବଂ ଧ୍ୱନି ସହିତ-ଓମ୍, ଓମ୍, ଓମ୍ ଏହିଭଳି ଜପ କରିବା ପ୍ରାରମ୍ଭ କରିଦିଅନ୍ତୁ । ଏଭଳି ଉଚ୍ଚାରଣ କରନ୍ତୁ ଯେଉଁଭଳି ନିଜ କାନକୁ ଶୁଣାଯିବ ।
ଜପ କରିବା ସମୟରେ ମନରେ ଏହା ଚିନ୍ତନ କରନ୍ତୁ ଯେ ଏହି ସଂସାରକୁ ଯିଏ ନିର୍ମାଣ କରିଛନ୍ତି-ଯିଏ ଆମ ସମସ୍ତଙ୍କୁ ଜୀବିତ ରଖିଛନ୍ତି ଏବଂ ଏ ସମସ୍ତ ସହ ଆମେମାନେ ଯାହାଙ୍କଠାରେ ବିଲୀନ ହୋଇଯିବା, ତାଙ୍କରି ନାମ ଓମ୍ ଅଟେ ।
ଉଚ୍ଚସ୍ୱରରେ ଜପ କରି କରି ଆମେ ଯେଉଁଦିନ ଅବଶ ହୋଇପଡିବା, ସେହିଦିନଠାରୁ ମନେ ମନେ ଜପ କରିବା ।
ସମୟ ପୂର୍ଣ୍ଣ ହେବାପରେ ଆମନ ଏବଂ ନମସ୍କାର କରି ସଂସାରୀ କାର୍ଯ୍ୟରେ ଲାଗିଯାନ୍ତୁ ।
ଜୀବନରେ ଅନେକ ଥର ମନୁଷ୍ୟ ଏଭଳି ସଙ୍କଟରେ ଫଶି ଯାଏ ଯେ ସେ ବୁଝିପାରେ ନାହିଁ, ସେତେବେଳେ ସେ କଣ କରିବ? ଏଭଳି ସମୟରେ ତାକୁ ଏକମାତ୍ର ଜପର ଆଶ୍ରୟ ଗ୍ରହଣ କରିବା ଆବଶ୍ୟକ । ଉଚ୍ଚସ୍ୱରରେ ଜପ କରିବା ଆବଶ୍ୟକ-ଅହୋରାତ୍ର ଜପ କରିବା ଆବଶ୍ୟକ । ଏପରି କଲେ ସେ ଦେଖିବ ଯେ, ଭଗବାନ କିଭଳି ତାର ସଂକଟସ୍ଥିତିକୁ ଦୂର କରିଦେଉଛନ୍ତି । ତାହାର ସମସ୍ତ ସଂକଟ ଗୋଟିଏ ଗୋଟିଏ କରି ଦୂର ହୋଇଯିବ ଆଉ ସେ ଅତ୍ୟନ୍ତ ଆନନ୍ଦରେ ଜୀବନ ଅତିବାହିତ କରିବାକୁ ଲାଗିବ ।
ତିନିମାସ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ତିନି ଘଣ୍ଟା ପ୍ରାତଃକାଳ ଏବଂ ତିନି ଘଣ୍ଟା ସାୟଂକାଳରେ ଶୀଘ୍ର ଶୀଘ୍ର ଉଚ୍ଚାରଣ କରିବାପୂର୍ବକ ‘ଓମ୍କାର’ ଜପକରିବା ଦ୍ୱାରା ଯେକୌଣସି କଠିନ ବିପତ୍ତି ହେଲେ ମଧ୍ୟ ତାହାର ବିନାଶ ହେବା ସହ ମନୋକାମନା ପୂର୍ଣ୍ଣ ହୁଏ ।
