Last updated on January 27, 2021
ମହାତ୍ମା ଗାନ୍ଧି
ଆଜିକାଲି ସ୍ୱାଭାବିକ ଶବ୍ଦର ଦୁରୂପଯୋଗ ହେଉଛି । ଜଣେ ଭାଇ ଲେଖିଛନ୍ତି— ‘ଯେଭଳି ମନୁଷ୍ୟ ପାଇଁ ଖାଇବା-ପିଇବା ସ୍ୱାଭାବିକ, ସେହିଭଳି କ୍ରୋଧ କରିବା ମଧ୍ୟ ସ୍ୱାଭାବିକ ଅଟେ ।’ ଅନ୍ୟ ଜଣେ ଭାଇ ଲେଖିଛନ୍ତି—‘ଯେପରି ଆମପାଇଁ ଶୋଉବା-ବସିବା ସ୍ୱାଭାବିକ ଅଟେ, ସେହିଭଳି ବିଷୟଭୋଗ କରିବା ମଧ୍ୟ ସ୍ୱାଭାବିକ ଅଟେ ।
ଯଦି ଏହି କଥା ଠିକ୍ ନୁହେଁ, ତେବେ ଈଶ୍ୱର ଆମକୁ କାହିଁକି ବିଷୟ-ବାସନା ଦେଇଛନ୍ତି ? ଦୁଷ୍ଟ ମନୁଷ୍ୟ ପ୍ରତି କ୍ରୋଧ କରିବା ଆଉ ସାଧୁଜନଙ୍କ ପ୍ରତି ସ୍ତୁତି କରିବା ଯଦି ଆମର ଧର୍ମ ନୁହେଁ, ତେବେ ଆମକୁ ସ୍ତୁତି-ନିନ୍ଦା କରିବାର ଶକ୍ତି କାହିଁକି ଦେଇଛନ୍ତି ? ସର୍ବଶକ୍ତିସମୂହର ସମ୍ପୂର୍ଣ୍ଣ ବିକାଶ କାହିଁକି ଧର୍ମ ନୁହେଁ ? ଏହିଭଳି ବିଚାର କରିବାରେ କଣ ଏହା ପ୍ରମାଣିତ ହୁଏନାହିଁ କି ଯେତେ ପରିମାଣରେ ଅହିଂସା ଧର୍ମ ଅଟେ, ସେତେ ପରିମାଣରେ ହିଂସା ମଧ୍ୟ ଧର୍ମ ଅଟେ ? ସ୍ୱଳ୍ପରେ କହିଲେ ଏହା ପ୍ରତୀତ ହୁଏ ଯେ, ପୁଣ୍ୟ-ପାପ ଏହା ଆମ ଦୁର୍ବଳ ମନର କଳ୍ପନାମାତ୍ର ଅଟେ । ଅାପଣଙ୍କର ଅହିଂସା ଧର୍ମ ଏକାଙ୍ଗୀ ହେବା କାରଣରୁ ଦୁର୍ବଳତାର ସୂଚକ ଭାବେ ପ୍ରତୀତ ହୋଇଥାଏ ଆଉ ସେଥିପାଇଁ ତାକୁ ଧର୍ମ ନୁହେଁ ବରଂ ପରମ ଅଧର୍ମ ଭାବରେ କାହିଁକି ଗଣ୍ୟ କରିବାନାହିଁ ? ଏଭଳି ଜଣାପଡେ କି, ‘ଅହିଂସା ପରମୋଧର୍ମଃ’— ଉପରେ ଅବଗ୍ରହ ଲାଗିଯାଇଛି ଅଥବା ମନୁଷ୍ୟ ଜାତିର କୌଣସି ଶତୃ ତାହାକୁ ନିଶ୍ଚିହ୍ନ କରିପକାଇଛି । କାହିଁକି ନାଁ ଏଭଳି ପ୍ରତୀତ ହେଉଛି କି ଅନେକ ହିଂସାତ୍ମକ କାର୍ଯ୍ୟରୁ ଅହିଂସା ପରମ ଅଧର୍ମ ହେବା ଅତି ସହଜରେ ପ୍ରମାଣିତ ହୋଇପାରୁଛି