ଶୀଘ୍ର ଶୀଘ୍ର ଉଚ୍ଚାରଣ କରିବାଦ୍ୱାରା ମନକୁ ଅତ୍ର ତତ୍ର ଦୌଡିବାପାଇଁ ସମୟ ମିଳିନଥାଏ ଯାହାଫଳରେ ସେ ଗୋଟିଏ କାମ(ଜପ)ରେ ଲାଗିରହେ । ଏକାଗ୍ର ହୋଇଯାଏ ଆଉ ଏକାଗ୍ରତା ହିଁ ସର୍ବ ସିଦ୍ଧି ଏବଂ ସଫଳତାରୂପୀ ଭଣ୍ଡାରର ଗୁରୁ ଅଟେ ।
ଦ୍ୱିତୀୟ ବିଧିଃ:
ଯଦିଓ ଉପନିଷଦର ଉପଦେଶ ଏବଂ ପୁରାଣର ପ୍ରତ୍ୟେକ ଦୃଷ୍ଟାନ୍ତ ଏହି ଶିକ୍ଷା ପ୍ରଦାନ କରିଥାଏ କି ମନୁଷ୍ୟର ସବୁଠାରୁ ବଡ କର୍ତ୍ତବ୍ୟ ହେଉଛି ନିରନ୍ତର ଜପ କରିବା । ଏହି ଗୋଟିଏ କାମ କରିବାଦ୍ୱାରା ସଂସାରର ସମସ୍ତ କାମ ସ୍ୱତଃ ସିଦ୍ଧ ହୋଇଯାଏ ହେଲେ ଯାହାଙ୍କର ଏତେ ମାତ୍ରାରେ ଶ୍ରଦ୍ଧାରେ ପ୍ରାବଲ୍ୟତା ନଥାଏ ଏବଂ ଯେଉଁମାନେ କାମଧନ୍ଦାରୁ ଅବକାଶ ନ ପାଇବାଯୋଗୁଁ ଦିନରେ ଜପ କରିବାକୁ ଅସମର୍ଥ ହୁଅନ୍ତି, ସେମାନେ ରାତ୍ରିକାଳରେ ଶୋଇବା ସମୟରେ ଜପ କରିବା ଆବଶ୍ୟକ ।
ଶୋଇବା ସମୟର ଦୁଇଘଣ୍ଟା ପୂର୍ବରୁ ହାତ, ପାଦ, ମୁହଁ ଧୋଇ ଶୁଦ୍ଧ ବସ୍ତ୍ର ଧାରଣ କରି ଆସନ ଉପରେ ଅଥବା ଶଯ୍ୟା ଶୁଦ୍ଧ ହୋଇଥିଲେ ତଦୁପରେ ବସି ପ୍ରଥମେ ସଂକଳ୍ପ ଏବଂ ପ୍ରାଣାୟାମ କରନ୍ତୁ । ତା ପରେ ଦୁଇ ତିନିଥର ଶାନ୍ତି ମନ୍ତ୍ରର ପାଠ କରନ୍ତୁ । ଯେତେବେଳେ ଚିତ୍ତର ଅବସ୍ଥା ପୂର୍ଣ୍ଣରୂପେ ଶାନ୍ତ ହୋଇଯିବ, ସେତେବେଳେ ଜଗତର ସମସ୍ତ ଚିନ୍ତାକୁ ପରିହାର କରି ଆନନ୍ଦଯୁକ୍ତ ମନ ଏବଂ ମଧୁର, କୋମଳ ଧ୍ୱନିରେ ଓମ୍ ଓମ୍ ଓମ୍ ଏହିଭଳି ଜପ କରିବା ଆରମ୍ଭ କରିଦିଅନ୍ତୁ, ଆଉ ଜପରତ ରହି ନିଦ୍ରା ଆସିଲେ ଶୋଇରହନ୍ତୁ ।
ଜପରତ ରହି ଶୋଇଲେ ରାତିସାରା ମନରେ ଜପ ହେଉଥାଏ । ରାତିରେ ନିଦ ଭାଙ୍ଗିବା ପରେ ତଥା ପ୍ରାତଃକାଳରେ ଉଠିବା ପରେ ଜଣାଯାଏ କି ମନରେ ସ୍ୱତଃ ଜପ ଚାଲିଛି ।