ଉପରୋକ୍ତ ଲିଖିତ ଉକ୍ତିଗୁଡିକ କେହି ଜଣଙ୍କର ନୁହେଁ, ବରଂ ଅନେକଙ୍କ ଉକ୍ତିର ସାର ଅଟେ । ଅବଗ୍ରହ ଦୂରେଇ ଦେଲେ ଅବା ତାକୁ ନିଶ୍ଚିହ୍ନ କରିଦେବାର କଳ୍ପନା ଏକ ଓକିଲ ବନ୍ଧୁଙ୍କର ଅଟେ ଆଉ ସେ ଏହି ଦଲିଲକୁ ଅତି ସନ୍ତର୍ପଣରେ ଜମା କରିଥିଲେ । ଯଦି ମନୁଷ୍ୟଙ୍କୁ ପଶୁ ଶ୍ରେଣୀରେ ରଖିଦେବା, ତେବେ ଅନେକକଥା ଯାହାକୁ ଆମେ ସ୍ୱାଭାବିକ ବୋଲି କହୁଛେ, ସ୍ୱାଭାବିକ ସିଦ୍ଧ ହେଇପାରିବ । କିନ୍ତୁ ଯଦି ସେହି ଉଭୟଙ୍କ ମଧ୍ୟରେ ଜାତିଭେଦକୁ ଆମେ ସ୍ୱୀକାର କରିବା, ତେବେ ଏହା କୁହାଯାଇପାରିବ ନାହିଁ କି, ଯେଉଁ କଥା ପଶୁମାନଙ୍କ ପାଇଁ ସ୍ୱାଭାବିକ, ସେସବୁ ମନୁଷ୍ୟଙ୍କ ପାଇଁ ମଧ୍ୟ ସ୍ୱାଭାବିକ ଅଟେ । ମନୁଷ୍ୟ ଊର୍ଦ୍ଧ୍ୱଗତି ପ୍ରାଣୀ ଅଟେ । ତାକୁ ସବୁପ୍ରକାର ବିବେକବୁଦ୍ଧି ଦିଆଯାଇଛି । ସେ ବୁଦ୍ଧି ପୂର୍ବକ ପରମାତ୍ମାଙ୍କର ଭଜନ କରିଥାଏ ଆଉ ତାଙ୍କୁ ଜାଣିବାର, ଚିହ୍ନିବାର ପ୍ରଯତ୍ନ ମଧ୍ୟ କରିଥାଏ, ତାକୁ ଚିହ୍ନିନେବାକୁ ସେ ନିଜର ପୁରୁଷାର୍ଥ ବୋଲି ମନେକରେ । କିନ୍ତୁ ଯଦି ଏହା କହିବା କି, ପଶୁ ମଧ୍ୟ ଈଶ୍ୱରଙ୍କର ଭଜନ କରିଥାଏ, ତେବେ ସେ ଅନିଚ୍ଛା ସହକାରେ ଭଜନ କରିଥାଏ, ସ୍ୱେଚ୍ଛାରେ ନୁହେଁ । ଆଉ ମନୁଷ୍ୟ ତ ନିଜ ଇଚ୍ଛାରେ ସୈତାନର ମଧ୍ୟ ପୂଜା କରିଥାଏ, ଅତଃ ଈଶ୍ୱରଙ୍କୁ ଜାଣିବା ହିଁ ମନୁଷ୍ୟର ସ୍ୱଭାବ ହେବା ଆବଶ୍ୟକ, ଆଉ ଏହା ହିଁ ଅଟେ । ଯେତେବେଳେ ମନୁଷ୍ୟ ସୈତାନର ପୂଜା କରିଥାଏ, ତେବେ ସେ ନିଜ ସ୍ୱଭାବର ପ୍ରତିକୂଳ କାର୍ଯ୍ୟ କରିଥାଏ । ଯଦି କେହି ଏଭଳି ମାନିଥାଏ କି ମନୁଷ୍ୟ ଆଉ ପଶୁ ମଧ୍ୟରେ କୌଣସି ଜାତିଭେଦ ନାହିଁ, ତେବେ ତା’ପାଇଁ ମୋର ଏହି ଦଲିଲ ନିରର୍ଥକ ଅଟେ । ସେ ଅବଶ୍ୟ ଏହା କହିପାରେ କି ପାପ-ପୁଣ୍ୟ ଭଳି କୌଣସି ବସ୍ତୁ ହିଁ ନାହିଁ । ଈଶ୍ୱରଙ୍କ ଅନ୍ୱେଷଣ ସ୍ୱଭାବରେ ଯୁକ୍ତ ମନୁଷ୍ୟ ପାଇଁ ଖାଇବା-ପିଇବା ଇତ୍ୟାଦି ମଧ୍ୟ କେବଳ ଅମୁକ ଦୃଷ୍ଟିରେ ସ୍ୱାଭାବିକ ହୋଇପାରେ । କାହିଁକି ନାଁ ଏଭଳି ସ୍ୱଭାବ ସମ୍ପନ୍ନ ମନୁଷ୍ୟଖାଇବା ପାଇଁ ଅବା ଭୋଗିବା ପାଇଁ ଖାଦ୍ୟ-ପାନୀୟ ଗ୍ରହଣ କରେନାହିଁ କିନ୍ତୁ ଈଶ୍ୱରଙ୍କୁ ଜାଣିବା ପାଇଁ ଖାଦ୍ୟ ଗ୍ରହଣ କରେ । ଅତଃ ଖାଦ୍ୟ ପ୍ରତି ସେ ସବୁବେଳେ ପସନ୍ଦ, ମର୍ଯ୍ୟାଦା ଓ ତ୍ୟାଗର ଭାବ ପ୍ରଦର୍ଶନ କରିଥାଏ ।