ଜପରତ ରହି ଶୋଇବାଦ୍ୱାରା ବିନା ପରିଶ୍ରମରେ ଜପ ହୋଇଚାଲେ ଆଉ ସେତିକି ସମୟ ପର୍ଯ୍ୟନ୍ତ ଜପ କରିବାଦ୍ୱାରା ଯେଉଁ ଉପକାର ମିଳେ, ଫଳ ମିଳେ-ତାହା ଅନାୟାସରେ ପ୍ରାପ୍ତ ହୋଇଯାଏ । ଖାଲି ଏତିକି ନୁହେଁ, ଜପ କରୁଥିବା ଅବସ୍ଥାରେ ସୁସ୍ଥ ନିଦ୍ରା ଆସିଥାଏ ଏବଂ ପ୍ରାତଃକାଳରେ ଉଠିବାପରେ ଚିତ୍ତ ନିର୍ମଳ, ଶାନ୍ତ ଏବଂ ଅତ୍ୟନ୍ତ ପ୍ରସନ୍ନ ଜଣାଯାଏ ।
ଆରୋଗ୍ୟ ନିମନ୍ତେ ଏହାର ପ୍ରୟୋଗ ଅତିଶୟ ଲାଭଦାୟକ ଅଟେ ।
ତୃତୀୟ ବିଧିଃ: ପ୍ରଣବ ପୂଜା
ସତ୍କାରକୁ ପୂଜା କହନ୍ତି । ଯାହାଙ୍କ ହୃଦୟରେ ଯାହାଙ୍କ ନିମନ୍ତେ ଯେତେ ଆଦର ଥାଏ ସେ ତାଙ୍କୁ ସେତେ ପୂଜ୍ୟ ମନେକରିଥାନ୍ତି । ପ୍ରାଚୀନ କାଳରେ ନିଜ ଗୃହକୁ ଆସିଥିବା ଋଷିମୁନିଙ୍କର ଷୋଡଶୋପଚାର ପୂଜନ କଥା ପୁରାଣରେ ସ୍ଥାନେ ସ୍ଥାନେ ବର୍ଣ୍ଣନା କରାଯାଇଛି । ମହାରାଜ ଶ୍ରୀରାମଚନ୍ଦ୍ର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ସ୍ୱୟଂ ଅବତାର ହୋଇ ବି ଋଷିଗଣଙ୍କର ପୂଜନ କରୁଥିଲେ ।
ପ୍ରଣବ ବ୍ରହ୍ମଙ୍କର ପ୍ରତ୍ୟକ୍ଷ ମୂର୍ତ୍ତି ଅଟେ । ଏହା ବେଦ, ଶାସ୍ତ୍ର, ପୁରାଣ ସମସ୍ତେ ଏକସ୍ୱରରେ ସ୍ୱୀକାର କରନ୍ତି । ଅତଏବ ପ୍ରଣବ(ଓଁ)ଙ୍କର ପୂଜନ କରିବା ମନୁଷ୍ୟମାତ୍ରକେ ସର୍ବୋତ୍ତମ କର୍ତ୍ତବ୍ୟ ଅଟେ-ସର୍ବୋତ୍ତମ ଧର୍ମ ଅଟେ ।