ଏହିଭଳି ବିଚାର କରିବାରେ ଆମକୁ ଏହା ମଧ୍ୟ ଅବଗତ ହେବ କି ବିଷୟଭୋଗ ମନୁଷ୍ୟର ସ୍ୱଭାବ ପାଇଁ ପ୍ରତିକୂଳ ଅଟେ । ଏହି ଭୋଗର ସର୍ବଥା ତ୍ୟାଗକରିବା ତାର ସ୍ୱଭାବର ଅନୁକୂଳ ଅଟେ । ଆଉ ସେହି ଭୋଗକୁ ସର୍ବଥା ତ୍ୟାଗ କରିବା ବିନା ଈଶ୍ୱରଙ୍କୁ ଜାଣିବା ଅସମ୍ଭବ ଅଟେ । ମନୁଷ୍ୟ ପାଖରେ ଥିବା ସମସ୍ତଶକ୍ତିର ସମ୍ପୂର୍ଣ୍ଣ ବିକାଶ କରିବା ହିଁ ତାହାର ଧର୍ମ ନୁହେଁ, ତାହା ତାର ସ୍ୱଭାବ ନୁହେଁ । ‘‘କିନ୍ତୁ ଈଶ୍ୱରଙ୍କ ନିକଟକୁ ନେଉଥିବା ସର୍ବଶକ୍ତିର ବିକାଶ କରିବା ଓ ପ୍ରତିକୂଳ ସମସ୍ତ ଶକ୍ତିର ସର୍ବାଂଶରେ ତ୍ୟାଗକରିବା ତାହାର ପାଳନୀୟ ଧର୍ମ ଅଟେ ।’’ ଯେଉଁ ପ୍ରାଣୀକୁ ଗ୍ରହଣ କରିବା ଓ ତ୍ୟାଗ କରିବାର ପସନ୍ଦ ଅଥବା ସ୍ୱତନ୍ତ୍ରତା ରହିଛି, ତାହାର କାମ ପାପପୁଣ୍ୟର ଭେଦକୁ ନ ମାନି ହୋଇପାରିବ ନାହିଁ । ପାପପୁଣ୍ୟର ଅପର ଅର୍ଥ ହେଉଛି—ତ୍ୟାଜ୍ୟ ଓ ଗ୍ରାହ୍ୟ ବସ୍ତୁ । ଅପରର ଜିନିଷ ତା’ଠାରୁ ନେଇଯିବା ତ୍ୟାଜ୍ୟ ଅଟେ— ପାପ ଅଟେ । ଆମ ଭିତରେ ଭଲ ଓ ମନ୍ଦ ବାସନା ରହିଛି, ମନ୍ଦ ବାସନାର ତ୍ୟାଗ କରିବା ଆମର ଧର୍ମ ଅଟେ । ଯଦି ଆମେ ଏଭଳି ନ କରିବା ତେବେ ଆମେ ମନୁଷ୍ୟ ଜନ୍ମ ପାଇ ମଧ୍ୟ ପଶୁ ହୋଇଯାଉ ଆଉ ଏଥିପାଇଁ ତ ସମସ୍ତ ଧର୍ମ ଚିତ୍କାର କରି କହିଥାନ୍ତି କି, ମନୁଷ୍ୟ ଜନ୍ମ ଦୁର୍ଲ୍ଲଭ ଅଟେ, ମନୁଷ୍ୟ ଦେହ ଆମର ପରୀକ୍ଷା-କଷଟି କରିବା ପାଇଁ ଦିଆଯାଇଛି ଆଉ ହିନ୍ଦୁଧର୍ମ କହିଛନ୍ତି, ଏହି କଷଟି-ପରୀକ୍ଷାରେ ଅନୁତ୍ତୀର୍ଣ୍ଣ ହେଲେ ଆମକୁ ପୁନଃ ପଶୁଯୋନିକୁ ଯିବାକୁ ପଡିବ ।