ଏହାର ବିଧି ହେଉଛି ସ୍ନାନାଦି ସମାପନ କରି ଶୁଦ୍ଧ ସ୍ଥାନରେ ଏକ ଆସ୍ଥାନ ଉପରେ ଥାଳି ରଖି ସେଥିରେ ଉତ୍ତମ ଗୋଲାପ ପୁଷ୍ପର ପାଖୁଡାକୁ ଓଁ ଭଳି ସଜାଇ ରଖନ୍ତୁ ଏବଂ ତାହାକୁ ବିଧି ତଥା ଭକ୍ତିର ସହ ପୂଜନ କରି ତା ସମ୍ମୁଖରେ ବସି ଜପ କରନ୍ତୁ । ମୋର ଜଣେ ମିତ୍ର ଯମୁନାଲାଲଜୀ ବୈଶ୍ୟ ଇନ୍ଦୋର ନିବାସୀଙ୍କୁ ଏହି ବିଧିରେ ପୂଜନ କରିବାଦ୍ୱାରା ଜାଗ୍ରତାବସ୍ଥାରେ ଆକାଶବାଣୀ ହୋଇ କୃତ ସଂକଳ୍ପର ଉତ୍ତର ମିଳିଥିଲା ଏବଂ ଅନେକଥର ଭବିଷ୍ୟତ କଥା ମଧ୍ୟ ଜଣାପଡିଥିଲା ।
ଚତୁର୍ଥ ବିଧିଃ
ଯିଏ ବସିକରି ଜପ କରିପାରନ୍ତି ନାହିଁ ସେ ଶୋଇରହି, ଛିଡାହୋଇ, ଚାଲିବୁଲି ଜପ କରନ୍ତୁ ।
ଇନ୍ଦୋରରେ ଜଣେ ଦାକ୍ଷିଣାତ୍ୟ ବ୍ରାହ୍ମଣ ଉଠିବା, ବସିବା, ଭ୍ରମଣ କରିବା ସମୟରେ ନିରନ୍ତର ନିଷ୍କାମଭାବରେ ‘ଓମ୍କାର’ ଜପ କରିଥାନ୍ତି । ଦାକ୍ଷିଣାତ୍ୟ ସଜ୍ଜନଗଣ ଗାୟନ ପ୍ରେମୀ ଅଟନ୍ତି । ଏକଥା ପ୍ରସିଦ୍ଧ ଏବଂ ପ୍ରତ୍ୟକ୍ଷ ଅଟେ । ଏହି ପଣ୍ଡିତଜଣକ ଜପକୁ ଗାୟନର ରୂପ ଦେଇଦେଲେ । ଯଦ୍ଦ୍ୱାରା ଭକ୍ତିପୂର୍ବକ ଭଜନ ସହିତ ମନୋରଞ୍ଜନ ମଧ୍ୟ ହୋଇପାରିଲା ।
ସେହି ଗାୟନଟି ହେଉଛି—
ଓମ୍ ଓମ୍ ଓମ୍ ଓମ୍ ଓମ୍ ଓମ୍ ଓମ୍
ଓମ୍ ଓମ୍ ଓମ୍ ଓମ୍ ଓମ୍ ଓମ୍ ଓମ୍
ଓମ୍ ଓମ୍ ଓମ୍ ଓମ୍ ଓମ୍ ଓମ୍ ଓମ୍
ଭଜ ମନ ଓମ୍ ଓମ୍ ଓମ୍ ଓମ୍ ଓମ୍ …
ଏପରି କଲେ ଏକ ସମୟରେ ଚବିଶ ଥର ‘ଓମ୍କାର’ ଜପ ହୋଇପାରିବ ତତ୍ପଶ୍ଚାତ୍ ଗୀତର ନାଦରେ ମନ ସର୍ବଦା ଆନନ୍ଦରେ ନୃତ୍ୟ କରିବାକୁ ଲାଗିବ ।
ମୁଁ ଥରେ ସେହି ମହାଶୟଙ୍କୁ ପଚାରିଲି ଆପଣଙ୍କୁ ଏହାଦ୍ୱାରା କଣ କିଛି ଚମତ୍କାର ହେଲାଭଳି ଲାଗୁଛି? ସେ କହିଲେ ସେପରି କିଛି ଚମତ୍କାର ତ ଜଣାଯାଇନାହିଁ, ହେଲେ ଜୀବନସାରା ମୋତେ ସେପରି କିଛି ଅଶାନ୍ତିର ଅନୁଭବ ହୋଇନାହିଁ ।
ପ୍ରିୟ ପାଠକଗଣ! କେତେ ଉତ୍ତମ ଜୀବନ!! ଶାନ୍ତ ଜୀବନ!!!