ଏହି ସଂସାରରେ ହିଂସା ସବୁସ୍ଥାନରେ ବ୍ୟାପ୍ତ । ଗୋଟିଏ ଇଂରାଜୀ ବାକ୍ୟର ଅର୍ଥ ହେଉଛି—’ଭଗବାନଙ୍କର ନଖ ରକ୍ତରେ ରଙ୍ଗାୟିତ ।’ ଯଦି ଏହି ବାକ୍ୟ ଉପରେ ବିଚାର କରାଯିବ, ତେବେ ତାହାର ସତ୍ୟତା ଆମକୁ ସ୍ଥାନେ ସ୍ଥାନେ ଦୃଶ୍ୟ ହେବ । କିନ୍ତୁ ଯଦି ମନୁଷ୍ୟକୁ ଅପର ପ୍ରାଣୀଠାରୁ ଶ୍ରେଷ୍ଠ ମନେକରିବା, ତାଠାରେ ଏକ ବିଶେଷ ଇନ୍ଦ୍ରିୟର ଆରୋପଣ କଲେ ଆମକୁ ସହସା ଜଣାପଡିଯିବକି, ଲାଲ ରକ୍ତରେ ରଙ୍ଗାୟିତ ନଖଯୁକ୍ତ ଭଗବାନଙ୍କ ମଧ୍ୟରେ ନଖହୀନ ଏଭଳି ମନୁଷ୍ୟ ଶୋଭାୟମାନ । ମନୁଷ୍ୟର ଯଦି କୌଣସି ଅଲୌକିକ କର୍ତ୍ତବ୍ୟ ରହିଛି, ତେବେ ତାହା ଅହିଂସା ହିଁ ଅଟେ । ହିଂସା ମଧ୍ୟରେ ଠିଆହୋଇ ନିଜ ଅନ୍ତରରୂପୀ ଗୁହାର ଗଭୀରକୁ ଯାଇ ଅନୁଭବ ପ୍ରାପ୍ତିହୋଇ ସେ କହିଥାଏ, ‘ଏହି ହିଂସାମୟ ସଂସାରରେ ମନୁଷ୍ୟର ଧର୍ମ ଅହିଂସା ଅଟେ ଆଉ ଯେତେ ପରିମାଣରେ ସେ ଅହିଂସକ ଅଟେ, ସେତେ ପରିମାଣରେ ସେ ନିଜ ଜାତିର ଶୋଭା ବୃଦ୍ଧି କରିଥାଏ ।’ ମନୁଷ୍ୟର ସ୍ୱଭାବ ହିଂସା ନୁହେଁ ବରଂ ଅହିଂସା ଅଟେ । କାରଣ ସେ ନିଜ ଅନୁଭବରୁ ନିଶ୍ଚୟପୂର୍ବକ ଏହା କହିପାରେ କି, ‘ମୁଁ ଦେହ ନୁହେଁ କିନ୍ତୁ ଆତ୍ମା ଅଟେ, ଆଉ ଏହି ଦେହସ୍ଥ ଆତ୍ମାର ବିକାଶର ଅର୍ଥ ଆତ୍ମଦର୍ଶନର ଅର୍ଥ ଉପଯୋଗ କରିବାର ମୋର ଅଧିକାର ରହିଛି ।’ ଆଉ ସେଥିରେ ସେ ଦେହ ଦମନର, କାମ, କ୍ରୋଧ, ମଦ, ମୋହ, ମତ୍ସର ଆଦି ଶତ୍ୃମାନଙ୍କୁ ଜିତିବାର ନୀତି ରଚନା କରିଥାଏ, ତାକୁ ଜିତିବା ପାଇଁ ବଡ ପ୍ରଯତ୍ନ କରିଥାଏ ଆଉ ସେଥିରେ ସେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରିଥାଏ, ସେତେବେଳେ ଯାଇ ସେ ମନୁଷ୍ୟ ଜାତି ପାଇଁ ଅନୁକୂଳ କାର୍ଯ୍ୟ କଲା ବୋଲି କୁହାଯାଇପାରେ । ଅତଃ ରାଗଦ୍ୱେଷାଦିକୁ ଜିତିନେବା କୌଣସି ଅତିମାନୁଷୀ କାର୍ଯ୍ୟ ନୁହେଁ କିନ୍ତୁ ମାନୁଷୀ କାର୍ଯ୍ୟ ଅଟେ । ଅହିଂସା ପାଳନ ଅତି ଉଚ୍ଚ ବୀରତାର ଲକ୍ଷଣ ଅଟେ । ଅଂହିସାରେ ଭୀରୁତା ପାଇଁ କୌଣସି ସ୍ଥାନ ରହି ନ ପାରେ ।
(—ନବଜୀବନରୁ)
Be First to Comment