ଏ ସମସ୍ତ ବିଧି ମଧ୍ୟରୁ ଯେଉଁ ବିଧି ଯାହାକୁ ପସନ୍ଦ ସେହି ବିଧିରେ ଜପ କରିବା ଆବଶ୍ୟକ । ଯିଏ ସନ୍ଧ୍ୟା ପୂଜନକାରୀ ଅଟନ୍ତି ସେମାନେ ନିଜର ଇଷ୍ଟଦେବଙ୍କ ସମ୍ମୁଖରେ ବସି ଜପ କରନ୍ତୁ । ଅର୍ଥାତ୍ ଜପ କରିବାଦ୍ୱାରା ହିଁ- ଜପାତ୍ ସିଦ୍ଧିଃ ଜପାତ୍ ସିଦ୍ଧିଃ ଜପାତ୍ ସିଦ୍ଧିଃ ନ ସଂଶୟଃ ।
ଏଥିରେ ତିଳେମାତ୍ର ସନ୍ଦେହ ନାହିଁ, ଏଥିରେ କୌଣସି ପ୍ରକାର ଶଂକା ମଧ୍ୟ ନାହିଁ କି ଜପ କଲେ ସିଦ୍ଧି ହୁଏ! ଜପ କରିବାଦ୍ୱାରା ଅବଶ୍ୟ ସିଦ୍ଧି ହୋଇଥାଏ!! ଜପ କରିବାଦ୍ୱାରା ସିଦ୍ଧି ଲାଭ ହୋଇଥାଏ!!!
‘ଓମ୍କାର’ ସଂକ୍ଷିପ୍ତ ଅର୍ଥ
ଅ-ଉ-ମ୍ ଉକ୍ତ ତିନି ଅକ୍ଷରର ସମାହାରରେ ଓଁ (ଓମ୍) ଏହି ଶବ୍ଦର ସୃଷ୍ଟି । ଅକାରର ଅର୍ଥ ହେଉଛି ୧ ବିରାଟ୍ ୨ ଅଗ୍ନି ୩ ବିଶ୍ୱ । ଉକାରର ୧ ହିରଣ୍ୟଗର୍ଭ ୨ ବାୟୁ ୩ ତୈଜସ୍ । ଆଉ ମକାରଙ୍କର ୧ ଈଶ୍ୱର ୨ ଆଦିତ୍ୟ ୩ ପ୍ରାଜ୍ଞ ଇତ୍ୟାଦି । ଏହି ଶବ୍ଦର ଭିନ୍ନ ୨ଗୋଟି ଅର୍ଥ ରହିଛି ଯଥା-
‘ଅ’ର ଅର୍ଥ :—୧. ବିରାଟ୍-(ବିବିଧଂ ଚରାଚରଂ ଜଗତ୍ ରାଜୟତେ ପ୍ରକାଶୟତେ ଯଃ ସ ବିରାଟ୍) ବିବିଧ ଚରାଚର ଜଗତର ପ୍ରକାଶକାରୀ-ଉତ୍ପନ୍ନକାରୀ ପରମାତ୍ମାଙ୍କ ନାମ ବିରାଟ୍ ଅଟେ ।
୨. ଅଗ୍ନିଃ-(ଉ୍ଯତେ ପୂଜ୍ୟତେ ସତ୍ କ୍ରିୟତେ ବେଦାଦିଭିଃ ବିଦ୍ୱଦ୍ଭିଃ ଶାସ୍ତ୍ରୈ ରେତ୍ୟଗ୍ନିଃ) ବେଦାଦି ସମସ୍ତ ଗ୍ରନ୍ଥ ଏବଂ ସଂସାରର ସମସ୍ତ ବିଦ୍ୱାନ୍ ଯାହାଙ୍କର ପୂଜା କରନ୍ତି-ଉପାସନା କରନ୍ତି ସେହି ପରମେଶ୍ୱରଙ୍କ ନାମ ଅଗ୍ନି ଅଟେ ।
୩. ବିଶ୍ୱଃ-(ବିଷ୍ଟାନି ଆକାଶାଦୀନି ଯସ୍ମିନ୍ ଅଥବା ବିଷ୍ଟୋସ୍ତି ପ୍ରକୃତ୍ୟାଦିଷୁ ଯଃ ସ ବିଶ୍ୱଃ) ଯିଏ ପରମାଣୁଠାରୁ ନେଇ ଆକାଶ ପର୍ଯ୍ୟନ୍ତ ଭିତର-ବାହାର ସବୁ ସ୍ଥାନରେ ପରିପୂର୍ଣ୍ଣ ହୋଇ ରହିଛନ୍ତି ସେହି ସର୍ବ ବ୍ୟାପକ ମହାଶକ୍ତିଙ୍କର ନାମ ବିଶ୍ୱ ଅଟେ ।
Be First to Comment